ଇତିହାସ

ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ

ଲେଖା: ଅମ୍ବିକା ପଟ୍ଟନାୟକ
~ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ~
ଶ୍ରୀଜଗନ୍ନାଥ ଆମ ଅସ୍ମିତାର ପ୍ରତୀକ l ତାଙ୍କ ମନ୍ଦିର ଶ୍ରୀମନ୍ଦିର, ଦାଣ୍ଡ ବଡ଼ଦାଣ୍ଡ, ପ୍ରସାଦ ମହାପ୍ରସାଦ, ବାନା ପତିତପାବନ l ଧର୍ମଶାସ୍ତ୍ର, କିମ୍ବଦନ୍ତୀ ଅନୁସାରେ ଇନ୍ଦ୍ରଦ୍ୟୁମ୍ନ ଆଦ୍ୟ ମନ୍ଦିର ନିର୍ମାତା ଥିଲେ ହେଁ ବର୍ତ୍ତମାନ ଆମେ ଯେଉଁ ଶ୍ରୀବତ୍ସ ଖଣ୍ଡାଶାଳ ପ୍ରାସାଦ ଶ୍ରୀମନ୍ଦିର ଦେଖୁଛୁ ତାହା ଗଙ୍ଗବଂଶୀୟ ଅନନ୍ତ ବର୍ମା ଚୋଡ଼ଗଙ୍ଗଦେବ ଆରମ୍ଭ କରିଥିଲେ ଓ ଅନଙ୍ଗଭୀମଦେବ ସମ୍ପୂର୍ଣ୍ଣ କରିଥିଲେ ବୋଲି ଗବେଷକମାନେ କହନ୍ତି ଯଦିଓ ମାଦଳାପାଞ୍ଜି କହେ ଅନିୟଙ୍କ ଭୀମଦେବ ବା ଅନଙ୍ଗ ଭୀମଦେବ ଏହାର ନିର୍ମାତା l ମାଦଳାପାଞ୍ଜିରୁ ଆମେ ଏହା ମଧ୍ୟ ଜାଣୁ ଯେ ଶୋଭନ ଦେବଙ୍କ ରାଜତ୍ୱରେ ଯବନ ରକ୍ତବାହୁ ଆକ୍ରମଣ ଯୋଗୁଁ ଶ୍ରୀଜଗନ୍ନାଥଙ୍କୁ ସୋନପୁର ନିକଟସ୍ଥ ଗୋପାଳି କୋଟସମଲାଇ ଠାରେ ୧୪୪ ବର୍ଷ ପାତାଳି କରି ରଖାଯାଇଥିଲା l
ପୂଣ୍ୟଶ୍ଳୋକ ଯଯାତି କେଶରୀଙ୍କ ବିଷୟରେ ମାଦଳା ପାଞ୍ଜି କହେ, “ଏଠାରୁ କେଶରୀ ପାଟରାଜା ହୋଇଥିଲେ l ପ୍ରଥମ ପାଟ ଯଯାତିକେଶରୀ ହୋଇଲେ l ଏ ରାଜା ବଡ଼ ଶୂରବନ୍ତ ମହାଦାନୀ l ଏ ମହାରାଜଙ୍କ ୧୧ ଅଙ୍କେ ସନ୍ୟାସୀ ବ୍ରହ୍ମଚାରୀ ବ୍ରାହ୍ମଣ ମାନଙ୍କୁ ପଚାରିଲେ ଓଡ଼ିଶା ରାଜାର ପ୍ରଭୁ ଯେ ଶ୍ରୀଜଗନ୍ନାଥ ସେ କାହିଁ ଛନ୍ତି l ସେମାନେ କହିଲେ ମୁଗଲ ଗୋଳ ଅଇଲାକୁ ସୋମୋଦ୍ର ମାଡ଼ି ଅଇଲାକୁ ଅପାର ଦିନ ହୋଇଲା l ଶ୍ରୀ ପରମେଶ୍ୱରଙ୍କୁ ପାତାଳି କରି ସୁନୁପୁର ଆଡ଼େ କଉଁଠାରେ ବିଜେ କରାଇଲେ ଗାଁତଵ ନାହିଁ l ଏହା ଶୁଣି ମହାରାଜା ସୁନୁପୁର ଗଲେ l ସେଠାକାର ଖଣ୍ଡାଇତଙ୍କୁ ପଚାରିଲେ l ସେମାନେ କହିଲେ ଆମେ ଗାଁତଵ ନୋହୁ l ଆମ୍ଭ ବାପଅଜା କହନ୍ତି ଦିଅବର ଏହି l ଏଥି ତଳେ ଦିଅଁଙ୍କୁ ପୋତିଥିଲେ l ଏହାଶୁଣି ରାଜା କଟୁରିଆ ବ୍ରାହ୍ମଣଙ୍କୁ ଅଣାଇ ସେ ଗଛ କଟାଇ ଖୋଳାଇଲେ l ପରମେଶ୍ୱରଙ୍କୁ ବାହାର କଲେ l ସେ ବିଜେ ଶ୍ରୀମୂର୍ତ୍ତି ମାନ ମାଟି ଖାଇ ଛିନ୍ନଭିନ୍ନ ହୋଇଛନ୍ତି l ଦେଅମାନଙ୍କୁ ଲୁଗା ଗୁଡ଼ିଆଇ ମୁଣାରେ ପୁରାଇ ମୁଦାଇଲେ l ଏ ଉତ୍ତାରୁ ଦଇତାପତିଙ୍କୁ ଲୋଡ଼ାଇଲେ l ଦଇତା ମାନେ ବିରିବନ୍ଧରେ ଥିଲେ l ପତିମାନେ ରତନପୁର ସୀମାରେ ଥିଲେ l ଏମାନଙ୍କୁ ଅଣାଇ ଵିଧିପତ୍ର ପ୍ରମାଣେ ଦାରୁ ଛେଦନ କରାଇ ପରମେଶ୍ୱରଙ୍କୁ ସୁମୂର୍ତ୍ତି କରାଇଲେ ***** ଶ୍ରୀପୁରୁସୋତମେ ସଙ୍ଖନାଭି ମଣ୍ଡଳରେ ୩୮ ହାତ କରି ପଟୋଳ ଗୋଟିଏ ତୋଳି ପ୍ରତିଷ୍ଠା କରି ପରମେଶ୍ୱରଙ୍କୁ ବିଜେ କରାଇଲେ l
ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ବାବଦରେ ଦ୍ଵିତୀୟ ପାଞ୍ଜି କହେ – “ଏ ଉତ୍ତାରୁ ରାଜା ଦେଉଳ ଗୋଟିଏ ସୁଭ କଲେ l ୩୮ ହାତକରି ଦେଉଳ କି ଗୋଟିଏ ପ୍ରତିଷ୍ଠା କରି ପରମେଶ୍ୱରଙ୍କୁ ବିଜେ କରାଇଲେ l ****** ଏହି ଦିନେ ବିମଳାଙ୍କ ଦେଉଳ ୧୮ ହାତ ମାପରେ ତୋଳାଇଲେ l ଏହି ମାପରେ ପରମ ଲଷ୍ମୀ ଦେଉଳ ତୋଳାଇଲେ l****”
ତେବେ ମାଦଳାପାଞ୍ଜି ବାରମ୍ବାର ପୁନର୍ବାର ଲିଖିତ ହୋଇଥିବାରୁ ପରବର୍ତ୍ତୀ କାଳ ଶବ୍ଦ ଯଥା “ମୁଗଲ”, “ଡିଲି ପାତିଶା”, “ଟଙ୍କି” ସବୁ ଅନୁପ୍ରବେଶ କରିଛି l ରକ୍ତବାହୁକୁ କିଛି ଗବେଷକ ସପ୍ତମ/ଅଷ୍ଟମ ଶତାବ୍ଦୀର ରାଷ୍ଟ୍ରକୁଟ ରାଜା ଗୋବିନ୍ଦ ତୃତୀୟଙ୍କ ସହ ଯୋଗ କରନ୍ତି l ତଥ୍ୟ ଅନୁସାରେ ଶ୍ରୀମଦ ଆଦି ଶଙ୍କର ଶ୍ରୀଜଗନ୍ନାଥଙ୍କ ପୁନରାବିର୍ଭାବ ସହ ଜଡିତ l
ଶ୍ରୀଜଗନ୍ନାଥ ସୁନୁପୁରରେ ପାତାଳି ଥିବା ସମୟରେ ପୁରୀ ଶ୍ରୀହୀନ ହୋଇଥିବ ଏବଂ ସମୁଦ୍ର ଗ୍ରାସରେ ପୁରୁଣା ମନ୍ଦିର ଯାଇଥିବ l ଏଣୁ ଯଯାତିକେଶରୀ ୩୮ ହାତ ଉଚ୍ଚ ଦେଉଳ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଚୋଡ଼ ଗଙ୍ଗଦେବ / ଅନଙ୍ଗଭୀମ ଦେବ ବର୍ତମାନର ବିଶାଳ ମନ୍ଦିର ନିର୍ମାଣ କରିଥିଲେ l
ତେବେ ପ୍ରଶ୍ନ ହେଲା ଯଯାତିକେଶରୀ ନିର୍ମିତ ମନ୍ଦିର କ’ଣ ହେଲା? ତାହା ଉପରେ କଣ ଏ ନୂଆ ମନ୍ଦିର ହୋଇଛି ? ସମ୍ଭବତଃ ଯଯାତି କେଶରୀଙ୍କ ମନ୍ଦିରର କିଛି ଅଂଶ ବର୍ତମାନ ସୁଦ୍ଧା ବିଦ୍ୟମାନ l ଜଗମୋହନ ଉତ୍ତର ପାର୍ଶ୍ୱରେ ଯୋଉଠି ରତ୍ନଭଣ୍ଡାର ଅଛି ବୋଲି କହନ୍ତି l ଚିତ୍ରରେ ଲାଲ ପତାକା ଚିହ୍ନ ଦ୍ରଷ୍ଟବ୍ୟ l
ବର୍ତମାନ ଏ ସ୍ଥାନ ପାଇପ ଦ୍ଵାରା ବାଡ଼ ଘେରାଯାଇଛି ଏବଂ ଏ ସ୍ଥାନରେ ଦୀପ ଦିଆଯାଏ l ପ୍ରାୟ ଚାରିଫୁଟ ଉଚ୍ଚ ଓ କୋଡ଼ିଏ ଫୁଟ ଲମ୍ବର ଏକ ପ୍ରାଚୀନ ମନ୍ଦିରର ଭିତ୍ତି ଉପରେ ଧଳାଚୂନ ଲିପା ଏକ ମନ୍ଦିର l ମହାଲକ୍ଷ୍ମୀ ମନ୍ଦିର ନିକଟରେ ଠିଆ ହୋଇ ଦକ୍ଷିଣ ଦିଗକୁ ମୁହଁ କଲେ ଆମେ ଏ ଭିତ୍ତି ଦେଖି ପାରିବା l ଏଇ ପ୍ରାଚୀନ ମନ୍ଦିର ଭିତ୍ତି କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ବି ପ୍ରାଚୀନ ବୋଲି ଜଣାଯାଏ l ନାଗବନ୍ଧ ମୂର୍ତ୍ତି ଅଙ୍କିତ l ଏବଂ ତଳ ଧାଡ଼ିରେ ଜଣେ ରାଜାଙ୍କ ଏକକ ମୂର୍ତ୍ତି କେତୋଟି ଅଙ୍କିତ l ଖୁଵ ସମ୍ଭବ ଏହା ରାଜା ଯଯାତିଙ୍କ ପ୍ରତିମୂର୍ତ୍ତି l
ମାଦଳାପାଞ୍ଜିର ଦ୍ଵିତୀୟ ଭାଗ ଅନୁଯାୟୀ ରାଜା ଯଯାତିକେଶରୀ ପରମଲଷ୍ମୀ ମନ୍ଦିର ମଧ୍ୟ ନିର୍ମାଣ କରିଥିଲେ l ବର୍ତମାନର ମହା ଲଷ୍ମୀ ମନ୍ଦିର ଯଦି ସେଇ ପରମ ଲକ୍ଷ୍ମୀ ମନ୍ଦିର ହୋଇଥାଏ ତେବେ ଗର୍ଭଗୃହ ଉତ୍ତର ପାର୍ଶ୍ୱରେ ପାର୍ଶ୍ୱଦେବୀଙ୍କ ଠିକ ତଳେ ଆଠଇଞ୍ଚ କୁ ପ୍ରାୟ ସାଢ଼େ ଚାରିଫୁଟର ଏକ ଫ୍ରେମ ଅଛି l ସିଂହାସନରେ ବସି ରାଜା ନିରୀକ୍ଷଣ କରୁଛନ୍ତି l ପଦାତିକ, ଅଶ୍ୱାରୋହୀ ଓ ଗଜାରୋହୀ ସୈନ୍ୟ ସାମନ୍ତ ବୋଧେ ରାଜାଙ୍କୁ ବିଜୟ ବାର୍ତ୍ତା ଜଣାଉଛନ୍ତି l ଏ ରାଜା ମଧ୍ୟ ଯଯାତିକେଶରୀ ହୋଇ ପାରନ୍ତି l
Images: Social Media, Wikipedia, Cuttack Puja Festivals FB Page, Ama Puri FB Page
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago