ମଧୁବାବୁ

ଲେଖା: ଅଂଶୁମାନ ମହାରଣା
                                                                             

ନିଃସନ୍ଦେହରେ ଏହା କୁହାଯାଇ ପାରେ ଯେ, ମଧୁବାବୁ ଓଡ଼ିଆ ଜାତୀୟତାବାଦର ଜଣେ ନିଖୁଣ ଶିଳ୍ପୀ । ଜାତୀୟଗୌରବ ମଧୁସୂଦନଙ୍କୁ ବାଦ ଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପରିକଳ୍ପନା କରାନଯାଇ ପାରେ । ଓଡ଼ିଶାର ସର୍ବପ୍ରଥମ ରାଜନୈତିକ ପୁରୁଷ ସେ । ତାଙ୍କ ଠାରୁ ଆରମ୍ଭ ହୋଇଛି ଓଡ଼ିଆମାନଙ୍କର ରାଜନୈତିକ ପରମ୍ପରା । ମାତୃଭୂମି ଏବଂ ମାତୃଭାଷା ପାଇଁ ଉତ୍ସର୍ଗ କରିଦେଇଥିବା ନିଜର ସମଗ୍ର ଜୀବନକାଳ ମଧ୍ୟରେ ସ୍ୱଦେଶୀ ଜାଗରଣ, ନାରୀ ଜାଗରଣ, ନିଶା ନିବାରଣ ପ୍ରଭୃତି କାର୍ଯ୍ୟରେ ସେ ହାସଲ କରିଥିଲେ ସଫଳତା । ବ୍ୟକ୍ତିଗତ ସ୍ୱାର୍ଥକୁ ତ୍ୟାଗ କରି ଜାତୀୟ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଥିଲା ତାଙ୍କର ମୂଳ ଲକ୍ଷ୍ୟ । ମଧୁସୂଦନଙ୍କ ଠାରୁ ପ୍ରଥମେ ଓଡ଼ିଆ ମାନଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାର ମୁକ୍ତ ଅଧିକାର ।

ଜାତୀୟତାର ମନ୍ତ୍ରରେ ଉଦବୁଦ୍ଧ ଉତ୍କଳ ଜନନୀର ଏହି ଯୋଗ୍ୟତମ ସନ୍ତାନ ମଧୁବାବୁ ଥିଲେ ଭାରତବର୍ଷରେ ସ୍ୱଦେଶୀ ଆନ୍ଦୋଳନର ପ୍ରଥମ ପ୍ରବକ୍ତା । କେବଳ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ତାଙ୍କର ପ୍ରଧାନ ଆଭିମୁଖ୍ୟ ନ ଥିଲା । ସେ ସ୍ୱପ୍ନ ଦେଖିଥିଲେ ଓଡ଼ିଶାର ସ୍ୱାଭିମାନ ପ୍ରତିଷ୍ଠା ନିମନ୍ତେ ସ୍ୱଦେଶୀ ଶିଳ୍ପର ଅଦ୍ଭ୍ୟୁଦୟ ପାଇଁ ।

ସମଗ୍ର ଜୀବନକାଳ ଭିତରେ ଓଡ଼ିଶାର ଉନ୍ନତି ଓ ଓଡ଼ିଆ ଜାତିର ସ୍ୱାର୍ଥ ପାଇଁ ସମର୍ପିତ ମଧୁବାବୁ ଆଧୁନିକ ଓଡ଼ିଶାକୁ ନୂତନ ଦିଗଦର୍ଶନ ନିମନ୍ତେ ଆରମ୍ଭ କରିଥିଲେ ଶିଳ୍ପ ପରମ୍ପରା । ଓଡ଼ିଶାରୁ ଅବଲୁପ୍ତ କୁଟୀ ଶିଳ୍ପର ପୁନରୁଦ୍ଧାର, କୃଷି ଓ ବାଣିଜ୍ୟ ଶିଳ୍ପର ଉନ୍ନତି ସାଧନ, ଓଡ଼ିଶାରେ ବ୍ୟବସାୟଗତ ଶିକ୍ଷାର ପ୍ରସାର ପାଇଁ ସର୍ବଦା ଚେଷ୍ଟିତ ଥିଲେ ମଧୁବାବୁ । ସେ ସମୟରେ ଓଡ଼ିଶାର ଆର୍ଥିକ ସ୍ୱଚ୍ଛଳତା ନିର୍ଭର କରୁଥିଲା କେବଳ ଧାନଚାଷ ଉପରେ । ପ୍ରାକୃତିକ ତଥା ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାର ଜନସାଧାରଣ ସେମାନଙ୍କର ଶୈଳ୍ପିକ ଚିନ୍ତାଧାରା ହରାଇ ବସିଥିଲେ । ଦୀର୍ଘକାଳ ଧରି ମୋଗଲ, ମରହଟ୍ଟା ତଥା ଇଂରେଜଙ୍କ ଦ୍ୱାରା କବଳିତ ହୋଇଥିବା ଓଡ଼ିଶାର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହେବା ହିଁ ଥିଲା ଏହାର ଏକମାତ୍ର କାରଣ ।

ବଙ୍ଗଳାରେ ରହିବା ସମୟରେ ମଧୁବାବୁ ଅନୁଭବ କରିଥିଲେ ଇଂରେଜ ଜାତିର ବିକାଶ ମୂଳରେ ରହିଛି ଶିଳ୍ପବିପ୍ଳବ । କାହିଁକିନା ଶିଳ୍ପ ହିଁ ବିଦ୍ୟାର ବିକାଶ କରେ ତଥା ଦାରିଦ୍ର‌୍ୟର ଦୂରୀକରଣ କରେ । ଦେଶରେ ଉପଲବ୍ଧ ଗଚ୍ଛିତ ଓ ନଷ୍ଟ ହୋଇଯାଉଥିବା କଞ୍ଚାମାଲର ବିନିଯୋଗ ମାଧ୍ୟମରେ ହିଁ ନୂତନ ଶିଳ୍ପ ଗଠନ କରାଯାଇପାରେ । ତେଣୁ ଅର୍ଥନୀତି କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ପାଇଁ, ବିଭିନ୍ନ କୁଟୀର ଶିଳ୍ପର ବିକାଶ ପାଇଁ ମଧୁବାବୁ ବିଶେଷ ଭାବରେ ଗୁରୁତ୍ୱ ଦେଉଥିଲେ । ଓଡ଼ିଆଙ୍କ ଦାରିଦ୍ର‌୍ୟର କାରଣକୁ ସେ ଅନୁଭବ କରିଛନ୍ତି । ସେଥିପାଇଁ ମଧୁବାବୁ ବାଣିଜ୍ୟ ଓ ଶିଳ୍ପାନୁରାଗୀ ହୋଇଛନ୍ତି । କଟକର ଚୌଧୁରୀ ବଜାରରେ ପ୍ରତିଷ୍ଠିତ ଓଡ଼ିଆ ଆର୍ଟଓୟାର ଏବଂ ଚାଉଳିଆଗଞ୍ଜରେ ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରୀ ତାଙ୍କର ଶିଳ୍ପ ମାନସିକତାର ପ୍ରତିଫଳନ ।


ମଧୁବାବୁ ଯେତେବେଳେ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ସ୍ୱପ୍ନପ୍ରବଣ ଥିଲେ, ସେତେବେଳେ ସମଗ୍ର ଦେଶରେ ମଧ୍ୟ ଦେଶୀୟ କମ୍ପାନୀଙ୍କ ସଂଖ୍ୟା ଏତେ ଅଧିକ ନଥିଲା । ଭାରତବର୍ଷରେ ପୁଞ୍ଜି ବଜାର ମଧ୍ୟ ବେଶୀ ସକ୍ରିୟ ନଥିଲା । ତେଣୁ ନୂଆ ନୂଆ କମ୍ପାନୀ ପ୍ରତି ପୁଞ୍ଜି ନିବେଶକାରୀ ମାନଙ୍କ ସେତେଟା ଆଗ୍ରହ ନଥିଲା । ୧୮୯୮ ମସିହା ଜାନୁଆରୀ ମାସରେ ବିଭିନ୍ନ ଶିଳ୍ପ ଓ ବ୍ୟବସାୟ ସଂସ୍ଥାମାନଙ୍କର ପ୍ରତିନିଧିମାନଙ୍କୁ ଡ଼କାଇ ମଧୁବାବୁ ଏକ ସଭା କରାଇଥିଲେ ଏବଂ ଶିଳ୍ପ ଓ ବାଣିଜ୍ୟର ଅଭ୍ୟୁତ୍ଥାନ ସମ୍ବନ୍ଧରେ ଉଦବୋଧନ ଦେଇଥିଲେ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଳ୍ପ ଓ ବାଣିଜ୍ୟର ବିକାଶ ନିମନ୍ତେ ଲୋକେ ଆଉ ଉଦାସୀନ ହୋଇ ବସିବା ଉଚିତ ନୁହେଁ ବୋଲି ସେ କହିଥିଲେ । ନିଜେ ମଧ୍ୟ ସେ ଦିଗରେ ନେତୃତ୍ୱ ନେଇ ଆଦର୍ଶ ପ୍ରଦର୍ଶନ କରିବା ନିମନ୍ତେ କେତୋଟି ଶିଳ୍ପାନୁଷ୍ଠାନ ସ୍ଥାପନ କରିଥିଲେ । ଏହି ସୁତ୍ରରେ ଆରମ୍ଭ ହୋଇଥିଲା ଓଡ଼ିଶାରେ ଶିଳ୍ପାୟନ । ବାଣିଜ୍ୟର ପ୍ରଥମ ଉଦ୍ୟମ କଟକରେ କୋ-ଅପରେଟିଭ ସମବାୟ ବିକ୍ରୟ କେନ୍ଦ୍ରର ପ୍ରତିଷ୍ଠା ସହ ତାଙ୍କ ଘରେ ଓଡ଼ିଶାର ପାରମ୍ପରିକ ବୃତ୍ତିଜୀବୀମାନଙ୍କ ବିଦ୍ୟା ଓ ଉପଲବ୍ଧ କଞ୍ଚାମାଲକୁ ଆଧାର କରି ଆରମ୍ଭ ହେଲା ଶିଙ୍ଗ ଓ ତାରକସି କାମ ଉତ୍କଳ ସମ୍ମିଳନୀ ଅବସରରେ ଏଇ ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ହିଁ ମଧୁବାବୁ ଓଡ଼ିଶାର ଦାରିଦ୍ର‌୍ୟର ଦୂରୀକରଣ କଥା କହିଛନ୍ତି ଏବଂ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ମଧ୍ୟ ସେ ଉଦ୍ୟମ କରିଛନ୍ତି । ଶିଳ୍ପବିଦ୍ୟାର ବିକାଶ ପ୍ରକ୍ରିୟା ଅନୁଭବ କରିବା ଲାଗି ସେ ଦୁଇ ଥର ଇଂଲଣ୍ଡ ଯାଇଛନ୍ତି ଏବଂ ବିଦେଶ ଅନୁଭବ ଓ କୌଶଳକୁ ନିଜ କ୍ଷେତ୍ରରେ ପ୍ରୟୋଗ କରିଛନ୍ତି ।


ବହୁ ପ୍ରାଚୀନ କାଳରୁ ସୂକ୍ଷ୍ମ ଅଳଙ୍କାର ନିର୍ମାଣରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶାରେ ଲୁପ୍ତପ୍ରାୟ ହୋଇ ଆସୁଥିବା ତାରକସି କାମର ଅଗ୍ରଗତି ନିମନ୍ତେ ମଧୁବାବୁଙ୍କ ଆପ୍ରାଣ ଉଦ୍ୟମ ବଳରେ କଟକରେ ପ୍ରଥମ ପାଇଁ ୧୮୯୭ ଖ୍ରୀଷ୍ଟାବ୍ଦରେ ସ୍ଥାପନ ହେଲା ଓଡ଼ିଶା ଅଳଙ୍କାର କାରଖାନା । ଓଡ଼ିଶାର ବିଭିନ୍ନ ଅଞ୍ଚଳର କୁଶଳୀ ଶିଳ୍ପୀଙ୍କୁ ଆଣି ସେ ଉନ୍ନତ ମାନର ରୂପା ଓ ସୁନାର ତାରକସି ଅଳଙ୍କାର ପ୍ରସ୍ତୁତ କରୁଥିଲେ । ପ୍ରାୟ ଶହେ ଜଣ କାରିଗର ତାଙ୍କ କାରଖାନାରେ ସୂକ୍ଷ୍ମ ଶିଳ୍ପକଳା ସମ୍ପର୍କରେ ବିଶେଷ ତାଲିମ ଗ୍ରହଣ କରିବା ସହିତ ଅଳଙ୍କାର ଗଠନ କରୁଥିଲେ । ମଧୁବାବୁଙ୍କ ଅପୂର୍ବ ଉତ୍ସାହ ଓ ଅପରିସୀମ ଉଦ୍ୟମ ଫଳରେ ଏହି ପ୍ରାଚୀନ ଶିଳ୍ପ ପୁଣି ତାହାର ପୂର୍ବ ଗୌରବ ଫେରି ପାଇଥିଲା । ଯେଉଁ ସମୟରେ ଭାରତବର୍ଷରେ କୌଣସି ସ୍ଥାନରେ ଶିଳ୍ପ ବିକାଶ ସମ୍ପର୍କରେ ଚେତନା ଜାଗ୍ରତ ହୋଇ ନଥିଲା, ସେହି ପ୍ରତିକୂଳ ପରିବେଶ ଓ ପରିସ୍ଥିତିରେ ଓଡ଼ିଶା ପରି ଅନଗ୍ରସର ରାଜ୍ୟରେ ସେ ଶିଳ୍ପାୟନର ବୈପ୍ଳବିକ ଯୁଗ ପ୍ରବର୍ତନ କରିଥିଲେ । ମଧୁବାବୁ ଯେଉଁଠାରେ ଓଡ଼ିଶା ଅଳଙ୍କାର କାରଖାନା ସ୍ଥାପନା କରିଥିଲେ ସେହିଠାରେ ଏକ ଶିଳ୍ପ ବିଦ୍ୟାଳୟ ମଧ୍ୟ ସଂଲଗ୍ନ ଥିଲା । ଅଖଣ୍ଡ ଉଦ୍ୟମ ବଳରେ ଏହି ଲୁପ୍ତପ୍ରାୟ ସୂକ୍ଷ୍ମ କଳାଟିର ପୁନରୁଦ୍ଧାର ହେବା ସଙ୍ଗେ ସଙ୍ଗେ ବହୁ ଲୋକଙ୍କର ଅନ୍ନ ସଂସ୍ଥାନର ବ୍ୟବସ୍ଥା ହୋଇପାରିବ ଏହି ଆଶା ତାଙ୍କର ଥିଲା ।


ବହୁପରିଚିତ ମଧୁବାବୁଙ୍କ ଜୋତା କାରଖାନା ଉତ୍କଳ ଟ୍ୟାନେରୀ ସ୍ଥାପନ ହେଲା ୧୯୦୫ ମସିହାରେ । ବ୍ରିଟେନର ଏକ ଜୋତା କାରଖାନାକୁ ଦେଖିବା ପରେ ଓଡ଼ିଶାରେ ଉତ୍କଳ ଟ୍ୟାନେରୀ ପରି ଏକ ଜୋତା କାରଖାନା ଖୋଲି ଓଡ଼ିଶାର ଆର୍ଥିକ ମେରୁଦଣ୍ଡକୁ ସବଳ କରିବାକୁ ଆଗେଇ ଆସିଲେ ମଧୁବାବୁ । ଏହି ଜୋତା କାରଖାନାରେ ଜୋତା ତିଆରି ସହିତ ମଧୁବାବୁ ଉତ୍ପାଦନର ମାନ ପ୍ରତି ଅଧିକ ଗୁରୁତ୍ୱ ଦେଉଥିଲେ । ଓଡ଼ିଆ ଜାତିର ସ୍ୱାଭିମାନ ହିଁ ଥିଲା ତାଙ୍କ ଶିଳ୍ପାୟନର ପ୍ରତିଶ୍ରୁତି ବଦ୍ଧତା । ଉତ୍କଳ ଟ୍ୟାନେରୀ ଥିଲା ଓଡ଼ିଶାର ପ୍ରଥମ ଜଏନ୍ଟ ଷ୍ଟକ କମ୍ପାନୀ । ଟ୍ୟାନେରୀରେ ନିର୍ମିତ ହେଉଥିବା ଗୋଧି ଚମଡ଼ାରେ ତିଆରି ନରମ ଜୋତାର ଚାହିଁଦା ୟୁରୋପରେ ଅଧିକ ଥିଲା । ୧୯୦୯ ମସିହାରେ ଭାରତୀୟ ସୈନ୍ୟବାହିନୀ ପାଇଁ ଉତ୍କଳ ଟ୍ୟାନେରୀରୁ ଜୋତା କିଣାଯିବା ଓଡ଼ିଶା ତଥା ଓଡ଼ିଶାର ଶିଳ୍ପାୟନ ଜଗତ ପାଇଁ ଥିଲା ଏକ ଗୌରବର ବିଷୟ । ଉତ୍ପାଦନର ମାନ ପ୍ରତି ମଧୁବାବୁ ଏତେ ସ୍ପର୍ଶକାତର ଥିଲେ ଯେ ସାମାନ୍ୟ ତ୍ରୁଟି ଦେଖିଲେ ସବୁ ଜୋତା ପୋଡ଼ି ଦେଉଥିଲେ । ଗୋଟିଏ ପଟେ ଜୋତା ଖରାପ ପଡ଼ିଲେ ସମ୍ପୂର୍ଣ୍ଣ ଲଟକୁ ପୋଡ଼ିଦେବା ଅନ୍ୟପଟେ ପୁଞ୍ଜିବଜାରର ମାନ୍ଦାବସ୍ଥା ଏସବୁ ମଧୁବାବୁଙ୍କୁ ମହଙ୍ଗା ପଡ଼ୁଥିଲା । ଶେଷରେ ୧୯୨୭ ମସିହାରେ ମଧୁବାବୁଙ୍କ ସ୍ୱପ୍ନର ଉତ୍କଳ ଟ୍ୟାନେରୀ ନିଲାମ ହୋଇଗଲା, ଯଦିଓ ଏହାର ବଜାର ଚାହିଦା ବେଶ୍ ଉଜ୍ଜ୍ୱଳ ଥିଲା ମାତ୍ର ଆର୍ଥିକ କ୍ଷତି ହିଁ ପ୍ରତିବନ୍ଧକ ସାଜିଲା । ଜାତୀୟତା ଦୀକ୍ଷାରେ ଅଭିମନ୍ତ୍ରିତ ଉତ୍କଳ ଟ୍ୟାନେରୀ ବ୍ୟାବସାୟିକ ସଫଳତା ଦିଗରେ ବିଶେଷ ଧ୍ୟାନ ଦେଇନଥିଲା । ଉତ୍କଳ ଟ୍ୟାନେରୀର ଅନ୍ତ ଘଟିଲା ସତ ମାତ୍ର ଦୀର୍ଘ ବାଇଶି ବର୍ଷର ଉତ୍କଳର ଏକ ଶିଳ୍ପ ଇତିହାସ ଓଡ଼ିଶାରେ ଶିଳ୍ପାୟନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ, ଏହା ସ୍ୱୀକାର୍ଯ୍ୟ ।

୧୮୯୭ ମସିହାରେ ବିଲାତ ଗସ୍ତରେ ଯାଇଥିବା ବେଳେ ମଧୁବାବୁ ଓଡ଼ିଶାର ପ୍ରାଚୀନ ଓ ଆଧୁନିକ ଶିଳ୍ପର ଉତ୍କର୍ଷ ପ୍ରଚାର ପାଇଁ ସେଠାରେ ଏକ ଶିଳ୍ପ ପ୍ରଦର୍ଶନୀ କରିଥିଲେ । ଯେଉଁଥିରେ ଓଡ଼ିଶାର ତାରକସୀ କାମ, ହାତୀ ଦାନ୍ତ ଓ ଶିଙ୍ଗର କାମ, ହାତକଟା ସୂତାର ସୂକ୍ଷ୍ମ ବସ୍ତ୍ର ପ୍ରଭୃତି ପ୍ରଦର୍ଶିତ ହୋଇଥିଲା । ପ୍ରାଚୀନ କୀର୍ତ୍ତିରାଜିର ପ୍ରତୀକ କୋଣାର୍କ ଓ ଭୁବନେଶ୍ୱର ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟର ଅନୁକୃତି ମଧ୍ୟ ପ୍ରଦର୍ଶନୀର ଆକର୍ଷଣୀୟ ବସ୍ତୁ ଥିଲା । ଓଡ଼ିଶାର ବଣିଆ ମାନେ କିପରି ଉପାୟରେ ତାରର ସୂକ୍ଷ୍ମତା ନିର୍ଣ୍ଣୟ କରୁଥିଲେ ତାହା ମଧ୍ୟ ସେ ନିଜେ ବୁଝାଇଥିଲେ । ଅତି ବିଚିତ୍ର  ଶିଳ୍ପନୈପୁଣ୍ୟ ଥିବା ଆମ ଦେଶରେ ବାଇ ଚଢେଇ ବସା ତିଆରିରେ ବୁଣାର କୌଶଳ ଲକ୍ଷ୍ୟ କରି ଏହି ବସା ଅନୁକରଣରେ ମୁଣି ତିଆରି କଲେ ଲୋକଙ୍କର ଆଦର ଲାଭ କରିବା ଆଶା ରଖି ମଧୁବାବୁ ଏଥିରୁ କେତୋଟି ନେଇ ବିଲାତରେ କାରିଗରଙ୍କୁ ଦେଖାଇଥିଲେ । କେବଳ ସେତିକି ନୁହେଁ ୧୯୦୨ ମସିହାରେ ବଙ୍ଗର ଲାଟ କଟକ ଆସିଥିବା ସମୟରେ ମଧୁବାବୁ ତାଙ୍କୁ ନିମନ୍ତ୍ରଣ କରି ନିଜର ଓଡ଼ିଶା ଆର୍ଟଓୟାର କାରଖାନା ପ୍ରଦର୍ଶନ କରାଇବା ସହ ତାଳପତ୍ରରେ ମାନପତ୍ର ପ୍ରଦାନ କରି ଓଡ଼ିଶୀ କଳା ନୈପୁଣ୍ୟତାର ପରିଚୟ ଦେଇଥିଲେ । ସାଲେପୁରରେ କାରିଗରଙ୍କୁ ସଂଗଠିତ କରି ତାଳଗୁଡ଼ ସଂସ୍ଥା ପ୍ରତିଷ୍ଠା କରିବା ସହ ନିଜ ବାସଭବନରେ ସ୍ଥାପିତ ଓଡ଼ିଶା ଶିଳ୍ପାଗାର ଓ ଓଡ଼ିଶା ଆର୍ଟଓୟାର ଲୁଗାବୁଣା ବ୍ୟବସ୍ଥା କରିଥିଲେ । ଏଥି ନିମନ୍ତେ ତନ୍ତଯନ୍ତ୍ର ଅଣାଇଥିଲେ ।


ସଂକ୍ଷେପରେ କହିବାକୁ ଗଲେ ମଧୁବାବୁ ଜଣେ ସ୍ୱପ୍ନଦ୍ରଷ୍ଟା । ଆର୍ଥିକ ସ୍ତରରେ ମଜବୁତ ନଥିବା ଓଡ଼ିଆ ଜାତିକୁ ଛିଡ଼ା କରାଇବା ଲାଗି ଥିବା ତାଙ୍କର ପ୍ରୟାସ ଅତୁଳନୀୟ, ଅବର୍ଣ୍ଣନୀୟ । ଓଡ଼ିଶାର ବିଭିନ୍ନ ସମସ୍ୟା ପାଇଁ ସର୍ବଦା ଚିନ୍ତିତ ଥିବା ମଧୁବାବୁ ସ୍ୱପ୍ନ ଦେଖିଥିଲେ ଓଡ଼ିଶାର ସ୍ୱାଭିମାନ ପ୍ରତିଷ୍ଠା ପାଇଁ । ଶିଳ୍ପାୟନ ହିଁ ଗୋଟିଏ ଜାତିର ବିକାଶର ମୂଳମନ୍ତ୍ର । ଏହି ବିକାଶର ମୂଳମନ୍ତ୍ରରେ ସ୍ୱପ୍ନକୁ ବାସ୍ତବ ରୂପ ଦେଉ ଦେଉ କେବେ କିଛିକାଂଶରେ ସଫଳ ହୋଇଛନ୍ତି ତ କେବେ ସ୍ୱାଭିମାନ ରକ୍ଷା ପ୍ରୟାସ କରି ଦେବାଳିଆ ହୋଇଛନ୍ତି । ବିଫଳ ହେଲେ ବି ସେ ଓଡ଼ିଆ ଜାତିର ଆଗାମୀ ପିଢ଼ିକୁ ଦେଖାଇ ଯାଇଛନ୍ତି ଶିଳ୍ପାୟନର ନୂତନ ଝଲକ । ସେଥିପାଇଁ ତ ସେ ଓଡ଼ିଶାରେ ଶିଳ୍ପାୟନର ଜନକ । 

Leave a Comment

Your email address will not be published. Required fields are marked *

Scroll to Top