ଲେଖା: ଶ୍ରୀକାନ୍ତ ସିଂହ
~ ଶ୍ରୀଗୋପୀନାଥ ମନ୍ଦିର ~
ଓଡ଼ିଶାରେ ଗଙ୍ଗବଂଶୀ ଶାସକଙ୍କ ଶାସନ ସମୟକୁ ସୁବର୍ଣ୍ଣଯୁଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ l ଗଙ୍ଗବଂଶୀ ଶାସନ ସମୟରେ ଓଡ଼ିଶାରେ ବା ତତ୍କାଳୀନ ଉତ୍କଳ ପ୍ରଦେଶରେ ବୈଷ୍ଣବୀୟ ଧର୍ମଧାରା ତଥା ସଂସ୍କୃତିର ପ୍ରଚାର ଓ ପ୍ରସାର ଚରମ ଶିଖରରେ ପହଞ୍ଚି ପାରିଥିଲା l
ସମୟକ୍ରମେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶୈବମନ୍ଦିର ସହିତ ତାଳ ଦେଇ ବୈଷ୍ଣବୀୟ ମଠ ଓ ମନ୍ଦିରମାନ ଗଢ଼ି ଉଠିଥିଲା l ଏହି କ୍ରମରେ ରାଜ୍ୟରେ ଅନେକ ଗୁଡ଼ିଏ ବୈଷ୍ଣବ ମାଧବ ମନ୍ଦିର, ଜଗନ୍ନାଥ ମନ୍ଦିର ଓ କୃଷ୍ଣ ମନ୍ଦିରମାନ ନିର୍ମାଣ ହୋଇଥିଲା l ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରେ ନୂଆ ସୋମେଶ୍ୱରପୁର ଏକ ଗାଁ ଆଉ ଏହି ଗାଁରେ ରହିଛି ଗୋପୀନାଥଙ୍କ ଏକ ପ୍ରାଚୀନ ଓ କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିର – ଶ୍ରୀଗୋପୀନାଥ ମନ୍ଦିର l
ଏହି ଶ୍ରୀଗୋପୀନାଥ ମନ୍ଦିର ତ୍ରୟୋଦଶ ଶତାବ୍ଦୀର ଶେଷ ଭାଗ ବା ଚତୁର୍ଦ୍ଦଶ ଶତାବ୍ଦୀର ପ୍ରାରମ୍ଭ କାଳରେ ନିର୍ମାଣ ହୋଇଥିବା ଜଣାଯାଏ l ସତ୍ୟବାଦୀର ସାକ୍ଷୀଗୋପୀନାଥ ମନ୍ଦିର ନିର୍ମାଣର ବହୁ ପୂର୍ବରୁ ଏହି ମନ୍ଦିରଟି ନିର୍ମାଣ ହୋଇଛି l ଯାହା ସାକ୍ଷୀଗୋପାଳ ମନ୍ଦିର ଠାରୁ ମାତ୍ର ଚାରି ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ l କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ମନ୍ଦିରଟି ଅପୂର୍ଵ କାରୁକାର୍ଯ୍ୟରେ ବିମଣ୍ଡିତ l
ଶ୍ରୀଗୋପୀନାଥ ମନ୍ଦିର ପ୍ରବେଶ ପଥରେ ଦୁଇଟି ଉଦ୍ୟତ ସିଂହ ମୂର୍ତ୍ତି ରହିଛି l ସିଂହ ମୂର୍ତ୍ତି ଦୁଇଟିର ଗଢ଼ଣ ଓ ନିର୍ମାଣକୁ ଦେଖିଲେ ଯେ କେହି ସ୍ତମ୍ଭିଭୂତ ହେବା ସ୍ୱାଭାବିକ l ଉଭୟ ସିଂହ ମୂର୍ତ୍ତି ମଧ୍ୟ ଭାଗରେ ପାଞ୍ଚଗୋଟି ପାହାଚ, ଆଉ ଏହି ପାହାଚ ଉପରେ ଏକ ଖୋଲା ମଣ୍ଡପ l ମଣ୍ଡପ ପରେ ଜଗମୋହନ ଓ ଜଗମୋହନ ପରେ ମନ୍ଦିର ଗର୍ଭଗୃହ ବା ବିମାନ l
ମନ୍ଦିର ବିମାନଟି ପଞ୍ଚରଥ ଶୈଳୀରେ ନିର୍ମିତ l ଅତିବେଶୀରେ ଚାଳିଶରୁ ପଚାଶ ଫୁଟ ଉଚ୍ଚ ହେବ ଓ ପୁରୀ ଶ୍ରୀ ମନ୍ଦିର ପରି ଦୃଶ୍ୟମାନ ତଥା ଅନନ୍ୟ ସୁକ୍ଷ୍ମ କାରୁକାର୍ଯ୍ୟରେ ପରିପୂର୍ଣ୍ଣ l ବିମାନର ନିମ୍ନ ଭାଗରେ ଅନେକ ଗୁଡ଼ିଏ ଗଜବିଡ଼ାଳ, ସଖି ଓ ନର୍ତ୍ତକୀଙ୍କ ମୂର୍ତ୍ତି ଖୋଦିତ ହୋଇଛି ଯାହାକି ମନ୍ଦିରର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରେ l
ମୂଳ ବିମାନରେ ପାର୍ଶ୍ଵ ଦେବତା ରୂପେ ବରାହ, ନୃସିଂହ ଓ ବାମନ ଦେବତା ବିରାଜମାନ କରିଛନ୍ତି l ମନ୍ଦିରଟିର ଜଗମୋହନ ଓ ବିମାନରେ ଅଦ୍ଵିତୀୟ ସୁକ୍ଷ୍ମ କାରୁକାର୍ଯ୍ୟମାନ ଦୃଷ୍ଟି ଗୋଚର ହୁଏ l ଜଗମୋହନର ଦକ୍ଷିଣପାର୍ଶ୍ୱ ଉପରିଭାଗରେ କୌଣସି ସମ୍ରାଟଙ୍କର ଯୁଦ୍ଧ ଅଭିଯାନର ଏକ ପ୍ରତିକୃତି ଖୋଦିତ ହୋଇଛି, ଯାହାକି ଖୁବ୍ ସୁନ୍ଦର କାରୁକାର୍ଯ୍ୟ ବିଶିଷ୍ଟ l
(ଯୁଦ୍ଧ ଅଭିଯାନର ଏକ ପ୍ରତିକୃତି)
ଶ୍ରୀଗୋପୀନାଥ ମନ୍ଦିର ଗର୍ଭଗୃହର ମୁଖ୍ୟ ଦେବତା ହେଉଛନ୍ତି ଶ୍ରୀକୃଷ୍ଣ ଗୋପୀନାଥ l ତ୍ରିଭଙ୍ଗୀ ଠାଣୀରେ ଦଣ୍ଡାୟମାନ ଓ ଉଭୟ ହସ୍ତରେ ବଂଶୀ ବାଦନରତ l ଗୋପୀନାଥଙ୍କ ଏହି ଲାବଣ୍ୟ ମୂର୍ତ୍ତିଟି କଳା ମୁଗୁନି ପଥରରେ ନିର୍ମିତ ଓ ଉଚ୍ଚତାରେ ପ୍ରାୟ ଚାରି ଫୁଟ ହେବ l
ଏହି ଦିବ୍ୟ ପ୍ରତିମାଙ୍କ ପାଦଦେଶରେ ଉର୍ଦ୍ଧ୍ୱମୁଖ ଗୋ’ବତ୍ସା ଦଣ୍ଡାୟମାନ ଥିବାବେଳେ ମସ୍ତକର ଉଭୟ ପାର୍ଶ୍ୱରେ, ହସ୍ତରେ ପୁଷ୍ପମାଲ୍ୟ ଧରି ଉଡ୍ଡୀୟମାନ କିନ୍ନର ଓ ଅପ୍ସରା ରହିଛନ୍ତି l ଏଥି ସହ ମସ୍ତକ ଉପରେ ପ୍ରସ୍ଫୁଟିତ ପୁଷ୍ପ ଭରା କଦମ୍ବ ଶାଖା, ମୂର୍ତ୍ତିର ସୌନ୍ଦର୍ଯ୍ୟକୁ ଆହୁରି ମହିମାମଣ୍ଡିତ କରୁଛି l ଗୋପୀନାଥଙ୍କ ଏହି ମୂର୍ତ୍ତିଟି ଓଡ଼ିଶୀ ମୂର୍ତ୍ତିକଳାର ଏକ ଅନନ୍ୟ ଉଦାହରଣ l
ଶ୍ରୀଗୋପୀନାଥ ମନ୍ଦିର ଜଗମୋହନ ସମୁଖସ୍ଥ ମଣ୍ଡପର ନିମ୍ନ ଚତୁଃପାର୍ଶ୍ୱରେ ଖୋଦିତ ‘ରେଖମୁଣ୍ଡି’ର ନିର୍ମାଣ ଯାହାକି ଅନେକ ଗୁଡ଼ିଏ ଛୋଟ ଛୋଟ ମନ୍ଦିରର ଭ୍ରମ ସୃଷ୍ଟି କରେ l ଏହିପରି କାରୁକାର୍ଯ୍ୟପୂର୍ଣ୍ଣ ମଣ୍ଡପ, ଅନ୍ୟତ୍ର ଦେଖିବା ପ୍ରାୟ ବିରଳ l
ସାକ୍ଷୀଗୋପାଳ ମନ୍ଦିରକୁ ଦିଅଁ ଦର୍ଶନ ଓ ଭ୍ରମଣରେ ଆସୁଥିବା ଜନସାଧାରଣ ଆଉ ମାତ୍ର ପାଞ୍ଚ କିଲୋମିଟର ଦୂର ଅତିକ୍ରମ କଲେ କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏହି ଅନନ୍ୟ ଶ୍ରୀଗୋପୀନାଥ ମନ୍ଦିର କୀର୍ତ୍ତି ଓ କୃତିକୁ ସଂଦର୍ଶନ କରିପାରନ୍ତେ l
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago