ଲେଖା: ପ୍ରଳୟ ନାୟକ

ଏ ଭଗ୍ନ ଅରକ୍ଷିତ ବିଗ୍ରହସମୂହ ଦେଖି ଏହାର କାଳ ନିରୂପଣର ଭୁଲ କରନ୍ତୁନି ସୁଧୀଜନେ । କେବଳ ଅଶ୍ରୁପାତ କରନ୍ତୁ ବିଲୟ ମୁଖୀ ଆପଣାର ଗୌରବାବହ ମହାନ ଅତୀତ ପାଇଁ ଓ ପାରିବେ ତ କିଛି କରନ୍ତୁ ।

ବର୍ଷଣମୁଖର ଏକ ରାତିରେ ମୋ’ର ଚର୍ଯ୍ୟାଯୁଗ’ର ବିସ୍ମୃତ ବିଭୁତି ମା’ ଭୀମେଶ୍ୱରୀ ଠାକୁରାଣୀଙ୍କ ଦର୍ଶନ କରିବାର ଜିଦ ଯୋଗୁଁ ମୋର ପ୍ରିୟ ବନ୍ଧୁ କପ୍ତିପଦା ରାଜପରିବାରର ଲାଲ୍ ସାହେବ କୁମାର ଶିବେନ୍ଦ୍ର ପ୍ରତାପ (L.S. Shivendra Pratap) ମୋତେ ନେଇଯାଇଥିଲେ ସେଠିକି, ଯୋଉଠି ଅପନ୍ତରା ବିଛୁଆତି ବଣ ଓ କାଦୁଅ ରାସ୍ତାରେ ମୁଁ ଦେଖିଥିଲି ଉତ୍କଳୀୟ ଭାଷାର ଗୌରବମୟ ଉନ୍ମେଷ କାଳର ସାକ୍ଷୀ ମହାଦେବୀ ଚାମୁଣ୍ଡାଙ୍କ ଭଗ୍ନବିଗ୍ରହ ଅତ୍ୟନ୍ତ ଅରକ୍ଷିତ ଭାବେ ଆଉ ତର୍ପଣ କରିଥିଲି ଅନୁତାପର ଅଶ୍ରୁ ନୀରବରେ ।


ସେ ଏକ ରୂପାନ୍ତରଣର ସମୟ ଥିଲା ମହାଭାରତୀୟ ଭାଷା, ସଂସ୍କୃତି, ଧର୍ମଧାରଣାର । ସାଁବାଳୁଆ ଭଳି କୁତ୍ସିତ ନିର୍ମୋକ ତେଜୁଥିଲା ପୂର୍ବ ଭାରତର ମାନବ ସମାଜ । ପ୍ରାକୃତ ଭାଷା ଭିତରୁ ଜନ୍ମ ନେଉଥିଲା ଶାସ୍ତ୍ରୀୟ ଭାଷା ଓଡ଼ିଆ ତା’ର ବୈଦିକ ବୈଭବ ନେଇ ଓ ବିକୃତ ବୌଦ୍ଧ ତନ୍ତ୍ରଯାନ ଭିତରୁ ରୂପ ପରିଗ୍ରହ କରୁଥିଲା ଲୁପ୍ତ ଶୁଦ୍ଧ ବ୍ରାହ୍ମଣ୍ୟ ହିନ୍ଦୁ ଆଚାର ସଂହିତା ଏବଂ ପୂଜା ପଦ୍ଧତି । କଡ଼ ଲେଉଟଉଥିଲା ଅନାଦି କିନ୍ତୁ ବିକୃତ ବୌଦ୍ଧଧର୍ମ ପ୍ରଭାବରେ କିୟତ୍ କାଳ ପାଇଁ ସୁପ୍ତ ସନାତନ ସଂସ୍କୃତି । ବିଭତ୍ସ କାମ ଭାବନାରେ ନାରୀକୁ କେବଳ ଭୋଗ୍ୟ ସାମଗ୍ରୀ ବୋଲି ବିବେଚନା କରୁଥିବା ବୌଦ୍ଧତନ୍ତ୍ର ପ୍ରଭାହୀନ ହେଉଥିଲା । ପ୍ରଚଣ୍ଡ ମୁଖ ବ୍ୟାଦାନ କରି ସନାତନ ସଂସ୍କୃତି ଉଦରସାତ କରୁଥିଲା ତାକୁ ଓ ପୁଣି ପ୍ରକୃତିକୁ ସର୍ବସମର୍ଥ ମାତା ବୋଲି ପୂଜା କରିବାର ଧାରା ପୁନରୁଜ୍ଜୀବିତ ହେଉଥିଲା ।


ହଁ, ମୁଁ କହୁଛି ମୋ ଉତ୍କଳୀୟ ଭାଷା ଓ ସଂସ୍କୃତିର ଆଦି ଉଷାକାଳର କଥା । ପ୍ରାକୃତରୁ ଶୁଦ୍ଧ ଓଡ଼ିଆର ନବଜାଗରଣ ସମୟର କଥା । ନିକୃଷ୍ଟ ବୌଦ୍ଧତନ୍ତ୍ରରୁ ଉତ୍କଳୀୟ ମାତୃ ଉପାସନାର କଥା । ଏକ ଅନନ୍ୟ ଭାଷା ଓ ସଂସ୍କୃତିର ଆଦି ଉଷାକାଳର ନାରଙ୍ଗୀ ପ୍ରକାଶର କଥା ।


ସେ ସମୟ ଏକ ଅଦ୍ଭୁତ ସମୟ । ଶରୀରତତ୍ତ୍ୱ ବଖାଣର ସମୟ । ସଦ୍ୟ ଜାଗୃତ ମାନବୀୟ ଚେତନା କହୁଥିଲା ଏକ ନୂଆ ଭାଷା । ସମୟ ସପ୍ତମରୁ ଦଶମ ଶତାବ୍ଦୀ ଭିତରେ । ଶବ୍ଦ ଥିଲା ପ୍ରାଚୀନ ବା ଆଦ୍ୟ ଓଡ଼ିଆ, “କା ତରୁବର ପଞ୍ଚ ବିଡ଼ାଳ . . ” ! ବିକୃତ ଯୌନଚେତନା ଦଗ୍ଧ ତନ୍ତ୍ରର ପଙ୍କରୁ ବାହାରି ନିର୍ବାଣ ବା ଭାକ୍ତିକ ରସପିପାସୁ ମାନବୀୟ ମନୀଷା କହୁଥିଲା ପଞ୍ଚ ଇନ୍ଦ୍ରିୟ ସମନ୍ବିତ ପିଣ୍ଡର କଥା କିମ୍ବା ପଞ୍ଚ ମହାଭୁତ ସୃଷ୍ଟ ବ୍ରହ୍ମାଣ୍ଡର ଅଭୂତପୂର୍ବ ଶାବ୍ଦିକ ବିଭବ ବିଳାସ ।


କୁକ୍କୁରୀପାଦ, ଡୋମ୍ବୀପାଦ, ସରହପାଦ, ଲୁଇପାଦ, ସବରୀପାଦ, ହାଡ଼ିପାଦ, ନିତେଇ ଧୋବଣୀ, ପତ୍ରା ସଉରୁଣୀ ମାନେ ଜନସମାଜ ଠାରୁ ଦୂରରେ, ପର୍ବତ କନ୍ଦରରେ, ଘନବନାନୀରେ ସାଧୁଥିଲେ ଆଉ କହୁଥିଲେ ଚର୍ଯ୍ୟା ପଦାବଳୀର, ସହଜ ସାବର ତନ୍ତ୍ରର କଥା, ପିଣ୍ଡରୁ ବ୍ରହ୍ମାଣ୍ଡକୁ ଘୋଷ ଯାତ୍ରାର କଥା । ଧୀରେ ଧୀରେ ତା’ ଭିତରୁ ରୂପ ପରିଗ୍ରହ କରୁଥିଲା ଉତ୍କଳୀୟ ମହାବାଣୀ ସ୍ଵକୀୟ ଗରିମାରେ ।


ସେମିତି ଥିଲେ ଜଣେ ନୀରବ ସାଧକ । ଚର୍ଯ୍ୟାଯୁଗର ଜଣେ ଦ୍ରଷ୍ଟା ! “କପୋତପାଦ” ତାଙ୍କ ନାମ । ରହୁଥିଲେ ଉତ୍ତୁଙ୍ଗ ସିମଳଗିରିର ପାଦପ୍ରଦେଶରେ । ଘଞ୍ଚ ଜଙ୍ଗଲ ଭିତରେ । ସେଠି ରାଜୁତି କରୁଥିଲେ ମହାଭାରତ କାଳରୁ ଧରଣୀ ଶାସନ କରୁଥିବା “ବିରାଟ” ବଂଶର ରାଜାମାନେ । କପୋତପାଦଙ୍କ ଆରାଧ୍ୟା ଥିଲେ ଦେବୀ “ମା’ ଭୀମେଶ୍ୱରୀ ଚାମୁଣ୍ଡା” ଓ ଇଷ୍ଟ ଥିଲେ ମାଆ “କପୋତ ମୁଣ୍ଡୀ” ବୋଲି କିମ୍ବଦନ୍ତୀ କହେ ଆଉ ତା’ର ପୁଷ୍ଟି ପାଇଁ ଏବେବି ଭଗ୍ନ ଏକ ମନ୍ଦିର ଦୃଷ୍ଟି ଗୋଚର ହୁଏ ଏକ ମାଟିସ୍ତୁପ ତଳେ । ତା’ ପାଖରେ ଏକ ସିମେଣ୍ଟ ଚଉତରା ଉପରେ ବିରାଜିତା ଭଗ୍ନ ଚାମୁଣ୍ଡା ଓ ଅନ୍ୟ ଏକ ତନ୍ତ୍ରଦେବୀ, ଗଣେଶ ଓ ଅଚିହ୍ନା ମୂର୍ତ୍ତିମାନେ । ଗ୍ରାମଦେବୀ ଭାବେ ପୁଜିତା । ହୀରାପୁର ଚୌଷଠି ଯୋଗିନୀ ମନ୍ଦିରର ମୂର୍ତ୍ତିମାନଙ୍କ ସହ ଅଦ୍ଭୁତ ସାମ୍ୟ ପରିଲକ୍ଷିତ ହୁଏ ଏଠାର ମୂର୍ତ୍ତି ସବୁର । ଏବେବି କପ୍ତିପଦା ଗଡ଼ଜାତରେ ନୂଆ ରାଜାଙ୍କ ଅଭିଷେକ ହେଲେ ସେ ଯାଆନ୍ତି ମା’ ଭୀମେଶ୍ୱରୀ ପୀଠକୁ, ଦର୍ଶନ କରିବାକୁ ।


ଅନେକ ଅଜ୍ଞାତ କିମ୍ବଦନ୍ତୀଭୁତ ଇତିହାସ ଏବେବି ଲୁକ୍କାୟିତ କପ୍ତିପଦା ଗଡ଼ଜାତର ସେଇ ମା’ ଭିମେଶ୍ୱରୀ ପୀଠରେ । ନା କିଏ ଦୃଷ୍ଟି ଦେଉଛି ନା କିଏ ଜାଣିବାକୁ ଚାହୁଁଚି ସେ ଶୀଳିଭୁତ ଇତିହାସର ଅଜଣା କାହାଣୀ । ତେବେ ସ୍ମରଣାତୀତ ଅତୀତର କପ୍ତିପଦା ରାଜ୍ୟର ସେ ଗରିମାମୟ ଉଦ୍ଭାସ ଏବେବି ଗର୍ବିତ କରେ ମୟୁରଭଞ୍ଜ ଜିଲ୍ଲା ତଥା ସମଗ୍ର ଉତ୍କଳ ଭୂଖଣ୍ଡକୁ, ଏଥିରେ ଦ୍ବିମତ ନାହିଁ । 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago