ଲେଖା: ଦେଵ ତ୍ରିପାଠୀ
ଇଏ ଆମ ଗାଁ ଗହଳିର ଅସିଆ କାଳର ମସିଆ କଥା !
ବେଳବୁଡ଼ି ଆସିଲା ବେଳକୁ ବଳଦ ଆଡ଼େଇ ଶଗଡ଼କୁ ଘରମୁହାଁ କରାଉଥିବ ଚଷାପୁଅ ! ଲହରା ସୁର ତା’ର ଭାସି ଆସୁଥିବ କାଇଁ କେତେ ଦୂରରୁ !
“ଦୂରକୁ ସୁନ୍ଦର ତ ପରବତମାଳ
ଗାଆଁକୁ ସୁନ୍ଦର ତ ନଡ଼ିଆ ଗୁଆ ତାଳ
ବନ୍ଧୁକୁ ସୁନ୍ଦର ତ ଦିଶଇ ଦୂରବାଟ
ସିନ୍ଧୁକୁ ସୁନ୍ଦର ତ ଲହଡ଼ା ଭଙ୍ଗାଘାଟ ।
ସଭାକୁ ସୁନ୍ଦର ତ ପଧାନ ସାନଭାଇ
ଗୋଠକୁ ସୁନ୍ଦର ତ ଦୁହାଁଳିଆ ଗାଈ
ଘରକୁ ସୁନ୍ଦର ଯେବେ ଲୋ ଘରଣୀ
ନ ଯିବୁ ବାହାଘର ଲୋ . . “
ଏବକୁ ଏ ଦୃଶ୍ୟ ତ ସାତସପନ ! ଆଜିକା 5G ଇଣ୍ଟରନେଟ ଯୁଗର ଛୁଆ ଅବା କେଉଁଠୁ ପାଇବେ #ଶଗଡ଼ ଅବା ଶଗଡ଼ିଆ ଗୀତ ! ଆମ ପରି ସତୁରୀ ଅଶୀ ଦଶକରେ ମାଟିରେ ପାଦ ଦେଇଥିବା ଦରପାକଲା ମଣିଷ କେତୁଟା କିନ୍ତୁ ଦିନେ ପରିଚିତ ଥିଲେ ଏଁତି କେତେ #ଗାଉଁଲି_ଜୀବନର_ଗୀତ ସହିତ !
ଦିନ ଥିଲା, ସେସବୁ ଗୀତ ଅବା କବିତା ଜନତାର ମୁଖେ ମୁଖେ ପ୍ରଚଳିତ ଥିଲା ! ତାଳପତ୍ର, ଭୁର୍ଜପତ୍ର ଅବା ଛପା କାଗଜର ଗ୍ରନ୍ଥ ରୂପେ ପରିଚିତ ହେବାର ସୁଯୋଗ ଲଭୁ ବା ନ ଲଭୁ, କେଉଁ ଅଜ୍ଞାତ କୋଣରେ ସୃଷ୍ଟି ଲଭି ବିଚକ୍ଷଣ ମହକରେ ଜନମାନସର କୋଣେ କୋଣେ ପ୍ରଚାରିତ ହୋଇ ସାର୍ବଜନୀନ ହୋଇ ପାରିଥିଲା ନିଶ୍ଚୟ ! ମହାପଣ୍ଡିତଙ୍କଠୁ ଅପାଠୁଆ ମୂର୍ଖ ଯାଏଁ ସଭିଏଁ ବୁଝି ପାରୁଥିବା, ମନେ ରଖିପାରୁଥିବା ସେଇ ଜନସାହିତ୍ୟ ଶଗଡ଼ିଆ ଗୀତ ସିନା ଥିଲା ବିଦଗ୍ଧ ସାହିତ୍ୟର ଜନକ, ମାତ୍ର ଏବକୁ ବିବାକ ମଳିନ !
ଓଡ଼ିଆଙ୍କ ଜନଜୀବନରେ ଥିଲା କେତେ କେତେ ଲାଳିତ୍ୟପୁର୍ଣ୍ଣ #ଲୋକଗୀତ ! ନିଜର କର୍ମବହୁଳ ଜୀବନରୁ ସ୍ବାଦ ପାଉଥିଲା ଓଡ଼ିଆ ! ଆମ ଗାଁ ଗାଉଁଲି ଚଷାଭାଇ ଚାଷଜମିରେ ଅବା ଶଗଡ଼ ଚଳାଇବାରେ ବ୍ୟସ୍ତ ଥିଲାବେଳେ କ୍ଳାନ୍ତିଜନିତ ଆଳସ୍ୟକୁ ଦୂର କରି ମନକୁ ସତେଜ ତଥା ପ୍ରଫୁଲ୍ଲ ରଖିବା ନିମନ୍ତେ ବିଭିନ୍ନ ପ୍ରକାର ଗୀତ ଗାଉଥିଲେ । ସେସବୁ ଗୀତରେ ସେମାନଙ୍କ ଜୀବନର ସୁଖଦୁଃଖ ଓ ବିଭିନ୍ନ ଅନୁଭୂତି ପ୍ରକଟିତ ଥିଲା । ପ୍ରାୟ ଏ ଧରଣର ଅଧିକାଂଶ ଲୋକଗୀତ ସରଳ ଓଡ଼ିଆ ଚଷାପୁଅର ଜୀବନକୁ ଉପଜୀବ୍ୟ କରିଥିଲା । ହାତଗଣତି କିଛି ଥିଲା ଶାସ୍ତ୍ରପୁରାଣ ଆଧାରିତ । ସରଳ ଚଷାପୁଅର କଣ୍ଠରୁ ଝରି ଆସୁଥିବା ମନଫୁଲାଣିଆ ଗୀତ ବାସ୍ତବରେ ଥିଲା ଅତି ଚିତ୍ତାକର୍ଷକ । ରାମାୟଣକୁ ନେଇ ଏଁତି ଏକ #ଚଷାଗୀତ:
”ରାମ ବିଭାଘରେ ହୋ ଲକ୍ଷ୍ମଣ ବଗଜାତି
କନକ ବେଦୀ ତଳେ ହୋ କଳାଧଳା ଛତି,
କଳାଧଳା ଛତି ତ ସୁବର୍ଣ୍ଣ ଛାଏଣି
ମୁକୁତା ପେନ୍ଥି ପେନ୍ଥି ଯେ ହୀରା ତ ଖୋସଣି,
ଜିଲ୍ଲା ସମ୍ଭରବେ ତ ତ୍ରିଶାଖା ମୁକୁଟ
ବେଗେ ସଜ କର ସୀତାଙ୍କୁ ଯେ
ଲକ୍ଷ୍ମଣ ବାହୁ ରଥ ହୋ… !”
ଆମ ଚଷାପୁଅ ଚାଷ କରିବା ସମୟରେ ଯେପରି ମନମତାଣିଆ ସଂଗୀତ ଗାଇ ଗାଇ କ୍ଳାନ୍ତି ଭୁଲିଯାଉଥିଲା ଶଗଡ଼ ଚଳାଇବା ବେଳେ ମଧ୍ୟ ସେହିପରି ମନଭୁଲା #ଶଗଡ଼ିଆ_ଗୀତ ଗାଉଥିଲା । ତା’ର ଚାଷକାର୍ଯ୍ୟ ସମୟର ଗୀତଠାରୁ ଶଗଡ଼ ଚଳାଇବା ସମୟର ଶଗଡ଼ିଆ ଗୀତ ଥିଲା କିଛିଟା ସ୍ବତନ୍ତ୍ର । ଏହାର ଲହର ସ୍ବତନ୍ତ୍ର ଏବଂ ଏହା ନିର୍ଜନ ଭୂମିରେ ପ୍ରଲୁବ୍ଧତା ଆଣିବାରେ ଥିଲା ସମର୍ଥ । ବଳଦ ଅଡ଼େଇ ଶଗଡ଼କୁ ଆଗକୁ ଆଗକୁ ଗଡ଼େଇନେବା ସମୟରେ ତା କଣ୍ଠରୁ ଯେଉଁ ସଂଗୀତର ଲହର ଛୁଟୁଥିଲା, ସେଥିରେ ପ୍ରତିଧ୍ୱନିତ ହେଉଥିଲା ନିର୍ଜନ ପରିବେଶ !
ହେଲେ ଏବେ କାଇଁ ସେ ପ୍ରବଣତା ! ସମୟ ବଦଳି ଯାଇଛି ! ସତରେ, ଆମ ଚଷାପୁଅ ହରାଇବସିଛି ସେ ଉଚ୍ଛଳ ଜୀବନକୁ ! ଗାଁର ଭିଟାମାଟି ଛାଡ଼ି ଆଜି ଲକ୍ଷ ଲକ୍ଷ ଅଜାତଶ୍ମଶ୍ରୁ ଚଷାପୁଅ ଜୀବନର ରାହା ଖୋଜୁଛନ୍ତି ସୁରତର ସୂତାକଳ ଅବା ଆନ୍ଧ୍ରର ଇଟାଭାଟିରେ !
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago