ଲେଖା: ଅମ୍ବିକା ପଟ୍ଟନାୟକ
~ ବିଛିନ୍ନାଞ୍ଚଳରେ ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା – କେଶୀଆଡ଼ି ସ୍ଥିତ ସର୍ବମଙ୍ଗଳା ମନ୍ଦିର ~
“ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ
ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ଵଧା ନମସ୍ତୁତେ . . “
1568 ଗୋହିରାଟିକିରି ଠାରେ ଓଡ଼ିଶାର ଶେଷ ସ୍ୱାଧୀନ ଗଜପତି ମୁକୁନ୍ଦଦେବଙ୍କ ପତନ ପରେ ଗଜପତି ସୁହାଗିନୀ ଓଡ଼ିଶା ହରେଇ ଥିଲା ତାର ରାଜନୈତିକ ଅସ୍ତିତ୍ବ l ଏକ ବିଶାଳ ଅଂଶ ଚାଲିଗଲା ବଙ୍ଗଳା ଆଫଗାନ ଆଉ ପରେ ଗୋଲକୁଣ୍ଡା କୁଲି କୁତବ ଶାହ ପାଖକୁ l “ଘରପୋଡ଼ିରୁ କୁଟା ଖିଏ” ନ୍ୟାୟରେ ଭୋଇ ରାମଚନ୍ଦ୍ର ପ୍ରଥମ ପ୍ରତିଷ୍ଠା କରିଥିଲେ ଏକ କ୍ଷୁଦ୍ର ଅର୍ଦ୍ଧ ସ୍ୱାଧୀନ ରାଜ୍ୟ ଖୋର୍ଦ୍ଧା l ଆଗଙ୍ଗା ଗୋଦାବରୀ ବିସ୍ତୃତ ସାମ୍ରାଜ୍ୟ ସଂକୁଚିତ ହୋଇଗଲା କାଠଯୋଡ଼ିରୁ ଋଷିକୂଲ୍ୟା ଭିତରେ l
ରାମଚନ୍ଦ୍ର ଦେବ ହେଉଛନ୍ତି ପ୍ରଥମ ଖୋର୍ଦ୍ଧା ଗଜପତି l ବର୍ତମାନ ଖୋର୍ଦ୍ଧା ନିକଟରେ ବରୁଣେଇ ପର୍ବତ ନିକଟରେ “ଜଗନ୍ନାଥ କଟକ” ରାଜଧାନୀ କରିଥିଲେ l ଅନ୍ୟ ଏକ କୀର୍ତ୍ତି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପୁନଃପ୍ରତିଷ୍ଠା l ଐତିହାସିକ ଗଣ ଏହାଙ୍କ ରାଜତ୍ୱ 1568 ରୁ 1600 ଖ୍ରୀଷ୍ଟାବ୍ଦ ବୋଲି ଗଣନା କରିଛନ୍ତି l
ବିଶିଷ୍ଟ ଐତିହାସିକ ଶ୍ରୀ କେଦାରନାଥ ମହାପାତ୍ର “ଖୁରୁଧା ଇତିହାସ”ରେ ଧାଡ଼ିଏ ଲେଖିଛନ୍ତି “କେବଳ ମେଦିନୀପୁର ଜିଲ୍ଲା କେସିଆଡ଼ିସ୍ଥ ସର୍ବମଙ୍ଗଳା ମନ୍ଦିର ଲିପିରେ 1526 ଶକାବ୍ଦରେ 47 ଅଙ୍କ ଏ ପାଠ ଏ ସମସ୍ୟା ସମାଧାନରେ ପ୍ରଧାନ ପ୍ରତିବନ୍ଧକ ହେଉଅଛି l ଏଠାରେ ଲିପିକାରର ଅଜ୍ଞତା ବା ପାଠରେ ଭ୍ରମ ଥାଇ ପାରେ” l
ଏଇ ଧାଡ଼ିକ ଲେଖା ଆଗ୍ରହ ସୃଷ୍ଟି କରିଥିଲା ମନରେ ଖୋଜି ନେବାକୁ ଏକ ହଜିଲା ଐତିହ୍ୟ l ଶକାବ୍ଦ 1526 ବା 1604 ମସିହାରେ ମେଦିନୀପୁର ଅଞ୍ଚଳ ମୋଗଲ ଶାସନାଧିନ ତେଣୁ ଗଜପତି ରାମଚନ୍ଦ୍ର ନିଜେ ଲେଖେଇ ନ ଥିବେ, ଆଉ କିଏ ଲେଖେଇ ଥିବେ l ଅର୍ଥ ହେଉଛି ରାଜତ୍ୱ ନ ଥିଲେ ମଧ୍ୟ ଓଡ଼ିଆ ଭାଷୀ ଅଞ୍ଚଳରେ ଶ୍ରୀଜଗନ୍ନାଥ ସେବକ ଖୋର୍ଦ୍ଧା ଗଜପତିଙ୍କ ଆଦର ଓ ସମ୍ମାନ ଥିଲା l
ଜଳେଶ୍ୱରରୁ ପ୍ରାୟ ପଚାଶ କିଲୋମିଟର ଓ ଖଡ଼ଗପୁରରୁ ପ୍ରାୟ ବାଇଶି କିଲୋମିଟର ଦୂରରେ ଏକ କ୍ଷୁଦ୍ର ଗ୍ରାମ କେଶୀୟାଡି l ନିକଟରେ ଗଜପତି କପିଳେନ୍ଦ୍ର ସ୍ମୃତିଧନ୍ୟ ଐତିହାସିକ “କୁରୁମବେଡ଼ା” l ସର୍ବଦା ମଙ୍ଗଳପ୍ରଦ ବୋଲି ଜଗନ୍ମାତାଙ୍କ ଅନ୍ୟ ନାମ ମଙ୍ଗଳା l ଓଡ଼ିଶାରେ ଦେବୀଙ୍କ “ମଙ୍ଗଳା” ରୂପରେ ପୂଜା ବହୁ ପ୍ରାଚୀନ l ନୌବାଣିଜ୍ୟ ସମୟରେ ମଙ୍ଗଳା ପୂଜା ଅନିବାର୍ଯ୍ୟ ଥିଲା l ସମ୍ଭବତଃ ସାରଳା ଦାସ ନିଜ “ଚଣ୍ଡୀ ପୁରାଣ”ରେ ପ୍ରଥମ ଥର “ସର୍ବ ମଙ୍ଗଳା”ଙ୍କ ଉଲ୍ଲେଖ କରିଛନ୍ତି l
କେଶୀଆଡ଼ି ସ୍ଥିତ ସର୍ବମଙ୍ଗଳା ମନ୍ଦିର ଏକ କାରୁକାର୍ଯ୍ୟବିହୀନ ସ୍ୱଳ୍ପ ଉଚ୍ଚ ପ୍ରାୟ ତିରିଶ ଫୁଟ ଉଚ୍ଚ l ଗର୍ଭଗୃହ, ଜଗମୋହନ ଓ ପରବର୍ତ୍ତୀ ସମୟରେ ଯୁକ୍ତ ନାଟମଣ୍ଡପ l ପାର୍ଶ୍ୱଦେବାଦେବୀ ନାହାନ୍ତି l ପୂଜକଙ୍କ ମତରେ ମନ୍ଦିର ପ୍ରାୟ ହଜାର ବର୍ଷ ପୁରୁଣା l ତାହା ଯଦି ହୁଏ, ବର୍ତମାନ ମନ୍ଦିର ହୁଏତ ସୂର୍ଯ୍ୟବଂଶୀ ଶାସନ ସମୟରେ ପୁନଃ ନିର୍ମିତ l ଏକ ପ୍ରସ୍ତର ସିଂହାସନ ଉପରେ ପ୍ରାୟ ତିନିଫୁଟ ଉଚ୍ଚ ଦେବୀଙ୍କ ମୂର୍ତ୍ତି l ଚିତ୍ର ଉତ୍ତୋଳନ ନିଷିଦ୍ଧ l ଦେବୀଙ୍କ ବିଗ୍ରହ କୃତ୍ରିମ ରଙ୍ଗରେ ରଙ୍ଗୀନ l ମୂଳ ବିଗ୍ରହଙ୍କ ଦକ୍ଷିଣ ପାର୍ଶ୍ୱରେ ଅନ୍ୟ ଏକ ଚତୁର୍ଭୁଜା ଦେବୀ ମୂର୍ତ୍ତି ପୂଜା ପାଉଛନ୍ତି l ବାମପାର୍ଶ୍ୱରେ ଅଛନ୍ତି ଏକ ଫୁଟ ଉଚ୍ଚ ଏକ ଚତୁର୍ଭୁଜା ପ୍ରସ୍ତର ମୂର୍ତ୍ତି l ମୁଖଭଙ୍ଗୀ ଅତ୍ୟନ୍ତ କମନୀୟ ଏବଂ ଏକ କ୍ଷୁଦ୍ର ପ୍ରାଚୀନ ଗଣେଶ ବିଗ୍ରହ l ସମ୍ଭବତଃ ଏ ଦୁଇ ମୂର୍ତ୍ତି ଦିନେ ପାର୍ଶ୍ୱଦେବାଦେବୀ ଥିଲେ l
ଖୋଜି ଖୋଜି ନ ପାଇବାରୁ ପୁରୋହିତଙ୍କୁ ଓଡ଼ିଆ ଶିଳାଲିପି ବିଷୟରେ ପ୍ରଶ୍ନ କରିଥିଲି l ଆଗ୍ରହରେ ମୋତେ ନେଇ ଦେଖାଇ ଥିଲେ l ଶିଳାଲିପି ଜଗମୋହନ କାନ୍ଥରେ ଥିଲା l କିଛି ବର୍ଷତଳେ ନାଟମଣ୍ଡପ ତିଆରି ହେଲା ବେଳେ ଅର୍ଧେକ ଶିଳାଲିପି କାନ୍ଥ ପଛରେ l ତେବେ ଶିଳାଲିପି ଅକ୍ଷୁର୍ଣ୍ଣ ଅଛି l ଫାଙ୍କ ଦେଇ ଅନେକ ଦେଖାଯାଏ l ଅନୁମତି ନେଇ ମା’ଙ୍କ ରୋଷେଇଶାଳ ପାଖଦେଇ ଶିଳାଲିପି ପାଖରେ ଯାଇ ପଢ଼ିବାକୁ ଚେଷ୍ଟା କଲି l ଅଭ୍ୟସ୍ତ ପ୍ରତ୍ନତାତ୍ଵିକ ଏଇ ଏକ ଫୁଟରେ ତିନିଫୁଟିଆ ସାତଧାଡ଼ି ବିଶିଷ୍ଟ ଶିଳାଲିପି ପାଠୋଦ୍ଧlର କରିପାରିବେ l
“ଶ୍ରୀ ଶୁଭମସ୍ତୂ… 5 ସୋମବାର.. ଗୋକୁଳେସର ଗ୍ରାମ ଶ୍ରୀ ରଘୁନାଥ ଭୂୟାଁ ପୁତ୍ର.ମଙ୍ଗଳା ଠାକୁର .. ସମସ୍ତେ 44 ଅଙ୍କ 1524 . . “ଅର୍ଥାତ 1602 ମସିହାରେ କୌଣସି ରଘୁନାଥ ଭୂୟାଁଙ୍କ ପୁତ୍ର କି ପୌତ୍ର ମା ମଙ୍ଗଳାଙ୍କ ଉଦ୍ଦେଶ୍ୟରେ କିଛି କୀର୍ତ୍ତି କରିଥିଲେ l ଉଲ୍ଲେଖନୀୟ ଯେ ଲିପିରେ “ସର୍ବମଙ୍ଗଳା” ନୁହେଁ “ମଙ୍ଗଳା ଠାକୁର ” ଲେଖାଅଛି l
ସର୍ବମଙ୍ଗଳା ମନ୍ଦିର ପୂର୍ଵମୁଖୀ ଏବଂ ମନ୍ଦିର ଠାରୁ ପ୍ରାୟ ଷାଠିଏ ମିଟର ଦୂରରେ ପଶ୍ଚିମମୁଖୀ ବାବା “କାଶୀଶ୍ୱର”ଙ୍କ କ୍ଷୁଦ୍ର ନିରାଡ଼ମ୍ବର ମନ୍ଦିର l ବର୍ତମାନ ଘରଦ୍ଵାର ହୋଇ ବଙ୍କାଟଙ୍କା ରାସ୍ତା ନହେଲେ ପଚାଶ ଶହେ ବର୍ଷ ତଳେ ଜଗନ୍ମାତା ଓ ଜଗତପିତା ପରସ୍ପରକୁ ଅନାଇ ସଂସାରର ମଙ୍ଗଳକାମନା କରୁଥିବେ l କାଶୀଶ୍ୱର ମନ୍ଦିର ପାର୍ଶ୍ୱଦେବୀ ବିହୀନ ମାତ୍ର ଦୁଇଟି ମାଙ୍କଡ଼ା ପଥର ମୂର୍ତ୍ତି ତଳେ ରଖା ହୋଇଛି l