ଲେଖା: ଶ୍ରୀକାନ୍ତ ସିଂହ
~ ଭ୍ରିଙ୍ଗେଶ୍ୱର ମନ୍ଦିର ~
ପ୍ରାଚୀନ ଓଡ଼ିଶାକୁ ଖୋଜିବାଠୁ ପ୍ରାଚୀନ ଓଡ଼ିଶାର ପରିକଳ୍ପନା କରିବା ବହୁତ କଷ୍ଟ l ତତ୍କାଳୀନ ସମାଜର ଚିନ୍ତା ଓ ଚେତନା, ମଣିଷର ଜୀବନଶୈଳୀ, ସେ କାଳର ସାମାଜିକ ରୀତିନୀତି, ରାଜନୀତି, ଚାଲି ଓ ଚଳଣୀ, ତଥା ଧର୍ମୀୟ ଭାବଧାରାକୁ ତର୍ଜମା କରି ସେ ସମୟର ନିର୍ମାଣ ଓ କଳା ନିପୁଣତା ଉପରେ ଆଲୋଚନା କରିବା ବହୁତ କଷ୍ଟ l ଯେତେବେଳେ କି ସହସ୍ର ବର୍ଷ ପୁରାତନ ଅନେକ ପ୍ରାଚୀନ କୀର୍ତ୍ତିରାଜି ଆଜି ଭୂପତିତ ଓ ଧ୍ବଂସାଭିମୁଖୀ ଜରାଜୀର୍ଣ୍ଣ l
ପ୍ରାଚୀନ ଐତିହାସିକ ସ୍ଥଳୀଗୁଡ଼ିକରେ ଥିବା ଶିଳାଲେଖର ଲିପି ଓ ଭାଷା ମଧ୍ୟ ଆଜି ବିସ୍ମୃତ l ତାକୁ ପଢ଼ିବା, ଜାଣିବା ଓ ପାଠୋଦ୍ଧାର କରିବା ଗୋଟେ ପ୍ରକାର ଅସମ୍ଭବ l ଏ ପରିପ୍ରେକ୍ଷୀରେ ସମସ୍ତଙ୍କ ଅନୁମାନ, ଅନୁଶୀଳନ ଓ ତର୍ଜମା ଯେ ସମାନ ହେବ ତାହା କଳ୍ପନା କରିବା ବି ବୃଥା l କେତେକ ସ୍ଥଳେ କେହି ଆମ ଅନୁଶୀଳନ ସହିତ ସହମତ ହୋଇପାରନ୍ତି ତ ଆଉ କେହି ନ ହୋଇ ପାରନ୍ତି l କାରଣ ବର୍ତ୍ତମାନର ପୃଷ୍ଠଭୂମିରେ ଛିଡ଼ା ହୋଇ କେହି ସହସ୍ର ବର୍ଷ ଅତୀତକୁ ଫେରିଯାଇ ଇତିହାସକୁ ସଠିକ ଭାବରେ ତର୍ଜମା କରିପାରିବେ ନାହିଁ l
ଅନେକ ଦିନରୁ, ବୋଧହୁଏ ପ୍ରାୟ ଦେଢ଼ ବର୍ଷ ତଳୁ ମନରେ ଅଭିଳାଷ ଥିଲା ବଜ୍ରକୋଟର ଭ୍ରିଙ୍ଗେଶ୍ୱର ମହାଦେବଙ୍କୁ ଦର୍ଶନ କରିବା l ଓଡ଼ିଶାରେ ନିଖୁଣ ରୂପେ ଦଣ୍ଡାୟମାନ ଥିବା ହାତ ଗଣତି କେତୋଟି ବହୁ ପ୍ରାଚୀନ ମନ୍ଦିରମାନଙ୍କ ମଧ୍ୟରେ ଏହି ଭ୍ରିଙ୍ଗେଶ୍ୱର ମନ୍ଦିର ହେଉଛି ଅନ୍ୟତମ l ବ୍ରାହ୍ମଣୀ ନଦୀର ପୂର୍ବତୀରରେ ଥିବା ବଜ୍ରକୋଟ ଗ୍ରାମର ଏହି ଭ୍ରିଙ୍ଗେଶ୍ୱର ଶିବ ମନ୍ଦିରଟି ସପ୍ତମରୁ ଅଷ୍ଟମ ଶତାବ୍ଦୀର ନିର୍ମାଣ ବୋଲି ଭାରତୀୟ ପତ୍ନତାତ୍ତ୍ଵିକ ସର୍ବେକ୍ଷଣରୁ ଜଣାଯାଏ, ଯାହାକି ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କର ସୂର୍ଯ୍ୟ ମନ୍ଦିର ଠାରୁ ମଧ୍ୟ ପ୍ରାଚୀନ l
ପୂର୍ବ ମୁଖ ଏହି ମନ୍ଦିର ଗର୍ଭଗୃହରେ ଶିବଲିଙ୍ଗ ପ୍ରାଣ ପ୍ରତିଷ୍ଠିତ, ଯାହାକି ସମୟର କରାଳ ସ୍ରୋତରେ ଭଗ୍ନପ୍ରାୟ ହୋଇ ଗଲେଣି l ଗର୍ଭଗୃହ ପ୍ରବେଶ ଦ୍ୱାରରେ ନବଗ୍ରହ ବଦଳରେ ଅଷ୍ଟଗ୍ରହ ମୂର୍ତ୍ତି ରହିଛନ୍ତି l ପଶ୍ଚିମରେ ପାର୍ଶ୍ଵଦେବତା କାର୍ତ୍ତିକେୟ, ଦକ୍ଷିଣରେ ପାର୍ଶ୍ଵଦେବତା ଗଣେଶ ଓ ଉତ୍ତରଦିଗରେ ପାର୍ଶ୍ଵଦେବୀ ଦୂର୍ଗା ଭ୍ରିଙ୍ଗେଶ୍ୱରୀ ରୂପେ ପୂଜା ପାଉଛନ୍ତି l
ମୁଖ୍ୟ ମନ୍ଦିରର ଚାରି କୋଣରେ ଆଉ ଚାରିଗୋଟି ଶିବଲିଙ୍ଗ ଖୋଲା ଆକାଶ ତଳେ ରହିଛନ୍ତି l ସମୟର ସ୍ରୋତରେ ବା ବାହ୍ୟ ଶତ୍ରୁ ଆକ୍ରମଣରେ ଏହି ଚାରିଗୋଟି ମନ୍ଦିରର ଉପରିଭାଗ ଭାଙ୍ଗିରୂଜି ଯାଇଥିବା ଅନୁମାନ କରାଯାଏ l ଏତଦବ୍ୟତୀତଭ୍ରିଙ୍ଗେଶ୍ୱର ମନ୍ଦିର ପରିସରରେ ଓ ପରିସରକୁ ଲାଗି ଥିବା ବଗିଚାରେ ଅନେକ ଗୁଡ଼ିଏ କାରୁକାର୍ଯ୍ୟପୂର୍ଣ୍ଣ ଭଗ୍ନାବଶେଷ ସାଇତା ହୋଇ ରଖାଯାଇଛି l Archeological Survey Of India [ASI] ବା ଭାରତୀୟ ପତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ମନ୍ଦିରର ରକ୍ଷଣାବେକ୍ଷଣ ବି ଖୁବ୍ ସୁନ୍ଦର ଭାବେ କରାଯାଇଛି l
ଏକଦା ଏହି ବଜ୍ରକୋଟ ଅଞ୍ଚଳ ତତ୍କାଳୀନ ଶାସକଙ୍କ ପାଇଁ ବଜ୍ର ସଦୃଶ ଏକ ଅଭେଦ୍ୟ ଦୁର୍ଗ ବା ରାଜଧାନୀ ଥିଲା l ଅତୀତରେ ଏହି ବଜ୍ରକୋଟ ନିହାତି ରୂପେ ଏକ ବୀରଭୂମି ହୋଇ ରହିଥିବ l ଏହି କଥାକୁ ପୁଷ୍ଟି କରିବାକୁ ଯାଇ ସେଇ ମନ୍ଦିର ପରିସରରେ କେତୋଟି ପ୍ରାଚୀନ ତୋପ ଦେଖିବାକୁ ମିଳେ l କୌଣସି ମନ୍ଦିର ପରିସରେ ତୋପ ରୂପରେ ଯୁଦ୍ଧ ସରଞ୍ଜାମ ଦେଖିବା ଆମ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା l
ଭ୍ରିଙ୍ଗେଶ୍ୱର ମନ୍ଦିର ଠାରୁ ଅନତି ଦୂରରେ ଥିବା ପଞ୍ଚାୟତ ଅଫିସ ନିକଟରେ ଆଉ ଏକ ପ୍ରାଚୀନ ଶିବମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି l ମନ୍ଦିର ଦଧିନଉତି ଓ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପଥର ଖଣ୍ଡମାନ ଏଣେ ତେଣେ ବିକ୍ଷିପ୍ତ ହୋଇ ପଡ଼ି ରହିଛି l ଶିବଲିଙ୍ଗଟି ଅକ୍ଷୁର୍ଣ୍ଣ ଅବସ୍ଥାରେ ରହିଛନ୍ତି ହେଲେ ପୂଜା ପାଉନାହାନ୍ତି l ମନ୍ଦିର ପ୍ରବେଶ ଦ୍ୱାରଟି ଯାହା ସଗର୍ବେ ଛିଡ଼ା ହୋଇଛି, ଆଉ ସେହି ଦ୍ୱାର ବନ୍ଧରେ ଥିବା ଅଷ୍ଟଗ୍ରହଙ୍କ ପ୍ରତିମା ଅପଲକ ନୟନରେ ଚାହିଁ ରହିଛନ୍ତି l ଅନାବନା ବୃକ୍ଷ ସହିତ ଅନେକ ତୁଳସୀ ବୃକ୍ଷ ଶିବ ଲିଙ୍ଗ ଚତୁଃପାର୍ଶ୍ୱରେ ଦେଖିବାକୁ ମିଳେ l
ପ୍ରାଚୀନ ମନ୍ଦିର ନିର୍ମାଣ ଶୈଳୀ ଓ କଳାକୌଶଳ ଏଠାରେ ସ୍ପଷ୍ଟ ରୂପେ ଦେଖିହୁଏ l ଲୌହବିଦ୍ଧ କରାଯାଇ ଗୋଟିଏ ପଥରକୁ କିପରି ଆଉ ଗୋଟିଏ ପଥର ସହିତ ଯୋଡ଼େଇ କରାଯାଇ ମନ୍ଦିର ତିଆରି କରାଯାଏ ତାହା ଏଠାରେ ଦେଖିବାକୁ ମିଳେ l
ମୁକ୍ତାକାଶ ତଳେ ଅପାଂକ୍ତେୟ ହୋଇ ଉନ୍ମୁକ୍ତ ଅବସ୍ଥାରେ ଥିବା ମହାଦେବଙ୍କ ଅପୂଜ୍ୟ ଶିବଲିଙ୍ଗ ଦେଖି ମନରେ ବହୁତ କଷ୍ଟ ହୋଇଥିଲା l ଦୁଃଖ ବି ଲାଗୁଥିଲା ଯେ କେତେ ମହାନ ଆମ ଓଡ୍ର ସଭ୍ୟତା କିପରି କାଳର କରାଳ ସ୍ରୋତରେ ଆଜି ହଜିବାକୁ ବସିଲାଣି l ଫୁଲ, ପାଣି ଓ ବେଲପତ୍ରଟେ ଦେବାକୁ ସତରେ କଅଣ ସେଠାରେ କେହି ନାହାନ୍ତି ?? ଅନେକ ବେଳୁ ସୂର୍ଯ୍ୟ ଦେବତା ଅସ୍ତ ଯାଇଥାନ୍ତି l ସନ୍ଧ୍ୟା ହୋଇ ଆସୁଥାଏ, ମହାଦେବଙ୍କୁ ଭକ୍ତିଭାବରେ ମୁଣ୍ଡିଆଟେ ମାରି ଆମେ ଫେରି ଆସିଥିଲୁ l