ସୌରଭିତ ସୃଷ୍ଟି: ଗୋଦାବରୀଶ ମହାପାତ୍ର
ଉତ୍କଳମଣି ଗୋପବନ୍ଧୁ ଗଞ୍ଜାମରେ କୌଣସି ଏକ ପଲ୍ଲୀ ସଭାକୁ ଗଲାବେଳେ ଏକ କୌତୁକାଵହ ଘଟଣାଟିଏ ଘଟିଥିଲା । ଭିକ୍ଷାକରି ଚଳୁଥିଵା ଦୁଇଜଣ ବୁଢ଼ୀ ଗୋପବନ୍ଧୁଙ୍କୁ ସବାରିରେ ଯିଵା ଦେଖି ଜଣେ କିଏ ବର ଵିଭାହୋଇଯାଉଛି ବୋଲି ମନେକରି ସଭାକୁ ଯାଇଥିଲେ । ଉଭୟ ବୁଢୀ଼ ପରସ୍ପରରେ କଥା ହେଉଥାନ୍ତି । ଏ ବୁଢ଼ା ଵରକୁ କିଏ ଅଵା ନିଜ ଝିଅର ଜୀଵନ ନଷ୍ଟ ହେଵାକୁ ଵିଭା କରାଉଛି । କିନ୍ତୁ ଉତ୍କଳମଣିଙ୍କ ଭାଷଣ ଶୁଣିଵାପରେ ତାଙ୍କର ହୃଦବୋଧ ହୋଇଛି ଯେ ଇଏ କାହାର ଵର ନୁହେଁ ଵରଂ ଓଡ଼ିଆ ଜାତିର ଵରପୁତ୍ର । “ସବୁରି ଚିତ୍ତଚୋର” କଵିତାରେ ଗୋଦାଵରୀଶ ମହାପାତ୍ର ସେହି ଘଟଣାକୁ ଅତୀଵ ଚମତ୍କାର ଭାବରେ ଵର୍ଣ୍ଣନା କରିଅଛନ୍ତି …
~ ସବୁରି ଚିତ୍ତଚୋର ~
ବାଜେ କରତାଳି, ବାଜେ ମାଦଳ,
ଥରିଉଠେ ନୀଳ ଗଗନ ତଳ,
ଗଣି ହୁଏ ନାଇଁ ଲୋକ-ଲହର ପଥପ୍ରାନ୍ତର ଧାରେ,
ସବୁରି ଵଦନେ ପୂରିଛି ଆଶା,
ପୁଲକି ଉଠଇ ମରମ ଭାଷା,
ପଡ଼ିଚି ଚହଲି ସବୁଜ ରସା ବନ୍ଦନ ଗୀତିକାରେ ।
ଜନଗଣ ମନ କାମନା ଜାଣି
ଵିଜେକଲେ ଅଵା ଅଭୟପାଣି,
ଲୋଚ଼ନ କୋଣରେ ଉଠେ ଉଜାଣି
ସବୁରି ଅଧରେ କଥା,
ଶୋହେ କରେ କରେ କୁସୁମ ମାଳା,
ଦିଏ ହୁଳହୁଳି ପଲ୍ଲୀବାଳା,
ଉଶ୍ଵାସ ହୁଏ ପରାଣ ଭାରା ଦର୍ଶନେ ଚିର ଵ୍ୟଥା ।
ସେ ତ କୋଟି ଜନ ପରାଣସାଇଁ,
କୁସୁମେ ଶୁଶ୍ରୁ ଦେଇଡ଼ି ଛାଇ
ମାଳାଭାରେ ଗଳା ପଡ଼ିଚି ଲଇଁ
ଚିନ୍ତିତ ଭଗବାନ,
ନାଶିବେ ଦେଶର କଳି-କଳୁଷ,
ଯେତେ ଏ ଦଳିତ-ଦୀନ-ମଣିଷ
ଯୋଡ଼ି କର ଯୁଗ ଯାଚେ ଆଶିଷ
ସୁନ୍ଦର ମହୀୟାନ !!
କେଉଁ ଗାଆଁ, କେଉଁ କୁଟୀର ଛାଡ଼ି
ଆସିଥିଲେ ବୁଲି ଦୁଇଟି ବୁଢ଼ୀ,
ସେ ଲୋକ ଗହଳେ ରହିଲେ ବୁଡ଼ି
କି ବା ସେ ଦେଖିଲେ ତହିଁ,
କିଏ ଗୀତ ଗାଏ, କିଏସେ ହସେ,
ବୁଢ଼ୀ ବଖାଣିଲା ବୁଢ଼ୀର ପାଶେ
କାହା କାନେ କିଏ କି କଥା ଭାଷେ,
କି କଥା ଦେଖିଲି ମୁହିଁ !
ଏତିକି ବାଜଣା,
ଏତିକି ଗୋଳ ମଲା ଯା ଏତିକି ନାଟ !
ସବାରି ଭିତରେ ଏ ବୁଢ଼ା ବର
ଏଥିପାଇଁ କିଆଁ ଏତେ ଚହଳ,
ଏନ୍ତୁଡ଼ିଶାଳେ ନ ଚିପି ତୋଟି
କିଏ ରଖିଥିଲା କାହା ଝିଅଟି,
ଆଖି ଯାହା ଦେଖି ନଗଲା ଫୁଟି
ଗାଆଁରେ ବସିଛି ହାଟ !!
କହିଲା ଆରେକ ହୁଅ ଗୋ ତୁନି,
ବେଦୀରେ ବସିଵ ଏ ବୁଢ଼ା ପୁଣି !
କୁଶେ ବାନ୍ଧିଵେ କାହାର ପାଣି,
କିଏ ସେହି ଅଭାଗିନୀ
ଏତେ ଵରଜାତି,
ଏଡ଼ିକି ଭିଡ଼,
ଏ ବୁଢ଼ା ଵରକୁ ଏତିକି ମାଳ !
ଭିକମଗା ଆଜି ଛାଡ଼ିଲେ ଛାଡ଼,
ଦେଖିଵା ଚାଲ ଗୋ ନାନି ।
ବସିଲା ଏ କାଳେ ସେ ଜନସଭା
ଜମାଟ ଧରିଲା ଜଳଦ ଅଵା,
ସଜ୍ଜିତ ପୀଠେ ହୋଇଲେ ଉଭା
ସେଇ ଚିନ୍ତିତ ଵୀର,
ଅଭୟ ଵରଦ ଶ୍ରୀକର ଟେକି
ବେଗ-ଉଦ୍‌ବେଗ
ଜନତା ଦେଖି କହିଲେ
ରହିଚି ଆହୁରି ବାକି ଆଗେ ପଥ ବହୁ ଦୂର ।
ଚାଲ, ଚାଲ, ଆଜି ଚାଲ ରେ ବେଗେ,
ଭିକ୍ଷା ଯା ମାଗୁଛ ଲଜ୍ଜା ଲାଗେ,
ମାନଵ ଭିତରେ ଦେଵତା ଜାଗେ,
ରମଣୀ ଭିତରେ ରମା,
ଉନ୍ନତ କର ଆନତ ଶିର
ଏଇ ତୋ ବିଜୟ-ପତାକା ଧର,
ଭୁଲ ତୋ ଭିତରେ ଆପଣା ପର,
ଛାଡ଼ ବନ୍ଧନ ସୀମା ।
ଏଇ ମାଟିତଳ ଦଳିତ ଜାତି,
ଏଇ ଧରଣୀର ଗଭୀର ରାତି,
ଏଇ ଏ ଜାତିର ପତଳା ଛାତି,
ଏଇ ମାଟିଘେରା ଗାଆଁ,
ଏଇ ଜନତାର ଏକଇ ଡାକେ
ଭେଦି ଗିରିଵନ ଦିଗ୍‌ଵିଦିକେ
ନଵ କଳେଵର ନଵୀନ ଲୋକେ
ବାରେ ତୁ ଆଗକୁ ଚାହାଁ ।
ଏଇ ଯେ ଗାଆଁର ଗରିବ ‘ବିନ’,
ଏଇ କୁଡ଼ିଆର ‘ସୁଦୁରୀ’, ‘ଘନ’,
ଏଇ କୁଲି, ଏଇ ବାଉରି, ପାଣ,
ଏଇ ଭିକାରୁଣୀ ବୁଢ଼ୀ,
ଏଇ ତୋ ଜାତିର ଅସ୍ଥିମଜ୍ଜା
ନଵୀନ ଜୀଵନେ କର ତୁ ତାଜା,
ପର ବୋଲେ ତୁହି ନିଜେ ନ ହଜା,
ମରିବୁ ଅକୂଳେ ବୁଡ଼ି ।
କରତାଳି ତାଳ ଉଠିଲା ନାଡ଼ି;
ସନ୍ଧାନ କଲେ ସଵ୍ୟସାଚୀ
ପ୍ରତି ମନ ତଳେ ବଚନ ଯୋଡ଼ି,
ବିଜୁଳି ଖେଳିଲା ସତେ !
ଦେଲେ ହୁଳହୁଳି ରମଣୀକୁଳ,
ଚମକିଲା ନର-ସାଗର କୂଳ,
ସେଇ ସମାକୁଳ ଭକ୍ତକୁଳ
ବନ୍ଦିଲେ ଯୋଡ଼ ହାତେ ।
ସେ ସଭା ପ୍ରାନ୍ତେ ଦୁଇଟି ବୁଢ଼ୀ
ପଳିତ ଗଣ୍ଡେ ଲୋତକ ଢାଳି
ଯୋଡ଼ି କରଯୁଗ କହିଲେ ଖାଲି
ଆହା ଲୋ ଭଉଣୀ ମୋର,
ଏଇ ଯେ ବେଦୀରେ ବସିଚି ଵର
ଏ ଵର ନୁହେ ତ ଜଣେ କାହାର,
କାହା ହୃଦମଣି କାହା ଦୋସର
ସବୁରି ଚିତ୍ତଚୋର !!
ଉପସ୍ଥାପନା: ଶିଶିର ସାହୁ ମନୋଜ
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 months ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago