ଇଏ ଆମ ଗାଁ ଗହଳିର ଅସିଆ କାଳର ମସିଆ କଥା !
ବେଳବୁଡ଼ି ଆସିଲା ବେଳକୁ ବଳଦ ଆଡ଼େଇ ଶଗଡ଼କୁ ଘରମୁହାଁ କରାଉଥିବ ଚଷାପୁଅ ! ଲହରା ସୁର ତା’ର ଭାସି ଆସୁଥିବ କାଇଁ କେତେ ଦୂରରୁ !
“ଦୂରକୁ ସୁନ୍ଦର ତ ପରବତମାଳ
ଗାଆଁକୁ ସୁନ୍ଦର ତ ନଡ଼ିଆ ଗୁଆ ତାଳ
ବନ୍ଧୁକୁ ସୁନ୍ଦର ତ ଦିଶଇ ଦୂରବାଟ
ସିନ୍ଧୁକୁ ସୁନ୍ଦର ତ ଲହଡ଼ା ଭଙ୍ଗାଘାଟ ।
ସଭାକୁ ସୁନ୍ଦର ତ ପଧାନ ସାନଭାଇ
ଗୋଠକୁ ସୁନ୍ଦର ତ ଦୁହାଁଳିଆ ଗାଈ
ଘରକୁ ସୁନ୍ଦର ଯେବେ ଲୋ ଘରଣୀ
ନ ଯିବୁ ବାହାଘର ଲୋ . . “
ଏବକୁ ଏ ଦୃଶ୍ୟ ତ ସାତସପନ ! ଆଜିକା 5G ଇଣ୍ଟରନେଟ ଯୁଗର ଛୁଆ ଅବା କେଉଁଠୁ ପାଇବେ #ଶଗଡ଼ ଅବା ଶଗଡ଼ିଆ ଗୀତ ! ଆମ ପରି ସତୁରୀ ଅଶୀ ଦଶକରେ ମାଟିରେ ପାଦ ଦେଇଥିବା ଦରପାକଲା ମଣିଷ କେତୁଟା କିନ୍ତୁ ଦିନେ ପରିଚିତ ଥିଲେ ଏଁତି କେତେ #ଗାଉଁଲି_ଜୀବନର_ଗୀତ ସହିତ ! ଦିନ ଥିଲା, ସେସବୁ ଗୀତ ଅବା କବିତା ଜନତାର ମୁଖେ ମୁଖେ ପ୍ରଚଳିତ ଥିଲା ! ତାଳପତ୍ର, ଭୁର୍ଜପତ୍ର ଅବା ଛପା କାଗଜର ଗ୍ରନ୍ଥ ରୂପେ ପରିଚିତ ହେବାର ସୁଯୋଗ ଲଭୁ ବା ନ ଲଭୁ, କେଉଁ ଅଜ୍ଞାତ କୋଣରେ ସୃଷ୍ଟି ଲଭି ବିଚକ୍ଷଣ ମହକରେ ଜନମାନସର କୋଣେ କୋଣେ ପ୍ରଚାରିତ ହୋଇ ସାର୍ବଜନୀନ ହୋଇ ପାରିଥିଲା ନିଶ୍ଚୟ ! ମହାପଣ୍ଡିତଙ୍କଠୁ ଅପାଠୁଆ ମୂର୍ଖ ଯାଏଁ ସଭିଏଁ ବୁଝି ପାରୁଥିବା, ମନେ ରଖିପାରୁଥିବା ସେଇ ଜନସାହିତ୍ୟ ଶଗଡ଼ିଆ ଗୀତ ସିନା ଥିଲା ବିଦଗ୍ଧ ସାହିତ୍ୟର ଜନକ, ମାତ୍ର ଏବକୁ ବିବାକ ମଳିନ !