ମୁକ୍ତ୍ଯାର ରାମଚନ୍ଦ୍ର ଦାସ

ଲେଖା: ଅମୃତେଶ ଖଟୁଆ
ଓଡ଼ିଆ ମାଟିରେ ଯେଉଁ ମହାପୁରୁଷଙ୍କ ଆବିର୍ଭାବ ଘଟିଛି, ସେମାନଙ୍କ କୀର୍ତ୍ତିପୂତ ଜୀବନୀ ଆମ ପାଇଁ ସଦା ପାଥେୟ। ତେବେ ସେହିମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଉତ୍କଳମଣି ଗୋପବନ୍ଧୁଙ୍କ ଅନ୍ୟତମ ଆଦର୍ଶ ତଥା ଦିଗଦ୍ରଷ୍ଟା ମୁକ୍ତ୍ଯାର ରାମଚନ୍ଦ୍ର ଦାସ।
“ଈପ୍ସିତଂ ତଦବଜ୍ଞାନାଦ୍ଵିଦ୍ଧି ସାର୍ଗଳମାତ୍ମନଃ।
ପ୍ରତିବଦ୍ଧ୍ନାତି ହି ଶ୍ରେୟଃ ପୂଜ୍ୟପୂଜାବ୍ୟତିକ୍ରମଃ।।”
(ରଘୁବଂଶମ୍, ପ୍ରଥମ ସର୍ଗ, ୭୯ତମ ଶ୍ଳୋକ)
“ଉପଯୁକ୍ତ ବିଧିରେ ପୂଜ୍ୟଙ୍କ ଆଦର୍ଶର ଉପାସନା ନ ହୋଇ ଯଦି ତାହା ବ୍ୟତିକ୍ରମ ହୁଏ, ତେବେ ସମସ୍ତ ଶ୍ରେୟର ପଥ ଅବରୁଦ୍ଧ ହୁଅନ୍ତି।” ମୁକ୍ତ୍ଯାର ରାମଚନ୍ଦ୍ର ଦାସଙ୍କ ଦେହାବସାନରେ ମ୍ରିୟମାଣ ଓଡିଆମାନଙ୍କ ମଧ୍ୟରୁ ଲେଖନ୍ତି ବାଣୀଭୂଷଣ ମୃତ୍ୟୁଞ୍ଜୟ ରଥ
“ବିବିଧ ସଦ୍ଗୁଣ ନିଧି ଉତ୍କଳ ଭବନେ
ଅଭିରାମ ରାମଚନ୍ଦ୍ର ଗଲ କିହେ ସତେ,
ତେଜି ଏ ଭଙ୍ଗୁର ଧାମ ଶାଶ୍ଵତ ଭୁବନେ
ଛିଣ୍ଡାଇ ଭବର ମାୟା ବନ୍ଧନ ତୁରିତେ?
ଦରିଦ୍ର-ଉତ୍କଳ-ଦ୍ଵିଜ-କୁଳ-ଆଶାଲତା
ଗଲା ଛିଡି ଉଡି ଆଜି ତୁମ୍ଭର ପ୍ରୟାଣେ,
ମଉଳିବ ଏବେ ଆହା ! ଆଶ୍ରୟ-ରହିତା
ବଢାଇବ କିଏ ଆଉ ସ୍ନେହ ଦୟା ଦାନେ।
ହେ ଦେବ ନ ଯାଉ ମିଶି ପ୍ରେତ ବର୍ଗ ସହ
ତୁମ୍ଭର ସେ ସୌମ୍ୟମୂର୍ତ୍ତି ଅକାଳ ମରଣେ,
ସୂକ୍ଷ୍ମ ଶରୀରକୁ ତବ ବହି ପରିବହ
ଭେଟାଉ ବନ୍ଧୁଙ୍କ ପାଶେ ଯେସନ ସ୍ଵପନେ।
ଶୂନ୍ୟମୟ ଆତ୍ମା ତବ ପଶି ପ୍ରତି ପାଶେ,
ଊର୍ଦ୍ଧ୍ଵାୟନ ଉପଦେଶ ଦେଉ ସୁଗୋପନେ।”
ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ଭିଙ୍ଗାରପୁର ଗ୍ରାମ। ସେହି ଗ୍ରାମର ଦାସ ସାହିରେ ତାଙ୍କର ଜନ୍ମ। ୧୮୬୭ ମସିହା ସେପ୍ଟେମ୍ବର ମାସରେ। ତାଙ୍କ ପିତା ହେଉଛନ୍ତି ବାମନଚନ୍ଦ୍ର ଦାସ ଓ ମାତା ଅନ୍ନପୂର୍ଣ୍ଣା ଦେବୀ। ପିତା ଯାଇଥାଆନ୍ତି ଅଯୋଧ୍ୟା ତୀର୍ଥାଟନେ, ଅତଏବ, ପୁତ୍ରଙ୍କ ଶ୍ରଦ୍ଧେୟ ନାମ ରାମଚନ୍ଦ୍ର ।
ତାଙ୍କର ଅନ୍ୟତମ ସତୀର୍ଥ ଥିଲେ ବାସୁଦେବ ରଥ କାବ୍ୟତୀର୍ଥ, ଯାହାଙ୍କ ଜନ୍ମସ୍ଥାନ ମଧ୍ୟ ସେହି ଭିଙ୍ଗାରପୁର। ପଣ୍ଡିତ ନୀଳକଣ୍ଠ, ଆଚାର୍ଯ୍ୟ ହରିହର, ପଣ୍ଡିତ ଗୋଦାବରୀଶ, ଐତିହାସିକ କୃପାସିନ୍ଧୁ, ଜଗନ୍ନାଥ ମହାପାତ୍ର, ଅନନ୍ତ ମିଶ୍ର ଆଦିଙ୍କ ସେ ପରିଚିତ ଥିଲେ ହେଲେ ହେଁ ମୁକ୍ତ୍ଯାର ରାମଚନ୍ଦ୍ର ଦାସ ତାଙ୍କର ମନ୍ତ୍ରଦ୍ରଷ୍ଟା ଥିଲେ।
୧୮୭୮ ମସିହାରେ ଗ୍ରାମରେ ପ୍ରାଥମିକ ଶିକ୍ଷା ସମାପନ ପରେ ୧୮୮୨ ମସିହାରେ ଭର୍ଣ୍ଣାକୁଲାର ଓ ୧୮୮୬ ମସିହାରେ କଟକରୁ ସେ ନର୍ମାଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ସେତେବେଳେ, ୧୮୮୮ ମସିହାରେ ମୁକ୍ତ୍ଯାରି ପରୀକ୍ଷା ତିନିଜଣ ହିଁ ଉତ୍ତୀର୍ଣ୍ଣ ହୋଇଥାଆନ୍ତି। ବାସୁଦେବ ରଥ କାବ୍ୟତୀର୍ଥ ରାମଚନ୍ଦ୍ରଙ୍କ ବଡ଼ ପ୍ରଗାଢ ଏବଂ ଅନ୍ତରଙ୍ଗ ଥିଲେ।
ଆଉ, ଗୋପବନ୍ଧୁ ଏବଂ ରାମଚନ୍ଦ୍ରଙ୍କ ମଧ୍ୟରେ ଯେଉଁ ଗୁରୁ-ଶିଷ୍ୟ ସମ୍ପର୍କ ପ୍ରତିଷ୍ଠା ନିମନ୍ତେ ବାସୁଦେବ ରଥ ମହୋଦୟ ଥିଲେ ନିର୍ଣ୍ଣାୟକ। କାରଣ, ସେତେବେଳେ ସେ ପୁରୀ ସଂସ୍କୃତ ଟୋଲରେ ଅଧ୍ୟୟନ କରୁଥିଲେ ଓ ଦେଶପ୍ରେମୀ ମୁକ୍ତ୍ୟାର ରାମଚନ୍ଦ୍ର ଦାସଙ୍କ ଦଇତାପଡାସ୍ଥ ବାସଭବନରେ ରହୁଥିଲେ। ଆଉ ସେତେବେଳେ, ଗୋପବନ୍ଧୁଙ୍କ ପିତା ଦୈତାରି ଦାସ ମଧ୍ୟ ଜଣେ ମୁକ୍ତ୍ୟାର ଥିଲେ ଏବଂ ରାମଚନ୍ଦ୍ରଙ୍କ ବନ୍ଧୁ ମଧ୍ୟ ଥିଲେ। ସୁତରାଂ, ଉଚ୍ଚଶିକ୍ଷା-ଅଭିଳାଷୀ ଗୋପବନ୍ଧୁଙ୍କୁ ରାମଚନ୍ଦ୍ରଙ୍କ ନିକଟରେ ଛାଡିଥିଲେ ତାଙ୍କ ପିତା। ଆଉ, ସେ ରହିଲେ ବ୍ରାହ୍ମଣ ସମିତି ଛାତ୍ରାବାସରେ।
୧୮୯୫ ମସିହାରେ ବାସୁଦେବ ରଥଙ୍କ ସହିତ ଗୋପବନ୍ଧୁଙ୍କର ମୁକ୍ତ୍ୟାରଙ୍କ ଘରେ ପ୍ରଥମେ ସାକ୍ଷାତ୍ ହେଲା। ଗୋପବନ୍ଧୁ ଏନଟ୍ରାନ୍ସ ଚତୁର୍ଥ ଶ୍ରେଣୀର ଛାତ୍ର। ପୂର୍ବରୁ, ପ୍ରତ୍ୟହ ରାମଚନ୍ଦ୍ରଙ୍କ ଘରକୁ ଆସିବା ସହ କେତେକ ଛାତ୍ରଙ୍କ ସହିତ ସେଠାରେ ବହୁ ବିଷୟରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ଆଲୋଚନା ହେଉଥିଲା।
ତାରୁଣ୍ୟ-ପ୍ରଗଲ୍ଭ ରାମଚନ୍ଦ୍ର ଦାସ ଥିଲେ ଗଭୀର ଚିନ୍ତାଶୀଳ । ଜଣେ ଦେଶପ୍ରେମୀ ବ୍ୟକ୍ତିତ୍ଵ ଭାବେ ସେ ପୁରୀ ଜିଲ୍ଲାସ୍କୁଲରେ ନିଜର ଛାତ୍ରମାନଙ୍କୁ ନେଇ ଦେଶକାର୍ଯ୍ଯରେ ଅନୁପ୍ରେରଣା ଦେଉଥିଲେ। ପ୍ରତ୍ୟହ ସନ୍ଧ୍ୟା ବେଳେ ଖବରକାଗଜ ପଢିବା, ପଢେଇବା, ଆଲୋଚନା – ପର୍ଯ୍ୟାଲୋଚନା ହୁଏ।
ସେତେବେଳେ, ମୁକ୍ତ୍ଯାର ରାମଚନ୍ଦ୍ର ଦାସ ‘ବଙ୍ଗବାସୀ’, ‘ବସୁମତୀ’ ଓ ‘ସଞ୍ଜୀବନୀ’ ନାମକ ତିନୋଟି ବଙ୍ଗଳା ପତ୍ରିକା ଏବଂ ‘ଉତ୍କଳ ଦୀପିକା’ ‘ବାଲେଶ୍ଵର ସମ୍ବାଦବାହିକା’ ମଗାଉଥା’ନ୍ତି। ଦିନେ ରାମଚନ୍ଦ୍ର ଗୋପବନ୍ଧୁ ଏବଂ ବାସୁଦେବ ରଥଙ୍କୁ ଏକତ୍ର କରି ମୁଣ୍ଡରେ ହାତ ରଖି କହନ୍ତି – “ମୁଁ ତୁମ ଦୁହିଁଙ୍କୁ ମିଶାଇଦେଇ ପ୍ରାଚ୍ୟ ଓ ପାଶ୍ଚାତ୍ୟର ସମ୍ମିଳନ କରାଇଲି।”
ଗୋପବନ୍ଧୁଙ୍କୁ ହଇଜା ରୋଗ ସେବା, ନିରକ୍ଷର ପିଲାଙ୍କୁ ପାଠ ପଢାଇବା ଏବଂ ରାସ୍ତା ପାର୍ଶ୍ଵରେ ଝାଉଁ ଗଛ ରୋପଣରେ ନିୟୋଜିତ କରନ୍ତି। କ୍ରମେ ସେ ଇଂରାଜୀରେ ଭାଷା ଦେବାକୁ ଶିଖେଇଲେ। ୧୮୯୬ ମସିହାରେ କୁକ୍ ସାହେବ ପୁରୀର କଲେକ୍ଟର ହୋଇ ଆସିଲେ। ସେ ମଧ୍ୟ ସଂସ୍କୃତ ଟୋଲର ସୁପରିଣ୍ଟେଣ୍ଡେଡ୍। ତାଙ୍କୁ ନିମନ୍ତ୍ରଣ କରିଥିଲେ ମୁକ୍ତ୍ଯାର ରାମଚନ୍ଦ୍ର ଦାସ। ଆଉ ତଦନୁରୂପ, ବାସୁଦେବ ରଥ ତଥା ଗୋପବନ୍ଧୁଙ୍କୁ ବକ୍ତୃତାର ଭାର ନ୍ୟସ୍ତ କରିଲେ। ରାମଚନ୍ଦ୍ର ଦାସଙ୍କ ଇଙ୍ଗିତରେ ବାସୁଦେବ ରଥ ସଂସ୍କୃତରେ ଏବଂ ଗୋପବନ୍ଧୁ ଇଂରାଜୀରେ ବକ୍ତୃତା ଦେଇ ସମ୍ବର୍ଦ୍ଧନା ଦିଅନ୍ତି।
୧୮୯୯ ମସିହାରେ କଲିକତା ବିଶ୍ଵବିଦ୍ୟାଳୟ ଅଧୀନରେ ଏନଟ୍ରାନ୍ସ ପାଶ କଲେ ଗୋପବନ୍ଧୁ। ତାଙ୍କୁ ଡାକି ରାମଚନ୍ଦ୍ର କହିଲେ, “ଆଜି ମୋ ମନକାମନା ପୂର୍ଣ୍ଣ ହେଲା। ୧୮୮୭ରୁ ମୁଁ ମୁକ୍ତ୍ୟାରୀ କରୁଛି। ମୋ ଅର୍ଜିତ ଧନରେ ମୁଁ ଅଠରଗୁଣ୍ଠ ଜମି କିଣି ପକାଇ ରଖିଛି। ପ୍ରଥମେ ଭାବିଥିଲି ଘର କରି ରହିବି; କିନ୍ତୁ, ପରେ ଠିକ୍ କଲି ଏ ପବିତ୍ର ପୀଠରେ ସ୍ତ୍ରୀଙ୍କୁ ଧରି ରହିବା ସଙ୍ଗତ ନୁହେଁ। ଦେଶର ଅଭାବଗ୍ରସ୍ତ ଦରିଦ୍ର ପିଲାମାନେ ଯେପରି ସୁବିଧାରେ ରହି ବିଦ୍ୟାଶିକ୍ଷା କରିବେ, ସେଥିପାଇଁ ଏଠାରେ ଗୋଟିଏ ଛାତ୍ରାବାସ କରିବି…। ଆଉ ଏହି ଛାତ୍ରାବାସ ହୋଇଥିଲା ୧୮୯୯ ମସିହାର ସେହି ପ୍ରତିଷ୍ଠିତ ‘ବ୍ରାହ୍ମଣ ସମିତି’ ! ଆଉ ଏହାର ସାଙ୍ଗଠନିକ କାର୍ଯ୍ୟ ତ୍ଵରାନ୍ଵିତ କରିଥିଲେ କାବ୍ୟକଣ୍ଠ ସଦାଶିବ ମିଶ୍ର !
ଏହି ସମିତିର ଉଦ୍ଦେଶ୍ୟ ବଖାଣିବାକୁ ଯାଇ ଗୋପବନ୍ଧୁ ନିଜ ‘ଅବକାଶ ଚିନ୍ତା’ କାବ୍ଯରେ ଲେଖିଛନ୍ତି –
“ଭାରତ ଜାତୀୟ ଜୀବନ ତରଣୀ
ପାଏ ନାହିଁ ଏବେ ସହଜ ସରଣୀ।
ଜାତୀୟତା-ପୋତେ ଜୀବନ-ବୋଇତ
ଯୋଡିବା ତ ପ୍ରତି ଜନର ବିହିତ।
× × ×
ଦେଖାଅ ଜୀବନେ ଅଦ୍ଭୂତ ଶକତି,
କର୍ମେ ଅନାସକ୍ତି, ଧର୍ମେ ଦିବ୍ୟ ରତି।
ସତ୍ୟ, ଶମ, ଦମ, ଶଉଚ ତିତିକ୍ଷା
ଏ ଆଦି ସକଳ ତୁମ୍ଭ କୁଳ ଦୀକ୍ଷା।
ଆଚରଣ ତାହା ଜୀବନେ ନିରତେ
ବ୍ରହ୍ମତ୍ଵର ତେଜ ପ୍ରକାଶ ଜଗତେ।
ଲୋକ-ହିତେ ପ୍ରାଣ-ପ୍ରଦାନ-ପ୍ରବଣ
ଦଧୀଚି ଶୋଣିତ କରିଛ ଧାରଣ।
× × ×
ପରଶୁ ପ୍ରଭାବେ ଦେବ ନିରଞ୍ଜନ,
କରିଣ ଦୁରନ୍ତ ନୃପତି ନିଧନ।
ବିଶ୍ଵହିତେ କଲେ ଶୋଣିତ ତର୍ପଣ,
ସେ କଥା କି ଆଜି ନ ହୁଏ ସ୍ମରଣ ?
ନିଜ ସୁଖ ଲାଗି ଜାତ ନୁହେଁ ହିନ୍ଦୁ,
ବିଶ୍ଵ ହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ।
ଦେଖାଅ ଏ ସତ୍ୟ ଆପଣା ପରାଣେ,
ଦିଅ ଏହି ମନ୍ତ୍ର ସର୍ବ ବର୍ଣ୍ଣ କାନେ।”
୧୯୦୦ ମସିହାରେ ଯେତେବେଳେ ରାମଚନ୍ଦ୍ରଙ୍କ ପ୍ରଥମ ପୁତ୍ର ସନ୍ତାନ ଭୂମିଷ୍ଠ ହୁଏ, ଏହାର ମାତ୍ର, ଏକବର୍ଷ ଅତିକ୍ରାନ୍ତ କରିନଥାଏ, ନିରପରାଧ ପ୍ରାଣର ଅବସାନ ଘଟିଲା ! ଏହି ସମ୍ବାଦ ପାଇ କଟକରେ ଅଧ୍ୟୟନରତ ଗୋପବନ୍ଧୁ ସିଧାସଳଖ ଧାଇଁ ଆସି ଉପଗତ ହେଲା ବେଳକୁ ମୁକ୍ତ୍ୟାର ରାମଚନ୍ଦ୍ର ଦାସ ଆଣ୍ଠୁ ମାଡି ବସି ପ୍ରାର୍ଥନା କରି ଠାକୁରଙ୍କୁ ଜଣାଉଥା’ନ୍ତି: “ଠାକୁରେ ! ମୋତେ ଆଉ ପିଲା ଦିଅନାହିଁ। ପିଲା ହେଲେ ଏ ସଂସାରରେ ମୁଁ ଜଡିତ ହୋଇ ପଡିବି।”
ଏକ ସନ୍ଧ୍ୟାର କଥା। ଗୋପବନ୍ଧୁ ଦାସ, ବାସୁଦେବ ରଥ କାବ୍ୟତୀର୍ଥ ଆଉ ଅନ୍ୟ ତିନିଜଣ ସହପାଠୀ ରାମଚନ୍ଦ୍ର ଦାସଙ୍କ ନିକଟରେ ବସିଥାଆନ୍ତି। ରାମଚନ୍ଦ୍ର କହିଲେ – “ତୁମେ ପାଞ୍ଚ ଜଣ ଅଛ। ତୁମେ ଶପଥ ନିଅ ପ୍ରତ୍ୟେକେ ଅନ୍ତତଃ ୫ ଜଣଙ୍କୁ ଶିକ୍ଷିତ କରାଇବାରେ ସାହାଯ୍ୟ କରିବ। ତୁମ ଶିଷ୍ୟମାନେ ଏପରି ଶିକ୍ଷା ପାଇବେ ଯେ ତୁମ ଆଦର୍ଶରେ ସେମାନେ ପ୍ରତ୍ୟେକେ ପାଞ୍ଚ ଜଣଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରିବ। ତା’ ହେଲେ ୫ ବର୍ଷ ମଧ୍ୟରେ ଆମ ଓଡିଶାରେ ଶିକ୍ଷିତଙ୍କ ସଂଖ୍ୟା ବହୁତ ବଢିଯିବ।” ରାମଚନ୍ଦ୍ରଙ୍କ ଏହି ଦମ୍ଭଭରା ବାଣୀ ଆଜି ମଧ୍ୟ ପ୍ରତିଟି ପ୍ରାଣବନ୍ତ ଓଡିଆଙ୍କ ତନୁମନରେ ଗୁଞ୍ଜରି ଉଠୁଥାଏ !
୧୯୦୪ ମସିହାରେ ଗୋପବନ୍ଧୁ ବି.ଏ. ଉତ୍ତୀର୍ଣ୍ଣ ହୁଅନ୍ତି। ସେତେବେଳେ ଓଡିଶାରୁ ମାତ୍ର, ୧୭ ଜଣ ବି.ଏ. ଡିଗ୍ରୀଧାରୀ ଓଡିଆ ଥା’ନ୍ତି। ଗୋପବନ୍ଧୁଙ୍କ ସହ ବୈଦ୍ୟନାଥ ମିଶ୍ର, ଗୋପୀନାଥ ଦାସ, ବ୍ରଜସୁନ୍ଦର ଦାସ ବି.ଏ. ଉତ୍ତୀର୍ଣ୍ଣ ହୋଇଥା’ନ୍ତି। ଯେତେବେଳେ ମୁକ୍ତ୍ଯାର ରାମଚନ୍ଦ୍ର ଦାସ ପୃଚ୍ଛା କରିଲେ ଯେ ତୁମେମାନେ କଣ କରିବ, ତହିଁ ଉତ୍ତାରୁ ଗୋପବନ୍ଧୁ ଅଶ୍ରୁ ବିଗଳିତ ହୋଇପଡନ୍ତି ! ଖାଲି ଝରଝର ଅନୁକ୍ଷଣ ଅଶ୍ରୁସଜଳା ନୟନ। ଏହା ପରେ ରାମଚନ୍ଦ୍ର କହିଲେ – “ତୁମେ ହିଁ ଠିକ୍ ବାଟ ଧରିଛ, ଓକିଲାତି ପଢ଼। ତା’ ପରେ ଦେଶ ସେବାରେ ନିଜକୁ ନିୟୋଜିତ କର।”
ମୁକ୍ତ୍ଯାର ରାମଚନ୍ଦ୍ର ଦାସ ଜଣେ ଦକ୍ଷ ବାଗ୍ମୀ ଥିଲେ। ପଣ୍ଡିତ ନୀଳକଣ୍ଠ କହନ୍ତି ସେ ସବୁ ଇଂରାଜୀରେ କହିପାରୁନଥିଲେ ମଧ୍ଯ, ଇଂରାଜୀରେ ବକ୍ତୃତା ଦେଲେ ମୋଟାମୋଟି ବୁଝିଯାଉଥିଲେ। ସବୁବେଳେ କହନ୍ତି, “ମୋର ଇଂରାଜୀ ପଢ଼ା ଫାଷ୍ଟବୁକ୍ ଘୋଡ଼ାଲେସନ ଯାଏ। ସେଥିରେ ଇଂରାଜୀ କେତେ ବୁଝିବି ?” ଏହି First Book of Reading ଜନୈକ ପ୍ୟାରୀଚରଣ ସରକାରଙ୍କ ରଚିତ ଏକ ପାଠ୍ୟପୁସ୍ତକ ଥିଲା, ଯାହାର ପାଞ୍ଚ-ଛଅଟି ପାଠ ପରେ ଗୋଟିଏ ଘୋଡା ଚିତ୍ର ଥାଇ ଇଂରାଜୀ ଶବ୍ଦର ବନାନ ଶିଖାଇବା ପାଇଁ ଗୋଟିଏ ପାଠ ଥିଲା, ଯାହା ବୁଝିଗଲେ, ଇଂରାଜୀ ବର୍ଣ୍ଣମାଳା ଓ ଉଚ୍ଚାରଣ ମୋଟାମୋଟି ବୁଝା ପଡିଯାଉଥିଲା।
ସେ ନିଜର ଖାଇବା ପିଇବା ସବୁ ଭୁଲିଯାଉଥିଲେ। ମୁକ୍ତାର ହୋଇ ସେତେବେଳେ ତାଙ୍କର ଆୟ ସୁବ୍ୟବସ୍ଥିତ। କିନ୍ତୁ, ବୟସ ମାତ୍ର, ସଇଁତିରିଶ। ଦୁଇ ପୁଅ ସେତେବେଳକୁ ଓ ପତ୍ନୀଙ୍କୁ ଘେନି କୁଟୁମ୍ଵ ପୋଷା। ଭୃତ୍ୟଗଣ ନଥାନ୍ତି, ସବୁ ରୋଜଗାର ନିଜ ‘ବ୍ରାହ୍ମଣ ସମିତି’ର ଛାତ୍ରମାନଙ୍କ ପାଇଁ ପ୍ରତ୍ୟହ ଉତ୍ସର୍ଗୀକୃତ। ଥରେ ରାତି ପ୍ରାୟ ୧୦ଟା ବେଳ। ପଣ୍ଡିତ ନୀଳକଣ୍ଠଙ୍କୁ ସାଥି କରି ଭୋଜନରେ ବଗଡା ଭାତ ଓ ଲାଉସିଝା ମେଞ୍ଚେ ପରଷି ଦିଅନ୍ତି। ହଠାତ୍, ସେମାନେ କେହି ବେଶୀ ନ ଖାଇ ବସିରହିଲେ। କହିଲେ, “ହଉ ପାଣି ପିଇ ଦିଅ, କାଲି ସକାଳୁ ଫେର ଖାଇବା ନାଇଁ କି?”
ସମାଜସେବା କାର୍ଯ୍ୟରେ ସହ ସ୍ଵାଧୀନତା ଆନ୍ଦୋଳନରେ ବେଶ୍ ସକ୍ରିୟ ଥିଲେ ମୁକ୍ତ୍ଯାର ରାମଚନ୍ଦ୍ର ଦାସ। ଛଦ୍ମବେଶୀ ବିପ୍ଳବୀମାନଙ୍କୁ ସାହାଯ୍ୟ କରିବା ସହିତ ଖାଦ୍ୟପେୟର ସମସ୍ତ ସାଜସରଞ୍ଜାମ କରି ରଖୁଥିଲେ। ଏଥି ସହ ଓଡ଼ିଆ ଛାତ୍ରମାନେ କିପରି ଭଲ ପାଠ ପଢି ଭଲ ମଣିଷ ହେବେ, ସେଥିରେ ତାଙ୍କର ବରାବର ମନ। ନିଜ ପ୍ରିୟ ଛାତ୍ରମାନଙ୍କୁ ଦେଖିଲା କ୍ଷଣି ବସି ଢେର୍ ଆଳାପ ସଂଳାପ କରିଚାଲୁଥିବେ। ନୂଆ ବହି ବାହାରିଲେ ସାଦରେ ଆଣି ପଢନ୍ତି। ପୁରୀରେ ୧୯୦୨ ମସିହାରେ “ଜଗନ୍ନାଥ ପ୍ରେସ୍” ସ୍ଥାପନା କରିବା ସହ ମାଗଣାରେ ଅନେକ ପୁସ୍ତକ ଛପେଇ ଥିଲେ। ଆଉ ତହିଁରୁ ଅନୁପ୍ରେରିତ ହୋଇ ଗୋପବନ୍ଧୁ ୧୯୧୫ ମସିହାରେ ‘ସତ୍ୟବାଦୀ’ ସାହିତ୍ୟ ପତ୍ରିକା ସହ ୧୯୧୯ ମସିହା ଅକ୍ଟୋବର ମାସକୁ ‘ସମାଜ’ର ପ୍ରକାଶନ ଆରମ୍ଭ କରନ୍ତି।
ଥରକର କଥା। ନୂଆ କରି ଭକ୍ତକବି ମଧୁସୂଦନ ରାଓଙ୍କ ପ୍ରଥମ ସନେଟ୍ କବିତାଗ୍ରନ୍ଥ ‘ବସନ୍ତଗାଥା’ ଆତ୍ମପ୍ରକାଶ କରିଥାଏ। ପୁରୀର ପ୍ରସିଦ୍ଧ ଓକିଲ ପଦ୍ମଚରଣ ପଟ୍ଟନାୟକ ନୂଆ ବହି ପଢିବାରେ ବେଶ୍ ଆଗ୍ରହୀ ଥିଲେ। ତାଙ୍କୁ ଓ ପଣ୍ଡିତ ନୀଳକଣ୍ଠଙ୍କୁ କେତେକ ଛାତ୍ରଙ୍କ ସହ ମୁକ୍ତ୍ୟାର ରାମଚନ୍ଦ୍ର ଡକେଇ ପଠେଇଲେ। ‘ବସନ୍ତଗାଥା’ କବିତାର ଆଲୋଚନା ପାଇଁ ଡାକିଥାଆନ୍ତି, ଆଉ ସେତେବେଳେ ପୂରା ମୁଖସ୍ଥ କରିଦିଅନ୍ତି ତାକୁ ପଦ୍ମଚରଣ ପଟ୍ଟନାୟକ। ସେତେବେଳେ ବେରବୋଇର ଗୋବିନ୍ଦ ଦାସ ଜଣେ ଏନଟ୍ରାନ୍ସ ଉତ୍ତୀର୍ଣ୍ଣ କରି ପୋଲିସ ଚାକିରି ପାଇଁ ଆବେଦନ କରିବାରୁ ମୁକ୍ତ୍ୟାର ରାମଚନ୍ଦ୍ରଙ୍କୁ ତାହା ବହୁତ ବାଧିଲା। କାରଣ, ସମସ୍ତ ଅର୍ଥ ଖର୍ଚ୍ଚ କରି ରାମଚନ୍ଦ୍ର ଦାସ ତାଙ୍କୁ ବହୁତ ସାଦରେ ପଢାଇଥିଲେ।
‘ବସନ୍ତଗାଥା’ କବିତାସ୍ତବକର ଆଲୋଚନା ସମୟରେ ଗୋବିନ୍ଦ ଢୁଳାଇ ପଡନ୍ତି। ରାମଚନ୍ଦ୍ର ବିରକ୍ତ ନ ହୋଇ ଅଥବା ଦୁଃଖ ପ୍ରକାଶ ନ କରି ନିଜ ଭାବରେ ଅଦ୍ଭୂତ ପ୍ରକାରରେ ଶ୍ରୋତାଙ୍କୁ ପ୍ରଭାବିତ କରୁଥିଲେ। ଅନ୍ୟମାନଙ୍କ ଭୁଲ୍ ଯୁକ୍ତିକୁ ସେ ସିଧା ଅଗ୍ରାହ୍ଯ କରି ଏପରି ଅକାଟ୍ୟ କଥା ସବୁ କହୁଥିଲେ, ଯେ ଅନ୍ୟମାନେ ଭୁଲ୍ ସ୍ଵୀକାର କରିପକଉଥିଲେ। ତାଙ୍କର ଅମାପ ଧୈର୍ଯ୍ୟଶକ୍ତି ଓ ସୂକ୍ଷ୍ମ ମନନଧର୍ମିତା ଏତେ ନିଖୁଣ ଥିଲା ଯେ ତାଙ୍କ କଥା ପ୍ରତି କେହି ଦୁରାଗ୍ରହ ହୁଅନ୍ତି ନାହିଁ।
ଗୋପବନ୍ଧୁ ବି.ଏ. ପରୀକ୍ଷା ଦେଇ ପୁରୀକୁ ଆସିବା ସଙ୍ଗେ ସଙ୍ଗେ “ବିଶ୍ଵବିଦ୍ୟାଳୟ” ନାମରେ ଗୋଟିଏ ସାହିତ୍ୟାଲୋଚନା ଚକ୍ର ଖୋଲିଲେ। ସେଥିରେ ମୁକ୍ତ୍ଯାର ରାମଚନ୍ଦ୍ର ଦାସ ନିୟମିତ ଉପସ୍ଥିତ ରହୁଥିଲେ। ସେ ରଘୁନାଥ ରାଓ, ଦିବାକର ଦାସ ଏବଂ ଚୋଡ଼ଙ୍ଗ ବକ୍ସି ପରିବାରର ଲୋକନାଥ ବିଦ୍ଯାଧର ବିଭିନ୍ନ ବିଷୟରେ ପ୍ରବନ୍ଧ, କବିତାମାନ ଲେଖି ପାଠ କରୁଥିଲେ। ଗୋପବନ୍ଧୁଙ୍କ ପ୍ରବନ୍ଧ ଓ କବିତା ବେଶ୍ ଆଦୃତ ଥିଲା। ଗୋପବନ୍ଧୁଙ୍କ ସେବାପରାୟଣ ମନୋଭାବର ମୁଖ୍ୟ ବିଭୂତି ଥିଲେ ରାମଚନ୍ଦ୍ର, ସେଥିପାଇଁ ତ ନିଜ ପୁତ୍ରର ଜ୍ଵର ସମୟରେ ବି ବନ୍ଯାଗ୍ରସ୍ତ “ଶତସନ୍ତାନ”ଙ୍କ ରକ୍ଷା ପାଇଁ ଚାଲିଗଲେ –
“ବିଶ୍ଵ ଦରଦୀ ପାଷାଣ କଠୋର ଧୈର୍ଯ୍ୟ-ସାଧନ-ଭରେ
ମରମ ତଳର ଉଦଗତ ଲୁହ ଚାପି ନେଇ ମରମରେ
କରୁଣ ଅଧରେ ସ୍ମିତ ବିକଶାଇ ଭାଷିଲେ ନବୀନ ଭାବ
“ଲୁହ ପୋଛି ଏବେ ଦେଖିନିଅ ସଖୀ ! ଅଭିନବ ଏଇ ଲାଭ
ଗୋଟିଏ ପୁତ୍ର ଦେଇ
ହୃଦୟେ ମୋହର ଶତପୁତ୍ର ମୁଁ କୁଢାଇ ଆଣିଛି ଏଇ।”
[କବିତା – “ବିଶ୍ଵଜୀବନ ପଥେ”, କାବ୍ଯସଙ୍କଳନ “ଉତ୍କଳିକା”, ରାଧାମୋହନ ଗଡ଼ନାୟକ]
ଥରେ ଶ୍ରୀମନ୍ଦିର ପାଇଁ ଜଣେ ଗୋରା ସାହେବ ମ୍ୟାନେଜର ରୂପେ ନିଯୁକ୍ତି ପାଇବାରୁ ସେବାୟତ ଓ ପୁରୀବାସୀଙ୍କ ମଧ୍ୟରେ ଖୁବ୍ ଚହଳ ପଡିଗଲା । ରାହାଙ୍ଗଗଡରୁ ରଥ ପାଇଁ କତାଦଉଡି ଯାହା ଆସୁଥିଲା, ସେସବୁ ମ୍ୟାନେର କଲିକତା ପଠାଇ କଳରେ ବଳାଇ ଆଣିଲେ। ମାତ୍ର, ସେତେବେଳେ ରଥଯାତ୍ରା ଦିନ ପ୍ରଚଣ୍ଡ ମହାମାରୀ ଯୋଗୁଁ ଶହ ଶହ ଲୋକଙ୍କ ପ୍ରାଣହାନି ଘଟିଲା। ଆଉ ସେତେବେଳେ ପୁରୀ ମ୍ୟୁନିସିପାଲ୍ ବୋର୍ଡର ଜଣେ ସଭ୍ୟ ମୁକ୍ତ୍ୟାର ରାମଚନ୍ଦ୍ର ଦାସ। ସେ ଗୋପବନ୍ଧୁ, ହରିହର ପ୍ରଭୃତି ଛାତ୍ରଙ୍କ ସାହଚର୍ଯ୍ୟରେ ରୋଗୀ ସେବା ସହ ବିପନ୍ନମାନଙ୍କ ସେବା କରିଲେ।
ଏହି ହଇଜା ମହାମାରୀ ଦିନ ଥରେ ପ୍ରତ୍ୟୁଷରୁ ନରେନ୍ଦ୍ର ପୋଖରୀକି ସ୍ନାନ ପାଇଁ ଯାଉଛନ୍ତି ରାମଚନ୍ଦ୍ର। ସେଦିନ ସେ ଯେଉଁ ତୁଠ ପାଖରେ ସ୍ନାନ କରୁଥିଲେ, ସେଠି ଗୋଟିଏ ପଶ୍ଚିମା ମହିଳାଯାତ୍ରୀ ବସି ବିକଳରେ କାନ୍ଦୁଥା’ନ୍ତି। ମହିଳା ପାଖରେ କ୍ଷଣକେ ଅଟକି ଦେଖିଲା ବେଳକୁ ମହିଳା ଜଣକ ବାହୁନି ବାହୁନି କହିଲେ, “ମୁଁ ମୋ ସ୍ଵାମୀଙ୍କୁ କେଉଁଠାରେ ପାଉନାହିଁ।” ମେହେନ୍ତରମାନେ ସେତେବେଳେ ବହୁ ଜୀବନ୍ମୃତ ରୋଗୀଙ୍କୁ ଖାତରେ ପକାଇ ଦେଉଥିବା କଥା ପ୍ରଚାରିତ ହେଲା।
ହେଲେ, ମୁକ୍ତ୍ଯାର ରାମଚନ୍ଦ୍ର ଦାସ ଅସଲ କଥାଟି ଜାଣିବା ପାଇଁ ଖନ୍ଦକରେ ପଡିଥିବା ମୃତଦେହ ବାହାର କରାଯାଇ ସବୁ ତନଖ କରାଗଲା। ତାଙ୍କ ଆଦେଶରେ ସବୁ ୧୭ଟା ମୃତଦେହ ବାହାରିବା ପରେ ଯେଉଁ ଲୋକ ପଡିଥିବାର ଦେଖାଗଲା, ମହିଳା ଜଣଙ୍କ ତାକୁ ଦେଖି ଅତି ବିକଳରେ ସାଙ୍ଗେ ସାଙ୍ଗେ ଖାତ ଭିତରକୁ ଡେଇଁବା ପାଇଁ ଉଦ୍ୟତ ହେବାରୁ ତାଙ୍କୁ କୌଣସି ମତେ ଅଟକାଇ ରଖାଗଲା। ସେ ବ୍ୟକ୍ତିଙ୍କ ଉପଯୁକ୍ତ ଶୁଶ୍ରୂଷା କରିବା ପରେ ଦେଖାଗଲା ଯେ ସେ ବ୍ଯକ୍ତି ଜୀବିତ ଅଛନ୍ତି ଆଉ ରାମଚନ୍ଦ୍ରଙ୍କ ସହାୟତାରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ଉପଯୁକ୍ତ ସ୍ଵାସ୍ଥ୍ଯସେବା ସହ ଘରକୁ ଫେରାଇ ଦିଆଗଲା।
ଏହା ପରେ ମୁକ୍ତ୍ୟାର ରାମଚନ୍ଦ୍ରଙ୍କ ‘ବ୍ରାହ୍ମଣ ସମିତି’ ପକ୍ଷରୁ ବ୍ରାହ୍ମଣ ମହାସମ୍ମିଳନୀ ବସିଥିଲା। ସେଥିରେ ମେଦିନୀପୁର, ବାଙ୍କୁଡା, ରାୟପୁର, ଗଞ୍ଜାମ, କୋରାପୁଟ, ସମସ୍ତ ଗଡ଼ଜାତ ଓ ଓଡିଶାର ସମସ୍ତ ଜିଲ୍ଲାରୁ ପ୍ରାୟ ୧୭୦୦ ପ୍ରତିନିଧି ଯୋଗ ଦେଇଥିଲେ। ଆଉ ଏଥି ସହ ୧୯୦୩ ମସିହାରେ ‘ପ୍ରଜା ପ୍ରତିନିଧି ସଭା’ ନାମରେ ଏକ ଅନୁଷ୍ଠାନର ଗଢଣ ସହ ଏଥିରେ ବକ୍ତୃତା ଦେଇ ସେ କହିଥିଲେ – “ବ୍ରାହ୍ମଣ ସମିତି’, ‘କରଣ ସମିତି’, ‘କାୟସ୍ଥ ସମିତି’ – ଏପରି ଭିନ୍ନ ଭିନ୍ନ ଅନୁଷ୍ଠାନ ଗଢ଼ିବାର ଉଦ୍ଦେଶ୍ୟ ନୁହେଁ ଯେ ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ଉଦ୍ୟମ କରିବା। ଏହାର ଉଦ୍ଦେଶ୍ୟ ହେଉଛି ପ୍ରଥମେ ଦଳ ଦଳ ହୋଇ ସଂଘବଦ୍ଧ ହେବା। ଗୋଟିଏ ଗୋଟିଏ ସଙ୍ଗଠନ ଦୃଢ ହୋଇଗଲେ, ସମସ୍ତେ ମିଳିମିଶି ଦେଶ ଓ ଜାତିର ସର୍ବବିଧ ଉନ୍ନତି ପାଇଁ ଏକ ଧ୍ୟାନରେ ଲାଗିପଡିବେ।”
୧୯୦୨ ମସିହାରେ ବ୍ରହ୍ମପୁରର ଗଞ୍ଜାମ ଜିଲ୍ଲା ସମ୍ମିଳନୀରେ ମୁକ୍ତ୍ୟାର ରାମଚନ୍ଦ୍ର ଦାସ ପ୍ରସ୍ତାବ ଦେଲେ ଯେ ସମଗ୍ର ଓଡିଶାର ସବୁ ସମ୍ପ୍ରଦାୟର ଲୋକଙ୍କୁ ନେଇ ଗୋଟିଏ ସମ୍ମିଳନୀ ହେଉ। ସେଥିରେ ରାଜନୈତିକ ଚର୍ଚ୍ଚାକୁ ମୁଖ୍ୟ ସ୍ଥାନ ଦେବା ସହ ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ତୁରନ୍ତ ଡକାଯାଉ । ଆଉ ଏହି ପ୍ରସ୍ତାବ ଅନୁଗୃହୀତ ହେବା ସହ ପ୍ରଥମ ଉତ୍କଳ ସମ୍ମିଳନୀ ଅଧିବେଶନ ପୂର୍ବେ ବିବରଣୀ ଯାହା ଛପା ଯାଇଥିଲା ସେମାନଙ୍କ ମଧ୍ୟରେ ଥିଲେ ପ୍ରତିଷ୍ଠାତା ରାମଚନ୍ଦ୍ର ଦାସ।
ଆଉ ୧୯୦୯ ମସିହାର ବିବରଣୀରେ ରାମଚନ୍ଦ୍ରଙ୍କ ନାମ ନଥିବାରୁ ଉଦ୍ୟୋକ୍ତା ସମ୍ପାଦକଙ୍କ ଉପରେ ଘୋର ବିରକ୍ତି ପ୍ରକାଶ କରିଥିଲେ। ରମ୍ଭାଠାରେ ଖଲ୍ଲିକୋଟ ରାଜନଗରରେ ଅନୁଷ୍ଠିତ ସମ୍ମିଳନୀର ମୁଖ୍ୟ ଉଦ୍ୟୋକ୍ତା ଥିଲେ ମୁକ୍ତ୍ୟାର ରାମଚନ୍ଦ୍ର ଦାସ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସ। ଆଉ ଏଥିରେ ତାଙ୍କର ପୂର୍ଣ୍ଣ ସହଯୋଗ କରିଥିଲେ ତତ୍କାଳୀନ ‘ପ୍ରଜାବନ୍ଧୁ’ର ସମ୍ପାଦକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ
୧୯୦୬ ମସିହା । ମୃତ୍ୟୁ ପୂର୍ବରୁ ତାଙ୍କୁ ଭେଟିଥିଲେ ପଣ୍ଡିତ ନୀଳକଣ୍ଠ ଦାସ ତଥା ନୀଳକଣ୍ଠଙ୍କ ଗ୍ରାମର ପଣ୍ଡିତ ଆର୍ତ୍ତତ୍ରାଣ ଦାସ। ପୁରୀ ଘରେ ସେ ଅବସ୍ଥାରେ ଶଯ୍ୟାଶାୟୀ ଥିଲେ। ବହୁମୂତ୍ର ରୋଗରେ ପୀଡିତ ହେତୁ ତାଙ୍କ ପକ୍ଷେ ଉଠିବା ପ୍ରାୟତଃ ସମ୍ଭବପର ନଥିଲା। ବଡ଼କଷ୍ଟରେ ଚାଲୁଥା’ନ୍ତି। ଆର୍ତ୍ତତ୍ରାଣ ଦାସ ଫଳିତ ଜ୍ୟୋତିଷ ଜାଣନ୍ତି, ମାତ୍ର, ରାମଚନ୍ଦ୍ର ଏସବୁ ବିଶ୍ୱାସ କରୁନଥିଲେ। ଆର୍ତ୍ତତ୍ରାଣ ଦାସ କହିଲେ, “ରାମଚନ୍ଦ୍ର ଦାସଙ୍କର ଏ ଦଶାରେ ମୃତ୍ୟୁ ନାଇଁ।” ସଙ୍ଗେ ସଙ୍ଗେ ଚାକରକୁ ବଡ଼ ପାଟି କରି କହିଲେ, “ଆରେ ଘରେ କହିଦେ ପଣ୍ଡିତ ମହାଶୟ କହିଲେ, ମୁଁ ଏଥର ମରିବି ନାଇଁ। କିଛି ଚିନ୍ତା ନାଇଁ।”
ଏଥର ବିଦାୟ ବେଳା। ବଡ଼ ସନ୍ତର୍ପଣରେ ନୀଳକଣ୍ଠଙ୍କ ମୁଣ୍ଡରେ ହାତ ରଖି ସେ କହିଲେ, “ମୁଁ ଯାଉଚି, ଭଗବାନ ତମକୁ ବଡ଼ ମଣିଷ କରନ୍ତୁ। ଦେଶକୁ କେବେ ଭୁଲିବ ନାଇ।” ଏଥିଲା ସେ ସମୟରେ ନୀଳକଣ୍ଠଙ୍କ ଏଫ୍.ଏ. ପଢା ସମୟ। ଆଉ, ସେତେବେଳେ ଏପ୍ରିଲ ୧୬, ୧୯୦୬ ମସିହାକୁ ବାଲେଶ୍ଵରର ପର୍ମିଟ୍ ପଡିଆଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ତୃତୀୟ ଅଧିବେଶନରେ ମୁକ୍ତ୍ୟାର ରାମଚନ୍ଦ୍ର ଆସିଲେ। ଦୁଇଜଣ ତାଙ୍କୁ ଉଠାଇ ଧରି ମଣ୍ଡପରେ ଠିଆ କରାଇଲେ। ବେଶ୍ ସୁନ୍ଦର କଥୋପକଥନ କରିଲେ।
ହେଲେ ସେ ସଭାରେ ଅସୁସ୍ଥ ହେଇ ଟଳିପଡନ୍ତି। ଶ୍ରାବଣ ଶୁକ୍ଳ ଏକାଦଶୀ ବା ଝୁଲଣୀ ଏକାଦଶୀ ଦିନ (୩୦ ଜୁଲାଇ)ରେ ତାଙ୍କର ଦେହାବସାନ ଘଟିଲା। ତାଙ୍କ ଦେହାବସାନରେ ସବୁଠାରୁ ବେଶୀ ମ୍ରିୟମାଣ ହୋଇପଡିଥିଲେ ତାଙ୍କର ସବୁଠାରୁ ଆପଣାର ଉତ୍କଳମଣି ଗୋପବନ୍ଧୁ। ଗୋପବନ୍ଧୁ ତାଙ୍କ ସଦିଚ୍ଛା ଓ ଉଦ୍ଦେଶ୍ୟ ପ୍ରତିଟି କ୍ଷେତ୍ରରେ ଠିଆ କରେଇ ପାରିଛନ୍ତି ଆଦର୍ଶର ସହ। 
© ଅମୃତେଶ ଖଟୁଆ

Leave a Comment

Your email address will not be published. Required fields are marked *

Scroll to Top