ସୌରଭିତ ସୃଷ୍ଟି: ଛନ୍ଦକବି ରାଧାମୋହନ ଗଡ଼ନାୟକ

ଆମ୍ଭେମାନେ ଉଚ୍ଚ ଵିଦ୍ୟାଳୟରେ ପଢି଼ଲାଵେଳେ ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କ “ମାଟି” କଵିତାଟି ସାହିତ୍ୟ ବହିରେ ପଢା଼ଯାଉଥିଲା । ଆମ ଅନଗୁଳ ମାଟିର ସେହି କଵିଙ୍କର ଏକ ଲୋକପ୍ରିୟ କଵିତା . . 

~ ମୁଁ କି କେବେ ଦୀନହୀନ ? ~
             
(୧)
ଯେ ଦେଶର ପ୍ରଭୁ ଜଗତର ନାଥ
ନଦୀ ଯା’ର ମହାନଦୀ,
ଶୈଳ ଯା ମହା ଇନ୍ଦ୍ର ମେଘାସନ,
ପାଦ ଧୁଏ ମହୋଦଧି ।

ଇତିହାସ ଯା’ର ନଈ ନାଳ ବିଲ
ଵନ ପ୍ରାନ୍ତରରେ ଵିକୀର୍ଣ୍ଣ
ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନହୀନ ?

(୨)
ଯେ ଦେଶର ପୁଅ ଚନ୍ଦ୍ରଶେଖର
କାଠି ଖଣ୍ଡେ ଧରି ହାତେ
ସୌରଜଗତ ଅଜ୍ଞାତ କଥା
କହିଲା ଏଇ ଜଗତେ ।

ଜୟଦେଵ ଗୀତେ ମତାଇ ଦେଲା ରେ
ପଲ୍ଲୀପୁର ଵିପିନ
ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନହୀନ ?

(୩)
ଯେ ଦେଶର ଵୀର ଶିଳ୍ପୀ ଦିନେ ରେ
ଚକିତ କରିଲା ଧରା
ପାଷାଣର ବୁକେ ଦେଖାଇ ଦେଲାରେ
ଚକିତ ଚିତ୍ର କଳା ।

ପାଷାଣ ଖଣ୍ଡେ ଉଠାଇ ଯହିଁରେ
ଵିଜ୍ଞାନ ହେଲା ମଳିନ
ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନହୀନ ?

(୪)
ଯେ ଦେଶର ଵୀର କଥା କଥାକେ
ଦେଲାରେ, ନେଲାରେ ମଥା
ଅମ୍ବରଚୁମ୍ବୀ କଣ୍ଠେ ଗାଇଲା
ସଂଗୀତ ରକତତତା ।

ସେହି ରକତ ତ ମୋ ଦେହେ ବହୁଛି
ହେଉ ପଛେ ଯେଡେ଼ କ୍ଷୀଣ
ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନହୀନ ?

*********

ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କର ଏହି କଵିତାଟି ପ୍ରଥମେ ଗଡ଼ଜାତଵାସିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହି କଵିତାଟି ସେହି କଳିଙ୍ଗ ଅଧିଵାସୀମାନେ ପାଠ କରନ୍ତୁ ଯେଉଁମାନେ ବାହାର ରାଜ୍ୟକୁ ଗଲେ ନିଜକୁ କଳିଙ୍ଗୀ କହିଵାକୁ ଲଜ୍ଜା କରୁଛନ୍ତି ‌ । କଵିତାର ଆରମ୍ଭ ଶ୍ରୀଜଗନ୍ନାଥଙ୍କ ସ୍ମରଣରୁ ହୋଇଅଛି କାରଣ ସେ ହିଁ ହେଉଛନ୍ତି କଳିଙ୍ଗ ଦେଶର ପ୍ରକୃତ ରାଜା । ପୁନଶ୍ଚ କଳିଙ୍ଗ ଦେଶର ସର୍ଵୋଚ୍ଚ ପର୍ଵତ ମେଘାସନର ମଧ୍ଯ ନାମୋଲ୍ଲେଖ କରାଯାଇଛି । କେଵଳ ପର୍ବତ ହିଁ ନୁହେଁ କଳିଙ୍ଗର କୋଣେ କୋଣେ ପ୍ରତିଟି ସ୍ଥାନ ଐତିହାସିକ ତଥ୍ଯପୂର୍ଣ୍ଣ ବୋଲି କଵି ସ୍ପଷ୍ଟ କରିଅଛନ୍ତି । ଚନ୍ଦ୍ରଶେଖର ପଠାଣିସାମନ୍ତ କେଵଳ ଓଡ଼ିଶା ନୁହେଁ ସାରା ଭାରତ ଓ ଵିଶ୍ଵର ଜଣେ ଵିରଳ ଵ୍ୟକ୍ତିତ୍ଵ ଥିଲେ । କୁହାଯାଏ ସେ ଦୁଇଗୋଟି ବାଉଁଶ କାଠିଦ୍ଵାରା ଯେକୌଣସି ଦୂରସ୍ଥ ଵସ୍ତୁକୁ ମାପି ପାରୁଥିଲେ । ଜୟଦେବଙ୍କ ସମୟରେ ଓଡ଼ିଶାରେ ଵୈଷ୍ଣଵ ମତଵାଦର ପ୍ରଚାର ପ୍ରସାର କ୍ରମେ ଦୃତ ହୋଇଥିଲା ଏଵଂ ସ୍ଵୟଂ ଜୟଦେବ ତହିଁର ଦ୍ଵାୟିତ୍ଵ ଗ୍ରହଣ କରିଥିଲେ । ଜୟଦେବଙ୍କ ଗୀତଗୋଵିନ୍ଦ ତତ୍କାଳୀନ କଳିଙ୍ଗୋତ୍କଳରେ ଵୈଷ୍ଣଵ ମତଵାଦକୁ ଲୋକପ୍ରିୟ କରିଥିଲା ।

ଏ ଦେଶର ଵୀର ଶିଳ୍ପୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଗଢି଼ ସାରା ଵିଶ୍ଵକୁ ଚକିତ କରିଦେଇଥିଲା ତେବେ ଇଂରେଜମାନେ ଏହି ମନ୍ଦିରର ଦଶାଵତାର ମୂର୍ତ୍ତିକୁ ବହୁ ପ୍ରଚେଷ୍ଟା କରି ସେ ସମୟର ଆଧୁନିକ ଵୈଷୟିକ ଵିଦ୍ୟା ପ୍ରୟୋଗରେ ନେଵାକୁ ପ୍ରୟାସ କରିଥିଲେ ହେଁ ଵିଫଳ ହୋଇଥିଲେ । ଆମ ପୂର୍ଵଜ ସହସ୍ରାଧିକ ଵର୍ଷଧରି ଏ ଦେଶକୁ ବଞ୍ଚାଇ ଆସିଛନ୍ତି ଏଵଂ କ୍ଷୀଣ ହେଲେ ବି ତାଙ୍କ ରକ୍ତ ଆମ ଶିରା ପ୍ରଶିରାରେ ପ୍ରଵାହିତ ହେଉଅଛି ।

ଆମେ ଓ ଆମ ଜାତି ଦୀନ ହୀନ ନୁହେଁ, ତେଣୁ ହେ କଳିଙ୍ଗଵାସୀ, ଵିଦେଶରେ ମଥାନତ କରି ବଞ୍ଚିଵା ଓ ନିଜ ଜାତିର ପରିଚୟ ଲୁଚେଇଵା ଭଳି ନିକୁଚ୍ଛିଆପଣ ତ୍ୟାଗକରନ୍ତୁ ।

ଗର୍ଵରେ କହିଵା ଆମେ କଳିଙ୍ଗୀ ଆମ ରାଷ୍ଟ୍ର କଳିଙ୍ଗୋଡ୍ରୋତ୍କଳ ! 

ଉପସ୍ଥାପନା: ଶିଶିର ସାହୁ ମନୋଜ 

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 months ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago