ଲେଖା: ଦେଵ ତ୍ରିପାଠୀ

ତ୍ରୟୋଦଶ ଶତାବ୍ଦୀର କଥା ।

ବଙ୍ଗର ନବାବ ଗିୟାସୁଦ୍ଦିନ୍ ଖିଲିଜିକୁ ଦମନ କରିବା ଲକ୍ଷ୍ୟ ନେଇ ସୈନ୍ୟବଳ ସହ ଆଗେଇଲେ ଓଡ଼ିଶାର ବୀରାଧିବୀରବର ବୀରଶ୍ରୀ ଗଜପତି ତୃତୀୟ ଅନଙ୍ଗଭୀମ ଦେବ ! ଜଳପଥରେ ଆଗେଇବା ପୂର୍ବରୁ ଠାକୁରାଣୀଙ୍କ ଆଶୀର୍ବାଦ ନେବାକୁ ଭୁଲି ନଥିଲେ ଗଜପତି ! ସେଇ ଐତିହାସିକ ବିଜୟ ଯେ ଠାକୁରାଣୀଙ୍କ ଆଶୀର୍ବାଦ-ସମ୍ଭୁତ, ଏ ଧାରଣା ଜନଜୀବନରେ ବଦ୍ଧମୂଳ ହୋଇରହିଛି ସେବେଠାରୁ ! ସେଇ ଠାକୁରାଣୀ ଆମର ଆଧୁନିକ ବନ୍ଦର ଧାମରାର ଇଷ୍ଟଦେବୀ ମା’ ଧାମରାଈ ।

                                                       (ମା’ ଧାମରାଈ ମନ୍ଦିର)

ଭଦ୍ରକ ନଗରୀରୁ ୮୫ କି.ମି. ଦୂରରେ ଚାନ୍ଦବାଲି ବ୍ଲକରେ ପବିତ୍ର ବୈତରଣୀ ଓ ବ୍ରାହ୍ମଣୀ ନଦୀର ମିଳିତ ସ୍ରୋତର ମୁହାଁଣରେ ସ୍ଥାପିତ ମା’ ଧାମରାଈଙ୍କ ମନ୍ଦିର । ନଦୀପାର୍ଶ୍ଵର ବିଶାଳ ମନ୍ଦିରରେ ସାଗରଦୁଲଣୀ ମା’ ଲକ୍ଷ୍ମୀଙ୍କ ଭଗ୍ନୀଭାବେ ବିରାଜିତା ମା’ ଧାମରାଈ ଧାମରାର ଧୀବର ସମ୍ପ୍ରଦାୟଙ୍କ ସହିତ ଆଖପାଖ ଅଞ୍ଚଳର ବାସିନ୍ଦାଙ୍କ ଜୀବନରେ ପ୍ରଭାବ ବିସ୍ତାର କରିଛନ୍ତି ।

ବିଶ୍ୱାସ ରହିଛି, ପ୍ରତ୍ୟେକ ଧୀବରଙ୍କ ନଉକାରେ ବିରାଜିଥା’ନ୍ତି ମା’ ଧାମରାଈ ! ଅତଳ ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ଧୀବରମାନଙ୍କୁ ବିପଦ ଆପଦରେ ସାହା ହୋଇଥା’ନ୍ତି ମା’ ! ଭାବାବିଷ୍ଟ ଧୀବରମାନେ ସେଥିପାଇଁ ଭକ୍ତିଭରେ ଗାଇଥା’ନ୍ତି:

“ଧାମରାଈ ମା’ ଧାମରାଈ
ବସିଅଛୁ ବୈତରଣୀ କୂଳେ ବାନା ଉଡ଼ାଇ,
ମୋ ବିପଦଆପଦେ ସାହା ସବୁ ଲୋ ତୁହି
ତୋତେ ସୁମରଣା କରି ଡ଼ଙ୍ଗା ନେଇଯାଏ ବାହି,
ମଝି ଦରିଆ ଭିତରେ ଝଡ଼ବତାସରେ
ଛାଇ ପରି ଥିବୁ ରହି ଲୋ ମା’ ଧାମରାଈ ।।”

(ମା’ ଧାମରାଈ)

ସେଇ ଠାକୁରାଣୀଙ୍କ କୃପାରୁ ସେଦିନର ବୈତରଣୀ ନଦୀକୂଳରେ ଏକ ନିପଟ ଗାଁ ଆଜି ପରିଚିତ ହୋଇଛି ବନ୍ଦରନଗରୀ ଭାବେ ! ମା’ଙ୍କ ଆଶୀର୍ବାଦରୁ ଏଠାକାର ଦରିଦ୍ର ଧୀବରମାନଙ୍କର ହୋଇପାରିଛି ଆର୍ଥିକ ପ୍ରଗତି, ପ୍ରାଚୀନ ଧାମରା ମାଛଧରା ବନ୍ଦରଟିର ଶ୍ରୀବୃଦ୍ଧି ଘଟି ଆଜି ଦେଶର ଏକ ପ୍ରମୁଖ ବନ୍ଦରଭାବେ ରାଜ୍ୟକୁ କରିପାରିଛି ଗର୍ବିତ ଓ ଗୌରବାନ୍ଵିତ !

କହିବା ବାହୁଲ୍ୟ, ଓଡ଼ିଶାର ବନ୍ଦର ଓ ବାଣିଜ୍ୟ ପାଇଁ ଯେଉଁ ଦେବୀଙ୍କର ଏତେ ନାଁ ଡ଼ାକ, ସେ ଦେବୀଙ୍କର ସମ୍ପୃକ୍ତି ରହିଛି ଉତ୍କଳୀୟ ନୌବାଣିଜ୍ୟ ସହିତ । କିମ୍ବଦନ୍ତୀ କହେ, କଳିଙ୍ଗର ସାଧବମାନଙ୍କ ହାତରେ ହିଁ ସୁଦୂର ସିହଂଳଦେଶରୁ ମା’ ଆସିଛନ୍ତି ଏ ଭୂଖଣ୍ଡକୁ !

ଜନଶ୍ରୁତି କହେ, କଳିଙ୍ଗ ସାଗର କୂଳରେ ସାତଭାୟା (ଏବର କେନ୍ଦ୍ରାପଡ଼ା ଜିଲ୍ଲା) ଗ୍ରାମରେ ଏକଦା ପୂଜା ପାଉଥିଲେ ସପ୍ତମାତୃକା ଦେବୀ ‘ସପ୍ତବରାହୀ’ । ତେବେ ସର୍ବଦା କଳହରେ ମାତି ରହୁଥିବା ସାତ ଭଉଣୀଙ୍କ ମଧ୍ୟରେ ଦିନେ କଳହ ସୀମା ଟପେ, ଏବଂ ପାଞ୍ଚଭଉଣୀ ମିଶି ଅନ୍ୟ ଦୁଇ ଭଉଣୀଙ୍କୁ ସମୁଦ୍ର ଗର୍ଭକୁ ଠେଲିଦିଅନ୍ତି ! ସମୁଦ୍ରରେ ଭାସିଭାସି ଧାମରା ମୁହାଣରେ ପହଞ୍ଚିଥିବା ଦୁଇ ଭଉଣୀ ଥିଲେ ମା’ ଧାମରାଈ ଓ ମା’ ମଙ୍ଗଳା । ସେଇଦିନୁ ଧାମରାରେ ପୂଜା ପାଇଆସୁଛନ୍ତି ଏ ଦୁଇ ଠାକୁରାଣୀ, ସାତଭାୟାରେ ପୂଜା ପାଉଛନ୍ତି ପାଞ୍ଚଭଉଣୀ ପଞ୍ଚୁବରାହୀ ଭାବେ ! ଆଜି ମଧ୍ୟ ସାତଭାୟାର ପଞ୍ଚୁବରାହୀ ମନ୍ଦିରରେ ଶୋଭିତ ସାତଟି ଆସନ ମଧ୍ୟରୁ ଦୁଇଟି ରିକ୍ତ !

                                                                                           (ପଞ୍ଚୁବରାହୀ)

ତେବେ ସାତଭାୟାରୁ ଭାସି ଆସିଥିବା ଦୁଇ ଭଉଣୀ ବୈତରଣୀ ନଦୀ ଗର୍ଭରେ ଲୀନ ହୋଇଥିଲେ ! ‘ଧାମରାଈ ଜୋର’ରେ ଧୀବରମାନଙ୍କ ଜାଲରେ ମିଳିଥିଲେ ଦୁଇ ଭଉଣୀ । କେବଳ ବିଧବା ଧୀବରୁଣୀମାନେ ପୂଜା କରିପାରିବେ ବୋଲି ଆଦେଶ ଥିଲା ମା’ ଧାମରାଈଙ୍କର ! ‘ସଖି’‘ମଖୀ’ ନାମ୍ନୀ ଧୀବରୁଣୀଦ୍ଵୟଙ୍କ ଦ୍ଵାରା ପ୍ରଥମେ ପୂଜିତ ହୋଇଥିବା ଧାମରାଈ ଆଜି ପର୍ଯ୍ୟନ୍ତ ଧୀବର ସମ୍ପ୍ରଦାୟର ବିଧବାଙ୍କ ହାତରେ ପୂଜା ପାଇଆସୁଛନ୍ତି !ଧୀବରମାନଙ୍କ ଉପାସ୍ୟ ଠାକୁରାଣୀ ମା’ ଧାମରାଈଙ୍କୁ ସବୁବର୍ଗର ଲୋକ ସୁଖଦୁଃଖରେ ଲୋଡ଼ନ୍ତି ନିଶ୍ଚୟ ! ଧାମରା ଏବଂ ଆଖପାଖ ଅଞ୍ଚଳର ଚଷାଭାଇଏ ନିଜର ପ୍ରଥମ ଅମଳକୁ ସଅଁପି ଦିଅନ୍ତି ମା’ଙ୍କୁ !

୧୯୮୫ ମସିହାରେ କନିକାରାଜା ରବୀନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ହାତରେ ପାବନକ୍ଷେତ୍ର ଧାମରାରେ ମା’ଙ୍କ ଭବ୍ୟ ଦେଉଳର ନିର୍ମାଣ ଆରମ୍ଭ ହୋଇ ୧୯୯୬ ମସିହାରେ ଶେଷ ହୋଇଥିଲା । ୧୯୯୮ ମସିହାରେ ରାଜାଙ୍କ ଦ୍ଵାରା ରତ୍ନବେଦୀ ସ୍ଥାପନା ପରେ ଦେଉଳକୁ ବିଜେ ହୋଇଥିଲେ ଠାକୁରାଣୀ ।

ତଥ୍ୟ ଆହରଣ: ଗୋନାସିକା ନନ୍ଦିନୀ ବୈତରଣୀ, ଡ଼ଃ ରଞ୍ଜନ ପ୍ରଧାନ;
ଭଦ୍ରକର ଦେବାଦେବୀ ପୀଠ, ସମ୍ପାଦନା: ରୁଦ୍ରମାଧବ ବାରିକ, ଭଦ୍ରକ

Images: PRAGATIBADI & Sheshadeba Biswal
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

21 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago