~ ରଘୁନାଥ ମଠ ~
ଲେଖା: ଶ୍ରୀକାନ୍ତ ସିଂହ
ମହା ଐତିହ୍ୟକ୍ଷେତ୍ର କଟକ ସହରରେ ଯେଉଁ କେତୋଟି ପ୍ରାଚୀନ ମଠ ରହିଛି ତନ୍ମଧ୍ୟରେ ତୁଳସୀପୁର ମଠସାହିରେ ଥିବା ‘ରଘୁନାଥ ମଠ’ ହେଉଛି ଅନ୍ୟତମ। ଏହି ମଠର ଅବସ୍ଥିତିକୁ ନେଇ ସାହିର ନାମ ମଠସାହି ଏବଂ ସନ୍ଥ ତୁଳସୀଦାସଙ୍କ ଦ୍ୱାରା ମଠଟି ପ୍ରତିଷ୍ଠା ହୋଇ ଥିବାରୁ ଏହି ଅଞ୍ଚଳର ନାମ ତୁଳସୀପୁର ହୋଇଥିବାର ଲୋକକଥା ରହିଛି। ମାତ୍ର ତୁଳସୀପୁର ନାମକରଣ ପଛରେ ଆଉ ଏକ ଲୋକକଥା ମଧ୍ୟ ରହିଛି।
ପୂଜକଙ୍କ ଅନୁଯାୟୀ ମଠ ସମ୍ପର୍କରେ ଆଉ ଏକ ଲୋକକଥା ରହିଛି ଯେ, ଏହି ରଘୁନାଥ ମଠର ତୃତୀୟ ମଠାଧୀଶ ଥିଲେ ସନ୍ଥ ଗରିବ ଦାସ। ସେ ମହନ୍ତ ଥିବା ସମୟର କଥା, ପ୍ରତିଦିନ ପ୍ରାତଃ କାଳରେ ଦିଅଁଙ୍କ ଦ୍ୱାରଫିଟା ଓ ସେବା ପୂଜା ସମୟରେ ଘଣ୍ଟ, ଘଣ୍ଟାରେ ସ୍ଥାନୀୟ ଅଞ୍ଚଳଟି ପ୍ରକମ୍ପିତ ହୋଇଉଠେ । ଲୋକସଂଖ୍ୟା ତଥା ଜନବସତିର ଘନତ୍ବ କମ୍ ଥିବାରୁ ଏହି ଘଣ୍ଟଧ୍ୱନିର ଶବ୍ଦ ପ୍ରାତଃକାଳରେ ବହୁଦୂର ପଯ୍ୟନ୍ତ ଶୁଣାଯାଏ। ଆଉ ସେ କାଳରେ ବାରବାଟୀ ଦୁର୍ଗରେ ଶାସନ ଦାୟିତ୍ୱରେ ଥାଆନ୍ତି ମୋଗଲ ନବାବ।
ବାରବାଟୀ ଦୁର୍ଗ ପରିସରରେ ରହୁଥିବା ମୋଗଲ ନବାବ ଓ ଅନ୍ୟ ମୁସଲମାନମାନେ କିଲ୍ଲା ପରିସରସ୍ଥ ଶାହି ମସଜିଦରେ ପ୍ରତିଦିନ “ଫଜର୍ କା ନମାଜ୍” ପାଠ କରନ୍ତି। ଏହି ସମୟରେ ମଠରେ ବାଜୁଥିବା ଘଣ୍ଟ ଘଣ୍ଟାର ଧ୍ୱନି ସେମାନଙ୍କ ନମାଜ ପାଠରେ ବ୍ୟାଘାତ ସୃଷ୍ଟି କରେ। ପିଆଦା ଠାରୁ ନବାବ ଜାଣିବାକୁ ପାଇଲେ ଯେ, ଅଳ୍ପ ଦୂରରେ ଥିବା ଏହି ରଘୁନାଥ ମଠରୁ ପ୍ରାତଃ କାଳରେ ଠିକ ନମାଜ ସମୟରେ ହିଁ ଘଣ୍ଟ ଧ୍ୱନି ଭାସି ଆସୁଛି।
ନବାବଙ୍କ ବାରଣ ସତ୍ତ୍ୱେ ମଠରେ ଦିଅଁଙ୍କ ଆଳତୀ କାଳୀନ ଘଣ୍ଟବାଦନ ବନ୍ଦ ନ ହେବାରୁ, ମନ୍ଦିରକୁ ଅପବିତ୍ର କରିବାରକୁ ଚକ୍ରାନ୍ତ ସ୍ୱରୂପ ଏକ ଟୋକେଇରେ ବାଛୁରୀର ସଦ୍ୟ ମାଂସ ଓ କଟା ମୁଣ୍ଡ ରେଶମ କପଡ଼ାରେ ଆବୃତ କରି ମହନ୍ତଙ୍କ ନିକଟକୁ ଦିଅଁଙ୍କ ନିକଟରେ ଭୋଗ ଲାଗି କରିବାକୁ ପଠାଇଲେ। ପ୍ରାତଃ କାଳରେ ଆଳତୀ ପରେ, ମଠ ବାହାରେ ମହନ୍ତ ବସିଥାନ୍ତି। ଏହି ସମରେ ଗୋମାଂସା ଭର୍ତ୍ତି ଟୋକେଇ ଧରି ପହଞ୍ଚେ ନବାବଙ୍କ ଦ୍ୱାରା ପ୍ରେରିତ ପିଆଦା। ମହନ୍ତ ଉଦ୍ଦେଶ୍ୟ ଜିଜ୍ଞାସା କରନ୍ତେ ପିଆଦା କୁହେ, “ଯେ ନବାବ ଭୋଗ ପାଇଁ କିଛି ଦ୍ରବ୍ୟ ଟୋକେଇ ଭରି ପଠାଇଛନ୍ତି।” ମହନ୍ତ ଆଉ କିଛି ନକହି ହାତରେ ଧରିଥିବା ବେତ ବାଡ଼ିକୁ ସେଇ ଟୋକେଇ ଉପରେ ବୁଲେଇ ଆଣି କୁହନ୍ତି, “ଠିକ ଅଛି ଭୋଗ ହୋଇଗଲା, ଏବେ ନେଇ ନବାବଙ୍କ ନିକଟରେ ପହଞ୍ଚାଇ ଦିଅ।”
ପିଆଦା ଟୋକେଇ ଧରି ପହଞ୍ଚିଯାଏ ନବାବଙ୍କ ନିକଟରେ। ପିଆଦା ଠାରୁ ସମସ୍ତ ବୃତ୍ତାନ୍ତ ଶୁଣିବା ପରେ ଟୋକେଇ ଉପରୁ ରେଶମୀ କପଡ଼ା ହଟାଇ ଦେଖନ୍ତି ତ ଟୋକେଇରେ ଗୋମାଂସା ବଦଳରେ ସଦ୍ୟ ରନ୍ଧା ହୋଇଥିବା ପ୍ରସାଦ ରହିଛି, ଆଉ ସେଥିରୁ ମହ ମହ ସୁଗନ୍ଧ ବାହାରୁଛି। ନବାବଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେ ସନ୍ଥ ଗରୀବ ଦାସଙ୍କୁ ସାକ୍ଷାତ କରିବାକୁ ଆସିଲେ ଏବଂ ମଠର ସେବା ପୂଜା ପାଇଁ କିଛି ଭୂମିଦାନ କରିବାକୁ ଚାହିଁଲେ। ମହନ୍ତ ଗରୀବ ଦାସ ଯେତେ ଦୂର ଯାଏ ତୁଳସୀ ମଞ୍ଜି ବୁଣି ମଠ ପାଇଁ ସୀମା ନିର୍ଦ୍ଧାରଣ କଲେ ସେଇ ଜାଗା ମଠର ହୋଇ ରହିଲା। ତୁଳସୀ ମଞ୍ଜିରୁ ତୁଳସୀ ଗଛ ହେଲା ପରେ ସେହିସବୁ ଅଞ୍ଚଳ ତୁଳସୀପୁର ନାମରେ ପରିଚିତ ହେଲା।
ଇତିହାସ ଦୃଷ୍ଟିରୁ ଦେଖିଲେ, ଗଜପତି ମୁକୁନ୍ଦ ଦେବଙ୍କ ନିଧନ ପରେ, ଉତ୍କଳ ଭୂମି ଆଫଗାନ ମାନଙ୍କ ଶାସନାଧୀନ ଥିଲା ଏବଂ ପରବର୍ତ୍ତୀ ସମୟରେ ଓଡ଼ିଶା ମୋଗଲ ମାନଙ୍କ କର୍ତ୍ତୁତ୍ୱରେ ରହିଲା। ଏହା ଷୋଡ଼ଶ ଶତାବ୍ଦୀର କଥା। ଏହି ସମୟରେ ତୁଳସୀ ଦାସ କଟକରେ ମଠ ସ୍ଥାପନ କରି ସାଥିରେ ଆଣିଥିବା ରଘୁନାଥ, ସୀତା, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କ ପ୍ରତିମା ମଠରେ ସ୍ଥାପନ କରିଥିଲେ। ମାତ୍ର ଏହି ମଠର ରୂପରେଖ ଓ ସାମଗ୍ରିକ କଳେବରର ଉନ୍ନତ୍ତି ସାଧନ ମହନ୍ତ ଗରୀବ ଦାସଙ୍କ କାଳରେ ହୋଇଥିଲା।
ଏହା ଭିତରେ ମହାନଦୀରେ ଅନେକ ପାଣି ବହିଗଲାଣି। ସମୟ କ୍ରମେ ଏହି ମଠରେ ଅନେକ ମହନ୍ତ ଆସି ଗଲେଣି। କଟକରେ ଏହି ରଘୁନାଥ ମଠ ପ୍ରତିଷ୍ଠା ହେବାର ଅନେକ ବର୍ଷ ପରେ ଶ୍ରୀକ୍ଷେତ୍ର ପୁରୀର ମାର୍କଣ୍ଡେଶ୍ୱର ସାହିରେ ଏହି ମଠର ଏକ ଶାଖା ମଠ ପ୍ରତିଷ୍ଠା ହୁଏ। ଆଉ ଏହି ମଠ କଟକୀ ମଠ ନାମରେ ସ୍ଥାନୀୟ ଅଞ୍ଚଳରେ ପରିଚିତ। କଟକ ସ୍ଥିତ ରଘୁନାଥ ମଠରେ ରାମ, ସୀତା, ଭରତ, ଲକ୍ଷ୍ମଣ ଶତ୍ରୁଘ୍ନ ସମେତ ଏକକ ଜଗନ୍ନାଥ, ରାଧା କୃଷ୍ଣ ଏବଂ ଶାଳଗ୍ରାମ ଶିଳା ପୂଜା ପାଉଥିବା ସ୍ଥଳେ ପୁରୀ ସ୍ଥିତ କଟକୀ ମଠରେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନ ଆଦି ଚତୁର୍ଦ୍ଧା ମୂର୍ତ୍ତି ସମେତ ଶାଳଗ୍ରାମ ଶିଳା ପୂଜା ପାଉଛନ୍ତି।
ମଠସାହି ସ୍ଥିତ ରଘୁନାଥ ମନ୍ଦିରର ଉଭୟ ବିମାନ ଓ ଜଗମୋହନ ପୀଢ଼ ଶୈଳୀରେ ନିର୍ମାଣ ହୋଇଥିବାବେଳେ ମୁଖଶାଳାଟି ସମତଳ ଛାତ ବିଶିଷ୍ଟ। ବାହ୍ୟ ପାର୍ଶ୍ଵ ମନ୍ଦିର ଗାତ୍ରରେ ନୃସିଂହ, ତ୍ରିବିକ୍ରମ ବାମନ ଓ ବରାହ ପାର୍ଶ୍ଵ ଦେବତା ରୂପେ ପୂଜା ପାଉଥିବା ବେଳେ ମୁଖଶାଳାର ସିଂହ ଦ୍ୱାରରେ ଜୟ ବିଜୟ, ହନୁମାନ ଓ ବିଷ୍ଣୁଙ୍କ ପ୍ରତିମା ରହିଛି। ମଠ ପରିସର ଅଗଣାରେ ଶ୍ରୀ ହନୁମାନଙ୍କ ପାଷାଣ ବିଗ୍ରହ ଏକ ମନ୍ଦିରରେ ପୂଜା ପାଉଥିବାବେଳେ ବୃନ୍ଦାବତୀ ଚଉରାରେ ଏକ ରଘୁନନ୍ଦନ ଓ ହନୁମାନଙ୍କ ରୂପ ଥାଇ ମୁଗୁନି ପଥର ନିର୍ମିତ ଏକ ସୁନ୍ଦର ପଦ ଯୁଗଳ ଶିଳା ସ୍ଥାପନ ହୋଇଛି।
ମଠର ପଶ୍ଚାତ ଭାଗରେ ଏକ ପ୍ରାଚୀନ କୂପ ମଧ୍ୟ ରହିଛି। ଅଗଣାର ଉଭୟ ପାର୍ଶ୍ୱରେ ଧାଡ଼ି ବାନ୍ଧି କେତେ ବଖରା ଘର ରହିଛି ଯାହାକି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ମଠ ପରିସର ବାହାରେ, ମଠାଧୀଶ ମହନ୍ତମାନଙ୍କର କେତୋଟି ସମାଧି ରହିଛି। ଏଥି ମଧ୍ୟରୁ କେତୋଟି ସମାଧି ଏବେ ଭାଙ୍ଗି ରୁଜି ଗଲାଣି।
କଟକ ତୁଳସୀପୁର ସ୍ଥିତ ମଠ ସାହିର ଏହି ପ୍ରାଚୀନ ରଘୁନାଥ ମଠର ଉନ୍ନତ୍ତି ସାଧନ ତଥା ସାମଗ୍ରିକ ବିକାଶ ଦିଗରେ ଉଭୟ ପ୍ରଶାସନ ଓ ସାହି କମିଟି ଦୃଷ୍ଟି ଦେବା ନିହାତି ଦରକାର। କଟକ ନଗରର ଏହି ପ୍ରାଚୀନ ଧରୋହର ଆମର ଗର୍ବ ଓ ଗୌରବର ପ୍ରତୀକ।
ଚିତ୍ର ସହାୟତା : ଅମର ପ୍ରସାଦ ପାତ୍ର
ଆଲେଖ୍ୟ ନିମନ୍ତେ ସାନ ଭାଈ ଅମର ପ୍ରସାଦ, ସନ୍ଦୀପ କୁମାର ସାହୁ, ମନ୍ଦିର ପୂଜକ ତଥା ସ୍ଥାନୀୟ ଯୁବଙ୍କ ନିକଟରେ ୠଣୀ
Raghunath Matha Tulasipur Matha Sahi Cuttack Kataka
Gareeb Dasa Tulasi Dasa Gajapati Mukunda Deba Kataki Matha
Barabati Mughal Empire
Spread the love
admin

Recent Posts

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର

~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…

2 weeks ago

ଚଢେୟା ନାଟ

~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…

3 weeks ago

ଲଙ୍କାପୋଡ଼ି ଯାତ୍ରା

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…

3 weeks ago

ଉତ୍କଳ ସାହିତ୍ୟ ସମାଜ

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…

3 weeks ago

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…

3 weeks ago

କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…

3 weeks ago