ମହାମନିଷୀଗଣ

ଯଶୋଦେହେ ଆୟୁଷ୍ମାନ ମୁକ୍ତିଯୋଦ୍ଧା ମାଧୋ ସିଂ

ଲେଖା: ନିରଞ୍ଜନ ସାହୁ
ସୁରେନ୍ଦ୍ର ସାଏ ଇଂରେଜ ବିରୋଧୀ ବିଦ୍ରୋହ ଘୋଷଣା କରି ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଲଢ଼ିଥିଲେ। ତାଙ୍କର ବିଦ୍ରୋହକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ। ପ୍ରଥମ ପର୍ଯ୍ୟାୟ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ୧୮୫୭ ରେ ଆରମ୍ଭ ହୋଇ ୧୮୬୪ରେ ପରିସମାପ୍ତ ହୋଇଥିଲା।
ଏହି ସମୟରେ ସୁରେନ୍ଦ୍ର ସାଏଙ୍କ ବିଦ୍ରୋହରେ ଅନୁପ୍ରାଣିତ ହୋଇ ସେହି ମହାନ୍ ଭାରତୀୟ ବିଦ୍ରୋହକୁ ସମର୍ଥନ କରୁଥିଲେ ୧୮୫୭-୫୮ ମସିହାରେ ଘେଁସର ଜମିଦାର ମାଧୋ ସିଂ। ସମ୍ବଲପୁର ସହରର ପଶ୍ଚିମ କୋଣକୁ ଅଧୁନା ବରଗଡ଼ ଜିଲ୍ଲା ଅନ୍ତର୍ଗତ ଘେଁସ ନାମରେ ଏକ ଜମିଦାରୀ ଥିଲା। ଏହାର ଜମିଦାର ମାଧୋ ସିଂ ଥିଲେ ବିଂଝାଲ ନାମକ ଏକ ଆଦିବାସୀ ସମ୍ପ୍ରଦାୟର ମାନ୍ୟଗଣ୍ୟ ବ୍ୟକ୍ତି। ତାଙ୍କର ଅନୁଗତ ଥିଲେ ଘେଁସ ଅଞ୍ଚଳରେ ବାସ କରୁଥିବା ଅସଂଖ୍ୟ ଗଣ୍ଡ ଓ ବିଂଝାଲ ଯୁବକ।
ବିଦ୍ରୋହୀମାନଙ୍କ ସହ ହାତ ମିଳାଇଥିଲେ ଜଣେ ଉଦ୍ଦାମ ଯୁବକ, ଗୋବିନ୍ଦ ସିଂହ। ସେ ଥିଲେ ମଧ୍ୟ ଭାରତର ରାୟପୁର ନିକଟସ୍ଥ ସୋନାଖାନାର ମୃତ ଜମିଦାର ନାରାୟଣ ସିଂହଙ୍କର ପୁତ୍ର। ନାରାୟଣ ସିଂହ ଥିଲେ ଘେଁସ ଜମିଦାର ମାଧୋ ସିଂଙ୍କର ଜ୍ବାଇଁ। ମାଧୋ ସିଂଙ୍କୁ ଇଂରେଜ ବିରୋଧୀ ଆନ୍ଦୋଳନରେ ସହାୟତା ଦେଇଥିଲେ ପାହାଡ଼ ସିଙ୍ଗରାର ପୂର୍ବତନ ଜମିଦାର ଜନାର୍ଦ୍ଦନ ସିଂ
ମାଧୋ ସିଂ ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରିଥିଲେ ମୁଖ୍ୟତଃ ଦୁଇଟି କାରଣ ପାଇଁ। ପ୍ରଥମତଃ ଇଂରେଜମାନେ ତାଙ୍କର ଜ୍ବାଇଁ ନାରାୟଣ ସିଂହଙ୍କୁ ହତ୍ୟା କରିଥିଲେ। ଦ୍ବିତୀୟତଃ ଇଂରେଜ ମାନଙ୍କୁ ତାଙ୍କର କିସ୍ତି ପୈଠ କରିବାରେ ଖିଲାପ କରୁଥିବାରୁ ତାଙ୍କୁ ବାରମ୍ବାର ତାଗିଦ କରୁଥିଲେ। ପ୍ରାଥମିକ ପଦକ୍ଷେପ ସ୍ବରୂପ ମାଧୋ ସିଂ ଓ ଅନ୍ୟାନ୍ୟ ବିଦ୍ରୋହୀ ସିଂଗୋଡାଘାଟିକୁ ଜଗି ରହିଥିଲେ। କାରଣ ଏହି ରାସ୍ତାରେ ସମ୍ବଲପୁର ପ୍ରଶାସକ ନାଗପୁର ଓ ରାୟପୁରରୁ ସୈନ୍ୟ ଓ ଗୋଳାବାରୁଦ ଆଣିବା ସମେତ ଅନ୍ୟ ସବୁ ବିଷୟରେ ଯୋଗାଯୋଗ ସ୍ଥାପନ କରୁଥିଲେ।
ନିଘଞ୍ଚ ଅରଣ୍ୟ ମଧ୍ୟରେ ଦନ୍ତୁରିତ ଓ ବିପଦସଙ୍କୁଳ ପାହାଡ଼ ଶ୍ରେଣୀରେ ସିଂଗୋଡା ଘାଟି ଅବସ୍ଥିତ। ଏହାର ଗୁରୁତ୍ଵ ଦୃଷ୍ଟିରୁ ଏହାକୁ ବିଦ୍ରୋହୀଙ୍କ କବଜାରୁ ମୁକ୍ତ କରିବା ପାଇଁ ଇଂରେଜ ସରକାର ଚାହିଁଥିଲେ। ତେଣୁ ସମ୍ବଲପୁର ପ୍ରଶାସକଙ୍କୁ ସହାୟତା ଦେବା ପାଇଁ ନାଗପୁରରୁ କ୍ୟାପ୍ଟେନ୍ ବ୍ରିଜ୍ ଓ ରାୟପୁରରୁ କ୍ୟାପଟେନ ସେକ୍ସପିଅର୍ ଅଶ୍ଵାରୋହୀ ସୈନ୍ୟ ଧରି ସିଂଗୋଡା ଘାଟି ଉପରେ ଆକ୍ରମଣ କରିଥିଲେ। ତାପରେ ସମ୍ବଲପୁରରୁ ସେନାଧ୍ୟକ୍ଷ କ୍ୟାପଟେନ ଉଡବ୍ରିଜ୍ ସେହି ଘାଟି ଠାରେ ପହଞ୍ଚିଥିଲେ। ବିଦ୍ରୋହୀ ଓ ଇଂରେଜମାନଙ୍କ ମଧ୍ୟରେ ଘମାଘୋଟ ଲଢେଇ ଚାଲିଲା। ସେଠାରେ ବିଦ୍ରୋହୀ ମାନେ କ୍ୟାପଟେନ ଉଡବ୍ରିଜ୍ ଙ୍କର ମସ୍ତକ ଛେଦନ କରିବାପରେ ଯୁଦ୍ଧ ଆହୁରି ଭୟଙ୍କର ହୋଇଉଠିଲା। ଏହି ଯୁଦ୍ଧରେ ଇଂରେଜ ମାନେ ଛତ୍ରଭଙ୍ଗ ଦେଲେ। ପ୍ରତିଶୋଧ ବହ୍ନି ଜଳୁଥିଲା ଇଂରେଜ ସରକାରଙ୍କ ସୈନ୍ୟ ବାହିନୀର।
ଶେଷରେ ଏହି ହତ୍ୟାକାଣ୍ଡର ପ୍ରତିଶୋଧ ଓ ବିଦ୍ରୋହ ଦମନ ପାଇଁ ନିଯୁକ୍ତି ପାଇଥିଲେ ଦୁର୍ଦ୍ଦାନ୍ତ ସେନାପତି କର୍ଣ୍ଣେଲ ଫରେଷ୍ଟର। ତାଙ୍କ ନିଯୁକ୍ତି ପରେ ଆରମ୍ଭ ହେଲା ସମ୍ବଲପୁରରେ ଆତଙ୍କରାଜ। ୧୮୫୮ ମସିହାର ଶେଷ ଭାଗରେ ମେଜର ଇମ୍ପେଙ୍କ ସହ ସୈନ୍ୟ ବାହିନୀର ଅତର୍କିତ ଆକ୍ରମଣ ହେଲା ଘେଁସ ଜମିଦାରୀ ଉପରେ। ଏହି ଅତର୍କିତ ଆକ୍ରମଣରେ ଗିରଫ ହେଲେ ଜମିଦାର, ସଂଗ୍ରାମୀ ମାଧୋ ସିଂ। ତାଙ୍କୁ ଡିସେମ୍ବର ୩୧ ତାରିଖ ଦିନ ସମ୍ବଲପୁର ଠାରେ ଝୂଲାଇ ଦିଆଗଲା ଫାଶୀ ଖୁଣ୍ଟରେ। ନିର୍ବାପିତ ହୋଇଗଲା ମହାନ୍ ବିପ୍ଳବୀଙ୍କର ଜୀବନଶିଖା।
ଯେ ପର୍ଯ୍ୟନ୍ତ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ ରହିଛି, ଯଶୋଦେହେ ଆୟୁଷ୍ମାନ ରହିଥିବେ ମାଧୋ ସିଂ।
ଆଧାର/ଡଃ ଜଗନ୍ନାଥ ପଟ୍ଟନାୟକ। ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅମର ସହିଦ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago