ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ପୁରାଣରେ ସୁରାକୁ ଦେବତାଙ୍କର ଏବଂ ମଦୀରାକୁ ରାକ୍ଷସଙ୍କର ନିଶାପାନୀୟ ଦ୍ରବ୍ୟ କୁହାଯାଇଛି । ତେବେ ଏ ଉଭୟ ପ୍ରକାରର ମଦ୍ୟ ଭାରତୀୟ ପ୍ରଜା ପ୍ରାଚୀନ କାଳରୁ ବ୍ୟବହାର କରିଆସୁଛନ୍ତି । କିଛି ଆତ୍ମମୁଗ୍ଧ ବ୍ୟକ୍ତିବିଶେଷ ମଦ୍ୟ ବିଷୟରେ କିଛି ନଜାଣି ତାହାକୁ ବୈଦେଶିକଙ୍କ ଦ୍ବାରା ଭାରତ ଆଣି ଲୋକପ୍ରିୟ କରାଇଥିବା ମତବ୍ୟକ୍ତ କରିଥାନ୍ତି । ଏ ସବୁ ନିହାତି ଅମୂଳକ ହାସ୍ୟାସ୍ପଦ ବାଚାଳମୀ ।

ଚାଲନ୍ତୁ ଜାଣିବା ମଦର ପ୍ରକାରଭେଦ ଓ ବିଭିନ୍ନ ନାମ:

~ ସୁରା ~
ସୁରାକୁ ଦେବତାଙ୍କର ମଦ୍ୟ କୁହାଯାଏ । ବିଭିନ୍ନ ଫଳରସକୁ ପାଣିରେ ସଢା଼ଇ ତାହା ଫେଣଯୁକ୍ତ ହୋଇ ସିର୍କା ହେଲେ ସେହି ସିର୍କାକୁ ଅଗ୍ନି ସହାୟତାରେ ରାନ୍ଧି ସୁରା ତିଆରି କରାଯାଇଥାଏ । ବୈଦ୍ୟଶାସ୍ତ୍ରରେ ସୁରାର ଉପାଦାନ ଓ ପ୍ରସ୍ତୁତ କରିବାର ପ୍ରକ୍ରିୟା ଭେଦରେ ନାନାପ୍ରକାରର ନାମକରଣ ହୋଇଅଛି । ଯଥା:
୧. ଗୌଡୀ଼–(ଗୁଡ଼ ଓ ଧାତୁକୀ ଫୁଲରୁ)
୨. ପୈଷ୍ଟୀ–(ତଣ୍ଡୁଳ ଆଦି ଶସ୍ୟରୁ)
୩. ମାଧ୍ଵୀ–(ମଧୁ ଓ ଅନ୍ୟ ପୁଷ୍ପରସରୁ)
୪. କାଦମ୍ଵରୀ(ନାନା ଉପାଦାନ ମିଶାଇ)
୫. ମାଧୁକୀ–(ମହୁଲ ଫୁଲରୁ)
୬. ମୈରେୟୀ–(ବେଲମୂଳ, ବରକୋଳି, ଶର୍କରା)
୭. ମାର୍ଦ୍ଦିକ–(ଦ୍ରାକ୍ଷାଫଳରୁ)

ମନୁସ୍ମୃତିରେ ସୁରାକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି ।
୧. ଗୌଡୀ଼ – (ଗୁଡ଼ ଓ ଧାତୁକୀ ଫୁଲରୁ)
୨. ପୈଷ୍ଟୀ – (ତଣ୍ଡୁଳ ଆଦି ଶସ୍ୟରୁ)
୩. ମାଧ୍ଵୀ – (ମଧୁ ଓ ଅନ୍ୟ ପୁଷ୍ପରସରୁ)

ନିରୁକ୍ତୀ→【ସୁରଧାତୁ≈ଦୀପ୍ତି ପାଇବା+କର୍ତ୍ତୁ. ଅ+ଅ /କିମ୍ବା/ ସୁ-ଧାତୁ≈ପ୍ରସବକରିବା+କର୍ତ୍ତୁ. ର.ଅ】


~ ମଦୀରା ~
ମଦିରାକୁ ଅସୁର ବା ରାକ୍ଷସଙ୍କର ନିଶାପାନୀୟ କୁହାଯାଇଛି । ସାଗରମନ୍ଥନରେ ସୁରା ଦେବତାଙ୍କୁ ମିଳିଥିଲା ବେଳେ ଅସୁରଙ୍କୁ ମଦିରା ମିଳିଥିବା ହିନ୍ଦୁ ପୌରାଣିକ ଆଖ୍ୟାନ ଅଛି ।

ମଦିରା ପ୍ରାୟ ଦୁଇପ୍ରକାରର:
୧. ଅଭିସ୍ରବିତ ଅରଖୀ ମଦ; ଯାହାକୁ ନିଆଁରେ ବାମ୍ଫଦ୍ବାରା ବକଯନ୍ତ୍ର ସାହାଯ୍ୟରେ  ବାହାର କରାଯାଏ ।
୨. ପର୍ଯ୍ୟୁସିତ: ଯାହାକୁ ସଢା଼ଇକରି ତିଆରି କରାଯାଇଥାଏ ।

“ଜଟାଧରରେ”– ୧୨ ପ୍ରକାରର ମଦିରାର ନାମ ଉଲ୍ଲେଖ ଅଛି; ସେଗୁଡ଼ିକ ଯଥା:
୧. ମାଧ୍ଵୀକ- (ମଧୁ ଓ ପୁଷ୍ପ ରସରୁ)
୨. ପାନାସ- (ପଣସଫଳରୁ)
୩. ଦ୍ରାକ୍ଷ – (ଅଙ୍ଗୁର ରସରୁ)
୪. ଖର୍ଜୁର – (ଖଜୁରୀ ରସରୁ)
୫. ତାଳ  – (ତାଳଗଛରରସରୁ)
୬. ଐକ୍ଷଵ – (ଈକ୍ଷୁ ବା ଆଖୁରସରୁ)
୭. ମୈରେୟ – (ଧାଇଫୁଲ ଓ ଗୁଡ଼ରୁ)
୮. ମାକ୍ଷିକ – (ଏକ ପ୍ରକାରର ମଧୁମକ୍ଷିକା ସଞ୍ଚିତ ରସରୁ)
୯. ଟାଂକ – (ସୋମଲତା ରସରୁ)
୧୦. ମଧୂକ – (ମହୁଲଫୁଲ ରସରୁ)
୧୧. ନାରୀକେଳକ (ନଡିଆ ଗଛର ରସରୁ)
୧୨. ଅନ୍ନବିକାରୋତ୍ଥ (ବିଭିନ୍ନ ଅନ୍ନାଦିରୁ)

‛ଏଥିରୁ ତାଳ ଓ ଖର୍ଜୁର ମଦ୍ୟ ପର୍ଯ୍ୟୁସିତ ତଥା ଅନ୍ୟ ସମସ୍ତ ଅଭିସ୍ରବିତ ଶ୍ରେଣୀୟ . . ‘ ଏହାଛଡ଼ା କ୍ବାଥରୁ ପ୍ରସ୍ତୁତ ଏକପ୍ରକାରର ମଦକୁ “ଅରିଷ୍ଟ” କୁହାଯାଏ ।

~ ଭିନ୍ନମତରେ ~
୧. ଧାନ ଓ ଚାଉଳରୁ ପ୍ରସ୍ତୁତ ମଦିରାକୁ ସୁରା,
୨. ଯବର ମଦିରାକୁ କୋହଳ,
୩. ଗହମର ମଦିରାକୁ ମଧୁଳିକା,
୪  ମିଠାରସର ମଦିରାକୁ ଶୀଧୁ,
୫. ଗୁଡ଼ର ମଦିରାକୁ ଗୌଡୀ଼,
୬  ଦ୍ରାକ୍ଷାର ମଦିରାକୁ ମାଧୂକ କୁହାଯାଏ

ପ୍ରକୃତରେ ସତ ହେଉଛି ସୁରା ଓ ମଦିରା ଏ ଉଭୟ ମଦ୍ୟ । ମଦ୍ୟ ଶବ୍ଦର ନିରୁକ୍ତୀ ତତ୍ତ୍ଵ କହେ ମଦ୍ ଧାତୁ (ହୃଷ୍ଟହେବା). ଣିଚ ମତାନ୍ତରେ ମଦି ଧାତୁ (ମତ୍ତହେବା)+କର୍ତ୍ତୁ.ଯ ।

ମଦ୍ ଧାତୁର ଅନେକ ଅର୍ଥ, ଯଥା:
୧  ହୃଷ୍ଟହେବା
୨  ମତ୍ତ ହେବା
୩  ନିଶାରେ ଭୋଳ ହେବା
୪. ଦ୍ବେଷ କରିବା

(ଏବଂ ମଦି ଧାତୁର ମୂଳ ମଦ୍ ଧାତୁ) ଅର୍ଥାତ ଯେଉଁ ପାନୀୟ ମନୁଷ୍ୟକୁ ହୃଷ୍ଟ କରେ, କିନ୍ତୁ ଆଧିକ୍ୟତା ହେଲେ ମତ୍ତକରେ, ଦ୍ବେଷ, ଘୃଣା ହିଂସା ଆଦି ବୃଦ୍ଧିରେ ଏବଂ ନିଶାରେ ଭୋଳ କରେ ତାହା ମଦ୍ୟ ! ଅଳ୍ପ ଅଳ୍ପ ପାନରେ ମଦ ହୃଷ୍ଟିକାରକ, ପୃଷ୍ଟିକାରକ କିନ୍ତୁ ଅତିରୁ ଇତି ନ୍ୟାୟ ଅନୁଯାୟୀ ଯଦି ଏହାକୁ ମାତ୍ରାଧିକ ପାନ କରାଯାଏ ତେବେ ମନୁଷ୍ୟ ନିଶାସକ୍ତ ହୁଏ, ଭ୍ରମିତ ଓ ମଦମତ୍ତ ହୋଇ ଅକୃତ୍ୟ କର୍ମ ସମ୍ପାଦନ ପୂର୍ବକ ବିପଦ ବରଣ କରେ ।ଲୋକେ ମଦର ସେଇଥିପାଇଁ ବ୍ୟାଖ୍ୟା କରିବାକୁ ଯାଇ କୁହନ୍ତି,
ମ=ମରଣ ଏବଂ ଦ=ଦରିଦ୍ର !

ପୁନଶ୍ଚ ମଦିରା ଶବ୍ଦର ନିରୁକ୍ତୀ––
★ମଦିର+ଆ=ମଦିରା
  
ମଦିର=ମଦ୍-ଧାତୁ(ମତ୍ତହେବା)+କର୍ତ୍ତୁ. ଇର

ଉଭୟ ମଦ୍ୟ ଓ ମଦିରା ଶବ୍ଦର ମୂଳ ସୁକ୍ଷ୍ମ ବୈଜ୍ଞାନିକ କ୍ଷୁଦ୍ରାଶଂ ହେଉଛି ମଦ୍ ଧାତୁ

ସେଇଭଳି ସୁରା ଶବ୍ଦର ନିରୁକ୍ତୀ:
ସୁରଧାତୁ≈ଦୀପ୍ତି ପାଇବା+କର୍ତ୍ତୁ. ଅ+ଅ/ କିମ୍ବା
ସୁ-ଧାତୁ≈ପ୍ରସବକରିବା+କର୍ତ୍ତୁ. ର.ଅ

କେତେକ ଲୋକ ସୁରଙ୍କ ମଦ୍ୟ ଅର୍ଥରେ ସୁର+ଆ=ସୁରା ଅର୍ଥ କରିଥାନ୍ତି ।

ଏ ଶବ୍ଦ ସବୁରୁ ମଧ୍ୟ ସେଇ ଗୋଟିଏ କଥା ପ୍ରମାଣିତ ହୁଏ ଯେ ସବୁପ୍ରକାରର ପ୍ରାଚୀନ ନିଶାଯୁକ୍ତ ପାନୀୟଗୁଡିକୁ ମଦ୍ୟ କୁହାଯାଉଥିଲା ‌।

“ପୃଥିବୀର ସର୍ବପ୍ରାଚୀନ ମାନବସଂସ୍କୃତିଭାରତୀୟ ସଂସ୍କୃତିରେ ପ୍ରଥମେ ଚାଷବାସ, ରନ୍ଧନ ଶୈଳୀ ଆଦିର ପ୍ରଚଳନ ହୋଇଥିଲା । ବୋଧହୁଏ ଭାରତୀୟ ମହିଳା ମାନେ ହିଁ ରନ୍ଧନଶୈଳୀର ଆଦ୍ୟ ଉଦ୍ଭାବକ । ପୁଣି ପ୍ରାଚୀନକାଳରେ ନାରୀମାନେ ହିଁ ଫଳ ଆଦି ଶାକାହାରୀ ଖାଦ୍ୟ ସଂଗ୍ରହ ଏବଂ ସେସବୁର ରକ୍ଷଣାବେକ୍ଷଣ ତଥା ରନ୍ଧନ ଆଦି ବ୍ୟବସ୍ଥା ସମ୍ଭାଳୁଥିଲେ । ତେଣୁ ବହୁତ ସମ୍ଭବ ସେମାନେ ହିଁ ବିଭିନ୍ନ ଫଳରସରୁ ସିର୍କା ତିଆରି ବିଧି ଉଦ୍ଭାବନ କରିଥିବେ ଏବଂ କୌଣସି ପୁରୁଷ ସେ ସିର୍କାକୁ ଅଗ୍ନିରେ ରନ୍ଧନ କରି ଦେଖିଥିବ ଆଉ ତାକୁ ପୃଥିବୀର ପ୍ରଥମ
ମଦ୍ୟ ପ୍ରାପ୍ତ ହୋଇଥିବ. . .”

ପ୍ରାଚୀନ ବେଦରେ ମଦ୍ୟର ଉଲ୍ଲେଖ ପ୍ରମାଣିତ କରେ ଯେ ପ୍ରାଚୀନ ଭାରତୀୟ ବିଭିନ୍ନ ପ୍ରକାରର ମଦ୍ୟ ବିଷୟରେ ଜାଣିଥିଲେ ଏବଂ ସେମାନେ ମଦ୍ୟର ଗୁଣ ଅନୁଯାୟୀ ଶ୍ରେଣୀବିଭାଗ ମଧ୍ଯ କରିଥିଲେ ! ପାଶ୍ଚାତ୍ୟ ସଂସ୍କୃତି ସଂସ୍ପର୍ଶରେ ଆସିଲା ପରେ ହୁଏତ ଭାରତରେ ମଦ୍ୟପାନ ବୃଦ୍ଧି ହୋଇଛି କିନ୍ତୁ ଏକଥା ସଂପୂର୍ଣ୍ଣ ମିଥ୍ଯା ଯେ ଭାରତୀୟମାନଙ୍କୁ ପଶ୍ଚିମ ବିଶ୍ବର ଲୋକମାନେ ମଦ୍ୟ ବିଷୟକ ଜ୍ଞାନ ପ୍ରଦାନ କରିଥିଲେ ।

© ଶିଶିର ସାହୁ ମନୋଜ  

Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

4 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

4 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

5 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

1 month ago