ଲେଖା: ଦେଵ ତ୍ରିପାଠୀ

ଉତ୍କଳୀୟମାନଙ୍କ ବୀରତ୍ୱର ମୂକସାକ୍ଷୀ ରଥିପୁର ଗଡ଼ ।

ଗଙ୍ଗ ଓ ଗଜପତି ରାଜତ୍ୱର ଗୌରବମୟ ଇତିହାସ ବିସ୍ମୃତି ଗର୍ଭରେ ଲୀନ ହୋଇଯାଇଥିଲେ ମଧ୍ୟ ଓଡ଼ିଶାର ବିଶାଳ ଭୂଖଣ୍ଡ ଏବେ ବି ଅନେକ ପୁରାତନ ଗଡ଼ ଓ କଟକମାନଙ୍କୁ ଧାରଣ କରି ପ୍ରାଚୀନ ଉତ୍କଳୀୟମାନଙ୍କ ବୀରତ୍ୱର ମୂକସାକ୍ଷୀ ରୂପେ ଦଣ୍ଡାୟମାନ । ଗଜପତି ରାଜତ୍ୱର ଶେଷ ସୁଦୃଢ ଦୁର୍ଗ ଖୋର୍ଦ୍ଧାର ପତନ ପରେ ଉତ୍କଳୀୟ ବୀରତ୍ୱର ଗୌରବରବି ସବୁଦିନ ପାଇଁ ଅସ୍ତମିତ । ତଥାପି ଖୋର୍ଦ୍ଧାର ଆଖପାଖରେ ପ୍ରାଚୀନ ଦୁର୍ଗମାନଙ୍କର ଧ୍ୱଂସାବଶେଷ ପରିଦୃଷ୍ଟ । ଏହିପରି ଏକ ଐତିହାସିକ ଗଡ ଖୋର୍ଦ୍ଧାରୋଡ଼ ଷ୍ଟେସନ ଠାରୁ ମାତ୍ର ୨କି.ମି. ଦୂରରେ ଥିବା ରଥିପୁର ଗ୍ରାମର ‘ରଥିପୁର କଟକ‘ ବା ‘ରଥିପୁର ଗଡ଼’ ଅନ୍ୟତମ ।

ରଥିପୁର ଗ୍ରାମର ୪୦୦ ଏକରର ବିସ୍ତୃତ ପ୍ରାନ୍ତର ମଧ୍ୟରେ ଜଟଣୀ-କନ୍ତିଆ ରାସ୍ତାରେ ଦକ୍ଷିଣ କୁ ୨୫୦ ଏକରର ନିର୍ଜନ ପ୍ରାନ୍ତରରେ ବିଦ୍ୟମାନ ଶତାଧିକ ଭଗ୍ନକୂପ, ମାଟିସ୍ତୂପ, ବାଲୁଙ୍କେଶ୍ୱର ମହାଦେବ ମନ୍ଦିର, କଳା ମୁଗୁନି ପଥରର ଦୁର୍ଗଦେବୀ ଖଣ୍ଡୁଆଳଙ୍କ ମନ୍ଦିର, ଦଳବେହେରା ବଗାୟତ ଇତ୍ୟାଦି ।

ବିଶିଷ୍ଟ ଐତିହାସିକ ଡଃ ସତ୍ୟନାରାୟଣ ରାଜଗୁରୁଙ୍କ ଗବେଷଣାରେ ବ୍ୟବହୃତ ପାଣ୍ଡୁଲିପି ‘ବାରବାଟୀ କୈଫିୟତ’ ଏବଂ ଐତିହାସିକ କେଦାରନାଥ ମହାପାତ୍ରଙ୍କ ‘ଖୁରୁଧା ଇତିହାସ’ରୁ ଏକଦା ଖୋର୍ଦ୍ଧା ରାଜ୍ୟରେ ୭୧ଟି ଦୁର୍ଗ ଥିବାର ପ୍ରମାଣ ମିଳେ । କବି ରାମଦାସ ବିରଚିତ ‘ଦାର୍ଢ୍ୟତା ଭକ୍ତି’ର ବନ୍ଧୁମହାନ୍ତି ଉପାଖ୍ୟାନ ତଥା ମାଦଳାପାଞ୍ଜିରୁ ଜଣା ଯାଏ ଯେ, ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ରଥିପୁର ଗଡ଼ ତାଙ୍କର ସ୍ବତନ୍ତ୍ର ନଅର ଭାବେ ବ୍ୟବହୃତ ହେଉଥିଲା ।

ପ୍ରତାପରୁଦ୍ର ଦେବଙ୍କ ନଅର ନିର୍ମାଣର ବହୁପୂର୍ବରୁ ରଥିପୁରରେ ଏ‌ହି ସୁପରିକଳ୍ପିତ ଯୋଜନାରେ ନିର୍ମିତ ଦୁର୍ଗଟି ଅବସ୍ଥାପିତ ହୋଇଥିଲା ଏବଂ ଦୁର୍ଗର ପାଇକମାନେ ସେମାନଙ୍କ ବୀରତ୍ୱ ଲାଗି ଖ୍ୟାତି ଅର୍ଜନ କରିଥିଲେ । ଦୁର୍ଗଦେବୀ ଖଣ୍ଡୁଆଳଙ୍କ ମୂର୍ତ୍ତି ସ୍ଥାପତ୍ୟରୁ ଏହା ଦ୍ଵାଦଶ ଅବା ତ୍ରୟୋଦଶ ଶତାବ୍ଦୀର ବୋଲି ଅନୁମାନ କରାଯାଏ ।

ଏକଦା ରଥିପୁର ଗଡ଼ ପରିସରରେ କଲ୍ୟାଣ ମନ୍ଦିର, ଲକ୍ଷ୍ମୀ ବିଳାସ, ଗୌରୀ ବିଳାସ, ଗଗନ ମହଲ, ନଗର ମହଲ ବା ଅନ୍ତଃପୁର, ଧାନମାପ ସ୍ଥାନ ଓ ଭୋଜନଶାଳା, ରାଜସେବକ ନିବାସ, ଟଙ୍କାଶାଳା ମହଲ, ଦୁର୍ଗର ଦକ୍ଷିଣରେ ଅଶ୍ୱଶାଳା ଥିଲା । ଉକ୍ତ ଅଶ୍ୱଶାଳାରେ ୪୩, ୨୫୬ଟି ଅଶ୍ୱ ଏବଂ ରଥିପୁର କଟକର ହସ୍ତୀଶାଳାରେ ୩୫୬ଟି ଯୁଦ୍ଧହସ୍ତୀ ରହିଥିଲେ । ଏହି ଦୁର୍ଗ ମଧ୍ୟରେ ହଜାର ହଜାର ସଂଖ୍ୟାରେ ଯୁଦ୍ଧାସ୍ତ୍ର ଗଚ୍ଛିତ ରଖାଯାଉଥିବା କଥା ‘ବାରବାଟୀ କୈଫିୟତ’ରେ ଉଲ୍ଲେଖ ରହିଛି ।

ମାଦଳାପାଞ୍ଜି ଓ ଚକଡା଼ପୋଥିରୁ ଜଣାଯାଏ ଯେ, ମୋଗଲମାନଙ୍କ ସହ ସମ୍ଭାବ୍ୟ ଯୁଦ୍ଧ ପୂର୍ବରୁ ଆତ୍ମସମର୍ପଣ କରି, ବନ୍ଦୀ ହୋଇ, ମୁକ୍ତ ହେଲା ପରେ ଏହି ଦୁର୍ଗର ସଂସ୍କାର କରାଇଥିଲେ ଗଜପତି ମୁକୁନ୍ଦଦେବ । ଏଠାରେ ପୁନଃ ଅଭିଷିକ୍ତ ହୋଇ ବାସକରିବା ସମୟରେ ମନ୍ଦିର ନିର୍ମାଣ କରି ସାକ୍ଷୀଗୋପାଳଙ୍କୁ ଅବସ୍ଥାପିତ କରାଇଥିଲେ ।

ମୁକୁନ୍ଦଦେବଙ୍କ ପରେ ପୁତ୍ର ଦିବ୍ୟସିଂହଦେବ ଅଭିଷିକ୍ତ ହୋଇଥିଲେ । ସାହିତ୍ୟ ଓ ସଂସ୍କୃତି ପ୍ରେମୀ ଦିବ୍ୟସିଂହଙ୍କ କାଳରେ କବି ଭୂପତି ପଣ୍ଡିତ ହିଁ ରଚନା କରିଥିଲେ ‘ପ୍ରେମ ପଞ୍ଚାମୃତ’ କାବ୍ୟ ଓ ଅସୁମାରୀ ଚଉତିଶା ।

ଖୋର୍ଦ୍ଧାର ମୁଖ୍ୟ ରାଜନୀତିକ ଓ ସାମରିକ କେନ୍ଦ୍ର ରଥିପୁର କଟକରେ ଏକଦା ରହୁଥିଲେ ପାଞ୍ଚହଜାର ଅସୁଆର ଓ ଦଶହଜାର ପାଇକ । ତେବେ ଭାଗ୍ୟର ବିଡମ୍ବନା ଯେ ୧୭୨୭ ମସିହା ବେଳକୁ ଭଟ୍ଟା ପଡିଯାଇଥିଲା ରଥିପୁର କଟକର ବୀରତ୍ୱ ଓ ଶୌର୍ଯରେ, ଶେଷରେ ଅଧୀନସ୍ଥ ହେଲା ମୋଗଲମାନଙ୍କର । ୧୭୩୧ ମସିହାରେ ମହମ୍ମଦ ତକୀ ଖାଁର ସେନାନୀ ଦୁର୍ଗ ପ୍ରାଚୀରକୁ ବାରୁଦ ଖଞ୍ଜି ତୋପ ଚଳାଇ ଧ୍ବଂସ କରିଦେଲେ । ପରିତ୍ୟକ୍ତ ଦୁର୍ଗକୁ ଅକ୍ଳେଶରେ ଅକ୍ତିଆର କରିଥିଲା ତକୀ ଖାଁ ସେନା । ସେଇ ଧ୍ୱଂସଲୀଳା ପରେ କୌଣସି ରାଜାମହାରାଜା ଏହି ଦୁର୍ଗର ରକ୍ଷଣାବେକ୍ଷଣ ପାଇଁ ମନ ବଳାଇ ନାହାନ୍ତି । ଫଳରେ ପରିତ୍ୟକ୍ତ ରଥିପୁର ଗଡ଼ ପରିଣତ ହେଲା ଧ୍ୱଂସସ୍ତୂପରେ, ଏକ ମହାନ ଇତିହାସର ଅବସାନ ଘଟାଇ . . ।

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 month ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago