ସମ୍ବଲପୁର

ଲେଖା: ଶିଶିର ସାହୁ ମନୋଜ

ଏକଦା ସମ୍ବଲପୁର ଗଡ଼ଜାତ ରାଜ୍ୟ “ହୀରାଖଣ୍ଡ ସାମ୍ରାଜ୍ୟ” ନାମରେ ପରିଚିତ ଥିଲା । ଏଠାରୁ ପ୍ରାପ୍ତ “ହୀରା”ରୁ “ହୀରାଖଣ୍ଡ ସାମ୍ରାଜ୍ୟ”ର ସୃଷ୍ଟି ବୋଲି ଅନେକ ମତ ଦିଅନ୍ତି । ଏକ କିମ୍ବଦନ୍ତୀ କଥାନୁସାରେ ଵିଶ୍ଵଵିଖ୍ଯାତ କୋହିନୂର ହୀରା ଏହିଠାରୁ ପ୍ରାପ୍ତ ହୋଇଥିଵାରୁ ଯେତେଵେଳେ ତାହା ରାଜା ରଣଜିତ ସିଂହଙ୍କ ପାଖରେ ଥିଲା ସେ ତାହା ତାଙ୍କ ମୃତ୍ୟୁ ଉତ୍ତାରୁ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିଵା ହେତୁ ସତ୍ତ୍ଵପତ୍ରଟିଏ କରିଥିଲେ ।

ପ୍ରାକ୍-ଐତିହାସିକ ଯୁଗରେ ସମ୍ବଲପୁର ହୀରା ଉତ୍ପାଦନଲାଗି ପ୍ରସିଦ୍ଧି ଲାଭ କରିଥିଲା ଏବଂ ଏହି ହୀରା ଭାରତର ସର୍ବୋତ୍କୃଷ୍ଟ  ବୋଲି ଵିଵେଚିତ ହେଉଥିଲା । ଇଂରେଜ ଯୁଗରେ ସୁଦ୍ଧା ଏଠାରେ ହୀରା ଉଦ୍ଯୋଗ କହିଥିଵା ତଥା ବହୁ ବଙ୍ଗାଳୀ କାରିଗର ସେହି ଉଦ୍ଯୋଗରେ କାର୍ଯ୍ୟରତ ଥିଵାର ପ୍ରମାଣ ମିଳେ । ଅଵଶ୍ଯ ପରେ ଏହି ଉଦ୍ଯୋଗ ପଶ୍ଚିମ ଭାରତରେ ଅଧିକ ବଢ଼ିବାରୁ ଅନେକ ବଙ୍ଗାଳୀ ହୀରା କାରିଗର ସେ ଅଞ୍ଚଳକୁ ଚାଲିଯାଇଥିଲେ ଏଵଂ ସମ୍ବଲପୁର ଠାରେ ହୀରା ଉଦ୍ଯୋଗ ପ୍ରାୟତଃ ବନ୍ଦ ହୋଇଯାଇଥିଲା ।

ତେଵେ ପାଶ୍ଚାତ୍ୟ ଐତିହାସିକ ଟୋଲେମୀ କଥିତ ମାନ୍ଦଲାଇ ଅଞ୍ଚଳର ସମ୍ୱଳକ ସହରକୁ ସମ୍ବଲପୁର ସହର ବୋଲି ଚିହ୍ନିତ କରାଯାଇଥାଏ । ଏହି ମାନ୍ଦଲାଇ ଅଞ୍ଚଳକୁୁ ପ୍ଲିନି “ମାଲ୍ଲି” ବୋଲି  କହିଛନ୍ତି ଏବଂ ଆଧୁନିକ ମୁଣ୍ଡା ଜାତି ଏହାର  ପୂର୍ଵ ଅଧିବାସୀଙ୍କ ବଂଶଧର ବୋଲି କଥିତ ଅଛି ।


ଜେନେରାଲ କନିଂହାମ୍‍ଙ୍କ ଅନୁସାରେ ପ୍ଲିନିଙ୍କ ସୁରାଇ ଶବ୍ଦକୁ ଜନଜାତୀୟ “ଶବର” ଜାତିର ନାମ ସହିତ ଚିହ୍ନିତ କରା ଯାଇପାରେ । ଗିବନ ଓ ଟୋଭେନିୟର ମଧ୍ୟ ସମ୍ବଲପୁର ରାଜ୍ୟର ହୀରା ଖଣି କଥା କହିଛନ୍ତି । ଏ ସବୁ ତଥ୍ୟ ସମ୍ବଲପୁର ସହରର ପ୍ରାଚୀନତା ତଥା ଅସ୍ତିତ୍ୱ ସମ୍ୱନ୍ଧରେ ସୂଚନା ଦିଏ ।ରାଜା ଇନ୍ଦ୍ରଭୂତି ଓ ତାଙ୍କ ଭଗିନୀ ଲକ୍ଷ୍ମୀକରା ସହ ବଜ୍ରଯାନ ବୌଦ୍ଧଧର୍ମ ଓ ସହଜଯାନ ବୌଦ୍ଧଧର୍ମ ତଥା ଇନ୍ଦ୍ରଭୂତିଙ୍କ ପାଳିତ ପୁତ୍ର ମହାପଦ୍ମସମ୍ଭଵ ତିବ୍ବତରେ ଲାମାପନ୍ଥର ପ୍ରତିଷ୍ଠା ନେଇ ସମ୍ୱଳକ ତଥା ସମ୍ୱଲପୁର ସହରର ପ୍ରାଚୀନତାର ସୂଚନା ମିଳେ । ଏହି ରାଜା ଇନ୍ଦ୍ରଭୂତି ସମ୍ବଳକ ଦେଶରେ ଉଡ୍ଡିୟାନ୍ ରାଜ୍ୟ ପ୍ରତିଷ୍ଠା କରିଥିଲେ ଯାହା ଆଧୁନିକ ଓଡ଼ିଶା ନାମ ପାଇଁ ପ୍ରେରଣା ଯୋଗାଇ ଥିଵା କେତେକ ଐତିହାସିକ ମତ ଦିଅନ୍ତି ।

ପ୍ରାଚୀନ ଐତିହ୍ୟସଂପନ୍ନ ସମ୍ବଳକ ଅଞ୍ଚଳରେ ପୂର୍ଵେ ଵିଭିନ୍ନ ବଂଶର ରାଜାମାନେ ରାଜତ୍ୱ କରୁଥିଲେ । ଵିଶେଷତଃ ଶରଭପୁର, ଶ୍ରୀପୁର, ରତନପୁର, ଵିନିକା (ଵିନୀତପୁର), ସୋନପୁର  (ସ୍ୱର୍ଣ୍ଣପୁରୀ ଵା ସୁବର୍ଣ୍ଣପୁର), ପାଟଣାଗଡ଼ (ପତ୍ତନଗଡ଼), ଟିଟିଲାଗଡ଼ (ତ୍ରିତଳଗଡ଼) ପ୍ରଭୃତି ତତ୍‍କାଳୀନ ପ୍ରାଚୀନ ରାଜାମାନଙ୍କର ରାଜଧାନୀ ଥିଲା ।

ସମ୍ଭଵତଃ ଖ୍ରୀ.ପୂ. ୫୪ରେ ସୂର୍ଯ୍ୟବଂଶୀୟ ରାଜା ମାଧବଚନ୍ଦ୍ର “ପତ୍ତନ” ରାଜ୍ୟ ପ୍ରତିଷ୍ଠା କରିଥିଲେ ଏଵଂ ସମୟକ୍ରମେ ତାହା ପାଟଣା ରାଜ୍ୟରେ ପରିଣତ ହୋଇଥିଵା ଅନୁମାନ କରାଯାଉଛି । ସେଇଭଳି ଏହି ନଗରର ଅଧିଷ୍ଠାତ୍ରୀ ଦେଵୀଙ୍କ ନାମ ମଧ୍ୟ “ପତ୍ତନେଶ୍ୱରୀ”ରୁ “ପାଟଣେଶ୍ୱରୀ” ନାମ ହୋଇଥାଇପାରେ  ।

ପରବର୍ତ୍ତୀ ସମୟରେ ପାଟଣାର ସାମନ୍ତରାଜା କୃତ୍ତିଵାସ ଦେଓ ୧୧୩୨ ଖ୍ରୀ.ଅ.ରେ ଅପୁତ୍ରିକ ଭାବରେ ମୃତ୍ୟୁଵରଣ କଲେ ଏବଂ ତାଙ୍କ ପରେ ତାଙ୍କ ରାଣୀ ହେମନ୍ତ କୁମାରୀ ଆଠଜଣ ମନ୍ତ୍ରୀ (ଅଷ୍ଟମଲ୍ଲିକ)ଙ୍କ ସହାୟତାରେ ଶାସନ ଚଳାଇଲେ । ପରବର୍ତ୍ତୀ ସମୟରେ ଏହାର ସୁଯୋଗ ନେଇ “ମୁଣ୍ଡୋ” ମଲ୍ଲିକ ବା ମୁଖ୍ୟ ଥିବା ଚକ୍ରଧର ପାଣିଗ୍ରାହୀଙ୍କ ଆଶ୍ରିତ ତଥା ପାଳିତ ପୁତ୍ର ରମାଇ ଦେବ ଅଷ୍ଟମଲ୍ଲିକଙ୍କ ମଧ୍ୟରୁ ସାତ ଜଣଙ୍କୁ ହତ୍ୟାକରି ଓ ତାଙ୍କ ଆଶ୍ରିତ ପିତା ଚକ୍ରଧର ପାଣିଗ୍ରାହୀଙ୍କୁ କରାୟତ୍ତ କରି ପାଟଣାଗଡ଼ ରାଜସିଂହାସନରେ ଖ୍ରୀ. ୧୧୫୯ରେ ଉପଵିଷ୍ଟ ହେଲେ ତଥା ଚୌହାଣ ରାଜତ୍ୱ ପ୍ରତିଷ୍ଠା କଲେ ।


କିମ୍ବଦନ୍ତୀ କୁହେ, ସେ ଥିଲେ ଦିଲ୍ଲୀ ସମ୍ରାଟ ପୃଥ୍ୱୀରାଜଙ୍କ ବଂଶଧର ତଥା ତତ୍କାଳୀନ ସମୃଦ୍ଧଶାଳୀ “ଗଡ଼ସମ୍ୱର” ରାଜ୍ୟର  ରାଜା ଵିଶାଳ ଦେବଙ୍କ କନିଷ୍ଠା ରାଣୀ ଆଶାବତୀଙ୍କ ଗର୍ଭରୁ  ଜନ୍ମିତ ଏକମାତ୍ର ପୁତ୍ର । କଥିତ ଅଛି ଯେ, ଏକଦା ସମୃଦ୍ଧିଶାଳୀ ଥିଵା “ଗଡ଼ସମ୍ୱର” ରାଜ୍ୟରେ ଚୌହାଣବଂଶୀୟ ରାଜା ବିଶାଳ ଦେଵ ରାଜତ୍ୱ କରୁଥିଲେ ।ଆଫଗାନମାନଙ୍କ ସହ ପରାସ୍ତ ହୋଇ ରାଜା ନିହତ ହେଵା ପରେ ତାଙ୍କର ପାଞ୍ଚରାଣୀ ସ୍ୱାମୀଙ୍କ ଚିତାରେ ଝାସ ଦେଲେ, କିନ୍ତୁ କନିଷ୍ଠା ରାଣୀ ଆଶାଦେଵୀ ଅନ୍ତଃସତ୍ତ୍ୱା ଥିଵାରୁ ସ୍ୱାମୀଙ୍କ ସହଗାମିନୀ ନ ହୋଇ ଦୁଇଜଣ ବିଶ୍ୱସ୍ତ ଭୃତ୍ୟ ସହ ହସ୍ତୀରେ ବସି ପଳାୟନ କରିଥିଲେ । କିନ୍ତୁ ସେହି ଭୃତ୍ୟଦ୍ୱୟ ଘନଜଙ୍ଗଲ ମଧ୍ୟରେ ରାଣୀଙ୍କୁ ଏକାକିନୀ ଛାଡ଼ି ପଳାୟନ କରିଵାରୁ ରାଣୀଙ୍କୁ ଜଣେ ସ୍ଥାନୀୟ ଅଧିଵାସୀ ରାମୋଡ଼ ବରିହା ଓ ତାଙ୍କ ସ୍ତ୍ରୀ ସହାୟତା କରିଥିଲେ । ସେଠାରେ ତାଙ୍କର ଏକମାତ୍ର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ସେ ହେଉଛନ୍ତି ପାଟଣା ରାଜ୍ୟରେ ଚୌହାଣ ରାଜତ୍ୱର ପ୍ରତିଷ୍ଠାତା ରମାଇ ଦେବ । ଚୌହାଣ ରାଜତ୍ୱରେ ପାଟଣା ରାଜ୍ୟର  ପ୍ରତିପତ୍ତି ପ୍ରତିଷ୍ଠିତ ହୋଇଥିଲା । ରାଜ୍ୟର ପରିସୀମା ପୂର୍ବରେ  ବୌଦରାଜ୍ୟ, ପଶ୍ଚିମରେ ବିନ୍ଦ୍ରା-ନୂଆଁଗଡ଼, ଦକ୍ଷିଣରେ ତେଲନଦୀ ଓ ଉତ୍ତରରେ ମହାନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ପ୍ରୋକ୍ତ କିମ୍ବଦନ୍ତୀ କଥାରେ, କେତେ ସତ୍ଯତା ରହିଛି ତାହା ଐତିହାସିକ ମହଲରେ ଏଵେ ବି ଚର୍ଚ୍ଚାର ଵିଷୟ ଅଟଇ ।

ରମାଇଦେଵଙ୍କ ପରେ ତାଙ୍କ ବଂଶଧରମାନେ ପାଟଣା ରାଜ୍ୟର  ଶ୍ରୀବୃଦ୍ଧି ସାଧନ କରିଥିଲେ । ଏହି ବଂଶର ଦ୍ୱାଦଶ ରାଜା ହୀରା ବଜ୍ରଦେଵ ୧୫୧୯ରୁ ୧୫୪୯ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତାଙ୍କ ପରେ ତାଙ୍କର ଜ୍ୟେଷ୍ଠପୁତ୍ର ନରସିଂହଦେଵ ୧୫୪୯ରୁ ୧୫୫୭ ପର୍ଯ୍ୟନ୍ତ ରାଜା ହୋଇଥିଲେ । ରାଜା ନରସିିଂହଦେଵ ରାଜ୍ୟ ଶାସନ ତଥା ରାଜ୍ୟର ସୁରକ୍ଷା ନେଇ ତାଙ୍କ ସାନଭାଇ ବଳରାମ ଦେଵଙ୍କ ଉପରେ ନିର୍ଭର କରୁଥିଲେ । ବଳରାମ ଦେଵ ମଧ୍ୟ ସାହସୀ ଓ ବଡ଼ଭାଇଙ୍କ ପରି ଯୁଦ୍ଧବିଦ୍ୟାରେ ପାରଙ୍ଗମ ଥିଲେ ଓ ତାଙ୍କ ସହାୟତାରେ ସେ ପାଟଣା ରାଜ୍ୟର ସ୍ୱାଧୀନତା ଘୋଷଣା କରି ଵସ୍ତର ରାଜାଙ୍କ ସହ ଯୁଦ୍ଧ କଲେ ।

ତତ୍କାଳୀନ ପ୍ରଭାଵଶାଳୀ ଵିଜୟନଗରମ୍‍ ରାଜ୍ୟର ରାଜା ଵସ୍ତର ରାଜାଙ୍କୁ ସହାୟତା ଯୋଗାଇ ଥିଲେ ମଧ୍ୟ ଵସ୍ତର ରାଜା ଯୁଦ୍ଧରେ  ପରାଜୟ ବରଣ କଲେ । ଏହି ଯୁୁଦ୍ଧରେ ଵିଜୟ ଲାଭ ପରେ  ପାଟଣା ରାଜ୍ୟରେ ସାର୍ଵଭୌମତ୍ୱ ପ୍ରତିଷ୍ଠା ହେଲା ।

କଥିତ ଅଛି ଯେ, ପାଟଣା ରାଜ୍ୟ ମହାରାଣୀ ଗର୍ଭକଷ୍ଟ  ଭୋଗୁଥିଵା ଜାଣି ବଳରାମ ଦେଵ ପୂର୍ଣ୍ଣଗର୍ଭା “ମାୟାଵତୀ ନଦୀ” ପାରହୋଇ ଆରପଟରେ ଥିଵା ବରପଦର ଗ୍ରାମରୁ ରାତ୍ରୀକାଳରେ ଧାତ୍ରୀଙ୍କୁ ଆଣି ମହାରାଣୀଙ୍କ ପ୍ରସଵ କାର୍ଯ୍ୟ ସଂପନ୍ନ କରାଇଥିଲେ । ଏଥିରେ ରାଜା ନରସିଂହ ଦେଵ ସନ୍ତୁଷ୍ଟ ହୋଇ ପାଟଣା ରାଜ୍ୟର ପୂର୍ଵ-ଉତ୍ତର ଅଂଶ ବଳରାମ ଦେଵଙ୍କୁ ପ୍ରଦାନ କରିଥିଲେ ।

ସେହି ଅଂଶର କେନ୍ଦ୍ରସ୍ଥଳରେ ସେ ବଳରାମଗଡ଼ ପ୍ରତିଷ୍ଠା କରି  ନିଜର କ୍ଷମତା ବିସ୍ତାର କରିଥିଲେ । ଆଜି ଉକ୍ତ ନଗର ବଲାଙ୍ଗୀର ନାମରେ ଖ୍ଯାତ ହୋଇଅଛି ।

ବଳରାମ ଦେଵ ପ୍ରଥମେ ଖ୍ରୀଷ୍ଟାବ୍ଦ ୧୫୫୨ରେ ପାଟଣା ରାଜ୍ୟର ଏକ ସାମନ୍ତ ରାଜା ଭାଵରେ ସ୍ୱୀକୃତ ହୋଇଥିଲେ । ଏହା ପରେ  ସେ ଶବର (ସହଁରା, ସଉରା) ସର୍ଦ୍ଦାର ଵର୍ଣ୍ଣ ଓ ଉଜାର ଭାଇଦ୍ୱୟଙ୍କୁ ତଡ଼ି ବରଗଡ଼ ଦଖଲ କରିଥିଲେ ।

ବରଗଡ଼ ଦଖଲ ପରେ କ୍ଷମତା ବିସ୍ତାର ନେଇ ଉଭୟ ଭାଇଙ୍କ ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା । ରାଜମାତା ଏଥିରେ  ହସ୍ତକ୍ଷେପ କରି “ସୁରଙ୍ଗୀ ନଦୀ”କୁ ଉଭୟ ଭାଇଙ୍କ ରାଜ୍ୟସୀମା ଭାବରେ ନିର୍ଣ୍ଣୟ କରି ଶପଥ କରାଇଥିଲେ । ଏଣୁ ଏହି ଦିନ ଠାରୁ ସୁରଙ୍ଗୀ ନଦୀର ନାମ ପରିବର୍ତ୍ତିତ ହୋଇ “ଅଙ୍ଗନଦୀ”  ହୋଇଛି । ଅଙ୍ଗ ଓ ମହାନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ଭାଗ ପାଇଲା ପରେ ବଳରାମ ଦେଵଙ୍କୁ ତାଙ୍କ ପୂର୍ବ ରାଜଧାନୀ ବଳରାମଗଡ଼ ଵା ଆଧୁନିକ ବଲାଙ୍ଗୀର ହରାଇଵାକୁ ପଡ଼ିଲା ଓ ସେ ଏକ ନୂତନ ରାଜଧାନୀ ନିର୍ମାଣପାଇଁ ଲାଗି ପଡ଼ିଲେ ।


ରାଜା ବଳରାମ ଦେଵ ୧୫୫୨-୫୩ରେ ଭାଇଭାଗ ସୂତ୍ରରେ ବରଗଡ଼ ଅଞ୍ଚଳ ପାଇଵା ପରେ ବରଗଡ଼ରେ ନିଜର ଅସ୍ଥାୟୀ ରାଜଧାନୀ ପ୍ରତିଷ୍ଠା କରି ଶାସନ କାର୍ଯ୍ୟ ଆରମ୍ଭ କଲେ । ବରଗଡ଼ର ଉତ୍ତର-ପଶ୍ଚିମ ଦିଗରେ ଅର୍ଦ୍ଧବୃତ୍ତାକାର ଭାବରେ ବାରପାହାଡ଼ ପର୍ବତମାଳା ଘେରି ରହିଥିବା ଏକ ସୁରକ୍ଷିତ ସ୍ଥାନ ନିରୂପଣ କରି ତାଙ୍କର ରାଜଧାନୀ ନୂତନଗଡ଼ ପ୍ରତିଷ୍ଠା କଲେ । ତାହା ଆଜି ନୂଆଁଗଡ଼ ନାଁରେ ପରିଚିତ ହେଉଅଛି । ଗିରିସୁଲ ଓ ଜିରାନଦୀ ଅଵଵାହିକାରେ ଅଧୁନା ବରଗଡ଼ ଜିଲ୍ଲାର ଭଟଲି  ଥାନାରେ ଏହି ନୂଆଁଗଡ଼ ଅବସ୍ଥିତ । ଏଠାରେ ଏହି ପ୍ରାଚୀନ ଗଡ଼ର ଭଗ୍ନାବଶେଷ ରହିଛି । ସମ୍ଭଵତଃ ୧୫୫୩-୫୪ରେ ନୂଆଁଗଡ଼ ଠାରେ ରାଜଧାନୀ ପ୍ରତିଷ୍ଠା ହୋଇଥିଵା ଜଣାଯାଏ ।ସମ୍ବଲପୁର ନଗରର ପ୍ରାଚୀନତା ନେଇ ଵିଭିନ୍ନ ଐତିହାସିକ ସୂଚନା ଥିଲେ ହେଁ, ସମ୍ୱଲପୁର ରାଜ୍ୟ ପ୍ରତିଷ୍ଠାତା ତଥା ଏହାର ପ୍ରଥମ ରାଜା ବଳରାମ ଦେବ ଏଠାରେ ରାଜଧାନୀ ଓ ସମଲେଶ୍ୱରୀ ଦେଵୀଙ୍କ ସ୍ଥାପନା ପରେ ହିଁ ସମ୍ବଲପୁରରାଜ୍ୟର ଗୁରୁତ୍ୱ ପ୍ରତିପାଦିତ ହୋଇଥିଲା । ଏଠାରେ ରାଜଧାନୀ ପ୍ରତିଷ୍ଠା ନେଇ ଏକ ସୁନ୍ଦର  କିମ୍ୱଦନ୍ତୀ ମଧ୍ୟ ରହିଛି ।

ଦିନେ ରାଜା ବଳରାମ ଦେବ ମୃଗୟା କରିଵାକୁ ଯାଇ ମହାନଦୀର ଦକ୍ଷିଣ ତୀରରେ ଅଧୁନା ଚାଉଁରପୁର ନିକଟରେ ଶିବିର ପକାଇଥିଲେ । ସେଠାରେ ତାଙ୍କ ଶିବିରରେ ରୋଷେଇପାଇଁ ଚାଉଳ ସଂଗ୍ରହ କରାଯାଇଥିଵାରୁ ରାଜା ସେହି ସ୍ଥାନର ନାମ “ଚାଉଳପୁର” ଦେଇଥିଲେ । ପରେ ତାହା ଅପଭ୍ରଂଶ ହୋଇ “ଚାଉଁରପୁର” ହୋଇଛି । ଅପରପାର୍ଶ୍ୱ ତଥା ମହାନଦୀର ଉତ୍ତର  ତୀର ସେତେବେଳେ ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଥିଲା । ସେଠାକୁ ମୃଗୟା କରିଵାକୁ ଯାଇଥିଵା ସମୟରେ ଗୋଟିଏ ଠେକୁଆକୁ ଦେଖି ତାଙ୍କ କୁକୁରକୁ ଠେକୁଆଟିକୁ ଧରିଵାପାଇଁ ଇଙ୍ଗିତ କଲେ । କୁକୁର କିଛି ବାଟ ଯିଵା ପରେ ଓଲଟା ଠେକୁଆଟା କୁକୁରକୁ ମାରିଵାକୁ ଗୋଡ଼ାଇଲା ଓ କୁକୁର ପଛକୁ ହଟି ଆସିଲା । ଏହିପରି  କିଛି ଥର ଘଟିଵା ପରେ ସେ ଠେକୁଆ କାହିଁ ଅଦୃଶ୍ୟ ହୋଇଗଲା ।

ରାଜା ଏହା ଦେଖି ଏହି ସ୍ଥାନ ଏକ ବୀରଭୂମି ବୋଲି ଭାଵିଲେ । ରାତିରେ ତାଙ୍କୁ ସ୍ୱପ୍ନାଦିଷ୍ଟ ହେଲା ଓ ସେଠାରେ ସେ ଦେଵୀଙ୍କୁ ପ୍ରତିଷ୍ଠା କରି ଗଡ଼ ସ୍ଥାପନ କଲେ । ଦେବୀଙ୍କୁ ଶିମୂଳୀ ଗଛ ମୂଳରେ ସ୍ଥାପନା କରାଯାଇଥିବାରୁ ଦେବୀଙ୍କ ନାମ “ଶାଳ୍ମଳୟୀ ଦେବୀ ବା ସୋମଲାଇ ଦେବୀ” ତଥା ଗଡ଼ର ନାମ “ସୋମଲାଇ ଗଡ଼”ରୁ  “ସୋମଲାଇପୁର”  ଓ ପରେ “ସମ୍ବଲପୁର” ହୋଇଥିବା ଜଣାଯାଏ ।


ଅନ୍ୟ ଏକ ମତ ଅନୁସାରେ, “ଗଡ଼ସମ୍ୱର” ଚୌହାଣମାନଙ୍କ ଆରାଧ୍ୟା ଦେଵୀ “ସମରେଶ୍ୱରୀ” । ବଳରାମ ଦେଵ ଗଡ଼ସମ୍ୱରୀ  ଚୌହାଣମାନଙ୍କ ବଂଶଧର । ଏଣୁ ସମରେଶ୍ୱରୀରୁ ସମ୍ୱଲେଶ୍ୱରୀ  ଵା ସମଲେଶ୍ୱରୀ ନାମ ପରିଵର୍ତ୍ତିତ ହୋଇଛି । ଏ ସମ୍ୱନ୍ଧରେ  ଥିଵା ଐତିହାସିକ ତଥ୍ୟାଵଳୀଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ବଳରାମ ଦେଵ ଖ୍ରୀ: ୧୫୫୪ ପରେ ଓ ୧୫୫୭ ପୂର୍ଵରୁ ପାଟଣା ରାଜ୍ୟର ରାଜା ତଥା ତାଙ୍କ ବଡ଼ଭାଇ ନରସିଂହ ଦେବଙ୍କ ମୃତ୍ୟୁ ପୂର୍ଵରୁ ହିଁ ସମ୍ବଲପୁର ଠାରେ ରାଜଧାନୀ ପ୍ରତିଷ୍ଠା କରିଥିଲେ ।ସେହି ସମୟରେ ମହାନଦୀର ଉତ୍ତରପାର୍ଶ୍ୱ ସୁରଗୁଜା ରାଜ୍ୟର ଅନ୍ତର୍ଗତ ଥିଲା ଓ ଏହା ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଥିଲା । ବଳରାମ ଦେବ ସୁରଗୁଜା ରାଜ୍ୟ ସୀମା ମଧ୍ୟରେ ରାଜଧାନୀ ପ୍ରତିଷ୍ଠା କରିଥିଵାରୁ ସୁରଗୁଜା ରାଜାଙ୍କ ସହିତ ଯୁଦ୍ଧ ହୋଇଥିଲା । ସେହି ଯୁଦ୍ଧରେ ସୁରଗୁଜା ରାଜା ପରାସ୍ତ ହୋଇଥିଲେ । ପରେ  ବଳରାମ ଦେଵ ଗାଙ୍ଗପୁର, ବାମଣ୍ଡା, ବଣାଇ ଇତ୍ୟାଦି ରାଜ୍ୟ ଜୟ କରିଥିଲେ । ଏଣୁ ପ୍ରୋକ୍ତ ଘଟଣା ପ୍ରଵାହ ଓ ତଥ୍ୟାବଳୀରୁ ସମ୍ବଲପୁର ରାଜଧାନୀ ପ୍ରତିଷ୍ଠା ଓ ସମ୍ୱଲପୁର ରାଜ୍ୟ ପ୍ରତିଷ୍ଠା ସମୟ  ଖ୍ରୀଷ୍ଟାବ୍ଦ ୧୫୫୫-୧୫୫୬ ବୋଲି ଜଣାଯାଏ ।

ସମ୍ବଲପୁର ଠାରେ ରାଜଧାନୀ ସ୍ଥାପନ ପରେ ହିଁ ସମ୍ବଲପୁର ରାଜ୍ୟ ତଥା ହୀରାଖଣ୍ଡ ସାମ୍ରାଜ୍ୟର ଅଭିବୃଦ୍ଧି ଘଟି ଏହା ଏକ ସ୍ୱାଧୀନ ରାଜ୍ୟରେ ପରିଣତ ହେଲା । ରାଜା ନରସିଂହ ଦେଵଙ୍କ ମୃତ୍ୟୁ ପରେ ପାଟଣା ରାଜ୍ୟପୁଞ୍ଜ ଉପରେ ମଧ୍ୟ ସମ୍ବଲପୁର ରାଜ୍ୟର  କର୍ତ୍ତୃତ୍ୱ ବୃଦ୍ଧି ପାଇଥିଲା । ଏଣୁ ଅତି ଅଳ୍ପ ଦିନ ମଧ୍ୟରେ ବଳରାମ ଦେଵ ପାଟଣା ଓ ସମ୍ବଲପୁର ରାଜ୍ୟପୁଞ୍ଜର ପନ୍ଦରଗୋଟି କରଦ ରାଜ୍ୟର ଅଧୀଶ୍ୱର ହୋଇ ପାରିଥିଲେ । ରାଜା ବଳରାମ ଦେଵଙ୍କ ଦ୍ୱାରା ସ୍ଥାପିତ ଗଡ଼ର ପରିସୀମା ପୂର୍ଵ ଦିଗରେ ମୁହାଣ ଦର୍ଜା (ସାମିୟା ମନ୍ଦିର), ପଶ୍ଚିମରେ ସମଲାଇ ଦର୍ଜା, ଉତ୍ତର ଦିଗରେ  ଛତ୍ର ସାଗର ଓ ଦକ୍ଷିଣ ଦିଗରେ ମହାନଦୀ ପର୍ଯ୍ୟନ୍ତ ଵିସ୍ତୃତ ଥିଲା । ଦକ୍ଷିଣ ଦିଗରେ ପ୍ରଵାହିତ ମହାନଦୀ ପ୍ରାକୃତିକ ଖାଇ ଭାବରେ ରହିଥିବା ହେତୁ ଅନ୍ୟ ତିନି ଦିଗରେ ଖାଇ ଖନନ କରାଯାଇଥିଲା ଓ ପାଚେରି ନିର୍ମାଣ କରାଯାଇ ଗଡ଼କୁ ସୁରକ୍ଷିତ କରାଯାଇଥିଲା ।

ବଳରାମ ଦେବ ରାମଜୀଗୁଡ଼ି ଓ ପାଟଣେଶ୍ୱରୀ ମନ୍ଦିର ମଧ୍ୟରେ ରାଜପ୍ରାସାଦ ନିର୍ମାଣ କରିଥିଲେ । ଏହାର ଭଗ୍ନାଵଶେଷ ବର୍ତ୍ତମାନ ସୁଦ୍ଧା ପରିତ୍ୟକ୍ତ  ଅଵସ୍ଥାରେ ରହିଛି । ସମ୍ବଲପୁର ଐତିହାସିକ ରାଜବାଟୀର ରାଣୀମହଲର କିଛି ଅଂଶ ଏବେ ମଧ୍ୟ ଗୁଳ୍ମ ଵୃକ୍ଷାଦିମଣ୍ଡିତ ହୋଇ ଵିପର୍ଯ୍ୟସ୍ତ ଅଵସ୍ଥାରେ ପାଟଣେଶ୍ୱରୀ  ମନ୍ଦିରର ଠିକ୍‍ ପୂର୍ଵ ଦିଗରେ ରହିଛି । ଦୀର୍ଘ ୩୨ ଵର୍ଷ ରାଜ୍ୟ ଶାସନ କରିଵା ପରେ ୧୫୮୪ରେ ବଳରାମ ଦେଵଙ୍କର  ଦେହାନ୍ତ ହୋଇଥିଲା ଓ ତାଙ୍କ ପରେ ତାଙ୍କ ପୁତ୍ର ହ୍ରିଦେ ନାରାୟଣ ଦେଵ ରାଜତ୍ୱ କରିଥିଲେ । ପରେ ବଳଭଦ୍ର ସାଏ, ମଧୁକର ସାଏ, ବଳୀୟାର ସିଂହ, ରତ୍ନ ସିଂହ, ଛତ୍ର ସାଏ, ଅଜିତ ସିଂହ, ବଳଭଦ୍ର ସାଏ (ଦ୍ୱିତୀୟ),  ଅଭୟ  ସିଂହ, ଜୟନ୍ତ ସିଂହ ପ୍ରମୁଖ ଚୌହାଣ ରାଜାମାନେ ୨୦୦ ବର୍ଷ ଧରି  ସମ୍ବଲପୁର ରାଜ୍ୟ ଶାସନ କରିଥିଲେ ।

ସମ୍ବଲପୁର ଚୌହାଣ ବଂଶର ଚତୁର୍ଥ ରାଜା ମଧୁକର ସାଏଙ୍କ ପାଞ୍ଚ ପୁତ୍ର ଥିଲେ । ସେମାନଙ୍କ ମଧ୍ୟରେ ଜ୍ୟେଷ୍ଠପୁତ୍ର ବଳୀୟାର ସିଂହ ରାଜା ଭାଵରେ ବିଶେଷ ପରାକ୍ରମଶାଳୀ ଥିଲେ । ସେ ରାଜ୍ୟ ବିସ୍ତାର କରି ଅଠରଗଡ଼ ମଉଡ଼ମଣି ଭାବରେ ଖ୍ୟାତ ଥିଲେ । ଦ୍ୱିତୀୟ ପୁତ୍ର ଅନିରୁଦ୍ଧ ସାଏ ଖିଣ୍ଡା ଓ ରାଜପୁର ଜମିଦାରୀ ଓ ତୃତୀୟ ପୁତ୍ର ମଦନଗୋପାଳ ସୋନପୁର ରାଜ୍ୟ ପାଇଥିଲେ । ଚତୁର୍ଥ ପୁତ୍ର ବଂଶୀଗୋପାଳ ସନ୍ନ୍ୟାସୀ ହୋଇ ଗୋପାଳଜୀ ମଠ ସ୍ଥାପନ କରିଥିଲେ । ଅନିରୁଦ୍ଧ ସାଏଙ୍କ ପୁତ୍ର ମାଧୋ ସିଂହ ଖିଣ୍ଡା ଓ ଅନ୍ୟ ପୁତ୍ର ଜଗନ୍ନାଥ ସିଂହଙ୍କ ବଂଶଧର ରାଜ ସିଂହ ରାଜପୁର ଭରଣ ପୋଷଣପାଇଁ ପାଇଥିଲେ ।


କଳିଙ୍ଗ ଦେଶର ଵୀର ସ୍ଵାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏ ଚୌହାଣ ରାଜବଂଶର ଖିଣ୍ଡା ଶାଖାରେ ଜନ୍ମଗ୍ରହଣ କରିଥିଲେ । ରାଜା ଜୟନ୍ତ ସିଂହଙ୍କ ରାଜତ୍ୱ କାଳରେ ଵିଭିନ୍ନ ସଙ୍କଟ ଆରମ୍ଭ ହେଲା । ଖ୍ରୀ: ୧୭୯୯ ରେ ମରହଟ୍ଟାମାନଙ୍କ ସମ୍ବଲପୁର ଆକ୍ରମଣ ପ୍ରତିହତ କରିବାକୁ ଵିଫଳ ହେଵାରୁ ରାଜା ଜୟନ୍ତ ସିଂହ ଓ ତାଙ୍କର ଏକମାତ୍ର ନାବାଳକ ପୁତ୍ର ମହାରାଜ ସାଏ ବନ୍ଦୀ ହୋଇ ଚାନ୍ଦା ଦୁର୍ଗକୁ ପ୍ରେରିତ ହୋଇଥିଲେ । ଏହି ଦିନଠାରୁ ସମ୍ବଲପୁର ରାଜ୍ୟର ଭାଗ୍ୟରବି ଅସ୍ତମିତ ହେଵାକୁ ବସିଲା ।ଵର୍ଗୀ ଆକ୍ରମଣ ଓ ଲୁଣ୍ଠନ ସହ ମୋଗଲ ଆକ୍ରାନ୍ତକାରୀମାନଙ୍କ ଅତ୍ଯାଚାର ଯୋଗୁଁ ସମ୍ବଲପୁର ସମେତ ସଂପୂର୍ଣ୍ଣ କଳିଙ୍ଗ ଦେଶ ଧୀରେ ଧୀରେ ଦରିଦ୍ରତମ ଭୂଭାଗରେ ପରିଣତ ହେଲା । ଵର୍ଗୀମାନେ ଘରେ ଘରେ ପଶି ଲୁଣ୍ଠନ କଲେ । ତାଙ୍କ ଭୟରେ ଲୋକେ ଘରର ଧାତଵ ବାସନକୁସନ ସୁଦ୍ଧା ପୋତି ପକାଉଥିଲେ । ସମୟକ୍ରମେ ତତ୍କାଳୀନ କଳିଙ୍ଗ ଦେଶରେ କି ନଗର ଗ୍ରାମ ସର୍ଵତ୍ର ଚାଳଘର ଦୃଶ୍ୟ ହେଵାକୁ ଲାଗିଲା । ସେ ଯୁଗରେ ସମ୍ପନ୍ନ ଲୋକେ ବି ନିଜର ସ୍ଵଚ୍ଛଳତା ଲୁଚାଇଵା ପାଇଁ ଦରିଦ୍ର ଭଳି ଜୀଵନଯାପନ କରିଵାକୁ ଲାଗିଲେ । କଳିଙ୍ଗ ଦେଶର ଯୋଦ୍ଧାଜାତିମାନଙ୍କ ମଧ୍ୟରେ ଅନେକ ନିଜର ସୈନିକ ବୃତ୍ତି ହରାଇ ଚାଷଵାସ କରିଵାକୁ ଲାଗିଲେ ଏଵଂ ଏମିତି ସମୟ ବି ଆସିଲା ଯେତେଵେଳେ ତାଙ୍କୁ ପେଟ ପାଇଁ ନିଜ ଅସ୍ତ୍ରଶସ୍ତ୍ର ସବୁ ବନ୍ଧା ପକାଇଵାକୁ ପଡି଼ଥିଲା, ବିକିଵାକୁ ପଡି଼ଥିଲା ।

କଳିଙ୍ଗ ଦେଶ ମୋଗଲ, ବଙ୍ଗାଳୀ ତୁର୍କ ଓ ମରହଟ୍ଟାଙ୍କ ଦ୍ଵାରା ପ୍ରାୟ ଦୁଇଶତାଧିକ ଵର୍ଷ ପରାଧୀନ ହେଵାପରେ ଏ ଦେଶକୁ ଆଉ ଏକ ଧନଲୋଭୀ ଵୈଦେଶିକ ଇଂରେଜ ଜାତିର ଆଗମନ ହେଲା । ସେମାନେ ମରାଠୀ ଶାସକଙ୍କୁ ସହଜରେ କଟକାଞ୍ଚଳରୁ ତଡି଼ ଦେଇଥିଲେ । 

ତେଵେ ଖ୍ରୀ: ୧୮୧୭ରେ ତୃତୀୟ ମରହଟ୍ଟା ସମର ଓ ନାଗପୁର  ସନ୍ଧି ପରେ ଇଂରେଜମାନେ ବୃଦ୍ଧରାଜା ଜୟନ୍ତ ସିଂହଙ୍କୁ ଅପ୍ରାପ୍ତ- ଵୟସ୍କ ପୁତ୍ର ମହାରାଜା ସାଏଙ୍କ ସହିତ ମୁକ୍ତ କରି ସମ୍ବଲପୁର ରାଜ ସିଂହାସନରେ ବସାଇଲେ । ଖ୍ରୀ: ୧୮୧୮ରେ ଜୟନ୍ତ ସିଂହଙ୍କ ମୃତ୍ୟୁ ହେଲା ଓ ମହାରାଜ ସାଏଙ୍କ ଶାସନକାର୍ଯ୍ୟ ସମ୍ଭାଳିଵାର ଵୟସ ହୋଇନଥିଵାରୁ ଇଂରେଜମାନେ ଖ୍ରୀ: ୧୮୨୦ ପର୍ଯ୍ୟନ୍ତ  ରାଜ୍ୟଶାସନ କରି ୧୮୨୦ ଖ୍ରୀ:ରେ ମହାରାଜ ସାଏଙ୍କୁ ଗାଦିରେ ବସାଇଥିଲେ ହେଁ ପ୍ରକୃତରେ ଇଂରେଜମାନେ ହିଁ ଶାସନ କରୁଥିଲେ ।

ସେମାନେ ରାଜାଙ୍କୁ ଵିଶେଷ କିଛି କ୍ଷମତା ଦେଇ ନଥିଲେ । ଖ୍ରୀ: ୧୮୨୭ରେ ରାଜା ମହାରାଜ ସାଏଙ୍କ ନିଃସନ୍ତାନ ଭାଵରେ  ମୃତ୍ୟୁପରେ ସମ୍ବଲପୁର ରାଜ୍ୟରେ ଚୌହାଣ ରାଜତ୍ୱର ଯବନିକା ପଡ଼ି ଯାଇଥିଲା ।

ରାଜାଙ୍କ ମୃତ୍ୟୁ ଖବର ଲୁକ୍କାୟିତ ରଖି ଖ୍ରୀ: ୧୮୩୩ ପର୍ଯ୍ୟନ୍ତ ଇଂରେଜମାନେ ଵିଧବା ରାଣୀ ମୋହନ କୁମାରୀଙ୍କୁ ସିଂହାସନରେ  ବସାଇ ରାଜ୍ୟ ଶାସନ କଲେ । ରାଜାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଵାରୁ ରାଜଗାଦିପାଇଁ ଦାଵିଦାରମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହେଵାକୁ ଲାଗିଲା ଓ ରାଜ୍ୟରେ ଅଶାନ୍ତି ସୃଷ୍ଟି ହେଲା । ଏଣୁ ଇଂରେଜମାନେ ମୋହନ କୁମାରୀଙ୍କୁ ଗାଦିରୁ  ହଟାଇ ରାଣୀଙ୍କ ଇଚ୍ଛା ନାମରେ ୧୮୩୩ ଅକ୍ଟୋବର ୧୧ ତାରିଖରେ ଜଣେ ଅନାଗତ ବୃଦ୍ଧ ନାରାୟଣ ସିଂହଙ୍କୁ ରାଜପଦରେ ମଣ୍ଡିତ କରାଇଲେ । ବୃଦ୍ଧ ନାରାୟଣ ସିଂହ ଅନାଗତ, ଅପାରଗ ଓ ଶୁଦ୍ଧ ଚୌହାଣ ବଂଶୀୟ ନଥିବା କାରଣରୁ ଜନସାଧାରଣଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ନ ଥିଲେ । ଏହି ରାଜା ନାରାୟଣ ସିଂହଙ୍କର ୧୮୪୯ ସେପ୍ଟେମ୍ୱର  ୧୦ ତାରିଖରେ ଦେହାନ୍ତ ହେଵାପରେ ସମ୍ୱଲପୁର ରାଜ୍ୟର  ଐତିହ୍ୟସଂପନ୍ନ ତିନି ଶହ ବର୍ଷର ଚୌହାଣ ରାଜତ୍ୱର ପରିସମାପ୍ତି  ଘଟିଥିଲା । ତେଵେ କୁହାଯାଏ ଯେଉଁଠି ଗୋଟିଏ କାହାଣୀର ଅନ୍ତ ହୁଏ ସେଠାରୁ ଆଉ ଏକ କାହାଣୀର ଅୟମାରମ୍ଭ ହୋଇଥାଏ । ସମ୍ବଲପୁର ରାଜ୍ୟର ଐତିହାସିକ ଭୂମିରେ ମଧ୍ୟ ତାହା ହିଁ ଘଟିତ ହୋଇଥିଲା । ସେହିଦିନଠାରୁ ଆରମ୍ଭ ହୋଇଥିଲା କଳିଙ୍ଗୀ ଵୀର ସୁରେନ୍ଦ୍ର ସାଏଙ୍କ ଯୁଦ୍ଧ ସଂଗ୍ରାମର ଯୁଗ !!!

(ଦାଶରଥି ସାହୁଙ୍କ “ଆମ ସୁରେନ୍ଦ୍ର ସାଏ” ପୁସ୍ତକର “ସମ୍ବଲପୁର ରାଜ୍ୟ ପ୍ରତିଷ୍ଠା ଓ ଚୌହାଣ ରାଜତ୍ଵ” ପ୍ରବନ୍ଧର ସାମାନ୍ୟ ପରିଵର୍ତ୍ତନ ସହ ପୁନଃ ପ୍ରସ୍ତୁତିକରଣ ।)

© ଶିଶିର ସାହୁ ମନୋଜ

Leave a Comment

Your email address will not be published. Required fields are marked *

Scroll to Top