ଉପସ୍ଥାପନା: ଶିଶିର ସାହୁ ମନୋଜ
~ ଷଢ଼େଇକଳାର ସ୍ୱତନ୍ତ୍ରତା ଦାବି ~
ଓଡ଼ିଆ ଭାଇଭଉଣୀମାନେ ଜାଣିଛନ୍ତି ସେ ଅନ୍ୟାୟର କାହାଣୀ ଯାହା ଏ ଦେଶରେ ଓଡ଼ିଆଙ୍କ ସହିତ ହୋଇଥିଲା ? ଜାଣିଛନ୍ତି ସୁପ୍ରିମ କୋର୍ଟର ପ୍ରଥମ ମକଦ୍ଦମା ଥିଲା ଓଡ଼ିଶା ସମ୍ବନ୍ଧୀୟ, କିନ୍ତୁ ଅନ୍ୟାୟ କରି ଓଡ଼ିଆଙ୍କୁ ସେମାନଙ୍କ ନାର୍ଯ୍ୟ ଦାବି ଦିଆଯାଇ ନଥିଲା ?
ହଁ ! ସର୍ବୋଚ୍ଚ ନ୍ୟାୟାଳୟର ସର୍ଵପ୍ରଥମ ମକଦ୍ଦମା ଥିଲା ଓଡ଼ିଆ ଜନତାଙ୍କର ସଂଖ୍ୟା ଗରିଷ୍ଠତାକୁ ନେଇ ‘ଷଢ଼େଇକଳାର ସ୍ୱତନ୍ତ୍ରତା ଦାବି’ । କିନ୍ତୁ ଯାଚିତାକର୍ତ୍ତା ରାଜା ଆଦିତ୍ୟ ପ୍ରତାପ ସିଂହଙ୍କର ରାଜପଦ ନ ରହିଵା ଯୋଗୁଁ କେଶ୍ ଖାରଜ ହୋଇଗଲା । ଏ କେଶ୍ ଥିଲା ଓଡ଼ିଆ ଜନତାଙ୍କର ସଂଖ୍ୟା ଗରିଷ୍ଠତା ଆଧାରରେ କିନ୍ତୁ ଆମ ଦେଶର ସର୍ଵୋଚ୍ଚ ନ୍ୟାୟାଳୟର ସର୍ଵପ୍ରଥମ ନ୍ୟାୟ କଣ ନ୍ୟାୟୋଚିତ ହୋଇଥିଲା କି ?
ଓଡ଼ିଆ ଭାଷା ସଂସ୍କୃତି ଆଧାରରେ ଓଡ଼ିଶା ରାଜ୍ୟ ହେଵା ଯେତେ ସୁଖଦ ଆଜି ଯାଏଁ “ଷଢ଼େଇକଳାର ସ୍ୱତନ୍ତ୍ରତା ଦାବି” ଅପୂରଣୀୟ ରହିଵା ସେତିକି ଦୁଃଖଦ । ସେତେବେଳେ ମୁଖ୍ୟ ବିଚାରପତି କିଏ ଥିଲେ ? ନ୍ଯାୟାଧୀଶ ହୀରାଲାଲ କାନିଆ ସେତେବେଳେ ସୁପ୍ରିମକୋର୍ଟର ମୁଖ୍ୟ ଵିଚାରପତି ଥିଲେ ।
୧୯୨୧ ଜନଗଣନା ସମୟରେ ଷଡ଼ୈକଳାରେ ଓଡ଼ିଆ ଭାଷୀ ୪୦୦୭୪ ଜଣ ଓ ହିନ୍ଦୀଭାଷୀ ୫୩୭୮ ଥିଲେ ଏଵଂ ୧୯୩୧ ଜନଗଣନା ସମୟରେ ଓଡ଼ିଆ ଭାଷୀ ୫୧୨୦୪ ଜଣ ତଥା ହିନ୍ଦୀଭାଷୀ ୧୦୨୨୬ ଜଣ ଥିଲେ । ଷଢ଼େଇକଳା ଓ ଖରସୁଆଁ ଓଡ଼ିଆଭାଷୀ ଅଞ୍ଚଳ ସମ୍ବନ୍ଧୀୟ କେଶ୍ ଚାଲିଵା ମଧ୍ୟରେ ରାଜତନ୍ତ୍ର ଵିଲୋପ ହେଲା । ନ୍ୟାୟ ମାଗିଥିଵା ରାଜା ଓ ତାଙ୍କର ରାଜ୍ୟ ରହିଲାନି । ସୁପ୍ରିମକୋର୍ଟର ବିଚାର ହେଲା ଯେ, ରାଜା ତ ନାହାନ୍ତି, ନ୍ୟାୟ ମିଳିଵ କାହାକୁ ? ଏହା ୬ ଏପ୍ରିଲ ୧୯୫୧ର ଘଟଣା । ତେବେ ପ୍ରୋକ୍ତ ଟେକ୍ନିକାଲ ଫଲ୍ଟ୍ ଆଧାରରେ କେଶ୍ ଖାରଜ ହେଲା ।
ଷଡ଼ୈକଳାରେ ରାଜା ନ ରହିଲେ ବୋଲି, ଓଡ଼ିଆ ଜନତାଙ୍କୁ ନିଜର ଭାଷା ସଂସ୍କୃତି ଠାରୁ ଵିଚ୍ଛିନ୍ନ କରି ପଡ଼ୋଶୀ ରାଜ୍ୟରେ ପରାଧୀନ କରି ରଖିଵା କ’ଣ ଗଣତନ୍ତ୍ରର ହତ୍ୟା ନୁହେଁ ?