ସୌରଭିତ ସୃଷ୍ଟି: ଭକ୍ତକବି ସାଲବେଗ

ମୋ ମନ ମୋତେ ଭଗାରୀ
ନ ଭଜିଲା ରାମହରି !
ଯମ ନେବ ଧରିକରି ବୋଇଲା ରେ ! ୧।

ମୋହ ମନ, ମୋହରି ସେ ନୋହିଲା ରେ ! (ଘୋଷା)

ଆସି ହେଲା ପ୍ରାନ୍ତକାଳ
ନ ଭଜିଲୁ ନନ୍ଦଵାଳ !
ଯେତେ ଥିଲା ପୁଣ୍ୟଫଳ ସଇଲାରେ ! ୨ ।

ମୋ ମନ ମୋତେ ରସାଇ
ନାନା ଅମୃତେ ଭସାଇ
ଵିଷୟାରେ ଵିଷ ଦେଇ ମାରିଲାରେ ! ୩ ।

କହେ ସାଲଵେଗ ହୀନ 
ଏହି ମୋର ନିଵେଦନ 
ବୃନ୍ଦାବନ ଭ୍ରମଣ ମୋ ନୋହିଲା ରେ ! ୪ ।

ମୋହ ମନ, ମୋହରି ସେ ନୋହିଲା ରେ !

ଭକ୍ତକଵି ସାଲଵେଗ ଏଠାରେ ମୋହାଚ୍ଛନ୍ନ ମନକୁ ଧିକ୍କାର କରିଅଛନ୍ତି କାରଣ ସବୁଠାରୁ ଦୃତଗତିମାନ ଏହି ମନ କାହାର ଆୟତ୍ତରେ ନଥାଏ । କେଵଳ ପ୍ରକୃତ ଯୋଗୀମାନେ ହିଁ ମନକୁ ଆୟତ୍ତ କରିପାରି ତହିଁ ବଳରେ ଯୋଗ ସାଧନାରେ ତଲ୍ଲୀନ ହୋଇପାରନ୍ତି ।

ଭକ୍ତକଵି ଏଠାରେ ମନକୁ ଜୀଵର ଶତ୍ରୁ ବୋଲି କହି ଅଛନ୍ତି ଏବଂ ଆପଣାର ଉପମା ଛଳରେ ପ୍ରାପ୍ତଵୟସ୍କମାନଙ୍କୁ ସାଵଧାନ କରିଣ କହୁଅଛନ୍ତି ଯେ, “ହେ କୁଳବୃଦ୍ଧମାନେ ତୁମ୍ଭେମାନେ ଆସି ପ୍ରାନ୍ତକାଳରେ ପାଦ ଦେଲଣି, ତଥାପି ତୁମ୍ଭମାନଙ୍କର ଵିଷୟାସକ୍ତି କମୁନାହିଁ ।” ନାମଭଜନ ପାଇଁ ଯେ ଏ ଵିଷୟ ଵାସନା କେତେ ଵିଷତୁଲ୍ୟ ତାହା ଏହି ଗୀତରେ ଭକ୍ତକଵି ସ୍ପଷ୍ଟ ଭାବରେ ଵର୍ଣ୍ଣନା କରିଅଛନ୍ତି । ବୃନ୍ଦାବନଭ୍ରମଣ ଵିଷୟକ ଵାକ୍ୟରେ ଭକ୍ତକଵି କହିଛନ୍ତି,
“କହେ ସାଲଵେଗ ହୀନ ଏହି ମୋର ନିଵେଦନ 
ବୃନ୍ଦାବନ ଭ୍ରମଣ ମୋ ନୋହିଲା ରେ !”

ଏଠାରେ ଅନୁଭୁତ ହେଉଛି ପ୍ରଥମତଃ ସେ ଭଜନପ୍ରେମୀ ଓ ନାମସଂକୀର୍ତ୍ତକଙ୍କୁ ଅନ୍ତତଃ ଥରୁଟିଏ ବୃନ୍ଦାବନଧାମ ଯାତ୍ରା କରିବାକୁ କହୁଅଛନ୍ତି, ପୁନଶ୍ଚ ସ୍ଵୟଂର ବୃନ୍ଦାବନ ଯାତ୍ରା ଆଶା ଅଦ୍ୟାବଧି ପୂର୍ଣ୍ଣ ହୋଇନଥିବା ଵର୍ଣ୍ଣନା କରୁଛନ୍ତି । ସାଲଵେଗଙ୍କର ଏହି ବୃନ୍ଦାବନ ଯାତ୍ରା ସମ୍ପର୍କିତ ଆହୁରି କେତୋଟି ଭଜନ ମଧ୍ଯ ଅଛି ତନ୍ମଧ୍ୟରୁ “ଜୀଵନରେ ଥିବି ଯେବେ ଯିବି ବୃନ୍ଦାବନ” ଓ  “ବୃନ୍ଦାବନେ ବଂଶୀ କେ ବଜାଇଲା” ଖୁବ୍ ଲୋକପ୍ରିୟ ହୋଇଅଛି।

ଉପସ୍ଥାପନା: ଶିଶିର ସାହୁ ମନୋଜ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago