ଲେଖା: ନିରଞ୍ଜନ ସାହୁ

ଓଡ଼ିଶା ପ୍ରଦେଶର ‘କସ୍ତୁରବା ଗାନ୍ଧୀ ଟ୍ରଷ୍ଟ ଫଣ୍ଡ’ର କାର୍ଯ୍ୟ ପରିଚାଳନା ଦାୟିତ୍ଵ ନ୍ୟସ୍ତ ହେଲା ରମାଦେବୀଙ୍କ ଉପରେ ୧୯୪୫ ମସିହାରେ । ସାତ ବର୍ଷ ମଧ୍ୟରେ ରାଜ୍ୟରେ ଏହି କେନ୍ଦ୍ର ଦ୍ବାରା ଆଠଟି ମାତୃମଙ୍ଗଳ ଓ ନ’ଟି ଗ୍ରାମସେବା କେନ୍ଦ୍ର, କେତୋଟି ଲୁଗାବୁଣା କେନ୍ଦ୍ର ସ୍ଥାପନ ହେଲା ରମାଦେବୀଙ୍କ ତତ୍ତ୍ଵାବଧାନରେ । ବରୀରେ ଲୁଗାବୁଣା କେନ୍ଦ୍ର ସହ ପ୍ରାକ୍ ବେସିକ୍ ମହିଳା ଟ୍ରେନିଂ କେନ୍ଦ୍ର ଖୋଲାଗଲା। ସେ ସମୟରେ ଏ ସବୁ କାର୍ଯ୍ୟର ତତ୍ତ୍ଵାବଧାନ କରିବାକୁ କେତେ କଷ୍ଟ ହୋଇଥିବ ତାହା ସହଜେ ଅନୁମେୟ ।

ଆଦିବାସୀ ମାନଙ୍କ ସେବା ପାଇଁ ଓଡ଼ିଶାରେ ଗଢ଼ା ହେଲା ନବଜୀବନ ମଣ୍ଡଳ । ଏହାର ଗଠନକର୍ତ୍ତା ମାନଙ୍କ ମଧ୍ୟରେ ରହିଲେ ରମାଦେବୀ ଚୌଧୁରୀ ମୁଖ୍ୟ ଓ ମାଳତୀ ଚୌଧୁରୀ ସହକାରୀ ଭାବେ । ୧୯୪୬ ମସିହାର ଅଗଷ୍ଟ ମାସ ୧୫ ତାରିଖରେ କଲିକତା ନଗରୀ ନୂଆଖାଲି ରେ ଆରମ୍ଭ ହୋଇଗଲା ସାମ୍ପ୍ରଦାୟିକ ଦଙ୍ଗା ଓ ହାଣକାଟ । ଭାରତର ବିଭିନ୍ନ ସ୍ଥାନକୁ ବ୍ୟାପିଲା ଗଣ୍ଡଗୋଳ । ଓଡ଼ିଶାରେ ବ୍ୟାପି ଯିବାର ଆଶଙ୍କା କରି, ସାମ୍ପ୍ରଦାୟିକ ସଦ୍ଭାବ ଓ ଏକତା ପାଇଁ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ବୁଲିବା ଆରମ୍ଭ କରିଦେଲେ ଓ ଶାନ୍ତି ସଦ୍ଭାବର ବାର୍ତ୍ତା ପ୍ରଚାର କରି ଦୁଇ ଗୋଷ୍ଠୀଙ୍କୁ ଏକାଠି କରିଦେଲେ । ଓଡ଼ିଶାରେ କୌଣସି ଅଘଟଣ ଘଟିଲା ନାହିଁ ସେ ସମୟରେ । ପରମପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ପୂଜ୍ୟା ରମାଦେବୀ ଚୌଧୁରୀଙ୍କ ଅବଦାନ ଏଥିପାଇଁ ଆଜି ମଧ୍ୟ ସ୍ମରଣୀୟ ।

୧୯୪୭ ମସିହାରେ ଭାରତ ସ୍ଵାଧିନତା ପାଇବା ହେତୁ ଯେଉଁ ଆନନ୍ଦ ଆସିଥିଲା, ତାହା କ୍ରମଶଃ ମଉଳି ଆସୁଥିଲା ଗୋପବନ୍ଧୁ ଓ ରମାଦେବୀଙ୍କ ମନରେ । ମହାତ୍ମାଗାନ୍ଧୀଙ୍କ ନିଧନରେ ଭାଙ୍ଗି ପଡି଼ଥିଲେ ଦୁହେଁ । ସ୍ଵାଧୀନତା ପରର ଦୁଇ ତିନି ବର୍ଷ ମଧ୍ୟରେ ଦୁହେଁ ଏକ ମତରେ ପହଞ୍ଚିଲେ ଯେ, ଦେଶର ଅବସ୍ଥା ବଦଳୁ ନାହିଁ ବରଂ କଂଗ୍ରେସ ଶାସକ ଗୋଷ୍ଠୀଙ୍କ ଭିତରେ ଅଧିକ ମନାନ୍ତର ଦାନା ବାନ୍ଧୁଛି । କୌଣସି ରାଜନୈତିକ ଦଳ ସର୍ବୋଦୟ ସମାଜର ଲକ୍ଷ୍ୟ ପୂରାପୂରି ଗ୍ରହଣ କରୁନାହାନ୍ତି, ତେଣୁ ଜନସମାଜର ଉପକାର ଅସମ୍ଭବ । ଏହିପରି ଚିନ୍ତା ମନରେ ଆସି ଯାଇଥିବା ବେଳେ ୧୯୫୦ ଅପ୍ରେଲ ମାସରେ ‘ଅଖିଳ ଭାରତ ସର୍ବୋଦୟ ସମାଜ‘ର ଦ୍ଵିତୀୟ ବାର୍ଷିକ ଅଧିବେଶନ ଆରମ୍ଭ ହେଲା ଅନୁଗୁଳ ଠାରେ । ଅତି ଅଳ୍ପ ଖର୍ଚ୍ଚରେ ଏତେ ସୁନ୍ଦର ବ୍ୟବସ୍ଥା କରି ଅନୁଗୁଳ ସମ୍ମିଳନୀର ପ୍ରଶଂସିତ ବ୍ୟକ୍ତିତ୍ଵ ହୋଇଉଠିଲେ ରମାଦେବୀ ।

ଦେଶ ପାଇଁ ଏହିପରି ଆଶା ଓ ନୈରାଶ୍ୟ ମଧ୍ୟରେ ଥିବା ବେଳେ ୧୯୫୧ ଡିସେମ୍ବର ମାସରେ ରାୟଗଡ଼ା-ଗୁଣୁପୁର ଅଞ୍ଚଳରେ ମରୁଡି଼ ଓ ଦୁର୍ଭିକ୍ଷ ପଡ଼ିଲା । ରମାଦେବୀ ଥିଲେ କୋମଳ ହୃଦୟା, ସ୍ନେହୀ, ମାତୃପ୍ରତୀମ । ନିଜେ ଦୁର୍ଭିକ୍ଷ ପ୍ରପୀଡିତ ଲୋକମାନଙ୍କୁ ଦେଖିଲେ ସମ୍ଭାଳି ପାରିବେ ନାହିଁ ବୋଲି ସାଥିରେ ଗଲେ ଆଚାର୍ଯ୍ୟ ହରିହର, ମାଳତୀ ଚୌଧୁରୀ, ଈଶ୍ଵରଲାଲ୍ ବ୍ୟାସ ଓ କେତେକ ସମାଜସେବୀ । ସେଠିକାର ପରିସ୍ଥିତି ଦେଖି ଅନ୍ନସତ୍ର ଖୋଲି ଖାଇବାକୁ ଦିଆଗଲା ଲୋକମାନଙ୍କୁ ।

ସ୍ଵାଧୀନତାର ସୁଫଳ ଯାହା ଆଶା କରିଥିଲେ, ତାହା ତ ବହୁ ଦୂରରେ ରହିଗଲା ! ସ୍ଵାଧୀନତା ପ୍ରାପ୍ତିର ତିନି ଚାରି ବର୍ଷରେ ଏଭଳି କନ୍ଦଳ, ଅନୀତି ଦେଖି ଦେଖି ବ୍ୟସ୍ତ ହୋଇ ପଡୁଥିଲେ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ । ନୂଆ କିଛି ଖୋଜିବାରେ ମନୋନିବେଶ କରୁଥିବା ସମୟରେ ପୂଜ୍ୟ ବିନୋବା ଭାବେଙ୍କ ଭୂଦାନ ବିଚାର ମାର୍ଗକୁ ନିରିଖେଇ ଦେଖିବାକୁ ଲାଗିଲେ । ଏହା ଦ୍ବାରା ଦେଶରେ ସମତା ଆସିବ ଓ ଅନେକ ସମସ୍ୟା ସମାଧାନ ସହ ଲୋକମଙ୍ଗଳ ହୋଇପାରିବ ଭାବି ଭୂଦାନ ଆନ୍ଦୋଳନରେ ସାମିଲ ହୋଇଗଲେ ଦୁହେଁ । ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ହେଲେ ଓଡ଼ିଶାରେ ଭୂଦାନ ଆନ୍ଦୋଳନର ପ୍ରବର୍ତ୍ତକ, ରମାଦେବୀ ଓ ପରିବାରର ସମସ୍ତେ ହୋଇଗଲେ ସହକର୍ମୀ ।ଆଉ ଅପେକ୍ଷା କରିବାକୁ ସମୟ ନଥିଲା ।

୧୯୫୨ ମସିହା ଜାନୁଆରୀ ସାତ ତାରିଖରେ ଆରମ୍ଭ ହେଲା ପଦଯାତ୍ରା ବରୀ ଆଶ୍ରମରୁ । ପଦଯାତ୍ରା ଚାଲିଲା ବରୀରୁ ଅନୁଗୁଳ, ପୁରୀ, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ଢେଙ୍କାନାଳ, କଟକ ଜିଲ୍ଲାର ନାନା ଅଞ୍ଚଳ, ଗାଁ, ସହର । ଦୀର୍ଘ ଚାରି ମାସ ବାଇଶି ଦିନର ଯାତ୍ରାର ଶେଷ ହେଲା କଟକ ଜିଲ୍ଲାର ଖଣ୍ଡସାହି ଗାଁରେ। ପଦଯାତ୍ରାରେ ଭୁଦାନ ବାର୍ତ୍ତା, ଲୋକଙ୍କ ସମସ୍ୟା ଇତ୍ୟାଦି ଥିଲା ମୁଖ୍ୟ । ଏହି ଦୀର୍ଘ ଯାତ୍ରା ମଧ୍ୟରେ ଭୂ-ଦାନ ଆରମ୍ଭ ହୋଇ ଯାଇଥିଲା ସମ୍ବଲପୁରର ବୋଡ଼ାସମ୍ବର ଇଲାକାର ଗାଇସିଲେଟ ଗାଁରୁ । ଏହା ଥିଲା ଓଡ଼ିଶାର ପ୍ରଥମ ଭୂଦାନ ଯଜ୍ଞ

୧୯୫୨ ମସିହା ଅକ୍ଟୋବର ଦୁଇ ତାରିଖରୁ ଦ୍ଵିତୀୟ ପର୍ଯ୍ୟାୟ ଭୂଦାନ ଆରମ୍ଭ ହେଲା । ଦୀର୍ଘ ୪୨୭ ମାଇଲ୍ ପାଦରେ ଚାଲି ଚାଲି ଅତିକ୍ରମ କଲେ ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନ । ପଦଯାତ୍ରା ସମୟରେ ଶତାଧିକ ସ୍ବେଚ୍ଛାସେବୀ ଯୋଗ ଦେଉଥିଲେ ଏହି ଭୂଦାନ ଆନ୍ଦୋଳନରେ ଯାହା ପ୍ରକୃତରେ ଥିଲା ଜନ ମଙ୍ଗଳ କାର୍ଯ୍ୟକ୍ରମ। ରମାଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରଚନାତ୍ମକ କର୍ମୀମାନଙ୍କର ଛୋଟ ଛୋଟ ଶିବିର ଆୟୋଜନ ହେଉଥିଲା ଏବଂ ଏହାର ଚୂଡାନ୍ତ ରୂପ ପ୍ରକାଶିତ ହେଲା ପୁରୀ ଜିଲ୍ଲା ଅନ୍ତର୍ଗତ ବେରବୋଇ ପ୍ରାଦେଶିକ ସମ୍ମିଳନୀରେ ୧୯୫୩ ମସିହା ଫେବୃୟାରୀ ୧୪ ତାରିଖରେ । ସେଠାରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଏହି ଶ୍ରେଣୀ ବିଭକ୍ତ ସମାଜରେ ସମତା ଆଣିବା ପାଇଁ ସ୍ଵେଚ୍ଛାସେବୀ ଓ କସ୍ତୁରବା ନିଧିର ଗ୍ରାମସେବିକା ମାନେ ନିଜ ନିଜ ଅଞ୍ଚଳରେ ‘ଭୂଦାନ କାମକୁ’ ମୂଖ୍ୟ ରୂପେ କରିବେ । ସେଇଠୁ ଜୋରସୋରରେ ଚାଲିଲା ଭୂଦାନ। ଘରେ ଘରେ, ଗାଁ ଗାଁରେ ଆରମ୍ଭ ହୋଇଗଲା ସର୍ବୋଦୟ ପାତ୍ର, ସମ୍ପତ୍ତି ଦାନ, ଶ୍ରମଦାନ, ବୁଦ୍ଧିଦାନ, ଜୀବନଦାନ, ଶାନ୍ତିସେନା ଓ ଗ୍ରାମଦାନ ଇତ୍ୟାଦି କାର୍ଯ୍ୟକ୍ରମ ।

ଭୂଦାନ ଆନ୍ଦୋଳନରେ ବିନୋବାଜୀ ପ୍ରଥମ ପଦଯାତ୍ରା ଆରମ୍ଭ କଲେ ଓଡ଼ିଶାରେ ୧୯୫୫ ଜାନୁଆରୀ ୨୬ ତାରିଖରେ । ମାର୍ଚ୍ଚ ମାସ କୋଡ଼ିଏ ତାରିଖରେ ଅଖିଳ ଭାରତ ସର୍ବସେବା ସଂଘ ବୈଠକ ବସିଲା ପୁରୀରେ, ସାତଦିନ ବ୍ୟାପୀ । ଆଗ ଧାଡ଼ିରେ ରମାଦେବୀ ଚୌଧୁରୀ । ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର କର୍ମୀମାନଙ୍କର ମା’ ରୂପେ ଅବତୀର୍ଣ୍ଣ ହୋଇଥିଲେ ରମାଦେବୀ । ରାନ୍ଧିବାଢ଼ି ଖୁଆଇବା ସହ ସଂଗଠନର ସୁପରିଚାଳନାର ଶ୍ରେଷ୍ଠ କର୍ମୀ ଥିଲେ ସେ । ସେହି ଦିନଠାରୁ ବିନୋବାଙ୍କ ଅଧିକାଂଶ ସଭା ଓ ପଦଯାତ୍ରା ପୂର୍ବରୁ ସମ୍ମିଳନୀ ହେବାକୁ ଥିବା ସ୍ଥାନ ମାନଙ୍କରେ ପ୍ରଥମେ ପହଞ୍ଚି ଯାଉଥିଲେ, ସମସ୍ତ ପ୍ରକାର ବନ୍ଦୋବସ୍ତ ତତ୍ତ୍ଵାବଧାନ କରୁଥିଲେ । 

୧୯୫୬ ମେ ମାସରେ ଆସାମର ଲକ୍ଷ୍ମୀପୁର ସର୍ବୋଦୟ ମେଳା, ସେଠାରୁ କେନ୍ଦୁଝର ଜିଲ୍ଲାରେ ଭୂଦାନ କାର୍ଯ୍ୟକ୍ରମ ଇତ୍ୟାଦିରେ ଯୋଗ ଦେଇ ଭୂ-ବଣ୍ଟନ କାମରେ ଥିଲାବାଲା ଲୋକଙ୍କ ପାଖରୁ ଦାନ ସୂତ୍ରରେ ବଳକା ଜମି ଆଣି ଭୂମିହୀନ ପରିବାରକୁ ବାଣ୍ଟିବାକୁ ଲାଗି ପଡ଼ିଲେ । ୧୯୫୬ ମେ ମାସରୁ ୧୯୫୮ ଅପ୍ରେଲ ପର୍ଯ୍ୟନ୍ତ ଦୀର୍ଘ ଦୁଇ ବର୍ଷର ପଦଯାତ୍ରା, ବିଭିନ୍ନ ସମ୍ମିଳନୀରେ ଯୋଗଦାନ, ଭୂ-ବଣ୍ଟନ କରୁ କରୁ ଅସୁସ୍ଥ ହୋଇ ପଡି଼ଲେ ରମାଦେବୀ । ପୁତ୍ର, କନ୍ୟା, ସ୍ଵାମୀ ସମସ୍ତେ ତ ଗରୀବ ଜନତାଙ୍କ ମୁହଁରେ ହସ ଫୁଟାଇବା ପାଇଁ ବ୍ୟସ୍ତ ! ତାଙ୍କ ସେବା କରିବା ପାଇଁ ସମୟ ଯେ କାହିଁ ? ସେତେବେଳେ ମୟୂରଭଞ୍ଜ ଜିଲ୍ଲାରେ ଭୂଦାନ କାର୍ଯ୍ୟକ୍ରମ ଚାଲିଛି । ରମାଦେବୀଙ୍କ ଜ୍ଵର (ଟାଇଫଏଡ) ଖବର ପାଇ ଫେରି ଆସିଲେ ସ୍ଵାମୀ ଗୋପବନ୍ଧୁ ଚୌଧୁରୀ କଟକ ଆଶ୍ରମକୁ।ସେବା ଶୁଶ୍ରୁଷା କଲେ । ମାଆ ରମାଦେବୀ ସୁସ୍ଥ ହୋଇଗଲେ, ଆଉ ନିଜେ ଅସୁସ୍ଥ ହୋଇ ପଡି଼ଲେ ଗୋପବାବୁ । ସେହି ଅପ୍ରେଲ ମାସ ୨୯ ତାରିଖରେ ଉତ୍କଳ ଖଣ୍ଡର ଋଷି ପ୍ରତିମ ମଣିଷ ଦଧିଚି ଗୋପବନ୍ଧୁ ଚୌଧୁରୀ ବ୍ରହ୍ମଲୀନ ହୋଇଗଲେ ।

ଏ ଆଘାତ ଥିଲା ଅତି ଦାରୁଣ । ଅବସନ୍ନ ହୋଇ ଆସୁଥିଲେ ରମାଦେବୀ । ତାଙ୍କ କର୍ଣ୍ଣରେ ବାରମ୍ବାର ପ୍ରତିଧ୍ଵନିତ ହେଉଥିଲା ମହାତ୍ମାଗାନ୍ଧୀଙ୍କ ବାଣୀ ,”ଶୋକରେ ସମୟ ଖର୍ଚ୍ଚ କରିବାକୁ ଦେଶସେବକର ଅଧିକାର ନାହିଁ ।” ତେଣୁ ଅଣ୍ଟା ଭିଡ଼ିଲେ ସେବା ସ୍ଵରୂପିଣୀ ମାଆ ରମାଦେବୀ, ବଡ଼ବାପାଙ୍କର ଉକ୍ତିକୁ ମନେ ପକେଇ:
ଯାଉ ଏ ଜୀବନ ରହୁ ଏ ଜୀବନ
ଯିବା ଥିବା ସବୁ ମୋ ପକ୍ଷେ ସମାନ
ତୁମ୍ଭ ଇଛା ପ୍ରଭୁ ହେଉ ହେ ପୂରଣ ।

୧୯୫୮ ମହାରାଷ୍ଟ୍ର ପଣ୍ଡରପୁର ସର୍ବୋଦୟ ସମ୍ମିଳନୀରେ ସଭାପତି ହୋଇ ସମଗ୍ର ଦେଶରେ ଶାନ୍ତିସେନା ଗଠନର ନେତୃତ୍ଵ ନେଲେ ରମାଦେବୀ । ‘ନିଖିଳ ଭାରତ ଶାନ୍ତି ମଣ୍ଡଳ’ର ସଭାପତି ଭାବେ ନିର୍ବାଚିତ ହୋଇ ଶାନ୍ତି ସମନ୍ୱୟ ସମିତି ସ୍ଥାପନ କଲେ ଓଡ଼ିଶାରେ, ଯାହାର ଉଦ୍ଦେଶ୍ୟ ଥିଲା ଗାଁ ମାନଙ୍କରେ ଥିବା ମାଲିମୋକଦ୍ଦମାର ଆପୋଷ ସମାଧାନ କରି ମିଳାମିଶା କରାଇବା । ୧୯୬୨ ମସିହାରେ ଚୀନ୍ ଆକ୍ରମଣ ପରେ ଆସାମ ସୀମାନ୍ତରେ ତାଙ୍କର ସେବାକାର୍ଯ୍ୟ ସମସ୍ତଙ୍କ ଆଖି ଖୋଲିଦେଲା । ତା ପରବର୍ଷ ୧୯୬୩ରେ ବିନୋବାଙ୍କ ସହ କୋରାପୁଟ ଗସ୍ତ ଓ ଜମିବଣ୍ଟନ କାର୍ଯ୍ୟ ସେ ନିଜେ ରହି କରାଇଲେ । ସେହି ବର୍ଷ ରାଉରକେଲାର ସାମ୍ପ୍ରଦାୟିକ ଦଙ୍ଗା (ଅପ୍ରେଲ ମାସ) ପରେ ଯାଇ ଉଭୟ ଗୋଷ୍ଠୀଙ୍କ ଭିତରେ ମିଳାମିଶା ଓ ଶାନ୍ତି ପ୍ରତିଷ୍ଠା ଥିଲା ଭାରତବର୍ଷରେ ଅଭୂତପୂର୍ବ ।୧୯୬୫ରେ ଉତ୍କଳ ଗାନ୍ଧି ସ୍ମାରକ ନିଧିର ସଭାପତି ଥିବା ବେଳେ ୧୯୬୬ ରେ କଳାହାଣ୍ଡି ଦୁର୍ଭିକ୍ଷ, ଅନାହାର ରାଜ୍ୟ ଓ ଦେଶର ନେତୃବୃନ୍ଦଙ୍କ ମୁହଁରେ କଳା ବୋଳିଦେଲା । ଉତ୍କଳ ରିଲିଫ୍ କମିଟି ଗଠିତ ହେଲା, ସଭାପତି ରହିଲେ ରମାଦେବୀ । କଳାହାଣ୍ଡିର ବୁଭୁକ୍ଷୁ ମାନଙ୍କର ସେବା କରିବାରେ କୋୖଣସି କାର୍ପଣ୍ୟ ପରିଲକ୍ଷିତ ହୋଇନଥିଲା ତାଙ୍କର । ମାଆ ରୂପେ ପହଞ୍ଚି ଖୁଆଇଲେ ତାଙ୍କର ଦୁର୍ଭିକ୍ଷ ପ୍ରପୀଡିତ ପିଲାମାନଙ୍କୁ ।

୧୯୬୭ ସେପ୍ଟେମ୍ବର ବନ୍ୟାରେ ପ୍ରଭାବିତ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାରେ ରିଲିଫ କାର୍ଯ୍ୟରେ ସେ ଯେମିତି ଥିଲେ ନାରାୟଣୀ । ୧୯୬୯ ରେ କଟକ ଜିଲ୍ଲାର ଜମ୍ବୁ ଅଞ୍ଚଳରେ ଭାଷା ଜନିତ ବିଦ୍ୱେଷ ଓ ସଂଘର୍ଷ, ବ୍ରହ୍ମପୁର ସାମ୍ପ୍ରଦାୟିକ ଗଣ୍ଡଗୋଳ, ୧୯୭୧-୭୨ ରେ ବାଂଲାଦେଶୀ ଶରଣାର୍ଥୀଙ୍କ ସେବା ଇତ୍ୟାଦି କାର୍ଯ୍ୟରେ ‘ମାଆ’ ରୂପରେ ଅବତୀର୍ଣ୍ଣ ହୋଇ ସମସ୍ତଙ୍କୁ ସ୍ନେହ ବନ୍ଧନରେ ବାନ୍ଧି ସବୁ ସମସ୍ୟାର ସମାଧାନର ମୂର୍ତ୍ତିମନ୍ତ ପ୍ରତୀକ ରୂପେ ଉଭା ହୋଇଥିଲେ ରମାଦେବୀ । ଏହି ସମୟରେ ଓଡ଼ିଶାରେ ମହାବାତ୍ୟା ହୋଇ ବହୁ ଧନଜୀବନ, ବାସଗୃହ ନଷ୍ଟ ହୋଇଗଲା । ସେଠାରେ ସେବାକାର୍ଯ୍ୟ ସହ ରବିଶଙ୍କର ମହାରାଜଙ୍କ ସହଯୋଗରେ ବାତ୍ୟା ଦୁର୍ଗତ ୩୭୮୬ ପରିବାରଙ୍କ ପାଇଁ ବ୍ୟାପକ ଘର ତିଆରି କରାଇଥିଲେ ।

୧୯୭୫ ଜୁନ ମାସ ଥିଲା ଭାରତୀୟ ଗଣତନ୍ତ୍ରରେ କାଳିମାମୟ ମାସର ପ୍ରାରମ୍ଭ । ଲାଗୁ ହୋଇଥିଲା ଜରୁରୀକାଳୀନ ଅବସ୍ଥା, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନରେ । ଭାରତର ସବୁ ସ୍ଥାନରେ କୋକୁଆ ଭୟ । ଦେଶର ସବୁ ତୁଙ୍ଗ ନେତାମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ସ୍ଵରରେ ଥିଲେ ବିରୋଧାଭାସ । ବହୁ ଚିନ୍ତାନାୟକ, ଶିକ୍ଷାବିତ୍, ସାଧାରଣ କର୍ମୀ ସମସ୍ତଙ୍କ ବିରୁଦ୍ଧରେ ମିଶା ଆଇନ ଲାଗୁ ବଳରେ ଗିରଫ କରାଯାଇ ହାଜତକୁ ପଠାଇ ଦିଆଯାଇଥିଲା । ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ଏହି ପଦକ୍ଷେପକୁ ଯେଉଁ ମାନେ ବିରୋଧ କଲେ ଜେଲଦଣ୍ଡ ଭୋଗିଲେ । ଏହାର ପ୍ରତିବାଦ ହୋଇଥିଲା ଓଡ଼ିଶାରେ ମଧ୍ୟ । ଜରୁରୀକାଳୀନ ଆଦେଶ ବିରୋଧରେ ଯେଉଁ ପ୍ରଚାରପତ୍ର ଓଡ଼ିଶାରେ ବଣ୍ଟା ହେଲା, ତାହାର ପ୍ରଥମ ସ୍ଵାକ୍ଷରକାରୀ ଥିଲେ ରମାଦେବୀ । ଏହାର ପ୍ରତିବାଦ କରିଥିଲେ ଏକ ନୀରବ ଶୋଭାଯାତ୍ରା ମାଧ୍ୟମରେ ଅକ୍ଟୋବର ଦୁଇ ତାରିଖ ୧୯୭୫ ମସିହାରେ, ଯାହା କଟକ ସହର ପରିକ୍ରମା କରିଥିଲା । ବଡ଼ ଆଶ୍ଚର୍ଯ୍ୟର ବିଷୟ ତଥା ଚିନ୍ତା କରିବାର କଥା ଯେ ଅନ୍ୟ ସମସ୍ତେ ଗିରଫ ହୋଇ ଜେଲ ଯାଇଥିଲେ ମଧ୍ୟ ରମାଦେବୀଙ୍କୁ ଗିରଫ କରାଯାଇ ନଥିଲା ଏହି ଜରୁରୀକାଳୀନ ପରିସ୍ଥିତିର ଅବଧି ଶେଷ ହେବା ପର୍ଯ୍ୟନ୍ତ । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର କେତେ ସମ୍ମାନ ଓ ଶ୍ରଦ୍ଧା ଥିଲା ରମାଦେବୀ ଚୌଧୁରୀଙ୍କ ପ୍ରତି, ଏଇଥିରୁ ସହଜେ ଅନୁମେୟ ।

୧୯୭୭ ମସିହା ଆଚାର୍ଯ୍ୟ ହରିହରଙ୍କ ଶତବାର୍ଷିକୀ ଉପଲକ୍ଷେ ଆଚାର୍ଯ୍ୟ ହରିହର ଦାସ ଟ୍ରଷ୍ଟ ଗଠନ ଓ କଟକରେ କ୍ୟାନସର ରୋଗ ନିର୍ଣ୍ଣୟ କେନ୍ଦ୍ରର କାର୍ଯ୍ୟାରମ୍ଭ ହେଲା ରମାଦେବୀଙ୍କ ତତ୍ତ୍ଵାବଧାନରେ ।

କ୍ରମେ କ୍ରମେ ବେଳ ଗଡ଼ି ଯାଉଥିଲା । ବାର୍ଦ୍ଧକ୍ୟ ବଢ଼ୁଥିଲା । ଦୁର୍ବଳ ହୋଇ ପଡ଼ୁଥିଲେ ରମାଦେବୀ । କଟକର ‘ଗୁଣନିଧି ଭବନ’ରେ ରହି ଲୋକହିତକର କାମରେ ବ୍ୟାପୃତ ରହିବା, କର୍ମୀମାନଙ୍କୁ ପରାମର୍ଶ ଦେବା, ସମସ୍ତଙ୍କ ଦୁଃଖ ଓ ସମସ୍ୟା ବୁଝିବା ସହ ସାହସ ଓ ଉପଦେଶ ଦେବା କାମ କିନ୍ତୁ ଚାଲୁଥିଲା ଶେଷ ପର୍ଯ୍ୟନ୍ତ । ଆତ୍ମଜୀବନୀ ସାଧନାପଥେ‘ର ଆତ୍ମନେପଦୀ ଯେମିତି ଥିଲା ତାଙ୍କର ଏହି କଥାଟି –
“ମୁଁ ସବୁବେଳେ ଭାବୁଛି ଯେ, ଗାନ୍ଧୀ ଯାହା କହିଥିଲେ, ଉପଯୁକ୍ତ ରାଷ୍ଟ୍ରଭାବନାସମ୍ପନ୍ନ ଲୋକେ ଯଦି ଜନସାଧାରଣଙ୍କ ସାଙ୍ଗରେ ରହି ସେମାନଙ୍କୁ ସବୁବେଳେ ସଜାଗ ସତର୍କ ନ ରଖିବେ, ଲୋକେ ଯଦି ସ୍ଵେଛାରେ ଅସ୍ପୃଶ୍ୟତା, ଜାତିଭେଦ, ବିବାହବ୍ରତରେ ଅଯଥା ଖରଚ ଆଦି ସମାଜରେ ଥିବା ଦୋଷ ଦୁର୍ବଳତା ଗୁଡ଼ିକୁ ଦୂର କରିବାକୁ ବଦ୍ଧ ପରିକର ନହେବେ, ବିଶେଷରେ ନିର୍ବାଚନ ଜିତିବା ଲୋଭରେ ଯେଉଁ ଅଜସ୍ର ‘କଳାଚାନ୍ଦି’ ଖରଚ ହେଉଛି ତାହା ବନ୍ଦ କରିବା ପାଇଁ ଲୋକେ ଅଣ୍ଟାଭିଡ଼ି ନବାହାରିବେ, ତେବେ ଏ ଦୁର୍ନୀତି, ଭ୍ରଷ୍ଟାଚାର, ଦୁଃଶାସନ ଆଦି ପରସ୍ପର ସଂପୃକ୍ତ ଦୁଷ୍ଟଚକ୍ରରୁ ରକ୍ଷା ମିଳିବ କିପରି ?  ଏଥିପାଇଁ ନିର୍ଭୀକ ଭାବରେ ଦେଶରେ ସମ୍ପୂର୍ଣ୍ଣ ବିପ୍ଳବର ବାର୍ତ୍ତା ପହଞ୍ଚାଇବା ପାଇଁ ତଥା ଦୁର୍ନୀତିମୁକ୍ତ ଶାସନ ଚଳାଇବା ପାଇଁ ହଜାର ହଜାର ଦେଶପ୍ରେମୀ ପୁରୁଷ ନାରୀ ବାହାରିପଡ଼ିବା ଦରକାର । ସେଥିପାଇଁ, ଅର୍ଥାତ୍ ଦେଶକୁ ରକ୍ଷା କରିବା ପାଇଁ, ସେମାନଙ୍କୁ ସେମାନଙ୍କର ନିଶ୍ଚିନ୍ତ ଆରାମଦାୟକ ଜୀବନ ପଦ୍ଧତି ଛାଡ଼ିବାକୁ ପଡ଼ିବ । ଖରାତରା, ଭୋକଉପାସ, ମାନଅପମାନ ସହିବାକୁ ପଡ଼ିବ । ତାହେଲେ ଯାଇ ଏ ଦେଶ ବିପଦଟି ପାରି ହୋଇପାରିବ।”

ବିଶ୍ଵ ରଙ୍ଗମଞ୍ଚରେ କେହି ସର୍ବକାଳୀନ ଅଭିନୟ କରିପାରେନା । ଈଶ୍ୱର ପ୍ରେରିତ ହୋଇ ସାଧୁଜନ ଆସନ୍ତି ଲୋକ କଲ୍ୟାଣ, ବୁଭୁକ୍ଷୁକୁ ଦାନା, ରୋଗୀକୁ ପଥ୍ୟ, ବାସହରାକୁ ବାସ ଯୋଗାଇ ଦେବା ସହ ସମାଜର ହିତାର୍ଥେ କର୍ମ କରି ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ । ଶାନ୍ତି, ପ୍ରେମ, ଅହିଂସା, ଶ୍ରଦ୍ଧା, ସେବାର ବାର୍ତ୍ତା ପ୍ରଚାର ପାଇଁ। ଯୁଗଯୁଗକୁ ଦେବଦୂତ ହୋଇ ରହିଯାଆନ୍ତି ସେମାନେ ଏବଂ ସମାଜରେ ଉଦାହରଣ ହୋଇ ପାହାନ୍ତିତାରା ସଦୃଶ ଜାଜ୍ଜ୍ୱଲ୍ୟମାନ ହୋଇ ଥାଆନ୍ତି । ସୁକର୍ମ ପାଇଁ ଦେବଦୂତ ସାଜି ଧରାବତରଣ କରନ୍ତି ଓ ଲେଉଟି ଯାଇଥାନ୍ତି ।

ପାର୍ଥିବ ପୃଥ୍ବୀକୁ ତ୍ୟାଗ କରିବାର ଦିନ ପାଖେଇ ଆସୁଥିଲା । ଏବେ ଲେଉଟାଣି । ଦୀର୍ଘ ଷାଠିଏ ବର୍ଷରୁ ଉର୍ଦ୍ଧ୍ଵରେ ଶରୀରର ଯେଉଁ ଅଙ୍ଗ ସବୁ ସତେଜ ଥିଲା ଏତେ ସେବା କରିବା ପରେ ମଧ୍ୟ, ତାହା ନିସ୍ତେଜତା ଆଡ଼କୁ ଗତି କରୁଥିଲା କ୍ରମଶଃ । ପୁତ୍ରକନ୍ୟା, ସହୋଦର ଓ ରଚନାତ୍ମକ କର୍ମୀମାନଙ୍କ ଗହଣରେ ଥାଇ ମଧ୍ୟ ଆଖି ମୁଦି ହୋଇ ଆସୁଥିଲା । ସ୍ମୃତି ପଟଳରେ ଅତୀତର ଅନେକ କଥା ଗୋଟିଏ ପରେ ଗୋଟିଏ ଉଙ୍କି ମାରୁଥିଲା । ଏହି ମଧ୍ୟରେ ହଠାତ୍ ନିର୍ବାପିତ ହୋଇଗଲା ପ୍ରଦୀପ ୧୯୮୫ ମସିହା ଜୁଲାଇ ମାସ ୨୨ ତାରିଖ ଦିନ ।

ନା, ସେ ଦୀପ ଲିଭିବାର ଦୀପ ନୁହେଁ ! ସେ ଯେ ମାତୃ ହୃଦୟରେ ସଂଗୋପିତ ଶାନ୍ତି, କରୁଣା, ପ୍ରେମ, ସେବା ଓ ଅହିଂସାର ଆଲୋକ ଶିଖା ! ପରୋପକାରର ସ୍ରୋତସ୍ଵିନୀରେ କ’ଣ ଭଟ୍ଟା ଆସିପାରେ ? ପ୍ରେମର ସ୍ରୋତସ୍ଵିନୀ ଯେ ମାତୃରୂପରେ ଉତ୍କଳ ଖଣ୍ଡରେ ଅବତୀର୍ଣ୍ଣା ! ସେଇଥିପାଇଁ ପରା ସିଏ ମା’ ରମାଦେବୀ ।

ଆଧାର: ମା’ ରମାଦେବୀଙ୍କ ଆତ୍ମଜୀବନୀ “ସାଧନାପଥେ

admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

2 weeks ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

2 weeks ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

2 weeks ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago