ମାଧୋ ସିଂହ

ଲେଖା: ଦେଵ ତ୍ରିପାଠୀ

୧୪ ଫେବୃଆରୀ, ୧୮୫୮ ମସିହା । ଶ୍ରୀଗିଡ଼ା ଘାଟି, ସମ୍ବଲପୁର-ନାଗପୁର ମାର୍ଗ ।

ଘାଟି ମଧ୍ୟରେ ନିଜର ପ୍ରତୀକ୍ଷିତ ଶତ୍ରୁକୁ ସମୂଳେ ବିନାଶ କରିବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି ସମ୍ବଲପୁର ସେନାଛାଉଣୀର କ୍ୟାପଟେନ ଆଇ. ସି. ବାର୍ଲୋ, ସୁସଜ୍ଜିତ ବ୍ରିଟିଶ ଓ ପାହାଡ଼ିଆ ସୈନ୍ୟସାମନ୍ତଙ୍କ ସହିତ ! ହୃଦୟରେ ଗ୍ଳାନି, ଅପମାନ, ହିଂସା, ଦ୍ୱେଷ ଓ ପ୍ରତିଶୋଧ ପରାୟଣତାର ଭାର ବୋହି ବୋହି !

ସମ୍ବଲପୁର ସମେତ ନାଗପୁର ସେନାଛାଉଣୀରେ ଆତଙ୍କର ଶିହରଣ ସୃଷ୍ଟି କରି ବ୍ରିଟିଶ ସରକାରଙ୍କ ଶାସନକୁ ଦୋହଲାଇ ଦେଇଥିବା ଶତ୍ରୁକୁ ବିନାଶ କରିବା ପାଇଁ କ୍ୟାପଟେନ ଆଜି ବଦ୍ଧପରିକର ! ନିଜର ସହକର୍ମୀ କ୍ୟାପଟେନ ଉଡବ୍ରିଜ୍’ଙ୍କ ସମେତ ସ୍ବତନ୍ତ୍ର ଟାଣୁଆ ସୈନିକମାନଙ୍କ ହତ୍ୟାର ପ୍ରତିଶୋଧ ନେବେ ସେ !

ଗୁପ୍ତଚରଠୁ ପ୍ରାପ୍ତ ସମ୍ବାଦ ଆଧାରରେ ଶ୍ରୀଗିଡ଼ା ଘାଟିକୁ ଚାରିପଟୁ ଘେରି ଆଗେଇ ଚାଲିଛନ୍ତି କ୍ୟାପଟେନ ବାର୍ଲୋଙ୍କ ବାହିନୀ, ଅତି ସନ୍ତର୍ପଣରେ !

କିନ୍ତୁ କାହାଁନ୍ତି ଶତ୍ରୁ ବାହିନୀ ! ଗୁପ୍ତଚରର ତଥ୍ୟ ଭୁଲ କି ଆଉ ? ରିକ୍ତହସ୍ତରେ ଫେରିପାରିବେନି କ୍ୟାପଟେନ ! ହାରି ପାରିବେନି ସେ ! ଉଭୟ ସେନାଛାଉଣୀ ସମେତ ବଡ଼ଲାଟଙ୍କ ନିକଟରେ ସେ ଅପାରଗ ବୋଲି ପ୍ରମାଣିତ ହୋଇ ପାରିବେନି କେବେ !

ତେବେ କ୍ୟାପଟେନ ବାର୍ଲୋଙ୍କୁ ସ୍ବାଗତ କରିବା ପାଇଁ ପାହାଡ଼ ଶୀର୍ଷରେ ଗଛଗୁଡ଼ିକ ଅପେକ୍ଷା କରିଥିଲେ, କ୍ୟାପଟେନ ଉଡବ୍ରିଜ୍’ଙ୍କ ସମେତ ଭାରତୀୟ ତଥା ବ୍ରିଟିଶ ସୈନିକମାନଙ୍କ କଟାମୁଣ୍ଡସବୁକୁ ଧରି ! କଟାମୁଣ୍ଡ ଗୁଡ଼ିକର ପାଟିରେ ଭର୍ତ୍ତି କରାଯାଇଥିଲା ସେଇ ମୃତବ୍ୟକ୍ତିର ଗୁପ୍ତାଙ୍ଗ ! ମୁଣ୍ଡବିହୀନ ଉଲଗ୍ନ ଶବଗୁଡ଼ିକ ଗଛ ଶାଖାରେ ଛିଡ଼ା ହେବା ପରି ଅବସ୍ଥାରେ ବନ୍ଧା ହୋଇଥିଲେ !

କି ବିଭତ୍ସ ସେ ଦୃଶ୍ୟ !

ଶିହରି ଉଠିଲେ କ୍ୟାପଟେନ ବାର୍ଲୋ ! ମାନସିକ ସ୍ତରରେ ହାରି ଯାଇଥିଲେ ସେ !

ପାହାଡ଼ ଉପରୁ କ୍ୟାପଟେନ ଉଡବ୍ରିଜ୍’ଙ୍କ ସମେତ ସୈନ୍ୟମାନଙ୍କ ମୁଣ୍ଡବିହୀନ ଶବଗୁଡ଼ିକୁ ଘୋଡ଼ା ପିଠିରେ ଲଦି ଓହ୍ଲାଇ ଆସୁଥିଲେ ବାର୍ଲୋ ଓ ତାଙ୍କ ବାହିନୀ !

ତେବେ ବ୍ରିଟିଶ ଗୁପ୍ତଚର ଭୁଲ ତଥ୍ୟ ଦେଇ ନ ଥିଲେ ! ପାହାଡ଼ର ପାଦଦେଶରେ ଛପି ରହିଥିବା ଶତ୍ରୁସୈନ୍ୟଙ୍କ ଅତର୍କିତ ଆକ୍ରମଣରେ ଆତ୍ମରକ୍ଷାର ସୁଯୋଗ ପାଇ ନ ଥିଲେ ବାର୍ଲୋଙ୍କ ସେନା ! ଅଗତ୍ୟା ଅଧିକାଂଶ ଜୀବନ ହାରିଲେ !

ଆତ୍ମଗ୍ଲାନି ଓ ଅନୁଶୋଚନାରେ ଅର୍ଦ୍ଧମୃତ ବାର୍ଲୋଙ୍କୁ କ୍ୟାପଟେନ ଉଡବ୍ରିଜ୍ ଓ ସମସ୍ତ ମୃତସୈନିକଙ୍କ କଟାମୁଣ୍ଡ ଓ ଖଣ୍ଡବିଖଣ୍ଡିତ ଶରୀରଗୁଡ଼ିକୁ ଘୋଡ଼ା ପିଠିରେ ଲଦି ସମ୍ବଲପୁର ଲେଉଟିଗଲେ ବାର୍ଲୋବାହିନୀର ହାତଗଣତି ସୈନ୍ୟ !

ତେବେ କ୍ୟାପଟେନ ବାର୍ଲୋଙ୍କ ସେଇ ପ୍ରତୀକ୍ଷିତ ଶତ୍ରୁ କିଏ ଥିଲେ ?

କି ଦୋଷ କରିଥିଲେ କ୍ୟାପଟେନ ଉଡବ୍ରିଜ୍ ଓ ତାଙ୍କ ସେନା ?

କାହିଁକି ଅବତାରଣା କରାଗଲା ଏପରି ବିଭତ୍ସ ଗଣହତ୍ୟା ?

କ’ଣ ଥିଲା ସେ ବିଭତ୍ସ ହତ୍ୟାକାଣ୍ଡର ପୃଷ୍ଠଭୂମି ?

କେଉଁ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ଥିଲେ ଏ ଘଟଣାର ନାୟକ ?

ବ୍ରିଟିଶ ସେନା ସହିତ ସ୍ବାର୍ଥପର ଭାରତୀୟ ସୈନ୍ୟଙ୍କ ରକ୍ତରେ ହୋରି ଖେଳିବାର ପଣ କରିଥିବା ସେ ମହାଯୋଦ୍ଧା ଜଣକ କିପରି ରଚିଥିଲେ ଏଇ ସଂଗ୍ରାମର ରୂପରେଖ ?

ଇଏ ଆମ ମାଟିର ଜଣେ ମହାସଂଗ୍ରାମୀଙ୍କ ବୀରତ୍ୱ, ଶୌର୍ଯ୍ୟ ଓ ଗାରିମାର ଗାଥା !

ବିଶ୍ଵ ଇତିହାସକୁ ଅନୁଶୀଳନ କଲେ ଜଣାଯାଏ ଯେ ପ୍ରତ୍ୟେକ ଦେଶ, ପ୍ରତ୍ୟେକ ଜାତି ସ୍ବାଧୀନତା ପାଇଁ ରକ୍ତସ୍ନାନ କରିଛି । ସେଥିପାଇଁ କୁହାଯାଏ ଵୀରଭୋଗ୍ୟା ବସୁନ୍ଧରା, ଅର୍ଥାତ ଵୀର ହିଁ ଧରିତ୍ରୀକୁ ଭୋଗ କରେ । ଏଥିପାଇଁ ରକ୍ତାକ୍ତ ହୋଇ ଜୟଲକ୍ଷ୍ମୀଙ୍କୁ ଆଣିବାକୁ ହୁଏ, ଅନ୍ୟଥା ରଣଯଜ୍ଞରେ ନିଜକୁ ଆହୂତି ଦେବାକୁ ପଡ଼ିଥାଏ । ସେମିତି ଏକ ରଣଯଜ୍ଞ ଅନୁଷ୍ଠିତ ହୋଇଥିଲା ଓଡ଼ିଶାମାଟିର ଅନନ୍ୟ ରକ୍ତପୀଠ ଘେଁସ ଠାରେ ।

ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବର ଇତିହାସ ରଚିଥିବା ୧୮୫୭ ମସିହାର ସେଇ ରକ୍ତଯଜ୍ଞର ପୁରୋଧା ଥିଲେ ଅସୀମ ପରାକ୍ରମୀ, ଦୁଃସାହସୀ, ସ୍ବାଧୀନଚେତା ଵୀର, ପ୍ରଜାବତ୍ସଳ ଜମିଦାର ମାଧବ ସିଂହ ବରିହା ! ଲୋକମୁଖରେ ପରିଚିତ ଥିଲେ ମାଧ ସିଂହ, ଐତିହାସିକଙ୍କ ପାଇଁ ଥିଲେ ସେ ମାଧୋ ସିଂହ !

 

ଭାରତର ଅନ୍ୟାନ୍ୟ ରାଜାମହାରାଜା ଭବ୍ୟ ଉଆସ ନିର୍ମାଣ କରି ଚଳୁଥିବା ବେଳେ ପ୍ରଜାମଙ୍ଗଳକାରୀ ଭାବେ ନାଁ ଡାକ ଥିବା ଘେଁସ ଜମିଦାର ଏକ ସାଧାରଣ ପ୍ରଜା ପରି ଜୀବନ ଜୀଉଁଥିଲେ ! ମାଟି ତିଆରି ନଡ଼ା ଛପର ଘର ! ପୁନିଅଁପରବ ବାଦ ଅନ୍ୟ ଦିନଗୁଡ଼ିକରେ ମୋଟା ଧୋତି, ମୋଟା ଚାଦର, ମସ୍ତକରେ ରାଜମୁକୁଟ ପରିବର୍ତ୍ତେ ଏକ ସାଧାରଣ ପାଗ ଭିଡ଼ୁଥିଲେ ! ବାପଅଜା ଚଉଦପୁରୁଷର ନୀତି ପରି ପ୍ରଜାମାନଙ୍କ ଶୋଷଣକୁ ପାପ ବୋଲି ମନେ କରୁଥିଲେ ଜମିଦାର ମାଧୋ ସିଂହ !

ମାତ୍ର ସମୟକ୍ରମେ ଇଂରେଜମାନଙ୍କର ପ୍ରଜାମାନଙ୍କୁ ଶୋଷଣ ଓ ଅତ୍ୟାଚାରରେ ଅତିଷ୍ଠ ଓ ମ୍ରିୟମାଣ ହୋଇପଡୁଥିଲେ ସେ । ବିଚକ୍ଷଣ ତଥା ପରିଣାମଦର୍ଶୀ ମାଧୋ ସମ୍ବଲପୁର ଓ ଆଖପାଖ ଅଞ୍ଚଳରୁ ‘ବେନ୍ଦରା’ ଗୋରା ସାହେବମାନଙ୍କୁ ତଡ଼ିବା ନିମନ୍ତେ ଅନୁଭବ କରୁଥିଲେ ବିବେକର ତାଗଡ଼ା ଦଂଶନ ! କିନ୍ତୁ ସେ କଳିପାରିଥିଲେ ବ୍ରିଟିଶ ସରକାରର ଶକ୍ତି ଓ ଶସ୍ତ୍ରକୁ !

ନିଜକୁ ସଶକ୍ତ କରିବାକୁ ଆରମ୍ଭ କଲେ ମାଧୋ ସିଂହ ! ପାଖରେ ଅସ୍ତ୍ର ସିନା ନ ଥିଲା, ଥିଲା କିନ୍ତୁ ପ୍ରଚଣ୍ଡ ବ୍ୟକ୍ତିତ୍ଵ, ନେତୃତ୍ବର ସାମର୍ଥ୍ୟ ! ବ୍ରିଟିଶ ବାହିନୀ ବିପକ୍ଷରେ ସଂଗ୍ରାମ ଚଳାଇବା ଲକ୍ଷ୍ୟରେ ରାଜବୋଡା଼ ସମ୍ବର, କେଶେଇପାଲି, ଭେଡ଼େନ ଇତ୍ୟାଦି ଅଞ୍ଚଳରେ ବିପ୍ଳବର ମଞ୍ଜି ବୁଣି ଚାଲିଲେ ! ମାଧୋ ସିଂହଙ୍କ ବ୍ୟକ୍ତିତ୍ଵରେ ପ୍ରଭାବିତ ହୋଇ ତାଙ୍କ ସହିତ ହାତ ମିଳାଇଲେ କରୋଣ୍ଡଲା, ବାମଣ୍ଡା, କୁମ୍ଭାରବନ୍ଧ, କୁସେଇକେଲା, କୋଡାବଗା, ଲଖନପୁର, ପଦ୍ମପୁର ଚନ୍ଦ୍ରପୁର, ପତ୍ରାପାଲି ସୋନାଖାନ, ଲଏଡ଼ା, ମୁଡେମହୁଲ ଅଞ୍ଚଳର ଜମିଦାରଗଣ । ପରୋକ୍ଷରେ ସମର୍ଥନ କଲେ ନୁଆଁଗଡ଼ର ରାଜା ଉମରାଓ ସାଏ ଏବଂ ଖଡ଼ିଆଳର ମହାରାଜା କୃଷ୍ଣଚନ୍ଦ୍ର ଦେବ !

୧୮୫୭ ମସିହା ଜୁଲାଇ ୩୦ ତାରିଖ । ଅଞ୍ଚଳର ଅନ୍ୟତମ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସୁରେନ୍ଦ୍ର ସାଏ ନିଜର ଭାଇମାନେ ଓ ସାଥୀମାନଙ୍କ ସହ ହଜାରୀବାଗ ଜେଲ ଭାଙ୍ଗି ଫେରିଆସୁଥିଲେ ସମ୍ବଲପୁରକୁ । ବ୍ରିଟିଶ ସରକାରଙ୍କ ଛାଉଣୀରେ ଆତଙ୍କର ବାତାବରଣ ! ବିଶ୍ୱାସଘାତୀମାନଙ୍କ ସହିତ ବ୍ରିଟିଶ ସରକାରଙ୍କ ଟାଣୁଆ ଅଫିସରଙ୍କୁ ସମୂଳେ ବିନାଶ କରିବା ଉଦ୍ଦେଶ୍ୟରେ ସମ୍ବଲପୁରରୁ ଖଡ଼ିଆଳ ଏବଂ ନୁଆଁଗଡ଼ ପର୍ଯ୍ୟନ୍ତ ବିଶାଳ ଅଞ୍ଚଳରେ ଭୟାବହ ସଂଗ୍ରାମର ଯୋଜନାରେ ଲାଗିପଡି଼ଥିଲେ ସୁରେନ୍ଦ୍ର । ତେବେ ଏତେ ବଡ଼ ଯୁଦ୍ଧ ପାଇଁ ଯେ ସ୍ଥାନୀୟ ଜମିଦାର କିମ୍ବା ଗୌନ୍ତିଆମାନଙ୍କ ଅର୍ଥ ଓ ଲୋକବଳର ସାହାଯ୍ୟ ବିନା ସୁରେନ୍ଦ୍ର ଆଗେଇ ପାରିବେ ନାହିଁ, ଏ କଥା ଭଲଭାବେ ବୁଝି ପାରିଥିଲେ ବ୍ରିଟିଶ ସରକାର ।

ପୁନଃ ସ୍ଥାନୀୟ ଜମିଦାର, ଗୌନ୍ତିଆମାନଙ୍କ ଉପରେ ଉଲ୍ଲେଖନୀୟ ପ୍ରଭୁତ୍ୱ ବିସ୍ତାର କରିପାରିଥିବା ମାଧୋ ସିଂହଙ୍କ ସହାୟତାର ହାତ ଯଦି ସୁରେନ୍ଦ୍ର ବାହିନୀ ପ୍ରତି ଲମ୍ବିଯାଏ, ତେବେ ସୁରେନ୍ଦ୍ର ଉଲଗୁଲାନକୁ ଦମନ କରିବା ବ୍ରିଟିଶ ସରକାର ପକ୍ଷେ ଅସମ୍ଭବ ହୋଇପଡି଼ବ !


ବ୍ରିଟିଶ ସରକାର ତୀକ୍ଷ୍ଣ ଦୃଷ୍ଟି ରଖିଥିଲେ ମାଧୋ ସିଂହ ଏବଂ ସୁରେନ୍ଦ୍ର ସାଏ ଯେପରି ହାତ ନ ମିଳାନ୍ତି, ଏକତ୍ରିତ ନ ହୁଅନ୍ତି ! ସେପଟେ ମାଧୋ ସିଂହ ଚାହୁଁଥିଲେ ସମ୍ବଲପୁରରୁ ଖଡ଼ିଆଳ ଏବଂ ବିନ୍ଦ୍ରା-ନୂଆଁଗଡ଼ ପର୍ଯ୍ୟନ୍ତ ଜମିଦାର କିମ୍ବା ସମସ୍ତ କ୍ଷତ୍ରିୟ ଶକ୍ତିର ସହଯୋଗ ମିଳୁ ସୁରେନ୍ଦ୍ର ବାହିନୀକୁ, ସୁରେନ୍ଦ୍ର ସାଏଙ୍କ ପ୍ରତି କୌଣସି ବିପତ୍ତିର ଆଶଙ୍କା ନ ରହୁ ବ୍ରିଟିଶ ସରକାରଙ୍କ ଠାରୁ !

ବ୍ରିଟିଶ ସରକାରଙ୍କ ସମସ୍ତ ଚକ୍ରବ୍ୟୁହକୁ ଭେଦ କରି ସୁରେନ୍ଦ୍ର ସମ୍ବଲପୁରରେ ମାଧୋ ସିଂହଙ୍କ ନିକଟରେ ପହଞ୍ଚିଗଲେ, ସେପ୍ଟେମ୍ବର ଶେଷ ସପ୍ତାହରେ । ସୁରେନ୍ଦ୍ରଙ୍କ ପାଇଁ ଲାଭକାରୀ ହେଲା ମାଧୋଙ୍କ ଲୋକବଳ ! ମାଧୋଙ୍କୁ ମିଳିଗଲା ସୁଯୋଗ, ବଢ଼ିଲା ମନୋବଳ, ହୋଇଉଠିଲେ ସେ ଯୁଦ୍ଧମୁହାଁ ! ଭାରତୀୟ ମୁକ୍ତି ସଂଗ୍ରାମର ଦୁଇ ମହାଯୋଦ୍ଧା ହାତ ମିଳାଇ ରଚିବାକୁ ଯାଉଥିଲେ ଭୟଙ୍କର ରକ୍ତଯଜ୍ଞ !

ଆଶ୍ୱିନ ମାସ, ବିଜୟା ଦଶମୀ ।

ଅସତ୍ୟ ଉପରେ ସତ୍ୟର ବିଜୟପ୍ରାପ୍ତିର ଦିବସ । ଘେଁସର ଅଧିଷ୍ଠାତ୍ରୀ ତଥା ନିଜର ଇଷ୍ଟଦେବୀ ପାଟମେଶ୍ୱରୀଙ୍କ ନିକଟରେ ହାତୀ (ହଟ୍ଟେ) ସିଂହ, କୁଞ୍ଜଳ ସିଂହ, ବୈରୀ ସିଂହ ଇତ୍ୟାଦି ପୁତ୍ରସନ୍ତାନଙ୍କ ସମେତ ଶତାଧିକ ଯୋଦ୍ଧାଙ୍କ ସହ ମିଶି ପୂଜା କରି ଅଗ୍ନିଶପଥ ନେଲେ ମାଧୋ ସିଂହ – ଶତ୍ରୁର ରକ୍ତ ଅର୍ପଣ ନ କରିବା ପର୍ଯ୍ୟନ୍ତ ଅନ୍ନ ସ୍ପର୍ଶ କରିବେ ନାହିଁ ! ଧୂପଦୀପର ପ୍ରମତ୍ତ ମହକରେ ଶହ ଶହ ମଶାଲ ଯାତ୍ରାରେ ଅସ୍ତ୍ରଶସ୍ତ୍ର ସୁସଜ୍ଜିତ ଯୋଦ୍ଧାମାନଙ୍କୁ ନାରୀମାନଙ୍କ ହୁଳହୁଳି ଓ ଜୟଧ୍ୱନିରେ ସିନ୍ଦୂର ଓ କଳା ଦହନା ପିନ୍ଧାଇ ସମ୍ବଲପୁର ପ୍ରେରଣ କଲେ !

ଉକ୍ତଦିନ ସମ୍ବଲପୁର ସ୍ଥିତ ବରମପୁରା ଦେବୀ ମନ୍ଦିରରେ ସୁରେନ୍ଦ୍ର ବାହିନୀର ଯୋଦ୍ଧାମାନେ ଇଂରେଜମାନଙ୍କୁ ଦେଶରୁ ତଡି଼ବା ପର୍ଯ୍ୟନ୍ତ ଶରୀରର ଶେଷ ରକ୍ତବିନ୍ଦୁ ନିଗାଡି଼ବା ଯାଏଁ ଯୁଦ୍ଧ ଜାରି ରଖିବା ପାଇଁ ନେଲେ ଅଗ୍ନିଶପଥ !

ବିପ୍ଳବ ମହାଅଗ୍ନିର ଶିଖାଟିଏ ଜଳିବାକୁ ଆରମ୍ଭ କରୁଥିଲା ସମ୍ବଲପୁର ମାଟିରେ . . !

ଦୁଇ ମହାଶକ୍ତିର ସହବନ୍ଧନରେ ବିପ୍ଳବର ଯେଉଁ ମହାଅଗ୍ନି ଜଳି ଉଠିଥିଲା ସମ୍ବଲପୁର ମାଟିରେ, ସେ ନିଆଁର ପ୍ରଥମ ଝାସରେ ହିଁ ଭୟଭୀତ ହୋଇ ଉଠିଲେ ଶତ୍ରୁପକ୍ଷ ! ମାଧୋ-ସୁରେନ୍ଦ୍ର-ସେନାର ହଜାର ହଜାର ବିପ୍ଳବୀ ଯେ ଅକ୍ଳେଶରେ ଅକ୍ତିଆର କରିନେଲେ ଜୁହ୍ନାଜିଲ୍ଲା, ସେଥିରେ ପ୍ରମାଦ ଗଣିଲେ ସମ୍ବଲପୁର କମିଶନର R.T.Lay !

ମାଧୋ-ସୁରେନ୍ଦ୍ର ଯୋଡ଼ିକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ସର୍ବଦା Divide and Rule ନୀତିରେ ଚାଲୁଥିବା ବ୍ରିଟିଶ ସରକାର ମାଧୋ ସିଂହଙ୍କ ଅନୁଗାମୀ ଗୋଷ୍ଠୀଙ୍କ ମଧ୍ୟରେ ସନ୍ଦେହର ବୀଜ ଶୁଣିବାରେ ଲାଗିଥାନ୍ତି । ବାରମ୍ବାର ବିଫଳ ହେବା ପରେ ସୁରେନ୍ଦ୍ରଙ୍କୁ ଧରାଇ ଦେବା ବଦଳରେ ବିପୁଳ ଅର୍ଥରାଶିର ପୁରସ୍କାର ଘୋଷଣା କରିବାକୁ ମଧ୍ୟ ପଛାଇ ନ ଥିଲେ ସରକାର ! 

କପଟୀ କମିଶନର ଲେ ଦିନେ ସୁରେନ୍ଦ୍ରଙ୍କ ସହ ସନ୍ଧି କରି ରାଜଗାଦି ଫେରାଇ ଦେବାର ଛଳନାପୂର୍ଣ୍ଣ ଘୋଷଣାଟିଏ କରିଦେଲେ ! ରାଜଗାଦି ପାଇଁ ସୁରେନ୍ଦ୍ର ଲାଳାୟିତ ନ ଥିଲେ ମଧ୍ୟ ଅନୁଗାମୀମାନେ ତାଙ୍କୁ ରାଜା ଭାବେ ଦେଖିବା ଆଶାରେ ଭଳିଯାଇ ସଂଗ୍ରାମରୁ ବିରତ ହେଲେ !

ଇତିମଧ୍ୟରେ ଧୂର୍ତ୍ତ କ୍ୟାପଟେନ ଲେ ରାୟପୁରରୁ Captain Hadosunଙ୍କୁ ଡ଼କାଇ ସାରିଥିଲେ । ଅନ୍ୟ ଏକ ଉଦ୍ଦେଶ୍ୟରେ ବାହାରିଥିବା ମାନ୍ଦ୍ରାଜ ରେଜିମେଣ୍ଟର Captain Batesଙ୍କୁ ମଧ୍ୟ ସମ୍ବଲପୁର ଠାରେ ରୋକି ଦେଇଥିଲେ ସେ ! ରାମଗଡ଼ରୁ ଆସିଥିଲେ ୩୦ ଜଣ ସ୍ବତନ୍ତ୍ର ତାଲିମପ୍ରାପ୍ତ ସୈନ୍ୟ ! ଏମାନଙ୍କ ସହ ବସ୍ତର ଅଞ୍ଚଳର ଜମିଦାର ହରନାଥ ସିଂହ !

ଅର୍ଥ ଓ ପଦବୀର ଲାଳସାରେ ଜଣେ ବ୍ରିଟିଶ ବାହିନୀ ହାତରେ ଧରାଇଦେଲା ସୁରେନ୍ଦ୍ରଙ୍କୁ ! ରାତ୍ରକାଳରେ ଆଖିବୁଜା ଗୁଳିଚାଳନା ସହ ବିପ୍ଳବୀମାନଙ୍କୁ ମୃତାହତ କରାଇ ବିପୁଳ ଅସ୍ତ୍ରଶସ୍ତ୍ର ଅକ୍ତିଆର କରିନେଲେ ବ୍ରିଟିଶବାହିନୀ ।

ମହାପରାକ୍ରମୀ ସୁରେନ୍ଦ୍ରଙ୍କୁ ବନ୍ଦୀଜନିତ ଖୁସିରେ ଆତ୍ମହରା ବ୍ରିଟିଶ ବାହିନୀର ବିଚକ୍ଷଣ କ୍ୟାପଟେନଦ୍ଵୟ ଭୁଲିଯାଇଥିଲେ ମାଧୋ ସିଂହଙ୍କ ପରାକ୍ରମ ଅନନ୍ୟ ଯୁଦ୍ଧଶୈଳୀକୁ ! ବ୍ରିଟିଶବାହିନୀ ପାଇଁ ମୃତ୍ୟୁଦୂତ ସାଜି, ବୁଢ଼ାରଜା ପାହାଡ଼ ମଧ୍ୟରେ ଅପେକ୍ଷା କରିଥିଲେ ମାଧୋ-ବାହିନୀର ଅସ୍ତ୍ରଶସ୍ତ୍ର ସୁସଜ୍ଜିତ ୧୫୦୦ ବିପ୍ଳବୀ ସୈନ୍ୟ ! ଆତ୍ମରକ୍ଷାର କୌଣସି ସୁଯୋଗ ନ ପାଇ ଦୁଇ କ୍ୟାପଟେନ୍’ଙ୍କ ସହ ବଳିପଡ଼ିଥିଲେ ବ୍ରିଟିଶ ସେନା ! ୧୮୫୭ ମସିହା ଅକ୍ଟୋବର ୩୦ ତାରିଖ ରାତ୍ରିର ସେ ଯୁଦ୍ଧ ଥିଲା ସମ୍ବଲପୁର ମାଟିରେ ସ୍ବାଧୀନତାର ପ୍ରଥମ ଯୁଦ୍ଧ ! ମାଧୋ-ବାହିନୀ କବଳରୁ ଦୈବାତ ଯେଉଁ ବ୍ରିଟିଶ ସୈନ୍ୟ ଖସିଯାଉଥିଲେ, ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ବିଭତ୍ସ ଭାବେ ହତ୍ୟାକରୁଥିଲେ ବିପ୍ଳବୀଗଣ ! ସୁରେନ୍ଦ୍ରଙ୍କୁ ବ୍ରିଟିଶ ବାହିନୀ ହାତରୁ ମୁକୁଳାଇ ସୁରକ୍ଷିତ ସ୍ଥାନକୁ ପଠାଇବାରେ ସକ୍ଷମ ହେଲେ ମାଧୋ ସିଂ !

କୌଣସି ପ୍ରକାରେ ଖସିଯାଇଥିବା କମିଶନର ଲେ ଜଳୁଥିଲେ ପ୍ରତିଶୋଧର ନିଆଁରେ ! ନାଗପୁରରୁ ଦୁର୍ଦ୍ଦର୍ଷ Captain E.G. Woodଙ୍କୁ ତାଙ୍କର ଆମନ୍ତ୍ରଣ ଅଛପା ନ ଥିଲା ମାଧୋଙ୍କ ଗୁପ୍ତଚରଙ୍କୁ ! ସମ୍ବଲପୁର-ନାଗପୁର ରାସ୍ତାର ଏକ ନଦୀପୋଲକୁ ବାରୁଦଖଞ୍ଜି ଉଡ଼ାଇଦେଲେ ମାଧୋ-ବାହିନୀ । ବ୍ରିଟିଶ୍ କର୍ମକର୍ତ୍ତାଙ୍କୁ ଯାତାୟାତରେ ବାଧା ଉପୁଜିବାରୁ ସେମାନେ ଆପଣାଇନେଲେ ସିଂଗୋଡ଼ା ଘାଟିରାସ୍ତାକୁ । କିନ୍ତୁ ମାଧୋ-ବାହିନୀ ଅଟକିଥିଲା ସେଠାରେ ମୃତ୍ୟୁଦୂତ ସାଜି, ସେମାନଙ୍କ ଯୋଜନାବଦ୍ଧ ଗରିଲା ଯୁଦ୍ଧରେ ଧରାଶାୟୀ ହେଲେ ଶତ ଶତ ବ୍ରିଟିଶ ଓ ଦେଶୀୟ ସରକାରୀ ସୈନ୍ୟ !

କମିଶନର ଲେ ଯେ ହାତବାନ୍ଧି ବସିବାର ବ୍ୟକ୍ତି ନୁହଁନ୍ତି ସେ କଥା ହୃଦୟଙ୍ଗମ କରି ମାଧୋ ସିଂହ, ମିତ୍ର ଘୁମୁସର (ଗଞ୍ଜାମ) ରାଜାଙ୍କ ଠାରୁ ଅସ୍ତ୍ରଶସ୍ତ୍ରର ସାହାଯ୍ୟ ମାଗିଥିଲେ । ମାତ୍ର ବିବେକୀ ରାଜା ବିପୁଳ ଅସ୍ତ୍ରଶସ୍ତ୍ର ସହିତ ପଠାଇଥିଲେ ଏକ ସୁଦକ୍ଷ ସେନାବାହିନୀ !

ଡିସେମ୍ବର ୨୬ ତାରିଖ ବେଳକୁ Captain Wood, Captain Dyer ଓ Captain Windhamଙ୍କ ସହ ମିଶି ନୂତନ ଆକ୍ରମଣ ନୀତି କାର୍ଯ୍ୟକାରୀ କଲେ କମିଶନର ଲେ । ଏବେ ସେମାନଙ୍କ ଲକ୍ଷ୍ୟରେ ଥିଲେ ମାଧୋ ସିଂଙ୍କ ବଳୀୟାନ ପୁତ୍ରଗଣ ହାତୀ ସିଂ, କୁଞ୍ଜଳ ସିଂ, ବୈରୀ ସିଂ, ଐରୀ ସିଂ ତଥା ସୁରେନ୍ଦ୍ର ସାଏଙ୍କ ପୁତ୍ର ଯୋଦ୍ଧା ଛବିଳ ସାଏଉଦନ୍ତ ସାଏ ! ସନ୍ତାନମାନଙ୍କୁ ହତ୍ୟା କରି ପ୍ରଚଣ୍ଡ ପ୍ରତିଶୋଧର ସୁଯୋଗରେ ଥିଲେ କମିଶନର !

ଅତ୍ୟନ୍ତ ଚତୁରତାର ସହ ମଧ୍ୟରାତ୍ରିରୁ ଅନ୍ଧକାରରେ ଆକ୍ରମଣ କଲେ ଗୋଳାବାରୁଦ ସହିତ ‌। ମାତ୍ର ମାଧୋ-ବାହିନୀ ଏବଂ ଘୁମୁସର ସୈନ୍ୟଙ୍କ ତୀର ଓ ଅସ୍ତ୍ରାଘାତର ସମ୍ମୁଖୀନ ହୋଇ ନ ପାରି ଛଳନାପୂର୍ବକ ଛତ୍ରଭଙ୍ଗ ଦେଲେ ବ୍ରିଟିଶସୈନ୍ୟ !

ବିଡ଼ମ୍ବନା ! ଆତ୍ମବିଭୋର ବିପ୍ଳବୀମାନେ ପାହାଡ଼ରୁ ତଳକୁ ଆସିବା କ୍ଷଣି ବ୍ରିଟିଶ ସେନାର ଅତର୍କିତ ଗୁଳିବର୍ଷଣରେ ଟଳିପଡ଼ିଲେ ଶତାଧିକ ବିପ୍ଳବୀ । କ୍ଷତବିକ୍ଷତ ଏବଂ ବନ୍ଦୀ ହେଲେ ତତୋଧିକ !

ତେବେ ସେ ଭୂଇଁର ଅନତି ଦୂରରେ କୁଦୋପାଲି ଗାଁ ମାଟିରେ  ଏକାକୀ ଲଢ଼ୁଥିଲେ ୨୨ ବର୍ଷର ଉଦ୍ଦାମ ଯୁବକ ଛବିଳ ସାଏ, ବ୍ରିଟିଶବାହିନୀର ଗୋଳାବାରୁଦ ଓ ତୋପବର୍ଷଣକୁ ଧ୍ୟାନ ନ ଦେଇ ! ଛବିଳଙ୍କ ରୁଦ୍ରରୂପ ଦେଖି କମ୍ପିଉଠିଥିଲା କ୍ୟାପଟେନ ଉଇଣ୍ଡହାମ୍ ଓ ବିଶ୍ଵାସଘାତକ ହରନାଥଙ୍କ କଲିଜା ! ସମ୍ମୁଖ ଯୁଦ୍ଧର ସାହସ ନ ଥିଲା କାହାରି ! ଲୁଚି ଲୁଚି ପଛରୁ ଗୁଳିଚାଳନା କରୁଥିଲେ ବ୍ରିଟିଶ ବାହିନୀର କାପୁରୁଷ ସୈନ୍ୟଗଣ ! ଜୀବନ ବିକଳରେ ଯୁଦ୍ଧହସ୍ତୀକୁ ହିଁ ପଠାଇଥିଲେ ଛବିଳଙ୍କୁ ପ୍ରତିରୋଧ କରିବା ପାଇଁ !

ଶରୀରର ଅନେକତ୍ର ଗୁଳିବିଦ୍ଧ ହୋଇ ମଧ୍ୟ ଲଢ଼ି ଚାଲିଥିଲେ ଛବିଳ, ମହାଭାରତ ଯୁଦ୍ଧର ଅଭିମନ୍ୟୁ ପରି ! ଛବିଳଙ୍କ ତରବାରୀର ଝଙ୍କାର ନିସ୍ତବ୍ଧ ହେଲାବେଳକୁ ଭୂଇଁରେ ଲୋଟି ପଡ଼ିଥିଲେ ଯୁଦ୍ଧହସ୍ତୀ ସମେତ ଆଠ ଜଣ ଅଶ୍ଵାରୋହୀ ଏବଂ କ୍ୟାପଟେନ୍ ଉଇଣ୍ଡହାମ୍ ! ହରନାଥ ସିଂଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ପିତାଙ୍କ ପ୍ରତି ହୋଇଥିବା ବିଶ୍ୱାସଘାତକତାର ସେ ନେଇଥିଲେ ଚରମ ପ୍ରତିଶୋଧ !

ସେ କାଳରାତ୍ରରେ ଦୀର୍ଘ ପାଞ୍ଚ ଦିନର ମହାଯୁଦ୍ଧର ସମାପ୍ତି ସହିତ ଛବିଳ ସାଏଙ୍କ ଆତ୍ମା ଅମରତ୍ୱ ଲଭିଥିଲା ଓଡ଼ିଆଙ୍କ ପ୍ରାଣରେ ! ଛାତି ଫଟାଇ କାନ୍ଦୁଥିଲା କୁଦୋପାଲିର ମାଟିମା’ !

ଦୂର କୋଡ଼ାବଗାରେ ଥାଇ ପୁତ୍ରର ଶହୀଦ ହେବା ଖବରରେ ଭାଙ୍ଗି ପଡ଼ିଲେ ସୁରେନ୍ଦ୍ର ! ମାତ୍ର ତୀବ୍ର ଅନୁତପ୍ତ ଥିଲେ ମାଧୋ ସିଂହ ! କ୍ଷତାକ୍ତ କ୍ୟାପଟେନ୍ ଉଡ୍’କୁ କ୍ଷମା କରି ଛାଡ଼ିଦେବା ପରି ଭୁଲ୍ ପାଇଁ ହୁଏତ ଛବିଳଙ୍କୁ ପ୍ରାଣବଳି ଦେବାକୁ ପଡ଼ିଲା ! ନିଜକୁ କ୍ଷମା କରି ପାରୁ ନ ଥିଲେ ମାଧୋ !

କୁଦୋପାଲିରେ ବୀର ଛବିଳଙ୍କ ଶବସତ୍କାର କରିସାରିବା ବେଳକୁ ପୁର୍ବାକାଶରେ ସିନ୍ଦୁରା ଫାଟି ଆସିଲାଣି ! ସେ ସକାଳ ଥିଲା ୧୮୫୮ ମସିହା ଜାନୁଆରୀ ୧ ତାରିଖ ।

ପୁତ୍ରହତ୍ୟାର ପ୍ରତିଶୋଧ ନେବା ପାଇଁ ସୁରେନ୍ଦ୍ର ଏବଂ ନିଜ ଉଦାରତାର ପ୍ରାୟଶ୍ଚିତ ପାଇଁ ମାଧୋ ନିଜକୁ ପୂର୍ଣ୍ଣପ୍ରସ୍ତୁତ କରୁଥିଲେ । ସେପଟେ ଇଂରାଜୀ ନବବର୍ଷର ପ୍ରଥମ ସକାଳୁ କଟକରୁ ଦୁର୍ଦ୍ଦର୍ଷ Captain Shakespeare ଯାତ୍ରା ଆରମ୍ଭ କଲେ ସମ୍ବଲପୁର ଅଭିମୁଖେ, ନିଜର ବିଶାଳ ସେନାବାହିନୀ ସହିତ ।

Captain Woodକୁ କ୍ଷମା କରି ଛାଡ଼ି ଦେଇଥିବାର ଆତ୍ମଗ୍ଲାନିରେ ଦଗ୍ଧ ମାଧୋ ସିଂହ ରଚିଚାଲିଥିଲେ ଅଦ୍ଭୁତପୂର୍ବ ଯୁଦ୍ଧ ଯୋଜନା । Captain Wood ଓ Captain Woodbridgeଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ସେ !

ତେଣେ କଟକରୁ ଆସି ପହଞ୍ଚିସାରିଛନ୍ତି ଦୁର୍ଦ୍ଦାନ୍ତ Captain Shakespeare ! ବ୍ରିଟିଶସେନାର ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ ଅଫିସର ! ଯାହାଙ୍କ ପରାକ୍ରମର କାହାଣୀରେ ଅଭିଭୂତ ବ୍ରିଟିଶସେନା ! ଦ୍ଵିଗୁଣିତ ଆଜି ସେମାନଙ୍କ ସାହସ !

କିନ୍ତୁ ଅବିଚଳିତ ଥିଲେ ମାଧୋ-ସେନାର ବିପ୍ଳବୀଗଣ !
ମାଟି ମା’ ପାଇଁ ପାଗଳ ଥିଲେ ସେମାନେ !
ମୁକ୍ତି ପାଇଁ ପାଗଳ ! ମରିଯିବେ ପଛେ ହଟିବେ ନାହିଁ !
ମା’ର ସମ୍ମାନ ପାଇଁ ଜୀବନ ଦେବେ !ଜୀବନ ନେବେ !
ପ୍ରସ୍ତୁତ ହେଉଥିଲେ ସେମାନେ Captain Shakespeareଙ୍କୁ ରକ୍ତିମ ସ୍ବାଗତ ପାଇଁ !

ସିଂଗୋଡା ଘାଟିର ପାହାଡ଼ ଉପରୁ ଶିଆଳି ଲତାରେ ବାନ୍ଧି ବଡ଼ ବଡ଼ ପଥରଖଣ୍ଡ ମାନ ଖସାଇ ପଥରୁଦ୍ଧ କଲେ ସେକ୍ସପିୟରଙ୍କୁ । ପଥରଗୁଡିକୁ ଦେଖି ଶିହରି ଉଠିଥିଲେ ବ୍ରିଟିଶ ସେନା ! ପ୍ରତି ପଥରରେ ବନ୍ଧା ହୋଇଥାଏ ମଣିଷ ଶରୀରର ରକ୍ତାକ୍ତ ଅଙ୍ଗମାନ ! ବିଶ୍ୱାସଘାତକମାନଙ୍କୁ ହତ୍ୟା କରି ସେମାନଙ୍କ ଶରୀରଗୁଡିକୁ ଭେଟି ଆକାରରେ ପଠାଉଥିଲେ ସେକ୍ସପିୟର୍-ବାହିନୀ ପାଖକୁ !

ତେବେ ସେକ୍ସପିୟର୍ ସହଜରେ ହାର ମାନିଥିବା ଯୋଦ୍ଧା ନ ଥିଲେ ! ଭୟାତୁର ସେନାବାହିନୀର ମନୋବଳ ବଢାଇ, ଯୁଦ୍ଧଯୋଜନାରେ ପରିବର୍ତ୍ତନ କରି ଆକ୍ରମଣ କଲେ ମାଧୋ-ବାହିନୀ ଉପରେ ! ମାତ୍ର ପାରମ୍ପରିକ ଯୁଦ୍ଧ କୌଶଳ ଓ ଧନୁତୀର ସହିତ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ଗରିଲା ଯୁଦ୍ଧରେ ଧରାଶାୟୀ ହେଲେ ବ୍ରିଟିଶ ସେନା !

ନିଜ ଜାତି ପାଇଁ ମାଟି ପାଇଁ ନିଜ ସେନାବାହିନୀର ସମ୍ମାନ ପାଇଁ ଲଢି ଚାଲିଥିଲେ ସେକ୍ସପିୟର୍ ! ହାରୁଥିଲେ ବାରମ୍ବାର, କିନ୍ତୁ ଆଗେଇ ଆସୁଥିଲେ ଦୁଇଗୁଣ ମନୋବଳରେ । ବ୍ରିଟିଶ ସେନାବାହିନୀର ଶେଷ ଆଶା ଥିଲେ ସେ ! Captain Wood, Captain Woodbridge ଓ Captain Dyre ଏବେ ଥିଲେ ସେକ୍ସପିୟର୍’ଙ୍କ ଅନୁଗାମୀ ମାତ୍ର ! ପ୍ରଚୁର ଆତ୍ମଗ୍ଲାନି, ଅନୁଶୋଚନା, ପ୍ରତିଶୋଧର ନିଆଁରେ ଜଳି ଜଳି ଆଗୋଉଥିଲେ ସେକ୍ସପିୟର୍ !

ନିଃସନ୍ଦେହରେ ବୀର ଯୋଦ୍ଧା ଥିଲେ ସେକ୍ସପିୟର୍ ! ମାତ୍ର ଧମନୀରେ ବହୁଥିଲା ବ୍ରିଟିଶ ରକ୍ତ ! ହୀନମନ୍ୟତା, କୂଟଚକ୍ରାନ୍ତର ଦୁନିଆରୁ ଉତୁରି ପାରି ନ ଥିଲେ ସେ !

ଯୁଦ୍ଧବିରତି ସମୟରେ ରାତ୍ର କାଳରେ ତୋପ ଚାଳନା କଲେ ସିଂଗୋଡା ଘାଟି ଉପରକୁ ! ତୋପର ଗୋଳା-କଣିକାଟିଏ ଆସି ବାଜିଲା ମାଧୋଙ୍କ ପୁତ୍ର ହାତୀ ସିଂଙ୍କ ଛାତିରେ । ଟଳିପଡିଲେ ସେ । ପ୍ରାଣପ୍ରିୟ ପୁତ୍ରର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗିପଡିଲେ ମାଧୋ ସିଂହ ! ଏବେ କିଏ ଅବା ଅଟକାଇ ପାରିଥା’ନ୍ତା ମାଧୋଙ୍କୁ ?

ଅତି ଦୟନୀୟ ଭାବେ ପରାସ୍ତ ହେଲେ ବ୍ରିଟିଶସେନା । ଶହ ଶହ ବ୍ରିଟିଶ ସୈନ୍ୟଙ୍କ ରକ୍ତରେ ରଞ୍ଜିତ ହୋଇଗଲା ସିଂଗୋଡା ଘାଟି । ମାଧୋଙ୍କ ପୁତ୍ରଗଣ କୁଞ୍ଜଳ ସିଂ, କମଳ ସିଂ, ଗୋବିନ୍ଦ ସିଂ ଏବଂ ସହଯୋଗୀ ସାଲେଗ୍ରାମ ବରିହାଙ୍କ ହାତରେ ବନ୍ଦୀ ହେଲେ ସେକ୍ସପିୟର୍ । ଆସନ୍ନ ଭୟାବହ ମୃତ୍ୟୁକୁ ସମ୍ମୁଖରେ ଦେଖି ନିଜ ବନ୍ଧୁକରେ ନିଜକୁ ହତ୍ୟାକଲେ ସେଇ ଅଭିମାନୀ କ୍ୟାପଟେନ୍ !

କୁଢ଼ କୁଢ଼ ଶବଗଦାକୁ ଆଡେଇ ଆଡେଇ ପୁଅର ଶବକୁ ଖୋଜି ଚାଲିଥିଲେ ମାଧୋ ! ବୀର ହାତୀ ସିଂ ଥିଲେ ବନ୍ଦୀ, ବ୍ରିଟିଶ ସେନାର ଏକ ଟୁକୁଡା ଦ୍ଵାରା ! ହାତୀ ସିଂଙ୍କ ହତ୍ୟା ଖବର ଶୁଣି ମାଧୋଙ୍କ ପରିବାର ଯେ ଗ୍ରାମକୁ ଫେରିବାର ଆଶାରେ Wood-Woodbridge-Dyre ସୈନ୍ୟବାହିନୀ ଧରି ଆକ୍ରମଣ କଲେ ମାଧୋଭୂମି ଘେଁସ ଉପରେ । କିନ୍ତୁ ଘେଁସ ସମେତ ଆଖପାଖ ଗାଁ ସବୁ ଥିଲା ପୁରୁଷଶୂନ୍ୟ ! ଆଖପାଖ ଗାଁ ଗୁଡ଼ିକରେ ବିପ୍ଳବୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଖୋଜିବା ଲକ୍ଷ୍ୟ ନେଇ ଚଳାଇଲେ ଦମନଲୀଳା । ଖାଦ୍ୟଶସ୍ୟ, ଧାନଭଣ୍ଡାର ଲୁଟ କଲେ । ଗାଁର ଝିଅବୋହୂଙ୍କ ଦେହରେ ହାତ ଦେବାକୁ ପଛାଇଲେ ନାହିଁ ବ୍ରିଟିଶସେନା !

ମାଧୋ ସିଂହ ହୁଏତ ପୁତ୍ରହତ୍ୟା ଜନିତ ଦୁଃଖ ଭୁଲିଯିବେ ! କିନ୍ତୁ ନିରୀହ ପ୍ରଜାଙ୍କ ଉପରେ ଅତ୍ୟାଚାର ହେଲେ, ନାରୀଜାତିର ମର୍ଯ୍ୟାଦା ହାନି ହେଲେ କିପରି ସହନ୍ତା ତାଙ୍କ ଦିହ ! ବିଳପି ଉଠିଲା ମାଧୋଙ୍କ ଆତ୍ମା ! ଏବେ ତାଙ୍କର କୂଟନୀତି ଆପଣାଇବାର ବେଳ ! ଆତ୍ମସମର୍ପଣ କରିବାର ଖବର ଖେଳାଇଦେଲେ ସେ ! ଉତ୍ଫୁଲ୍ଲିତ ବ୍ରିଟିଶସେନା ! ତତୋଧିକ ଉଲ୍ଲସିତ Captain Wood ଓ Captain Woodbridge ! ଧାଇଁ ଆସିଲେ ସିଂଗୋଡା ଘାଟିକୁ !

ଫେବୃଆରୀ ମାସ ୧୨ ତାରିଖର ଅଳସ ଅପରାହ୍ଣ । ଉଲ୍ଲସିତ ବ୍ରିଟିଶବାହିନୀ ହୁଏତ ଭୁଲି ଯାଇଥିଲେ ଯଥେଷ୍ଟ ଅସ୍ତ୍ରଶସ୍ତ୍ର ନେବାକୁ ! ଘାଟି ଉପରେ ଜଗିଥିଲା କାଳସର୍ପ ! ଆତ୍ମରକ୍ଷାର ସାମାନ୍ୟତମ ସୁଯୋଗ ପାଇ ନଥିଲେ ବ୍ରିଟିଶସେନା ! ଘାଟିର ରାସ୍ତା, ବୃକ୍ଷମାଳ, ପଥର ଆଦି ଦେଇ ବହି ଚାଲିଲା ରକ୍ତନଦୀ ! Captain Wood, Captain Dyre ଓ Captain Woodbridgeଙ୍କୁ ବିଭତ୍ସ ଭାବେ ମରଣାନ୍ତକ ଯନ୍ତ୍ରଣା ଦେଇଚାଲିଥିଲେ ବିପ୍ଳବୀ !

କ୍ୟାପଟେନ୍-ତ୍ରୟଙ୍କ ସମେତ ଶହ ଶହ ସଂଖ୍ୟାରେ ବ୍ରିଟିଶ ସେନା ଓ ଭାରତୀୟ ପୁଲିସ ମାନଙ୍କର କଟାମୁଣ୍ଡ ଗୁଡ଼ିକୁ ଗଛଡାଳରେ ଝୁଲାଇ ଦିଆଗଲା ! କଟାମୁଣ୍ଡଗୁଡିକର ପାଟିରେ ଭର୍ତ୍ତି କରି ଦିଆଗଲା ସେମାନଙ୍କ ଗୁପ୍ତାଙ୍ଗ ! ପ୍ରତିଶୋଧ ଆଉ ବିଭତ୍ସତାରେ ସେଦିନର ସେ ନରସଂହାର ବୋଧହୁଏ ଥିଲା ବିଶ୍ୱ ଇତିହାସରେ ବିରଳ !

ଭାରତୀୟ ମୁକ୍ତି ସଂଗ୍ରାମରେ ସବୁଠାରୁ ବିଭତ୍ସ ଓ ଅମାନବୀୟ ଘଟଣା ଭାବେ କେହି କେହି ଗବେଷକ ଓ ଐତିହାସିକ ଏହାକୁ ଚିତ୍ରଣ କରନ୍ତି ସତ ! ତେବେ ମାଧୋଙ୍କ ପରି ପ୍ରଜାପ୍ରେମୀ ଓ ମାନବବାଦୀ ଯୁଗପୁରୁଷ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ନିଶ୍ଚୟ ! ପ୍ରିୟବନ୍ଧୁ ସୁରେନ୍ଦ୍ରଙ୍କ ପୁତ୍ର ଛବିଳ ସାଏ ତଥା ପ୍ରାଣପ୍ରିୟ ପୁତ୍ର ହାତୀ ସିଂଙ୍କ ବଳିଦାନ ପ୍ରତି ଏ ନରସଂହାର ଥିଲା ରକ୍ତମୁଖା ମାଧୋଙ୍କ ତରଫରୁ ଲାଲ୍ ସଲାମ୍ !

ମାଧୋଙ୍କ ସହ ଲଢେଇ କରିବାକୁ ବ୍ରିଟିଶ ସରକାରଙ୍କ ଆଉ ଶକ୍ତି କି ସାମର୍ଥ୍ୟ ନ ଥିଲା, ମାଧୋଙ୍କୁ ବନ୍ଦୀ କରିବାର ସରଳ ସୁଯୋଗ ଅପେକ୍ଷାରେ ଥିଲେ ସେମାନେ ! ଦଶନ୍ଧି ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବେ ସଂଗ୍ରାମ କରିଥିବା ମାଧୋ ହୋଇପଡ଼ିଥିଲେ ରୁଗ୍ଣ ! ବିପ୍ଳବ ସମୟରେ ଖରାବର୍ଷା, ଶୀତ ସାଙ୍ଗକୁ ଅର୍ଦ୍ଧାହାର ଅନାହାରରେ ରହିଆସିଥିଲେ ସେ !

୧୮୫୮ ଡିସେମ୍ବର ୩୦ ତାରିଖ। ଜାଡରୁ ରକ୍ଷା ପାଇବା ସହ ବିଶ୍ରାମସ୍ଥଳ ଟିଏ ଖୋଜୁଥିଲେ ମାଧୋ । ମାଟିଆଭଟ୍ଟା ଆଡେ ମୁହାଁଇଲେ ସେ କିଛି ସାଥୀଙ୍କ ସହ । ବ୍ରିଟିଶ ବାହିନୀ ବିଛାଇଥିବା ଜାଲ ବିଷୟରେ ସାମାନ୍ୟ ସୂଚନା ପାଇ ନ ଥିଲେ ସେ ! ଅଚିରେ ବନ୍ଦୀ ହେଲେ ମାଧୋ ସିଂହ ଏବଂ ସାଥୀଗଣ !

ମାଧୋଙ୍କ ବିଚାର କରିବା ପାଇଁ ବ୍ରିଟିଶ ସରକାର ପାଖରେ ଆଉ ଧୈର୍ଯ୍ୟ ନ ଥିଲା ସତ ! ପରଦିନ ସମ୍ବଲପୁରଠାରେ ହିଁ ଫାଶୀ ଖୁଣ୍ଟରେ ଝୁଲାଇଦେଲେ ମକ୍ତିକାମୀ ମାଧୋ ସିଂଙ୍କୁ !

ପ୍ରଜାଙ୍କ ଆତ୍ମସମ୍ମାନ ପାଇଁ, ମାଟି ମା’ର ଗାରିମା ବଜାୟ ରଖିବା ପାଇଁ ଲଢି଼ ଲଢ଼ି ଚିରନିଦ୍ରାରେ ଶୋଇଗଲେ ମାଧୋ ! ସମଗ୍ର ଘେଁସ ମାଟି, ସମ୍ବଲପୁର ମାଟି ବିଳପି ଉଠିଲା ନିଜ ପ୍ରିୟପୁତ୍ରକୁ ହରାଇ !

ଘେଁସ ସମ୍ବଲପୁର ମାଟିରୁ କାଇଁ କେତେ ଦୂରରେ ଛାତି ଥରାଇ କାନ୍ଦୁଥିଲେ ସୁରେନ୍ଦ୍ର ! ମୁଣ୍ଡ ଉପରୁ ଆଜି ବାପର ସ୍ନେହବୋଳା ଆଶିଷ ହଜିଯାଇଛି, ହଜିଯାଇଛି ଗୁରୁଙ୍କ ତାଗିଦ୍ ଆଉ ଦିଗଦର୍ଶନ ! ଜୀବନରେ କେତେ କେତେ ବିପଦ ନ ଦେଖିଛନ୍ତି ସୁରେନ୍ଦ୍ର ! ସବୁ କିନ୍ତୁ ଛାତି ପତାଇ ସହିଯାଇଛନ୍ତି ମାଧୋ ! ପୁଅ ପାଇଁ ହୁଏତ ଏମିତି ଲୁହ ଗଡ଼ାଇ ନ ଥିଲେ ସେ, ଆଜି ଗୁରୁ ମାଧୋଙ୍କ ପାଇଁ ବିକଳ ହୋଇ ବିଳପି ଉଠୁଥିଲେ ସେ !

ତଥାପି ଅମାନିଆ ଆଖିଲୁହକୁ ପୋଛିଦେଲେ ସୁରେନ୍ଦ୍ର ! ମାଧୋଙ୍କ ବଳିଦାନକୁ ବୃଥା ହେବାକୁ ଦେବେନି ସେ ! ଅଧାଅଧୁରା ଉଲଗୁଲାନକୁ ଆଗେଇନେବେ !

ତରବାରୀ ଧରି ଉଠି ଠିଆହେଲେ ମହାବୀର ସୁରେନ୍ଦ୍ର !

ଚିତ୍ର: ମାଧୋ ସିଂହଙ୍କ ପ୍ରଥମ (କଳାଧଳା) ଚିତ୍ରଟି ଆଙ୍କିଛନ୍ତି ଯୁବ ଚିତ୍ରଶିଳ୍ପୀ ଶ୍ରୀମାନ ଓଁକାର ରାୟ; ଦ୍ଵିତୀୟ ଚିତ୍ର ସୌଜନ୍ୟ: Dr. Samir Ranjan

Leave a Comment

Your email address will not be published. Required fields are marked *

Scroll to Top