ଲେଖା: ଶିଶିର ସାହୁ ମନୋଜ
ଏଇ ମିଶି ଶବ୍ଦଟି କେବେ ଥିଲା ମାନକ, ଆଜି କିନ୍ତୁ ଆଞ୍ଚଳିକ !
ପ୍ରାଚୀନ ଓଡ଼ିଆ ଭାଷାରେ ‛ଏଵଂ’ ସ୍ଥାନରେ ଆଗେ ଵ୍ୟଵହାର ହେଉଥିଲା ‛ମିଶି’ ଶବ୍ଦ । ସମ୍ଭଵତଃ ଦୁଇଗୋଟି ଵାକ୍ଯକୁ ଏକାଠି ମିଶା ଯାଉଥିଵା ହେତୁ ‛ମିଶା’ ଶବ୍ଦର ଆନରୂପ ‛ମିଶି’ ହିଁ ଏଠାରେ ‛ଏଵଂ’ ଭଳି ଏକ ଅଵ୍ଯୟ ଭାଵେ ଵ୍ଯଵହାର ହୋଇଅଛି ।
“କୁନ୍ଦ କର୍ଵୀର ଛୁରିଅନା,
ମିଶି ନାଗେଶ୍ଵର ଦୟଣା ।”
(ଭୂପତି, ପ୍ରେମ ପଞ୍ଚାମୃତ)
ମାନକ ଓଡ଼ିଆ ଵା ବହିଭାଷାରେ ଦୁଇଟି ଶବ୍ଦକୁ ଯୋଡା଼ଯିଵା ସମୟରେ ‛ଓ’ ତଥା ଦୁଇଗୋଟି ଖଣ୍ଡ ଵାକ୍ଯକୁ ‛ଏଵଂ’ ଵ୍ଯଵହାର ପୂର୍ଵକ ସଂଯୁକ୍ତ କରାଯାଏ ।
ତଥା ଓ ମଧ୍ୟ ଶବ୍ଦ ମଧ୍ୟ ଏଇ କ୍ଷେତ୍ରରେ ସମାନ କାର୍ଯ୍ୟ କରିଥାଏ । ‛ଓ’ ଅଵ୍ଯୟ ଶବ୍ଦ ପୁଣି ଅଞ୍ଚଳ ତଥା ଵାକ୍ଯ ଭେଦରେ ‛ଉ’ ତଥା ‛ଆଉ’ ଇତ୍ୟାଦି ହୋଇ ଵ୍ଯଵହାର ହେଉଥିଵା ଦେଖାଯାଏ ।
ତେଵେ ଓଡ଼ିଆ ଭାଷାରେ ଆଜି ବି କେତେକ ଅଞ୍ଚଳରେ ମିଶି ସହିତ ସାମଞ୍ଜସ୍ୟ ଥିଵା ଅଵ୍ଯୟ ଶବ୍ଦ ଵ୍ଯଵହାର ହେଉଥିଵା କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖରୁ ଜଣାଯାଏ । ଉଦାହରଣ ସ୍ଵରୂପ:
୧. ଗଞ୍ଜାମରେ ମିଶାରୁ ଶବ୍ଦ ଏକ ଅଵ୍ଯୟ ଶବ୍ଦ ଭାଵେ ମଧ୍ୟ ଓ ସହିତ ଅର୍ଥରେ ଵ୍ଯଵହାର ହୋଇଥାଏ ।
୨. ଗଜପତିରେ ମିଶା ଶବ୍ଦ ମଧ୍ୟ ଅର୍ଥରେ ଵ୍ଯଵହାର ହୋଇଥାଏ ।
୩. କନ୍ଧମାଳ ଓ ଝାରସୁଗୁଡ଼ାରେ ମିଶେ ଶବ୍ଦ ଆଜି ବି ମଧ୍ୟ ଅର୍ଥରେ ଏକ ଅଵ୍ଯୟ ଶବ୍ଦ ଭାଵରେ ପ୍ରୟୋଗ ହୁଏ ।
ଆମ ଭାଷାରେ ମଧ୍ୟ ଶବ୍ଦର ବି ଏଵଂ ଅର୍ଥରେ ଵ୍ଯଵହାର ରହିଛି ତେଵେ କେଵଳ କେତେକ ଵିଶେଷ ଵାକ୍ଯଗଠନ କାଳରେ ପ୍ରୟୋଗ ହୁଏ । ଯେମିତିକି ଫକୀରମୋହନ ସେନାପତି ଛମାଣ ଆଠଗୁଣ୍ଠରେ ‛ଏଵଂ’ ଅର୍ଥରେ ‛ମଧ୍ୟ’ ଶବ୍ଦର ଵ୍ଯଵହାର କରିଅଛନ୍ତି,
“ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲର ଜମିଦାର, ମଧ୍ୟ ମହାଜନ।”
(ଫକୀରମୋହନ, ଛମାଣ ଆଠଗୁଣ୍ଠ।)
ତେବେ ଓଡ଼ିଆ ଭାଷାରେ ମଧ୍ୟ ଶବ୍ଦର ଅପିଚ, ପୁନଶ୍ଚ, ଆହୁରି ଓ କିନ୍ତୁ ଇତ୍ୟାଦି ଅର୍ଥରେ ମଧ୍ୟ ଵ୍ଯଵହାର ରହିଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି ।
ଏକଦା ଓଡ଼ିଆ ଭାଷାରେ ମିଶି ଶବ୍ଦ ବହୁପ୍ରଚଳିତ ଥିଲା ଫଳରେ ଦକ୍ଷିଣ, ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର କଥିତ ଭାଷାରେ ଏ ଶବ୍ଦ ସାମାନ୍ୟ ପରିଵର୍ତ୍ତିତ ଅର୍ଥ ଓ ରୂପରେ ଆଜି ବି ଚଳୁଅଛି । ତେଵେ ଆଧୁନିକ ମାନକ ଓଡ଼ିଆ ଭାଷାରେ ‛ଏଵଂ’ ଶବ୍ଦର ବହୁଳ ଵ୍ଯଵହାର ଯୋଗୁଁ ‛ମିଶି’ ଶବ୍ଦର ଵ୍ଯଵହାର ହଟିଯାଇଛି,ଏଵଂ ଶବ୍ଦ ସର୍ଵଭାରତୀୟ ସ୍ଥରରେ ବହୁପ୍ରଚଳିତ ଥିଵାରୁ ଏହା ଓଡ଼ିଆ ଭାଷାରେ ମଧ୍ୟ ଲୋକପ୍ରିୟ ହୋଇଛି ଓ ଉପକୂଳର କଥିତ ଶୈଳୀରେ ଏବୁଁ ହୋଇ ମଧ୍ୟ ଏହା ଚଳୁଥିଵାର ଦେଖାଯାଏ ।
ଓଡ଼ିଆ ଭଳି ସଂସ୍କୃତରେ ମଧ୍ୟ ଚିଦ୍, ତୁ, ଉତ୍ ଓ ଚ ଇତ୍ୟାଦି ଶବ୍ଦ and ଅର୍ଥରେ ପ୍ରୟୋଗ ହୋଇଥାଏ ।
© ଶବ୍ଦଭେଦ
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…