ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
ମାଇପ: ଓଡ଼ିଆ ଭାଷାର ଏକ ନିଆରା ଶବ୍ଦ ।
ତିନି ଅକ୍ଷରେ ଯେ ଅଟଇ ସ୍ତ୍ରୀଙ୍କର ନାମ
ପ୍ରଥମ ଅକ୍ଷରେ ମାଆ ପଦ ବ୍ରହ୍ମ
ଦୁଇ ଅକ୍ଷରେ ଆଇ ତିଜ ଅକ୍ଷରେ ପୁଅ,
ଏ ଵିଧିରେ ସ୍ତିରୀଙ୍କି ଗୋ ଲାଗିଲା ବଡ଼ ସ୍ନେହ ।।
(ଵନପର୍ଵ, ମହାଭାରତ)
ସେଇ ତିନି ଅକ୍ଷର ଵିଶିଷ୍ଟ ଶବ୍ଦଟି ହେଉଛି ମାଇପ । ମାଇପ ଵା ମାଏପୋ ଶବ୍ଦ ଓଡ଼ିଆ ଭାଷାରେ ସ୍ତ୍ରୀ’ର ପ୍ରତିଶବ୍ଦ ଭାବେ ପ୍ରଚଳିତ ସେହିପରି ମାଇପେ ଶବ୍ଦଟି ସ୍ତ୍ରୀଲୋକଙ୍କ ପାଇଁ ଵ୍ୟଵହୃତ ହୋଇଥାଏ ।
ସାରଳା ମହାଭାରତରେ ସାରଳା ଦାସ ପ୍ରୋକ୍ତ ପଦ ମଧ୍ଯରେ ମାଇପ ଶବ୍ଦର ନିରୁକ୍ତି ଉଲ୍ଲେଖ କରାଯାଇଛନ୍ତି । ତାଙ୍କ ଅନୁସାରେ ମାଇପ ଶବ୍ଦଟି ତିନୋଟି ଶବ୍ଦ ଯୁକ୍ତ ହୋଇ ଗଠିତ ହୋଇଅଛି ।
ମା=> ମାଆ
ଆଇ => ଆଈ > ମାତା(ପ୍ରାଚୀନ ପ୍ରୟୋଗ)
ପ => ପୁଅ
ଅର୍ଥାତ୍ ସାରଳା ଦାସଙ୍କ ଅନୁଯାୟୀ “ମାଆ, ଆଈ ଓ ପୁଅ” ଏଥିରୁ ମାଇପ ଶବ୍ଦର ସୃଷ୍ଟି ହୋଇଅଛି । ତେଣୁ ଏ ଦୃଷ୍ଟିରୁ ମାଇପ ଶବ୍ଦର ପୂର୍ଣ୍ଣ ରୂପ ହେଵ “ମୋ ପୁଅର ମାଆ” ଯେ ସେ ମୋ ମାଇପ ।
ତେବେ ମାଇପ ଶବ୍ଦର ସୃଷ୍ଟିକୁ ନେଇ ନାନାମୁନୀ ନାନା ମତ ତେବେ ସେସବୁ ମତ ଵିଷୟରେ ଆଲୋଚନା କରାଯାଇ ଦେଖାଯାଉ ଯେ ପ୍ରକୃତରେ କେଉଁ ନିରୁକ୍ତି ମତଟି ଅଧିକ ଯୁକ୍ତିଯୁକ୍ତ ଅଟଇ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମାଇପ ଶବ୍ଦ ତଳେ ଏହାର ନିରୁକ୍ତି ଉଲ୍ଲେଖ କରାଯାଇଛି ଯେ ଏ ଶବ୍ଦଟି ପ୍ରାକୃତ ‘ମାଇଆ’ କିଂଵା ସଂସ୍କୃତ ‘ମାତୃ’ ଶବ୍ଦ ସହ ସମଦ୍ଧୃତ । ଏଭଳି କୁହାଯିଵାର କାରଣ ‘ମାଇପ’ ଶବ୍ଦ ସହ ‘ମା’ ଓ ‘ମାଈ’ ଶବ୍ଦର ଅନେକ ସାମଞ୍ଜସ୍ୟ ରହିଛି । ତେବେ ‘ମା’ ଓ ‘ମାଈ’ ଯାଏଁ ତ ଠିକ୍ ଅଛି କିନ୍ତୁ ‘ମାଇପ’ ଶବ୍ଦରେ “ପ” କେଉଁଆଡ଼ୁ ଆସିଲା ଏହା ଏହି ନିରୁକ୍ତି ମତ ସ୍ପଷ୍ଟ କରିପାରେ ନାହିଁ ।
ଜଣେ ଉତ୍ତର ଓଡ଼ିଶାର ସାହିତ୍ୟିକ କିଛି ଦିନ ତଳେ ମାଇପ ଶବ୍ଦର ନିରୁକ୍ତି ସହ ଏକ କଵିତା ଲେଖିଥିଲେ । ତାଙ୍କ ଅନୁସାରେ ମା+ଇଵ ଵା ମାତା+ଇଵ/ଏଵ ଏଭଳି ଯୁକ୍ତ ହୋଇ ମାଇପ ଶବ୍ଦଟି ସୃଷ୍ଟି ହୋଇଅଛି । ତେବେ ଯେଉଁ ପଣ୍ଡିତ ମହୋଦୟ ମାଇପ ଶବ୍ଦର ଏଭଳି ଵ୍ୟାଖ୍ୟା କଲେ ସେ ଦେଵ ଆମ ଗଡ଼ଜାତର ‘ମାଏଝି’ ଵା ‘ମାଇଝି’ ଶବ୍ଦକୁ ଏକବାରେ ଭୁଲି ଗଲେ ନା ଏ ଶବ୍ଦଟି ଵିଷୟରେ ତାଙ୍କୁ ଆଦୌ ଜଣା ନଥିଲା ?
ମାଇପ ଶବ୍ଦ ଯଦି ମା+ଏବ ଵା ମା+ଇଵ ରୁ ହୋଇଛି ତାହେଲେ ପଶ୍ଚିମ ଓଡ଼ିଶାର ମାଏଝି/ମାଇଝି ଶବ୍ଦ କୁଆଡୁ କେମିତି ସୃଷ୍ଟି ହେଲା ? ଉଭୟ ଶବ୍ଦ ମଧ୍ୟରେ ଏତେ ସାମଞ୍ଜସ୍ୟ କାହିଁକି ?
ଏଠାରେ ପ୍ରକାଶ ଥାଉ କି ମାଇପ ଓ ମାଏଝୀ ଶବ୍ଦଦ୍ଵୟ ଏକାର୍ଥବୋଧକ କିନ୍ତୁ ମାଇପ ଶବ୍ଦ ଉପକୂଳ ଓଡ଼ିଶାରେ ଚଳୁଥିଵାବେଳେ ମାଏଝି ଶବ୍ଦଟି “ଆପଣା ପତ୍ନୀ” ଅର୍ଥରେ ପଶ୍ଚିମ ଓଡ଼ିଶାରେ ଚଳୁଅଛି ଏଵଂ ପଶ୍ଚିମ ଓଡ଼ିଶାରେ ମାଇପ ଶବ୍ଦଟି ମାଏପୋ ରୂପେ ପ୍ରଚଳିତ । ପୁଣି ଓଡ଼ିଶାରେ ମାଏଝି ଶବ୍ଦଟି ଵିଭିନ୍ନ ରୂପରେ ଚଳୁଅଛି ଯଥା—
୧. ରାୟଗଡ଼ାରେ ସ୍ତ୍ରୀ ଅର୍ଥରେ ଚଳେ #ମାଇଚି ଶବ୍ଦ, ବୋଧହୁଏ ଏଥିପାଇଁ ମାଇଚି = ସ୍ତ୍ରୀ+ ଗୁଣ ଅଛି ଅର୍ଥେ ଆ= ମାଇଚିଆ ଶବ୍ଦ ହୋଇଅଛି ।
୨. ନଵରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଇତ୍ୟାଦି ଦକ୍ଷିଣ ପୂର୍ଵ ଓଡ଼ିଶାର ଜିଲ୍ଲାଗୁଡି଼କରେ ସ୍ତ୍ରୀ ଓ ପତ୍ନୀ ଅର୍ଥରେ ମାଏଜି ଶବ୍ଦ ଚଳୁଅଛି ।
୩. ଦେଓଗଡ଼ରେ ମାଇଝା ଶବ୍ଦ ସ୍ତ୍ରୀଜାତି ଅର୍ଥରେ ପ୍ରୟୋଗ ହୋଇଥାଏ ।
୪. ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ମାଇଝି ଶବ୍ଦ ସ୍ତ୍ରୀ ଅର୍ଥରେ ଚଳୁଅଛି ।
୫. ବରଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ରେ ମାଏଝି ଶବ୍ଦ ସ୍ତ୍ରୀ ଓ କେଉଁଠି କେଉଁଠି ସ୍ତ୍ରୀଲୋକ ଅର୍ଥରେ ଚଳିଥାଏ ।
ତେଣୁ ମାଇପ/ମାଏପୋ ଓ ମାଏଝି/ମାଇଝି ଶବ୍ଦ ମଧ୍ୟରେ କୌଣସି ନା କୌଣସି ସମ୍ପର୍କ ରହିଛି ଅର୍ଥାତ୍ ଦୁଇଗୋଟି ଶବ୍ଦ ଗୋଟିଏ ପ୍ରକ୍ରିୟାରେ ସୃଷ୍ଟି ହୋଇଅଛି ଏଵଂ ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ରୂପ ଓ ଅର୍ଥ ଘେନି ଚଳୁଅଛି । ମା + ଇଵ = ମାଇପ କହିଵା ମଧ୍ୟ ସାମାଜିକ ଦୃଷ୍ଟିକୋଣରୁ ସମୁଚିତ ଲାଗୁନାହିଁ ।
ମନ ହୃଦୟରେ ଯେତେ ସକାରାତ୍ମକ ଵିଚାର ଧରିକରି କହିଲେ ବି ମାଆ ଓ ମାଇପ କେବେ ତୁଳନୀୟ ନୁହନ୍ତି । କାରଣ
ମାଆ ଆମକୁ ଜନ୍ମଦିଏ ମାଇପ ଆମକୁ ନୁହେଁ ଵରଂ ଆମ ଛୁଆକୁ ଜନ୍ମ ଦିଏ ।
ମାଇପ ସହିତ ମୈଥୁନୀ ସମ୍ପର୍କ ରଖିପାର ମାଆ ସହିତ ସେମିତି କରିଵା ଲୋକକୁ ଦୁରାଚାରୀ ହିଁ କୁହାଯିଵ ।
ମାଆ ସହିତ ଆମର ସ୍ନେହ ସମ୍ପର୍କ ଜନ୍ମରୁ ମୃତ୍ୟୁ ଯାଏଁ ଯଥାଵତ୍ ଥାଏ ମାତ୍ର ସ୍ତ୍ରୀ ସହ ପ୍ରେମ ସମ୍ପର୍କ ଭାଵଗତ ଓ ବହୁ ପରେ ଜାତ ହୁଏ ଏଵଂ ମାଆ ସହ ଆମ ସମ୍ପର୍କ ପରି ଦୃଢ଼ ହୋଇ ନଥାଏ ।
ମାଆ ଶରୀରରେ ଥିଵା ହାଡ଼ର କ୍ୟାଲସିୟମରୁ ଆମ ଶରୀରର ହାଡ଼ ଗଠିତ ହୋଇଅଛି ମାତ୍ର ସ୍ତ୍ରୀ ଯୋଗୁଁ ଆମ ଶରୀରର କିଛି ବି ଜାତ ହୁଏ ନାହିଁ ଵରଂ କ୍ଷୀଣ ହୋଇ ହୋଇ ଯାଏ ।
ମାଆ ଆମର ପ୍ରଥମ ଶିକ୍ଷକ ଆଉ ସ୍ତ୍ରୀ ଆମର ଜୀଵନ ସଙ୍ଗିନୀ ।
ମାଆ ଶିଖେଇଥିଵା କଥା ଆମ ସହିତ ଆଜୀଵନ ରହେ କିନ୍ତୁ ସ୍ତ୍ରୀର ଅନେକ କଥାକୁ ଏକାନରେ ଶୁଣି ସେକାନରେ ବାହାର କରିଵାକୁ ହୁଏ ! (ଯିଏ ଏମନ୍ତ ନ କଲା ସେ ମାୟାରେ ପଡ଼ି ମଲା)
ମାଆ ହାତ ରନ୍ଧା ସବୁଵେଳେ ସମସ୍ତଙ୍କୁ ସୁଆଦ ଲାଗେ କିନ୍ତୁ ସ୍ତ୍ରୀ ହାତ ରନ୍ଧା ଅନେକଙ୍କୁ ଅସ୍ଵାଦୁ ଲାଗଇ । ମାଆ ହାତରନ୍ଧାରେ ସୁଆଦ ସହ ସ୍ନେହ ମିଶି ରହିଥାଏ । ସ୍ତ୍ରୀ ହାତରନ୍ଧାରେ ସେହିପରି ପ୍ରେମ ରହିଵା ନିତାନ୍ତ ଆଵଶ୍ୟକ ଅନ୍ୟଥା ଯେତେ ସୁଆଦିଆ ଖାଦ୍ୟ ପରଷିଲେ ବି ମନ ହୃଦୟରେ ସ୍ଥାନ ଲଭିପାରିଵ ନାହିଁ ।
ଏଣୁ ମା+ ଇଵ = ମାଇପ ଏ ନିରୁକ୍ତି ମତ ସାମାଜିକ ଦୃଷ୍ଟିକୋଣରୁ ମଧ୍ୟ ଯୁକ୍ତିଯୁକ୍ତ ଲାଗୁନାହିଁ । ଜଣାନାହିଁ କେଉଁ ଦୃଷ୍ଟିରୁ କଵିରାଜେ ମାଆ ଓ ମାଇପକୁ ସମାନ ଵିଚାର କରି ଏମନ୍ତ ଅଯୁକ୍ତିଯୁକ୍ତ ନିରୁକ୍ତି ମତ ଦେଇଥିଲେ ।ମାଇପ କେବେ ବି ମାଆ ପରି କି ମାଆ ଭଳି ହୋଇ ନପାରେ କଦାପି ହୋଇପାରିଵ ନାହିଁ । ସେ ଆମ ଜୀଵନସାଥୀ, ସହାୟକ, ଯୌଵନ- ପ୍ରୌଢ଼ ଓ ବାର୍ଦ୍ଧକ୍ୟରେ ପଥ ପ୍ରଦର୍ଶକ ମାତ୍ର ଅଟଇ ।
ଏ ଶବ୍ଦର ଅନ୍ୟ କୌଣସି ନିରୁକ୍ତି ମତ ଏଯାଵତ୍ ଗଣମାଧ୍ୟମରେ ଦେଖାଯାଇନାହିଁ ତେବେ କେତେଗୋଟି ସମ୍ଭାଵିତ ନିରୁକ୍ତି ଵିଭିନ୍ନ ଶବ୍ଦକୋଷରେ ଶବ୍ଦ ସମୂହର ଅନୁଶୀଳନରୁ ମିଳିଅଛି ତାହା ନିମ୍ନରେ ଉଲ୍ଲେଖ କରାଗଲା ।
ମାଇପ ଶବ୍ଦର ଅନ୍ୟାନ୍ୟ ନିରୁକ୍ତି ମତ ଗୁଡି଼କୁ ପାଠ କରିଵା ପୂର୍ଵରୁ ପ୍ରଥମେ ମାଇପ/ମାଏପୋ ଓ ମାଏଝି/ମାଇଝି ଶବ୍ଦ ମଧ୍ୟରେ ସମାନତା ଓ ଅସମାନତା କ’ଣ କ’ଣ ତାହା ଵିଚାର କରି ଦେଖାଯାଉ ?
ଉଭୟ ଶବ୍ଦର ଅର୍ଥ ସ୍ତ୍ରୀ ଵା ପତ୍ନୀ ।
ଉଭୟ ଶବ୍ଦର ପ୍ରଥମ ଅକ୍ଷର ମା ଅଟଇ ।
ଉଭୟ ଶବ୍ଦର ମଧ୍ୟଭାଗରେ ପରସ୍ପର ପରିଵୃତ୍ତ ହୋଇପାରୁଥିଵା ସ୍ଵରଵର୍ଣ୍ଣ ‘ଇ’ ଓ ‘ଏ’ ରହିଛି ।
ଉଭୟ ଶବ୍ଦର ଶେଷ ଵର୍ଣ୍ଣ ପରସ୍ପରଠାରୁ ପୂର୍ଣ୍ଣତଃ ଭିନ୍ନ ‘ପ’ ଵା ‘ପୋ’ ଓ ‘ଝି’ ।
‘ମାଇପ’ ଓ ‘ମାଏଝି’ ଏ ଉଭୟ ଶବ୍ଦର ତୁଳନାରୁ ଆମେ ଦେଖିଲେ ଯେ ‘ମାଏଝି’ ଶବ୍ଦରେ ‘ଝି’ ଅଛି ଯାହା ସମ୍ଭଵତଃ ‘ଝିଅ’ ଶବ୍ଦର ଏକ ରୂପ ହୋଇଥାଇପାରେ ଏଵଂ ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଝିଅ ଅର୍ଥରେ ‘ଝି’ ଶବ୍ଦଟି ପ୍ରଚଳିତ ଅଛି । ସେହିପରି ‘ମାଇପ’ ଶବ୍ଦରେ ‘ପ’ ଅଛି ଯାହା ‘ପୁଅ’ ଶବ୍ଦର ଏକ ରୂପ ହୋଇପାରେ କାରଣ ଓଡ଼ିଆ ଭାଷାରେ ‘ପୁ’ ଓ ‘ପୋ’ ଶବ୍ଦ ପୁଅ ଅର୍ଥରେ ଚଳୁଅଛି । ହୁଏତ ଆଗେ ‘ମାଇପୋ’ ଶବ୍ଦଟି ଥିଲା ଯାହା ଏବେ ମାଇପ ହୋଇଛି ତେଣୁ ବୋଧହୁଏ ସେଇଥିପାଇଁ ପଶ୍ଚିମ ଓଡ଼ିଶାରେ ‘ମାଇପୋ’ ଶବ୍ଦଟି ‘ମାଏପୋ’ ହୋଇ ଆଜି ବି ପ୍ରଚଳିତ । ଓଡ଼ିଆ ଭାଷାର “ଇ” ଶବ୍ଦ ଯୁକ୍ତ ଶବ୍ଦ ଗଡ଼ଜାତର କଥିତ ଓଡ଼ିଆ ଶୈଳୀ ସମ୍ବଲପୁରୀ ଓ ଦେଶିଆ ଆଦିରେ “ଏ” ରେ ପରିଣତ ହୁଏ ।
ତେଣୁ ମାଇପ ଓ ମାଏଝି ଶବ୍ଦ ମଧ୍ୟରେ ମାଆ ଓ ପୁଅ ତଥା ଝିଅ ଇତ୍ଯାଦି ଶବ୍ଦ ରହିଥିଵା ଅଧିକ ସମ୍ଭଵ ତେଵେ ଉଭୟ ଶବ୍ଦର ମଧ୍ୟଭାଗରେ ଥିଵା “ଏ” ଵା “ଇ” କେଉଁ ଅର୍ଥରେ ଵ୍ୟଵହୃତ ଓ କୁଆଡୁ଼ ଆସିଲା ?
ଏ ସଂକ୍ରାନ୍ତରେ ଅନେକ ସମ୍ଭାଵିତ ମତ ମନକୁ ଆସୁଅଛି ଏଵଂ ନିମ୍ନରେ ଗୋଟି ଗୋଟି କରି ସେ ସବୁ ମତ ପ୍ରଦତ୍ତ କରାଗଲା ।
(ମତ—କ)
ମା ଇ ପୋ = ପୁଅ ର ମାଆ
ମା ଏ ଝି = ଝିଅ ର ମାଆ
କୌଣସି ଏକ ସମୟରେ ଏହି ଇ/ଏ ଶବ୍ଦଟି ‘ର’ ଵିଭକ୍ତି ଚିହ୍ନ ସ୍ଥାନରେ ଚଳୁଥାଇପାରେ । ‘ଇ’ ଶବ୍ଦଟି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଦ୍ଵିତୀୟ ଵିଭକ୍ତିର ‘କୁ’ ଚିହ୍ନ ପରି ଵ୍ୟଵହୃତ ହେଉଥିଲା । ଉଦାହରଣ ସ୍ୱରୂପ
“ଆଜ୍ଞା ପ୍ରାମାଣେ ଯାଅ ସାରଦା ଦେଶଇ।”
(ଅଚ୍ଯୁତାନନ୍ଦ—ଶ୍ରୀଗୁରୁଭକ୍ତିଗୀତା)
ସେହିପରି ‘ଏ’ ଶବ୍ଦଟି ମଧ୍ୟ ସପ୍ତମୀ ଵିଭକ୍ତି ଚିହ୍ନ ଭାବେ ରେ,ଠାରେ ପରିଵର୍ତ୍ତେ ପୂର୍ଵକାଳରେ ଵ୍ୟଵହାର ହେଉଥିଲା । ଉଦାହରଣ ସ୍ୱରୂପ
“ଘରେ ଭାତ ନାହିଁ;
ଠାଏ ଠାଏ ଦୋକାନ ବସିଛି।
କିନ୍ତୁ ଓଡ଼ିଆ ଭାଷାରେ “ଇ ଵା ଏ” ଶବ୍ଦର ‘ର’ ଵିଭକ୍ତି ଚିହ୍ନ ସ୍ଥାନରେ ଏଭଳି କୌଣସି ପ୍ରୟୋଗ ଥିଲା କି ନାହିଁ ତାହା ନିଶ୍ଚିତ ଭାବେ ଗଵେଷଣାର ଵିଷୟ । ତେବେ ଆମ ଓଡ଼ିଶାରେ ଲୋକେ ଆପଣା ସ୍ତ୍ରୀର ନାମ ନଧରି “ଏ ପୁଅର ମାଆ” ଵା “ଝିଅର ମାଆ” ଵା “ଅମକେଇ ମାଆ” ଇତ୍ୟାଦି ଡାକିଥାଆନ୍ତି । ଏହି ଦୃଷ୍ଟିରୁ ମାଇପ ଶବ୍ଦ ସମ୍ବନ୍ଧରେ ଅଧିକ ଗଵେଷଣା କରାଯିଵା ଵିଧେୟ ।
(ମତ—ଖ)
ଅନ୍ୟ ଏକ ସମ୍ଭାଵିତ ନିରୁକ୍ତି ମତ ଯାହା ମନକୁ ଆସୁଅଛି ତାହା ହେଲା ସମ୍ଭଵତଃ ଉଭୟ ଶବ୍ଦରେ ଥିଵା ଇ ଓ ଏ ଵର୍ଣ୍ଣଦ୍ଵୟ ଏଠାରେ ‘ଅଟେ’ ଅର୍ଥରେ ଠିକ୍ ଅରବୀ ଭଳି ଵ୍ଯଵହୃତ ହୋଇଅଛି କିଂଵା ସଂସ୍କୃତ ସମାସ ପ୍ରଣାଳୀରେ ଵାକ୍ୟ ସଂକ୍ଷିପ୍ତିକରଣରୁ ସୃଷ୍ଟି ହୋଇଅଛି ।
“ମାଆ ଅଟେ ପୁଅର ଯେ ସେ = ମାଇପ
ମାଆ ଅଟେ ଝିଅର ଯେ ସେ = ମାଏଝି”
ଅଵଶ୍ୟ ଅଟେ ଶବ୍ଦଟିରେ ‘ଏ’ ଏକ ସ୍ଵରଵର୍ଣ୍ଣ ମାତ୍ରା ଭାବେ ‘ଟ’ ସହିତ ଯୁକ୍ତ ହୋଇଅଛି ଏଵଂ ପରିଵୃତ୍ତ ହୋଇ ଏ ଶବ୍ଦରୁ କେଵଳ ‘ଏ’ ଵର୍ଣ୍ଣ ରହିଯିଵା ଅସମ୍ଭଵ ନୁହଁଇ କିନ୍ତୁ ଏହା କେତେ ଦୂର ଠିକ୍ ଜାଣିଵାପାଇଁ ଓଡ଼ିଆ ଭାଷାରେ ଏଇଭଳି ଅନ୍ୟ କୌଣସି ଶବ୍ଦ ଅଛି କି ନାହିଁ ତାହା ଅନୁସନ୍ଧାନ କରାଯିଵା ଉଚିତ୍ ।
(ମତ—ଗ)
ତୃତୀୟ ସମ୍ଭାଵିତ ମତ ହେଉଛି ସମ୍ଭଵତଃ ଏଠାରେ ମାଇପ ଓ ମାଏଝି ଶବ୍ଦ ମଧ୍ୟରେ
ମା = ମାଆ
ଏ/ଇ = ଏହି,ଇଏ,ୟେ(this;it)
ପ;ପୋ/ଝି = ପୁଅ ଵା ଝିଅ; ସନ୍ତାନସନ୍ତତି
ଆମ ଭାଷାରେ ଏ ଵା ଇ ଶବ୍ଦ ଏକ ସର୍ଵନାମ ଭାଵେ ଏହି;ଇଏ ;ୟେ ସ୍ଥାନରେ ଵ୍ୟଵହୃତ ହୋଇଥାଏ । ନିକଟରେ ଥିଵା କାହାକୁ ଵା କୌଣସି ଵସ୍ତୁ ଵିଷୟରେ ଯେତେବେଳେ ଆମେ କିଛି କହିଵାକୁ ଚେଷ୍ଟା କରନ୍ତି ତାହାର ନାମ ପରିଵର୍ତ୍ତେ ଏ ଵା ଇ ସର୍ଵନାମ ଶବ୍ଦ ପ୍ରୟୋଗ କରିଥାନ୍ତି । ସମ୍ଭଵତଃ ସେହିପରି, “ମାଆ ଇଏ ପୁଅର ; ମାଆ ଇଏ ଝିଅର” ଏଭଳି ସମ୍ବୋଧନ କରୁ କରୁ କେହି ମାଇପ ଵା ମାଏପୋ ଓ ମାଏଝି ଇତ୍ୟାଦି ଶବ୍ଦକୁ ସୃଷ୍ଟି କରିଦେଇଥିଵ ।
ଏତଦବ୍ୟତୀତ ଏ ଶବ୍ଦ ମାତ୍ର, ହିଁ, ଓ ଟା ଆଦି ଅର୍ଥରେ ମଧ୍ୟ ଵ୍ୟଵହୃତ ହୋଇଥାଏ । ଅର୍ଥାତ୍ ଏ ଶବ୍ଦର ଏହି ଦୁଇଗୋଟି ଅର୍ଥ ଆଧାରରେ ମଧ୍ୟ ମାଇପ ଶବ୍ଦର “(ଇଏ) ମାଆ ଏ(ହିଁ) (ମୋ) ପୁଅର”,ମାଆ ଏ(ଟା) ପୁଅର ଇତ୍ୟାଦି ନିରୁକ୍ତି ମତ ଦିଆଯାଇପାରେ ।
ହେଲେ ମାଇପ ଶବ୍ଦର ନିରୁକ୍ତି ସମ୍ଵନ୍ଧରେ ଠିକ୍ ପ୍ରମାଣ ନମିଳିଲା ଯାଏଁ ଆମ୍ଭେମାନେ କେଵଳ ଏଇଭଳି ନାନା ଅନୁମାନ ମାତ୍ର କରିପାରିଵା କାରଣ ସମାନ ପ୍ରକ୍ରିୟାରେ ଓଡ଼ିଆ ଭାଷାରେ ଅନ୍ୟ କୌଣସି ଶବ୍ଦ ସୃଷ୍ଟି ହୋଇଅଛି କି ନାହିଁ ସେ ଵିଷୟରେ ଅନୁସନ୍ଧାନ ନକରାଯିଵା ଯାଏଁ ଏସବୁ ନିରୁକ୍ତି ମତଗୁଡି଼କୁ କେଵଳ କପୋଳକଳ୍ପିତ ହିଁ ଵିଚାର କରାଯିଵ ।