ଲେଖା: ତ୍ରିଲୋଚନ ସ୍ୱାଇଁ
~ ଶୁକ୍ଳେଶ୍ଵର ଗ୍ରାମର ପ୍ରାଚୀନ ଭଗବତୀପୀଠ ~
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ସୂର୍ଯ୍ୟଙ୍କ ସୁନେଲି କିରଣରେ ଉଦ୍ଭାସିତ ପୌଷ ମାସର ଶୀତୁଆ ସକାଳ l ମନ ଓ ପ୍ରାଣରେ ଅହେତୁକ ଉନ୍ମାଦନା ଓ ଅପୂର୍ଵ ସତେଜତା l ଆମେ କେତେଜଣ ଐତିହ୍ୟାନୁରାଗୀ କଟକ, ଜଗତପୁର ଗୋଲେଇ ଛକ ନିକଟରୁ ଆମ ଆରମ୍ଭ କଲୁ l ଉଦ୍ଦେଶ୍ୟ ଥିଲା କଟକ ସହର ଠାରୁ ଅଳ୍ପ କିଛି ଦୂରତା ମଧ୍ୟରେ ଥିବା କେତୋଟି ସୁପ୍ରାଚୀନ ତଥା ଅନାଲୋଚିତ ଐତିହାସିକ କୀର୍ତ୍ତିରାଜିକୁ ଅତି ନିକଟରୁ ଦେଖିବା l
(ମା’ ଭଗବତୀ)
(ଖଣ୍ଡା ଖର୍ପର ଧାରିଣୀ ସିଂହ ବାହିନୀ)
(ପାଦପଦ୍ମରେ ବାହନ ସିଂହ ଶାନ୍ତ ମୁଦ୍ରାରେ ବିରାଜମାନ)
ଆମ ଯାତ୍ରାର ପ୍ରଥମ ଚରଣ ଥିଲା କଟକ ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଶୁକ୍ଳେଶ୍ଵର ଗ୍ରାମର ପ୍ରାଚୀନ ଭଗବତୀପୀଠ ଓ ଭଗ୍ନ ତଥା ଜରାଜୀର୍ଣ୍ଣ ମାଣିକେଶ୍ବର ଶିବ ମନ୍ଦିର l ପତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ବିଚାର କଲେ ଶୁକ୍ଳେଶ୍ଵର ଗ୍ରାମର ପ୍ରାଚୀନ ଭଗବତୀପୀଠ ଓ ମାଣିକେଶ୍ବର ଶିବ ମନ୍ଦିରର ବହୁ ଐତିହାସିକ ଗୁରୁତ୍ୱ ରହିଛି l ନବମ ଶତାବ୍ଦୀରେ, ଭୌମକର ଶାସକଙ୍କ ଶାସନ ସମୟରେ ଏହି ମନ୍ଦିରଟି ନିର୍ମାଣ ହୋଇଥିବା ଜଣାଯାଏ l
ଭୂମି ପତ୍ତନ ଠାରୁ ମାତ୍ର ଦଶ ବାର ହାତ ଉଚ୍ଚତା ପର୍ଯ୍ୟନ୍ତ ହିଁ ମନ୍ଦିରର ଭଗ୍ନାବଶେଷ ଯାହା ବଞ୍ଚି ରହିଛି l ମନ୍ଦିର ଗର୍ଭ ଗୃହରେ ସର୍ପାବୃତ୍ତ ଏକ ବୃତ୍ତାକାର ଯୋନିପୀଠ ରହିଛି ମାତ୍ର ଶିବଲିଙ୍ଗ ଅନ୍ତର୍ଭେଦୀ ଅର୍ଥାତ୍ ଅଦୃଶ୍ୟ l ଗର୍ଭଗୃହର ବାହ୍ୟ ପାର୍ଶ୍ଵ ଓ ଭଗ୍ନ ଜଗମୋହନର ପ୍ରବେଶ ପଥ ତଥା ବାହାର ପାଖ କାନ୍ଥରେ ଭୌମଯୁଗୀୟ ଅପୂର୍ଵ ପାଷାଣ କଳାକୃତିମାନ ଦେଖିବାକୁ ମିଳେ l ମନ୍ଦିର ପଶ୍ଚାତ ଭାଗରେ ବୃକ୍ଷଲତା ଆଢୁଆଳରେ ଏକ ବିରାଟ ପାଷାଣ ଶିଳାଲିପି ଆମେ ଦେଖିବାକୁ ପାଇଲୁ l
ମନ୍ଦିର ପରିସରରେ ଗତେଶ୍ୱର, ଆଖଣ୍ଡଳେଶ୍ୱର ଆଦି ଆଉ କେତୋଟି ଭଗ୍ନ ଶିବ ମନ୍ଦିର ସହିତ ଅନେକ ଗୁଡ଼ିଏ ଶିବ ଲିଙ୍ଗ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳେ l ମନ୍ଦିର ଚତୁଃପାର୍ଶ୍ୱରେ ଅସ୍ତବ୍ୟସ୍ତ ଓ ବିକ୍ଷିପ୍ତ ହୋଇ ପଡ଼ିଥିବା କଳାକୃତିକୁ ଦେଖି, ମନରେ ଦୁଃଖ ଜାତ ହେବା ସ୍ୱାଭାବିକ l ରାଜ୍ୟ ପତ୍ନତତ୍ତ୍ୱ ବିଭାଗ ଅଧୀନରେ ମନ୍ଦିରଟି ଥିଲେ ହେଁ, ଏହାର ରକ୍ଷଣାବେକ୍ଷଣରେ ଘୋର ଅଭାବ ପରିଲକ୍ଷିତ ହୁଏ l ଏତେସବୁ ଅଵ୍ୟବସ୍ଥା ଭିତରେ ବି ସୁଖର କଥା ହେଲା ସେଠାରେ ଏକ ସଂଗ୍ରହାଳୟ ରହିଛି ଯେଉଁଠାରେ କେତେକ ପୁରାତନ କଳାକୃତିକୁ ସାଇତିକରି ରଖାଯାଇଛି l ସଂଗ୍ରହାଳୟରେ ଏକ ପାଷାଣ ଶିଳାଲିପି ମଧ୍ୟ ରରିଛି l ସେଦିନ ଭଗବତୀ ମନ୍ଦିରରେ କିନ୍ତୁ ତାଲା ପଡିଥିଲା l ମାଆଙ୍କ ଦର୍ଶନ ହୋଇ ପାରିବ ନାହିଁ ଜାଣି ମନ କଷ୍ଟ ହେଲା l ହେଲେ ଈଶ୍ୱରଙ୍କ ଇଚ୍ଛା ଓ ବରାଦ କିନ୍ତୁ କିଛି ଭିନ୍ନ ଥିଲା ଆମ ପାଇଁ l
(ଅର୍କ, ଅରୁଣ ଓ ସପ୍ତ ଅଶ୍ୱ)
ମନ୍ଦିର ପରିସରରେ ଥିବା ବଉଳଗଛ ପିଣ୍ଡି ଉପରେ ଜଣେ ସତୁରି ପାର ବୃଦ୍ଧା ଖରାରେ ଶୋଇଥିଲେ l ମାତ୍ର ଆମମାନଙ୍କ ଉପସ୍ଥିତି ଦେଖି ମହିଳା ଜଣକ ଉଠି ପଡ଼ିଲେ, ଆଉ ଭଗବତୀଙ୍କୁ ଦେଖିବାର ଆଗ୍ରହ ନେଇ ଆମେ ଯେ କଟକରୁ ଆସିଛୁ ଜାଣି ଗୋଟେ ପିଲା ହାତରେ ମନ୍ଦିର ଚାବିକାଠି ମଗାଇଲେ l ନିଜ ଥରିଲା ହାତରେ ମନ୍ଦିର ଦ୍ୱାର ଖୋଲି ଆମକୁ ଭଗବତୀ ଦୂର୍ଗାଙ୍କର ଅପୂର୍ଵ ଦର୍ଶନ କରାଇଲେ l
ମହିଳା ଜଣକ ନିଜେ ଖାଲି ପାଦରେ ଆମ ସହ ଚାଲି ଚାଲି, ଗୋଟି ଗୋଟି କରି ସମସ୍ତ ଶିବଲିଙ୍ଗ ଓ ମନ୍ଦିର ପରିସରସ୍ଥ ସମସ୍ତ ଭଗ୍ନ ମନ୍ଦିର ଆଉ ପାଷାଣ କଳାକୃତିକୁ ଦେଖାଇବା ସହିତ; ସଂଗ୍ରହାଳୟ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଘରୁ ଡାକି ଆଣି, ତାଲା ଖୋଲେଇ, ସଂଗ୍ରହାଳୟରେ ସାଇତା ହୋଇ ରଖା ଯାଇଥିବା ସମସ୍ତ କଳାକୃତିକୁ ଦେଖେଇବାରେ ଆମକୁ ସାହାଯ୍ୟ କରିଥିଲେ l ସତରେ ତାଙ୍କର ସାହାଯ୍ୟ ପାଇଁ ତାଙ୍କ ନିକଟରେ ଆମେ ଋଣୀ l ତାଙ୍କର ସେଇ ସାହାଯ୍ୟ ସବୁଦିନ ପାଇଁ ଆମର ମନେ ରହିବ l
ଭଗବତୀଙ୍କ ମନ୍ଦିରରେ ପ୍ରାୟ ସାତ ଫୁଟ ଉଚ୍ଚର ଏକ ବିରଳ ଦୁର୍ଗାମୂର୍ତ୍ତି ରହିଛି, ଯାହାକି ନବମ ଶତାବ୍ଦୀର ନିର୍ମାଣ l ମାଣିକେଶ୍ବର ଶିବ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ସହିତ ଏହି ଦୂର୍ଗା ପ୍ରତିମାକୁ ମଧ୍ୟ କଳାପାହାଡ଼ ଭାଙ୍ଗିଥିବା ଜଣାଯାଏ l
ଗତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଉ ଦୁଇଟି ପ୍ରାଚୀନ ମହିଷାମର୍ଦ୍ଦିନୀ ଦୁର୍ଗାମୂର୍ତ୍ତି ରହିଛି l ଅନ୍ୟ ଏକ ଛୋଟିଆ ମନ୍ଦିରରେ ମୁଗୁନି ପଥରରେ ନିର୍ମିତ ଏକ ଦୁର୍ଗାମୂର୍ତ୍ତି ପୂଜା ପାଉଛନ୍ତି l ଏତଦବ୍ୟତୀତ ଏକ ହନୁମାନ ମନ୍ଦି, ଜଗନ୍ନାଥ ମନ୍ଦିର ଓ ଶନି ମନ୍ଦିର ରହିଛି, ଯାହାକି ପରଵର୍ତ୍ତୀ ସମୟ ନିର୍ମାଣ l
ଅନ୍ତରଙ୍ଗ କଳିଙ୍ଗର ଅଗଣିତ ପାଠକଙ୍କ ପାଇଁ ଶୁକ୍ଳେଶ୍ଵର ଗ୍ରାମର ପ୍ରାଚୀନ ଭଗବତୀପୀଠ ବାବଦରେ ଆମର ଏଇ ସ୍ୱତନ୍ତ୍ର ଉପସ୍ଥାପନାରେ ଛବି ସହିତ କିଛି ତଥ୍ୟ ଦେବାକୁ ଯାହା ପ୍ରୟାସ କରିଛି l ଆମର ଆଶା ଓ ବିଶ୍ୱାସ ଆମର ସୁଧୀ ପାଠକଙ୍କ ମନକୁ ଏହା ସ୍ପର୍ଶ କରିବ . . .
© ତ୍ରିଲୋଚନ ସ୍ୱାଇଁ