ଲେଖା: ଅକ୍ଷୟ ଓଝା
ମାଟିହାଣ୍ଡି, ମାଟି ମାଠିଆ, ମାଟି ପଲମ ଇତ୍ୟାଦିର ପ୍ରଚଳନ ପ୍ରାୟ ସମାପ୍ତ ହେଇଗଲାଣି । ସମୟ ଥିଲା ଗ୍ରାମ୍ୟ ଜୀବନରେ ଏହାର ପ୍ରଭାବ ଓ ପ୍ରଚଳନ ବାଧ୍ୟତାମୂଳକ ଥିଲା ।
ଚାଳଘର ଭିତରେ ଏକ ହାଣ୍ଡିଶାଳ ଥିଲା । ସେଇ ରୋଷେଇ ଘର ଆଗ ଭାଗରେ ଚୁଲି ଥିଲା । ତିନି ଝିଂକା ଚୁଲି । ଘର ପାଇଁ ସବୁ ରୋଷେଇ ବାସ ଏହି ଚୁଲିରେ ହୁଏ । ବାଡ଼ିବିଲରୁ ରୁଣ୍ଡ ହେଇଥବା କୁଟା ଜାଳ କଥା ଜାଳ ଘଷି ସବୁ ପ୍ରକାର ଜାଳ ରୋଷେଇ ଘରକୁ ଲାଗି ଚାଳିଆରେ ରହୁଥିଲା । ବର୍ଷା ଦିନ ପାଇଁ ଆଗରୁ ସାଇତା ଯାଉଥିଲା ଚୁଲି ଜାଳ । ବେଳେ ବେଳେ ଓଦା ଜାଳ ଧୂଆଁରେ ନୟାନ୍ତ ହେଇ ଯାଉଥିଲା ରୋଷେଇଆ।
ଭାତ ରାନ୍ଧୁ ରାନ୍ଧୁ ବୋଉ ଫୁଙ୍କ ନଳୀରେ ଫୁଙ୍କୁ ଫୁଙ୍କୁ ଲହୁଲୁହାଣ ହେଇ ଯାଉଥିଲା । ମାଟିହାଣ୍ଡି ବସାଇ ସେଥରେ ଭାତ ପାଣି ଭରି ଚାଉଳ ପକେଇ ଚୁଲି ଫୁଙ୍କି ରୋଷେଇ ଚାଲୁଥିଲା ଦିନ ଦ୍ଵିପହରେ । ଚୁଲି ଫୁଙ୍କି ଦେଇ ରଡ଼ ନିଆଁକୁ ତେଜ କରିଦେଲା ପରେ ଭାତ ହାଣ୍ଡିରେ ଭାତ ଫୁଟୁ ଥିଲା ଗବ ଗବ ହେଇ । ବର୍ଷାରେ ଚାଳରୁ ପାଣି ପଡ଼ିବା ତାଳେ ତାଳେ ହାଣ୍ଡିରେ ଭାତ ଫୁଟୁ ଥିଲା ଏକ ଲୟରେ । ଭାତହାଣ୍ଡି ଭିତରେ କାଠ କିମ୍ବା ବାଉଁଶ ତିଆରି ଚଟୁଟିଏ ପଡି ଥାଏ ହାଣ୍ଡିରେ । ବୋଉ ମଝିରେ ଗୋଳେଇ ଦିଏ ହାଣ୍ଡିକୁ । ଭାତ ହେଇସାରିଲେ ମାଟି ଘୋଡଣିରେ କପଡ଼ା ଖଣ୍ଡେ ଧରି ଭାତ ଗାଳେ ଆଉ ଏକ ହାଣ୍ଡିକୁ । ସେଇ ଖୋଲା ମୁହଁ ବାଲା ହାଣ୍ଡିକୁ ଉଠେଇ ଗୁହାଳ ସାମ୍ନାରେ ରଖା ଯାଇଥିବା ମାଟି ନନ୍ଦିଆରେ ଢାଳି ଦିଏ । ଗାଈ ପାଳିରୁ ଆସିଲେ କୁଣ୍ଡା ତୋରାଣି ଏହି ମାଟି ନନ୍ଦିଆରେ ପିଏ ।
ରୋଷେଇ ଘର ଭିତରେ ଡାଲିହାଣ୍ଡି, ତରକାରୀ ହାଣ୍ଡି, ଭଜା କଡ଼େଇ ସବୁ ପ୍ରକାର ମାଟି ବାସନ ହାଣ୍ଡିଶାଳେ ଥାଏ । ମାଟିହାଣ୍ଡିରେ ଡାଲି ଛୁଙ୍କର ସୁଆଦ ଅତି ସୁଆଦ । ମାଟିହାଣ୍ଡିର ଡାଲି ଖାଇଲା ବାଲା ହାତ ଚାଟି ରହିଯାଏ । ବର୍ଷା ଦିନେ ମାଟିହାଣ୍ଡିର ରୋଷେଇ ଅତି ସ୍ୱାଦିଷ୍ଟ ହେଇଥାଏ ।
ସଂଜକୁ କିମ୍ବା ସକାଳେ ପଲମ ପିଠା ହୁଏ ଘରେ ଘରେ । ଢ଼ିଙ୍କି କୁଟା ଚାଉଳ ବିରି ମିଶା ଚୁନାରେ ବୋଉ ମାଟି ପଲମରେ ପିଠା ଗଢ଼େ । କୁଟା ଜାଳି ତିନି ଝୀଙ୍କା ଚୁଲି ଉପରେ ବୋଉ ତାଉଆ ବସେଇ ଦିଏ । ସୋରିଷ ତେଲରେ ନଡ଼ିଆ କତାରେ ତିଆରି ପଲମ ଘସାକୁ ଦୁଇ ଥର ଗରମ ପଲମ ଉପରେ ବୁଲେଇ ଆଣେ ବୋଉ । ଧୂଆଁ ଧୂଆଁ ହେଇ ଯାଏ ପଲମ। ଛୋଟ ତାଟିଆରେ ଅଳପ ଟିକେ ଆଣ ଆଣି ଗୋଲ୍ କରି ବୁଲେଇ ଆଣେ ପାଳନ ଉପରେ ବୋଉ । ମାଟିଘୋଡଣି ଢାଙ୍କି ଦିଏ ଗୋଟିଏ ଅଧେ ମିନିଟ ପାଇଁ । ପିଠା ସିଝି ଆସେ ମାଟି ପଲମରେ । ଆମେ ଭାଇ ଭଉଣୀ ଚୁଲିକୁ ଘେରି ବସିପଡୁ ଚୁଲି ଚାରି ପାଖରେ । ବୋଉ ପିଠା କରେ। ଆମେ ଖାଇବସୁ ଗୁଡ଼ ମୁଣ୍ଡାଏ ଲଗେଇ ଖିଆ ଧରି କେତେ ବେଳେ ଭଜା ଟିକେ ।
ମାଟି ମାଠିଆର ପ୍ରଚଳନ ବହୁତ ଥିଲା ଘରେ ଘରେ। ପ୍ରାୟ ସମସ୍ତଙ୍କ ଘରେ ମାଟି ମାଠିଆ ଥିଲା । ଦାଣ୍ଡ କୂଅରୁ କିମ୍ବା ବାରି କୂଅରୁ ରସିରେ ବାନ୍ଧି ସନ୍ତୁଳନ ସହିତ ପାଣି କାଢ଼ିବା ଗ୍ରାମ୍ୟ ମହିଳାଙ୍କର ଅଭ୍ୟାସଗତ କାର୍ଯ୍ୟ ଥିଲା । ଗଭୀର କୂଅରୁ ରସି ମାଧ୍ୟମରେ ସନ୍ତୁଳିତ କରି ନିଜକୁ ସୁରକ୍ଷା ପ୍ରସ୍ତୁତି ସହିତ ଖୁବ କୌଶଳ ତଥା କାର୍ଯ୍ୟସିଦ୍ଧ ବ୍ୟାୟାମ ଗତ କାର୍ଯ୍ୟ ଥିଲା । ଘଣ୍ଟା ଘଣ୍ଟା ଧରି ମହିଳା ମାନେ କୂଅରୁ ପାଣି କାଢୁଥିଲେ । ଆଜିର ମହିଳାଙ୍କ ପାଇଁ ଏକ ଅସମ୍ଭମ କାର୍ଯ୍ୟ ସତ ।
ନଦୀ କୂଳରେ ଅବସ୍ଥିତ ଗାଁ ମାନଙ୍କରେ ଏହି ମାଟି ମାଠିଆରେ ନଈରୁ ପାଣିଭରି ଘରକୁ ଫେରୁଥିଲେ । ଅତି ରମଣୀୟ ଦୃଶ୍ୟ ଦେଖିବାକୁ ମିଳୁ ଥିଲା ଏକ ଗ୍ରାମ୍ୟପ୍ରକୃତି, ଏକ କବି ଦୃଷ୍ଟିରେ । ପାହାଡି ଝିଅମାନେ ଝରଣାରେ ମାଟି ମାଠିଆରେ ପାଣି ଭରି ପଂକ୍ତି ରେ ଚାଲିବାର ଦୃଶ୍ୟ ଅତି ମନୋମୁଗ୍ଧକର ଥିଲା। ଆଜି ସେ ସବୁ ଅତ୍ୟାଧୁନିକ ଜୀବନଯାପନ କରୁଥିବା ଉଚ୍ଚ ଲୋକଙ୍କର ଡ୍ରଇଂ ରୁମର କାନ୍ଥରେ ଚିତ୍ରପଟ ଭାବରେ ଦେଖିବାକୁ ମିଳୁଛି ।
ସେ ସମୟର ହାଣ୍ଡିଶାଳେ ଆହୁରି ବିଭିନ୍ନ ପ୍ରକାରର ମାଟି ବାସନ ଥିଲା । ଖଟା ହାଣ୍ଡି, ଶୁଖୁଆ ହାଣ୍ଡି, ବଢ଼ି ହାଣ୍ଡିରେ ବର୍ଷ ବର୍ଷ ଧରି ହାଣ୍ଡିଶାଳ ଆଖପାଖରେ ରଖା ଯାଉଥିଲା ଶିକାରେ ରଖା ଯାଉଥିଲା । କ୍ଷୀର ଦହି ଘିଅର ବି ଅଲଗା ଅଲଗା ମାଟିହାଣ୍ଡି ବ୍ୟବହୃତ ହେଉଥିଲା । ମାଟି ଚୁଲିରେ ଖସିକୁଟାର ଜାଳ ଜଳେଇ କ୍ଷୀର ଉଷୁମ କରା କରା ଯାଉଥିଲା । କ୍ଷୀର ଠିକ ମାତ୍ରାରେ ଗରମ ହୁଏ ମାଟିହାଣ୍ଡିରେ ଓ ଉପଯୁକ୍ତ ଭାବରେ ଶୁଦ୍ଧ ଘିଅ, ଦହିସର, ଲବଣୀ, ଛେନା ପ୍ରସ୍ତୁତ ହେଇ ପାରୁଥିଲା । କ୍ଷୀରକୁ ସଂଗ୍ରହ କରି ଏକ ମାଟିହାଣ୍ଡିରେ ଘୋଟା ମାଧ୍ୟମରେ ଦହି ଆଉ ଲହୁଣୀ ତିଆରି ହେଉଥିଲା । ଗାଈକୁ ତୋରାଣି ପେଇବା ପାଇଁ ଗୁହାଳ ସାମ୍ନାରେ ଗୋଟେ ମାଟି ବଡ଼ ନନ୍ଦିଆ ରଖାଯାଉଥିଲା ।
ସାହିରେ କୌଣସି ମୃତ୍ୟୁ ଘଟଣା ହେଲେ କିମ୍ବା ଛୁତିକିଆ ହେଲେ ହାଣ୍ଡିଶାଳର ସବୁ ନିତ୍ୟ ବ୍ୟବହୃତ ମାଟିହାଣ୍ଡି ଗୁଡ଼ିକୁ ବଦଳାଇ ଦିଆ ଯାଉ ଥିଲା ପୁଣି ନୂଆ ହାଣ୍ଡି ସବୁ ବ୍ୟବହୃତ ହେଉଥିଲା ।
କେତେ ବେଳେ କେମିତି ଉଭାନ ହେଇଗଲା ମାଟିହାଣ୍ଡି ଆଉ ମାଠିଆ ସବୁ, ଆମ ସମାଜରୁ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ ! ଏତେ ନିତ୍ୟ ବ୍ୟବହୃତ ଜିନିଷ କେବେ ଆମ ଜୀବନରୁ ଦୂର ହେଇଗଲା ଓ ଏହାର ସ୍ଥାନ ଭରି ଗଲା, ଏକ ପ୍ରଶ୍ନ ଭିତରୁ ପ୍ରଶ୍ନ ଟିଏ ଭଳି ଲାଗେ ।
ମନେ ଅଛି ଗାଁ ଦାଣ୍ଡରେ ଫୁଲମାଉସୀ ମୁଣ୍ଡରେ ବେତାରେ ପୁଳାଏ ହାଣ୍ଡି ମୁଣ୍ଡେଇ ଚିଲ୍ଲାଉ ଥିବ ହାଣ୍ଡି ନିଅ ହାଣ୍ଡି । ତା ପଛେ ପଛେ ତା ପୁଅ ଶିକା ବାହୁଙ୍ଗୀରେ ପୁଳାଏ ମାଟିହାଣ୍ଡି ଭାରରେ ବୋହି ଚାଲିଥିବ । କେହି ଜଣେ ଡାକି ଦେଲେ ବାସ୍ ! ମାଉସୀ ଦୋକାନ ଲଗେଇ ଦିଏ ତାରି ଘର ଦୁଆରେ । ସାହି ଯାକର ମାଇପେ ଏକାଠି ହେଇ ଯାଆନ୍ତି ମାଉସୀ ଚାରି ପାଖେ । କିଏ ପଇସା ଦେଇ କିଣି ପକାଏ ପୁଳାଏ ହାଣ୍ଡି ତ କିଏ ଧାନ ଚାଉଳ ବିରି ମୁଗ ଦେଇ ମାଉସୀ ପାଖରୁ ହାଣ୍ଡି କିଣି ଥାଏ । ସବୁ ନିଏ ମାଉସୀ । କାହାକୁ ମନା କରେନା । କାହାରି ପାଖରେ ଅଭାବ ଅସୁବିଧା ଥିଲେ ମାଉସୀ ଉଧାର ଦେଇ ଦିଏ ।
ଭାରି ଆନନ୍ଦ ଲାଗେ ସେ ସମୟରେ ଯେମିତି ଏକ କୋଳାହଳ ଲାଗିଯାଏ । ଏହା ଭିତରେ ଏକ ସମ୍ପର୍କ ଜନ୍ମ ନେଇଯାଏ । ପ୍ରତି ଗାଁରେ ମାଉସୀର ଧରମ ଝିଅ ଥାଏ । ଆଜି ଆଉ ନାହିଁ ସେ ସବୁ । ସମୟ ର ପରି ବର୍ତନରେ ଆତ୍ମୀୟତା ହଜି ହଜି ଗଲାଣି ।
ଆମ ସମାଜରେ ଆଉ ମାଟିହାଣ୍ଡି ର ବ୍ୟବହାର ନାହିଁ । ଆମେ ଆଧୁନିକ ହେଇଗଲେଣି । ହାଣ୍ଡି ଶାଳ ଆଉ ନାହିଁ କିଚନ୍’ରେ ପରିବର୍ତ୍ତନ ହେଇଗଲାଣି । ଆଧୁନିକ ସରଞ୍ଜାମରେ କିଚନ ଶୋଭା ପାଉଛି ।
ମାଟି ମାଠିଆର ପାଣି ଶରୀରକୁ ସୁହାଇଲା ଭଳି ଥଣ୍ଡା ପାଣି ଯିଏ ଶରୀରକୁ ସ୍ୱାଦିଷ୍ଟ ଥଣ୍ଡା ପାଣି ଦେବା ସଙ୍ଗେ ସଙ୍ଗେ କୌଣସି କ୍ଷତି କରେନି । ମାଟିହାଣ୍ଡିରେ ରୋଷେଇ ଖାଦ୍ୟ ବହୁତ ସମୟ ପର୍ଯ୍ୟନ୍ତ ଖରାପ ହୁଏନି । ରୋଷେଇ ଅତି ପୌଷ୍ଟିକ ଓ ସ୍ଵାସ୍ଥ୍ୟ ଅନୁକୂଳ ହୋଇଥାଏ । ମଧୁମେହ ଭଳି ରୋଗ ମାଟିହାଣ୍ଡିରେ ଖାଉଥିବା ଲୋକଙ୍କୁ ହୁଏନି । ଏହା ବିଜ୍ଞାନ ସଂଗତ ପ୍ରମାଣ । ମାଟିହାଣ୍ଡିର ବ୍ୟବହାର ଉଭେଇ ଯିବା ସଙ୍ଗେ ସଙ୍ଗେ ମଧୁମେହ/ଡାଇବେଟିସ ଆମ ଶରୀର ପାଇଁ ନୂଆରୋଗ ହେଇ ଆସିଗଲା ।
କିନ୍ତୁ ପ୍ରଭୁ ଜଗନ୍ନାଥଙ୍କ ଛପନ ଭୋଗର ରୋଷେଇ ଆଜି ବି ମାଟିହାଣ୍ଡିରେ ହେଉଛି । ପ୍ରଭୁ ଜଗନ୍ନାଥ ଆଜିବି ମାଟି ହାଣ୍ଡିରେ ଖାଉଛନ୍ତି । ତାଙ୍କର ଆଧୁନିକ ଭକ୍ତମାନେ ବି ସେଇ ମାଟିହାଣ୍ଡିରେ ରୋଷେଇ ଅବଢ଼ା, କୈବଲ୍ୟ ପେଟେ ଖାଇ ମୁଣ୍ଡିଆ ମାରୁଛନ୍ତି ।କିନ୍ତୁ ଆମେ ମାଟି ହାଣ୍ଡି ବ୍ୟବହାର କରିବା ସପକ୍ଷରେ ନାହୁଁ !
© ଅକ୍ଷୟ ଓଝା
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…