ଲେଖା: ଦେଵ ତ୍ରିପାଠୀ

“ତସ୍ମିଂ ତୁଷ୍ଟେ ଜଗତସ୍ତୁଷ୍ଟମ୍ !”

ଆମ ଧର୍ମରେ ଘନ କୃଷ୍ଣ ପକ୍ଷରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ହିଁ ବିଧି । ପରଲୋକ ଗତ ପିତୃପୁରୁଷଙ୍କୁ ନିର୍ଦ୍ଦିଷ୍ଟ ତିଥିରେ ଶ୍ରାଦ୍ଧ ଦେବା ବି‌ହିତ କର୍ମ । କିନ୍ତୁ ତିଥି, ବାର, ନକ୍ଷତ୍ର ନିର୍ବିଚାରରେ ଶ୍ରାଦ୍ଧ ଦେବାର ସୁନ୍ଦର ବିଧିଟିଏ ମଧ୍ୟ ରହିଛି । ମହାଳୟା ପକ୍ଷରେ ଏପରି ଶ୍ରାଦ୍ଧ ଦେବା ସମ୍ଭବ ହୋଇଥାଏ । ଆଶ୍ୱିନ ଅମାବାସ୍ୟା ଅବା ମହାଳୟା ଅମାବାସ୍ୟାରେ ହିଁ ଆସେ ସେପରି ପୁଣ୍ୟବେଳା !

ମହାଳୟା ପକ୍ଷ ଆରମ୍ଭ ହେବାଦିନୁ ପରିବାରର ଜ୍ୟେଷ୍ଠ ବ୍ୟକ୍ତି କ୍ଷୌରକର୍ମରୁ ନିବୃତ୍ତ ରହେ, ସହଧର୍ମିଣୀ ହାତପ୍ରସ୍ତୁତ ଅନ୍ନ ବ୍ୟଞ୍ଜନାଦି ସେ ଗ୍ରହଣ କରେ, ଅଥବା ନିଜେ ପ୍ରସ୍ତୁତ କରି । ଏହି ପିତୃପକ୍ଷରେ ତର୍ପଣ ଓ ଶ୍ରାଦ୍ଧ ଉଭୟ କର୍ମ ସମ୍ପାଦିତ ହୋଇଥାଏ ! ତର୍ପଣ ସମୟରେ ଶ୍ରାଦ୍ଧଦାତାର ମନରେ ଯେଉଁ ଦର୍ଶନଟିକକ ଚଳମାନ ଥାଏ, ତାହା ପିତୃମାତୃକୂଳର ତୃପ୍ତି ପାଇଁ ସନ୍ତାନ ଅବା ବ୍ୟକ୍ତିର ଉପାସନା । ଅତଏବ ତର୍ପଣର ନିହିତ ଅର୍ଥ ତୃପ୍ତିଦାନ । ପିତୃପକ୍ଷରେ ଶ୍ରାଦ୍ଧଦାନରେ ତୃପ୍ତ ହୁଅନ୍ତି ପିତୃମାତୃକୂଳ ସାତପୁରୁଷ । ଏହା ହିଁ ମହାଳୟା ଶ୍ରାଦ୍ଧ ବା ମଉଳା ଶ୍ରାଦ୍ଧ !


ଆମେ ବିଚାର କରୁ, ଶ୍ରାଦ୍ଧତର୍ପଣ ମାଧ୍ୟମରେ ଆମର ପିତୃପୁରୁଷଙ୍କୁ ଆତ୍ମାର ତୃପ୍ତି ଓ ରସଘନ ଶ୍ରଦ୍ଧା ଅର୍ପଣ କରୁ । ଶ୍ରଦ୍ଧାଳୁ ଶ୍ରାଦ୍ଧ ଓ ତୃପ୍ତିରୁ ତର୍ପଣର ଅଭିଧାନ ଉତ୍ପନ୍ନ ! ଆମେ ଏଇ କର୍ମ ସମ୍ପାଦନ ବେଳେ ପିତୃଲୋକରେ ନିଜ ଆତ୍ମାର ସଙ୍କେତ ଏବଂ ବିଶ୍ୱଆତ୍ମାର ବିରାଟ ସତ୍ତା ସହିତ ସଂଯୋଗ ସୃଷ୍ଟି କରୁ !

ପିତୃପୁରୁଷଙ୍କୁ ଶ୍ରାଦ୍ଧ ନିବେଦନ ପୂର୍ବରୁ ଆମେ ସେ ବିଶ୍ୱପୁରୁଷଙ୍କୁ ଜଳପିଣ୍ଡ ଦାନ କରି ନିବେଦନ କରିଥାଉ, “ହେ ପ୍ରଭୁ ! ତସ୍ମିଂ ତୁଷ୍ଟେ ଜଗତସ୍ତୁଷ୍ଟମ୍ ! ମୁଁ ଇତରଜନ, ବିଳାସବ୍ୟସନେ ମୋହମାୟାରେ ମୋ ମନ, ମୋ ହୃଦୟ ତୁମର ସେଇ ଅନନ୍ତ ସତ୍ତାକୁ ଖୋଜି ପାଇବା ଲାଗି ଅସମର୍ଥ ! ତୁମେ ମୋ ଆତ୍ମାରେ ପ୍ରକଟ ହେଲେ, ମୋ ପ୍ରତି ତୁଷ୍ଟ ହେଲେ ମୋର ସର୍ବସତ୍ତା, ଅମୃତାୟିତ ହୋଇଉଠିବ ! ମୁଁ ବିଚାର କରିବି ଯେ, ଏ ବିରାଟ ବିଶ୍ୱ ହେଉଛି ଆମର ଆଳୟ, ଏହା ହେଉଛି ଆମର ଆଶ୍ରୟ ଓ ଲୟକେନ୍ଦ୍ର !”


ଯଥାର୍ଥ କଥା, ଆମେ ଚାହୁଁ ଆମର ଅକ୍ଷୟ ଚୈତନ୍ୟ ଉଦୟ ହେଉ, ଆମେ ବଂଶବୃକ୍ଷରୁ ଅମୃତ ପାନ କରି ବିଶ୍ୱବୃକ୍ଷର ପରିଚର୍ଯ୍ୟାରେ ଜୀବନ ବ୍ୟୟ କରୁ ! କେବଳ ପିତୃବଂଶ ନୁହେଁ, ବିଶ୍ୱ ହେଉ ଆମର ଶ୍ରଦ୍ଧାର ଆଳୟ, ଏଇ ତ ମହାଳୟା !

ଉଲ୍ଲେଖଯୋଗ୍ୟ ଯେ, ଆଶ୍ୱିନର ମହାର୍ଘ ବେଳାରେ ସଂସ୍କୃତିର ସ୍ବର୍ଗ କଟକ ସମେତ ଓଡ଼ିଶାର ପୁରପଲ୍ଲୀରେ ଚାଲିଥାଏ ଦେବୀ ଦୁର୍ଗାଙ୍କ ପ୍ରତିମାପ୍ରସ୍ତୁତି । ଏଇ ପବିତ୍ର ମହାଳୟା ତିଥିରେ ମା’ଙ୍କ ଖଡ଼ିଚଢ଼ା ହୁଏ । 

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago