ଲେଖା: ଶିଶିର ସାହୁ ମନୋଜ
ଶ୍ରୀଵିଷ୍ଣୁଙ୍କର ଅଷ୍ଟମ ଅଵତାର ଶ୍ରୀକୃଷ୍ଣ ନାମରେ ଵିଖ୍ଯାତ ଅଟନ୍ତି । ଏହାଙ୍କର ଏଭଳି ନାମକରଣକୁ ନେଇ ନାନାମତ ପ୍ରଚଳିତ । ନିମ୍ନରେ ଉକ୍ତ ମତଗୁଡି଼କ ଵିଷୟରେ ଆଲୋଚନା କରାଗଲା ।
୧. ଶ୍ରୀକୃଷ୍ଣଙ୍କ ଶରୀରର ଵର୍ଣ୍ଣ କଳା ଥିଲା ।
ଅନେକଙ୍କ ମତରେ କୃଷ୍ଣ ଶ୍ଯାମଳଵର୍ଣ୍ଣ ଥିଲେ ତେଣୁ ସେ ଶ୍ରୀକୃଷ୍ଣ ବୋଲାଇଲେ । କୃଷ୍ଣ ଶବ୍ଦର ଏକ ଅର୍ଥ କଳାରଙ୍ଗ ହୋଇଥିଵାରୁ ଏଭଳି ମତ ଲୋକପ୍ରିୟ ହୋଇଅଛି । ଶଵର ଦେଵତା ଜଗନ୍ତା କିତୁଙ୍ଗ୍’ଙ୍କ ଵର୍ଣ୍ଣ କଳା ଥିଵାରୁ ସେହି କଳିଙ୍ଗ ରାଷ୍ଟ୍ରଦେଵତା ଶ୍ରୀଜଗନ୍ନାଥ ମଧ୍ୟ ଶ୍ରୀକୃଷ୍ଣ ଭାଵେ ପୂଜା ପାଉଅଛନ୍ତି । କୃଷ୍ଣ ଶବ୍ଦର କଳାରଙ୍ଗ ଅର୍ଥକୁ ଆଧାର କରି ଅନେକ ଜୀଵ, ଅଙ୍ଗ ତଥା ଦ୍ରଵ୍ଯଗୁଡି଼କର ନାମ ମଧ୍ୟ ସେସମସ୍ତର କଳାରଙ୍ଗ ହେତୁ କୃଷ୍ଣ ରଖାଯାଇଛି, ଯଥା—
✓କୃଷ୍ଣସାର ମୃଗ
✓ମାସର କୃଷ୍ଣପକ୍ଷ ଵା ଅନ୍ଧାର ପକ୍ଷ
✓ଅନ୍ଧକାର
✓କଜ୍ଜ୍ବଳ
✓କଳାମରିଚ
✓ଆଖିର କଳାଡ଼ୋଳା
✓କୋକିଳ
✓କାକ
✓କୃଷ୍ଣଚନ୍ଦନ(ଅଗୁରୁ ଚନ୍ଦନ)
✓କଳିଯୁଗ(ଏ ଯୁଗଦେଵତାଙ୍କ ଵର୍ଣ୍ଣ କଳା କଳ୍ପିତ)
✓ସୀସା(leadର ଏକ ଶାସ୍ତ୍ରୀୟ ନାମ କୃଷ୍ଣ)
✓କୃଷ୍ଣଦୌପାୟନ(ଵ୍ଯାସଦେଵଙ୍କ ଵର୍ଣ୍ଣ କଳା ଥିଵା ଲୋକଵିଶ୍ଵାସ ରହିଛି)
ଆଦି…
୨. ଶ୍ରୀକୃଷ୍ଣ ଗାଢ଼ ନୀଳଵର୍ଣ୍ଣର ଥିଲେ ତେଣୁ ତାଙ୍କ ନାମ କୃଷ୍ଣ ହୋଇଛି ।
ଗାଢ଼ ନୀଳବର୍ଣ୍ଣକୁ ମଧ୍ଯ ଶାସ୍ତ୍ରୀୟ ସଂସ୍କୃତ ଭାଷାରେ କୃଷ୍ଣ କୁହାଯାଏ । କେତେକ ଲୋକଙ୍କ ଵିଶ୍ଵାସ ଯେ ଶ୍ରୀକୃଷ୍ଣ ଘନନୀଳ ଵର୍ଣ୍ଣର ମହାମାନଵ ଥିଲେ ଫଳରେ ତାଙ୍କ ନାମ କୃଷ୍ଣ ଶବ୍ଦର ଗାଢ଼ନୀଳଵର୍ଣ୍ଣ ଅର୍ଥରେ ଶ୍ରୀକୃଷ୍ଣ ହୋଇଅଛି ।
୩. ଶ୍ରୀକୃଷ୍ଣ ଅନ୍ଧକାର ପକ୍ଷରେ ରାତ୍ରିର ମଧ୍ଯକାଳରେ ଜନ୍ମଲାଭ କରିଥିଲେ ତେଣୁ ତାଙ୍କର ନାମ କୃଷ୍ଣ ହୋଇଛି । ଶ୍ରୀକୃଷ୍ଣଙ୍କ ଜନ୍ମଦିଵସକୁ ନେଇ ସନାତନୀଙ୍କ ମଧ୍ୟରେ ମତ ପାର୍ଥକ୍ୟ ରହିଛି । ସାଧାରଣତଃ ସର୍ଵଭାରତୀୟ ସ୍ଥରରେ ଭଦ୍ର କୃଷ୍ଣାଷ୍ଟମୀ ଅର୍ଦ୍ଧରାତ୍ର ସମୟରେ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ପାଳିତ ହୁଏ । କିନ୍ତୁ ଶ୍ରୀଵିଷ୍ଣୁପୁରାଣରେ ଶ୍ରୀକୃଷ୍ଣଙ୍କ ଜନ୍ମ ଶ୍ରାଵଣ ମାସ କୃଷ୍ଣ ଅଷ୍ଟମୀରେ ହୋଇଥିଵା ଉଲ୍ଲେଖ ଅଛି। ମୁଖ୍ଯ ମାସ ଓ ଗୌଣ ଚାନ୍ଦ୍ରମାସ ଗଣନା ଏ ପ୍ରଭେଦର କାରଣ ଥିବାର ଜଣାଯାଏ । ତେଵେ ଶ୍ରୀକୃଷ୍ଣ ଅନ୍ଧକାର ପକ୍ଷରେ ଜନ୍ମ ଲାଭ କରିଥିଵାରୁ ତାଙ୍କୁ ଏଭଳି ନାମ ମିଳିଥିଵା କେତେକ ଲୋକ ମତଦିଅନ୍ତି ।
୪. ଶ୍ରୀଭଗଵାନ ଗାଢ଼ ଲୋହିତ ଵର୍ଣ୍ଣ ଥିଲେ ତେଣୁ ତାଙ୍କର ନାମ ଶ୍ରୀକୃଷ୍ଣ ହେଲା ।
ଶ୍ରୀକୃଷ୍ଣ ହେଉଛନ୍ତି ଶ୍ରୀହରିଙ୍କ ଅଷ୍ଟମ ଅଵତାର । ଶ୍ରୀହରି ସର୍ଵଦା ଶ୍ରୀହରଙ୍କୁ ଧ୍ୟାନ କରୁଥିଲେ ଏଵଂ ଶ୍ରୀହର ମଧ୍ୟ ଶ୍ରୀହରିଙ୍କୁ ସମଭାଵରେ ଧ୍ୟାନ କରୁଥିଵାର ଲୋକଵିଶ୍ଵାସ ପ୍ରଚଳିତ । ଉଭୟ ଉଭୟଙ୍କୁ ଧ୍ଯାନ କରୁଥିଵାରୁ ସେମାନେ ପରସ୍ପରର ରଙ୍ଗ ଆହରଣ କରିଥିଲେ ବୋଲି କେତେକ ଧର୍ମପ୍ରଵଚକ ମତ ଦିଅନ୍ତି । ଶ୍ରୀହରଙ୍କର ପ୍ରକୃତ ଵର୍ଣ୍ଣ ଗାଢ଼ ଲୋହିତ ଵର୍ଣ୍ଣ ତେଣୁ ତାହା ଶ୍ରୀହରି ତାଙ୍କର ଅଷ୍ଟମ ଅଵତାରରେ ଗ୍ରହଣ କରିନେଇ ଜନ୍ମଲାଭ କରିଥିଲେ । କୃଷ୍ଣ ଶବ୍ଦର ଲୌହ ଓ ଅଗ୍ନି ଅର୍ଥରେ ଆମେ ଏହି ଗାଢ଼ ଲୋହିତ ଵର୍ଣ୍ଣର କ୍ଷୀଣ ନିଦର୍ଶନ ପାଇଥାନ୍ତି । ଏ ଉଭୟ ଲୋହିତ ଵର୍ଣ୍ଣଯୁକ୍ତ ଅଟନ୍ତି ।
୫. ଶ୍ରୀକୃଷ୍ଣ ଏକ ନାମଵାଚକ ଶବ୍ଦ ତେଣୁ ନିରୁକ୍ତି ଅନୁସାରେ ଏଭଳି ନାମକରଣ ହୋଇଛି ।
ଶ୍ରୀକୃଷ୍ଣଙ୍କ ନାମଵାଚକ ଏହି ‘କୃଷ୍ଣ’ ଶବ୍ଦକୁ କୃଷ ଵା କୃଷ୍ ଧାତୁରୁ ନିଷ୍ପନ୍ନ କରାଯାଇଛି ଯାହାର ନିମ୍ନଲିଖିତ ଅର୍ଥରେ ଵ୍ଯଵହାର ହୋଇଥାଏ
✓କର୍ଷଣ କରିଵା; ଚଷିଵା
✓ଜୟ କରିଵା
✓ଆକର୍ଷଣ କରିଵା
✓ଟାଣିଵା
✓ଚିହ୍ନକରିଵା
✓ମର୍ଦ୍ଦନ କରିଵା
✓ଡାକିଵା
✓ନିର୍ଗତ କରିଵା
✓ରକ୍ଷା କରିଵା
✓ଵର୍ଷିଵା
ଶ୍ରୀକୃଷ୍ଣ ସେହି ପ୍ରଭୁ ଯିଏ ପାପୀଙ୍କୁ ଜୟକରି ସେମାନଙ୍କ ମର୍ଦ୍ଦନ ତଥା ସାଧୁ ରକ୍ଷା ନିମନ୍ତେ ଅଵତାର ନେଇଥିଲେ । ଭଗଵାନ ଏକଥା ନିଜେ ଅର୍ଜୁନଙ୍କୁ ଗୀତାର ଚତୁର୍ଥ ଅଧ୍ୟାୟରେ କହିଛନ୍ତି —
“ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ,
ଅଭ୍ୟୁଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ ।
ପରିତ୍ରାଣାୟ ସାଧୁନାମ୍, ବିନାଶାୟ ଚ ଦୁଷ୍କୃତାଂ
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ ଯୁଗେ ଯୁଗେ ।।”
ଶ୍ରୀକୃଷ୍ଣ ସବୁଵେଳେ ଆକର୍ଷକ । ତାଙ୍କର ଆକର୍ଷଣ ଵିଷୟରେ ଆମେ ମହାଭାରତର ଅତିରିକ୍ତ ଉଚ୍ଛିଷ୍ଟ ଭାଗ ହିରଵଂଶପର୍ଵ ଵା ପୁରାଣରେ ଵର୍ଣ୍ଣିତ କୃଷ୍ଣଚରିତରୁ ସହଜରେ ହୃଦୟଙ୍ଗମ କରିପାରିଵା । ଓଡ଼ିଆ ଭାଷାରେ ଲେଖାଯାଇଥିଵା ମଥୁରାମଙ୍ଗଳ କାଵ୍ଯରେ ସେଇକଥା ସହଜରେ କୁହାଯାଇଛି ।
ଏଇଭଳି ଭାଵେ ଭଗଵାନ ଶ୍ରୀକୃଷ୍ଣ ସବୁଵେଳେ ତାଙ୍କ ଭକ୍ତଙ୍କୁ ଭାଵର ସାଗର ପାଖରେ ସନ୍ତରଣ ହେତୁ ଡକାନ୍ତି ହେଲେ ପ୍ରାଣୀ ମାତ୍ରକେ ମାୟା ବନ୍ଧନରୁ ମୁକୁଳି ପାରିଲେ ତ ? ତେଵେ ପ୍ରକୃତ ଭକ୍ତ ସବୁ ଵାଧାଵିଘ୍ନକୁ ଏଡେ଼ଇ ଦେଇ ଭଗଵାନଙ୍କ ନିକଟକୁ ଟାଣି ହୋଇ ଯାଏ । ଆଉ ଯେତେଵେଳେ ଭକ୍ତ ଓ ଭଗଵାନଙ୍କ ଭାଵମିଳନ ହୁଏ ସେତେଵେଳେ ଯେଉଁ ଭକ୍ତିରସ ନିର୍ଗତ ହୁଏ ତାକୁ ହିଁ ରାସ କୁହାଯାଏ ।
ସଂସାରୀ ଵାସ୍ତୁଵାଦୀ ଲୋକେ ଏଭଳି ଉଚ୍ଚ ଆଧ୍ଯାତ୍ମିକ ଵିଚାରକୁ ଅତିଶୟୋକ୍ତି ଭାଵିପାରନ୍ତି କିନ୍ତୁ ଶ୍ରୀକୃଷ୍ଣଙ୍କ ନାମର ନିରୁକ୍ତି ମଧ୍ୟରେ ଏସବୁ ତଥ୍ୟ ଲୁକ୍କାୟିତ ରହିଛି । ଏହି ଶବ୍ଦ ମଧ୍ୟରେ ଥିଵା ଆଧ୍ଯାତ୍ମିକ ସନ୍ଦେଶକୁ ଜାଣିଵା ପାଇଁ ଅନୁଭଵ ତଥା କାର୍ଯ୍ୟରେ ପରିଣତ କରିଵା ପାଇଁ ବୋଧହୁଏ ଆମକୁ ଆମ ପୂର୍ଵଜ କୃଷ୍ଣନାମ ଜପର ଉପଦେଶ ଦେଇ ଆସିଛନ୍ତି ।
“ଶ୍ରୀକୃଷ୍ଣ ଜଗଦୀଶ ଜୟ ଜୟ ଶ୍ରୀଜଗନ୍ନାଥ ହରେ ।”