~ ଲଙ୍ଗୁଳୀ ମଠ ~
ଲେଖା: ଶ୍ରୀକାନ୍ତ ସିଂହ
ଭାରତର ସର୍ବକାଳୀନ ପ୍ରାଚୀନ ସହରମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛି ଆମର ଏଇ କଟକ ନଗର । ମହାନଦୀ କୂଳ କଟକର ଏହି ଅଞ୍ଚଳରେ ମାନବ ସଭ୍ୟତାର ଅଭ୍ୟୁଦୟ କେବେ ହୋଇଥିଲା, ଏହି ପ୍ରଶ୍ନର ଯୁକ୍ତିଯୁକ୍ତ ଓ ଯଥାର୍ଥ ଉତ୍ତର କାହାରି ପାଖରେ ନାହିଁ; ଏ ସମ୍ପର୍କରେ ଇତିହାସ ବି ନିରବ l
ଚୀରସ୍ରୋତା ମହାନଦୀ ଓ କାଠଯୋଡ଼ିର ମଧ୍ୟ ଭାଗରେ ଅବସ୍ଥିତ ଏଇ ସହର ମଧ୍ୟ ଦେଇ ଗଲାବେଳେ ଚଳ ଚଞ୍ଚଳ ସମୟ ବି କ୍ଷଣେ ଅଟକି ଯାଇ ନିଜ ଅତୀତକୁ ଫେରି ଚାହେଁ। ଫେରି ଚାହିଁ ପୁଣି ଦେଖେ, ମର୍କତ କେଶରୀ, ବାଇମୁଣ୍ଡି, ନନ୍ଦି କେଶରୀ ପୁଣି ଅନନ୍ତ ବର୍ମନ ଚୋଡ଼ଗଙ୍ଗ, ଗଜପତି କପିଳେନ୍ଦ୍ର ଦେବ, କଳାପାହାଡ଼, ବାରବାଟୀର ଲୁହାର ବାଡ଼, ଆହ୍ଲାଦିନୀ ମହାନଦୀ ପାଣି, ଆଉ ପୁଣି ଆମ ଓଡ଼ିଆଣି ମୁକୁନ୍ଦ ଦେବଙ୍କ ରାଣୀ
ଇତିହାସ ହେଉଛି ଏକ ଗୁମ୍ଫା ସଦୃଶ। ଗୁମ୍ଫାର ଗଭୀରରୁ ଗଭୀରତମ ପ୍ରଦେଶକୁ ଯେତେ ଅଧିକରୁ ଅଧିକ ଅଗ୍ରସର ହେବା ଗୁମ୍ଫା ସମ୍ବନ୍ଧରେ ଆମକୁ ସେତେ ଅଧିକରୁ ଅଧିକ ତଥ୍ୟ ଜ୍ଞାନ୍ତ ହେବ l ଇତିହାସ ମଧ୍ୟ ଠିକ୍ ସେହିପରି। କେତେକ ତାମ୍ରଫଳକ, ଶିଳାଲିପି ଏବଂ ପ୍ରାପ୍ତ ହୋଇଥିବା ପ୍ରାଚୀନ କୀର୍ତ୍ତିରାଜି ତଥା ମାଦଳାପାଞ୍ଜି ଆଦିର ବିବରଣୀକୁ ଅନୁଶୀଳନ କରି ଇତିହାସକାରମାନେ କଟକ ନଗ୍ରର ଆୟୁଷ ହଜାର ବର୍ଷ ବୋଲି କଳନା କରିଥିଲେ।
ଅଳ୍ପ କିଛିଦିନ ତଳେ ବାରବାଟୀ ଦୁର୍ଗ ଉତଖନନରୁ ପ୍ରାପ୍ତ ହୋଇଥିବା କେତେକ ଦ୍ରବ୍ୟ ଓ ମୁଦ୍ରା ଆଦିକୁ ଅନୁଧ୍ୟାନ କରିବାରୁ ଏଗୁଡିକ ଚତୁର୍ଥ ବା ପଞ୍ଚମ ଶତାବ୍ଦୀର ବୋଲି ଗବେଷକମାନେ ମତ ପୋଷଣ କରିଛନ୍ତି। ଅତଏବ କଟକ ଯେ ହଜାର ବର୍ଷର ନଗର ସଭ୍ୟତା ବୋଲି ଯେଉଁ ଭ୍ରାନ୍ତ ଧାରଣା ଥିଲା, ତାହା ଦୂର ହୋଇଛି। ଆହୁରି ଅଧିକ ଗବେଷଣା ହେଲେ ଅନେକ ନୂତନ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା l
ଉତ୍କଳର ଅନ୍ୟତମ ପ୍ରାଚୀନ ସହର ଏଇ କଟକରେ ଓଡ଼ିଶାର ଧର୍ମ, ସାହିତ୍ୟ, ସଂସ୍କୃତି, ଭାଷା, ଜାତୀୟତା, ରାଜନୀତି ଆଦିର ଉନ୍ମେଷ ଘଟିଥିଲା l ଅନେକ ଶାସକ ଏଠାରେ ନିଜର ରାଜଧାନୀ ସ୍ଥାପନ କରି ରାଜ୍ୟ ଶାସନ କରିଥିଲେ, ଆଉ ସେମାନଙ୍କ ଶାସନ ସମୟରେ କଟକ ଓ ଏହାର ଆଖ ପାଖ ଅଞ୍ଚଳରେ ଅନେକ ମଠ, ମନ୍ଦିର, ଧର୍ମଶାଳା ଆଦି ନିର୍ମାଣ ହୋଇଥିଲା। ତନ୍ମଧ୍ୟରୁ ଦେବୀଗଡ଼ା ନିକଟ ପୁରୀଘାଟ ଠାରେ ଥିବା ଲଙ୍ଗୁଳୀ ମଠ ହେଉଛି ଅନ୍ୟତମ।
ଏଇ ମଠଟି କାଠଯୋଡ଼ି କୂଳ ଦେଵୀଗଡା଼ ନିକଟରେ ଅବସ୍ଥିତ। ବର୍ତ୍ତମାନ ସମୟରେ ଏଇ ଲଙ୍ଗୁଳୀ ମଠ ଭଗ୍ନ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଲଙ୍ଗୁଳୀ ମଠର ଏହା ଏକ ଶାଖା ହୋଇଥିବା ଅନୁମାନ କରାଯାଏ। ବିଶେଷକରି ଦଶନାମୀ ନାଗା ସନ୍ନ୍ୟାସୀଙ୍କ ଦ୍ୱାରା ଏହି ମଠଟି ପ୍ରତିଷ୍ଠା ହୋଇଥିବା ଅନୁମାନ।
ପ୍ରାଚୀନ କାଳରେ ଭାରତର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କ ସହିତ ଅନେକ ସାଧୁ, ସନ୍ଥ, ସନ୍ନ୍ୟାସୀ ଶ୍ରୀକ୍ଷେତ୍ର ପୁରୀକୁ ଜଗନ୍ନାଥ ଦର୍ଶନାର୍ଥେ ଯାତ୍ରା କରୁଥିଲେ। ସଡ଼କପଥ ସହିତ ନଦୀର ଜଳପଥ ଦେଇ ମଧ୍ୟ ସେମାନଙ୍କୁ ଯାତ୍ରା କରିବାକୁ ପଡୁଥିଲା। ଗନ୍ତବ୍ୟ ପଥରେ ଅନେକ ପାନ୍ଥଶାଳା, ଧର୍ମଶାଳା ସହିତ ବିଭିନ୍ନ ସନ୍ଥ ସମାଜଦ୍ୱାରା ନିଜସ୍ୱ ମଠମାନ ପ୍ରତିଷ୍ଠା ହୋଇଥିଲା। ସାଧୁ ସନ୍ଥ ଓ ବିଭିନ୍ନ ସମ୍ପ୍ରଦାୟର ସନ୍ନ୍ୟାସୀମାନେ ଶ୍ରୀକ୍ଷେତ୍ର ପୁରୀକୁ ଯାତ୍ରା କଲାବେଳେ ଉକ୍ତ ମଠମାନଙ୍କରେ ଅବସ୍ଥାନ କରି ଶ୍ରୀକ୍ଷେତ୍ର ଯାତ୍ରା କରୁଥିଲେ।
ସେକାଳରେ କଟକ ଉତ୍କଳର ରାଜଧାନୀ ଥିଲା ଏବଂ ଶ୍ରୀକ୍ଷେତ୍ର ପୁରୀ ଯାତ୍ରା କାଳରେ ଶ୍ରଦ୍ଧାଳୁ ଓ ଯାତ୍ରୀମାନେ ମହାନଦୀ ପାର ହୋଇ କଟକରେ ଅବସ୍ଥାନ କରୁଥିଲେ ଏବଂ କାଠଯୋଡ଼ି ନଦୀ ପାର ହୋଇ ପୁଣି ପୁରୀ ଅଭିମୁଖେ ଯାତ୍ରା କରୁଥିଲେ। କାଠଯୋଡ଼ି କୂଳର ସେହି ଘାଟଟି ଏବେ ଲୋକମୁଖରେ “ପୁରୀଘାଟ” ନାମରେ ପରିଚିତ।
ସାଧୁ, ସନ୍ଥ ଓ ସନ୍ନ୍ୟାସୀମାନେ ଉଭୟ ମହାନଦୀ ଓ କାଠଯୋଡ଼ି କୂଳେ କୂଳେ ନିଜ ନିଜର ସୁବିଧା ଓ ରହଣି ନିମନ୍ତେ ବିଭିନ୍ନ ମଠ ପ୍ରତିଷ୍ଠା କରିଥିଲେ। ଶ୍ରୀକ୍ଷେତ୍ରକୁ ଉଭୟ ଯାତ୍ରା ଓ ଫେରିବା ସମୟରେ ଏହି ମଠମାନଙ୍କରେ ଅବସ୍ଥାନ କରୁଥିଲେ। ପୁରୀର ଲଙ୍ଗୁଳୀ ମଠ ପରି କଟକରେ ମଧ୍ୟ ଏହି ମଠଟି ଦଶନାମୀ ସନ୍ନ୍ୟାସୀ ସାମ୍ପ୍ରଦାୟଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଅନୁମାନ।
ପୁରୀଘାଟ ନିକଟ କାଠଯୋଡ଼ି କୁଳର ଏହି ଲଙ୍ଗୁଳୀ ମଠରେ ବର୍ତ୍ତମାନ କେହି ମହନ୍ତ ନାହାନ୍ତି। ମଠ ପରିସରରେ ଥିବା ଆଶୁତୋଷ ମହାଦେବ ଓ ବିଷ୍ଣୁ ମନ୍ଦିରରେ ବଂଶାନୁକ୍ରମେ ପୂଜା କରୁଥିବା ପୂଜକଙ୍କ ପରିବାର ଏବେ ସେଠାରେ ରହୁଛନ୍ତି ଏବଂ ଦିଅଁଙ୍କୁ ପୂଜା କରୁଛନ୍ତି। ବୃକ୍ଷଲତା ଆଚ୍ଛାଦିତ ଭଗ୍ନ ଓ ଜରାଜୀର୍ଣ୍ଣ ଛାତ ତଳେ ଅତି ଦୟନୀୟ ଅବସ୍ଥାରେ ରହିଥିବା ଦିଅଁଙ୍କୁ ଦେଖିଲେ ଅତ୍ୟନ୍ତ ଦୁଃଖ ଲାଗେ ଓ ମନ ଭାରାକ୍ରାନ୍ତ ହୋଇପଡ଼େ। ଯେ କୌଣସି ମୁହୂର୍ତ୍ତରେ ଛାତ ଭୁଷୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏବେ ଏହି ମଠଟି, କାହାରି ନିଜସ୍ୱ ମାଲିକାନା ବା ଦେବୋତ୍ତର ବିଭାଗ ଅଧୀନରେ ରହିଛି, ସେ ଜ୍ଞାନ ନାହିଁ, ମାତ୍ର ଏହି ମଠଟିର ଯଥେଷ୍ଟ ମରାମତି ଆବଶ୍ୟକ ରହିଛି।
ଛବି ସହଯୋଗ: ଶ୍ରୀଯୁକ୍ତ ଦେବାଶିଷ ମହାନ୍ତି, ଶ୍ରୀ ଅମର ପ୍ରସାଦ
Languli Matha
Purighata
Cuttack Kataka
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago