ଲେଖା: ଦେଵ ତ୍ରିପାଠୀ
ଆସନ୍ତୁ ବୁଲିଯିବା ଶ୍ରୀକ୍ଷେତ୍ର !
ଏ ଏକ ସିଦ୍ଧପୀଠ ! ଏ ବିଶ୍ୱର ଏକ ବିରଳ ପୀଠ ଯେଉଁଠି ଦାରୁ ବିଗ୍ରହ ରୂପେ ପୂଜିତ ମହାପ୍ରଭୁ ଶ୍ରୀରାମଚନ୍ଦ୍ର, ଶ୍ରୀଲକ୍ଷ୍ମଣ, ଜଗଦ୍ଧାତ୍ରୀ ଦେବୀ ସୀତା ତଥା ମହାବୀର ଶ୍ରୀହନୁମାନ ! ଏ ପୀଠ ଶ୍ରୀରାମଚନ୍ଦ୍ରଙ୍କ ଶ୍ରୀକ୍ଷେତ୍ର ! ରଘୁନାଥଜୀଉ ପୀଠ !
ଏଠାରେ ତିନି ରୂପ, ପଞ୍ଚ ଅବକାଶ ନୀତିରେ ଷୋଡ଼ଶ ଉପଚାରରେ ପୂଜା ପାଆନ୍ତି ଦାରୁଦିଅଁ ଶ୍ରୀ ଶ୍ରୀ ରଘୁନାଥ ! ରାମନବମୀ ଠାରୁ ଆରମ୍ଭ ହେଉଥିବା ନବଦିନାତ୍ମକ ରାମନବମୀ ଯାତ୍ରା ଅବକାଶରେ ମହାପ୍ରଭୁ ଦର୍ଶନ ଦିଅନ୍ତି ବନକ ପରି ଦିବ୍ୟରୂପରେ ! ଏ ଯାତ୍ରା ଏ କ୍ଷେତ୍ରର ଘୋଷଯାତ୍ରା !
ଏ ପୀଠର ରାମସାଗରରେ ମଧ୍ୟ ମହାପ୍ରଭୁଙ୍କ ଚାପଖେଳ ହୁଏ ଦୀର୍ଘ ୨୧ ଦିନ ବ୍ୟାପୀ ! ଏ ପୀଠରେ ବାରମାସରେ ପାଳିତ ହୁଏ ତେର ଯାତ୍ରା ! ବର୍ଷସାରା ମାନସିକ ରଖିଥାନ୍ତି ଗୁହାରିଆ !
ମହାପ୍ରଭୁଙ୍କ ଏ ଲୀଳାକ୍ଷେତ୍ରକୁ ଧାଇଁ ଆସନ୍ତି ଦେଶର କେତେଆଡୁ ଭକ୍ତ । ପୀଠରେ ପାଦଦେଇ କୋଶେ ଦୂରରୁ ଭକ୍ତ ମୁଣ୍ଡିଆ ମାରନ୍ତି ଦେଉଳ ଚୂଡ଼ାର ସ୍ବର୍ଣ୍ଣକଳସ ଓ ବାନାକୁ ! ଭାବାବେଗୀ ଭକ୍ତ ମୁଣ୍ଡରେ ମାରେ ସେ ପବିତ୍ର ପୀଠର ମାଟି ! ମହାପ୍ରଭୁଙ୍କ ଦେଉଳର ବାନା ଭକ୍ତଜନଙ୍କୁ ହାତଠାରି ଡାକେ ! ସିଂହଦ୍ଵାର ସମ୍ମଖରୁ ସେ ଯେଉଁ ଦାରୁଦେବତାଙ୍କୁ ଭକ୍ତିଭରେ ଦର୍ଶନ କରେ ସେ ଦିଅଁଙ୍କ ସେ ଭବ୍ୟ ଦେଉଳଟି ଆମ ରାଜ୍ୟର ସର୍ବବୃହତ ଶ୍ରୀରାମଙ୍କ ଦେଉଳ ! ସେ କ୍ଷେତ୍ର ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଶ୍ରୀକ୍ଷେତ୍ର !
ଆମ ମାଟିର ନୟାଗଡ଼ ଗଡ଼ଜାତର ଏକ ଗଡ଼ଜାତୀୟ ତନ୍ଦ୍ରିଳ କ୍ଷୁଦ୍ର ସହର ଓଡ଼ଗାଁର ସଂସ୍କୃତିସମ୍ପନ୍ନ ପରମ୍ପରାର ଅବଲମ୍ବନ ସେଇ ପ୍ରଭୁ ଶ୍ରୀ ଶ୍ରୀ ରଘୁନାଥଜୀଉ ! ନୟାଗଡ଼ର ଭାବାବେଗୀ ଜନତାଙ୍କ ଇଷ୍ଟଦେବ ପ୍ରଭୁ ରଘୁନାଥଜୀଉ !
ତ୍ରେତୟା ଯୁଗରେ ଏଠାରେ ଥିଲା ଅତ୍ରି ମୁନିଙ୍କ ଆଶ୍ରମ । କିମ୍ବଦନ୍ତୀ ଅନୁସାରେ ଏଠାରେ ହିଁ କିଛି କାଳ ଅବସ୍ଥାନ କରି ବନଗମନ କରିଥିଲେ ପ୍ରଭୁ, ପତ୍ନୀ ମହାମାୟା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହ । ତାଡ଼କାବଧ ପାଇଁ ପ୍ରଭୁ ଏଠାରେ ହିଁ ଲଭିଥିଲେ ଦିବ୍ୟାସ୍ତ୍ର ! ସେଇ ରହଣି କାଳରେ ପ୍ରଭୁ, ଲକ୍ଷ୍ମଣ ଓ ସୀତା ଯେଉଁ ଝରଣାର ଜଳରେ ସ୍ନାନ କରୁଥିଲେ ଅଧୁନା ତାହା ରାମସାଗର ଓ ସୀତାକୁଣ୍ଡ ଭାବେ ଅଭିହିତ !
ସେ ଯୁଗରୁ ବହୁ ଶ୍ରଦ୍ଧାଳୁ ଭକ୍ତ ପୂଜାକରିଆସୁଥିଲେ ମହାପ୍ରଭୁଙ୍କୁ ଅନୌପଚାରିକ ଭାବେ । ତେବେ ୧୬୫୫ ମସିହାରେ ନୟାଗଡ଼ର ଧର୍ମପ୍ରିୟ ମହାରାଜା ମୃତ୍ୟୁଞ୍ଜୟ ସିଂହ ଏବଂ ଜନୈକ ଭକ୍ତ ବୈରାଗୀ ବେବର୍ତ୍ତା ପଟ୍ଟନାୟକ ସ୍ବପ୍ନାଦେଶ ଅନୁଯାୟୀ ମନ୍ଦିର ନିର୍ମାଣ ପୂର୍ବକ ଅତ୍ରି ମୁନିଙ୍କ ଯଜ୍ଞକୁଣ୍ଡ ଉପରେ ସୁସଜ୍ଜିତ ମଣ୍ଡପ ନିର୍ମାଣ କରି ପ୍ରଭୁଙ୍କ ଚତୁର୍ଦ୍ଧା ମୂର୍ତ୍ତି ପୂଜନର ବନ୍ଦୋବସ୍ତ କରିଦେଲେ !
ସ୍ବପ୍ନାଦେଶ ଅନୁଯାୟୀ ହିଁ ରାଜା ନିର୍ଦ୍ଧାରଣ କରିଥିଲେ ବିଗ୍ରହମାନଙ୍କ ରୂପ, ବର୍ଣ୍ଣ ତଥା ବେଶଭୂଷା ! ବୋଧହୁଏ ରଘୁନାଥଜୀଉ ପୀଠ ଏ ରାଜ୍ୟର ଏକମାତ୍ର ଶ୍ରୀରାମ ମନ୍ଦିର ଯେଉଁଠି ପ୍ରଭୁ ରାମଚନ୍ଦ୍ର ଓ ଲକ୍ଷ୍ମଣ ଶ୍ମଶ୍ରୁଯୁକ୍ତ ରୂପେ ବିଦ୍ୟମାନ ! ତେବେ ୧୭୬୩ ମସିହାରେ ହିଁ ଚାରିଦିଅଁଙ୍କର ମୂର୍ତ୍ତିମାନ ନିର୍ମିତ ହୋଇଥିଲା ନିମଦାରୁରେ !
ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାର ସମସ୍ତ ଯୋଗ୍ୟତା ଥିବା ଏକ ଚିର ଅବହେଳିତ ପୀଠରେ ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ରାମନବମୀ ଯାତ୍ରା, ଜିଲ୍ଲାର ଦଣ୍ଡଯାତ୍ରା, ଲଙ୍କାପୋଡ଼ି ଯାତ୍ରା, ଦକ୍ଷିଣକାଳୀଙ୍କ ପୀଠରେ ପଣାଯାତ୍ରା ପରି ଜନପ୍ରିୟ ଏଇ ଯାତ୍ରା ।
ଶତାଧିକ ପଣ୍ଡା ଓ ସେବାୟତ ପିଢ଼ି ପରେ ପିଢ଼ି ସେବା କରି ଆସୁଛନ୍ତି ମହାପ୍ରଭୁଙ୍କର, ସହରର ସବୁଠାରୁ ବ୍ୟସ୍ତବହୁଳ ସ୍ଥାନରେ ଅବସ୍ଥିତ ଥାଇ ମଧ୍ୟ ମନ୍ଦିର ନିଯୋଗ ଏବଂ ପ୍ରଶାସନ ସମସ୍ତ ଦାୟିତ୍ବ ତୁଲାଇଆସିଛନ୍ତି, ନିଷ୍ଠା ଓ ଭକ୍ତିଭରେ । ମହାପ୍ରଭୁ ମଧ୍ୟ ଜିଲ୍ଲାବାସୀଙ୍କ ଜୀବନକୁ କରି ଆସିଛନ୍ତି କରୁଣାସିକ୍ତ, ଭାବାପ୍ଳୁତ । ଓଡ଼ଗାଁର ଭାବାବେଗୀ ଜନତା ମଧ୍ୟ ଇଷ୍ଟଦେବ ପ୍ରଭୁ ରଘୁନାଥଙ୍କୁ ଗ୍ରହଣ କରିନେଇଛନ୍ତି ଅତି ଆପଣାର ସାଥୀଭଳି ।
(ସୂଚନାଯୋଗ୍ୟ ଯେ ରଘୁନାଥଜୀଉ ପୀଠ ଦେଉଳଶିଖରର କଳସତ୍ରୟ ସମ୍ପୂର୍ଣ୍ଣ ରୂପେ ସୁବର୍ଣ୍ଣନିର୍ମିତ ।)
ତଥ୍ଯ: ଛପା ଗଣମାଧ୍ୟମ
ଚିତ୍ର: Deepak Kumar Nayak
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago