ଲେଖା: ଦେଵ ତ୍ରିପାଠୀ

ଗଡ଼ଜାତ ମିଶ୍ରଣ ପୂର୍ବରୁ ଆମ ରାଜ୍ୟରେ ଥିବା ବିଭିନ୍ନ ଦେଶୀୟ ରାଜାମାନଙ୍କ ଅନ୍ୟାୟ, ଅତ୍ୟାଚାର ଶାସନ ଏକ କଳଙ୍କମୟ ସମୟ ଥିଲା ବୋଲି ଇତିହାସ କହେ । କିନ୍ତୁ ସେ ବେଳରେ ମଧ୍ୟ ଏପରି ରାଜା ଥିଲେ ମହୀୟାନ ନିଜର ପ୍ରଜାବାତ୍ସଲ୍ୟ ତଥା ରାଜ୍ୟର କଳା ସଂସ୍କୃତି, ସାହିତ୍ୟର ବିକାଶ ନିମନ୍ତେ ସମର୍ପିତ । ସେଭଳି ଜଣେ ସମର୍ପିତ ରାଜନ୍ ଥିଲେ ଖଡ଼ିଆଳ ରାଜ୍ୟର ମହାରାଜା ଆର୍ତ୍ତତ୍ରାଣ ଦେବ, ଇତିହାସର ଅନାଲୋଚିତ ଅନୁଦ୍ଘୋଷିତ ବ୍ୟକ୍ତିତ୍ଵ ।

ଖଡ଼ିଆଳ ରାଜ୍ୟ ଓଡ଼ିଶାର ଏକ ସୀମାନ୍ତ ଅଞ୍ଚଳ ହୋଇଥିବାରୁ ସେଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୂଳେ ଲୋପ କରି ମୃତ ଓଡ଼ିଆର କଙ୍କାଳ ହାଡରେ ନିଜ ଭାଷାର ସୌଧ ଗଢିବାକୁ ଦଳେ ଷଡ଼ଯନ୍ତ୍ରକାରୀ ହିନ୍ଦୀଭାଷୀ ସୁଚିନ୍ତିତ ଉଦ୍ୟମ ଆରମ୍ଭ କରିଦେଇଥିଲେ । ନିଜ ରାଜ୍ୟ ର ପ୍ରାଣପ୍ରିୟ ପ୍ରଜା କ’ଣ ବଞ୍ଚିତ ହେବେ ମାତୃଭାଷାରୁ ? ଓଡ଼ିଆ ସାହିତ୍ୟର ଉପଯୁକ୍ତ ବିକାଶ, ପ୍ରୋତ୍ସାହନ ତଥା ସାହିତ୍ୟ ଓ ପାଠ୍ୟପୁସ୍ତକର ମୁଦ୍ରଣ ଓ ଉପଲବ୍ଧତା ପାଇଁ ଅଣ୍ଟା ଭିଡିଥିଲେ ମହାରାଜା ଆର୍ତ୍ତତ୍ରାଣ ଦେବ । ଏ ବାବଦରେ ରାଜକୋଷରୁ ଅକୁଣ୍ଠ ଚିତ୍ତରେ ଅର୍ଥ ଯୋଗାଇ ଦେଇଥିଲେ ମହାରାଜା ।

ସାହିତ୍ୟ ସର୍ଜନାରେ ସ୍ବୟଂ ମନୋନିବେଶ ସହିତ ସେ ବନିଥିଲେ ପ୍ରେରଣାଦାୟୀ ଏବଂ ପ୍ରୋତ୍ସାହକ ଅନେକ ସାହିତ୍ୟିକଙ୍କ ପାଇଁ । ତତ୍କାଳୀନ ଖଡ଼ିଆଳର ସାମାଜିକ, ଶିକ୍ଷାଗତ, ସାଂସ୍କୃତିକ, ଆର୍ଥନୀତିକ ଓ ରାଜନୀତିକ ପରିସ୍ଥିତିରେ ସୁଧାର ଆଣିବାରେ ମହାରାଜା ହିଁ ଥିଲେ ମୁଖ୍ୟ ପୁରୋଧା । ତାଙ୍କ ଉଦ୍ଗତ ମସୀର ଉଦୀପ୍ତ ଆଭାରେ ଖଡ଼ିଆଳ ଗଡଜାତରୁ ଅଜ୍ଞାନର ଅନ୍ଧାର ହଟିଲା, ଶିକ୍ଷା, ସଂସ୍କୃତି ଓ ସ୍ବାଭିମାନର ବାର୍ତ୍ତା ପ୍ରସାରିଲା । ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଭାଷାକୋଷର ପ୍ରକାଶ ପାଇଁ ଅକୁଣ୍ଠ ଚିତ୍ତରେ ଯୋଗାଇଥିଲେ ଅର୍ଥରାଶି ।

ସାହିତ୍ୟ ବ୍ୟତୀତ, ସଙ୍ଗୀତ, ନାଟକ, ଅଭିନୟ ଇତ୍ୟାଦିର ପ୍ରଚାର ପ୍ରସାର ନିମନ୍ତେ ସେ ଥିଲେ ସତତ ଚେଷ୍ଟିତ । ସେହି ମହାନ୍ ଯୋଗଜନ୍ମାଙ୍କ ପାଣ୍ଡିତ୍ୟ, ପରାକାଷ୍ଠା, ସମର୍ଥନ ଓ ସଂଗ୍ରାମର ଔଜଲ୍ୟରେ ଭାଜିଗଲା ଧୂର୍ତ୍ତ ହିନ୍ଦୀଭାଷୀଙ୍କ ଦର୍ପ ।

ରାଜ୍ୟର ପ୍ରଜାଙ୍କ ହିତ ନିମନ୍ତେ ସର୍ବଦା ତତ୍ପର ଥିବା ମହାରାଜା ଆର୍ତ୍ତତ୍ରାଣ ଦେବ ବହୁ କଲ୍ୟାଣକର ଯୋଜନା କାର୍ଯ୍ୟକାରୀ କରିବା ସହିତ ପିତାଙ୍କ ଦ୍ଵାରା ପ୍ରତିଷ୍ଠିତ ବିକ୍ରମ ଥିଏଟର ନାମକ ନାଟ୍ୟାନୁଷ୍ଠାନକୁ ଆଗୁସାର କରାଇଥିଲେ, ଖଡିଆଳ ସମେତ ପଶ୍ଚିମ ଓଡ଼ିଶାରେ ନାଟ୍ୟ ସଂସ୍କୃତିର ପ୍ରସାର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଏଇ ଅନୁଷ୍ଠାନ ।

ଖଡ଼ିଆଳ ସମେତ କଳାହାଣ୍ଡି ଅଞ୍ଚଳରେ ଓଡ଼ିଆ ଭାଷାସାହିତ୍ୟ, କଳା ସଂସ୍କୃତିର ପ୍ରସାର ଓ ପ୍ରଚାର ନିମନ୍ତେ ମହାରାଜାଙ୍କ ଅଦମନୀୟ ନିଷ୍ଠା ଓ ଉଦ୍ୟମର ପ୍ରତିବଦଳରେ କଳାହାଣ୍ଡିବାସୀ ତାଙ୍କୁ କ’ଣ ବା ଦେଇଛନ୍ତି ?

୧୯୦୦ ମସିହା ଜୁନ୍ ୧୭ ତାରିଖରେ ଧରାବତରଣ କରିଥିବା ଏଇ ମହାନ ପ୍ରଜାପ୍ରେମୀ ରାଜନଙ୍କ ମହାପ୍ରୟାଣ ଦିବସରେ ୧୯୬୦ ମସିହା ସେପ୍ଟେମ୍ବର ୩୦ ତାରିଖରେ ଘଟିଥିଲା ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago