| ଲେଖା: ହରେକୃଷ୍ଣ ସାହୁ ଏଇଠି ଠିଆ ହୋଇ ଚାହିଁଲେ ଘଞ୍ଚ ଗଛଲତାର ମଥାନ ଉପରେ ଫର ଫର ହୋଇ ଉଡ଼ୁଥିବ ନାଲିଆ ପତାକାଟିଏ। ସେଇଟି ହେଲା ଆମ ଗାଁ ଇଷ୍ଟଦେବତା ରଘୁନାଥ ମନ୍ଦିରର ନେତ। ସେହି ଗଛର ଗହଳି ଭିତରେ ଲୁଚିଛି ଆମ ଗାଁ। ମୋର ଭାରି ପ୍ରିୟ। ମୋ ଗାଁ ମୁଗପାଳ। ଓଡ଼ିଶାର ସବୁ ଗାଁ ଠିକ୍ ଏମିତି। ପୁରା ସମାନ । ସବୁ ଗାଁରେ ଥିବେ ପୁରୁଣା କଥାକୁ ଗଣ୍ଠିକରି ଧରି ରଖିଥିବା ବୁଢ଼ାବାପା ଆଉ ବୁଢ଼ୀମା’ । ଗପ କହୁଥିବା ଅଜା ଆଇ। ଚାଲିଗଲା ଶଗଡ଼ରେ ହାତ ମାରି ଦେଉଥିବା ଦୁଷ୍ଟ ପିଲା। କାକୁଡ଼ି ମଞ୍ଚା। ଆଉ କଣ୍ଟାଝଣ୍ଟା ବାଡ଼ ସେପଟେ ଥିବ ନେଉଟିଆ ସାଗ କିଆରି। ଠାକୁରଘର ଥିବ। କୀର୍ତ୍ତନ ଦଳ ଥିବ। ମୋ ଗାଁ ତମ ଗାଁ। ତାଙ୍କ ଗାଁ ଆପଣଙ୍କ ଗାଁ ସବୁ ସମାନ। ଆଖି ବୁଜି ଗନ୍ଧ ବାରିଲେ ସବୁ ସମାନ ଭାବରେ ମିଠା। ଓଡ଼ିଶା ଗୋଟେ ଗାଁ ହେଲେ ଗାଁ’ଟିମାନ ଆମ ମାଆର କୋଳ। ଆମ ଗାଁମାନଙ୍କର ଅଛି କୁନି କୁନି ଇତିହାସ। ଅଛନ୍ତି ଅନେକ ଦିଅଁ ଦେବତା। ଅଛି ଶିକ୍ଷାନୁଷ୍ଠାନ, ଅଛି ଠାକୁର ତୋଟା। ଏସବୁ ଆମ ଗାଁ ର ପୂର୍ବଜମାନଙ୍କ ହାତ ତିଆରି ପୃଥିବୀ। ଆମ ଗାଁର ମନ୍ଦିର ଆମର କୋଣାର୍କ। ବିଦ୍ୟାଳୟ ଆମର ଶିକ୍ଷା ମନ୍ଦିର। ଏସବୁ ନିର୍ମାଣ କରିଥିବା ଆମ ଗାଁ ଗୁଡ଼ିକର ଅପରିଚିତ ଲୋକେ କୋଉ ରାଜା ମହାରାଜା ଓ ନବାବ ଠାରୁ କମ୍ ମହାନ ନୁହଁନ୍ତି। ତାଙ୍କୁ ମନେ ପକାଇବା, ସମ୍ମାନ ଦେବା ଆମର କର୍ତ୍ତବ୍ୟ। କଟକରୁ ଯାଜପୁର ଜିଲ୍ଲା ସଦରମହକୁମା ପହଞ୍ଚିବାର ବାର କିଲୋମିଟର ପୂର୍ବରୁ ପଡ଼ିବ ମୁଗପାଳ ଗାଁ। ଗାଁରେ ଅଛି ଏଇ ବୁଢ଼ୀ ଜାଗୁଳାଇ ମନ୍ଦିର। ଜାଗୁଳାଇ ଓ ତାରା ହେଲେ ବୌଦ୍ଧ ଦେବୀ। ତାରା ହିନ୍ଦୁମାନଙ୍କ ଦଶ ମହାବିଦ୍ୟା ଅନ୍ତର୍ଭୁକ୍ତ ହୋଇ ସାରିଛନ୍ତି। ଜାଗୁଳାଇ ଗ୍ରାମାଞ୍ଚଳ ଶ୍ରଦ୍ଧାଳୁମାନଙ୍କ ଗ୍ରାମ ଦେବୀରେ ପରିଣତ ହୋଇ ଯାଇଛନ୍ତି।ରତ୍ନଗିରି, ଲଳିତଗିରି ଓ ଉଦୟଗିରିଠାରେ ବୌଦ୍ଧ କୀର୍ତ୍ତିମାନ ନିର୍ମାଣ ହେବା ପୂର୍ବରୁ ଏହାର ଚତୁର୍ଦ୍ଦିଗରେ ବୃତ୍ତାକାରରେ ଦେବୀମାନଙ୍କୁ ପ୍ରତିଷ୍ଠା କରା ଯାଉଥିଲା। କେନ୍ଦ୍ରସ୍ଥଳ ଠାରୁ ଏହା ବେଳେବେଳେ ଚାଳିଶ କିଲୋମିଟର ଦୂର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଅପଶକ୍ତିମାନଙ୍କୁ ପ୍ରତିରୋଧ କରିବା।ଆମ ଗାଁ ଠାରୁ ସାତ କିଲୋମିଟର ଦୂର ବରୁଆଁ ଗାଁ’ରେ ତାରାଦେବୀଙ୍କ ପୀଠ ଅଛି। ତାରା ଦେବୀଙ୍କ ପୀଠ ଗୋଟେ ପାଟରେ ଥିବାରୁ ଅପାଙ୍କ୍ତେୟ ହୋଇ ପଡ଼ି ରହିଥିଲା। ଏହା ମାତ୍ର କୋଡ଼ିଏ ବର୍ଷ ଭିତରେ ଲୋକଲୋଚନକୁ ଆସିଲା। ସୌଭାଗ୍ୟ ବସତଃ କେଇ ଶହ ବର୍ଷ ପୂର୍ବରୁ ଆମ ଗାଁଟି ବୁଢ଼ୀ ଜାଗୁଳାଇଙ୍କ ପୀଠକୁ ବେଢ଼ି ଠିଆ ହୋଇଗଲା। କାହାକୁ ଜଣା ନଥିଲା ଏ ଦେବୀ କେଉଁଠୁ ଆସିଲେ। ଆଜି ଜାଣିଲା ପରେ ବି କେହି ବିଶ୍ୱାସ କରନ୍ତି ନାହିଁ ଜାଗୁଳାଇ ବୌଦ୍ଧ ଦେବୀ ବୋଲି। ଆମ ଗାଁଲୋକେ ବୁଢ଼ୀ ଜାଗୁଳାଇଙ୍କ ଠାରେ ଦେଖନ୍ତି ମଙ୍ଗଳା, ଦୁର୍ଗା, ଲକ୍ଷ୍ମୀ, ଚଣ୍ଡୀ। ମୋଟାମୋଟି ସମସ୍ତ ଦେବୀଙ୍କୁ ସେଇଠି ପାଆନ୍ତି। କ୍ରମେ ଗାଁ ଲୋକଙ୍କ ଉଦ୍ୟମରେ ମନ୍ଦିରଟିଏ ହେଲା। ବର୍ଷର ବିଭିନ୍ନ ସମୟରେ ଉତ୍ସବମାନ ପାଳନ କରାଗଲା। ବୌଦ୍ଧତ୍ୱ ଲୋପ ପାଇ ଜାଗୁଳାଇ ହୋଇଗଲେ ସମ୍ପୂର୍ଣ୍ଣ ହିନ୍ଦୁଦେବୀ। ବୁଢ଼ୀ ଜାଗୁଳାଇ। | |
~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…