ଲେଖା: ଶିଶିର ସାହୁ ମନୋଜ
ମାଲକାନଗିରିର ନାମକରଣ ବାବଦରେ ଅନେକ ମତବାଦ ପ୍ରଚଳନରେ ଅଛି । ମାଲକାନଗିରିକୁ ମାଲ୍ୟଵନ୍ତଗିରି, ମଲ୍ଲିକ-ମର୍ଦ୍ଦନ ଗିରି, ମଲ୍ଲିକାର୍ଜୁନଗିରି ମଧ୍ଯ କୁହାଯାଏ । ନାମଭେଦରେ ତେଣୁ ଏଠାରେ ନାନାଦି ମତ ପ୍ରଚଳିତ ରହିଛି ।
★ମତଵାଦ ୧:
ଵନଵାସ ସମୟରେ ଶ୍ରୀରାମଚନ୍ଦ୍ର ଏଠାରେ ଏକ ଶୁଭ୍ର-ଶିଵଲିଙ୍ଗ ସ୍ଥାପନ କରି ତାକୁ ମଲ୍ଲିଫୁଲ ଦ୍ଵାରା ପୂଜା କରିଥିଲେ । ସେହି ଶିଵଲିଙ୍ଗ ପରଵର୍ତ୍ତୀକାଳରେ ମଲ୍ଲିକେଶ୍ଵରଦେଵ ଭାବେ ପରିଚିତ ହୋଇଥିଲେ । କୁହାଯାଏ ସେହି ଦେବଙ୍କର ଅଧିଷ୍ଠାନ କ୍ଷେତ୍ର ପରଵର୍ତ୍ତୀକାଳରେ ମଲିକେଶ୍ଵରଗିରି ନାମରେ ପ୍ରସିଦ୍ଧ ହୋଇ ଶେଷକୁ ମାଲକାନଗିରିରେ ନାମିତ ହୋଇଛି । ଏକଦା ମାଣିକେଶ୍ଵରୀ ଦେଵୀ ଓ ମଲ୍ଲିକେଶ୍ଵର ଦେଵଙ୍କ ପାଇଁ ମାଲକାନଗିରି ଆଖପାଖ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିବାର ପ୍ରମାଣ ଏ ଲୋକକଥାକୁ ଅଧିକ ସ୍ପଷ୍ଟ ବଳ ପ୍ରଦାନ କରୁଅଛି । ମଲ୍ଲିକେଶ୍ଵର ମହାଦେବଙ୍କର ଆସ୍ଥାନ ଏବେ ଚିତ୍ରକୋଣ୍ଡା ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ଏବଂ ଓଡ଼ିଶାର ଦ୍ଵିତୀୟ ଲିଙ୍ଗରାଜ ଭାବେ ପରିଚିତ ଅଟନ୍ତି ।
★ମତଵାଦ ୨:
କେହି କେହି କୁହନ୍ତି ପ୍ରାଚୀନ ମାଲ୍ୟଵନ୍ତଗିରି ନାମ ହିଁ ପରଵର୍ତ୍ତିତ ହୋଇ ମାଲକାନଗିରିର ନାମକରଣ ହୋଇଛି । ମାଲ୍ୟଵନ୍ତଗିରି ପୁରାଣ ଵିଶେଷତଃ ରାମାୟଣର ରାମଵନଵାସ ଅଧ୍ଯାୟରେ ପ୍ରମୁଖ ସ୍ଥାନର ଅଧିକାରୀ କହିଲେ ଅତ୍ୟୁକ୍ତି ହେବନାହିଁ । ରାମାୟଣ କୁହେ ଏଇଠି ରାମସୀତା ବନଵାସର କିଛି କାଳ କଟେଇ ଥିଲେ । ପୁଣି ଆଉ କେତେକ ପୌରାଣିକ କଥାନକ ତଥା ସ୍ଥାନୀୟ କୋୟା ପରମ୍ପରାରୁ ପାଣ୍ଡଵମାନେ ଏଠାରେ ଵନଵାସ କାଳ କାଟିଥିବା ଜଣାଯାଏ । ପୁରାଣ ଯୁଗରେ ମାଲ୍ୟଵନ୍ତଗିରି ସାଧାରଣତଃ “ମାଲ୍ୟଵାନ୍ ଗିରି” ନାମରେ ଖ୍ୟାତ ଥିଲା । ପୁରାଣରେ ଏହା ଇଳାବୃତ୍ତ ଓ କେତୁମାଳ ଵର୍ଷର ସୀମାପର୍ଵତ ତଥା ଏହାର ଵିସ୍ତୃତି ନୀଳପର୍ଵତ ଠାରୁ ନିଷଧ ପର୍ଵତ ଯାଏଁ ବୋଲି ଉଲ୍ଲେଖ କରାଯାଇଛି ।
ଓଡ଼ିଶାରେ ମାଲ୍ୟଵନ୍ତଗିରିର ପ୍ରସିଦ୍ଧି ଓ ଶ୍ରେଷ୍ଠତା ହେତୁରୁ ରାଧାନାଥ ରାୟ ତାଙ୍କ ମହାଯାତ୍ରା କାବ୍ୟରେ ଲେଖିଲେ,
“ଗରି-ମାଲ୍ୟଵନ୍ତ-
ଗିରି ମଧ୍ୟ ମଣି” ।
ମାଲ୍ୟଵନ୍ତଗିରିର ପ୍ରଶିଦ୍ଧି ଯୋଗୁଁ ତେଣୁ ତାହାର ନାମ ପରିଵର୍ତ୍ତନରୁ ମାଲକାନଗିରିର ନାମକରଣ ହୋଇଥିବା ଅନେକ ମତ ଦିଅନ୍ତି ।
★ମତଵାଦ ୩:
କେତେକଙ୍କ ମତରେ ଏଠାରେ ଏକ ସମୟରେ ଶାସନ କରୁଥିବା କିରାତରାଜ ମଲ୍ଲିକାର୍ଜୁନଙ୍କର ନାମରୁ ମାଲକାନଗିରିର ନାମକରଣ ହୋଇଛି । ପୁଣି ଆଉ କିଛି ଲୋକ କୁହନ୍ତି, କିରାତରାଜ ମଲ୍ଲିକାର୍ଜୁନଙ୍କୁ ନନ୍ଦପୁରର ରାଜା ପରାସ୍ତ କରି ଏ ଦେଶର ନାମ ମଲ୍ଲିକ-ମର୍ଦ୍ଦନ ଗିରି ରଖିଥିଲେ ଯାହା ପରେ ବଦଳି ମାଲକାନଗିରିର ନାମକରଣ ହୋଇଅଛି ।
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…