ଲେଖା: ଶିଶିର ସାହୁ ମନୋଜ

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ପଦ୍ଯରେ ଗୋଟିଏ କାଳ୍ପନିକ କାହାଣୀ ଲେଖିଛନ୍ତି ଲାଵଣ୍ଯଵତୀ, ଯାହାର ନାମ ସାରା ଓଡ଼ିଶାରେ ଲୋକପ୍ରିୟ । ଏକଦା କନ୍ୟାମାନଙ୍କର ଲାଵଣ୍ଯବତୀ ନାମ ରଖାଯାଉଥିଲା । ସାଧାରଣତଃ ଲାଵଣ୍ଯଵତୀ ଶବ୍ଦର ଅର୍ଥ “ଅତିସୁନ୍ଦରୀ ନାରୀ” । ଲାଵଣ୍ୟବତୀ କାଵ୍ଯର ନାୟିକା ବାଞ୍ଛାଵତୀ ମଧ୍ୟ ପରମା ସୁନ୍ଦରୀ ଥିଵା ଏହି କାଵ୍ଯର ଅନେକ ପଦରୁ ସ୍ପଷ୍ଟ ହୁଏ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଲାଵଣ୍ଯଵତୀ ଶବ୍ଦର ନିରୁକ୍ତୀ ଵ୍ଯାଖ୍ଯା ଦିଆଯାଇଛି 
=> ଲାଵଣ୍ଯ + ଅଛି ଅର୍ଥେ ଵତ୍ +ଈ = ଲାଵଣ୍ଯଵତୀ
ଅର୍ଥାତ୍
ଅତି ସୁନ୍ଦରୀ 

ଭାଷାକୋଷରେ ଲାଵଣ୍ଯର ଦୁଇଗୋଟି ଅନ୍ଯତମ ଅର୍ଥ “ଅତି ସୁନ୍ଦର” ଓ “କାନ୍ତି” ରହିଛି । ଏହାର ମୂଳ ଲଵଣ ଯାହାକୁ ଆମେ ଲୁଣ ଅର୍ଥରେ ଵ୍ଯଵହାର କରନ୍ତି କିନ୍ତୁ ଏ ଶବ୍ଦର ଏକ ଅର୍ଥ ଲାଵଣ୍ଯଯୁକ୍ତ ଵା lovely, graceful, charming ମଧ୍ୟ ଅଟଇ । ଲୁଣ ଦେଖିଵାକୁ ଶୁଭ୍ର ପୁଣି ଏହାକୁ ପୃଥିଵୀରେ ଵିଭିନ୍ନ ସ୍ଥାନରୁ ଵିଶେଷତଃ ସମୁଦ୍ର ଜଳରୁ ସଂଗ୍ରହ କରାଯାଉଥିଵାରୁ ଏହାର ଏକ ନାମ ଲଵଣ ହୋଇଛି । ଏ ସବୁ ଶବ୍ଦର ମୂଳ ଧାତୁ “ଲୁ/ଲୂ ଧାତୁ” ଅଟେ ଏଵଂ “ଲାଵି ଧାତୁ”ର ମୂଳ ମଧ୍ୟ ଲୁ ବା ଲୂ ଧାତୁ ଅଟଇ ।

ଏହି ଲୁ ଵା ଲୂ ଧାତୁର ଵିଭିନ୍ନ ଅର୍ଥରେ ପ୍ରୟୋଗ ହୁଏ । ଯଥା,
★to cut (କାଟିଵା)
★to sever (ଭାଙ୍ଗିଵା)
★to divide (ବାଣ୍ଟିଵା)
★to reap (ଏକତ୍ର କରିଵା)
★to gather (ସଂଗ୍ରହ କରିଵା,ଚୟନ କରିଵା,ପ୍ରାପ୍ତ କରିଵା)
★to destroy (ଧ୍ଵଂସ କରିଵା)
ଇତ୍ୟାଦି

ଏହି ଲୁ/ଲୂ ଧାତୁରୁ ଅନେକ ଶବ୍ଦ ନିଷ୍ପନ୍ନ ହୋଇଛି, ଯେପରି କି

୧. ଲଵାଣକ—ଲୁ/ଲୂ ଧାତୁରୁ ଛେଦନ କରିଵା କରଣ  ଆଣକ ଯୁକ୍ତ ହୋଇ ଏ ଶବ୍ଦ ନିଷ୍ପନ୍ନ ହୋଇଛି । ଏ ଶବ୍ଦର ଅର୍ଥ 
→ଖଡ୍ଗାଦି ଛେଦନାସ୍ତ୍ର
→ଦାତ୍ର ଵା ଦାଆ
→କଟୁରୀ

୨. ଲାଵିକ—ଲୁ/ଲୂ ଧାତୁରୁ ଛେଦନ କରିଵା ଅର୍ଥରେ ଏ ଶବ୍ଦକୁ ନିଷ୍ପନ୍ନ କରାଯାଇଛି ଯାହ ମହିଷ ଵା ମଇଁଷି ଅର୍ଥରେ ଵ୍ଯଵହୃତ ହୋଇଥାଏ ।

୩. ଲାଵୁ—ଛେଦନ କରିବା/ବାଣ୍ଟିଵା +କର୍ମାର୍ଥେ ଉ
ଓଡ଼ିଆ ଭାଷାରେ ଆମେ ଯେଉଁ ଫଳକୁ କହୁ ଲାଉ ଵା ଅଲାବୁ ତାକୁ ସଂସ୍କୃତରେ କୁହନ୍ତି ଲାଵୁ, ହିନ୍ଦୀରେ ଲାଉକୁ କଦ୍ଦୁ ବି କୁହନ୍ତି । ଲାଉ କଟାଯାଏ ଏଵଂ ସମସ୍ତଙ୍କୁ ବଣ୍ଟାଯାଏ ତେଣୁ ହିନ୍ଦୀରେ କୁହନ୍ତି 
“କଦ୍ଦୁ କଟେଗା ତୋ ସଵ୍ ମେଁ ବଣ୍ଟେଗା” 
ତେଵେ ଲାଵୁ ଶବ୍ଦର ଅନ୍ଯ ଅର୍ଥ ତୁମ୍ବୀ; ସେଇ ପାତ୍ର ଯାହା ଲାଉର ଖୋଳପାରେ ତିଆରି ହୋଇଥାଏ ।

୪. ଲୂତା
ଏ ଶବ୍ଦର ମୁଖ୍ଯତଃ ତିନୋଟି ଅର୍ଥ ରହିଛି 
କ. ବୁଢ଼ିଆଣି ଵା ମାକଡ଼ସା 
ଖ. ପିମ୍ପୁଡ଼ି
ଗ. ଲୂତାରୋଗ (ବୁଢି଼ଆଣିଠାରୁ ନିର୍ଗତ ରସ ମନୁଷ୍ୟ ଅଙ୍ଗରେ ଲାଗିଲେ ଯେଉଁ ରୋଗ ହୁଏ)
ଲୂତା ଶବ୍ଦ ଓଡ଼ିଆ ସାହିତ୍ୟରେ ମଧ୍ୟ ଵ୍ଯଵହୃତ । ଦୀନକୃଷ୍ଣ ଦାସ ତାଙ୍କ ରସକଲ୍ଲୋଳରେ ଏ ଶବ୍ଦର ଵ୍ଯଵହାର କରିଛନ୍ତି,
“କହି ବସିଲେ ହେବ ଏ ଳୂତା ସୂତା ପ୍ରାୟେ”

୫. ଲୋତ, ଲୋତ୍ର
ଏ ଶବ୍ଦ ବି ଲୁ ଧାତୁରୁ ଛେଦନ କରିଵା ଅର୍ଥରେ ନିଷ୍ପନ୍ନ ହୋଇଛି ଏଵଂ ଏହା ନିମ୍ନ ଅର୍ଥରେ ପ୍ରୟୋଗ ହୋଇଥାଏ,
କ. ଲୋପ୍ତ ଚୋରା ମାଲ
ଖ. ଲୋତକ,ଅଶ୍ରୁ ଵା ଲୁହ
ଗ. ଚିହ୍ନ
ଘ. ରଣ

୬. ଲୋମ
ଆମର ବହୁପରିଚିତ ଲୋମ ଶବ୍ଦ ମଧ୍ୟ ଲୁ ଧାତୁରୁ ଛେଦନ କରିଵା ଅର୍ଥରେ ନିଷ୍ପନ୍ନ ହୋଇଅଛି ଯାହାର ଅନ୍ୟତମ ତଦ୍ଭଵ ରୂପ ରୋମ ଓ ରୁମ ।

୭. ସୁଲୁ
ସୁ ଉପସର୍ଗରେ ଲୁ ଧାତୁକୁ ଛେଦନକରିଵା ଅର୍ଥରେ ନିଷ୍ପନ୍ନ କରାଯାଇ ସୁଲୁ ଶବ୍ଦକୁ ସୃଷ୍ଟି କରାଯାଇଛି ଏହାର “ଉତ୍କୃଷ୍ଟ ରୂପେ ଛେଦନକାରୀ” ଅଟେ ।

ପ୍ରୋକ୍ତ ସମସ୍ତ ଶବ୍ଦଗୁଡି଼କରେ ଲୁ ଧାତୁର ମିଶିଵା, ଏକତ୍ର ହେଵା ଓ ଛେଦନ କରିଵାର ଭାଵ ସନ୍ନିହିତ ରହିଛି । ତେଣୁ ଯଦି ମୂଳ ଧାତୁ ଠାରୁ ଲାଵଣ୍ଯଵତୀ ଯାଏଁ ଏ ଶବ୍ଦର ଵ୍ଯାଖ୍ଯା କରାଯାଏ ତେଵେ ତାହା ଏମନ୍ତ ହେଵ …

ସୁନ୍ଦରୀମାନେ ଯେତେଵେଳେ କୌଣସି ଯୁଵକ ସହିତ ମନ ଓ କାୟାର ମିଳନ ଘଟାନ୍ତି ଉକ୍ତ ଯୁଵକର ଵାକି ସମସ୍ତ ଭାଇବନ୍ଧୁଙ୍କ ଠାରୁ ଦୂରତା ବଢି଼ଯାଏ ।  ଏମାନେ କ୍ଷୀରନୀର ଭଳି ସମ୍ପର୍କ ଥିଵା ଦୁଇ ଜଣବନ୍ଧୁଙ୍କ ବନ୍ଧୁତା ସହଜରେ ଭାଙ୍ଗିପାରନ୍ତି ପୁଣ ସୁନ୍ଦର ରୂପ କେତେ ଘର ଭାଙ୍ଗେ ତା ବି ସମସ୍ତେ ଜାଣିଥିଵେ । ସୁନ୍ଦରୀ କନ୍ଯା ସହ ମିଶିଵାକୁ ସବୁ ପୁରୁଷଙ୍କ ଇଛା ଆଉ କଳେ ବଳେ କୌଶଳେ କେମିତି ତାକୁ ପାଇଵେ ସେଇ ଯୋଜନା ସବୁଵେଳେ କରୁଥାନ୍ତି । ଦଶଜଣ କନ୍ଯା ଭିତରେ ସବୁଠାରୁ ସୁନ୍ଦର ଯିଏ ତାକୁ ହିଁ ପୁରୁଷ ମାନେ ଚୟନ କରନ୍ତି ଆଉ ଯଦି ସେ ଝିଅ ନମିଳେ ସେମାନେ ତାଙ୍କ ଜୀଵନ ନଷ୍ଟ ହେଇଗଲା ବୋଲି ଵିଚାର କରନ୍ତି । 

© ଶବ୍ଦଭେଦ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago