ସୌରଭିତ ସୃଷ୍ଟି: ଛନ୍ଦକବି ରାଧାମୋହନ ଗଡ଼ନାୟକ

ଆମ୍ଭେମାନେ ଉଚ୍ଚ ଵିଦ୍ୟାଳୟରେ ପଢି଼ଲାଵେଳେ ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କ “ମାଟି” କଵିତାଟି ସାହିତ୍ୟ ବହିରେ ପଢା଼ଯାଉଥିଲା । ଆମ ଅନଗୁଳ ମାଟିର ସେହି କଵିଙ୍କର ଏକ ଲୋକପ୍ରିୟ କଵିତା . . 

~ ମୁଁ କି କେବେ ଦୀନହୀନ ? ~
             
(୧)
ଯେ ଦେଶର ପ୍ରଭୁ ଜଗତର ନାଥ
ନଦୀ ଯା’ର ମହାନଦୀ,
ଶୈଳ ଯା ମହା ଇନ୍ଦ୍ର ମେଘାସନ,
ପାଦ ଧୁଏ ମହୋଦଧି ।

ଇତିହାସ ଯା’ର ନଈ ନାଳ ବିଲ
ଵନ ପ୍ରାନ୍ତରରେ ଵିକୀର୍ଣ୍ଣ
ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନହୀନ ?

(୨)
ଯେ ଦେଶର ପୁଅ ଚନ୍ଦ୍ରଶେଖର
କାଠି ଖଣ୍ଡେ ଧରି ହାତେ
ସୌରଜଗତ ଅଜ୍ଞାତ କଥା
କହିଲା ଏଇ ଜଗତେ ।

ଜୟଦେଵ ଗୀତେ ମତାଇ ଦେଲା ରେ
ପଲ୍ଲୀପୁର ଵିପିନ
ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନହୀନ ?

(୩)
ଯେ ଦେଶର ଵୀର ଶିଳ୍ପୀ ଦିନେ ରେ
ଚକିତ କରିଲା ଧରା
ପାଷାଣର ବୁକେ ଦେଖାଇ ଦେଲାରେ
ଚକିତ ଚିତ୍ର କଳା ।

ପାଷାଣ ଖଣ୍ଡେ ଉଠାଇ ଯହିଁରେ
ଵିଜ୍ଞାନ ହେଲା ମଳିନ
ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନହୀନ ?

(୪)
ଯେ ଦେଶର ଵୀର କଥା କଥାକେ
ଦେଲାରେ, ନେଲାରେ ମଥା
ଅମ୍ବରଚୁମ୍ବୀ କଣ୍ଠେ ଗାଇଲା
ସଂଗୀତ ରକତତତା ।

ସେହି ରକତ ତ ମୋ ଦେହେ ବହୁଛି
ହେଉ ପଛେ ଯେଡେ଼ କ୍ଷୀଣ
ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନହୀନ ?

*********

ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କର ଏହି କଵିତାଟି ପ୍ରଥମେ ଗଡ଼ଜାତଵାସିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହି କଵିତାଟି ସେହି କଳିଙ୍ଗ ଅଧିଵାସୀମାନେ ପାଠ କରନ୍ତୁ ଯେଉଁମାନେ ବାହାର ରାଜ୍ୟକୁ ଗଲେ ନିଜକୁ କଳିଙ୍ଗୀ କହିଵାକୁ ଲଜ୍ଜା କରୁଛନ୍ତି ‌ । କଵିତାର ଆରମ୍ଭ ଶ୍ରୀଜଗନ୍ନାଥଙ୍କ ସ୍ମରଣରୁ ହୋଇଅଛି କାରଣ ସେ ହିଁ ହେଉଛନ୍ତି କଳିଙ୍ଗ ଦେଶର ପ୍ରକୃତ ରାଜା । ପୁନଶ୍ଚ କଳିଙ୍ଗ ଦେଶର ସର୍ଵୋଚ୍ଚ ପର୍ଵତ ମେଘାସନର ମଧ୍ଯ ନାମୋଲ୍ଲେଖ କରାଯାଇଛି । କେଵଳ ପର୍ବତ ହିଁ ନୁହେଁ କଳିଙ୍ଗର କୋଣେ କୋଣେ ପ୍ରତିଟି ସ୍ଥାନ ଐତିହାସିକ ତଥ୍ଯପୂର୍ଣ୍ଣ ବୋଲି କଵି ସ୍ପଷ୍ଟ କରିଅଛନ୍ତି । ଚନ୍ଦ୍ରଶେଖର ପଠାଣିସାମନ୍ତ କେଵଳ ଓଡ଼ିଶା ନୁହେଁ ସାରା ଭାରତ ଓ ଵିଶ୍ଵର ଜଣେ ଵିରଳ ଵ୍ୟକ୍ତିତ୍ଵ ଥିଲେ । କୁହାଯାଏ ସେ ଦୁଇଗୋଟି ବାଉଁଶ କାଠିଦ୍ଵାରା ଯେକୌଣସି ଦୂରସ୍ଥ ଵସ୍ତୁକୁ ମାପି ପାରୁଥିଲେ । ଜୟଦେବଙ୍କ ସମୟରେ ଓଡ଼ିଶାରେ ଵୈଷ୍ଣଵ ମତଵାଦର ପ୍ରଚାର ପ୍ରସାର କ୍ରମେ ଦୃତ ହୋଇଥିଲା ଏଵଂ ସ୍ଵୟଂ ଜୟଦେବ ତହିଁର ଦ୍ଵାୟିତ୍ଵ ଗ୍ରହଣ କରିଥିଲେ । ଜୟଦେବଙ୍କ ଗୀତଗୋଵିନ୍ଦ ତତ୍କାଳୀନ କଳିଙ୍ଗୋତ୍କଳରେ ଵୈଷ୍ଣଵ ମତଵାଦକୁ ଲୋକପ୍ରିୟ କରିଥିଲା ।

ଏ ଦେଶର ଵୀର ଶିଳ୍ପୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଗଢି଼ ସାରା ଵିଶ୍ଵକୁ ଚକିତ କରିଦେଇଥିଲା ତେବେ ଇଂରେଜମାନେ ଏହି ମନ୍ଦିରର ଦଶାଵତାର ମୂର୍ତ୍ତିକୁ ବହୁ ପ୍ରଚେଷ୍ଟା କରି ସେ ସମୟର ଆଧୁନିକ ଵୈଷୟିକ ଵିଦ୍ୟା ପ୍ରୟୋଗରେ ନେଵାକୁ ପ୍ରୟାସ କରିଥିଲେ ହେଁ ଵିଫଳ ହୋଇଥିଲେ । ଆମ ପୂର୍ଵଜ ସହସ୍ରାଧିକ ଵର୍ଷଧରି ଏ ଦେଶକୁ ବଞ୍ଚାଇ ଆସିଛନ୍ତି ଏଵଂ କ୍ଷୀଣ ହେଲେ ବି ତାଙ୍କ ରକ୍ତ ଆମ ଶିରା ପ୍ରଶିରାରେ ପ୍ରଵାହିତ ହେଉଅଛି ।

ଆମେ ଓ ଆମ ଜାତି ଦୀନ ହୀନ ନୁହେଁ, ତେଣୁ ହେ କଳିଙ୍ଗଵାସୀ, ଵିଦେଶରେ ମଥାନତ କରି ବଞ୍ଚିଵା ଓ ନିଜ ଜାତିର ପରିଚୟ ଲୁଚେଇଵା ଭଳି ନିକୁଚ୍ଛିଆପଣ ତ୍ୟାଗକରନ୍ତୁ ।

ଗର୍ଵରେ କହିଵା ଆମେ କଳିଙ୍ଗୀ ଆମ ରାଷ୍ଟ୍ର କଳିଙ୍ଗୋଡ୍ରୋତ୍କଳ ! 

ଉପସ୍ଥାପନା: ଶିଶିର ସାହୁ ମନୋଜ 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 months ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 months ago