ମାଣବସା ଗୁରୁବାର
ଉପସ୍ଥାପନା: ଅମୃତେଶ ଖଟୁଆ
ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ
ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ ।
ଗୋମୟ ଲିପା ଅଗଣାତଳ
ଦିଶୁଚି କେଡ଼େ ସୁନିରିମଳ
ନୟନ ମନ ନେଉଚି ହରି
ପିଠଉ-କମ-ଝୋଟି
ଶତେକ ଦଳେ ହୋଇଚି ଲେଖା
ପଦ୍ମଫୁଲ ଗୋଟି ।
(ଛନ୍ଦକବି ରାଧାମୋହନ ଗଡ଼ନାୟକଙ୍କ ‘ଶ୍ରୀୟା ଚଣ୍ଡାଳୁଣୀ‘)
ମାର୍ଗଶିର ମାସ ପ୍ରଥମ ପାଳି ଗୁରୁବାର । ଅଲାଗିପାଳି ଗତ ହୋଇ ଆଜି ମା’ ଲକ୍ଷ୍ମୀଙ୍କ ମଗୁଶୁର ଗୁରୁବାର । ଏବେ ଚାଉଳ କୁଟିବା ଲାଗି ଢିଙ୍କି ଯୁଗ ନାହିଁ ନହେଲେ ବୋଧହୁଏ ଆଜି ସକାଳୁ ସକାଳୁ ଅରୁଆ ଚାଉଳର ଢିଙ୍କି କୁଟା ଚାଉଳ ଚୂନା ନିଶ୍ଚେ ମାଣ ପାଇଁ ଲାଗି ହୋଇଥାନ୍ତା । ଘରେ ଅଗଣା ମଝିରେ କଢ଼ିପଦ୍ମ ଝୋଟି, ଧାନକୋଠି ତଳେ ଧାନଘର ଚିତା, କାନ୍ଥରେ ଛିଞ୍ଚା ଧାନଗଦା ଚିତା, ଚାଉଳଡୋଲି ଓ ଅମାରଘର କାନ୍ଥ ବୁକୁରେ ଲତାପଦ୍ମ ଚିତା, ଧାନ ଘରେ ପଦ୍ମମରେଇ ଚିତା, ଶଙ୍ଖପଦ୍ମ, ଚକ୍ର ପଦ୍ମ ସାଙ୍ଗରେ ପଡ଼ିଦାତ୍ରୀ ସାମନ୍ତାଣୀ ଲକ୍ଷ୍ମୀ ଠାକୁରାଣୀଙ୍କୁ ଅଭିବାଦନ ଜଣେଇ ଅତି ସନ୍ତର୍ପଣରେ ଅଙ୍କା ହେଇଯାଇଥିବ ଲକ୍ଷ୍ମୀଙ୍କ ଆସ୍ଥାନରେ ଦଶମଣ୍ଡଳ ପଦ୍ମଚିତା ।
ପୂର୍ବ ରାତିରୁ ଘର ଦାଣ୍ଡ ଦୁଆର ଯାଏଁ ଗୋବର ଛୁଞ୍ଚ ପାଣି ପଡ଼ି ଯଥେଷ୍ଟ ଶୁଚିତା ବାବଦକୁ ଗୋମୟରେ ଅଗଣା ଚଉତରା ଲିପା ପୋଛା ହେଇ ତୁଠପଥର ଭଳି ମସୃଣ ପାଲଟି ଯାଇଥାଏ । ଇଏ ଅସିଆ କାଳର ମସିଆ କଥା । ତଥାପି ପରମ୍ପରାରେ ରହିଛି ଓଡ଼ିଆ ଘର ନବବଧୂର ଚେତନା । ତେଣୁ, ଓଡ଼ିଆଣୀ ଥିବା ଯାଏଁ ପରମ୍ପରାର ମୃତ୍ୟୁ ନାହିଁ, ପବିତ୍ରତାର ଅନ୍ତ ନାହିଁ । ହଁ, ବୋହୂମାନଙ୍କ ପାଇଁ ବଡ଼ ଗୁରୁତର ବେଳା ।
ଶିଶିର ମାସ ବଡ଼ି ଭୋରୁ ଶଯ୍ୟାତ୍ୟାଗ କରି ମୁଣ୍ଡ ଧୋଇ ଗାଧୋଇବା ପରେ ଶୁକ୍ଳ ବସନ ପରିଧାନ କରି ମା’ ମହାଲକ୍ଷ୍ମୀଙ୍କ ପାଇଁ ଖଟୁଲିରେ ମାଣ ବସାଇ ନୂଆ ଅମଳ ଚାଉଳ ଉପରେ ମହାଦେବୀଙ୍କୁ ପୂତ ଚିତ୍ତରେ ଆବାହନ କରିବେ । ଏ ଯୋଜନା ଅମଳର ପ୍ରଥମ ପର୍ଯ୍ୟାୟ ପୂର୍ବଦିନ ବୁଧବାର ରାତିରୁ ହିଁ ଆରମ୍ଭ ହେବ ।
ଏତିକିବେଳେ ଗୃହିଣୀଙ୍କ କର୍ମକାଳକୁ ଶାଶୁମାନେ ସଜାଗ ହୋଇ ରହିଥିବେ । ଗୁରୁବାର ସକାଳୁ ନଗଦ ନଗଦ ପାଇଟି ପତ୍ର ନ ସାରି ଅଗାଧୁଆ ମୁହଁ ଜଳ ଅନ୍ନ ଛୁଇଁ ଲକ୍ଷ୍ମୀଙ୍କୁ ଘର ଆସୁ ଆସୁ ଘଉଡ଼େଇଦେବା ଭଳି ପ୍ରବୃତ୍ତି, ଏସବୁ ଆଦୌ ସହ୍ୟ ହେବନାହିଁ । ସମ୍ପଦ ଆସେ ପରିଶ୍ରମ ଓ କୌଶଳରୁ, ଅଳସପଣକୁ ଆଦରି ଲକ୍ଷ୍ମୀ ସେ ଘରେ ପାଦ ପକେଇପାରିବେ କେମିତି ଅବା ?
ମାଣବସା ଗୁରୁବାର ଅବସରରେ ଏଇ ଚିତା ଅଙ୍କନରେ ସାଇତା ଓଡ଼ିଆ ଘର ନବବଧୂର କଳାକୌଶଳ ଓ ନିର୍ମଳ ଅନୁଭୂତିମାନଙ୍କ ସମ୍ଭାର । ଯାହା ଜାତି, ବର୍ଣ୍ଣ ନିର୍ବିଶେଷରେ ବାଟ କଢ଼ାଇ ଆଣେ ମା’ ମହାଲକ୍ଷ୍ମୀଙ୍କୁ । ଏଣେ ଓଷାକୋଠି ଗମ୍ଭୀରାରେ ଭରି ଉଠୁଥିବ ସଜ ସକାଳ ପରି ସଜପଦ୍ମର ସୁରଭି । କେଳିକୁସୁମର ମାଳ ଶୋଭା ଭିତରେ ବର୍ଣ୍ଣମୟ ଐଶ୍ବର୍ଯ୍ୟର ଗନ୍ତାଘର ବେଣୀପକା ନୂଆ ଧାନମେଣ୍ଟା ସହ ଖଟୁଲିଟିଏ ଉପରେ ବେତବୁଣା ନୂଆ ସାନ ବଡ଼ ଦୁଇଟା ମାଣ । ତା ସଙ୍ଗେ ଶ୍ବେତ ଧାନ ଓ ବେଦୀ ତଳେ ପୂର୍ଣ୍ଣ କଳସୀ । ଚଉପାଶ ବେଢ଼ି ରହିଛି ଗୋଟା ପାନ, ମୂଳା ଆଖୁ ଖଣ୍ଡ । ମାଣ ଖଟୁଲିର କଡ଼କୁ ବଇଠା ଉପର ଘିଅ ଦୀପ ଦାଉ ଦାଉ ଜଳିଉଠୁଛି ।
ଘିଅଦୀପର ନିଷ୍ପ୍ରଭ ଆଲୋକରେ ଉପବାସୀ କୂଳବଧୂ ଓ ଆକୁଳା କନ୍ୟାମାନଙ୍କ ସୁଲଳିତ କଣ୍ଠରେ ବଳରାମ ଦାସଙ୍କ ବୈପ୍ଳବିକ ‘ଲକ୍ଷ୍ମୀପୁରାଣ’ର ଗମ୍ଭୀରଗାନ । ଅଗଣିତ ନାରୀହୃଦୟରେ ଗୋଟିଏ ବିନ୍ଧାଣିର ଆବେଗ ଓ ସମର୍ପିତ କଳ୍ପରାଜ୍ୟର ଗୌରବମଣ୍ଡିତ ଆସ୍ଥାନକୁ ନିଜର ସୁଯୋଗ୍ୟ ସ୍ଥଳୀ ମଣି ଆପଣା ଛାଏଁ ବିହ୍ବଳ ହୋଇ ସଜ ବିଜେ କରନ୍ତି ମା’ ପଡ଼ିଦାତ୍ରୀ ।
ହୁଳହୁଳି ସହ ଘଣ୍ଟ ଶଙ୍ଖ ନାଦରେ ପ୍ରକମ୍ପିତ ହେଉଛି ଚତୁର୍ଦ୍ଦିଗ । ଚକୁଳିପିଠା, ମୂଳା ଶାଗ, ମଣ୍ଡା, ତରଣ, କାକେରା, ବିରି ତିଆରି ବିରିବରା, ବୁଢ଼ା ଚକୁଳି ଆଦି ସ୍ବାଦୁ ବ୍ୟଞ୍ଜନର ବାସନା ଭିତରେ ଠା’ ସଜାଡ଼ି ରଖାଯାଇଥିବ ଆହୁରି ଭୂରି ଭୂରି ନୈବେଦ୍ୟ । ଛେନା ଫଳମୂଳ ଲାଗି ବାଳଭୋଗ ଓ ପରେ ପରେ ସଙ୍ଖୁଡି ଭୋଗ ହୋଇ ମାଣବସା ଆରମ୍ଭ ହେଇଛି ।
ଏହି ଗୋଟିଏ ପରମ୍ପରାର ଝୁଙ୍କ କେବଳ ମା’ ମହାଲକ୍ଷ୍ମୀଙ୍କ ଆବାହନ ସୂତ୍ରରେ ପ୍ରଚଳିତ ହୋଇନାହିଁ । ବରଂ ପ୍ରତି ଓଡ଼ିଆ ଘରର ନାରୀମାନଙ୍କୁ ମା’ ମହାଲକ୍ଷ୍ମୀଙ୍କ ସ୍ବରୂପ ପ୍ରଦାନ କରି ମହିମାନ୍ବିତ କରିଛି । ଶୁଚିନିଷ୍ଠା ଓ କର୍ତ୍ତବ୍ୟପରାୟଣ ହେବା ସହ ଗୃହସ୍ଥ ସଦସ୍ୟମାନଙ୍କ ନିମନ୍ତେ ନାରୀର ମୁରବିପଣ ମଧ୍ୟ ପ୍ରତିଷ୍ଠିତ । ଆଜି ଯୁଗ ପରିବର୍ତ୍ତନ ଅନେକ କିଛି ପରିବର୍ତ୍ତିତ ସତ୍ୟ । ମାତ୍ର ଚାଲି ଯାଇନାହିଁ ଓଡ଼ିଆ ଘରର ବୈପ୍ଳବିକ ବିଶ୍ବାସ ଅଥବା ସେହି ମହାର୍ଘ ପରମ୍ପରା ପାଳନର ଗୌରବ । ନିଜ ଉଦ୍ୟମ ଓ ସଚ୍ଚୋଟ ଚିନ୍ତନର ଶୃଙ୍ଖଳ ଭିତରେ ସଜାଗ ଆଜି ବି ଏହି ମାଟି ।
Manabasa Gurubara, Chita, Dhanamanika
LakshmiPuja, LakshmiPurana
Balaram Das, Shriya Chandaluni
Maa Lakshmi