ଯଦୁମଣି ମହାପାତ୍ର

ଲେଖା: ଅମୃତେଶ ଖଟୁଆ

ଉତ୍କଳମାଟିରେ ମହମ୍ମଦ ତକି ଖାଁର ଆକ୍ରମଣ ସମୟରେ ତଦାନୀନ୍ତନ ଗଜପତି ରାମଚନ୍ଦ୍ର ଦେବଙ୍କ ପରିବାର ଓ ଓଡିଶାର ସାର୍ବଭୌମାଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସସମ୍ମାନେ ଆଶ୍ରୟ ଦେଇଥିଲେ ଗଞ୍ଜାମର ଆଠଗଡ଼ ରାଜା । ୧୫୪୦ ମସିହାରେ ମହାରାଜା ପ୍ରତାପରୁଦ୍ରଙ୍କ ନିଧନାନ୍ତେ ତାଙ୍କ ସେନାପତି ବେନୁ କ୍ଷତ୍ରିବର ସିଂହଙ୍କ ସୁପୁତ୍ର ଯଦୁନାଥ ଘୁମୁସର ରାଜାଙ୍କ ନିକଟରୁ ଆଠଟି ଦୁର୍ଗ ଛଡାଇ ଆଣି ନିଜକୁ ପରମ ବୈଷ୍ଣବ ବୋଲି ପରିଚୟ ଦେଇ ଶାସକ ହୋଇଥିଲେ । ଆଉ ଋଷିକୂଲ୍ୟା ନଦୀ ଦ୍ଵାରା ଧୌତ ଆଠଗଡ଼ରେ ଏକଦା ମହାପ୍ରଭୁ ଶ୍ରୀଜଗନ୍ନାଥ ଅବସ୍ଥାନ କରିଥିଲେ ‘ମାରଦା’ ଠାରେ ।

ଉତ୍କଳମାଟିରେ ମହାପୁରୁଷଙ୍କ ଜନ୍ମଗାଥା ସତତ ଅନନ୍ୟ । ତକି ଖାଁ ଫେରିଗଲା ପରେ ମହାପ୍ରଭୁ ଅବସ୍ଥାନ କରିଥିବା ସ୍ଥାନରେ ରାଜା ରଘୁନାଥ ଗଜପତିଙ୍କ ଅନୁଗ୍ରହ ପାଇ ସେ ଠାବରେ ଜଗନ୍ନାଥଙ୍କ ଦାରୁବିଗ୍ରହ ନିର୍ମିତ କରାନ୍ତି, ହେଲେ ଯେଉଁ ବିଶ୍ଵକର୍ମା ଆର୍ତ୍ତବନ୍ଧୁ ମହାପାତ୍ର ଥିଲେ, ସେ ପରବର୍ତ୍ତୀ ସମୟରେ ରଘୁନାଥଙ୍କୁ ପୋଷ୍ଯପୁତ୍ର ଗ୍ରହଣ କରି ପରଲୋକଗତ ହୁଅନ୍ତି । ଆଉ ରଘୁନାଥ ମହାପାତ୍ର ଜଣେ ପ୍ରବୀଣ ଚିତ୍ରବିଦ୍ୟା ନିପୁଣ ଶିଳ୍ପୀ ହୋଇ ମଧ୍ୟ ଭୂସମ୍ପତ୍ତିକୁ ନେଇ କୁଚକ୍ରର ସମ୍ମୁଖୀନ ହୋଇ ରଣପୁରର ସୁନାଖଳା ଠାରେ ଆଶ୍ରୟ ପାଇଲେ ।

ରଘୁନାଥ ମହାପାତ୍ରଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଏକମାତ୍ର ପୁତ୍ର ମୁକୁନ୍ଦ ମହାପାତ୍ରଙ୍କୁ ରାଜ ଆଶ୍ରୟରେ ନ୍ୟସ୍ତ କରି ଇହଲୀଳା ସମ୍ଵରଣ କରନ୍ତି । ପାରମ୍ପରିକ କୌଳିକ ବୃତ୍ତି ସହ ନିଜ ଜୀବିକା ବ୍ୟତୀତ କରିଲା ବେଳେ ସେ ଆଠଗଡ଼ ରାଜସଭା ମଧ୍ୟରେ ଜଣେ ଉଚ୍ଚପ୍ରଶଂସିତ ଚିତ୍ରକାରର ମର୍ଯ୍ୟାଦା ଲାଭ କରି ଥିଲେ । ସେଠାରେ ତାଙ୍କ ଆର୍ଥିକ ସ୍ଥିତିରେ କ୍ରମ ଉନ୍ନତି ପରିଲକ୍ଷିତ ହେଲା ପରେ ସେ ରଣପୁରଗଡ଼ର ଶୋଭାଙ୍କୁ ବିବାହ କରିଥିଲେ । ହେଲେ ବିବାହର ପାଞ୍ଚ ବର୍ଷ ପରେ ମଧ୍ୟ ତାଙ୍କର ସନ୍ତାନ ଜନ୍ମ ନ ହେବାରୁ ତାଙ୍କ ଉପରେ ବନ୍ଧ୍ଯା ହେବାର ଅପବାଦ ଆସିଲା ।

ପାଷାଣର ନିଦା ବକ୍ଷ ବିଦାରଣ ପୂର୍ବକ ଦେବ ମୂର୍ତ୍ତିର ସୁଠାମ ଗଢଣ କରୁଥିବା ମୁକୁନ୍ଦ ମହାପାତ୍ର ୧୭୭୫ ମସିହା ବେଳକୁ ଅତି ପ୍ରତିପତ୍ତିଶାଳୀ ହୋଇ ଉଠିଥିଲେ । କିନ୍ତୁ ଦୁଃଖର ଏକମାତ୍ର ବିଷୟ ଥିଲା ଯେ ସେତେବେଳେ କେତେକ ଲୋକ ଜଗନ୍ନାଥଙ୍କ ମୂର୍ତ୍ତି ଗଢିଲେ ତିନିପୁରୁଷରେ ବଂଶ ଲୋପ ହେବ ବୋଲି କହି ନାନା ଭୟ ସୃଷ୍ଟି କରିଲେ ମୁକୁନ୍ଦଙ୍କ ମା’ ଦୁଲଣା ଦେଈଙ୍କ ମନରେ । ଆଉ ସେ ଭୟରେ ଶାଶୁଙ୍କ ସହ ରାତ୍ରି ଥାଉଁ ଥାଉଁ ନିକଟରେ ଥିବା ଏକ ପଦ୍ମଗାଡିଆରେ ଗାଧେଇ ପଡୁଥିଲେ ଶୋଭା । ହେଲେ ସେବେଳେ ଘଟିଲା ଏକ ଅଭୂତପୂର୍ବ ଘଟଣା ।

ପଦ୍ମଗାଡିଆ ହଡା ଉପରେ ଦୁଇବର୍ଷ ହେଲା ଜଣେ ପଶ୍ଚିମା ବୈଷ୍ଣବୀ ଦାରୁନିର୍ମିତ କୃଷ୍ଣଙ୍କ ମୂର୍ତ୍ତି ସ୍ଥାପିତ କରି ଏଠାରେ ମନ୍ଦିର ତୋଳାଇ ଥିଲେ । ଆଉ ଏହି ଦିଅଁ ଥିଲେ ଯଦୁକୃଷ୍ଣ । ପ୍ରତ୍ୟହ ସ୍ନାନ ସାରି ସେଠାରେ ସେ ଦିଅଁଦର୍ଶନ ମଧ୍ୟାନ୍ତରରେ ଶୋଭା ଅତି ଆପଣାର ହୋଇ ସାରିଥିଲେ । ଆଳସ୍ୟପରାୟଣା ହୋଇ ସୁଦ୍ଧା ଶୋଭା ଦିଅଁ ଦର୍ଶନ ପ୍ରତି ଏତେ ପ୍ରଗାଢ଼ ଭାବେ ଜଡି ଯାଇଥିଲେ ଯେ ନିଜର ସେହି ‘ବନ୍ଧ୍ୟା’ ହେବାର ଅପବାଦ ଦୂର କରିବା ପାଇଁ ନିଜର ଦୁଃଖକୁ ଯଦୁକୃଷ୍ଣଙ୍କୁ ଜଣାଇଥିଲେ । ଆଉ ଦେବାନୁଗ୍ରହରେ ସେ ଲାଭ କରିଲେ ମାତୃତ୍ଵ । ଅପବାଦ ଦୂରୀଭୂତ ହୁଏ ମାତୃତ୍ଵର ଅମୃତମୟ ଆନନ୍ଦରେ !

୧୭୮୧ ମସିହା । ପୁତ୍ର ସନ୍ତାନ ଗର୍ଭରେ ପାଞ୍ଚ ମାସ ହେଇଥିବ କି ନାହିଁ, ଘୋର ଦୁର୍ଭିକ୍ଷରେ ଚତୁର୍ଦ୍ଦିଗ ହାହାକାରରେ ପୂରିଉଠିଲା । ରାଜକୁଟୁମ୍ଵ ଲୁଣ୍ଠିତ ହୁଏ । ପାଇକମାନଙ୍କ ସହାୟତାରେ ରାଜପୁତ୍ର ଧନଞ୍ଜୟ ଏ ଦୁର୍ଦ୍ଦଶା ନିବାରଣ କରିଥିଲେ ମଧ୍ୟ ଡକାୟତମାନଙ୍କ ସନ୍ଧାନ ମିଳିନଥିଲା । ଏପରି ନିଜେ ମୁକୁନ୍ଦ ମହାପାତ୍ର ମଧ୍ୟ ଲୁଣ୍ଠିତ ହୋଇ ନିଜର ସର୍ବସ୍ଵ ହରାଇଥିଲେ ମଧ୍ୟ ଶୋଭା ପ୍ରତ୍ୟହ ଯଦୁକୃଷ୍ଣଙ୍କ ଆରାଧନା କରୁଥିଲେ । ହେଲେ ଏ ଦେବତାଙ୍କ ସମ୍ପର୍କରେ ଯୁବରାଜଙ୍କ କର୍ଣ୍ଣଗୋଚର ହେବାରୁ ଏକଦା ଶୋଭା ପୂଜା ସାରି ଫେରୁଥିଲା ବେଳେ ପାଇକମାନଙ୍କ ଆଗମନ ଜାଣି ଅସ୍ଥିର ହୋଇପଡିଥିଲେ ।

ତେବେ ଯଦୁକୃଷ୍ଣଙ୍କ କୃପାରୁ ସେ ଦୌରାତ୍ମ୍ୟରୁ ରକ୍ଷା ପାଇଥିଲେ ହେଁ ଶିଶୁପୁତ୍ରଟି ସେଇ ମନ୍ଦିରରେ ଜାତ ହୁଏ । କୁଆଁ କୁଆଁ ରାବରେ ସେଠାକାର ପରିବେଶ ହଠାତ ସ୍ତବ୍ଧତା ସହ ନିଶ୍ଚଳ ପଡିଯାଏ । ଆଉ ଏ ଖବର ସାହିରେ ପ୍ରଚାର ହେବା ମାତ୍ରେ ନିଜ ବଂଶଳ ଶୁଭଫଳ ଦେଖି ଆନନ୍ଦମନା ଦୁଲଣା ଦେଈ ନାଚି ଉଠିଲେ । ଆଉ ଏହି ସମୟ ଥିଲା ପୌଷ ଶୁକ୍ଳ ତ୍ରୟୋଦଶୀ ତିଥି । ଜାନୁଆରୀ ୮ ତାରିଖ, ୧୭୮୧ ମସିହା । ଆଉ ଯଦୁକୃଷ୍ଣଙ୍କ ମହିମାରୁ ଜାତ ହୋଇଥିବା ଏହି ଶିଶୁପୁତ୍ର ପରବର୍ତ୍ତୀ ସମୟରେ ସ୍ଵନାମଧନ୍ୟ ହାସ୍ଯରସିକ, ଦୃଢମନା, ବାଣୀପୁତ୍ର ପ୍ରତ୍ଯୁତ୍ପନ୍ନମତି ଯଦୁମଣି ମହାପାତ୍ର ନାମରେ ଉତ୍କଳୀୟ କୀର୍ତ୍ତି ବିମ୍ଵରେ ଅମ୍ଳାନ ହୋଇ ରହିଗଲେ ।

ପୁତ୍ର ଯଦୁମଣିକୁ ଦାରିଦ୍ର୍ୟ ସତ୍ତ୍ଵେ ଅତ୍ୟନ୍ତ ଆଦରର ସହ ଲାଳିତପାଳିତ କରିଥିଲେ ପିଅର ଏବଂ ଜନନୀ । ମାଆ ଶୋଭା ଦେଈ ଜଣେ ବିଦୁଷୀ ମଧ୍ୟ ଥିଲେ । ବାଲ୍ୟକାଳରେ ପୁତ୍ର ଯଦୁମଣିକୁ ପ୍ରାଚୀନ ଛାନ୍ଦ ଓ ସଙ୍ଗୀତ ମାନଙ୍କରେ ବେଶ୍ ପଟୁ କରାଇଥିଲେ । ସ୍ମରଣଶକ୍ତିରେ ବିଚକ୍ଷଣ ଯଦୁମଣି ଗାଁ ଦାଣ୍ଡ ସାରା ନିତ୍ୟ ଗୀତ ଗାଇବା ସହ ସାଇପଡିଶାର ସ୍ତ୍ରୀଲୋକଙ୍କ ନାମରେ ଢଗ ମେଲିବାରେ ବାଲ୍ୟକାଳରୁ ଅଗ୍ରଣୀ ହୋଇ ପଡିଲେ ଯଦୁମଣି । ଆଉ ରୀତିମତ ଚାରି ବର୍ଷ ଚାରି ମାସ ଚାରି ଦିନ ଯଦୁମଣି ଖଡି ଛୁଇଁ ବିଦ୍ୟାରମ୍ଭ କରିଥିଲେ। ଆଉ ସେ ସମୟରେ ଚାଟଶାଳୀରେ ସେ ଦେଇଥିଲେ ନିଜ ପ୍ରତ୍ୟୁତ୍ପନ୍ନମତି ହେବାର ପ୍ରଥମ ପରିଚିତି ।

ପୁନଶ୍ଚ ଯଦୁମଣି ମହାପାତ୍ର ନିଜ ପିତାଙ୍କ ଠାରୁ ବାଲ୍ୟ କାଳରେ ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ, ପାଣ୍ଡିତ୍ୟ, କବିତ୍ଵ ଓ ପ୍ରତିଭା ସମ୍ପର୍କରେ ଅନେକ ଚମତ୍କାର କାହାଣୀ ଶୁଣି ତାଙ୍କ କବିତ୍ଵ ଆଦର୍ଶ କୁ ନିଜର ପାଥେୟ ରୂପେ ବରଣ କରିଥିଲେ ଶିଶୁ ଯଦୁମଣି। ଏହି ଯଦୁମଣି ପୁଣି ଉପେନ୍ଦ୍ର ଭଞ୍ଜଙ୍କ ସଂଗୀତ, ରାଗରାଗିଣୀ ଓ ପଦ ଲାଳିତ୍ୟ ଦ୍ଵାରା ମୁଗ୍ଧଚକିତ ହୋଇଥିଲେ । ଆଉ ଉପେନ୍ଦ୍ର ଭଞ୍ଜଙ୍କ କବିତ୍ଵ ହିଁ ତାଙ୍କ କବିଶିକ୍ଷା ନିମନ୍ତେ ଥିଲା ମୌଳିକ ଆଦର୍ଶ, ଏବଂ ଏହି ମୌଳିକ ଆଦର୍ଶର ବିଭାସ କୌଳିକ ବୃତ୍ତିର ପରିମିତିଠୁ ଖୁବ୍ ସୁଦୂରପ୍ରସାରୀ ଏବଂ ନିତ୍ୟନୂତନ ଥିଲା । ଆଉ ସେହି ଯଦୁମଣିଙ୍କ ସୌଭାଗ୍ୟରୁ ସେ ଏକଦା ପଦାର୍ପଣ କରିଥିଲେ ନୟାଗଡ଼ ମାଟିରେ ଯେଉଁ ମାଟିରେ ପୁଣି କବିସମ୍ରାଟ ଇଷ୍ଟ ରଘୁନାଥଙ୍କ ସାଧନାରେ ସିଦ୍ଧି ଲାଭ କରିଥିଲେ ।

ଖ୍ରୀ. ୧୭୯୧ ମସିହାରେ ଆଠଗଡରେ ପୁଣି କରାଳ ଦୁର୍ଭିକ୍ଷ ମୁଖ ବ୍ୟାଦାନ କରେ । ଏଣୁ ସେଠାରେ ଆଉ କୁଟୁମ୍ଵର ଭରଣପୋଷଣର ଦାୟିତ୍ଵକୁ ମୁକୁନ୍ଦ କାଳର ବାମଗତି ପାଖରେ ତୁଲାଇବା ପାଇଁ ସମର୍ଥ ନଥିଲେ । ହେଲେ, ନିୟତିର ଏହି ବିଡ଼ମ୍ଵିତ ସ୍ରୋତ ଅକସ୍ମାତ ତାଙ୍କୁ ଏହି ନିରୁପାୟ ସ୍ଥିତିରୁ ଉଦ୍ଧାର କରେ ଯେତେବେଳେ ତତ୍କାଳୀନ ନୟାଗଡ଼ର ରାଜା ବିନାୟକ ସିଂହ ମାନ୍ଧାତା ଦେବ ବିଗ୍ରହ ଗଢ଼ଣ ପାଇଁ ଆଗ୍ରହୀ ଥିଲେ । କାରଣ ଏହି ସୁଯୋଗର ସଦଭିପ୍ରାୟରେ ପ୍ରେରିତ ହୋଇଥିଲେ ନିପୁଣ ଶିଳ୍ପୀ ମୁକୁନ୍ଦ ମହାପାତ୍ର । ଆଉ ଆଠଗଡ଼ର ପୁଷ୍ପିତ ସୁମନ ଯଦୁମଣି ମହାପାତ୍ର ନୟାଗଡ଼ ମାଟିର ଇଟାମାଟିରେ କବିତ୍ଵର ମହୀରୁହ ହୋଇ ଆଜି ବି ସ୍ଵୀୟ ପ୍ରତିଭାର ପାଥେୟରେ ବହୁବିଧ ଜ୍ଞାନଧୀଙ୍କୁ ଉଦବୁଦ୍ଧ କରୁଛନ୍ତି ।

୧୭୯୩ ମସିହା ବେଳକୁ ନୂତନ ସୁନିଆଁ ଦିନ ଚାଟଶାଳୀ ପାଠ ସମାପନ ପୂର୍ବରୁ ଯଦୁମଣି ମଧ୍ୟଯୁଗୀୟ ସାହିତ୍ୟ ପ୍ରତି ନିଜର ଅନୁରକ୍ତି ପ୍ରକାଶ କରିଥିଲେ। ଏହି ଚାଟଶାଳୀ ଶିକ୍ଷା ମାଧ୍ୟମରେ ସେ କୋଇଲି, ଚଉତିଶା, ଭଜନ, ଜଣାଣ, ଷୋଡଶା ଓ ଛାନ୍ଦ ପ୍ରଭୃତି ସହ ଗଣିତ କହିଲେ କାଳର ପାହି ପଣିକିଆ, ଓଡାଙ୍କ ଫେଡାଙ୍କ, ଶୋଧି ଇତ୍ୟାଦିରେ ପଟୁତା ଅର୍ଜନ କରିଥିଲେ ।ଏବଂ ଏହି ସମୟରେ ମଧ୍ୟଯୁଗୀୟ ସାହିତ୍ୟର ସଂସ୍କୃତ ରୀତି ସହ ଜଡିତ ହୋଇ ଯଦୁମଣି ସଂସ୍କୃତ ପଣ୍ଡିତ ବିଦ୍ୟାକର ମହାପାତ୍ରଙ୍କ ଚଉପାଢୀରେ ପଢିବା ପାଇଁ ପିତାଙ୍କୁ ଜଣାଇଲେ । ବାର ବର୍ଷ ବୟସର ଯଦୁମଣି ଇଟାମାଟି ନିକଟସ୍ଥ ମାନ୍ଧାତାପୁରରେ ସଂସ୍କୃତ ଅଧ୍ୟୟନର ଅୟମାରମ୍ଭ କରିଲେ।

ଆଉ ଆବାଲ୍ଯ ବିଚକ୍ଷଣ ଯଦୁମଣି ମହାପାତ୍ର ନିଜ ସଂସ୍କୃତ ଶିକ୍ଷାର ଆରମ୍ଭ ସହ ପ୍ରଥମେ ସଂସ୍କୃତର ପ୍ରସିଦ୍ଧ ଅଭିଧାନ ଗ୍ରନ୍ଥ ‘ଅମରକୋଷ’କୁ ସମ୍ପୂର୍ଣ୍ଣ ମୁଖସ୍ଥ କରିଦେଇ ଥିଲେ । କସ୍ତୁରୀ ସୁବାସତୁଲ୍ୟ ତାଙ୍କ କବିତ୍ଵର ଆମୋଦିତ ପ୍ରବାହ ତାଙ୍କ ଆଶୁ କବିତ୍ଵରୁ ମଧ୍ୟ ଜଣାଯାଏ । ନାନା ପ୍ରକାରର ବ୍ୟାକରଣ ପୁସ୍ତକ, ସଂସ୍କୃତ କଥାସାହିତ୍ୟ ସହ ସଂସ୍କୃତ ସାହିତ୍ୟରେ ସେ ପ୍ରବୀଣ ହୋଇ ସାରିଥିଲେ । ଆଉ ଏଥି ସହ ନୟାଗଡରେ ଉଦ୍ଦିଷ୍ଟ ରାଧା ମୋହନଙ୍କ ମନ୍ଦିରର ନିର୍ମାଣ ମଧ୍ୟ ସୁଚାରୁରୂପେ ସମ୍ପାଦିତ ହୋଇ ଯାଇଥାଏ । ମୁକୁନ୍ଦ ମହାପାତ୍ରଙ୍କ ଶ୍ଳାଘ୍ୟ କଳାକୁଶଳତା ଦ୍ଵାରା ରାଜା ବିମୁଗ୍ଧ ହୋଇ ତାଙ୍କୁ ସ୍ଥାୟୀ ଭାବରେ ରଖିନେଇ ଥିଲେ । ସେ ସମୟକୁ ଯଦୁମଣି ଆଶୁକବିତ୍ଵକୁ ନିଜ ପ୍ରତିଭାର ଏକ ଅଭିନ୍ନତା କରି ସାରିଥିଲେ ।

ଏବେ ଷୋଡ଼ଶ ବର୍ଷୀୟ ଯଦୁମଣି । ଚାରି ବର୍ଷ କାଳ ସଂସ୍କୃତ ଶିକ୍ଷା ପରେ ଅଧିକ ଜ୍ଞାନାର୍ଜନର ପିପାସା ରଖି ଗୁରୁ ବିଦ୍ୟାକର ମହାପାତ୍ରଙ୍କ ସଦୁପଦେଶ ଘେନି ସେ ଘୁମୁସର ଯାତ୍ରା କରିଥିଲେ। ସେଠି ଭଗବାନ୍ କବିରାଜ ବାହିନୀପତି ଥିଲେ ସେତେବେଳେ ଓଡିଶାର ଖ୍ୟାତନାମା ଶାସ୍ତ୍ରଜ୍ଞ ପଣ୍ଡିତ । ତରୁଣ ଯଦୁମଣି ନିଜର ସହୃଦୟ ପଣ୍ଡିତଙ୍କ ସକଳ ସାହଚର୍ଯ୍ୟ ବିଜନିତ ସୁବିଧା ଦ୍ଵାରା ଘୁମୁସର ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମ ଅଭିମୁଖେ ନିଜ ଯାତ୍ରା ଆରମ୍ଭ କରିଥିଲେ । ବିସ୍ତୃତ ରମଣୀୟ ତାଙ୍କ ବସତି ସ୍ଥାନ ଇଟାମାଟି ତାଙ୍କ ଅତି ଆପଣାର ଥିଲେ ସୁଦ୍ଧା ଯଦୁମଣି ନିଜର ଜ୍ଞାନ ସିଦ୍ଧିର ପଥରେ ଗତୀୟମାନ ହେଲେ । ଏଣୁ ସମସ୍ତ ଆକର୍ଷଣ ଓ ମୋହ ପ୍ରତି ଅନାସକ୍ତ ରହି ସେ ସିଦ୍ଧି ପଥରେ ଅବିମୁଖ ରହିଲେ ।

ଘୋର ଅରଣ୍ୟ ସମାଚ୍ଛାଦିତ ଭୂଖଣ୍ଡ । ହେଲେ ସେତେବେଳେ ଯଦୁମଣିଙ୍କ କର୍ଣ୍ଣପାତ ହେଲା ଯେ ପଣ୍ଡିତ ଜଣଙ୍କ ତନ୍ତ୍ର ସାଧନାରେ ନିପୁଣ ଥିଲେ ଏବଂ କଦାଚିତ ଲୋକଙ୍କୁ ବାତୁଳ ମଧ୍ୟ କରି ଦେଉଥିଲେ। ହେଲେ ସେ ଭୟତ୍ରସ୍ତ ନ ହୋଇ ଯାତ୍ରା ଅବିରାମ ରଖିଥିଲା ବେଳେ ଏକଦା ପଥ ଅତିକ୍ରମ କରୁଥିବା କାଳରେ ସ୍ଵୟଂ ଗୁରୁ ପଞ୍ଚମୁଖ ଭଗବାନ୍ ବାହିନୀପତି ଏବଂ ଜଣେ ଶିଷ୍ୟ କଥୋପକଥନ ହୋଇ ଆସୁଛନ୍ତି । ଆଉ ଏହି ସଂସ୍କୃତ କଥା ସମସ୍ତ ଶୁଣି ଯଦୁମଣି ସ୍ଵୟଂ ଆଶୁ ଶ୍ଳୋକ ରଚନା କରି କରି ଯାଉ ଥିଲେ । ଗୁରୁ ତରୁଣ ଯଦୁମଣିଙ୍କ ଏହିପରି ହାସ୍ଯରସିକ ଶ୍ଳୋକର ବର୍ଣ୍ଣନା ଶୁଣି କହନ୍ତି:
“ଅକମ୍ପଂ ହସିତଂ ଶ୍ରେଷ୍ଠଂ ମୀଳିତାକ୍ଷମଘାପହମ୍।
ଅସକୃତ୍ ହସିତଂ ଦୁଷ୍ୟେତ୍ ତତ୍ତୁନ୍ମାଦସ୍ୟ ଲକ୍ଷଣମ୍।।”

ଯଦୁମଣିଙ୍କ ହାସ୍ଯରସିକତାକୁ ପ୍ରଶଂସା କରି ସେ ଏହା କହିଲେ । କିନ୍ତୁ ଏକ ନିରାଟ କଥା କହିଗଲେ । ସ୍ପନ୍ଦନହୀନ ହସ ହିଁ ଶ୍ରେଷ୍ଠ ଏବଂ ଆଖି ବୁଜି ହସିଲେ ପାପ ଦୂର ହୁଏ । ବାରମ୍ବାର ହସିଲେ ବଡ଼ ଦୋଷ । କାରଣ ତାହା ବାତୁଳ ବା ଉନ୍ମାଦର ସ୍ଵଭାବ ଅଟେ। ହେଲେ ଯଦୁମଣିଙ୍କ ନିକଟରୁ ସମସ୍ତ ଘଟଣା ଜାଣିସାରି ଗୁରୁ କହିଲେ ଯେ ଯେତେବେଳେ ତାଙ୍କୁ ସେ ଆମ୍ଵ ବୃକ୍ଷ ତଳେ ଭେଟିଛନ୍ତି ଆଉ ତାଙ୍କର ସାହସିକ ଶ୍ଳୋକାନ୍ତରେ ହାସ୍ଯ ରସ ଶୁଣିଛନ୍ତି, ତାଙ୍କୁ ନିଶ୍ଚୟ ତାଙ୍କର ଉଦ୍ଦେଶ୍ୟ ସଫଳ କରିବା ଲାଗି ଯତ୍ନ କରିବେ । ଯଦୁମଣିଙ୍କ ସେବା, ଶିକ୍ଷା ଓ ଧୀ ଦ୍ଵାରା ଶାସ୍ତ୍ରବିତ ମହାମହିମ ମୁଗ୍ଧ ହୋଇ ତାଙ୍କ ଶିଷ୍ୟତ୍ଵ ଗ୍ରହଣ କରନ୍ତି ।

ଯଦୁମଣିଙ୍କ ଜୀବନର ସର୍ବ ସାଧନାର ସିଦ୍ଧିସ୍ଵରୂପ ହୟଗ୍ରୀବ ମନ୍ତ୍ର ସାଧନା ପାଇଁ ସେ ନିର୍ଦ୍ଦେଶିତ କରନ୍ତି । ଆଶ୍ଵିନ ମାସର ଶେଷ ପାଦରେ ଯଦୁମଣି ପହଞ୍ଚିଲେ ହୟଗ୍ରୀବ ମନ୍ତ୍ରର ସାଧନା ପାଇଁ । ଯଦୁମଣି ନିଷ୍କମ୍ପ ପ୍ରଦୀପ ସ୍ଵରୂପ ଗୁରୁଙ୍କ ଠାବରୁ କାର୍ତ୍ତିକ ଶୁକ୍ଳ ଅଷ୍ଟମୀରୁ ଦୀକ୍ଷା ଗ୍ରହଣ ନିମିତ୍ତ କଠୋର ସାଧନାର ଅୟମାରମ୍ଭ କରନ୍ତି । ଆଉ ସେହି ଦିନ ଗୁରୁ କହିଲେ ଯେ ଏହି ମନ୍ତ୍ରକୁ ବୟାଳିଶ ଲକ୍ଷ ଥର ଜପ କରିବାକୁ ହବ । ଉକ୍ତ ହୟଗ୍ରୀବ ମନ୍ତ୍ର ମଧ୍ୟ ବୟାଳିଶାକ୍ଷର ଅଟେ। ବିଧି ରକ୍ଷା ପୂର୍ବକ ସେ ଏକଦା ମନ୍ତ୍ର ଜପ କରୁଥିଲା ବେଳେ ଜପ ଆଉ ଦଶ ଲକ୍ଷ ଅବଶିଷ୍ଟ ଥିବା ମଧ୍ୟରେ ତାଙ୍କୁ ଭୀଷଣ ଜ୍ଵର ଗ୍ରାସ କଲା । ସାଧନାର ପ୍ରଥମ ପର୍ଯ୍ୟାୟରେ ଏଇଠି ଅବସାନ ଘଟେ ସତ, ହେଲେ ଅନ୍ତିମ ନୁହେଁ ।

ପୁନର୍ବାର ଦୀକ୍ଷା ଗ୍ରହଣ କରି ଏଥର ଆଷାଢ଼ ଶୁକ୍ଳ ଦଶମୀ ଦିନ ସମାପନ ହେବା ସହ ସ୍ଵପ୍ନରେ ସେ ଅଶ୍ଵମୁଖ ବିଶିଷ୍ଟ ବିଷ୍ଣୁ – ଶଙ୍ଖ, ଚକ୍ର, ଗଦା ଓ ପଦ୍ମର ଆବର୍ତ୍ତରେ ତାଙ୍କ ସମ୍ମୁଖରେ ଉଭା ହୋଇ ଅଛନ୍ତି। ହେଲେ ଯଦୁମଣି ଅଶ୍ଵମୁଖ ଦେଖି ହସିଉଠିଲେ ! ଦେବତାଙ୍କୁ ଏପରି ମାନବତୁଲ୍ୟ ପରିହାସ କରିଲେ ମଧ୍ୟ ଦେବତା ସ୍ଵୟଂ ତାଙ୍କ ହାସ୍ଯରସିକତାରେ ହସି ଉଠି ବରପ୍ରଦାନ କରିଥିଲେ ଯେ ଧରଣୀ ତଳ୍ପରେ ସେ ଜଣେ ସୁପ୍ରସିଦ୍ଧ ହାସ୍ଯରସିକ ଭାବରେ ନିଜର ପରାକାଷ୍ଠା ପ୍ରତିପାଦନ କରିବେ । ଆଉ ଏଥିବେଳକୁ ସାଧନାର ସିଦ୍ଧିପ୍ରାପ୍ତି ପରେ ତରୁଣ ଯଦୁମଣି ମହାପାତ୍ର ଅଠର ବର୍ଷର । ସଂସ୍କୃତ ଶିକ୍ଷା ଓ ଶାସ୍ତ୍ର ଅଧ୍ୟୟନ ଶେଷ କରି ସେ ଘୁମୁସରକୁ ଫେରିଥିଲେ ।

ଏଥି ବେଳକୁ ତାଙ୍କର ଦେହ କ୍ଷୀଣ ହେଇ ଯାଇଥାଏ । ନିଜ ସମ୍ପର୍କୀୟ ରଥୀ ଭାସ୍କରେଙ୍କ ସହ ଘୁମୁସରର ବିଷ୍ଣୁଚକ୍ରରୁ ଇଟାମାଟିରେ ପହଞ୍ଚିଲା ପରବର୍ତ୍ତୀ ସମୟରେ ଯଦୁମଣି ଏତେ ଦୁର୍ବଳ ଦିଶୁଥିଲେ ଯେ ତାଙ୍କର ପ୍ରାଣବାୟୁ ହତ ହୋଇ ସାରିଥିବ, ଏହା ଅନେକଙ୍କ ଧାରଣାରେ ପରିଣତ ହୋଇ ସାରିଥିଲା । ହେଲେ ବିଧିର ବିଧାନ ସତତ ଅନନ୍ଯ । ଦଶପଲ୍ଲାର କୁଞ୍ଜବନଗଡ ଠାରେ ସମ୍ପର୍କୀୟ ମାମୁଁଙ୍କ ସହ ଅବସ୍ଥାନ କରିଥିଲେ ଯଦୁମଣି ମହାପାତ୍ର । ଆଉ ଏହି ମଧ୍ୟରେ ତାଙ୍କର ସ୍ଵାସ୍ଥ୍ୟ ପୁନଶ୍ଚ ପୂର୍ଣ୍ଣାଙ୍ଗ ଉନ୍ନତି ପରିଲକ୍ଷିତ କରେ । କୋମଳ ଲଳିତ କଣ୍ଠରେ ଗ୍ରାମ ଦାଣ୍ଡରେ ଅତି ମଧୁର ସ୍ଵରରେ ଉପେନ୍ଦ୍ର ଭଞ୍ଜଙ୍କ ଛାନ୍ଦ ଆବୃତ୍ତି ଶୁଣି ସର୍ବସାଧାରଣଙ୍କୁ ଆକୃଷ୍ଟ କରିଥିଲେ ଯଦୁମଣି ମହାପାତ୍ର ।

ସେହି ଦଶପଲ୍ଲାର କୁଞ୍ଜବନ ଗଡ଼ରେ ରହୁଥିଲେ ପିଣ୍ଡିକ ରାୟଗୁରୁ । ସଂସ୍କୃତ ଭାଷା ସମେତ ହିନ୍ଦୀ, ଓଡିଆ, ବ୍ରଜବୋଲୀ, ବଙ୍ଗାଲୀ ଭଳି ଭାଷାରେ ସେ ଥିଲେ ନିତାନ୍ତ ପଟୁ । ଚାରି ଥର ଭାରତ ତୀର୍ଥାଟନ କରିଥିବା ଏହି ସ୍ଥବିରଦେହା ଥିଲେ ଦୀପ୍ତି ଓ ଜ୍ଞାନରେ ତରୁଣସୁଲଭ ଦେଦୀପ୍ୟମାନ । କୁଞ୍ଜବନ ଗଡ଼ର ନୀଳକଣ୍ଠଙ୍କ ବଉଳବନରେ ଯଦୁମଣିଙ୍କ ମଧୁର କଣ୍ଠଧ୍ଵନି ଦ୍ଵାରା ଅଭିଭୂତ ହୋଇପଡିଥିଲେ ପିଣ୍ଡିକ ରାୟଗୁରୁଙ୍କ ଯୁବତୀ ଧର୍ମପତ୍ନୀ । ଆଉ ଏହି ମୁଗ୍ଧଚକିତା ଯୁବତୀ ପତ୍ନୀ ସ୍ଵୀୟ ସ୍ଵାମୀଙ୍କୁ ଏହି ଯୁବକଙ୍କ କଣ୍ଠରୁ ସମଗ୍ର “ଜଗମୋହନ ରାମାୟଣ” ଶୁଣିବା ପାଇଁ ଆଗ୍ରହୀ ହେଲେ । ଶୂଦ୍ରଜାତିର ସୁକୁମାର ଚିତ୍ରକାର ପିଲା ବ୍ରାହ୍ମଣ ଘରେ ବସି ପବିତ୍ର ରାମାୟଣ ପାଠ କରିଲା !

ଆଉ ସଂଯୋଗ ବଶତଃ ଯଦୁମଣିଙ୍କ ମାମୁଁ ଥିଲେ ରାୟଗୁରୁଙ୍କ ବନ୍ଧୁ, ଏବଂ ଏହି ପିଣ୍ଡିକ ରାୟଗୁରୁ ପୁନଶ୍ଚ ଯଦୁମଣିଙ୍କ ଧୀମାନ୍ ହେବାର ପରିଚିତି ପାଇଁ ପ୍ରତ୍ୟହ ଦିବସରେ ତାଙ୍କ ସହ ବହୁବିଧ ସଂସ୍କୃତ କାବ୍ୟ ସହ ‘ବୈଦେହୀଶ ବିଳାସ’, ‘ଲାବଣ୍ୟବତୀ’, ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’, ‘ସୁଭଦ୍ରା ପରିଣୟ’ ଭଳି ଭଞ୍ଜ ସାହିତ୍ୟର ଅର୍ଥାଦି ଆଲୋଚନା କରନ୍ତି । ପ୍ରଖର ସାଧନା ସହ ଏକାଗ୍ର ସ୍ମୃତିଶକ୍ତିର ଅଧିକାରୀ ଯଦୁମଣି ମହାପାତ୍ର ପିଣ୍ଡିକଙ୍କ ଠାରୁ ପୁଣି ମଧ୍ୟଯୁଗୀୟ କାବ୍ୟର ରୀତି, ଧ୍ଵନି, ବକ୍ରୋକ୍ତି ଓ ଅଳଙ୍କାର ପ୍ରଭୃତିର ପରିଚିତି ପାଇଥିଲେ । ଏହି ଯଦୁମଣି ପୁନଶ୍ଚ ଏକଦା ହୟଗ୍ରୀବଙ୍କ କୃପାଭାଜିତ ହୋଇ କବିତ୍ବ ପାଇବାକୁ ଲେଖିଥିଲେ:
“ହୟଗ୍ରୀବ ମହାପ୍ରଭୁ ପ୍ରତାପେ
ଥୋଡା ନୁହେଁ ଲୋଡା କରନ୍ତି ନୃପେ ।
ଯୋଡା ହୋଇ ମୋ ପ୍ରୋଢା କବିତାକୁ
ବଳି ବଳି ରସ-ଦାନୀ କର୍ଣ୍ଣକୁ
ଭଲେ ଭଲ, ଖଣ୍ଟେ ଖଣ୍ଟ ଯେ
ନବ ଦୂର୍ବାଦଳ ଶ୍ୟାମଳ କୃପାରୁ
ମୋ ନାମ ଉତ୍କଳଘଣ୍ଟ ଯେ ।”

ତତ୍କାଳୀନ ପିଣ୍ଡିକ ରାୟଗୁରୁଙ୍କ ପ୍ରତିବେଶୀ ଥିଲେ ରଘୁନାଥ ସୂତ୍ରରାୟ । ଏହି ଦୁଇ ପରିବାରଙ୍କ ମଧ୍ୟରେ କିଛି ମନୋମାଳିନ୍ୟ ଥିବାର ସେତେବେଳେ ଶୁଣାଯାଏ । ହେଲେ ସେହି ସମୟରେ ଯଦୁମଣିଙ୍କ ସଂଗୀତଗାନ ଓ ଘନିଷ୍ଠତା ପ୍ରତିଷ୍ଠା ନିମନ୍ତେ ମାଧ୍ୟମ ହେଇଗଲା । ସୂତ୍ରରାୟଙ୍କ କାମିନୀ ମୁକ୍ତାଦେଈ ଯଦୁମଣିଙ୍କ ରୂପଶ୍ରୀ ଓ ମଧୁରତାରେ ଆକର୍ଷିତ ହୋଇପଡିଥିଲେ । ଆଉ ମନେ ମନେ ତାଙ୍କରି କଣ୍ଠନିଃସୃତ ଭାଗବତବାଣୀ ଶୁଣିବେ । ହେଲେ ତା ଝିଅ ଖଞ୍ଜନା ଯିଏକି ଯଦୁମଣିଙ୍କ ମଧୁର ସଂଗୀତରେ ଆମୋଦିତ ଥିଲା , ସିଏ ପରିହାସବଶତଃ ସବୁବେଳେ ତାଙ୍କୁ ଥଟ୍ଟା କରୁଥିଲା ସତ , ପୁଣି ନୀଳକଣ୍ଠ ବଉଳ ଉପବନରେ ଦୁହିଁଙ୍କର ଭେଟ ପରେ ଦୁହିଁଙ୍କର ମଙ୍ଗଳକୃତ୍ଯ ସମ୍ପାଦି ଥିଲେ ପିଣ୍ଡିକ ରାୟଗୁରୁ।

ଯଦୁମଣି କପର୍ଦ୍ଦକଶୂନ୍ୟ ସେତେବେଳେ । ହେଲେ ମଧ୍ୟ ଅଷ୍ଟମଙ୍ଗଳା ସମାପନ ହେଉ ହେଉ ସେ ପଳେଇ ଗଲେ ପୁରୀ । କେତେବେଳେ ନରେନ୍ଦ୍ର ସରଣୀ ତ କେତେବେଳେ ବଡ଼ଦେଉଳ ଭିତରେ ରହି ଉପେନ୍ଦ୍ର ଭଞ୍ଜଙ୍କର ଛାନ୍ଦ ସବୁ ବୋଲି ସେଠାରେ ଜଣେ ସୁଆରଙ୍କର ସହ ଭେଟ ହେଲେ । ତାଙ୍କରି ଗୃହ ମଧ୍ୟରେ ବାସ କରିବା ସହ ପୁରୀରେ ହିଁ ତାଙ୍କର ହାସ୍ଯରସିକ କବି ଭାବରେ ପରିଚିତି ପାଆନ୍ତି ସକଳେ । ଆଉ ଇତିମଧ୍ୟରେ ସେ ଚକ୍ରତୀର୍ଥ ଠାରେ ଜନୈକ ପଣ୍ଡିତଙ୍କ ଆଶ୍ରୟରେ ସଂସ୍କୃତ କାବ୍ୟମାନ ପାଠ କରିବାର ସୁଯୋଗପ୍ରାପ୍ତ ହୁଅନ୍ତି, ଏବଂ ଏକାଗ୍ର ଯଦୁମଣି ଗୋଟି ଗୋଟି କରି ଅତି ନିଷ୍ଠାପର ଭାବରେ ସମାପନ କରୁଥିଲେ । ଏହି ପଣ୍ଡିତ ଥିଲେ ହରିହର ନନ୍ଦ, ଯିଏକି ସକୁଟୁମ୍ଵ ହରାଇ ଚକ୍ରତୀର୍ଥରେ ରହୁଥିଲେ ।

ଯଦୁମଣି ପଣ୍ଡିତ ହରିହର ନନ୍ଦଙ୍କ ଠାରୁ ପୁନଶ୍ଚ ସଂସ୍କୃତାନୁରାଗୀ ହେତୁ ମାଘଙ୍କ କାବ୍ୟର ଠାଏ ବର୍ଣ୍ଣନା ପଣ୍ଡିତଙ୍କ ନିକଟରୁ ଶୁଣି ଏତେ ପ୍ରଲୁବ୍ଧ ହୋଇ ଯାଇଥିଲେ ଯେ ସେ ମାସକ ମଧ୍ୟରେ ଏହାକୁ ମନନ କରି ସମାପ୍ତ କରିଦେଲେ । ପରବର୍ତ୍ତୀ ସମୟରେ ଏହି ମାଘ କାବ୍ୟ ହିଁ ତାଙ୍କର କୃତି ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ରେ ପ୍ରତିଫଳିତ ହୋଇଅଛି । କଥିତବ୍ୟ ଯେ “ମାଘେ ସନ୍ତି ତ୍ରୟୋ ଗୁଣାଃ” – ଅର୍ଥାତ୍, ମାଘଙ୍କ କାବ୍ୟଗୁଣ ଉପମା, ଅର୍ଥ ଗୌରବ ସହ ପଦ ଲାଳିତ୍ୟରେ ପରିପୂର୍ଣ୍ଣ । ଯଦୁମଣି ମହାପାତ୍ର ସଂସ୍କୃତ କାବ୍ୟର ସମସ୍ତ ଏହି ରୀତିକୁ ଅତି ଚମତ୍କାରିତାର ସହ ଶ୍ଳାଘ୍ୟ ବର୍ଣ୍ଣନାରେ ଠାଏ ପ୍ରକାଶ କରୁଥିଲେ ।

ତେବେ ତାଙ୍କ ପ୍ରଚ୍ଛନ୍ନ ସାମର୍ଥ୍ୟ ଏତେ ଥିଲା ଯେ ମାତ୍ର ଦୁଇବର୍ଷର ସଂସ୍କୃତ ସାଧନା ତାଙ୍କୁ ସମଗ୍ର କବିସମାଜର ଶୀର୍ଷସ୍ଥାନରେ ରଖି ପାରିଥାଆନ୍ତା । ଆଉ ଏଥି ସହ ସେ ବେଶୀ ସମୟ ପୁରୀରେ ନ ରହି ଏକଦା ଜଣେ ଯୁବତୀଙ୍କ ଅନୁଧାବନ କରି ତାଙ୍କୁ ଦିଅର କରାଇ ରଖିଦେବାରୁ ଯଦୁମଣିଙ୍କ କୁଟୁମ୍ଵ ତାଙ୍କୁ ଖୋଜି ଖୋଜି ନୟାନ୍ତ ହୋଇପଡିଥିଲେ । ରଘୁନାଥ ସୂତ୍ରରାୟ ବାଘମାରି ବାଟେ ଗସ୍ତ କରି କଣ୍ଟିଲୋ ଦେଇ ନଦୀ ଉତ୍ତୀର୍ଣ୍ଣ ହେବା ବେଳକୁ ସେହି ଗ୍ରାମର ଉପାନ୍ତରେ ଏକ କୋଠା ଘର ଚଉତରାରେ ଯଦୁମଣିଙ୍କୁ ଭେଟି କାନ୍ଦି ପକେଇଲେ । ଏଥି ସହ ସୁପୁତ୍ର ପରି ଶ୍ଵଶୁରଙ୍କ ସହ ଘରବାହୁଡା ପରେ ଯଦୁମଣି ଏଥର ଖଞ୍ଜନାଙ୍କ ନିକଟରେ ରହିଲେ।

ଖଞ୍ଜନା ଯଦୁମଣିଙ୍କ ଯୌବନର ବର୍ଣ୍ଣିଳ ସ୍ବପ୍ନସଦୃଶ ଥିଲେ , ଯିଏ କି ତାଙ୍କର ଥିଲେ ଚିର ସହଚରୀ ଏବଂ ସ୍ଵପତ୍ନୀଙ୍କ ବର୍ଣ୍ଣନାରେ ସେ ରଚନା କରିଥିଲେ ତାଙ୍କର ପ୍ରଥମ ରଚନା । ପ୍ରବାସ କାଳରେ ସେ ଖଞ୍ଜନାଙ୍କ ଭାବନାରୁ ବିଜନିତ ବିରହାନୁଚିନ୍ତାରେ ଅଧୀର ହୋଇ ଲେଖିଦେଇ ଥିଲେ । ଏପରିକି ନିଜ ଯୁବତୀ ପତ୍ନୀଙ୍କୁ ସେ ଏହି ଆଦ୍ୟ ରଚନା ଭେଟି ଦେଇଥିଲେ । ବାଘମାରିରେ ଅବସ୍ଥାନ କାଳରେ ୧୮୦୩ ମସିହାରେ ଏହା ସେ ରଚନା କରିଥିଲେ:
(ରାଗ – ମେଘ ମହ୍ଲାର । ତାଳ – ଆଠତାଳୀ)
“ବରଷା କାଳ ହୋଇଲା ଆସିରେ
ବର ସାରସନେତ୍ରୀ ଯିବ ଭାସିରେ। ୦।
ବରଷାଇ ନେତ୍ରୁ ଅଶ୍ରୁଧାରକୁ
ବୁହାଉ ଥିବ ତ ବସି ଉରକୁ ହେ । ୧ ।
ବରଷ ପୂରିଲା ହେଲି ବିଦେଶୀ
ବରଷ ପୂରି ନାହିଁ ତାକୁ ଶଶିରେ” । ୨।

ଯଦୁଯଣି ମହାପାତ୍ର ଥିଲେ ଭାରି ସ୍ପଷ୍ଟବାଦୀ । ଏକଦା ତାଙ୍କ ଗ୍ରାମର ନିଧି ମହାପାତ୍ର ନାମକ ତେଲୀ ମହାଜନ ରାଜାଙ୍କର ଅନୁଗ୍ରହରୁ ଧନ ଆଣି ପ୍ରଜାଙ୍କୁ ବେଠି କରାଇ ଦେବତାର ମଣ୍ଡପ ଗଢିଲେ, ଅଥଚ ଉକ୍ତ ମଣ୍ଡପର ନାମକରଣ ସେହି ତେଲୀ ନାମେ ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଜାତ ହେଲା । ଏଣୁ ସେ କବିତା ଲେଖି ସାହିର ସମସ୍ତ ପିଲାଙ୍କୁ ବୋଲିବାକୁ ଶିଖେଇବାକୁ ନିଧି ମହାପାତ୍ରେ ରାଜାଙ୍କ ଆଗରେ ଫେରାଦ ହୁଅନ୍ତେ ପୁନଶ୍ଚ ଯଦୁମଣିଙ୍କୁ ଡକାଇ ପଠାନ୍ତି ରାଜା । ରାଜାଙ୍କ ନିକଟରେ ସେ କବିତାର ଅର୍ଥ କରି ଜଣେଇଲେ – “ରଜାଙ୍କ ଧନ ସରିଲା; ପ୍ରଜା ବେଠି କରିଲେ; ଅଥଚ ତେଲୀ ନାଁରେ କାହିଁକି ମନ୍ଦିର ପ୍ରତିଷ୍ଠା ହେବ ? ରାଜାଙ୍କ ନାମରେ କରାଯିବା ସମୀଚୀନ ।”

ସତ୍ୟ ଘଟଣା ଜାଣି ରାଜା ଯଦୁମଣିଙ୍କୁ ମୁକ୍ତ କରିଦେଇ ଥିଲେ। ସେତେବେଳେ ଅନେକ ଘଟଣା ପାଇଁ ରାଜାଙ୍କ ଦରବାରରେ ଚିହ୍ନା ହେଇସାରିଥିଲେ ଯଦୁମଣି ହେଲେ ସହୃଦୟ ସମ୍ପର୍କର ସୂତ୍ରପାତଟା ଏଡେ ସହଜରେ ହେଇ ପାରି ନଥିଲା । କାରଣ ଏହା ପୂର୍ବରୁ ପୁଣି ପିତା ମୁକୁନ୍ଦ ଓ ପୁତ୍ର ଯଦୁମଣିଙ୍କର ବହୁ ଥର ମନାନ୍ତର ହୁଏ, କାରଣ ମୁକୁନ୍ଦ କାର୍ପଣ୍ଯବଶତଃ ସଦା ଗ୍ରାମ ମଧ୍ଯକୁ ବିକ୍ରି ପାଇଁ ଆସୁଥିବା ଜିନିଷ କିଣି ଯଦୁମଣି ଅର୍ଥ ଖର୍ଚ୍ଚ କରିବେ ବୋଲି କହି ଦେଉଥିଲେ । ଏହା ଫଳରେ ମୁକୁନ୍ଦ ରାଜାଙ୍କ ସମୀପେ ଅଭିଯୋଗ କରିବାରୁ ରାଜା ପିଆଦାକୁ ପଠେଇଲେ । ଯଦୁମଣି ଏକ କବିତାରେ ପିଆଦାକୁ ସ୍ଵକୀୟ ଅବସ୍ଥା ବିଷୟରେ ଜଣାଇ ରାଜାଙ୍କ ନିକଟକୁ ପଠେଇଲେ:
“ଅଣକ ଖୋଳୁଛି ପେଟ କଣକ ପାଇଁ
ସଭାରେ ବସିଛି ସେ ଜଣକ ପାଇଁ।”
(ଅର୍ଥାତ୍, ମୁଁ ପରିବାରର ପ୍ରତିପୋଷଣ ନିମନ୍ତେ ଷଢେଇ ମାଧ୍ୟମରେ କଣା କରୁଛି ଡଙ୍କା ତିଆରି କରିବାକୁ, ସେହି ଜଣକ, ଅର୍ଥାତ୍, ମୋ (ଯଦୁମଣିଙ୍କର) ପିତା ଉପସ୍ଥିତ ହୋଇ ମୋ ବିରୁଦ୍ଧରେ ସଭାରେ ଅଭିଯୋଗ କରୁଛନ୍ତି । ଏ କାମ ଛାଡ଼ିଯିବା ସମ୍ଭବ ନୁହେଁ କାରଣ ମୁଁ ଚାଲିଗଲେ ତେବେ ମୋ ପରିବାରରେ ଜଣେ ଉପବାସରେ ରହିବ । ) ଉଦାରମନା ରାଜାଙ୍କ ନିକଟବର୍ତ୍ତୀ ବେବର୍ତ୍ତା ପଟ୍ଟନାୟକ ପତ୍ରଟିର ସାର ମର୍ମ ବୁଝିପାରି ପରବର୍ତ୍ତୀ ସମୟରେ ମୁକୁନ୍ଦ ମହାପାତ୍ରଙ୍କୁ ରାଜା କିଛି ଅର୍ଥ ଓ ଦ୍ରବ୍ଯ ପ୍ରଦାନ କରିଥିଲେ । ହେଲେ ମଧ୍ୟ ପରବର୍ତ୍ତୀ କାଳକୁ ସେ ସମସ୍ତ ତ୍ବରିତ ଖର୍ଚ୍ଚ କରିଦେଉଥିଲେ ମୁକୁନ୍ଦ ।

୧୮୦୩ ମସିହାର କଥା । ଏହି ସମୟକୁ ଓଡ଼ିଶା ଦଖଲ କରିବାକୁ ଉଦ୍ୟତମନା ବ୍ରିଟିଶ । ଏ ସମୟରେ ବିନାୟକ ସିଂହ ମାନଧାତା ଇଂରେଜଙ୍କ ସହ ସନ୍ଧି କରିଥିଲେ। ଅକସ୍ମାତ ଘଟଣାଚକ୍ରରେ ସେତେବେଳେ କେତେଗୁଡିଏ ପଟିଚିତ୍ର ରାଣୀଙ୍କର ଲୋଡ଼ା ପଡ଼ିଲା । ଏଣୁ ପିତାଙ୍କର ଚିତ୍ରଣ ସହ ଯଦୁମଣିଙ୍କର ଚାରୁଚିତ୍ରିତ ପଟିଗୁଡିକ ଶୋଭା ପାଇଲା ଅନ୍ତଃପୁର ପୂଜା ଦେଉଳରେ, ଆଉ ପିତାଙ୍କ ଚିତ୍ର ସକଳ ଜଗନ୍ନାଥ ମନ୍ଦିରରେ। ଆଉ ସେ ସମୟରେ ଥରେ ଘରେ ଭାତ ରନ୍ଧା ହୋଇ ତରକାରୀ ସରିଯିବାରୁ ପଖାଳ ସାଥିକୁ ଅନ୍ତତଃ ଖଟା ଟିକିଏ ହେଲେ ଚଳିଯିବ ଭାବି ସେ ପଡ଼ିଶା ଘରକୁ କବିତା ଛଳରେ ଯାଚିଲେ:
“ଅଚ୍ୟୁତ ଖଣ୍ଡା ଚ୍ୟୁତ ହୋଇଥିବ
ଆନନ୍ଦ ମୂଳକ ଦ୍ଵିଖଣ୍ଡ ହେବ ।”

ବ୍ରାହ୍ମଣ ଜଣକ ଥିଲେ ତାଙ୍କର ପ୍ରତିବେଶୀ । ପଣ୍ଡିତେ ଥିଲେ ଗୁଣୀ ଓ ଗୁଣଗ୍ରାହୀ। ଏହି ପଦଟିର ଅର୍ଥ ସେ ବୁଝିପାରି କେବଳ ଆମ୍ବୁଲ ନୁହେଁ ବରଂ ଆହୁରି ବିଭିନ୍ନ ପ୍ରକାରର ଆଚାର ଯଦୁମଣିଙ୍କୁ ପ୍ରଦାନ କରିଥିଲେ । ପଦଟିରେ ଯଦୁମଣିଙ୍କ ସାରାର୍ଥ ଏହିପରି: ଅଚ୍ୟୁତ ବା ବିଷ୍ଣୁଙ୍କ ଖଣ୍ଡା ନନ୍ଦକ । “ଆନନ୍ଦ ମୂଳକ” ଶବ୍ଦରୁ “ନନ୍ଦକ” ଶବ୍ଦଟି “ଚ୍ୟୁତ” ହେଲେ ବା ବ୍ୟତୀତ କରି ଦିଆଗଲେ “ଆମୂଳ” ବା ବାଚ୍ୟାର୍ଥରେ “ଆମ୍ବୁଳ” ବୋଧ ହେବ । ଉପସ୍ଥିତ ସମୟରେ ତୀକ୍ଷ୍ଣ ମେଧା, ପ୍ରତ୍ୟୁତ୍ପନ୍ନମତିତା ସହ ପ୍ରଖର ସ୍ମରଣ ଶକ୍ତିର ଅଧିକାରୀ ଯଦୁମଣି ମହାପାତ୍ର ପୁନଶ୍ଚ ଚିତ୍ରକର, କବି, ସ୍ପଷ୍ଟ ସ୍ଵର ଧରି ହାସ୍ୟରସିକ ଭାବରେ ନିଜର ବ୍ୟକ୍ତିତ୍ବକୁ ନୈସର୍ଗିକ କରିଥିଲେ।

୧୮୦୮ ମସିହାରେ ଯଦୁମଣିଙ୍କ ପିତୃବିୟୋଗ ଘଟେ। ପିତାଙ୍କ ପ୍ରତି ଦୁଇଜଣ – ପୁତ୍ର ଯଦୁମଣି ଓ ବଧୂ ଖଞ୍ଜନା ଅତି ନିଷ୍ଠାପର ରହିଥିଲେ । ଆଉ ଅର୍ଦ୍ଧରାତ୍ରିରେ ପିତାଙ୍କ ଶେଷ ସଂସ୍କାର ପରେ ଅନ୍ତ୍ୟେଷ୍ଟି କୃତ୍ୟମାନ କିପରି ସମ୍ପାଦିବେ ବୋଲି ମନେ ମନେ ଭାଳି ପିତାଙ୍କ ନିର୍ମିତ ରାଧାମୋହନ ଦେଉଳ ନିକଟରେ ପଡିରହିଲେ । ପ୍ରଭାତରେ ଅବକାଶ ବଢ଼ାଇବାକୁ ଆସି ଥିବା ପଣ୍ଡା ଯଦୁମଣିଙ୍କୁ ଡାକ ଛାଡି଼ବାରୁ ଯଦୁମଣି ନ ଉଠି ଆହୁରି ସର୍ବାଙ୍ଗ ଆବୃତ ରଖି ପଡିରହିଲେ । ଏ କଥା ରାଜଗୁରୁଙ୍କୁ ଜଣାଇବାରୁ ସେମାନେ ଜାଣିପାରିଲେ ଯେ ଯଦୁମଣିଙ୍କର ଏସବୁ କାର୍ଯ୍ୟ । ସ୍ଵୟଂ ରାଜା ଆସି ପଚାରିବାରୁ ଯଦୁମଣି କହିଲେ: “ମୁଁ ଠାକୁର ରାଧାମୋହନଙ୍କ ଭାଇ। ମୋର ନାମ ଯଦୁମଣି। ମୋର ପିତା ମୁକୁନ୍ଦ ମହାପାତ୍ର କାଲି ରାତିରେ ମରିଗଲେ । ମୁଁ ପିତାଙ୍କ ମୃତ୍ୟୁ ଯାଏଁ ନିଜ ଆୟରେ ପାଳିଥିଲି। ରାଧାମୋହନ ଏ ଶୁଦ୍ଧିକାର୍ଯ୍ୟ ନ ଉଠାଇଲେ କିପରି ହେବ ? ବିଶେଷରେ ତାଙ୍କର ନିର୍ମାତା ହେଉଛି ଜନ୍ମଦାତା ପିତୃ ସଦୃଶ। ସେ ତ ପୁଣି ଅହୋରାତ୍ର ଉପବାସ ପାଳନା କରିବେ ?” ଏମନ୍ତ ସବୁ କହି ରାଜା ସବିନୀତ ଭାବେ ତାଙ୍କ ଇଚ୍ଛା ଜାଣିବାରୁ ଯଦୁମଣି ଦୁଇ ଶତ ଟଙ୍କା ଦାବିପୂର୍ବକ ରାଜାଙ୍କ ଅନୁଗ୍ରହ ପାଇଥିଲେ । ହେଲେ, ରାଜା ଯଦୁମଣିଙ୍କ ଆଚାର ଚଳଣିରେ ସନ୍ତୁଷ୍ଟ ହେବାରୁ ଯେଉଁ ଆଚାର ବିହୀନ ବୋଲି ପାରିଷଦ ବର୍ଗ କହି ଆସୁଥିଲେ, ତାହା ଶେଷକୁ କ୍ଷୁଣ୍ଣ ହୁଏ ।

ଅନ୍ତ୍ୟେଷ୍ଟି କ୍ରିୟାର ଶେଷ ବେଳକୁ ବନ୍ଧୁବାନ୍ଧବ ବହୁ ରାଜ୍ୟରୁ ଆସି ଦୁଇପ୍ରାଣୀ କୁଟୁମ୍ଵଙ୍କର ସମସ୍ତ ଲୁଣ୍ଠି ନେବାରୁ ଯଦୁମଣି ଓ ଶିଶୁପୁତ୍ରୀ ରମା ରୋଗାକ୍ରାନ୍ତ ହୋଇ ପଡିଲେ। ଖଞ୍ଜନା ନିଜର ଆୟ ଅଳଙ୍କାର ବିକ୍ରି ଏ ଦୁହିଁଙ୍କ ମଧ୍ୟରୁ ରମାଙ୍କୁ ଆରୋଗ୍ୟ ପ୍ରଦାନ କଲେ। ଆଉ ଏ ଦୁଃସମୟରେ ଯଦୁମଣି ଆରୋଗ୍ୟ ନ ପାଇବାରୁ ମନୋରମା ନାମ୍ନୀ ସେହି ଯୁବତୀ, ଯିଏ ତାଙ୍କୁ ପୁରୀରେ ଭେଟ ହୋଇଥିଲେ, ଆସି ତାଙ୍କୁ ଅଯାଚିତ ଅର୍ଥ ସାହାଯ୍ୟ କରିଥିଲେ । ଏମାନଙ୍କ ଅକୃତ୍ରିହ ସ୍ନେହ, ସୌହାର୍ଦ୍ଦ୍ୟପୂର୍ଣ୍ଣ ସାହାଯ୍ୟ ସହ ଅକପଟ ସହାନୁଭୂତି ଯଦୁମଣିଙ୍କ କବିଜୀବନରେ କାବ୍ୟକବିତା ରଚନାର ପଥିକୃତ ।


ଏହି ସମୟରେ ଯଦୁମଣିଙ୍କର ଭେଟ ହୁଏ ଗଞ୍ଜାମର ଖଲ୍ଲିକୋଟର ସୁପ୍ରସିଦ୍ଧ ବିଦ୍ବାନ ଚକ୍ରପାଣି ପଟ୍ଟନାୟକଙ୍କ ସହ। ‘ସୁଲୋଚନା ମାଧବ’ ନାମକ ସଂସ୍କୃତ ମହାକାବ୍ୟ ଓ ଓଡିଆ ଭାଷାରେ ‘ରସ କଳ୍ପଲତା’ ନାମକ କାବ୍ୟର ପ୍ରଣେତା ଏହି ପଣ୍ଡିତ ପୁରୀ ଗଜପତିଙ୍କ ରାଜସଭାରୁ ଆଶୁ କବିତ୍ଵ ନିମିତ୍ତ ‘ବକ୍ରବାକ’ ଉପାଧି ପାଇଥିଲେ। ୧୮୧୦ ମସିହାରେ ଦୁହିଁଙ୍କର ସାକ୍ଷାତ୍କାର । ପିତାଙ୍କ ନିଧନ ପରେ ରାଜସଭା ଅଭିମୁଖେ କାଁ ଭାଁ ଗସ୍ତ କରନ୍ତି ଯଦୁମଣି । ଚକ୍ରପାଣିଙ୍କୁ ଚିହ୍ନି ନ ପାରି ଜଣେ ଦୀର୍ଘକାୟ ଏକାନ୍ତ ଆଡମ୍ଵରବନ୍ତ ପ୍ରୌଢକୁ ଦେଖି ରସିକ ଯଦୁମଣି ପଚାରିଲେ, “ଆପଣ କିଏ ? ନାମ କଣ?” ଚକ୍ରପାଣି ଯୁବକଟିକୁ ଅନାଇଁ ବୋଇଲେ, “କୋଷଗ୍ରନ୍ଥର ବିଷ୍ଣୁ ପର୍ଯ୍ୟାୟରେ ମୋ ନାମ ପାଇବ ।”

ହଠାତ ବିରାଟ ଜୁଡ଼ାଧାରୀ କୁଣ୍ଡଳବନ୍ତ କୃଷିକାରୀ ବେଶପରିହିତ ଯଦୁମଣି କହି ବସିଲେ, “ଓହୋ ! ଆପଣଙ୍କ ନାମ ‘ଗୃହ’ !” ଏହା କହି ନାକରେ ହାତ ଦେବାରୁ ଚକ୍ରପାଣି ହସି ହସି ରହିଗଲେ । ତୁରନ୍ତ ବାହୁ ସେହି ସୁନ୍ଦର ଶବଳିତ ଯୁବକର ମସ୍ତକରେ ଥୋଇ ଆଶୀର୍ବାଦ ବର୍ଷଣ କରି କହିଲେ, “ଯଦୁମଣି।” ଯଦୁମଣି କହିଲେ- “ଆଜ୍ଞା ଏ ଅକିଞ୍ଚନ କଣ ଆପଣଙ୍କ ଠାରେ ପରିଚିତ ?” ଚକ୍ରପାଣି କହିଲେ – “ବାପ ! ଜାଣ ତ କାନନ କନ୍ଦର ମଧ୍ୟସ୍ଥ ପ୍ରସ୍ଫୁଟିତ ପୁଷ୍ପ କିପରି ନିଜ ସୌନ୍ଦର୍ଯ୍ୟ ପ୍ରତି ପଥିକକୁ ଆକୃଷ୍ଟ କରେ ।” ଏହି ଚକ୍ରପାଣି ପୁଣି ଯଦୁମଣିଙ୍କ ସହ ଶାସ୍ତ୍ରଚର୍ଚ୍ଚା ପାଇଁ କହିଥିଲେ। ଆଉ ଏହି ଆଲୋଚନାର ଅୟମାରମ୍ଭ କିଛି ଏହିପରି ହୁଏ:

ସହର୍ଷ ମୁଖରେ ବକ୍ରବାକ ପାଦପୂରଣ ଲାଗି ପ୍ରଶ୍ନ କଲେ : ‘ପ୍ରମତ୍ତ କେଶରୀ ଗଜ କପୋଳକୁ ନିରେଖଇ କଦାଚିତେ’ । ଯଦୁମଣି ଈଷତ୍ ହାସ୍ୟରେ ସଙ୍ଗେ ସଙ୍ଗେ ଉତ୍ତର ଦେଲେ : ‘ମହିଷାର ରଥ ଗଣନାଥ ମାଥ କଇଳାସ ପରବତେ ।’ ପୁଣି ପ୍ରଶ୍ନ ହେଲା – ‘କିବା ପ୍ରଶଂସିବା ପ୍ରଶଂସା ପଦବୀ ଅଛି ବୋଲି ବଳା ରୀତିରେ। ‘ ଉତ୍ତରରେ ଆସିଲା, “ମୂକ କରିଅଛି ଯେ ବାଳାମଣିର ଶ୍ରୀଚରଣ ବଳା ରୀତିରେ।” ଏହି ରସିକତାପୂର୍ଣ୍ଣ ଉତ୍ତରରେ ସଭାସଦ ଚମକିତ ହୋଇ ଉଠିଲେ । ବିଦ୍ୟୁତ ବେଗେ ସମସ୍ତ ପ୍ରଶ୍ନର ଉତ୍ତର ଦେଇ ଚାଲିଲେ ଯଦୁମଣି ମହାପାତ୍ର । ଆନନ୍ଦ ଓ ଉତ୍କଣ୍ଠାର ସମ୍ମିଶ୍ରଣରେ ସଭାସଦ ପ୍ରପୂର୍ଣ୍ଣ ।

ବକ୍ରବାକ ଚକ୍ରପାଣି ପରାଜୟ ସ୍ଵୀକାର କରି ଯଦୁମଣିଙ୍କୁ ଆଶୀର୍ବାଦ ଘେନା କରାଇ ବୋଇଲେ, “ତୁମେ ଦିନେ ଏ ଉତ୍କଳ ଦେଶରେ ଏକାନ୍ତ ଶ୍ରେଷ୍ଠତମ ନିଧି ହେବ, ଯାହାର ପଦ ଗୌରବ କହି ଲୋକେ ନିଜକୁ ଧନ୍ୟ ମଣିବେ।” ବକ୍ରବାକ ସସମ୍ମାନେ ମହାସମାରୋହରେ ବିଦାକି ଗ୍ରହଣ କରିଥିଲେ ମାତ୍ର ଯଦୁମଣିଙ୍କ ଈର୍ଷଣୀୟ ମହନୀୟତା ପ୍ରତି ପଣ୍ଡିତମାନେ ଅସହିଷ୍ଣୁ ହୋଇ ଉଠିଲେ । ଆଉ ଏହା ହିଁ ହେଉଛି ସେହି ଆଦ୍ୟଲଗ୍ନ ଯେ ସମୟରେ ଯଦୁମଣି ମହାପାତ୍ର ରାଜା ବିନାୟକ ସିଂହ ମାନ୍ଧାତାଙ୍କୁ ନିଜର ପ୍ରତ୍ୟୁତ୍ପନ୍ନମତିତାର ଏକ ପ୍ରତ୍ୟକ୍ଷ ଧାରଣା ପ୍ରଦାନ କରନ୍ତି ।

ରାଜା ଦରବାର ସାରି କବିଙ୍କୁ ଅନ୍ୟମନସ୍କ ଦେଖି ପଚାରିଲେ –

“ରସିକ କବିଙ୍କ ହରସ ନାହିଁ,
ନୂଆ କଥା ଏବେ ଦେଖୁଛି ମୁହିଁ ।”

କବି ଟିକେ ମୁଣ୍ଡ ଆଉଁଶି କହିଲେ-
“ଧର୍ମ ଅବତାର ସତ୍ୟ ନଜର
ଅନ୍ନ ଚିନ୍ତା ଲାଗଇ ଚମତ୍କାର
କହିଛନ୍ତି ଗୃହେ ଗୃହିଣୀ ମୋର
ବଜାରରୁ କିଣିନେବି ଚାଉଳ
ଅନ୍ୟ ଚିନ୍ତା କରି ଗଲେ ମୁଁ ଭୁଲି
ବରଷି ଗଲେ ଘରେ ମୁଁ ଗାଳି।”

ରାଜା ହସିଦେଇ କହିଲେ – “ଆଚ୍ଛା। କବି ତୁମେ ଏତେ ସାହାଯ୍ୟ ନେଉଛ ଘରେ କଣ ଅସୁବିଧା ଦୂର କରିପାରୁନ? କବିଙ୍କ କଷ୍ଟ ଯଦି ଅନ୍ନ ଚିନ୍ତା ରହେ ତେବେ କଲମର ରସାଳତା ପ୍ରକାଶ ପାଇବ କିପରି? ତୁମକୁ ତ ସବୁମତେ ସାହାଯ୍ୟ କରିବାର ଆମର ଇଚ୍ଛା। ଏବେ କୁହ କଣ ତୁମର ହେଲେ ତୁମେ ନିଶ୍ଚିନ୍ତ ହେଇ ପାରିବ?”

କବି କହିଲେ,
ଗୁହାରି ଛାମୁରେ କରିବା ସାର
ସାନ ପ୍ରତି ସଦା ଏ ଅବିଚାର
କହି କହି ମୁହଁ ହୁଏ ଥୋବରା
ରଜା ଅବୁଝା ଏ ଜଗତ ସାରା
କହି ଭୁଲଡ ଯେ . .
ମୋଟ କଥାରୁ ପେଟ ମଣନ୍ତି।

କବି ଏହା ପୂର୍ବରୁ ଅନେକ ଥର ରାଜାଙ୍କୁ ଜମିବାଡି କଥା ସୂଚାଇଥିଲେ। ରାଜା ସେ ପ୍ରତି ଗୁରୁତ୍ୱ ଦେଇନାହାନ୍ତି। ଆଜି ସେଇ କଥା ଉପରେ ଗୁରୁତ୍ୱ ଦେବାକୁ ଯାଇ କବି କବିତା ପ୍ରସଙ୍ଗରେ ଅଭିମାନ ଛଳରେ କହି ପକାଇଲେ। ରାଜା ବୁଝିଲେ କଥାର ମର୍ମ। ଛାମୁକରଣଙ୍କୁ ଡକାଇ ଯଦୁମଣିଙ୍କୁ ଖଣ୍ଡେ ଚାଷ ଜମି ଦେବାକୁ ଆଦେଶ ପ୍ରଦାନ କଲେ। ରଜା ପାରିଷଦବର୍ଗ ଓ କର୍ମଚାରୀମାନେ ଚାହାନ୍ତି ପାରିତୋଷିକ ଓ ଖୋସାମତ। ଯଦୁମଣି ସିଧାସଳଖ ଶ୍ରୀଛାମୁରୁ ଏମିତି କିଛି ପାଇଯିବାକୁ ସେମାନେ ପସନ୍ଦ କରୁନଥିଲେ।

ତେଣୁ ଛାମୁକରଣ ଆଦେଶ ପାଳନ କରିବାକୁ ଯାଇ ଏକ ପଥୁରିଆ, ଟାଙ୍ଗୁରିଆ ଭୂଇଁକୁ ପଟ୍ଟା କରିଦେଲେ। କିଛିଦିନ ପରେ ନଗରରକ୍ଷୀକୁ ନେଇ ଉକ୍ତ ଜମି ଚିହ୍ନଟ କରିବାକୁ ବାହାରି ପଡିଲେ ଯଦୁମଣି। ଜମିର ଅବସ୍ଥା ଦେଖି ମନଦୁଃଖରେ ଫେରି ଆସି ରାଜସଭାରେ ରାଜାଙ୍କୁ ଏକ କବିତା ଲେଖି ଉପହାର ଦେଇ କହିଲେ,
“ଛାମୁ ଯାହା ଦେଲେ ହରଷେ
ପାଉ ପାଉ ଗଲା ବରଷେ
ବାଛି ଦେଉଛନ୍ତି ଭଲ ପଡିଆ
ଶ୍ରାବଣ ମାସରେ ଭାଙ୍ଗେ ନଡିଆ
ଏମନ୍ତ ଭୂଇଁ
ଚାକୁଣ୍ଡା ବୁଣିଲେ ଉଠଇ ନାହିଁ।”

କବିଙ୍କର ସରଳ ଭାବିତ ମର୍ମ ରାଜା ବୁଝିଥିଲେ। ଛାମୁକରଣ ହିଁସାରେ ଯଦୁମଣିଙ୍କୁ ଠକାଇଛନ୍ତି। କବିତାରେ ଦତ୍ତ ଜମିର ଟାଙ୍ଗର ବର୍ଣ୍ଣନା ପାଠ କରି ଭିତିରି ଲୋକ ଦ୍ଵାରା ତଦନ୍ତ କରାଇ ଦିନେ କଚେରୀର କରଣ ବେବର୍ତ୍ତାଙ୍କୁ ଡକାଇ ଆଣି ଶୀଘ୍ର ଆଦେଶ କରିଲେ ଯେ ଏକ ବାଟୀ ଦୋଫସଲ ଜମି ଯଦୁଯଣି ମହାପାତ୍ର ନାମରେ ପଟ୍ଟା କରିଦିଆଯାଉ । ଭୟଭୀତ ବେବର୍ତ୍ତା ତହୁଁ ତ୍ଵରିତ ଏକ ବାଟୀ ମୂଲ୍ୟବାନ ଜମିର ପଟ୍ଟା କରିଦେଲା ଯାହା ଯଦୁମଣି ଅତି ଆନନ୍ଦର ସହ ପ୍ରାପ୍ତିପୂର୍ବକ ପ୍ରସ୍ଥାନ କରନ୍ତି । ଆଉ ଯଦୁମଣିଙ୍କର ପ୍ରତ୍ୟୁତ୍ପନ୍ନମତିତା ପାଇଁ ସେ ବିନାୟକ ସିଂହ ମାନ୍ଧାତାଙ୍କ ସଭା ମଧ୍ୟରେ ଯଥାଯୋଗ୍ୟ ଆସନ ପାଇଲେ ।

ଆଉ ଏହି ସମୟରେ ଉପଗତ ହୋଇଛି ୧୮୧୭ର ଦୁର୍ଦ୍ଧର୍ଷ ପାଇକ ବିଦ୍ରୋହର ରଣହୁଙ୍କାର ! ବକ୍ସି ଜଗବନ୍ଧୁ ବିଦ୍ୟାଧର ଏବଂ ଦେଵାନ୍ କୃଷ୍ଣଚନ୍ଦ୍ରଙ୍କୁ ବାଉଁଶିଆପଡା ନିକଟସ୍ଥ ଏ ଅରଣ୍ୟରେ ପାଇ ରାଜା ବିନାୟକ ସିଂହ ମାନଧାତାଙ୍କୁ ଅବଗତ କରି ପ୍ରଭୂତ ସାହାଯ୍ୟ ପ୍ରଦାନ କରିଥିଲେ । ଯଦୁମଣିଙ୍କ ସ୍ଥିତଧୀ ଗୁଣ ଓ ସ୍ପଷ୍ଟଭାଷିତା ନିମନ୍ତେ ରାଷ୍ଟ୍ରର କର୍ମଚାରୀମାନଙ୍କ ଭିତରେ ଦୌରାତ୍ମ୍ୟ ଏକାନ୍ତ ହ୍ରାସ ପାଇବା ସହ ରଣପୁର ଓ ନୟାଗଡ଼ ରଜାଙ୍କ ସହ ମିଶି ନିର୍ଭୀକରେ ପାଇକ ବାହିନୀକୁ ଆସବାବ ଯୋଗାଇ ଆସୁଥିଲେ । ଆଉ ସେତେବେଳେ ନାନାବିଧ ଚକ୍ରାନ୍ତ ସତ୍ତ୍ଵେ ଯଦୁମଣିଙ୍କ ପ୍ରତି ରଜାଙ୍କର ସ୍ନେହ ହ୍ରାସ ପାଇନଥିଲା । ବରଂ ସକଳ ଚକ୍ରାନ୍ତ ସତ୍ତ୍ୱେ ବିନାୟକ ସିଂହ ମାନଧାତାଙ୍କ ସହ ଅତି ନିବିଡ଼ ହେଇ ସାରିଥିଲେ ।

ଏକଦା ସଭାସଦମାନଙ୍କ ଗହଣରେ ଯଦୁମଣି ମହାପାତ୍ର ବିଚକ୍ଷଣ ପାଣ୍ଡିତ୍ୟ ପ୍ରଦର୍ଶନ ପୂର୍ବକ ସମସ୍ତ ପ୍ରଖ୍ୟାତ ପଣ୍ଡିତଙ୍କୁ ତଟସ୍ଥ କରି ସାରିଥିଲେ । ପ୍ରଶ୍ନରେ ଜର୍ଜରିତ କରିବା ଇଚ୍ଛାରେ ଥିବା ପଣ୍ଡିତ ମାନେ ବରଂ ଯଦୁମଣିଙ୍କର ତୀକ୍ଷ୍ଣ ମେଧା ଆଗରେ କ୍ଲାନ୍ତିପରବଶ ନୀରବ ହୋଇଗଲେ। ଏଥର ପାଳି ପଡିଲା ଯଦୁମଣିଙ୍କର । ରାଜ ନିର୍ଦ୍ଦେଶ ମତେ ଏଥର ଯଦି ଯଦୁମଣିଙ୍କ ପ୍ରଶ୍ନକୁ ପଣ୍ଡିତମାନେ ସଠିକ୍ ଭାବେ ଉତ୍ତର ପ୍ରଦାନ ନ କରିବେ, ତେବେ ଯଦୁମଣି ମହାପାତ୍ର ନୟାଗଡର ସର୍ବଶ୍ରେଷ୍ଠ ପଣ୍ଡିତ ଓ ସଭା କବିର ସମ୍ମାନ ପାଇବେ । ଯଦୁମଣି ଉପସ୍ଥିତ ସମସ୍ତଙ୍କର ଅନୁମତି ଘେନା କରି ପୃଚ୍ଛିଲେ:
“ପାଣି ବୁହା ଡାକ ଶୁଣି ପର୍ବତେ
ଘୋଡା-ଗୋଡ଼-ଖିଆ ନାଚିଲେ ମତ୍ତେ ।
କଳାପିଠିଆ ଡାକ ଦେଲେ ତହିଁ
ପ୍ୟା ପାନ ଖିଆମାନ ଆସିଲେ ନାହିଁ
କହିଲେ ତୁ ତ ପୁଅ କାଖିଆ
ଆମେ ତା ବୋପା ମୁଣ୍ଡେ ହୋଇଥାଉ ଠିଆ।”

ନିରୁତ୍ତର ପଣ୍ଡିତମନ୍ୟ । ଶେଷରେ ରାଜା ବିନାୟକ ସିଂହ ମାନ୍ଧାତାଙ୍କ ଅନୁରୋଧରେ ଏହାର ଉତ୍ତର ପରିପ୍ରକାଶ ଏହିପରି କରିଲେ ଯଦୁମଣି: ମେଘ ପର୍ବତ ଉପରେ ଉଦୟ ହେବାରୁ ‘ଘୋଡା-ଗୋଡ-ଖିଆ’ ଅର୍ଥାତ୍ ଗୂଢପଦ ବା ସର୍ପ ଭକ୍ଷଣ କରୁଥିବା ମୟୂରମାନେ ଉନ୍ମତ୍ତ ହୋଇ ଉଠିଲେ । ପୃଚ୍ଛ ବିସ୍ତାରପୂର୍ବକ ସେ ଷଡ଼ଜ ତାନରେ ନୃତ୍ୟ କରିଲେ । ପ୍ୟା ଅର୍ଥାତ୍ ପବନ , ଭକ୍ଷଣକାରୀ ସର୍ପଗଣ ବାହାରିଲେ । ମୟୂରମାନଙ୍କୁ ଥଟ୍ଟା କରି ସର୍ପମାନେ କହୁଥିଲ, “ତୁମେ ତ ସବୁ କାଖିଆ-ବାହନ ଅର୍ଥାତ୍ କାର୍ତ୍ତିକଙ୍କର ବାହନ ହେଲେ ଆମେ ତ ତାଙ୍କ ପିତା ମହାଦେବଙ୍କ ଶିରମଣ୍ଡନ କରୁ ।” ପଣ୍ଡିତମାନେ ଯଥାର୍ଥତଃ ପରାଜୟ ବରଣ ପରେ ଶୂଦ୍ର ବୋଲି ପ୍ରତାଡିତ ଯଦୁମଣି ମହାପାତ୍ର ରାଜସମ୍ମାନ ଲାଭ କରିଲେ ।

୧୮୧୦ ମସିହାରେ ରାଜାଙ୍କର ବୟସ୍ୟ ବା ବିଶ୍ଵସ୍ତ ସଖା ରୂପେ ରହିଲେ ଯଦୁମଣି । ଜାତିରେ ବର୍ଦ୍ଧକୀ ବା ବଢେଇ ହୋଇଥିଲେ ସୁଦ୍ଧା ସମସାମୟିକ ଓଡ଼ିଶାର ସାମନ୍ତ ରାଜାମାନେ ଯଦୁମଣିଙ୍କୁ ଯେପରି ବାକ୍ୟର ଅନର୍ଗଳତା ପାଇଁ ସ୍ଵାଧୀନତା ଦେଇ ଥିଲେ ଓ ସେମାନଙ୍କୁ ଭର୍ତ୍ସନା ସୁଦ୍ଧା କଲେ ମଧ୍ୟ ପ୍ରତିଭାବାନ ଲୋକଙ୍କୁ ସମ୍ମାନ ଦେବା ସମୟରେ ଉତ୍କଳୀୟତାର ଏକ ଉନ୍ନତ ଧରଣର ସାଂସ୍କୃତିକ ପରିବେଶର ଶାଶ୍ଵତ ପ୍ରମାଣ ବହନ କରେ। ଏକଦା ବ୍ରିଟିଶ ରାଜକର୍ମଚାରୀ ନୂଆଗଡ଼ରେ ଘଟିତ ପ୍ରଜାମେଳି ବିଷୟରେ ପଚାରନ୍ତେ କବି ନିର୍ଭୀକ ହୋଇ ବୋଇଲେ:
“ଗୋଡ଼ ଗାଡ଼ ସଂସର୍ଗରେ ଯେ ପଟୁ।
ତାଙ୍କର ସୁନା ଖଡୁ ପଟୁ-ତଟୁ
ଅଶୁଭରେ ଶୁଭ ହୋଇଲା ଦେଖା ।
ତାଙ୍କର ଆଢେଣୀ ପାଲିଙ୍କି ଛତା ।
ଏହି ସକାଶରୁ କରି ଯେ,
ଛତ୍ରାକାରଲିଙ୍ଗ-ଉଦ୍ଭବ-ମେଦିନୀ
ହୋଇଗଲା ହତଶିରୀ ଯେ ।।”

ତନ୍ତୀ ଶ୍ରେଣୀର ଲୋକଙ୍କ ବିପର୍ଯ୍ୟସ୍ତ ଅବସ୍ଥାର ତାତ୍କାଳିକ ବର୍ଣ୍ଣନା ମାଧ୍ୟମରେ କାଳେ କାଳେ ଅଯୋଗ୍ୟ ଅଭାଜନମାନଙ୍କ ଶାସନ ଓ ଅଭ୍ୟୁଦୟରେ ରାଜ୍ୟର ଶାସନ ଓ ସଂସ୍କୃତି କିପରି ଛିନ୍ନ ଭିନ୍ନ ବିଶୃଙ୍ଖଳ ହୋଇ ଉଠେ ସମଗ୍ର ଓଡିଆ ସାହିତ୍ଯରେ କବି ଯଦୁମଣିଙ୍କର ଏହି ଷଟ୍-ପଦ ବିଶିଷ୍ଟ କବିତା ତାହା ଦେଖାଇ ଦେବା ଏକ ବଳିଷ୍ଠ ପଥ । ଉତ୍କଳୀୟ ସଂସ୍କୃତିକୁ କବିତ୍ଵରେ ଫୁଟାଇବା ସହ ଉତ୍ତର ଭାରତର “ବୀରବଲ୍”ଙ୍କ ପରି ଓଡ଼ିଶାରେ ପ୍ରତ୍ୟୁତ୍ପନ୍ନମତିତ୍ଵ ସହ ନର୍ମବାକ ହେବାର ଏକ ଚିର ଆନନ୍ଦଦାୟକ ଅଥଚ କିମ୍ବଦନ୍ତୀ ଚରିତ୍ରରେ ପରିଣତ ହୋଇଛନ୍ତି ଯଦୁମଣି ମହାପାତ୍ର । ଆଉ “ଯଦୁମଣି ରହସ୍ଯ” ନାମକ ଯେଉଁ ରହସ୍ଯ ସବୁ ଏତେ ପରିଚିତ ତାହାର ବର୍ଣ୍ଣନା ସର୍ବଜନବିଦିତ ।

ଶ୍ଳେଷାର୍ଥରେ ଅଭ୍ୟସ୍ତ ଯଦୁମଣି ଏକଦା ରାଜାଙ୍କ ଉତ୍ତରରେ ଯେତେବେଳେ କହିଥିଲେ । ରାଜା ପରାଜୟ ଜନିତ ବିରାଗରେ ଆଉ ଦୁଇ ମାସ ପର୍ଯ୍ୟନ୍ତ ଯଦୁମଣିଙ୍କ ମୁଖ ଚାହିଁ ନଥିଲେ କି ରାଜସଭାକୁ ଡାକି ନଥିଲେ । ଅଣସରରେ ଏଥର ମହାପ୍ରଭୁଙ୍କ ଚିତ୍ର ଯଦୁମଣି କରିଦେଲା ପରେ ଶ୍ରୀଗୁଣ୍ଡିଚା ଆଗତ ହେବାରୁ ରଥ ସହ ରାଜା ବିଜେ ହବାର କଥା ହେଲେ ଏଥର ରଜା ଅଭିମାନବଶ ବିଜେ ହୋଇନଥିଲେ । ବୁଦ୍ଧିମାନ ଯଦୁମଣି କୌଶଳ କରି ପରମପୂଜ୍ୟ ରାଜଗୁରୁଙ୍କ ଗୃହରେ ଲୁଚି ତାଙ୍କର ଗୋଟିଏ ଅଲେଶା ବାଉଁଶ ପାତିର ଡୋଲିକୁ ମୁଣ୍ଡାଇ ରଥ ସହିତ ଚାଲିଲେ । ରଜା ଛତିଶା ନିଯୋଗରେ ବିଜେ କରିଥିଲେ ।

ଡୋଲିର ଗତି ଦେଖି ସେଠି ସମସ୍ତେ ବିସ୍ମୟର ତ କେହି କେହି ହାସ୍ୟରୋଳରେ ଗଡି ଯାଉଛନ୍ତି । ରାଜା ଭାବୁଥିଲେ ଯେ ପାରିଷଦବର୍ଗଙ୍କ କଥା ବ୍ୟତୀତ ଆଉ କିଛି କଥା ତ ନିଶ୍ଚେ ରହିଛି । ସାରୁ ଭିତର ମାରୁ କଥା ରାଜାଙ୍କ ଜ୍ଞାତସାରକୁ ଆସି ସାରିବାକୁ ବସେ । ରାଜା ହଠାତ ପଟୁଆର ଚଲାଇ ଯାଉ ଯାଉ ପାଖ ଲୋକଠାରୁ ବୁଝିଲେ ଯେ ରାଜା ଯଦୁମଣିଙ୍କ ମୁଖ ଦେଖିବାକୁ ମନା କରିଥିବାରୁ ଏବଂ ଠାକୁରଙ୍କ ପାଖରେ ଚିତ୍ରକର ରହିବାର ବିଧି ଥିବାରୁ ସେ ଏପରିକା ବିଚିତ୍ର ବେଶରେ ରହିଛନ୍ତି । ଯଦୁମଣିଙ୍କୁ ସେ ଡୋଲି ଭିତରୁ ବାହାରି ଆସିବା ପାଇଁ ଆଦେଶ କରିଲେ । କେହି କେହି ଯଦୁମଣିଙ୍କ ମୁଣ୍ଡକାଟ ହେବ ଭାବି ନିସ୍ପନ୍ଦ ରହିଗଲେ । ହେଲେ ଯଦୁମଣି ମୁଖନତ କରି ଡୋଲି ଭିତରୁ ବାହାରି ସ୍ତବ କରିଲେ:
“ଅମଳ କମଳ ଦଳ ଲୋଚନ
କୁଣ୍ଡଳାଙ୍କୃତ ଶୁଭ୍ର ଦର୍ଶନ
କଥ୍ୟ କଥନକୁ ଦୃଢ ସଂଯମ
ବିଚ୍ୟୁତ ବିଚିତ୍ର କି ବିଘଟନ
ନବଦୁର୍ଗରାଣ
ଇଷ୍ଟ ଦେବତା ପରି ଆଚରଣ ।”

ଉକ୍ତ କବିତାରେ ରାଜାଙ୍କ ସୁନ୍ଦର ବେଶ ବର୍ଣ୍ଣନା କରି ଯଦୁମଣି ତାଙ୍କୁ ମିଷ୍ଟଭାଷୀ ବୋଲି ମଧ୍ୟ ବର୍ଣ୍ଣିତ କରନ୍ତି । ସେ ଏଥି ସହ ବୋଇଲେ ଯେ ଟିକିଏ ମାତ୍ର କଥାରେ ବିଘଟନ ବା ବିରୋଧାଭାସ ଜନ୍ମିଲେ ଚରିତ୍ରରେ ବିଚିତ୍ର ବିଚ୍ୟୁତି ପରିଲକ୍ଷିତ ହୁଏ । ହେଲେ (ପ୍ରବାଦ ମତେ) ଇଷ୍ଟଦେବୀ ବାଉରୀ ଠାକୁରାଣୀଙ୍କ ସମାନ ଈଷତ ଉଗ୍ର ଓ କ୍ଷଣକୋପୀ ହେବା କ’ଣ ରାଜାଙ୍କର ଏ ଶୋଭା ପାଖରେ ସମୀଚୀନ ? ଏହି କବିତା ମାଧ୍ୟମରେ ରାଜା ନିଜର ତ୍ରୁଟି ବୁଝିପାରି ଆଡମ୍ଵରବନ୍ତ ପୁଷ୍ପମାଳକୁ ଯଦୁମଣିଙ୍କ ଗ୍ରୀବାରେ ଲମ୍ଵାଇ ଦେଲେ । ହସ୍ତୀରେ ବସାଇ ଏଥର ମହା ସମାରୋହରେ ରଥଯାତ୍ରାରେ ଯାଇଥିଲେ ରାଜା ଓ ଯଦୁମଣି ।

ତେବେ ଏକଦା ଏକ ଦୁଃଖଦ ଘଟଣାକ୍ରମେ ଜନୈକ ଭଣ୍ଡ ବ୍ରାହ୍ମଣମାନଙ୍କ ଶାପଭର କଣ୍ଠବାଣୀକୁ ସତ ହେଇଥିବାର ଦେଖି ସେ ଭାଙ୍ଗିପଡିଲେ । ଏକମାତ୍ର ପୁତ୍ର କପିଧ୍ବଜ ଅପରିପକ୍ଵ ବୟସରେ ବଜ୍ରପାତରେ ଚାଲିଗଲା । ସେତେବେଳେ ସେ ଚାଲିଗଲେ ନୀଳଚଳ ଧାମ । ସେଠାରେ ସେ ଗାଇଦେଲେ, “ନୀଳାଚଳ କଳାକାର ତାରଣ ମାରଣ
ଧୀର କହ ପ୍ରଭୁ ସତ କି ଏ ମିଛ,
ଦେଲ ଯାହା ନେଲ ତାହା ଏଥକୁ କିମ୍ପାଇଁ
ମହା ଦାତା ପଣେ ପତାକା ବାନ୍ଧିଛ” ।

ଏହି ନୀଳାଚଳ ଧାମରେ ପୁଣି ସମସ୍ଵର ଦେଇ ନିବେଦି ଥିଲେ ‘ସର୍ପ ଜଣାଣ’ ମାଧ୍ୟମରେ କବିସୂର୍ଯ୍ୟ ବଳଦେବ ରଥ । ଆଉ ଦୁହେଁ ଭଣତି କରି ସାରି ପରସ୍ପରକୁ କୋଳେଇ ନେଇଥିଲେ । ଦୁଇ ବାଣୀପ୍ରାଣଙ୍କ ମିଳନ !

ଗୃହାଗତ ହେବାରୁ ପାଟ ମହାଦେଈଙ୍କ ଆଜ୍ଞାରୁ ସେ ଆରମ୍ଭ କରିଥିଲେ “ରାଘବ ବିଳାସ” କାବ୍ୟର ରଚନା । ରାଜମାତାଙ୍କ ବିୟୋଗ ସମୟରେ ସେ ଅପମାନିତ ବ୍ରାହ୍ମଣଙ୍କ ଅସନ୍ତୋଷର କ୍ଷତି ହେବାରୁ ସେମାନଙ୍କ ବିରାଗ ଭାଜନ ପାଇଁ ଗ୍ରନ୍ଥ ଆଦ୍ୟରେ ଲେଖିଲେ:
“ପ୍ରଥମୁଁ ବନ୍ଦଇ ଭୂଦେବ ଅଂଘ୍ରି ଅଘାରି ବକ୍ଷେ ।
ସପତ ସାଗର ଶୋଷକ ବଂଶ ଧ୍ଵଂସି ଅଲକ୍ଷେ ।।”
ବନ୍ଦେ ରସାସୁତା-ପତିର ଧରାଧର ଶୟନ ।
ନିର୍ଜରା-ପରବିନାଶନ ସନ୍ଥଜନ ପାଳନ ।।
ଗରିଷ୍ଠ ଦଶା ଏ ରାଷ୍ଟ୍ରର କଷ୍ଟ ଫେଡ଼ ଦୁସ୍ତର ।
ଚକ୍ର ପେଷି ଶକ୍ରବାହନ-ଭ୍ରାତ-ଅରି ସଂହାର ।।”

ପ୍ରଥମେ ସାତ ସମୁଦ୍ର ଶୋଷି ନେଇଥିବା ଅଗସ୍ତି ମୁନିଙ୍କର ବଂଶଧର ସହ ଅକସ୍ମାତ୍ ଯଦୁବଂଶର ଧ୍ଵଂସର କାରଣ ଯେଉଁ ବ୍ରାହ୍ମଣମାନଙ୍କ ପଦ ବିଷ୍ଣୁଙ୍କର ବକ୍ଷ ମଣ୍ଡନ କରୁଛି, ତାହାଙ୍କୁ ବନ୍ଦନା କରୁଅଛୁ । ଏଥି ସହ ସୀତାପତି ରାମଚନ୍ଦ୍ରଙ୍କର ଅସୁର ବିନାଶକାରୀ ଓ ସନ୍ଥଜନ ପାଳକ ଅନନ୍ତ ଶୟନ ମୂର୍ତ୍ତିର ବନ୍ଦନା କରୁଅଛୁ। ପ୍ରଥମ ଥର ପାଇଁ କବି ମଙ୍ଗଳ ବାଚନା ମଧ୍ୟରେ ନିଜ ରାଷ୍ଟ୍ର ଉତ୍କଳରେ ବିଘଟିତ ୧୮୧୭ର ଜଟିଳାବସ୍ଥା ଉତ୍କଳର ଅବସ୍ଥାକୁ ଦୁଃସ୍ଥ କରିଦେଇଥିବାରୁ ମଙ୍ଗଳସ୍ତବରେ ସେହି ହସ୍ତୀକୁ ଗ୍ରାହ କବଳରୁ ରକ୍ଷା କରିଥିବା ବିଷ୍ଣୁ ରାଜ୍ୟର ଦୁସ୍ତର କଷ୍ଟ ନିବାରଣ ପାଇଁ ଭକ୍ତିର ସହ ନିବେଦନ ଜଣାଉଛନ୍ତି ।

‘ରାଘବ ବିଳାସ’ କବି ଯଦୁମଣିଙ୍କର ୫୨ ଛାନ୍ଦ ବିଶିଷ୍ଟ କାବ୍ୟ । ବିନାୟକ ସିଂହ ମାନ୍ଧାତାଙ୍କ ନାମରେ ଭଣତି କରି ସେ ରଚନା କରିଛନ୍ତି ଏକ ଅନ୍ୟତମ ପଥିକୃତ ରଚନା । ପାଲାଗାୟକମାନଙ୍କ ମଧ୍ୟରେ ଏହାର ପ୍ରସିଦ୍ଧି ରହିଛି । ହେଲେ ଦୁର୍ଯୋଗବଶତଃ ଛାନ୍ଦ ଲେଖା ଚାଲିଥିବା ବେଳେ ବିନାୟକ ସିଂହ ମାନ୍ଧାତାଙ୍କ ଦେହାନ୍ତ ଘଟେ ଓ ଲେଖାଟି ଅପୂର୍ଣ୍ଣ ରହିଯାଏ । ସ୍ଵୟଂ ପାଟରାଣୀ ଏହାକୁ ଠାକୁର ଘରେ ରଖି ପୂଜା କରୁଥିଲେ। ପ୍ରତି ବର୍ଷ ଚୈତ୍ର ମାସର ରାମ ନବମୀଠାରୁ ୨୧ ଦିନ ପର୍ଯ୍ୟନ୍ତ ଲୀଳାକାରରେ ଏହା ପଠିତ ହେବା ସହ ସହସ୍ରାଧିକ ଜନତା ଏହାକୁ ଶୁଣି ପୁଣ୍ୟାର୍ଜନ କରୁଥିଲେ। ହେଲେ ଗୃହଦଗ୍ଧ ହେବାରୁ ପାଣ୍ଡୁଲିପି ମଧ୍ୟ ଧ୍ଵଂସ ହେଇଗଲା । ଅନେକ ଛାନ୍ଦ ସଂଗୃହୀତ ହୋଇ ଥିବାର ଜଣାଯାଏ, ହେଲେ ପୁନଃ ଲେଖନ ହୋଇଛି କି ନାହିଁ, ତାହା ଅଦ୍ୟାବଧି ମଧ୍ୟ ଅଜ୍ଞାତ ।

ଧନଞ୍ଜୟ ଭଞ୍ଜଙ୍କ ‘ରଘୁନାଥ ବିଳାସ’ ଓ ଉପେନ୍ଦ୍ର ଭଞ୍ଜଙ୍କ ‘ବୈଦେହୀଶ ବିଳାସ’ ଭଳି ଏଥିରେ ରାମଚରିତ ବିବୃତ । ମାତ୍ର ଶୈଳୀଗତ ବୈଶିଷ୍ଟ୍ୟ ହେତୁ ଏହା ପୂର୍ବୋକ୍ତ ଗ୍ରନ୍ଥଦ୍ଵୟଙ୍କ ଠାରୁ ଉତ୍କୃଷ୍ଟତର ବୋଲି ଅନେକ ଆଲୋଚକ ମତ ଦିଅନ୍ତି। ଏହାର ରସାଭିବ୍ୟକ୍ତି ସହ ଚାତୁର୍ଯ୍ୟସମ୍ପନ୍ନ ଆଳଙ୍କାରିକ ରଚନାର ଅପୂର୍ବ ସମାବେଶ ଏହାକୁ ବାସ୍ତବରେ ଏକ ଅନବଦ୍ୟ ସ୍ଥାନ ଦିଏ। ଗ୍ରନ୍ଥ ଆରମ୍ଭରେ ମଙ୍ଗଳବାଚନା କରିସାରି ରାବଣର ଦୌରାତ୍ମ୍ୟ, ଋଷ୍ଯଶୃଙ୍ଗ ବୃତ୍ତାନ୍ତ, ସୀତାଜନ୍ମ, ରାମଚନ୍ଦ୍ରଙ୍କ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ରାମସୀତା ବିବାହ, ସ୍ଵତନ୍ତ୍ର ଶିବିରରେ ସୀତାଙ୍କ ମଧୁଶଯ୍ୟା, ରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାଗମନ, ସୀତାହରଣ, ସୁଗ୍ରୀବ ସହ ଶ୍ରୀରାମଙ୍କ ମିତ୍ରତା ଭଳି ବିବରଣୀମାନ ପ୍ରସଙ୍ଗ କ୍ରମେ ସୁଗଠିତ।

ଛାନ୍ଦମାନଙ୍କରେ ଅନୁପ୍ରାସ, ଶ୍ଳେଷ, ରୂପକ, ଚ୍ୟୁତାକ୍ଷର, ଯମକ ଆଦିର ଅପୂର୍ବ ବିନ୍ୟାସ ଏହାକୁ ରସାମୋଦୀ ମଧ୍ୟ କରିଛି । ଆଉ ଏହି କାବ୍ୟର ଛାନ୍ଦମାନଙ୍କ ଶବ୍ଦପାଣ୍ଡିତ୍ୟରେ ମନୋହର ସଂଗୀତଧର୍ମିତା ପରିଲକ୍ଷିତ କରିହୁଏ । ତୃତୀୟ ଛାନ୍ଦରୁ ତାଙ୍କ ଶବ୍ଦସମ୍ଭାର ସହ ସମାନୁରୂପେ ଅର୍ଥଗୌରବ ମଧ୍ୟ ବର୍ଣ୍ଣନା ଚାତୁରୀରେ ସନ୍ନିବେଶିତ ହୋଇପାରିଛି । ଚତୁର୍ଥ ଛାନ୍ଦରେ ସେହିପରି ପ୍ରଥମ ଦୁଇପାଦ ପ୍ରାନ୍ତ ଯମକ ଏବଂ ଅନ୍ୟାନ୍ୟ ୧୭ ପଦତକ ଆଦ୍ୟ ଯମକରେ ସବୁ ବିରଚିତ । ପଞ୍ଚମ ଛାନ୍ଦରେ ଭଞ୍ଜଙ୍କ ଶୈଳୀ କ୍ରମଶଃ ସ୍ପଷ୍ଟତର ହୋଇ ଆସିଛି ।

ଦଶରଥ ଋଷ୍ଯଶୃଙ୍ଗଙ୍କ ଦ୍ଵାରା ଯଜ୍ଞାନୁଷ୍ଠାନ ପୂର୍ବକ ରାମାଦି ଚାରିପୁତ୍ରଙ୍କୁ ଲାଭ କରିବାର ବର୍ଣ୍ଣନା ପଞ୍ଚମ ଛାନ୍ଦରେ ସମାବେଶିତ । ଭଞ୍ଜଙ୍କ ‘ଲାବଣ୍ୟବତୀ’ର ‘ଦେଖରେ ନଳିନି ! ନଳିନୀ ନଳିନୀରେ ପୂରିତ’ ଅନୁରୂପ ଏଥିରେ ଅଛି:
“ବିଂଶୈକ ଦିନ ନାରୀ ଚତ୍ବରେ ରୁଣ୍ଡ
ଶୁଦ୍ଧ ସଲିଳେ ଶୁଦ୍ଧ କରାଇ ପିଣ୍ଡ ଯେ,
ଅଙ୍ଗରେ ଚତୁଃସମ କଲେ ଲେପନ
ବଶିଷ୍ଠ ବଶୀଷ୍ଟାଦି ନାମକରଣ ଯେ ।
ଯାତକ ଯାତକରେ ଜାତକ ଦେଲେ
ନୀଳକମଳ କାନ୍ତି ଶ୍ରୀରାମ ଭାଲେ ଯେ,
ଗାତ୍ରେ ଅଷ୍ଟାବ୍ଜ ଶୋଭା ଶୋଭା ଶୋଭା ଯେ
ଭ୍ରମେ ଭ୍ରମର ଭ୍ରମୁଛନ୍ତି ଉଲ୍ଲାସେ ଯେ ।”

ରୀତିଯୁଗୀୟ ଶେଷ କବି ହେଉଛନ୍ତି ଯଦୁମଣି ମହାପାତ୍ର । ରୀତିଯୁଗୀୟ ଆଙ୍ଗିକ ଓ ଆତ୍ମିକ ଗଠନ କଳା ଦୃଷ୍ଟିରୁ ଏହାର ସମୟ ସୀମା ୧୫୮୦ରୁ ୧୮୭୦ ମଧ୍ୟରେ ସୀମିତ ଅଟେ । ଏହି ମଧ୍ୟରେ ଯଦୁମଣିଙ୍କ କାଳଖଣ୍ଡଟିରେ ତାଙ୍କ ରୀତିଯୁଗୀୟ କବି । ପୁନଶ୍ଚ ସଂସ୍କୃତର କାବ୍ୟାଦର୍ଶ ପ୍ରେରିତ ଯଦୁମଣି ନିଜର ସାହିତ୍ୟାନୁରାଗ ମଧ୍ୟରେ ସ୍ଵଦେଶବତ୍ସଳତାକୁ ମଧ୍ୟ ତଦନୁରୂପ ପ୍ରତିଫଳିତ କରିଛନ୍ତି । ଯଶସ୍କାମୀ ବାମନତୁଲ୍ୟ କବିମାନଙ୍କ ବ୍ୟତୀତ ଯଦୁମଣିଙ୍କ କାବ୍ୟର ନିଷ୍କଳଙ୍କ ଦିଗକୁ ସେ ଦର୍ଶାଇବାକୁ ଯାଇ ‘ରାଘବ ବିଳାସ‘ରେ ସୁଚାରୁରୂପେ ଲେଖିଛନ୍ତି । ଆହାରୀ ଛନ୍ଦରେ ଲିଖିତ ଷଷ୍ଠ ଛାନ୍ଦରେ ସୀତାଙ୍କର ଜନ୍ମ ସହ ରାମଙ୍କ ମିଥିଳା ଆଗମନର ବାର୍ତ୍ତା ବହି ଲେଖିଛନ୍ତି:
“ଶୁଣ ସୁବିଦୁଷ ସକଳ କିଳ୍ଵିଷ ଅଙ୍ଗରୁ ହୋଇ ଦହନ
ଜନକ ମୁନୀଶ କାଶ୍ୟପୀକି ଚାଷ କରନ୍ତେ କର୍କଶ ବହନ
ସକାଳେ, ସଭିଶାପେ ଖରେ ଅପ୍ସରା
ଖରେ ଯାଉଁ ଯତି ଦେଖି ବିଚାରନ୍ତି ଦୁହିତା ହୋନ୍ତାଏ ମୋ ପରା ।
× × ×
କାନ୍ତିକି ଲକ୍ଷିତ ଲକ୍ଷଣେ ସଂଯୁକ୍ତ ଲକ୍ଷଣେ ସୁକ୍ଷେଣ ସୁଗତି
ଦୀନଜନ ନିଧି ପାଇଲା ଅବଧି ସୁଧାପତି ସିଦ୍ଧି ପ୍ରାପତି
ତତ୍କାଳେ, ପବିତ୍ରାଙ୍ଗି ଘେନି ସଦନେ
ସୀମନ୍ତିନୀ-ସୀମନ୍ତିନୀ ଭୂଷା ମର୍ମେ ହୃଦୟାନନ୍ଦ ସେ ତେସନେ ।”

ସେହିପରି କବିଙ୍କର ଅନ୍ୟତମ ପ୍ରସିଦ୍ଧ କାବ୍ୟର ନାମ “ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର” । ପ୍ରଥମ କାବ୍ୟଟି ରାମଚରିତ ଉପରେ ଥିବାବେଳେ ଦ୍ଵିତୀୟଟି ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ। ସେ ଗୌଡ଼ୀୟ ବୈଷ୍ଣବ ଧର୍ମଦୀକ୍ଷା କରି ନିଷ୍ପାପ ହେବା ଦିଗରେ ଷୋଡଶ କଳା ବିଶିଷ୍ଟ ଋକ୍ମିଣୀଙ୍କ ଶୁଭପରିଣୟ ପର୍ଯ୍ୟନ୍ତ ଲମ୍ବିତ ଏହି ଗ୍ରନ୍ଥ “ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର” । ଏହି କାବ୍ୟର ଅନ୍ୟତମ ବିଶିଷ୍ଟତା ହେଉଛି ଯେ କବି ଶୃଙ୍ଗାର, ଶାନ୍ତ, କରୁଣ, ରୌଦ୍ର, ବୀର, ବୀଭତ୍ସ, ଅଦ୍ଭୁତ, ହାସ୍ୟ , ଭୟାନକ ରସମାନଙ୍କୁ ସ୍ଥଳବିଶେଷରେ ଅତି ନିପୁଣତାର ସହକାରେ ବସାଣ କରିଛନ୍ତି । ସେ ଅଭିମାନବଶତଃ ନିଜ ନାମରେ ବି ଅନେକତ୍ର ଉଲ୍ଲେଖ ଦେଇଛନ୍ତି। ପ୍ରଥମ ଛାନ୍ଦରେ ନିଜର ପ୍ରଖର ଆତ୍ମବିଶ୍ବାସ ବଳେ ସେ କହୁଛନ୍ତି:
“ଶୂଦ୍ରମୁଖୁଁ ଏ ହୋଇଛି ବାହାର
ରୌଦ୍ରତା ବହି କେହି ନ ବିଚାର
ବିଧୁ ବିଧୁନ୍ତୁଦ ଉଚ୍ଛିଷ୍ଟ ଜଣା
ଶିବେ ବାଜେ ଚନ୍ଦ୍ରଚୂଡ଼ ବାଜଣା ଯେ
ପଦ୍ମାପତିଙ୍କର ପଦ ଯେ
ସମ୍ଭବ ସମ୍ପଦ ପଦାର୍ଥରେ ବ୍ୟର୍ଥ ଖଣ୍ଡିବାର ଅପବାଦ ଯେ।” (ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର – ୧ମ କଳା- ୭)

“ଜଣେ ଶୂଦ୍ର (ବଢେଇ ଜାତି ହେତୁ) ମୁଖନିଃସୃତ କାବ୍ୟ ବୋଲି ପଣ୍ଡିତମନ୍ୟ ରୌଦ୍ରତା ବା କୋପ ପ୍ରକାଶ ନ କରନ୍ତୁ । କାରଣ ଯେପରି ରାହୁଙ୍କର ଉଚ୍ଛିଷ୍ଟ ହୋଇ ସୁଦ୍ଧା ଚନ୍ଦ୍ରକୁ ଶିବ ନିଜ ମସ୍ତକରେ ଧାରଣ କରିପାରନ୍ତି, ସେହିପରି ଏହି ବିଷୟମାନ ବିଷ୍ଣୁ ବିଷୟକ ପରମ ପଦାର୍ଥତୁଲ୍ୟ ପଦମାନ ଅଟନ୍ତି। ଏଥିରେ ମିଥ୍ୟା ଅପବାଦ ଆଣିବା ବ୍ୟର୍ଥତା ମାତ୍ର ।” ସଂସ୍କୃତ ରୀତିର ପ୍ରବଳତା ସହ ମାଘ କାବ୍ୟର ନିଦର୍ଶନ ସମାନୁରୂପେ ପରିଲକ୍ଷିତ କରାଯାଏ । ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ରେ ଉତ୍କଳୀୟ ସାହିତ୍ୟକୁ ସଂସ୍କୃତ ସାହିତ୍ୟ ସମତୁଲ୍ୟ ଅଳଙ୍କାରର ପ୍ରାଧାନ୍ୟ ଦେଇ ଏହାକୁ ବେଶ୍ ଉପଭୋଗ୍ୟ କରିପାରିଛନ୍ତି । ଆଉ ଏଥିରେ ମଧ୍ୟ ସେ ନିଜର ରସିକତା ପ୍ରଦାନ ପୂର୍ବକ ଏହାକୁ ଜନପ୍ରିୟ କରାଇ ପାରିଛନ୍ତି ।

ଯଦୁମଣି ତାଙ୍କ ଗ୍ରନ୍ଥରେ ଋକ୍ମିଣୀଙ୍କ ମଧ୍ୟରେ ହାସ୍ୟରସର ଅତୀବ ଉଚ୍ଚକୋଟୀର ଅବଧାରଣା କରିଛନ୍ତି । ହାସ କ୍ରୀଡାରତ ଋକ୍ମିଣୀ ରାଜଦରବାରର ସବୁ କାର୍ଯ୍ୟତକ ଲକ୍ଷ୍ୟ କରି ଏକଦା ଏକ ଭାଟର ଚତୁରତାଭରା କୁଶଳ କଥାମାନ ଶୁଣି ଏପରି ଅପାଙ୍ଗ ଢାଳିଲେ ଯେ ସଖୀଗଣ କହିଲେ, “ଜେମା ସେ ତ ଏଠାରେ ନାହିଁ, ଏହା କଥା ମାତ୍ର । ତୁ ଏପରି ଭାବରେ ଅପାଙ୍ଗ ଢାଳିଲୁ ଯେ ସେ ପୁରୁଷଟି ଏଠି ଥିଲେ ତ ତାହା ଦେଖି ମରି ଯାଇ ଥାନ୍ତା ।’ କିନ୍ତୁ କବିଙ୍କ ଅନ୍ୟ କଳାରେ ରହିଛି ଋକ୍ମିଣୀଙ୍କ ହାସ୍ୟର ଅତି ଚମତ୍କାର ବର୍ଣ୍ଣନା:
“କ୍ଷୀରସାଗର ଉଦର ଆଦରିଛି ନବମୁଦିର ଜ୍ୟୋତିସଙ୍ଗ
ଚଣ୍ଡୀ ନିଶିଧବ ଧବଳେ ମିଶିଛି ଅଧବଳ ବିଷ କୁରଙ୍ଗ ।
ହାସେ ରାମାର
ନୀଳିମାର ନାହିଁ ସଞ୍ଚାର,
ଏପରି ବିଦଗ୍ଧ କୀର୍ତ୍ତି ଯାର ଶୁଦ୍ଧ ସେହି ଏହି କଳା ବିଚାର ।”
(ତୃତୀୟ କଳା, ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର, ରାଗ – ଆହାରୀ )

କ୍ଷୀର ସାଗର ମଧ୍ୟରେ ନବମେଘ ଜ୍ୟୋତି ସମ୍ପନ୍ନ ବିଷ୍ଣୁ ଅଙ୍ଗ ଅନନ୍ତ ଶୟନରେ ଥିବାରୁ ତାହା ସମ୍ପୂର୍ଣ୍ଣ ଧବଳ ହୋଇନପାରି ଧବଳତା ଭ୍ରଷ୍ଟ ହୋଇଛି । ପାର୍ବତୀକାନ୍ତ ଶିବ ମଧ୍ୟ ରଜତଗିରିନିଭ ଧବଳ ରଙ୍ଗ ହୋଇଥିଲେ ମଧ୍ୟ ତାଙ୍କର କଣ୍ଠ ବିଷ ଦ୍ଵାରା ସୁନୀଳିମ ହେତୁ ସେ ମଧ୍ୟ ସମ୍ପୂର୍ଣ୍ଣ ଧବଳ ନୁହଁନ୍ତି। ନିଶିଧବ ଅର୍ଥାତ, ନିଶାକର ଚନ୍ଦ୍ରମା ସମ୍ପୂର୍ଣ୍ଣ ଧବଳ ହେଇ ମଧ୍ୟ କୃଷ୍ଣରଙ୍ଗର ଅଙ୍କ ଧରିଥିବାରୁ ସେ ମଧ୍ୟ ସମ୍ପୂର୍ଣ୍ଣ ଧବଳ ନୁହେଁ। ହେଲେ ରମଣୀ ଜେମା ଋକ୍ମିଣୀଙ୍କ ହାସ୍ୟରେ ସେହିପରି ନୀଳିମାର ସଂଚାର ମାତ୍ର ନାହିଁ, ଅର୍ଥାତ୍ ଋକ୍ମିଣୀଙ୍କ ହାସ୍ୟ ଏତେ ଶୁଦ୍ଧକୀର୍ତ୍ତି ଧାରଣ କରେ ଯେ ତାହା ଅମଳିନ ଓ ସେହିପରି ଅମଳିନ ହସକୁ ଧାରଣ କରି ଥିବା ବିଶୁଦ୍ଧ ମନସ୍କ ହିଁ ଛାନ୍ଦର କଳା ବିବେଚନା କରିବେ ।

ଯଦୁମଣି ମହାପାତ୍ର ଏକା ନୁହନ୍ତି, ଆଭିଜାତ ରାଜଗୁରୁ ଗୃହରେ ଅହଂକାର ଅତି ଅଧିକ ସେତେବେଳେ ଥିଲା। କିନ୍ତୁ ମନୁଷ୍ୟକୁ ମନୁଷ୍ୟ ଭାବରେ ନ ଦେଖିବାରେ ଅହଂକାର ନଥିଲା। ରାତ୍ର ଆଉ ଶତ୍ରୁମାନଙ୍କୁ ମୁହଁ ନ ଦେଖାଇ ଯତ୍-ସାମାନ୍ୟ ବିଦାକି ନେଇ ଗୃହାଭିମୁଖେ ରାଜଗୁରୁଙ୍କ ବଳଦ ଗାଡିରେ ଚଢି ମହାନଦୀ ଘାଟଯାଏଁ ଚାଲିଗଲେ। ଅବା ସେ ଦୁଇଦିନ ରହିଥାନ୍ତେ, କିନ୍ତୁ ସେହି ଗ୍ରାମରେ ତାଙ୍କ ଶତ୍ରୁଙ୍କ ଘର ଥିଲା। ବିଶେଷରେ ସମସ୍ତ ଘଟଣା ଜାଣି ପାରିଥିବାରୁ ଲାଞ୍ଛିତ ସ୍ଥାନରେ ଏ ଦୁର୍ବଳ ଶରୀର ଘେନି ମୁହୂର୍ତ୍ତେ ରହିବାକୁ ଇଚ୍ଛା କରି ନ ଥିଲେ।

ସମସ୍ତ ଗୁମାନ ଫିଙ୍ଗି ଦେଇ ସହସ୍ରାଧିକ କୋଶ ଦୂରରେ ସେ ଶତ୍ରୁମାନଙ୍କ ପାଶ ଛାଡି ଚାଲି ଆସିଲେ ପରମ ପବିତ୍ର ପୁରୁଷୋତ୍ତମ କ୍ଷେତ୍ରକୁ। ବହୁ କଷ୍ଟରେ ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ସାମାନ୍ୟ ଜ୍ୱର ହେଲା। ଶ୍ରୀ ଗୁଣ୍ଡିଚା ଦିନ ସେ ଅଗଣାର ଚଉଁରା ମୂଳେ ନିଃସହାୟ ଦୁଃଖାର୍ତ୍ତ ଭାବରେ ଦୁର୍ବଳ ଦେହକୁ ଗୋଟିଏ ବତୀ ଦିଆ ଖୁଣ୍ଟିକୁ ଆଉଜାଇ ଗାଉଥିଲେ-
“ଓଜଶୀଳ ଭୋଜରାଜ ଜୀବନ ହରଣେ ତେଜ
ଅର୍ପଣ କଲ କୃପଣ ନୋହି ।”

ଆଖରୁ ଲୁହ ବୋହି ଯାଉଥାଏ। ପୁଅ ତାଳଧ୍ୱଜ ପ୍ରସାଦ ଧରି ଘରେ ପହଞ୍ଚନ୍ତେ ସେ ପଚାରିଲେ – “ବାପା, ଠାକୁର କେଉଁଠି ?” ପୁଅ କହିଲେ- ଠାକୁରେ ରଥକୁ ବିଜେ ହେଉ ଅଛନ୍ତି। କ୍ଷୀଣ ସ୍ୱରରେ ଶୁଭିଲା- “ପାତକୀ ମୁକୁଟ ଶ୍ରେଣୀ ଶିରୋମଣି ଯଦୁମଣି ମନ ତିଳେ ନେଇ ନ ପାରିବ।”

ପଶ୍ଚିମକୁ ମୁଖ କରି ଦୁଇ ହାତ ବଢାଇଥାନ୍ତି। ହଠାତ ଅସ୍ପଷ୍ଟ ଧ୍ୱନି ଶୁଭିଲା। ସେ ଖୁଣ୍ଟି ଆଶ୍ରାରୁ ତଳେ ପଡିଗଲେ। ପୁଅ ବୋହୂ ଯାଇ ଧରିପକାଇ ଦେଖିଲେ ସେ ଆଉ ନାହାନ୍ତି । ସେଦିନ ୧୮୬୬ ମସିହା। ଆଷାଢ ଶୁକ୍ଳ ଦ୍ୱିତୀୟା, ଶ୍ରୀଗୁଣ୍ଡିଚା। ୨/୭/୧୮୬୬ ମସିହା ୧୨୭୩ ସାଲ୍ ଦିବ୍ୟସିଂହ ଦେବଙ୍କ ୮ ଅଙ୍କ ରବିବାରରେ ଏହି ମହା ମନସ୍ୱୀ ଢଳିପଡିଲେ। ସହସ୍ରାଧିକ ଲୋକ ଜମିଗଲେ । କାତର ଧ୍ୱନି ଚଉଦିଗରେ ମାଡି ଚାଲିଲା। ଅରଣ୍ୟ ତୁଳସୀ ଛଅ ଖଣ୍ଡି କାଠରେ ମୁହୂର୍ତକେ ପାଉଁଶ ମେଞ୍ଚାଟିଏରେ ପରିଣତ ହେଲେ। ଘରେ ଘରେ ଶୁଣାଗଲା-
“ପରମ ପାତକୀ ଶ୍ରେଣୀ ଶିରୋମଣି ଯଦୁମଣି
ମନ ତଳେ ନେଇ ନ ପାରିବ
ଏହି ଉଦ୍ଧାରଣେ ଯେବେ ଚିତ୍ତ ଦେଇପାର ଲବେ
ତେବେ ସିନା ଦାତା ବୋଲାଇବ
ନୀଳାଚଳ କଳାକାର
ସତ କି ଏ ମିଛ ?
ଦେଲ ଯାହା ନେଲ ତାହା ଏଥକୁ କିପାଇଁ ମହା
ଦାତାପଣେ ପତାକା ବାନ୍ଧିଛ?”

ଜାତିର ଏକ ମହାପ୍ରଦୀପ ସେ ସେହି ଶ୍ରୀଗୁଣ୍ଡିଚା ଦିବସରେ ଲିଭି ଯାଇଥିଲା- ଏବେ ମଧ୍ୟ ସେଦିନର ସ୍ମୃତି ଜାତୀୟ ଜନତା ଉପଲବ୍ଧି କରିପାରି ନାହାନ୍ତି। ସେପରି ମଧ୍ୟ ଅତୀତର ମହାନ ଜାତି ନିର୍ମାତାଙ୍କୁ ବିଦେଶୀ ବୋଲି ପ୍ରମାଣ କରିବାକୁ କୁଚକ୍ରାନ୍ତକାରୀ ଜୀବନମୂର୍ଚ୍ଛା ଲଢୁଛନ୍ତି । କିସ ପୁଣି ଦେଖା ନ ଯାଏ ! ହାୟରେ ହତଭାଗ୍ୟ ଅବିଜିତ ସାହସିକ ବୀରେନ୍ଦ୍ର କେଶରୀ ଜାତି !

ଓଡିଆ ଜାତିର ବିଶ୍ଵଜନୀନ ଭାବଧାରା ସହ ଆଜି ଏହା ଆମ୍ଭର ନିତାନ୍ତ ପାଥେୟ ହେବା ଆବଶ୍ୟକ, ପୂଜ୍ୟପୂଜାର ଧର୍ମ ଓ ମର୍ମ ଏହାର ଅନୁଷ୍ଠାନରେ ନୁହେଁ, ବରଂ ପାଥେୟ କାମ୍ଯ ମହନୀୟତାରେ ଅବହିତ ହୁଏ । ଯଦୁମଣିଙ୍କ ଅକୁତୋଭୟ ସ୍ଵଭାବ ସହ ଉତ୍କଳୀୟ ମାଟିରେ ସ୍ଵକୀୟ ପ୍ରତିଭା, ପ୍ରତ୍ୟୁତ୍ପନ୍ନମତିତା ତଥା ବାଣୀ-ନିରାଜନାରେ ଜୀବନ ଅବଗାହନର ମନ୍ତ୍ର ଫୁତ୍କାର ଆଜି ଶତପ୍ରାଣକୁ ଉଦ୍ଦୀପିତ କରୁ ― ଏହା ହିଁ କାମନା ।

(© ଅମୃତେଶ ଖଟୁଆ ; ଦିନାଙ୍କ : ୦୮/୦୧/୨୦୨୧)

Leave a Comment

Your email address will not be published. Required fields are marked *

Scroll to Top