ଲେଖା: ଶିଶିର ସାହୁ ମନୋଜ
ଏକଦା ସମ୍ବଲପୁର ଗଡ଼ଜାତ ରାଜ୍ୟ “ହୀରାଖଣ୍ଡ ସାମ୍ରାଜ୍ୟ” ନାମରେ ପରିଚିତ ଥିଲା । ଏଠାରୁ ପ୍ରାପ୍ତ “ହୀରା”ରୁ “ହୀରାଖଣ୍ଡ ସାମ୍ରାଜ୍ୟ”ର ସୃଷ୍ଟି ବୋଲି ଅନେକ ମତ ଦିଅନ୍ତି । ଏକ କିମ୍ବଦନ୍ତୀ କଥାନୁସାରେ ଵିଶ୍ଵଵିଖ୍ଯାତ କୋହିନୂର ହୀରା ଏହିଠାରୁ ପ୍ରାପ୍ତ ହୋଇଥିଵାରୁ ଯେତେଵେଳେ ତାହା ରାଜା ରଣଜିତ ସିଂହଙ୍କ ପାଖରେ ଥିଲା ସେ ତାହା ତାଙ୍କ ମୃତ୍ୟୁ ଉତ୍ତାରୁ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିଵା ହେତୁ ସତ୍ତ୍ଵପତ୍ରଟିଏ କରିଥିଲେ ।
ପ୍ରାକ୍-ଐତିହାସିକ ଯୁଗରେ ସମ୍ବଲପୁର ହୀରା ଉତ୍ପାଦନଲାଗି ପ୍ରସିଦ୍ଧି ଲାଭ କରିଥିଲା ଏବଂ ଏହି ହୀରା ଭାରତର ସର୍ବୋତ୍କୃଷ୍ଟ ବୋଲି ଵିଵେଚିତ ହେଉଥିଲା । ଇଂରେଜ ଯୁଗରେ ସୁଦ୍ଧା ଏଠାରେ ହୀରା ଉଦ୍ଯୋଗ କହିଥିଵା ତଥା ବହୁ ବଙ୍ଗାଳୀ କାରିଗର ସେହି ଉଦ୍ଯୋଗରେ କାର୍ଯ୍ୟରତ ଥିଵାର ପ୍ରମାଣ ମିଳେ । ଅଵଶ୍ଯ ପରେ ଏହି ଉଦ୍ଯୋଗ ପଶ୍ଚିମ ଭାରତରେ ଅଧିକ ବଢ଼ିବାରୁ ଅନେକ ବଙ୍ଗାଳୀ ହୀରା କାରିଗର ସେ ଅଞ୍ଚଳକୁ ଚାଲିଯାଇଥିଲେ ଏଵଂ ସମ୍ବଲପୁର ଠାରେ ହୀରା ଉଦ୍ଯୋଗ ପ୍ରାୟତଃ ବନ୍ଦ ହୋଇଯାଇଥିଲା ।
ତେଵେ ପାଶ୍ଚାତ୍ୟ ଐତିହାସିକ ଟୋଲେମୀ କଥିତ ମାନ୍ଦଲାଇ ଅଞ୍ଚଳର ସମ୍ୱଳକ ସହରକୁ ସମ୍ବଲପୁର ସହର ବୋଲି ଚିହ୍ନିତ କରାଯାଇଥାଏ । ଏହି ମାନ୍ଦଲାଇ ଅଞ୍ଚଳକୁୁ ପ୍ଲିନି “ମାଲ୍ଲି” ବୋଲି କହିଛନ୍ତି ଏବଂ ଆଧୁନିକ ମୁଣ୍ଡା ଜାତି ଏହାର ପୂର୍ଵ ଅଧିବାସୀଙ୍କ ବଂଶଧର ବୋଲି କଥିତ ଅଛି ।
ପ୍ରାଚୀନ ଐତିହ୍ୟସଂପନ୍ନ ସମ୍ବଳକ ଅଞ୍ଚଳରେ ପୂର୍ଵେ ଵିଭିନ୍ନ ବଂଶର ରାଜାମାନେ ରାଜତ୍ୱ କରୁଥିଲେ । ଵିଶେଷତଃ ଶରଭପୁର, ଶ୍ରୀପୁର, ରତନପୁର, ଵିନିକା (ଵିନୀତପୁର), ସୋନପୁର (ସ୍ୱର୍ଣ୍ଣପୁରୀ ଵା ସୁବର୍ଣ୍ଣପୁର), ପାଟଣାଗଡ଼ (ପତ୍ତନଗଡ଼), ଟିଟିଲାଗଡ଼ (ତ୍ରିତଳଗଡ଼) ପ୍ରଭୃତି ତତ୍କାଳୀନ ପ୍ରାଚୀନ ରାଜାମାନଙ୍କର ରାଜଧାନୀ ଥିଲା ।
ସମ୍ଭଵତଃ ଖ୍ରୀ.ପୂ. ୫୪ରେ ସୂର୍ଯ୍ୟବଂଶୀୟ ରାଜା ମାଧବଚନ୍ଦ୍ର “ପତ୍ତନ” ରାଜ୍ୟ ପ୍ରତିଷ୍ଠା କରିଥିଲେ ଏଵଂ ସମୟକ୍ରମେ ତାହା ପାଟଣା ରାଜ୍ୟରେ ପରିଣତ ହୋଇଥିଵା ଅନୁମାନ କରାଯାଉଛି । ସେଇଭଳି ଏହି ନଗରର ଅଧିଷ୍ଠାତ୍ରୀ ଦେଵୀଙ୍କ ନାମ ମଧ୍ୟ “ପତ୍ତନେଶ୍ୱରୀ”ରୁ “ପାଟଣେଶ୍ୱରୀ” ନାମ ହୋଇଥାଇପାରେ ।
ପରବର୍ତ୍ତୀ ସମୟରେ ପାଟଣାର ସାମନ୍ତରାଜା କୃତ୍ତିଵାସ ଦେଓ ୧୧୩୨ ଖ୍ରୀ.ଅ.ରେ ଅପୁତ୍ରିକ ଭାବରେ ମୃତ୍ୟୁଵରଣ କଲେ ଏବଂ ତାଙ୍କ ପରେ ତାଙ୍କ ରାଣୀ ହେମନ୍ତ କୁମାରୀ ଆଠଜଣ ମନ୍ତ୍ରୀ (ଅଷ୍ଟମଲ୍ଲିକ)ଙ୍କ ସହାୟତାରେ ଶାସନ ଚଳାଇଲେ । ପରବର୍ତ୍ତୀ ସମୟରେ ଏହାର ସୁଯୋଗ ନେଇ “ମୁଣ୍ଡୋ” ମଲ୍ଲିକ ବା ମୁଖ୍ୟ ଥିବା ଚକ୍ରଧର ପାଣିଗ୍ରାହୀଙ୍କ ଆଶ୍ରିତ ତଥା ପାଳିତ ପୁତ୍ର ରମାଇ ଦେବ ଅଷ୍ଟମଲ୍ଲିକଙ୍କ ମଧ୍ୟରୁ ସାତ ଜଣଙ୍କୁ ହତ୍ୟାକରି ଓ ତାଙ୍କ ଆଶ୍ରିତ ପିତା ଚକ୍ରଧର ପାଣିଗ୍ରାହୀଙ୍କୁ କରାୟତ୍ତ କରି ପାଟଣାଗଡ଼ ରାଜସିଂହାସନରେ ଖ୍ରୀ. ୧୧୫୯ରେ ଉପଵିଷ୍ଟ ହେଲେ ତଥା ଚୌହାଣ ରାଜତ୍ୱ ପ୍ରତିଷ୍ଠା କଲେ ।
ରମାଇଦେଵଙ୍କ ପରେ ତାଙ୍କ ବଂଶଧରମାନେ ପାଟଣା ରାଜ୍ୟର ଶ୍ରୀବୃଦ୍ଧି ସାଧନ କରିଥିଲେ । ଏହି ବଂଶର ଦ୍ୱାଦଶ ରାଜା ହୀରା ବଜ୍ରଦେଵ ୧୫୧୯ରୁ ୧୫୪୯ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତାଙ୍କ ପରେ ତାଙ୍କର ଜ୍ୟେଷ୍ଠପୁତ୍ର ନରସିଂହଦେଵ ୧୫୪୯ରୁ ୧୫୫୭ ପର୍ଯ୍ୟନ୍ତ ରାଜା ହୋଇଥିଲେ । ରାଜା ନରସିିଂହଦେଵ ରାଜ୍ୟ ଶାସନ ତଥା ରାଜ୍ୟର ସୁରକ୍ଷା ନେଇ ତାଙ୍କ ସାନଭାଇ ବଳରାମ ଦେଵଙ୍କ ଉପରେ ନିର୍ଭର କରୁଥିଲେ । ବଳରାମ ଦେଵ ମଧ୍ୟ ସାହସୀ ଓ ବଡ଼ଭାଇଙ୍କ ପରି ଯୁଦ୍ଧବିଦ୍ୟାରେ ପାରଙ୍ଗମ ଥିଲେ ଓ ତାଙ୍କ ସହାୟତାରେ ସେ ପାଟଣା ରାଜ୍ୟର ସ୍ୱାଧୀନତା ଘୋଷଣା କରି ଵସ୍ତର ରାଜାଙ୍କ ସହ ଯୁଦ୍ଧ କଲେ ।
ତତ୍କାଳୀନ ପ୍ରଭାଵଶାଳୀ ଵିଜୟନଗରମ୍ ରାଜ୍ୟର ରାଜା ଵସ୍ତର ରାଜାଙ୍କୁ ସହାୟତା ଯୋଗାଇ ଥିଲେ ମଧ୍ୟ ଵସ୍ତର ରାଜା ଯୁଦ୍ଧରେ ପରାଜୟ ବରଣ କଲେ । ଏହି ଯୁୁଦ୍ଧରେ ଵିଜୟ ଲାଭ ପରେ ପାଟଣା ରାଜ୍ୟରେ ସାର୍ଵଭୌମତ୍ୱ ପ୍ରତିଷ୍ଠା ହେଲା ।
କଥିତ ଅଛି ଯେ, ପାଟଣା ରାଜ୍ୟ ମହାରାଣୀ ଗର୍ଭକଷ୍ଟ ଭୋଗୁଥିଵା ଜାଣି ବଳରାମ ଦେଵ ପୂର୍ଣ୍ଣଗର୍ଭା “ମାୟାଵତୀ ନଦୀ” ପାରହୋଇ ଆରପଟରେ ଥିଵା ବରପଦର ଗ୍ରାମରୁ ରାତ୍ରୀକାଳରେ ଧାତ୍ରୀଙ୍କୁ ଆଣି ମହାରାଣୀଙ୍କ ପ୍ରସଵ କାର୍ଯ୍ୟ ସଂପନ୍ନ କରାଇଥିଲେ । ଏଥିରେ ରାଜା ନରସିଂହ ଦେଵ ସନ୍ତୁଷ୍ଟ ହୋଇ ପାଟଣା ରାଜ୍ୟର ପୂର୍ଵ-ଉତ୍ତର ଅଂଶ ବଳରାମ ଦେଵଙ୍କୁ ପ୍ରଦାନ କରିଥିଲେ ।
ସେହି ଅଂଶର କେନ୍ଦ୍ରସ୍ଥଳରେ ସେ ବଳରାମଗଡ଼ ପ୍ରତିଷ୍ଠା କରି ନିଜର କ୍ଷମତା ବିସ୍ତାର କରିଥିଲେ । ଆଜି ଉକ୍ତ ନଗର ବଲାଙ୍ଗୀର ନାମରେ ଖ୍ଯାତ ହୋଇଅଛି ।
ବଳରାମ ଦେଵ ପ୍ରଥମେ ଖ୍ରୀଷ୍ଟାବ୍ଦ ୧୫୫୨ରେ ପାଟଣା ରାଜ୍ୟର ଏକ ସାମନ୍ତ ରାଜା ଭାଵରେ ସ୍ୱୀକୃତ ହୋଇଥିଲେ । ଏହା ପରେ ସେ ଶବର (ସହଁରା, ସଉରା) ସର୍ଦ୍ଦାର ଵର୍ଣ୍ଣ ଓ ଉଜାର ଭାଇଦ୍ୱୟଙ୍କୁ ତଡ଼ି ବରଗଡ଼ ଦଖଲ କରିଥିଲେ ।
ବରଗଡ଼ ଦଖଲ ପରେ କ୍ଷମତା ବିସ୍ତାର ନେଇ ଉଭୟ ଭାଇଙ୍କ ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା । ରାଜମାତା ଏଥିରେ ହସ୍ତକ୍ଷେପ କରି “ସୁରଙ୍ଗୀ ନଦୀ”କୁ ଉଭୟ ଭାଇଙ୍କ ରାଜ୍ୟସୀମା ଭାବରେ ନିର୍ଣ୍ଣୟ କରି ଶପଥ କରାଇଥିଲେ । ଏଣୁ ଏହି ଦିନ ଠାରୁ ସୁରଙ୍ଗୀ ନଦୀର ନାମ ପରିବର୍ତ୍ତିତ ହୋଇ “ଅଙ୍ଗନଦୀ” ହୋଇଛି । ଅଙ୍ଗ ଓ ମହାନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ଭାଗ ପାଇଲା ପରେ ବଳରାମ ଦେଵଙ୍କୁ ତାଙ୍କ ପୂର୍ବ ରାଜଧାନୀ ବଳରାମଗଡ଼ ଵା ଆଧୁନିକ ବଲାଙ୍ଗୀର ହରାଇଵାକୁ ପଡ଼ିଲା ଓ ସେ ଏକ ନୂତନ ରାଜଧାନୀ ନିର୍ମାଣପାଇଁ ଲାଗି ପଡ଼ିଲେ ।
ଦିନେ ରାଜା ବଳରାମ ଦେବ ମୃଗୟା କରିଵାକୁ ଯାଇ ମହାନଦୀର ଦକ୍ଷିଣ ତୀରରେ ଅଧୁନା ଚାଉଁରପୁର ନିକଟରେ ଶିବିର ପକାଇଥିଲେ । ସେଠାରେ ତାଙ୍କ ଶିବିରରେ ରୋଷେଇପାଇଁ ଚାଉଳ ସଂଗ୍ରହ କରାଯାଇଥିଵାରୁ ରାଜା ସେହି ସ୍ଥାନର ନାମ “ଚାଉଳପୁର” ଦେଇଥିଲେ । ପରେ ତାହା ଅପଭ୍ରଂଶ ହୋଇ “ଚାଉଁରପୁର” ହୋଇଛି । ଅପରପାର୍ଶ୍ୱ ତଥା ମହାନଦୀର ଉତ୍ତର ତୀର ସେତେବେଳେ ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଥିଲା । ସେଠାକୁ ମୃଗୟା କରିଵାକୁ ଯାଇଥିଵା ସମୟରେ ଗୋଟିଏ ଠେକୁଆକୁ ଦେଖି ତାଙ୍କ କୁକୁରକୁ ଠେକୁଆଟିକୁ ଧରିଵାପାଇଁ ଇଙ୍ଗିତ କଲେ । କୁକୁର କିଛି ବାଟ ଯିଵା ପରେ ଓଲଟା ଠେକୁଆଟା କୁକୁରକୁ ମାରିଵାକୁ ଗୋଡ଼ାଇଲା ଓ କୁକୁର ପଛକୁ ହଟି ଆସିଲା । ଏହିପରି କିଛି ଥର ଘଟିଵା ପରେ ସେ ଠେକୁଆ କାହିଁ ଅଦୃଶ୍ୟ ହୋଇଗଲା ।
ରାଜା ଏହା ଦେଖି ଏହି ସ୍ଥାନ ଏକ ବୀରଭୂମି ବୋଲି ଭାଵିଲେ । ରାତିରେ ତାଙ୍କୁ ସ୍ୱପ୍ନାଦିଷ୍ଟ ହେଲା ଓ ସେଠାରେ ସେ ଦେଵୀଙ୍କୁ ପ୍ରତିଷ୍ଠା କରି ଗଡ଼ ସ୍ଥାପନ କଲେ । ଦେବୀଙ୍କୁ ଶିମୂଳୀ ଗଛ ମୂଳରେ ସ୍ଥାପନା କରାଯାଇଥିବାରୁ ଦେବୀଙ୍କ ନାମ “ଶାଳ୍ମଳୟୀ ଦେବୀ ବା ସୋମଲାଇ ଦେବୀ” ତଥା ଗଡ଼ର ନାମ “ସୋମଲାଇ ଗଡ଼”ରୁ “ସୋମଲାଇପୁର” ଓ ପରେ “ସମ୍ବଲପୁର” ହୋଇଥିବା ଜଣାଯାଏ ।
ସମ୍ବଲପୁର ଠାରେ ରାଜଧାନୀ ସ୍ଥାପନ ପରେ ହିଁ ସମ୍ବଲପୁର ରାଜ୍ୟ ତଥା ହୀରାଖଣ୍ଡ ସାମ୍ରାଜ୍ୟର ଅଭିବୃଦ୍ଧି ଘଟି ଏହା ଏକ ସ୍ୱାଧୀନ ରାଜ୍ୟରେ ପରିଣତ ହେଲା । ରାଜା ନରସିଂହ ଦେଵଙ୍କ ମୃତ୍ୟୁ ପରେ ପାଟଣା ରାଜ୍ୟପୁଞ୍ଜ ଉପରେ ମଧ୍ୟ ସମ୍ବଲପୁର ରାଜ୍ୟର କର୍ତ୍ତୃତ୍ୱ ବୃଦ୍ଧି ପାଇଥିଲା । ଏଣୁ ଅତି ଅଳ୍ପ ଦିନ ମଧ୍ୟରେ ବଳରାମ ଦେଵ ପାଟଣା ଓ ସମ୍ବଲପୁର ରାଜ୍ୟପୁଞ୍ଜର ପନ୍ଦରଗୋଟି କରଦ ରାଜ୍ୟର ଅଧୀଶ୍ୱର ହୋଇ ପାରିଥିଲେ । ରାଜା ବଳରାମ ଦେଵଙ୍କ ଦ୍ୱାରା ସ୍ଥାପିତ ଗଡ଼ର ପରିସୀମା ପୂର୍ଵ ଦିଗରେ ମୁହାଣ ଦର୍ଜା (ସାମିୟା ମନ୍ଦିର), ପଶ୍ଚିମରେ ସମଲାଇ ଦର୍ଜା, ଉତ୍ତର ଦିଗରେ ଛତ୍ର ସାଗର ଓ ଦକ୍ଷିଣ ଦିଗରେ ମହାନଦୀ ପର୍ଯ୍ୟନ୍ତ ଵିସ୍ତୃତ ଥିଲା । ଦକ୍ଷିଣ ଦିଗରେ ପ୍ରଵାହିତ ମହାନଦୀ ପ୍ରାକୃତିକ ଖାଇ ଭାବରେ ରହିଥିବା ହେତୁ ଅନ୍ୟ ତିନି ଦିଗରେ ଖାଇ ଖନନ କରାଯାଇଥିଲା ଓ ପାଚେରି ନିର୍ମାଣ କରାଯାଇ ଗଡ଼କୁ ସୁରକ୍ଷିତ କରାଯାଇଥିଲା ।
ବଳରାମ ଦେବ ରାମଜୀଗୁଡ଼ି ଓ ପାଟଣେଶ୍ୱରୀ ମନ୍ଦିର ମଧ୍ୟରେ ରାଜପ୍ରାସାଦ ନିର୍ମାଣ କରିଥିଲେ । ଏହାର ଭଗ୍ନାଵଶେଷ ବର୍ତ୍ତମାନ ସୁଦ୍ଧା ପରିତ୍ୟକ୍ତ ଅଵସ୍ଥାରେ ରହିଛି । ସମ୍ବଲପୁର ଐତିହାସିକ ରାଜବାଟୀର ରାଣୀମହଲର କିଛି ଅଂଶ ଏବେ ମଧ୍ୟ ଗୁଳ୍ମ ଵୃକ୍ଷାଦିମଣ୍ଡିତ ହୋଇ ଵିପର୍ଯ୍ୟସ୍ତ ଅଵସ୍ଥାରେ ପାଟଣେଶ୍
ସମ୍ବଲପୁର ଚୌହାଣ ବଂଶର ଚତୁର୍ଥ ରାଜା ମଧୁକର ସାଏଙ୍କ ପାଞ୍ଚ ପୁତ୍ର ଥିଲେ । ସେମାନଙ୍କ ମଧ୍ୟରେ ଜ୍ୟେଷ୍ଠପୁତ୍ର ବଳୀୟାର ସିଂହ ରାଜା ଭାଵରେ ବିଶେଷ ପରାକ୍ରମଶାଳୀ ଥିଲେ । ସେ ରାଜ୍ୟ ବିସ୍ତାର କରି ଅଠରଗଡ଼ ମଉଡ଼ମଣି ଭାବରେ ଖ୍ୟାତ ଥିଲେ । ଦ୍ୱିତୀୟ ପୁତ୍ର ଅନିରୁଦ୍ଧ ସାଏ ଖିଣ୍ଡା ଓ ରାଜପୁର ଜମିଦାରୀ ଓ ତୃତୀୟ ପୁତ୍ର ମଦନଗୋପାଳ ସୋନପୁର ରାଜ୍ୟ ପାଇଥିଲେ । ଚତୁର୍ଥ ପୁତ୍ର ବଂଶୀଗୋପାଳ ସନ୍ନ୍ୟାସୀ ହୋଇ ଗୋପାଳଜୀ ମଠ ସ୍ଥାପନ କରିଥିଲେ । ଅନିରୁଦ୍ଧ ସାଏଙ୍କ ପୁତ୍ର ମାଧୋ ସିଂହ ଖିଣ୍ଡା ଓ ଅନ୍ୟ ପୁତ୍ର ଜଗନ୍ନାଥ ସିଂହଙ୍କ ବଂଶଧର ରାଜ ସିଂହ ରାଜପୁର ଭରଣ ପୋଷଣପାଇଁ ପାଇଥିଲେ ।
କଳିଙ୍ଗ ଦେଶ ମୋଗଲ, ବଙ୍ଗାଳୀ ତୁର୍କ ଓ ମରହଟ୍ଟାଙ୍କ ଦ୍ଵାରା ପ୍ରାୟ ଦୁଇଶତାଧିକ ଵର୍ଷ ପରାଧୀନ ହେଵାପରେ ଏ ଦେଶକୁ ଆଉ ଏକ ଧନଲୋଭୀ ଵୈଦେଶିକ ଇଂରେଜ ଜାତିର ଆଗମନ ହେଲା । ସେମାନେ ମରାଠୀ ଶାସକଙ୍କୁ ସହଜରେ କଟକାଞ୍ଚଳରୁ ତଡି଼ ଦେଇଥିଲେ ।
ତେଵେ ଖ୍ରୀ: ୧୮୧୭ରେ ତୃତୀୟ ମରହଟ୍ଟା ସମର ଓ ନାଗପୁର ସନ୍ଧି ପରେ ଇଂରେଜମାନେ ବୃଦ୍ଧରାଜା ଜୟନ୍ତ ସିଂହଙ୍କୁ ଅପ୍ରାପ୍ତ- ଵୟସ୍କ ପୁତ୍ର ମହାରାଜା ସାଏଙ୍କ ସହିତ ମୁକ୍ତ କରି ସମ୍ବଲପୁର ରାଜ ସିଂହାସନରେ ବସାଇଲେ । ଖ୍ରୀ: ୧୮୧୮ରେ ଜୟନ୍ତ ସିଂହଙ୍କ ମୃତ୍ୟୁ ହେଲା ଓ ମହାରାଜ ସାଏଙ୍କ ଶାସନକାର୍ଯ୍ୟ ସମ୍ଭାଳିଵାର ଵୟସ ହୋଇନଥିଵାରୁ ଇଂରେଜମାନେ ଖ୍ରୀ: ୧୮୨୦ ପର୍ଯ୍ୟନ୍ତ ରାଜ୍ୟଶାସନ କରି ୧୮୨୦ ଖ୍ରୀ:ରେ ମହାରାଜ ସାଏଙ୍କୁ ଗାଦିରେ ବସାଇଥିଲେ ହେଁ ପ୍ରକୃତରେ ଇଂରେଜମାନେ ହିଁ ଶାସନ କରୁଥିଲେ ।
ସେମାନେ ରାଜାଙ୍କୁ ଵିଶେଷ କିଛି କ୍ଷମତା ଦେଇ ନଥିଲେ । ଖ୍ରୀ: ୧୮୨୭ରେ ରାଜା ମହାରାଜ ସାଏଙ୍କ ନିଃସନ୍ତାନ ଭାଵରେ ମୃତ୍ୟୁପରେ ସମ୍ବଲପୁର ରାଜ୍ୟରେ ଚୌହାଣ ରାଜତ୍ୱର ଯବନିକା ପଡ଼ି ଯାଇଥିଲା ।
ରାଜାଙ୍କ ମୃତ୍ୟୁ ଖବର ଲୁକ୍କାୟିତ ରଖି ଖ୍ରୀ: ୧୮୩୩ ପର୍ଯ୍ୟନ୍ତ ଇଂରେଜମାନେ ଵିଧବା ରାଣୀ ମୋହନ କୁମାରୀଙ୍କୁ ସିଂହାସନରେ ବସାଇ ରାଜ୍ୟ ଶାସନ କଲେ । ରାଜାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଵାରୁ ରାଜଗାଦିପାଇଁ ଦାଵିଦାରମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହେଵାକୁ ଲାଗିଲା ଓ ରାଜ୍ୟରେ ଅଶାନ୍ତି ସୃଷ୍ଟି ହେଲା । ଏଣୁ ଇଂରେଜମାନେ ମୋହନ କୁମାରୀଙ୍କୁ ଗାଦିରୁ ହଟାଇ ରାଣୀଙ୍କ ଇଚ୍ଛା ନାମରେ ୧୮୩୩ ଅକ୍ଟୋବର ୧୧ ତାରିଖରେ ଜଣେ ଅନାଗତ ବୃଦ୍ଧ ନାରାୟଣ ସିଂହଙ୍କୁ ରାଜପଦରେ ମଣ୍ଡିତ କରାଇଲେ । ବୃଦ୍ଧ ନାରାୟଣ ସିଂହ ଅନାଗତ, ଅପାରଗ ଓ ଶୁଦ୍ଧ ଚୌହାଣ ବଂଶୀୟ ନଥିବା କାରଣରୁ ଜନସାଧାରଣଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ନ ଥିଲେ । ଏହି ରାଜା ନାରାୟଣ ସିଂହଙ୍କର ୧୮୪୯ ସେପ୍ଟେମ୍ୱର ୧୦ ତାରିଖରେ ଦେହାନ୍ତ ହେଵାପରେ ସମ୍
(ଦାଶରଥି ସାହୁଙ୍କ “ଆମ ସୁରେନ୍ଦ୍ର ସାଏ” ପୁସ୍ତକର “ସମ୍ବଲପୁର ରାଜ୍ୟ ପ୍ରତିଷ୍ଠା ଓ ଚୌହାଣ ରାଜତ୍ଵ” ପ୍ରବନ୍ଧର ସାମାନ୍ୟ ପରିଵର୍ତ୍ତନ ସହ ପୁନଃ ପ୍ରସ୍ତୁତିକରଣ ।)
© ଶିଶିର ସାହୁ ମନୋଜ
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…