ସମଗ୍ର ଓଡିଶାରେ ଯେତେବେଳେ ନାନାବିଧ ସ୍ଵାଧୀନତାର ସ୍ଵରୋତ୍ତଳିତ ହୁଏ, ସେତେବେଳେ କଦମ୍ଵବଂଶୀୟ ଅନୁଗୋଳ ଗଡଜାତର ଶେଷ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ମହୀୟାନ୍ ଆତ୍ମତିତିକ୍ଷାର କଥା ଉଠେ ।
“କିଞ୍ଚିତ ଦୟା ନୋହିଲା
ମୋ କର୍ମ ବିଫଳ ହୋଇଲା ହେ । ୦ ।
ସେ କଥା କର୍ଣ୍ଣକୁ ଶୁଭିଲା ହେ । ୧ ।
ମହାଘୋର କଷ୍ଟୁ ଗାନ୍ଧାରୀ ନନ୍ଦନ
କୋଟି ବସ୍ତ୍ର ପାଇ ଭାନୁମତୀ ପତି
ବଦନେ କାଳି ଲଗାଇଲା ହେ । ୨ ।
ଆହୁରି କଥାଏ ଶୁଣିଅଛି କର୍ଣ୍ଣେ
ପତି ଭକ୍ତେ ଲେଖା ହୋଇଲା ହେ । ୩ ।
ଘୋର ବନେ ପରା କୁରଙ୍ଗୀ ନନ୍ଦନ
ଦୀନବନ୍ଧୁ ନାମ ହୃଦରେ ଧରନ୍ତେ
କେଡେ ବିପତ୍ତି ତା ଛାଡିଲା ହେ । ୪ ।
ଏ ନିନ୍ଦା କାହାକୁ ହୋଇଲା ହେ । ୫ ।
ଅନୁଗୋଳ ସେତେବେଳେ ଏକ ସାମନ୍ତରାଜା ଶାସିତ ଗଡ଼ଜାତ । ଶାସନାଧିକାରୀ କାଶ୍ୟପଗୋତ୍ରଜ କଦମ୍ଵବଂଶୀ କ୍ଷତ୍ରିୟ। ସେତେବେଳେ ଅନୁଗୋଳ ଓ ଢେଙ୍କାନାଳ ଦୁଇ ପ୍ରତିବେଶୀ ରାଜ୍ୟମାନେ ପ୍ରତ୍ୟହ ଯୁଦ୍ଧବିଗ୍ରହ ମଧ୍ୟରେ ଲିପ୍ତ ରହୁଥିଲେ। ଧନୁର୍ଜ୍ଜୟ ସିଂହଙ୍କର ପୂର୍ବବର୍ତ୍ତୀ ଶାସନାଧିକାରୀଙ୍କ ରାଜତ୍ବ ସମୟରେ ଢେଙ୍କାନାଳ ରାଜା ସୀମାନ୍ତବର୍ତ୍ତୀ ଖଡ୍ଗପ୍ରସାଦ ମଙ୍ଗଳପୁର ଓ କମଳାଙ୍ଗ ପ୍ରଭୃତି ଗ୍ରାମମାନ ଅକ୍ତିଆର କରିନେଇଥିଲେ।
ସେତେବେଳେ ଧନୁର୍ଜ୍ଜୟ ସିଂହ ପ୍ରତିଶୋଧପରାୟଣ ହୋଇ ସମସ୍ତ ଅପହୃତ ଗ୍ରାମମାନ ଉଦ୍ଧାର କରିବା ସହ ଢେଙ୍କାନାଳ ଗଡ଼ର ମାତ୍ର ନଅ ମାଇଲ ପଶ୍ଚିମବର୍ତ୍ତୀ ବଉଳପୁର ନାମକ ଗ୍ରାମ ପର୍ଯ୍ୟନ୍ତ ମାଡି ସେ ଗ୍ରାମର ଆମ୍ଵତୋଟାରେ ନିଜର ଜୟସ୍ତମ୍ଭ ସ୍ଥାପନ କଲେ। ଏହା ସତ୍ତ୍ୱେ ମଧ୍ୟ ତାଙ୍କ ଉତ୍ତରାଧିକାରୀମାନେ ଏହି ବିଜୟକୁ ବଜାୟ ନ ପାରିବାରୁ ଅବିରତ ଯୁଦ୍ଧସୁଲଭ ପରିସ୍ଥିତି ଲାଗିରହେ। ଆଉ ଫଳରେ ସେତେବେଳେ ବାଦବିସମ୍ଵାଦ ଶୀର୍ଷସ୍ପର୍ଶୀ।
ପରବର୍ତ୍ତୀ ସମୟରେ ୧୮୦୯ ଖ୍ରୀଷ୍ଟାବ୍ଦରେ ଆଷାଢ଼ ମାସରେ ରାଜା ଜରାଓ ସିଂହଙ୍କର ମୃତ୍ୟୁ ଘଟେ। ଆଉ ଏହା ପରେ ତାଙ୍କ ବଂଶର ପୃଥ୍ଵୀ ସିଂହ ତିନିଚାରି ବର୍ଷ ରାଜଗାଦି ଅକ୍ତିଆର କରି ମଧ୍ୟ ଭ୍ରାତୃବିବାଦରେ ରାଜକାଳ ଅତିବାହିତ ହୋଇଥିଲା। ଆଉ ଏହିଭଳି ବାଦବିସମ୍ଵାଦ ଉପଲକ୍ଷରେ ୧୮୧୩ ମସିହାରେ କଟକର ସେଟେଲମେଣ୍ଟ କମିଶନର J. Richardson ଏବଂ ଆକ୍ଟିଂ କଲେକ୍ଟର J. W. Sage ତଦନ୍ତ କମିଶନରେ ନିଯୁକ୍ତି ପାଇଥିଲେ।
କମିଶନଙ୍କ ତଦନ୍ତ ପରେ ଲୋକନାଥ ସିଂହ ଜରାଓର ସିଂହଙ୍କର ବିବାହିତା ସ୍ତ୍ରୀ ଗର୍ଭଜାତ ପୁତ୍ର ନଥିବାରୁ ଜରାଓ ସିଂହଙ୍କ ଦ୍ଵିତୀୟ ଭ୍ରାତା ଜୟସିଂହ ସବଂଶରେ ନିହତ ହେବା ପରଠାରୁ ନାନା ଜଟିଳ ପରିସ୍ଥିତିକୁ ନେଇ ସନ୍ଦେହ ଉଠିବାରୁ ୧୮୧୪ ମସିହାରେ ମୃତାହତ ଗୋପୀନାଥ ସିଂହଙ୍କ ଚଉଦ ବର୍ଷର ନାବାଳକ ପୁତ୍ରକୁ ସିଂହାସନାରୂଢ କରାଗଲା। ଆଉ ଏହି ବାଳକ ପରବର୍ତ୍ତୀ ସମୟରେ ଜଣେ ଧୀମାନ୍ ବୀରମାନଙ୍କ ମଧ୍ୟରେ ପରିଚିତି ପାଇଲା ! ସୋମନାଥ ସିଂହ ଜଗଦ୍ଦେବ !
ନାବାଳକ ହେତୁ, ସେ ନାମମାତ୍ର ରାଜକୀୟ ପଦମଣ୍ଡନ କରୁଥିଲା ବେଳେ ସରକାରଙ୍କ ଦ୍ଵାରା ନିଯୁକ୍ତ ଅମିନ-ଆଖ୍ୟାଧାରୀ ଜଣେ କର୍ମଚାରୀ ଅନୁଗୋଳର ଶାସନ ପରିଚାଳନା କଲେ। ସ୍ଵହସ୍ତରେ ରାଜ୍ୟଭାର ଗ୍ରହଣ କଲା ପରେ ରାଜା ସୋମନାଥ ସିଂହ ଜଗଦ୍ଦେବ ରାଜ୍ୟର ଉନ୍ନତି ଦିଗରେ ଆଶାୟୀ ହେଲେ ମଧ୍ୟ ଯଥେଷ୍ଟ ସମୟ ଓ ଉପଯୁକ୍ତ ଶାନ୍ତି ପାଇପାରିନଥିଲେ।
ସିଂହାସନାରୂଢ ହେବା ପରେ ୧୮୨୦ ମସିହାରେ ଆଠମଲ୍ଲିକ ଓ ତାଙ୍କ ଅଧୀନ ମଳିକ ବା ସର୍ଦ୍ଦାରମାନଙ୍କ ମଧ୍ୟରେ ମନୋମାଳିନ୍ୟକୁ ସେ ସନ୍ତୋଷାସ୍ପଦ ନିଷ୍ପତ୍ତି ମାଧ୍ୟମରେ ଉଭୟ ପକ୍ଷଙ୍କର ମୀମାଂସା କରିବା ଦ୍ଵାରା ସେ ପୁରସ୍କାରସ୍ଵରୂପ ଆଠମଲ୍ଲିକରୁ ଚାରିମଲ୍ଲିକ ନାମିତ ଅଂଶ ପୁରସ୍କାର ପାଇଥିଲେ, ଯାହା ବର୍ତ୍ତମାନ ଅନୁଗୋଳର ଟାଇଁସ ପ୍ରଗଣା ନାମରେ ପରିଚିତ। ଆଉ ଏହା ପରେ ଏକ ବିରାଟ ତଥା ଦୁର୍ଦ୍ଧର୍ଷ ଯୁଦ୍ଧର ପ୍ରଚ୍ଛଦନାୟକ ଥିଲେ ରାଜା ସୋମନାଥ ସିଂହ – ବୁଢାପଙ୍କ ଯୁଦ୍ଧ !
ବ୍ରିଟିଶ ଶାସନ ଓଡିଶା ଦଖଲ ପରେ କିଛି କାଳ ପର୍ଯ୍ୟନ୍ତ ସାକ୍ଷାତ୍ ଶାସିତ ମୋଗଲବନ୍ଦୀର ଗଡ଼ଜାତ ଅଞ୍ଚଳରେ ଶାସନଦୃଢତା ନଥିଲା। ବସ୍ତୁତଃ, ସାମୟିକ ଯୁଦ୍ଧ ବିଗ୍ରହାଦି ପର୍ଯ୍ୟନ୍ତ ଘଟିଯାଉଥିଲେ ମଧ୍ୟ ବ୍ରିଟିଶମାନଙ୍କ ଦୃଷ୍ଟି ଆଢୁଆଳରେ ଏହା ଆଗମନ କରୁନଥାଏ। ସେତେବେଳେ, ବୁଢାପଙ୍କଗଡ଼କୁ ନେଇ ସଙ୍ଗଠିତ ଅନୁଗୋଳ-ଢେଙ୍କାନାଳ ଯୁଦ୍ଧ ଏକ ଚର୍ଚ୍ଚିତ ମୋଡ଼ ଥିଲା।
ଜନଶ୍ରୁତି ଅନୁସାରେ ବଡ଼ମ୍ଵା ଓ ଢେ଼ଙ୍କାନାଳ ମଧ୍ୟରେ ପ୍ରକୃତରେ ଏହା ଘଟିତ। ଏଥିରେ ଢେଙ୍କାନାଳ ପକ୍ଷ ପରାସ୍ତ ହୋଇଥିଲା। ଝୁମ୍ପୁଡିଆ ଓ କାଳିକାପ୍ରସାଦ ବୋଲି ଢେଙ୍କାନାଳରେ ଦୁଇଟି ଗ୍ରାମ ଥିଲା, ଯାହା ପୂର୍ବରୁ ବଡ଼ମ୍ବାରେ ଥିଲା। ପଦ୍ମନାଭ ମଙ୍ଗରାଜ ମହାପାତ୍ର ସେତେବେଳେ ସେଠି ରାଜତ୍ଵ କରୁଥାଆନ୍ତି। ଏହି ଦୁଇଟି ଗ୍ରାମକୁ ଜବରଦଖଲ କରିଥିବା ଢେଙ୍କାନାଳ ସହ ଯୁଦ୍ଧ କରିବା ପାଇଁ ସେ ମା’ ଭଟ୍ଟାରିକା ଓ ବୁଢାପଙ୍କର ବୁଢୀଦେଈ ଠାକୁରାଣୀଙ୍କ ଶରଣାପନ୍ନ ହୋଇ ବଡ଼ମ୍ଵାର ବୁଢାପଙ୍କ ଠାରେ ଯୁଦ୍ଧ କରିଥିଲେ।
ଆଉ ଗୋଟିଏ ପ୍ରସିଦ୍ଧ ଜନଶ୍ରୁତି ଅନୁସାରେ, ସ୍ଵୟଂ ଭଟ୍ଟାରିକା ଗଉଡୁଣୀ ବେଶରେ ଆସି ଢେଙ୍କାନାଳର ସୈନ୍ୟକୁ ଦହି ଦେଇ ମୋହାଚ୍ଛନ୍ନ କରିଦେଇଥିଲେ। ଢେଙ୍କାନାଳ ରାଜା ପରବର୍ତ୍ତୀ ସମୟରେ ଧରାପଡିଲେ ମାତ୍ର, ତାଙ୍କୁ ଛାଡିଦେଇ ତାଙ୍କ ପଗଡିଟିକୁ ସେଠାରେ ଛାଡିଦେଲେ। ସେହି ସ୍ଥାନଟି ବର୍ତ୍ତମାନ ଜରିପଦା ନାମରେ କଥିତ। କଥିତବ୍ୟ ଯେ ଢେଙ୍କାନାଳର ଶତାଧିକ ସୈନ୍ୟଙ୍କର ଗୋଟିଏ ଦେଉଳାକାରର ମୃତଦେହ ପଡିରହିଥିଲା। ଏହା ପରେ ବଡ଼ମ୍ବା ରାଜା ଢେଙ୍କାନାଳର ରାଜଜେମାଙ୍କୁ ବିବାହ କରିଥିଲେ। (ସୌ: “ପିଲାଙ୍କ ବଡ଼ମ୍ଵା ଇତିହାସ”)
ଏହାକୁ ନେଇ ଏକ ପଦ୍ୟ ରହିଛି –
“ଦିନୁଦିନ ହେଲା କାଳ ବିଶେଷ,
ଏହିରୂପେ ଗଲା ପାଞ୍ଚ ବରଷ
କାଳେ ଭ୍ରମରବର ନାଶଗଲେ,
ଅନୁଗୋଳର ଭୟ ଛଡାଇଲେ।”
ସେତେବେଳେ ସୋମନାଥ ଶାସନଗାଦିରେ ୨୫ ବର୍ଷୀୟ। ପରବର୍ତ୍ତୀ ସମୟରେ ୧୮୩୮ ସାଲରେ ରାଜଧାନୀ ଆଧୁନିକ ପୁରୁଣାଗଡ଼ରୁ ଉଠାଇ ନେଇ କେତେକ ମାଇଲ ଦୂରରେ ଏକ ପ୍ରାକୃତିକ ଦୁର୍ଗସଦୃଶ ପର୍ବତର ବେଷ୍ଟନୀ ମଧ୍ଯରେ କୃଷ୍ଣଚକ୍ର ନାମକ ରାଜଧାନୀର ସଂସ୍ଥାପନ କରିଲେ। କାରଣ, ସେତେବେଳେ, ୧୮୩୭ ମସିହାର ଶୀତ ଋତୁରେ ସୁପରିଣ୍ଟେଣ୍ଡଡ୍ ରିକେଟ୍ସ ଅନୁଗୋଳ ଗସ୍ତରେ ଆସିବି ବୋଲି ଧମକାଇବାକୁ ରାଜା ସୋମନାଥ ସିଂହ ଏ ନିଷ୍ପତ୍ତି ଗ୍ରହଣ କରିଥିଲେ। ମାତ୍ର, ଏହିପରି ନିଷ୍ପତ୍ତି ତାଙ୍କ ଶାସନବ୍ୟବସ୍ଥାକୁ ଆହୁରି ଦୃଢ଼ କରିପାରିଥିଲା।
ସେତେବେଳେ, ରାଜା ସୋମନାଥ ସିଂହ ଅନେକ ଅପକର୍ମ ଓ ରାଜ୍ୟ ଦଖଲ କରି ବିବାଦୀୟ ହୋଇପଡିଲେ। ଏଥିପାଇଁ ତାଙ୍କୁ ବ୍ରିଟିଶ ସରକାରଙ୍କ ଏକ ଟ୍ରିବ୍ୟୁନାଲ୍ ଆର୍ଥିକ ଭରଣା ନେଇଥିଲା ସତ, କିନ୍ତୁ, ପରବର୍ତ୍ତୀ ସମୟରେ ତାଙ୍କ ସୁଶାସନ ପ୍ରଣାଳୀ ପାଇଁ ସେ ପୁରସ୍କୃତ ମଧ୍ୟ ହେଇଛନ୍ତି। ୧୮୪୭ ମସିହାର ମିଲ୍ସ ସାହେବଙ୍କ ଏକ ବିବରଣୀ ସୋମନାଥ ସିଂହଙ୍କୁ ଉଲ୍ଲେଖ କରେ – “The Rajah is intelligent though an eccentric man but is withal proud and headstrong and the most likely to come in collision with the constituted authority and he is little disposed to obey order which (he believes clashes ?) almost with his imaginary heights. . . . “
ଏହା ପରେ ରାଜା ସୋମନାଥ ସିଂହ ତାଳଚେରର ଜ୍ୟେଷ୍ଠା କନ୍ୟା ରାଜକୁମାରୀ ପ୍ରୀତିମଞ୍ଜରୀଙ୍କ ପାଣିଗ୍ରହଣ କରିଥିଲେ। ୧୮୩୧ ମସିହାରେ ସେ ହିନ୍ଦୋଳ ରାଜାଙ୍କୁ ସୁରକ୍ଷା ଦେବା ସହ ପରବର୍ତ୍ତୀ ସମୟରେ ତିଗିରିଆ ଓ ତାଲଚେର ରାଜାଙ୍କୁ ମଧ୍ୟ ବାହ୍ଯ ଆକ୍ରମଣରୁ ସୁରକ୍ଷା ଦେଇ ଗାଦିଚ୍ୟୁତ ହେବାରୁ ରକ୍ଷା କରିପାରିଥିଲେ।
ସେତେବେଳେ, ତାଙ୍କ ପ୍ରତି ଅନ୍ୟ ରାଜାମାନଙ୍କ ଦ୍ଵାରା ଓ ଇଂରେଜ ସରକାରଙ୍କ ମିଥ୍ୟା ଅଭିଯୋଗ ସବୁ ଧୀରେ ଧୀରେ ଉନ୍ମୋଚିତ ହେବାର ଜଣାପଡେ। ଆଉ ଏଥିରେ ରାଜାଙ୍କ ଦିୱାନ କମଳଲୋଚନ ପଟ୍ଟନାୟକ ଖୋରାକ ଯୋଗାଇଲେ। ଏହାପରେ କ୍ଯାପ୍ ଟେନ ଡନଲପ୍’ଙ୍କ ତଦନ୍ତ ରିପୋର୍ଟ ୧୮୪୭ ମସିହାରେ ବାହାରିବାକୁ ସୋମନାଥ ସିଂହ ନିର୍ଦ୍ଦୋଷ ସାବ୍ୟସ୍ତ ହେଇସାରିବା ସହ ସମସ୍ତ ଅଭିଯୋଗ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା।
ସେତେବେଳେ, ଈର୍ଷାନ୍ଵିତ ବ୍ରିଟିଶମାନଙ୍କ ପାଇଁ ଅନେକ ସମୟରେ ମିଥ୍ୟା ଅଭିଯୋଗର ବିରାଗ ଭାଜନ ହେଉଥିଲେ ସୋମନାଥ ସିଂହ ଜଗଦ୍ଦେବ। ୧୨ ଡିସେମ୍ବର ୧୮୪୭ ମସିହାରେ ତତ୍କାଳୀନ ଜେନେରାଲ କ୍ୟାମ୍ପବେଲ୍’ଙ୍କ ଅନୁଗୋଳର ଗଡ଼ଧ୍ଵଂସ ସହ କୃଷ୍ଣଚନ୍ଦ୍ରଗଡ଼ ଆକ୍ରମଣ ପାଇଁ ଗଠିତ ହେଲା Angul Field Force ! ସେତେବେଳେ କ୍ୟାମ୍ପବେଲ୍ ପରାସ୍ତ ହୋଇ ନାଗପୁର ରାଜା ଓ ବାମଣ୍ଡା ମଧ୍ୟସ୍ଥତାରେ ଆଉଁଳି ନଦୀକୁଳରେ ସନ୍ଧିପ୍ରସ୍ତାବ କରିବାରୁ ରାଜା ଖସି ପଳାଇ କହିଲେ – ଦରକାର ଯୁଦ୍ଧ, କାରଣ ସେ ବଳଦ ନୁହଁନ୍ତି, ସେ ମରଦ !
ଏହା ପରେ ଚତୁରତାର ସହିତ କ୍ୟାମ୍ପବେଲ୍ ହିନ୍ଦୁଧର୍ମର ଉପାସ୍ୟ ଗୋଗୋଷ୍ଠକୁ ଢାଲ କରି ପୁନଶ୍ଚ ଯୁଦ୍ଧବିଗ୍ରହ ଧରିବାକୁ ସମ୍ମୁଖରେ ଗୋହତ୍ୟା ପାପ ନ କରିବା ପାଇଁ ସମସ୍ତେ ଅସ୍ତ୍ର ତ୍ୟାଗ କରିଲେ। ୧୮୪୮ ମସିହାରେ ଦୁର୍ଗପତନ ହୁଏ, ସେତେବେଳେ ବିଶ୍ଵାସଘାତକମାନେ ତୋପ ସର୍ଦ୍ଦାର ମଣିକୁ ନିଶାଗ୍ରସ୍ତ କରେଇ ଦେଇଥିଲେ। ରାଜା ସୋମନାଥ ସିଂହ ୧୫ ଫେବୃଆରୀରେ ବନ୍ଦୀ ହୋଇ କଟକ ଓ ପରେ ହଜାରିବାଗରେ ଗଲେ। ପରବର୍ତ୍ତୀ ସମୟରେ ଶୋକାହତ ରାଜା ୨ ଜୁଲାଇ ୧୮୫୩ ମସିହାରେ ତାଙ୍କର ପ୍ରାଣବାୟୁ ଚଳିଗଲା।
ଏହି ବୀରବିପ୍ଳବୀ ଥିଲେ ଜଣେ ପରାକ୍ରମୀ ତଥା ସୁଦୂରପରାହତ ନୃପତି। ୧୮୨୫ ମସିହାରୁ ସେ ପଣବଦ୍ଧ ଥିଲେ ଯେ ଅନୁଗୋଳରୁ ଇଂରେଜ ଶାସନ ନିଶ୍ଚିତ ଲୋପ ପାଇବ। ତାଙ୍କର ପରାମର୍ଶଦାତା ସମର ବିଶାରଦ ନୃସିଂହ ରାଜଗୁରୁ ଓ ପ୍ରଧାନ ପାତ୍ର ସିନ୍ଧୁ ଗଡ଼ନାୟକ ତଥା ସର୍ଦ୍ଦାର ପରମାନନ୍ଦ ଚମ୍ପତିରାୟଙ୍କୁ ସୈନ୍ୟସାମନ୍ତଙ୍କ ସହ ସୁନିୟୋଜିତ କରିଥିଲେ। ମାତ୍ର, ଇଂରେଜମାନଙ୍କ ଖଳତା ଓ ମିଥ୍ୟା ଉଦ୍ଦେଶ୍ୟ ପ୍ରଣୋଦିତ ଯୋଜନାରୁ ବନ୍ଦୀ ହୋଇ ପ୍ରାଣାହତ ହୋଇଥିବା ଏହି ବୀରରାଜନ୍ ମଧ୍ୟ ଥିଲେ ଜଣେ ସାହିତ୍ୟାନୁରାଗୀ ନୃପ!
ଢେଙ୍କାନାଳର ଦାମୋଦର ପଟ୍ଟନାୟକ ତାଙ୍କ “ସଂଗୀତ ସାଗର” ଏବଂ ବିଜୟ ଚନ୍ଦ୍ର ମଜୁମଦାର ନିଜର “Typical Selections from Odia Literature” ରେ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ଅନେକ ରଚନାକୁ ପ୍ରକାଶ କରିଛନ୍ତି। ଡ. ଜାନକୀବଲ୍ଲଭ ମହାନ୍ତି (ଭରଦ୍ଵାଜ) ତାଙ୍କର ୬୫ଟି ଗୀତିକାବ୍ୟକୁ ଉଦ୍ଧାର କରି “ସୋମନାଥ ଗୀତାବଳୀ” ସଙ୍କଳିତ କରିଥିଲେ। ତାଙ୍କର “ସୁନ୍ଦରୀ ଚଉତିଶା”, “ଦେବୀ ମାହାତ୍ମ୍ୟ ବା ମାଳଶ୍ରୀ” ଆଦି ରଚନା ତାଙ୍କର ପ୍ରଧାନ ରଚନା ଥିଲା। ସଂସ୍କୃତର ଅଳଙ୍କାର, ଶ୍ଳୋକସୁଲଭ ଛାନ୍ଦପାଟବରେ ଅପୂର୍ବଶ୍ରୀ ମଧ୍ଯ ଲାଭ କରିପାରିଥିଲା।
ବିଷୟବସ୍ତୁର ବିଭିନ୍ନତା, ଆଳଙ୍କାରିକତା, ସଂଗୀତାତ୍ମକତା – ତାଙ୍କ ରଚନାରେ ଏକ ଅନନ୍ୟ ରୂପାୟନ ଲାଭ କରିପାରିଥିଲା। ସେହିପରି ସପ୍ତଶତୀ ଚଣ୍ଡୀଙ୍କ ଗାଥାକୁ ଆଧାର କରି ମାଳଶ୍ରୀ ରାଗରେ ସେ ତ୍ରୟୋଦଶ ଆଖ୍ୟାନ ସମ୍ବଳିତ “ଚଣ୍ଡୀମାହାତ୍ମ୍ଯ”ର ରଚନା କରିଥିଲେ। ଏପରିକି ସେ ସଂସ୍କୃତରେ ମାତ୍ରାବୃତ୍ତରେ ଏହାର ଅନେକ ଛାନ୍ଦ ରଚନା କରିଛନ୍ତି, ଯାହା ତାଙ୍କ ରଚନବ୍ୟଞ୍ଜନାର ପ୍ରମୁଖ ଉପଜୀବ୍ୟ ଅଟେ।
ସେହିପରି ସେ ଜଗନ୍ନାଥ ଜଣାଣ, ବିଷ୍ଣୁ ଜଣାଣ ପରି ନାନାବିଧ ରଚନା ଲେଖିଛନ୍ତି। (ଉପରୋକ୍ତ) ଭଜନରେ ସେ ଅପଦସ୍ଥ ଓଡିଆମାନଙ୍କ ପାଇଁ ନିବେଦନ କରିଥିଲେ ଯେଉଁମାନେ କି ପାଇକ ବିଦ୍ରୋହରେ ପରାଜିତ ହୋଇଯାଇଥିଲେ। ତାଙ୍କର ଅନେକ ପଲ୍ଲୀଗୀତ ଯେପରି “ରେ ରସବନ୍ଧୁ” ଅନବଦ୍ୟ ଢଗ ବୃତ୍ତରେ ଲିଖିତ। ନାୟିକାର ରୂପ ପ୍ରଶଂସା ସହ ନାୟକର ବିରହ ଚିନ୍ତାର ଅପରୂପ ସନ୍ନିବେଶନ ତାଙ୍କ ଗୀତିମୟିତାରେ ସୁସ୍ପଷ୍ଟ ବାରିତ। ସେଥିରୁ ଗୋଟିଏ ପଦ –
ରେ ରସବନ୍ଧୁ ! କରିବି ପର ପୀରତି “
ଏପରିକି ଆଞ୍ଚଳିକ ସାଧାରଣ ଶବ୍ଦ ଯେପରି ‘ଅକଟ’, ‘କଣ୍ଟ’, ‘ଝିମିଟି’, ‘ତେରଛ’, ‘ଭେଳିକି’, ‘ବୋଲଣା’ ଇତ୍ୟାଦି ଅନେକ ମନଛୁଆଁ ହୃଦୟସ୍ପର୍ଶୀ ଶବ୍ଦର ପ୍ରୟୋଗ କରିବାରେ ମଧ୍ୟ ଥିଲେ ଧୁରୀଣ –
ହୋଇଗଲେ ମୁକ୍ତ ଛାଡିଦେବା ବାଟ
ନୋହିଲେ ଘରକୁ ଯାଅ ସଜନୀ . . .
ସୁଧା ନିହୁତିଲା ପରି ଲାଗୁଥିବ
ତାଙ୍କ ଜନ୍ମ ୧୧ ଅଗଷ୍ଟ ୧୮୦୦ ମସିହାରେ ହୋଇଥିଲା। ମାତା ସୁଲୋଚନା ଦେବୀ ନିମାପଡାର ଜମିଦାର ରାଏଟ୍ ସିଂହଙ୍କ ଭଗିନୀ। ମାତ୍ର ନ’ ବର୍ଷ ବୟସରେ ସେ ପ୍ରାଚୀ ଓଡ଼ିଆ କବିତା ଏବଂ ଓଡ଼ିଆ ବ୍ୟାକରଣରେ ପାରଦର୍ଶିତା ଲାଭ କରିଥିଲେ। ଏହା ପରେ ଅବଧାନଙ୍କ ଅନୁରୋଧକ୍ରମେ ସେ ପୁରୀରେ ସଂସ୍କୃତ ବ୍ୟାକରଣରେ ପଟୁତା ଲାଭ କରିଥିଲେ।
ଆବାଲ୍ୟ ସଂଗୀତପ୍ରିୟ ଥିଲେ ସିଏ। ଗ୍ରାମୋଫୋନ୍ ରେକର୍ଡିଂର ଧ୍ବନିତ ମଧୁରତାରେ ସେ ବିମୋହିତ ହେଇଯାଉଥିଲେ। ଏହା ସହ ଓଡିଶାର ପ୍ରଥମ ମହିଳା ପାଇକ ନୃତ୍ୟର ପ୍ରବର୍ତ୍ତନ କରିବା ସହ ପ୍ରଥମ କରି ଗଞ୍ଜାମରୁ କିଛି ଗୋଟିପୁଅ ନୃତ୍ୟଶିଳ୍ପୀଙ୍କୁ ଆଣି ପ୍ରଥମ କରି ରାଜଦରବାରରେ ପ୍ରଦର୍ଶିତକରାଇ ପାରିଥିଲେ। ତାଙ୍କ ଦରବାରରେ ନ’ଜଣ କବି ଥିଲେ – ନୀଳାମ୍ଵର ପୁରୋହିତ, ଜଗନ୍ନାଥ ପୂଜାପଣ୍ଡା, ଚନ୍ଦ୍ରଶେଖର, ପରମେଶ୍ବର, ଜଗବନ୍ଧୁ, ଦୀନବନ୍ଧୁ, ଗଣେଶ୍ଵର ବ୍ରହ୍ମା, ମହାଦେବ ବ୍ରହ୍ମା ଏବଂ ନୃସିଂହ ରାୟଗୁରୁ।
ଛନ୍ଦକବି ରାଧାମୋହନ ଗଡ଼ନାୟକଙ୍କ ଏକ ପ୍ରସିଦ୍ଧ କବିତା, “ଫେରି ଚାହାଁ ଅନଗୁଳ” ସେହି ମହାମହିମଙ୍କ ସ୍ମୃତିବାସରେ।
ଫେରି ଚାହାଁ ତୋ’ର ଅତୀତର ବୁକେ
ଝରିଥିଲା ଯେଉଁ ଛାତିର କିଲାଲ,
ପୂଜା ଖଟୁଲିରେ ରଖିଯାଇ ଅଛି ;
ସେନାପତି ତୋ’ର ‘ସିନ୍ଧୁ’ ‘ଭୁବନ’
(ସମଗ୍ର ଓଡିଶାରେ ଯେତେବେଳେ ନାନାବିଧ ସ୍ଵାଧୀନତାର ସ୍ଵରୋତ୍ତଳିତ ହୁଏ, ସେତେବେଳେ କଦମ୍ଵବଂଶୀୟ ଅନୁଗୋଳ ଗଡଜାତର ଶେଷ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ମହୀୟାନ୍ ଆତ୍ମତିତିକ୍ଷାକୁ ସମ୍ମାନ ଦେଇ ତାଙ୍କ ପୁଣ୍ୟଦିବସରେ ସଭକ୍ତି ଶ୍ରଦ୍ଧାର୍ଘ୍ୟ ଓ ପାଥେୟ କାମନା।)