ଲେଖା: ଅମ୍ବରୀଶ ମଙ୍ଗରାଜ

ସୂର୍ଯ୍ୟ ନମସ୍କାର କରୁ କରୁ ଦିନେ Hello Gang କହିଲେ ଭାଇ ବୁଲିବାକୁ ଗଲେ ହୁଅନ୍ତାନ୍ତି, ବହୁତ ଦିନ ହେଲା କୁଆଡ଼େ ଯାଇନେ ବାହାରକୁ, କଥା ଟା ବି ଠିକ ଥିଲା । ଗୁରୁଜୀ ହାପି ଭାଇ ବି ସମ୍ମତି ଦେଲେ ଯିବା ପାଇଁ । ହେଲେ ସୁନ୍ଦରୀ ଓଡ଼ିଶାର କିଛି ଅଛପା ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ କଥା ପ୍ରସ୍ତାବିତ ହେଲା । ମୋର ରଣପୁର କଚେରୀ ରେ ସାମାନ୍ୟ କାମ ଥିବାରୁ ମୁଁ ସେଦିଗରେ ଯିବା କଥା କହିଥିଲି, ତେଣୁ  ନୟାଗଡ଼ ଜିଲ୍ଲା ଗଲେ ଭଲ ହୁଅନ୍ତା ବୋଲି ମତ ରଖାଗଲା ।

ଶିମିଳି ନାଁ କିଛି ଦିନ ହେଲା ଶୁଣା ଯାଉଥିଲା ହେଲେ ତାର ସୁନ୍ଦରତା ର କାହାଣୀ ଅଧିକାଂଶେ ଅନାଲୋଚିତ, ତେଣୁ ଶିମିଳି ଯିବା ନିଷ୍ପତି ନିଆଗଲା । ଶିମିଳି ଯିବା ବାଟରେ ଆଉ ଗୋଟେ ଐତିହାସିକ ଯାଗା ପଡେ ମଣିନାଗ ମନ୍ଦିର, ମଣିନାଗ ପାହାଡ଼ ଉପରେ ସ୍ଥିତ | ପାହାଡ଼ ଉପରେ ସୁର୍ଯୋଦୟ ଦେଖିବାର ସୁଯୋଗ ଯେମିତି ହାତଛଡା ନ ହୁଏ ସେଥିପାଇଁ ପୁରା ବଡ଼ିଭୋରୁ ବାହାରିବୁ ଠିକ ହେଲା ।

ସମୟ ସକାଳ ୪ ରୁ ବାହାରିଲୁ ଆମେ ୧୨ ଜଣ ୬ଟି ଗାଡ଼ିରେ ।
ଯାଆଁଳା ମୁଣ୍ଡମୁହାଁଣ ୯୦ରୁ ୧୦୦ କି.ମି. ଭିତରେ ହେବ, ଭୁବନେଶ୍ୱର ଠାରୁ ପାଖାପାଖି  ୧୨୦କି.ମି. ହେବ ଶିମିଳି ଜଳପ୍ରପାତ । ରଣପୁରରୁ ବାଁ ହାତି ଗଲେ ଶିମିଳି ପଡ଼ିବ ।

~ ମଣିନାଗ ପାହାଡ଼ ~
ଐତିହାସିକ ମଣିନାଗ ପାହାଡ଼ ଉପରେ ବହୁତ ପ୍ରାଚୀନ କାଳରେ ନରବଳୀ ପ୍ରଥାର ପ୍ରମାଣ ମିଳେ । ଉପର ମଣିନାଗ ଓ ତଳ ମଣିନାଗ ଏପରି ଦୁଇଟି ମନ୍ଦିର ରହିଛି, ଯାହାକି ପ୍ରତ୍ୟକ୍ଷ ଶକ୍ତିଆରାଧନା ସ୍ଥଳ ଭାବେ ପ୍ରସିଦ୍ଧ । ଶବର ରାଜା ବିଶ୍ଵାବସୁଙ୍କ ଭାଇ ବିଶ୍ଵବାସବ ପ୍ରଭୁ ନୀଳମାଧଵଙ୍କ ଚକଶିଳା ପଥରକୁ ଆଣି ଏଠାରେ ସ୍ଥାପନ କରିଥିଲେ ।


କିମ୍ବଦନ୍ତୀ ଅନୁସାରେ ରଣାସୁର ନାମକ ରାକ୍ଷସ ନାମରେ ଅଞ୍ଚଳ ନାମ ରଣାସୁରପୁର ଥିଲା, ପରେ ଅପଭ୍ରଂଶ ହୋଇ ରଣପୁର ଭାବେ ସାଧାରଣରେ ପ୍ରଚଳିତ ହେଲା ।  ଗଡ଼ଜାତ ଆନ୍ଦୋଳନ ଅନ୍ୟତମ କେନ୍ଦ୍ର ରାଜା ରଣପୁର, ଓଡ଼ିଆ ଜାତିର ସ୍ୱାଭିମାନ ରଘୁନାଥ ମହାନ୍ତି ଓ ଦିବାକର ପରିଡାଙ୍କ ଜନ୍ମମାଟି, ଯିଏ ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନର ଆତ୍ମାହୁତି ଦେଇଥିଲେ ସିନା ବିପ୍ଲବର ବହ୍ନିକୁ କେବେ ହେଲେ ପ୍ରଶମିତ ହେବାକୁ ଦେଇ ନଥିଲେ |
 
ଅଙ୍କାବଙ୍କା ପାହାଡ଼ ଦେଇ ସବୁଜିମା ଭରା ପରିବେଶ ମନଭରି ଉପଭୋଗ କରିବାକୁ ହେଲେ ଆପଣଙ୍କୁ କିଛି କ୍ଷଣ ଅଟକିବାକୁ ହିଁ ପଡିବ, ଧାନକ୍ଷେତ ସବୁ ସବୁଜରୁ ସୁନେଲି ହେଇଗଲେଣି ! ସେ ସବୁ ଦୃଶ୍ୟକୁ ଉପଭୋଗ କରି ଆମେ ବଢ଼ି ଚାଲିଥାଉ । କୁହୁଡ଼ିର ଛାତି ଚିରି ସୂର୍ଯ୍ୟ ନିଜର ଆତ୍ମପ୍ରକାଶ କରିବାକୁ ଯାଉଥାନ୍ତି । ସମ୍ପୂର୍ଣ୍ଣ ସୁର୍ଯୋଦୟ ପୂର୍ବରୁ ଆମକୁ ପାହାଡ଼ ଉପରେ ପହଞ୍ଚିବାକୁ ଥାଏ, ଗାଡ଼ିର ଗତି ଆଉ ଟିକେ ବଢେଇବାକୁ ପଡିଲା । ସୂର୍ଯ୍ୟ ଧୀରେ ଧୀରେ ଉପରକୁ ଉଠୁଥାନ୍ତି ଆଉ ତାଙ୍କ ସହ ଆମେ ବି ପହଞ୍ଚିଗଲୁ ଉପରେ ।


ଉପରେ ମା’ ମଣିନାଗଙ୍କ ମନ୍ଦିର, ଏବେ ଏବେ କିଛି ଆନୁସଙ୍ଗିକ କାମ ହୋଇଛି । ଦେଖି ଖୁସି ଲାଗିଲା କିଛି ସ୍ବେଛାସେବୀ ପାହାଡ଼ ଉପରେ ବହୁତ କଷ୍ଟରେ ସୁନ୍ଦର ସୁନ୍ଦର ଫୁଲ ଗଛ ସବୁ ଲଗେଇ ପାଣି ମଧ୍ୟ ଦେଉଛନ୍ତି । ପରିବେଶକୁ ଭଲପାଇବା ଆଉ ତା’ର ଯତ୍ନ ପାଇଁ  ନିଷ୍ଠା ବାସ୍ତବିକ ପ୍ରଶଂସନୀୟ ଏବଂ ଅନୁକରଣୀୟ |

ମନ୍ଦିର ଉପରୁକୁ ଅଳ୍ପ କିଛି ଦିନ ଧରି ପାହାଚ ହୋଇଛି । ବିରାଟ ବିରାଟ ପଥର ଖଣ୍ଡ ଉପରେ ମା’ ମଣିନାଗ ବିରାଜିଛନ୍ତି । ନଭଶ୍ଚୁମ୍ଭୀ ପର୍ବତ ଉପରେ ତନ୍ତ୍ରସାଧନ ପାଇଁ ପ୍ରସିଦ୍ଧ ଏହି ପ୍ରାଚୀନ ପୀଠ କେତେ ଯେ ଇତିହାସକୁ ନିଜ ଛାତି ତଳେ ଚାପିରଖିଚି ତାହା ଗବେଷଣା ସାପେକ୍ଷ । ପାହାଡ଼ ଉପରୁ ଫେରିଲା ବେଳେ ଅତି ସାବଧାନତାର ସହ ଫେରିବାକୁ ପଡେ ।

~ ଅସୁରକୁମାରୀ ~
ତଳକୁ ଆସିବା ପରେ ସିଧା ଶିମିଳି ଯିବାକୁ ସ୍ଥିର ଥିଲା, ମାତ୍ର ବାଟରେ ଅସୁରକୁମାରୀ ମନ୍ଦିର ଥିବା କଥା ଜାଣିବାକୁ ପାଇଲୁ ।

କିମ୍ବଦନ୍ତୀ ଅନୁସାରେ ଏଠାରେ ଅସୁରଙ୍କ ପାଦଚି଼ହ୍ନ ରହିଛି, ମା’ ବରୁଣେଇ କରୁଣେଇଙ୍କ ଭଳି ଝରଣାସଂଲଗ୍ନ ମନ୍ଦିରଟିଏ | ପ୍ରସ୍ତର ସବୁ ଅତି ପ୍ରାଚୀନ, କେଉଁ କାଳରୁ ବିରାଟ ବୃକ୍ଷ ସବୁ ସଗର୍ବେ ଦଣ୍ଡାୟମାନ, ମନ୍ଦିର ଦର୍ଶନ ସାରି ବାହାରିଲୁ ଲକ୍ଷ୍ୟ ପଥରେ ।


~ ଶିମିଳି ~
ଚର୍ଚ୍ଚା କେନ୍ଦ୍ରବିନ୍ଦୁ ଠାରୁ ବହୁ ଦୂରରେ ! facebook, instaର naturelover ପୋଷ୍ଟର ପରିଧିଠାରୁ କାହିଁ କେତେ ଦୂର ସୁରକ୍ଷିତ ପ୍ରକୃତି ! ଅପୂର୍ବ ସୌନ୍ଦର୍ଯ୍ୟରାଜିର ସମାହାର ଶିମିଳି ! ବଡ଼କୁଟୁଣୀ, ଗୋଡିପଡା ଭଳି ଅନେକ ଗାଁ ରାସ୍ତା ଦେଇ ଆପଣ ଯିବେ ଶିମିଳି, ପଲ୍ଲୀଜୀବନ ନିଚ୍ଛକ ମହକ ବିଛୁରିତ ହୋଇ ପଡୁଥାଏ । ଅଙ୍କାବଙ୍କା ରାସ୍ତା, ଗାଁ ରାସ୍ତା ଡେଇଁଲେ ଗହୀର, ଗହୀରରେ ଧାନ ସବୁ ସୁନେଲି ରଙ୍ଗରେ ସଜେଇ ହେଇଛନ୍ତି ଚାଷୀଭାଇର ଶୃଙ୍ଗାର ପାଇଁ, ବଗବଗୁଲି ସବୁ ଉଡି ଯାଉଥାନ୍ତି ।

ପହିଲି ସବିତାଙ୍କ ରକ୍ତିମ ଆଭା ଖେତ ଓ ପୁଷ୍କରିଣୀର ଦେହରେ ଯେମିତି କୁଙ୍କୁମ ଲଗେଇଦେଉଥାଏ, ସ୍ଥିର ଜଳରାଶିରେ ସୂର୍ଯ୍ୟ କିରଣ ପଡି ଶରୀର ମନରେ ସଜୀଵ ଚେତନା ଭରି ଦେଉଥାଏ ଯେମିତି କଟକ ଭୁବନେଶ୍ୱରର ଗହଳିରୁ ବାହାରି ଆସି ଯଦି କେବେ ସୁଯୋଗ ମିଳେ ଗାଁର ସେ ଗାଈ ପଲର ଶବ୍ଦ ଭିତରେ ଅଫୁରନ୍ତ ଶାନ୍ତିର ସନ୍ଧାନ କରନ୍ତୁ, ନିଶ୍ଚୟ ପାଇଯିବେ ।


ସରକାରଙ୍କ ଦୃଷ୍ଟିରୁ ଓ ପର୍ଯ୍ୟଟନ ସ୍ଥଳୀର ତାଲିକାରୁ ଦୁରେଇ ଥିବାରୁ ଏହି ସ୍ଥାନର ସ୍ୱତନ୍ତ୍ରତା ଅକ୍ଷୂର୍ଣ୍ଣ ଥିଲା ପରି ମନେହୁଏ ସତ ମାତ୍ର ଆନୁସଙ୍ଗିକ ସୁବିଧା ମୌଳିକ ସୁଯୋଗରୁ ମଧ୍ୟ ବହୁ ଦୂରରେ ଅନେକ କଥା ଭାବୁ ଭାବୁ ଗୀତ ଶୁଣୁ ଶୁଣୁ ଆମେ ପହଞ୍ଚିଗଲୁ ଲକ୍ଷ୍ୟ ସ୍ଥଳରେ ।

ଦୂରରୁ ଅନିନ୍ଦ୍ୟ ସୁଷମାମାଳିନୀ ଶିମିଳିର ସୌନ୍ଦର୍ଯ୍ୟ ଦେଖି ହତବାକ ହୋଇଗଲୁ ! ସୁନ୍ଦରୀ ଓଡ଼ିଶାର ଆଉ ଏକ ଗୁପ୍ତ ଅଧ୍ୟାୟ ଆମ ଅପେକ୍ଷାରେ ! ଅଙ୍କାବଙ୍କା ପଥ, ସୁଦୀର୍ଘ ଲତାମାନଙ୍କ ଜ୍ୟାମିତିରେ ଅଙ୍କିତ ଯେମିତି ଶିମିଳି ଝରଣାର ରାସ୍ତା ! ନାମଫଳକଟି ମଧ୍ୟ ପାଇଲୁ ନାହିଁ, ସ୍ଥାନୀୟ ଲୋକ ଯାହା ହାତ ଲେଖା ଫଳକଟିଏ ଲଗାଇଛନ୍ତି !

ଚିକମିକ ମୁକ୍ତା ପରି ଚମକୁଥିବା ଶୀତଳ ଜଳରାଶି ଯେମିତି ପାଦରେ ବାଜିଲା ସେମିତି ମୁଁ ନିଜର ଅସ୍ଥିତ୍ୱ ପ୍ରକୃତି ଆଗରେ ସମର୍ପଣ କରିବାକୁ ବାଧ୍ୟ ହେଲି । କଳକଳ ନିନାଦ କରି ବୋହି ଆସୁଥାଏ ଝରଣାର ସ୍ୱଚ୍ଛ ନିର୍ମଳ ଶୀତଳ ସ୍ରୋତ !

ପ୍ରଥମରୁ ଛୋଟ ଛୋଟ ସ୍ରୋତ ହୋଇ ଆସୁଥିବା ଝରଣା ଦେଇ ପାହାଡ଼ର ଯେତେ ଉପରକୁ ଆପଣ ଯିବେ ସେତେ ନିଜକୁ ପ୍ରକୃତି କୋଳରେ ଅପହୃତ ପାଇବେ । ଉପରୁ ଉପରୁ ପାହାଡ଼ ଚଢ଼ିଗଲେ ଝରଣା ପ୍ରସ୍ଥ ବଢ଼ିଯିବା ସହ ତାର ସୌନ୍ଦର୍ଯ୍ୟ ଆହୁରି ଦ୍ବିଗୁଣିତ କରେ ।

ମହାଦ୍ରୁମ ସବୁ ଯେମିତି ଶିମିଳିର ପବିତ୍ରତାକୁ ସୁରକ୍ଷା ପ୍ରଦାନ ପାଇଁ ଦଣ୍ଡାୟମାନ, ତା ସାମ୍ନାରେ ସର୍ବଶକ୍ତିମାନ ମଣିଷ ବି ଶକ୍ତିଶୂନ୍ୟ, ନିର୍ବାକ ! ଏ ଅନୁଭୂତିକୁ କେତେ ଜଣ ସମ୍ପୂର୍ଣ୍ଣ ପଢିବେ ଜାଣିନି ଯଦି କେବେ ଯିବାର ସୁଯୋଗ ପାଆନ୍ତି ତେବେ ଗଲେ ସେଠି କିଛି କ୍ଷଣ ନିରବରେ ବସିଯିବେ, ତା ପରେ . . ସବୁ ଠିକ ହେଇଯିବ ! 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago