ଆମ କଥା

ମା’ ଚଣ୍ଡୀବୁଢ଼ୀ

ଲେଖା: ପ୍ରଳୟ ନାୟକ

ଏ ଯେଉଁ ଯବନ ଆକ୍ରାନ୍ତାର ଶାବେଳୀ ଆଉ ଖଣ୍ଡା ଆଘାତରେ ଭଗ୍ନ ରଣସାଜ ସଜ୍ଜିତ ଅଷ୍ଟଭୁଜା ନାରୀର ମୂର୍ତ୍ତି ଦେଖୁଛନ୍ତି ସୁଧୀଜନେ, ଏ ଖାଲି ଭଙ୍ଗା ପଥର ଖଣ୍ଡେ ନୁହନ୍ତି । ଆମ ପାଞ୍ଚଖଣ୍ଡ ଗାଁର ପରମ କରୁଣାମୟୀ ମା’ ଇଏ, “ମା’ ଚଣ୍ଡୀବୁଢ଼ୀ” ।

ଗୁଡ଼ କ୍ଷୀରି ଆଉ କଦଳୀ ମାଗି ଖାଆନ୍ତି ଆମର ମା’ ଚଣ୍ଡୀବୁଢ଼ୀ । ଚୁଡ଼ିବାଲାଠୁଁ ଚୁଡ଼ି ମାଗି ପିନ୍ଧନ୍ତି । ଡାକିଲେ ଓ’ କରନ୍ତି । ବାଡ଼ି, ବଢ଼ି, ମରୁଡ଼ି ହେଲେ ତାଙ୍କ ଶ୍ୱେତଗଜ ସମାରୁଢ଼ା ହୋଇ ରାଇଜ ଭ୍ରମଣ କରି ପିଲାଙ୍କୁ ଅଭୟ କରନ୍ତି । ତାଙ୍କ ବିଶାଳ ରୂପ ବିସ୍ତାର କୁ ଛାତ ନାହିଁ ବୋଲି ମେଲା ଆକାଶ ତଳେ ଖରା ବର୍ଷା ଖାଇ ବସନ୍ତି । ଦିଗମ୍ବରୀ କଟୀକୁ ବସନ ନଅଣ୍ଟ ବୋଲି ଆକାଶ ରୂପ ନୀଳ ନୁଗା ପିନ୍ଧନ୍ତି । ଗାଁ ଗୋଟାକ ଅବାଇଜ ଛୁଆ ତାଙ୍କ ପିଣ୍ଡିରେ ଖେଳନ୍ତି । ଖେଳୁ ଖେଳୁ ତାଙ୍କୁ ଟେକି ନେଇ ବୁଲନ୍ତି ବି । ଆଉ ଯଦି କୋଉ ବାପା, ମା’ କି ଅନ୍ୟଲୋକ ପିଲାଙ୍କୁ ବାଡ଼େଇଲା, ତେବେ ସ୍ୱପ୍ନରେ ତାକୁ ବ୍ରହ୍ମ ଚଟକଣି ବି ଦିଅନ୍ତି । ତେଣୁ ତାଙ୍କ ପାଖେ ଭୋଗ ଲଗେଇଲେ ତାଙ୍କ ନଙ୍ଗୁଳି ବାଳୁତ ବାହୀନିକି ଆଗ ତୃପ୍ତ କରିବା ବିଧି । ତାପରେ ବଳିଲେ ଘରକୁ ନେବ ନଇଲେ ନାହିଁ ।

ଏମନ୍ତ ଯେ ଆମ ବାଲେଶ୍ୱର ଜିଲ୍ଲା, ଜଳେଶ୍ବର ବ୍ଲକ, ଅଖ୍ୟାତ କାଶିଡିହା (ଶରତ୍ ଆସିଲେ ଅସଂଖ୍ୟ କାଶତଣ୍ଡି ଫୁଲ ଫୁଟେ ବୋଲି ଏ ନାଁ) ଗାଁ’ର ମା’, ତାଙ୍କ ବିଷୟରେ କଥା ପଦିଏ । ସେ ମୋ ଶୈଶବର ପୂଜା-ପୂଜା ଖେଳର ଦିଅଁ । କୈଶୋରରେ ଗାଁକୁ ଯିବାର ଅନ୍ୟତମ ଆକର୍ଷଣ । ଆଦ୍ୟ ଯୌବନରେ ମନର ସମସ୍ତ ଅକୁହା ଅନୁଭବର ଦରଦୀ ଶ୍ରୋତା, କାମଠୁଁ ଧ୍ୟାନ ଯାଏ ସବୁ ଅନୁଭବ ଯାହା ଆଗରେ କହି ହୁଏ ପରମ ଆତ୍ମୀୟତାରେ ଆଉ ଆପଣା ପ୍ରସ୍ତରମୟୀ ଚେତନ ମୁଖରେ ସ୍ନେହୀ ଗାର୍ଜନସୁଲଭ ଭାବ ଫୁଟେଇ ସବୁ ଶୁଣେ ସେ । ଏ କଥନିକା ଆମ ପରିବାର ଉପରେ ତାଙ୍କ ଅହେତୁକି କରୁଣାର କୈମ୍ବଦନ୍ତୀକ ଅଲିଖିତ ଏକ ଦନ୍ତକଥା । ଜେଜେଙ୍କଠୁଁ ମୁଁ ଶୁଣିଥିଲି ପିଲାବେଳ ପରୀକାହାଣୀ ଶୁଣିବାର କୌତୁହଳ ନେଇ।

କଥା ଇଏ ଅଢ଼େଇଶରୁ ଉର୍ଦ୍ଧ୍ବ ବର୍ଷର । ଆମ ପୂର୍ବପୁରୁଷର କେହିଜଣେ ଅଭାଗା ପୁଅର କଥା ଇଏ । ଅକାଳରେ ବାପା ମଲାପରେ ସେ ନାଁ ଅଜଣା ମୋ ପୂର୍ବପୁରୁଷ ଜଣକ ତାଙ୍କ ଖଣ୍ଡିଏ ବିଲ ଚଷି ଆଉ ଲୋକଙ୍କ ଘରେ କାମଦାମ କରି ପେଟ ପାଳୁଥିଲେ । ଦିନରେ ମୂଲ ଲାଗନ୍ତି ଆଉ ରାତିରେ ନିଜ ବିଲରେ କାମ କରନ୍ତି । ଏମିତି ଏକ ଶରତ ଶେଷ ସମୟର ଶିଶିର ଭିଜା ରାତିରେ ସେ କାମ କରୁଥିଲେ ବିଲରେ । କେତେବେଳୁ ଅଧରାତି ପାରି ହେଲାଣି ତାଙ୍କୁ ଜଣାନାହିଁ । ଅନେକ କ୍ଷଣ ନଇଁ ରହିବା ପରେ ସଲଖିବାକୁ ଉଠି ଏଣେତେଣେ ଚାହୁଁ ଚାହୁଁ ତାଙ୍କ ଦୃଷ୍ଟି ପଡ଼ିଲା ଖଣ୍ଡେ ଦୂର ବିଲ ମଝିରେ ଗୋଟେ ଆଲୁଅ ପଟୁଆର ଉପରେ । ଡରରେ ଛାତି ଦାଉଁ ଦାଉଁ । ବର୍ଗୀ କି ବୋମ୍ବାଟିଆ ଡକେଇତ ଆସିଲେ କି . . ! ନଇଲେ ଏତେ ରାତିରେ କିଏ ଆଲୁଅ ଜାଳି ଆସୁଛି ଯେ !

ଧପ୍ କରି ବସିପଡ଼ିଲେ ସେ ଧାନ କିଆରୀ ମଝିରେ । ଆଖି କିନ୍ତୁ ଥାଏ ଆଲୁଅ ଉପରେ । ଧୀରେ ଧୀରେ ସେ ଆଲୁଅ ବଢ଼ି ବଢ଼ି ଏକ ବିଶାଳ ଗୋଲାକାର ଜ୍ୟୋତିପିଣ୍ଡ ରୂପ ନେଲା । ଏବେ ତ ଲୋକଟିର ଅବସ୍ଥା ଖରାପ । ଲୋକ ମୁଖରେ ଶୁଣାକଥା ଚଣ୍ଡୀ କେବେ କେବେ ରାତିରେ ବୁଲି ବାହାରନ୍ତି । ଆଉ ତାଙ୍କ ଆଗରେ ଯିଏ ପଡ଼େ ରକ୍ତବାନ୍ତି କରି ମରିବା ଥୟ । “ହଉ ମା’, ଏଇଆ ଯଦି ତୋ ଇଚ୍ଛା ତେବେ ମୋ’ର ଆଉ ସାଧ୍ୟ କଣ . . ? ” । ମନେମନେ କହିଲେ ସେ ଆଉ ନିଶ୍ଚେଷ୍ଟ ହୋଇ ବସି ରହିଲେ ଧାନ ଗଛ ଉହାଡ଼ରେ ।

ଆଲୋକ ପିଣ୍ଡ ଆହୁରି ଉଜ୍ଜ୍ୱଳ ହେଲା । ଧୀରେ ଧୀରେ ତା’ ଭିତରୁ ରୂପ ପରିଗ୍ରହ କଲା ଏକ ଦିବ୍ୟ ଶ୍ୱେତହସ୍ତୀ, ତୁଷାର ଭୂଧର ଭଳି । ତା ଉପରେ ଆସିନା ନିଳାମ୍ବରୀ ଜଣେ ଶୁଳିନୀ ନାରୀ । ଦିବ୍ୟାଭରଣ ଭୂଷିତା । ଦୁଇ ପାଖେ ଦିବ୍ୟ ନାରୀ ପଦାତି ବାହିନୀ । ସମସ୍ତେ ଖଡ୍ଗ ହସ୍ତା । ଲୋକ ଜଣଙ୍କ ପ୍ରାୟ ଚେତନାହତ ଅବସ୍ଥା । ଆଖି ବନ୍ଦ ଓ ତଥାପି ସ୍ନିଗ୍ଧ ଘନ ଆଲୋକରେ ଅତିଷ୍ଠ । ସହସା ତା’ ଶ୍ରୁତିପୁଟ ଆଚ୍ଛନ୍ନ କରି ଶୁଭିଲା ଏକ ଶବ୍ଦ,”ଲୁଚିଛୁ କିଆଁ, ଉଠି ଛିଡ଼ା ହ !”

ଆସନ୍ନ ମୃତ୍ୟୁକୁ ସାମ୍ନାରେ ଦେଖି ଛିଡ଼ା ହେଲେ ସେ । ଭୟ କମ୍ପିତ ଗଳାରୁ କେବଳ ବାହାରିଲା ଶବ୍ଦଟିଏ, “ମା . . “, “ମୁଁ ସବୁ ଜାଣେ ! ଡରନି ! ତୋ ଦୁଃଖ ମୁଁ ଜାଣେ ! କରୁଛି କିଛି ବ୍ୟବସ୍ଥା !” ଏତିକି କହି ଜଣେ ଶ୍ୟାମଳ ସଖୀକୁ ଚାହିଁଲେ ଦେବୀ ଓ ଆପଣା ବାମ ଚରଣ ଲମ୍ବଇଦେଲେ ତଳକୁ । ଉଦ୍ଭାସିତ ହେଲା ସୁଢଳ, ସୁଠାମ ଏକ ମଣି ମଞ୍ଜିର ଶୋଭିତ କନକ କମଳ ପାଦ । ସଖୀ ଜଣକ ଗୋଟାଏ ଗିନା ତୋଳି ଧରିଲେ ବୃଦ୍ଧାଙ୍ଗୁଷ୍ଟି ତଳେ ଓ ତହୁଁ ଝରିଆସିଲା ପାତ୍ରପୂର୍ଣ୍ଣ ଅଳତା । କହିଲେ, “ଉତ୍ତର ଦିଗକୁ ଯା । ସେଠି ବସନ୍ତ ମାତିଛି । ଲୋକଙ୍କ ମୁଣ୍ଡରେ ଏଥିରୁ ଟୋପାଏ ଲେଖେ ଲଗେଇଦେଲେ ଭଲ ହୋଇଯିବ ବ୍ୟାଧି ଓ ଖୁସିରେ ସେମାନେ ଯାହା ଦେବେ ତୋର ଦୁଃଖ ମୋଚନ ହେବ ସେଥିରେ ।”

ଥର ଥର ହାତରେ ଗିନାଟିକୁ ନେଇ ମୁଣ୍ଡରେ ମାରିଲା ମୋ’ ପୂର୍ବଜ ଜଣକ ଓ ପ୍ରଣାମ କଲା ଆଖିବୁଜି । କିନ୍ତୁ ଆଖି ଖୋଲିଲା ବେଳକୁ ମା’ ନଥିଲେ । କେବଳ ଏକ କନକ ଦ୍ୟୁତି ଦିଶୁଥିଲା ଦୂରରେ । ବାୟୁମଣ୍ଡଳ ପୂରିଥିଲା ଦିବ୍ୟ ସୁଗନ୍ଧରେ । ତା ପରେ ମୋ ସେ ପୂର୍ବପୁରୁଷଟି ଉତ୍ତରକୁ ଗଲା ଓ ଫେରି ଗୁଡ଼ାଏ ଜମିଜମା କିଣି ସୁଖରେ ରହିଲା ।

ଏ କାହାଣୀର ସତ୍ୟତା ବିଷୟରେ ଗବେଷଣା କରିବାକୁ ମନ ଯାଇନି କେବେ । ହେଲେ ମୋ’ ମା’ ଚଣ୍ଡୀବୁଢ଼ୀ ଠାକୁରାଣୀର ଖଣ୍ଡିତ ବିଗ୍ରହଟିକୁ ଦେଖିଲେ କେମିତି ଭାବରେ ଡୁବିଯାଏ ମନ । ବିଗତ ଆଗତ ଜୀବନର ପ୍ରତିଟି ଭାବକୋଷ କେମିତି ଏକ ବିଚିତ୍ର ପୀଡ଼ିତ ଆବେଗରେ ମନ୍ଥି ହୋଇଯାଏ । ହୃଦୟଭେଦୀ ମୁହଁରୁ ବାହାରି ଆସେ ଏକ ଶବ୍ଦ କେବଳ . . ମୋ ମା’ . . 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago