ଲେଖା: ଶିଶିର ସାହୁ ମନୋଜ

ସମା ଓ ଶମା ! ଏ ଉଭୟ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ରହିଛି ତେଣୁ ଉଭୟ ଶବ୍ଦର ଅର୍ଥ ଆଧାରରେ ଏ ଶବ୍ଦର ଵ୍ଯଵହାର ହେଵା ଉଚିତ ।

ସମା  ଶବ୍ଦର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ଦୃଷ୍ଟିଗୋଚର ହୁଏ ।

?୧. ସମ୍ବତ୍ସର ଵା ଵର୍ଷ:
ଏହାର ପ୍ରାକ୍ ଭାରତୀୟ ରୂପ *sámaH ଏଵଂ ପ୍ରାକ୍ ଭାରୋଇରାନୀୟ ରୂପ *sámaH ଥିଵା ଆଧୁନିକ ଭାଷାଵିଦ୍ ଅନୁମାନ କରିଅଛନ୍ତି । ଏହି ସମା ଶବ୍ଦର ପ୍ରାକ୍ ଭାରୋପୀୟ ଶବ୍ଦରୂପ  *semH ଓ ପ୍ରାଚୀନ ସଂସ୍କୃତ ମୂଳ ଧାତୁ ସମ୍ ନିର୍ଣ୍ଣୟ କରାଯାଇଛି । ତେଣୁ ଵର୍ଷ ଓ ଗ୍ରୀଷ୍ମ ଋତୁ ଅର୍ଥରେ ଵ୍ଯଵହୃତ ପ୍ରାଚୀନ ସମା ଶବ୍ଦଟି ସଂସ୍କୃତର ଗ୍ରୀଷ୍ମ, ଆଵେସ୍ଥାନ ????‎ (hama ଵର୍ଷ) ଓ  ????‎ (ṣ̌ama ଵର୍ଷ), ଆର୍ମେନୀୟ ամ (am, “ଵର୍ଷ”), ଇଂରାଜୀ summer (ଗ୍ରୀଷ୍ମ), ପାର୍ସୀ هامین‎(hamîn “ଗ୍ରୀଷ୍ମ”), ଓ୍ଵେଲ୍ସ୍ haf (“ଗ୍ରୀଷ୍ମ”) ଓ ଜର୍ମାନ Sommer(ଗ୍ରୀଷ୍ମ) ସହିତ ସମଦ୍ଧୃତ । ପ୍ରାଚୀନ ଵେଦରେ ଏ ଶବ୍ଦର ଵର୍ଷ ଓ ଗ୍ରୀଷ୍ମ ଅର୍ଥରେ ଵ୍ଯଵହାର ହୋଇଅଛି ।

?୨. ଵର୍ଷର ଅର୍ଦ୍ଧେକ ସମୟ; ଛମାସ ଅଵଧି:
ଵିଜ୍ଞାନ ଦୃଷ୍ଟିରୁ ଗ୍ରୀଷ୍ମ ଓ ଶୀତ ଭେଦରେ ଦୁଇଗୋଟି ଋତୁ ହୋଇଥାଏ । ଵର୍ଷା କେଉଁଠି ଗ୍ରୀଷ୍ମ ଋତୁରେ ହୁଏ ତ କେଉଁଠି ଶୀତ ଋତୁରେ  ହୋଇଥାଏ । ଏଣୁ ଵର୍ଷକୁ ଗ୍ରୀଷ୍ମ ଓ ଶୀତ ଭେଦରେ ଦୁଇଭାଗରେ ଵିଭକ୍ତ କରାଯାଇଛି । ଉତ୍ତର ଗୋଲାର୍ଦ୍ଧରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ସମୟ ଠାରୁ ଗ୍ରୀଷ୍ମ ଋତୁ ଏଵଂ ଦକ୍ଷିଣାୟନ ଗତିଠାରୁ ଶୀତଋତୁ ନିର୍ଣ୍ଣୟ କରାଯାଏ । ଏହି କଥା ଆମର ପ୍ରାଚୀନ ପୂର୍ଵଜଙ୍କୁ ଜଣାଥିଲା ତେଣୁ ସେମାନେ ଗ୍ରୀଷ୍ମ ଓ ଵର୍ଷ ଅର୍ଥରେ ଵ୍ଯଵହୃତ ସମା ଶବ୍ଦକୁ ଵର୍ଷର ଅର୍ଦ୍ଧେକ ଭାଗ ଅର୍ଥରେ ମଧ୍ୟ ଵ୍ଯଵହାର କରିଅଛନ୍ତି ‌ ।

?୩. ଋତୁ:
ଵେଦରେ ସାଧାରଣତଃ ଗ୍ରୀଷ୍ମ ଋତୁ ଅର୍ଥରେ ଏ ଶବ୍ଦର ପ୍ରୟୋଗ ଥିଵା ଜଣାଯାଏ । ତେଵେ କ୍ରମଶଃ ସମା ଶବ୍ଦର ତୁଲ୍ୟାର୍ଥେ ଵ୍ଯଵହାର ଲୋକପ୍ରିୟ ହୋଇଥିଵା ଜଣାଯାଏ ।ଅଥର୍ଵ ଵେଦର କେତେକ ଛନ୍ଦରେ ଗ୍ରୀଷ୍ମ ଋତୁ ଅର୍ଥରେ ସମା ଶବ୍ଦର ପ୍ରୟୋଗ ହୋଇଥିଵା ଜଣାଯାଏ । ସମ୍ଭଵତଃ ଗ୍ରୀଷ୍ମ ଋତୁରୁ ଏ ଦେଶରେ ଵର୍ଷଗଣନାର ପରମ୍ପରା ବହୁ ପ୍ରାଚୀନ ବୋଲି ଏହା ଏକ ପ୍ରକୃଷ୍ଟ ପ୍ରମାଣ ହୋଇପାରେ ।
?୪. ସୋମନାଥ ନାମକ ଵ୍ଯକ୍ତିର ଡାକ ନାଆଁ ସମା !
ଓଡ଼ିଶାରେ ଡାକନାମ ରଖିଵାର ପରମ୍ପରା ବହୁ ପ୍ରାଚୀନ । ଯମ ଭୟରେ ଓ ସ୍ନେହାର୍ଥେ ଏଭଳି ନାମକରଣ କରାଯାଉଥିଵା ଜଣାଯାଏ । ସୋମନାଥ ନାମକ ଵ୍ଯକ୍ତିକୁ ଏହି କାରଣରୁ ସମା ଡକାଯାଇଥାଏ ।

?୫. ସମାଇଵା/ସମେଇଵା କ୍ରିୟାର ମୂଳ ରୂପ ସମା ଵା ସମ୍ଭା:
ଏ କ୍ରିୟାର ଅନ୍ୟ ରୂପ ସମ୍ଭାଇଵା । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସମ୍ଭାଇଵା କ୍ରିୟାର ବହୁଳ ଵ୍ଯଵହାର ହୋଇଅଛି । ଏହି ସମ୍ଭାଇଵା ଶବ୍ଦର ଆଧୁନିକ ରୂପ ସମାଇଵା ଅଟେ । ସଂସ୍କୃତ ସଂମାତି ଓ ପ୍ରାକୃତ ସଂମାଦି ସହିତ ଏହି ସମାଇଵା କ୍ରିୟାଟି ସମଦ୍ଧୃତ । ପ୍ରକୃତରେ ଓଡ଼ିଆ ଭାଷାରେ ସମ୍ଭାଇଵା କ୍ରିୟାଟି ଦୁଇଟି ଭିନ୍ନ ଭିନ୍ନ ମୂଳରୁ ଆସିଅଛି ଗୋଟିଏ ହେଲା ସମ୍ଭଵ ଅନ୍ଯଟି ସଂମାତି ।

ଓଡ଼ିଆ ଭାଷାରେ ସମ୍ଭାଇଵା କ୍ରିୟାର ଵିଭିନ୍ନ ଅର୍ଥ:
କ. ସମ୍ଭଵ ଜଣା ହେଵା,
ଖ. ପ୍ରତିଷ୍ଠା ହେଵା
ଗ. ପ୍ରବେଶ କରିଵା, ପଶିଵା (ଏହାର ଆଧୁନିକ ରୂପ ସମାଇଵା ଓ ସଂସ୍କୃତ ରୂପ ସଂମାତି)
ଘ. ଭର୍ତ୍ତି ହୋଇଯିଵା
ଙ. ଯଥେଷ୍ଟ ହେଵା ଅର୍ଥାତ୍ କୌଣସି ପାତ୍ରର ଆକାରକୁ ଚାହିଁ ଯଥେଷ୍ଟ ହେଵା । ଉଦାହରଣ ସ୍ୱରୂପ, “ଏ ଟୋକେଇରେ ୫ଗୌଣୀ ଧାନ ସମ୍ଭାଇଵ, ଆଉ ବେଶୀ ଧାନ ସମ୍ଭାଇଵ ନାହିଁ।”

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସମ୍ଭାଇଵା କ୍ରିୟା ଵ୍ଯଵହାରର କେତେକ ଉଦାହରଣ:

?”ବ୍ରହ୍ମାଣ୍ଡ ଯାହା ଉଦରେ ପ୍ରଳୟେ ସମ୍ଭାଇ।”
(ଵୈଦେହୀଶ ଵିଳାସ, ଉପେନ୍ଦ୍ର ଭଞ୍ଜ)

?”ସେ ବ୍ରହ୍ମା ସୁଭଦ୍ରା ହୋଇଲେ,
ରାଧାଙ୍କ ସଙ୍ଗେ ସମ୍ଭାଇଲେ। “
(ପ୍ରେମଭକ୍ତି ବ୍ରହ୍ମଗୀତା, ଯଶୋଵନ୍ତ)

?ଉଦେଗିରି ଅସ୍ତଗିରି ଶୂନ୍ୟଗିରି ମେଳା
ହସ୍ତୀ ଚରାଵନ୍ତି ପାର୍ଵତମାଳା
ଯେଵଣ ସେ ହସ୍ତୀ ମାହାରସ ଖାଇ
ବେନି ପକ୍ଷେ ଜଗିଲେ ଗଗନେ ସମ୍ଭାଇ । ୬ ।
(ଶ୍ରୀଶିଶୁଵେଦ, ଅଜ୍ଞାତ ପ୍ରାଚୀନ କଵି)

?ମୋର କର୍ଣ୍ଣେ ସେ ଡାକ ସମ୍ଭାଇ ।
ପୁଣି ଶତଧନୁ ଦେଲା କ‌ହି ।
ଶରେ ଶର ଭେଦି ରଖିଲି
ଆଛାଦି ନ ପାରିଲା ଆଉ ଦୈତ୍ୟ ଯାଇ ଗୋ । ୭ ।
(କପଟପାଶା, ଭୀମା ଧୀଵର)

?ଷୋଳ ଅକ୍ଷର ଲୀନ ପାଇ ।
ଅକ୍ଷର ଵାୟୁରେ ସମ୍ଭାଇ ॥୪୧
ଵାୟୁ ପାର୍ଵତୀ ସଙ୍ଗେ ମିଶି ।
ପାର୍ଵତୀ ସଙ୍ଗରେ ଵିକାଶି ॥୪୨
(ତ୍ରୟୋଦଶ ସ୍କନ୍ଧ, ଭାଗଵତ, ଜଗନ୍ନାଥ ଦାସ)

?୬. ପୁଷ୍କର ଦ୍ଵୀପର ଜନଵହୁଳ ମଧ୍ୟ ଭାଗକୁ ପୁରାଣରେ ସମା କୁହାଯାଇଛି । ମହାଭାରତର ଭୀଷ୍ମପର୍ଵ ଅନ୍ତର୍ଗତ ଦ୍ଵାଦଶ ଅଧ୍ୟାୟ ୩୨ତମ ଶ୍ଲୋକରେ ଏ ସ୍ଥାନର ଉଲ୍ଲେଖ ରହିଛି ।
ପୌରାଣିକ କଥାନୁସାରେ ଵାମନ,ଐରାଵତ,ସୁପରିତକ, ଅଞ୍ଜନା ଇତ୍ୟାଦିଙ୍କର ନିଵାସସ୍ଥାନ ଏଇ ଅଞ୍ଚଳ ଅଟେ ।

?୭. ସମ ଶବ୍ଦର ସ୍ତ୍ରୀ ଵାଚକ ରୂପ; ସମାନ, ସଦୃଶ:
କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଵିଭିନ୍ନ କାଵ୍ଯରେ ସମ ଶବ୍ଦର ସ୍ତ୍ରୀ ଵାଚକ ରୂପ ଭାବେ ଏହି ସମା ଶବ୍ଦର ବହୁଳ ଵ୍ଯଵହାର ଦୃଶ୍ୟ ହୋଇଥାଏ । ଯଥା:

?ବଳାରାତିର ଅବଳା ଉମା ରମା ।
ବହି ଏକ ମୂରତି ନୋହିବେ “ସମା” ।।୩୯।।
(ଵୈଦେହୀଶ ଵିଳାସ, କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ)

?”ତଥାପି ସୁଷମା ସମା ପ୍ରତିମା ତ ନୋହି ।
ଶୋଭାକୁ ଵର୍ଣ୍ଣନ୍ତି କବି ଵୃତ୍ତ କରି ତହିଁଯେ ।।୬୪।।”
(ଲାଵଣ୍ଯଵତୀ, କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ)

?୮. ସମା ନାମକ କଳିଙ୍ଗ ଦେଶୀୟ ଜନଜାତି:
ଏହି ଜାତୀୟ ଲୋକ ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ ଓଡ଼ିଶାରେ ଅଳ୍ପ ସଂଖ୍ୟାରେ ରହୁଛନ୍ତି । ଏମାନଙ୍କ ଵିଷୟରେ ଵିଶେଷ ତଥ୍ୟ ମିଳେ ନାହିଁ ।

ଵିଭିନ୍ନ ଭାରତୀୟ ଭାଷାଗୁଡି଼କରେ ସମା ଶବ୍ଦର ଅନ୍ୟ କେତେକ ଅର୍ଥରେ ଵ୍ଯଵହାର ପ୍ରଚଳିତ । ଯଥା:

?କନ୍ନଡ଼ରେ ସମୟକୁ ସମା କୁହାଯାଏ
?ହିନ୍ଦୀ ସାହିତ୍ୟରେ ଆକାଶ ଅର୍ଥରେ ସମା ଶବ୍ଦର ଵ୍ଯଵହାର ଥିଵା ହିନ୍ଦୀ ଶବ୍ଦସାଗରର ଉଲ୍ଲେଖରୁ ଜଣାଯାଏ । ହିନ୍ଦୀରେ ପୁଣି ଉର୍ଦ୍ଦୂର “ସମାଁ” ଶବ୍ଦଟି “ସମା” ହୋଇ ପ୍ରଚଳିତ ହେଲାଣି । “ସମାଁ ହେଁ ସୁହାନା ସୁହାନା ନଶେ ମେଁ ଜହାଁ ହୈ” ଏ ଗୀତରେ ଵ୍ଯଵହୃତ ସମା ଵା ସମାଁ ଶବ୍ଦର ଅର୍ଥ (ସୁନ୍ଦର)ଦୃଶ୍ୟ, ବାତାବରଣ ଅଟେ ।
?ମରାଠୀ ଭାଷାରେ ଓଡ଼ିଆ ଭଳି ସମା ଶବ୍ଦର ଵିଭିନ୍ନ ଅର୍ଥ ରହିଛି । ମହାରାଷ୍ଟ୍ରରେ ପ୍ରଚଳିତ ଲୋକକଥାର ଏକ ପିଶାଚ ଦେଵତାଙ୍କୁ ସମା କୁହାଯାଏ । ସମା ଶବ୍ଦର ମରାଠୀରେ ସମ୍ବନ୍ଧ, ଡିମ୍ବିରି, ଜୁଆର, ମତୈକ୍ଯ, ମେଳ ଓ ଆକାଶ ଇତ୍ୟାଦି ଅର୍ଥରେ ମଧ୍ୟ ଵ୍ଯଵହାର ରହିଛି ।

ତେବେ ସମା ଶବ୍ଦଠାରୁ ଭିନ୍ନ ଶମା ଶବ୍ଦର ଆଉ କେତେକ ଅର୍ଥରେ ପ୍ରଚଳନ ଥିଵା ଜଣାଯାଏ । ପ୍ରାଚୀନ ସଂସ୍କୃତ ଶାସ୍ତ୍ରରେ ଶମା ଶବ୍ଦଟି “ଦିଵ୍ଯା ମାନଵୀ” ଅର୍ଥରେ ଵ୍ଯଵହାର ହେଉଥିଵା କେତେକ ସଂସ୍କୃତ ଭାଷାକୋଷରୁ ଜଣାଯାଏ । ସେହିପରି ହିନ୍ଦୀରେ ଆରବୀ ଭାଷାର “ଶମଅ” ଶବ୍ଦଟି ଶମା ହୋଇ ଵ୍ଯଵହୃତ ହୋଇଥାଏ ଏଵଂ ଏ ଭାଷାରେ ଶମାର ଅର୍ଥ ମହମଵତୀ ଓ ଦୀପ ଅଟେ ।

ତେବେ ଓଡ଼ିଆ ଭାଷାରେ ଶମା ଶବ୍ଦର ନିମ୍ନଲିଖିତ ଅର୍ଥରେ ଵ୍ଯଵହାର ରହିଛି ।

?୧. ଢିଙ୍କିର ଥୋର ଵା ପାହାରର ଅଗରେ ଲାଗିବା ଲୌହ ଵଳୟ
ଦେ ସମକେଇ ଲୋ !
ଶମା କୁଟଇ ଧାନ
ଢିଙ୍କି ଦେ ସମକେଇ ଲୋ !
ଦି ସଉତୁଣୀ ଢ଼ିଙ୍କି ଲାଞ୍ଜିରେ
ଖାଆନ୍ତି ବଙ୍ଗଳା ପାନ !
(ଢେଙ୍କିକୁଟା ଗୀତ ।)

?୨. ମୂଷଳର ଵା ମୃଦ୍ଗରର ଵା ଯଷ୍ଟିର ମୁଣ୍ଡରେ ଜଡ଼ିତ କରା ଯାଇଥିଵା ଲୌହ ଵଳୟ
?୩. ଚିତ୍ରକରମାନଙ୍କର ପଶାର ଗୋଟୀ ଵା ସାର କାଟିଵା ଅସ୍ତ୍ର ଵିଶେଷ
?୪. ଶଗଡ଼ ଚକର ମଧ୍ଯପିଣ୍ଡ ସ୍ଥିତ କଣା ଚାରିପାଖେ ଲାଗିଵା ଲୁହା ଵଳୟ
?୫. ଗଞ୍ଜପା ସାର ପାଇଁ ଛାଞ୍ଚରେ କାଟିଵା ଵସ୍ତୁ
?୬. କାଠ ବେଣ୍ଟ
?୭. ମୁଦିଆ
“ଅକର୍ମଶୀଳା କୁଣ୍ଡିକି ସମାଲଗା ପାହାର।”(ଢଗ)

ଆଜିକାଲି ଓଡ଼ିଆ ଲୋକେ ପ୍ରୋକ୍ତ “ସପ୍ତଗୋଟି” ଅର୍ଥରେ ଵ୍ଯଵହୃତ  ଶମା ଶବ୍ଦକୁ ଭୁଲ୍ ଵଶତଃ ସମା ଲେଖିଦିଅନ୍ତି ।

ଢିଙ୍କି ଓ ଶଗଡ଼ର ଲୌହ ଵଳୟ ଅର୍ଥରେ ଵ୍ଯଵହୃତ ଶମା ଶବ୍ଦଟି ସଂସ୍କୃତର ଶମ୍ଵ ଶବ୍ଦ ଓ ଶମ୍ବ୍ (ଧାତୁ) ସହିତ ସମଦ୍ଧୃତ ।
ଶମ୍ବ ଶବ୍ଦର ଅନେକ ଅର୍ଥ ଯଥା ଅଶନି ଵା ଵଜ୍ର, ଢିଙ୍କିର ଶମା, ଲୌହଵଳୟ, ଵେଷ୍ଟିତାଗ୍ର ମୁଦ୍ଗର, ଲୌହମୟ କାଞ୍ଚି, ଅଣ୍ଟାରେ ପିନ୍ଧିବା ଲୁହା ଶିକୁଳି, ଭୂମିକୁ ଦ୍ବିତୀୟଵାର ଚଷିଵା ଵା ଦୋଓଡ଼ ଚାଷ, ଅନୁଲୋମ କର୍ଷଣ, ଦରିଦ୍ରଵ୍ଯକ୍ତି, ଭାଗ୍ଯଵାନ ଵ୍ଯକ୍ତି, ସୁଖୀ ଇତ୍ୟାଦି ଇତ୍ୟାଦି । ତେଣୁ ପ୍ରାଚୀନ ପରମ୍ପରା ଓ ଷତ୍ଵଵିଧାନ ନିୟମ ରକ୍ଷା ହେତୁକ ଢ଼ିଙ୍କି ଓ ଶଗଡ଼ ସମ୍ବନ୍ଧୀୟ ଶମା ଶବ୍ଦକୁ ସମା ଲେଖିଵା ଅନୁଚିତ ଅଟଇ । ସେମିତି ବି ଆଜି ଢିଙ୍କି ଓ ଶଗଡ଼ର ଵ୍ଯଵହାର ନାହିଁ କହିଲେ ଚଳେ । ଶଗଡ଼ ଢିଙ୍କି ସହ ଶମା ଶବ୍ଦ ମଧ୍ୟ ଲୁପ୍ତ ହେଵାକୁ ବସିଲାଣି ।

©ଶବ୍ଦଭେଦ

Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

4 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

4 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

5 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

1 month ago