ଲେଖା: ଅକ୍ଷୟ ଓଝା
ବିଜୁଳିର ଆବିଷ୍କାର ହେଲା ପରେ ବି କେଇ ବର୍ଷ ପର୍ଯ୍ୟନ୍ତ ଗାଁ ଗହଳି ପୁରପଲ୍ଲୀରେ ଏହା ପହଞ୍ଚି ପାରି ନଥିଲା । ସଂଜ ନଇଁଲେ ପ୍ରକୃତି କୋଳରେ ବସି ଥିବା ଗାଆଁ ଗଣ୍ଡା ଅନ୍ଧାରରେ ଡୁବି ଯାଉଥିଲା । ସେ ସମୟରେ ଘରେ ଡିବି ଓ ବାହାରକୁ ବାହାରିଲେ ଲଣ୍ଠନ ଆଲୁଅର ସାହାଯ୍ୟ ନେବାକୁ ପଡ଼ୁଥିଲା ।
କିରୋସିନର ଇନ୍ଧନରେ ଜଳୁଥିବା ଏହି ବସ୍ତୁର ବ୍ୟବହାର ନିହାତି ଜରୁରୀ ଥିଲା । ଅତି ଅପରିହାର୍ଯ୍ୟ ବସ୍ତୁ ଭାବରେ ଡିବି, ଲଣ୍ଠନର ବ୍ୟବହାର ଥିଲା । ଆଜି ବିଜୁଳି ଆଲୁଅରେ ଲଣ୍ଠନର ବ୍ୟବହାର ନାହିଁ । ଏହା ଏକ ଅନାଦୃତ ଅଲୋଡା ବସ୍ତୁ ପାଲଟି ଯାଇଛି । ଘରେ ଘରେ ଏହା ଦିଶୁନି ବଜାରରେ ବି ଆଉ ମିଳୁନି ।
ମାେ ପିଲାଦିନେ ଆମ ଗାଁକୁ ବିଜୁଳି ଆସି ନଥିଲା । ସଂଜ ହେଲେ ବୋଉ ଗୋଟେ କପଡ଼ା ଧରି ବସି ଯାଉଥିଲା ଲଣ୍ଠନ କାଚ ସଫା କରିବାକୁ । କିରୋସିନି ବୋତଲ ଫୁଲୁରୀ ଡିବି ଲଣ୍ଠନ ସବୁ ଗୋଟିଏ ଜାଗାରେ ରଖା ଯାଇଥିବ । ଲଣ୍ଠନ କାଚ ସଫା କରି ଡିବିର ସଳିତାକୁ ଡିବି ନାକରୁ ଟିକେ ଉପର କରି ଫୁଲୁରି ଲଗେଇ ସବୁ ଥିରେ କିରୋସିନ ତେଲ ଭରୁଥିଲା । ପୁଣି କପଡ଼ାରେ ପୋଛି ଦେଇ ଦିଆସିଲିରେ ଡିବି ଲଣ୍ଠନକୁ ଜଳଉ ଥିଲା । ଆମେ ସବୁ ବସି ଦେଖୁଥିଲୁ । ବୋଉ ସବୁ ଘରେ ଗୋଟେ ଗୋଟେ ବତି ରଖିବାକୁ କହିବ ଆମକୁ। ଆଉ ଆମେ ନେଇ ରଖୁଥିଲୁ ନେଇ ଘର ମାଟିକାନ୍ଥ ଠଣାରେ ।
ଶେଷରେ ଆମକୁ ଲଣ୍ଠନ ଧରେଇ ଦେଇ ଦଉଥିଲା । ବସ୍ତାନି ଧରି ସପ ସହିତ ବାହାରି ପଡୁଥିଲୁ ଦାଣ୍ଡପିଣ୍ଡାକୁ ଭାଇ ଓ ମୁଁ । ବେଶ ମନ ଭରି ପାଠ ପଢୁଥିଲୁ ପିଣ୍ଡାରେ ବସି ପଣିକିଆ ଘୋଷୁଥିଲୁ। ସ୍କୁଲ ପାଇଁ ପାଠ ମୁଖସ୍ଥ, ଗଣିତକଷା, ସାହିତ୍ୟପଢା, ଈଂଗ୍ରାଜି ରିଡିଂ ସବୁ ଏହି ଲଣ୍ଠନ ଆଲୁଅରେ ହେଉଥିଲା । ଶିକ୍ଷାର ଭବିଷ୍ୟତ ମୂଳଦୁଆ ଛିଡ଼ା କରିଥିଲା ଏଇ ଲଣ୍ଠନ ଆଲୁଅ।
ବଡ଼ ହେଲା ପରେ ଟିଉସନ୍ ପଢିବାକୁ ଲଣ୍ଠନ ଧରି ବାହାରି ପଡୁଥିଲୁ । ସବୁ ସାଙ୍ଗ ମାନଙ୍କ ହାତରେ ଲଣ୍ଠନ । କାନ୍ଧରେ ବ୍ୟାଗ । ସନ୍ଧ୍ୟା ସାତଟା ବେଳୁ ବାହାରି ପଡ଼ୁଥିଲୁ ସ୍କୁଲକୁ ଏକାଠି ସାଥି ହୋଇ । ଫେରୁଥିଲୁ ରାତି ନଅଟାରେ । ଯୁଧିଷ୍ଠିର ସାର ଆମକୁ ସ୍କୁଲରେ ସପ୍ତମ ଶ୍ରେଣୀ କକ୍ଷରେ ଏକତ୍ରିତ କରି ପଢ଼ାଉଥିଲେ ।
ଫେରିଲା ବେଳେ ଆମେ ତଳ ବଳୁରିଆ ବନ୍ଧରେ ଆମ ଘରକୁ ଫେରୁ ଥିଲୁ ପ୍ରାୟ ଆଠ ଜଣ । ରଞ୍ଜିତ, ନୋଇନ, ଶ୍ରୀଧର, ଗାଗୁଲା, ଯୁଧିଷ୍ଠିର, ଅଲେଖ, କୈଳାସ ଓ ମୁଁ । ରାସ୍ତା କଡ଼ରେ କିଛି ବାଟ କିଆ ବୁଦା ପଡେ । ବିଶାଳ କୁଆ ବୁଦା ଗୁଡ଼ିକ ରାସ୍ତାର ଦୁଇ କଡ଼ରେ ବଢ଼ିଥାଏ । ସାପ ଡର ଥାଏ । ଏହି ଲଣ୍ଠନ ସାହାଯ୍ୟରେ ଆମେ ସେ ରାସ୍ତା ପାର କରୁ । ବେଳେ ବେଳେ ଲଣ୍ଠନରୁ କିରୋସିନି ଢାଳି କିଆ ବୁଦାରେ ନିଆଁ ଲଗେଇ ଦେଉ । ସେତେବେଳେ ଖୁବ୍ ଆନନ୍ଦ ଲାଗୁଥିଲା କିନ୍ତୁ ପଛରେ ଭୁଲ୍ କରିଛୁ ବୋଲି ଦୁଃଖ ପ୍ରକାଶ କରୁ । ଆଜିବି ସେ ଘଟଣାକୁ ମନେ ପକେଇଲେ କଷ୍ଟ ଲାଗେ ।
ଲଣ୍ଠନ ଏକ ଅତି ଆବଶ୍ୟକ ପଦାର୍ଥ ଥିଲା ସେ ସମୟରେ । ରାତି ରାତି ଯାତ୍ରା କରୁଥିବା ଲୋକେ ବିନା ଲଣ୍ଠନରେ ରାସ୍ତା ଚାଲି ପାରୁ ନଥିଲେ । ବାହାଘରରେ ବର କନିଆଁ ବାହୁଡ଼ାରେ ରାତିରେ ବାହାକ ମାନେ ନାନାଦି ଜଙ୍ଗଲ ରାସ୍ତା ଦେଇ ବାଟ ଚାଲି ଥାନ୍ତି ସେମାନଙ୍କ ହାତରେ ଲଣ୍ଠନ ଏକ ନିହାତି ଆବଶ୍ୟକ ବସ୍ତୁ ଭାବରେ ଥାଏ ।
ରାତି ବିକାଳି କେହି ବେମାର ପଡ଼ିଲେ ବଇଦ ଘରକୁ ଦୌଡ ଆର ଗାଁ, ଯାଏ ଯାହା ବିନା ଲଣ୍ଠନରେ ସମ୍ଭବ ହେଇ ପାରୁ ନଥିଲା ।
ରାତିରେ କ୍ଷେତ ଜଗୁଆଳ ଲଣ୍ଠନ ସାହାରାରେ ରାତି ସାରା ବୁଲି କ୍ଷେତ ଜଗୁଥିଲା । ଗାଁ ଚୌକିଦାର ଗୋଟାଏ ହାତରେ ଠେଙ୍ଗା ଓ ଆର ହାତରେ ଲଣ୍ଠନ । ରାତି ସାରା ଗାଁ ଗୋଟାକ ବୁଲି ପହରା ଦେଉଥିଲା । ହୁସିଆର୍ —- ସାବଧାନ ।
ପିଲା ବେଳେ ସଞ୍ଜବେଳେ ପାଖ ଦୋକାନରୁ କିଛି ଜିନିଷ ଆଣିବାକୁ ହେଲେ ବୋଉ ଧରେଇ ଦେଉ ଥିଲା ଲଣ୍ଠନ । ଧନୀ ଗରିବ ପ୍ରତ୍ୟେକ ଘରେ ବ୍ୟବହାର ହେଉଥିଲା ଲଣ୍ଠନ । ଗାଁରେ କୌଣସି ପଞ୍ଚାୟତରେ ବିଚାର ବିମର୍ଶ ହେଲେ ସମସ୍ତଙ୍କ ମଝିରେ ଏକ ଲଣ୍ଠନ ରଖା ଯାଇଥାଏ ।
ଆଜି ଆଉ ଲଣ୍ଠନର ବ୍ୟବହାର ନାହିଁ । ସମୟ କ୍ରମେ ଏହା ଲୁପ୍ତ ହୋଇ ଯାଇଛି । ବିଜୁଳିର ଚମକରେ ଲଣ୍ଠନ ଏକ ଇତିହାସରେ ପରିଣତ ହୋଇଛି ।
© ଅକ୍ଷୟ ଓଝା, ରାଇଁଲୋ, ନୂଆପଡ଼ା, ଆଳି, କେନ୍ଦ୍ରାପଡ଼ା
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…