ଲେଖା: ଶିବାଶିଷ ମହାପାତ୍ର
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁଦେଖୁ କେବା ସହୁ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ ।”
ଏପରି କାଳଜୟୀ ଗୀତ ରଚନା କରି ଆଜି ଅମର ହୋଇଯାଇଛନ୍ତି ସନ୍ଥକବି ଭୀମଭୋଇ । କଳାସଂସ୍କୃତି ପରମ୍ପରାରେ ପରିପୂର୍ଣ୍ଣ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲିର ଶୋଭା ମଣ୍ଡନ କରୁଅଛି ସନ୍ଥକବି ଭୀମଭୋଇଙ୍କ ସମାଧୀପୀଠ। ଏହା କେବଳ ଏକ ସମାଧୀ କି ସ୍ମାରକ ନୁହଁ ଏହା ଅଲେଖ ମହିମାଧର୍ମର ମୂଳ, ମହିମା ଧର୍ମର ଆଦି ସ୍ଥାନ ତଥା ମହିମାଧର୍ମର ପ୍ରଚାର ଓ ପ୍ରସାରର ଉତ୍ସ ।
ମହିମା ଅଲେଖ ଧର୍ମର ଏକ ପ୍ରମୁଖ ସ୍ଥାନ ହେଲା ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ଗ୍ରାମ । ଏଠାରେ ଅଲେଖ ଧର୍ମର ପ୍ରତିଷ୍ଠାତା ସନ୍ଥକବି ଭୀମଭୋଇ ତଥା ଅଲେଖ ଧର୍ମର ଅନ୍ୟ କେତେକ ମୁଖ୍ୟ ବ୍ୟକ୍ତିଙ୍କ ସମାଧୀ ସବୁ ସ୍ଥାନ ପାଇଅଛି । ସୁବର୍ଣ୍ଣପୁର ଜିଲ୍ଲାର ସଦରମହକୁମା ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ରହିଛି ଏହି ପ୍ରାକୃତିକ ପରିବେଶ ଭରା ପ୍ରମୁଖ ସ୍ଥାନ ଖଲିଆପାଲି ଗ୍ରାମରେ। ଏଠାରେ ରହିଛି କବି ଭୀମଭୋଇଙ୍କ ସମାଧୀପୀଠ, ଏଇ ପୀଠରେ ଭୀମଭୋଇଙ୍କ କଠଉ ପୂଜା କରାଯାଏ ।
ମୂଖ୍ୟ ମନ୍ଦିରରେ ଗୁରୁ ଶ୍ରୀ ଭୀମଭୋଇଙ୍କ ସମାଧୀପୀଠ ରହିଛି । ଏହି ମନ୍ଦିର ମାସରେ କେବଳ ଗୋଟିଏ ଦିନ ପୁର୍ଣିମା ଦିନ ଖୋଲା ରହେ । ମାଘ ମାସରେ ପଡୁଥିବା ପୁର୍ଣିମା ଦିନ ଏଠାକୁ ବହୁତ ଜନ ସମାଗମ ହୁଏ । ଏହି ଦିନକୁ ମାଘମେଳା ବୋଲି ଆଖପାଖର ଲୋକେ କହିଥାନ୍ତି । ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ରାଜ୍ୟ ତଥା ରାଜ୍ୟ ବାହାରୁ । ଏତେ ସଂଖ୍ୟକ ଲୋକଙ୍କ ପାଇଁ ଏଠାରେ ପ୍ରସାଦ ତଥା ଭୋଜନ ଏବଂ ରହିବାର ବ୍ୟବସ୍ଥା କରାଯାଇଥାଏ । ଏହି ସମୟରେ ଅଞ୍ଚଳର ସବୁଠାରୁ ବଡ଼ ମେଳା ବସିଥାଏ ।
ଗୁରୁ ସନ୍ଥକବି ଭୀମଭୋଇ ବୈଶାଖ ପୁର୍ଣିମା ଦିନ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ନିକଟସ୍ଥ ଯତେସିଂଘା ଗ୍ରାମରେ ଏକ କନ୍ଧ ପରିବାରରେ ୧୮୫୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ଏହି ଗ୍ରାମ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ସହରର ପାଖରେ ଥିବାରୁ କେତେକ ସ୍ଥାନରେ କବିଙ୍କ ଜନ୍ମସ୍ଥାନ ରେଢ଼ାଖୋଲ ବୋଲି ମାନିନେଇଛନ୍ତି । ବାଲ୍ୟ ଜୀବନ ତାଙ୍କର ଅନେକ ଦୁଃଖ ଦୁର୍ଦ୍ଦଶା ସହ କଟିଥିଲା । ଜନ୍ମର କିଛି ବର୍ଷ ପରେ ପିତା ଦେହ ତ୍ୟାଗ କରିଥିଲେ । ପିତାଙ୍କ ମୃତ୍ୟୁ ପରେ ମାଁ ଅନ୍ୟତ୍ର ବାହା ହୋଇଥିଲେ । ଏହିପରି ଅଭାବ ଅନଟନ ଭିତରେ କାଳାତିପାତ କରୁଥିଲେ । ଶିଶୁ ସମୟରେ ବସନ୍ତ ରୋଗ ଯୋଗୁଁ ନିଜର ଦୃଷ୍ଟି ଶକ୍ତି ହରାଇଥିଲେ ବୋଲି କିଛି ଲୋକକଥା ରହିଛି ।
ଅନେକ ଦୁଃଖ କଷ୍ଟ ସହି ନିଜର କିଶୋରବସ୍ଥା କଟିଛି । ଛୋଟ ବେଳେ ବାପାଙ୍କ ଦେହାନ୍ତ ତଥା ମାଆଙ୍କ ଗୃହ ତ୍ୟାଗ ପରେ କବି ଭୀମ ଭୋଇ ନିଜର ଗୁରୁ ଶ୍ରୀ ମୁକୁନ୍ଦ ଦାସ ମହାରାଜାଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ଶ୍ରୀ ମୁକୁନ୍ଦ ଦାସ ମହିମା ଗୋସାଇଁ ଭାବରେ ପରିଚିତ ହେଲେ । ମହିମା ଗୋସାଇଁଙ୍କ ସହ ମିଶି ମହିମା ଧର୍ମର ପ୍ରଚାର ଓ ପ୍ରସାର କ୍ଷେତ୍ରରେ କାମ କରିଥିଲେ ସନ୍ଥକବି ଭୀମଭୋଇ । ଏହି ମହିମା ଧର୍ମରେ ଜାତିପ୍ରଥା, ଛୁଆଁଅଛୁଆଁ ତଥା ଉଚ୍ଚନୀଚକୁ ବିରୋଧ କରାଯାଇଅଛି ।
ମୁଖ୍ୟ ମନ୍ଦିରର ପଛପାଖରେ ଏକ ପଣା ବା ଶୂନ୍ୟମନ୍ଦିର ରହିଛି । ଏହିଠାରେ ଶୂନ୍ୟ ବ୍ରହ୍ମଙ୍କ ଉଦ୍ଦେଶ୍ୟରେ ଆଳତୀ ହୋଇଥାଏ । ସକାଳ ତଥା ସଞ୍ଜ ଆଳତୀ ଓ ଅନେକ ପ୍ରକାରର ଧୂପ ଦୀପ ପ୍ରଦାନ କରାଯାଇଥାଏ । ଗୁରୁ ଶ୍ରୀ ଭୀମଭୋଇ ଏହି ସ୍ଥାନରେ ୧୮୯୫ ମସିହା ଶିବ ଚତୁର୍ଦ୍ଦଶୀ ଦିନ ଇହଲିଳା ସମ୍ବରଣ କରିଥିଲେ ଏବଂ ତାଙ୍କ ଉଦ୍ଦେଶ୍ୟରେ ଏହି ପୀଠ ରହିଛି । ଏଠାରେ ନାଁ ଅଛି କିଛି ମୁର୍ତ୍ତି ନା କୈାଣସି ପ୍ରକାରର ପୁଜନୀୟ ଜିନିଷ । ଶୂନ୍ୟ ଶୂନ୍ୟ ମହା ଶୂନ୍ୟ ହେଉଛି ଅଲେଖ ଧର୍ମର ମୁଳମନ୍ତ୍ର । ଏପରି ଭାବରେ ଅଲେଖ ଧର୍ମାବଲମ୍ବୀ ମାନେ ମୁର୍ତ୍ତି ପୂଜା କରିନଥାନ୍ତି । ପାଦୁକାପୂଜା ହେଉଛି ଏହି ଶୂନ୍ୟମନ୍ଦିର ଧର୍ମର ବିଶେଷତ୍ଵ । ଭୀମଭୋଇଙ୍କ ସମାଧୀପୀଠ ଭିତରେ ପାଦୁକା ଦିନକୁ ତିନି ଥର ପୂଜା କରାଯାଏ । ସକାଳ ପୂଜା ସମୟରେ ଫଳଭୋଗ ହୋଇଥାଏ । ଖରାବେଳେ ସଂଖୁଡି ଭୋଗ ଏବଂ ସନ୍ଧ୍ୟା ସମୟରେ ଲିଆ ବା ଉଖୁଡା ଭୋଗ ଲାଗି କରାଯାଇଥାଏ ।
କବି ଭୀମଭୋଇଙ୍କ ଦ୍ଵାରା ୧୮୭୭ ମସିହାରେ ଗ୍ରାମର ଗ୍ୟୈନ୍ତିଆ ଶ୍ରୀ ଲୋଚନ ବଗର୍ତ୍ତୀ ଏବଂ ତତ୍କାଳୀନ ସୁବର୍ଣ୍ଣପୁର ରାଜ୍ୟର ମହାରାଜା ନୀଳାଦ୍ରି ସିଂଦେଓଙ୍କ ସହାୟତାରେ ଏହି ସ୍ଥାନରେ ଆଶ୍ରମ ପ୍ରତିଷ୍ଠା କରିଥିଲେ । ୧୮୯୫ ମସିହାରେ କବି ଦେହତ୍ୟାଗ କରିବାରୁ ତାଙ୍କୁ ଏଠାରେ ସମାଧି ଦିଆଗଲା । କବି ସାହିତ୍ୟ ସାଧନା କରୁଥିବା ସ୍ଥାନରେ ତାଙ୍କର ପାଦୁକା ରଖି ସବୁଦିନ ପୂଜାର୍ଚ୍ଚନା କରାଯାଉଛି । ଶେଷରେ ତାଙ୍କ ପରିବାର ବର୍ଗ ତଥା ମୁଖ୍ୟ ଶିଷ୍ୟମାନଙ୍କୁ ଏଠାରେ ସମାଧି ଦିଆଯାଇଛି । ମହାରାଜା ପ୍ରତାପରୁଦ୍ର ସିଂଦେଓଙ୍କ ସମୟରେ ଏଠାରେ ଶୂନ୍ୟ ମନ୍ଦିର ନିର୍ମାଣ କରାଯାଇଛି । ପ୍ରତିବର୍ଷ ମାଘ ମାସର ପୂର୍ଣ୍ଣିମା ଦିନ ଏଠାରେ ମାଘ ମେଳା ଅନୁଷ୍ଠିତ ହୋଇଥାଏ ।
ସେ ସମୟରେ କବି ଲେଖିଥିବା ସମସ୍ତ ତାଳପତ୍ର ପୋଥି ତଥା ଗ୍ରନ୍ଥ ଏବେ ମଧ୍ୟ ମନ୍ଦିର ପରିସରରେ ଥିବା ସଂଗ୍ରହାଳୟରେ ରଖାଯାଇଛି । ସ୍ତୁତି ଚିନ୍ତାମଣି, ବ୍ରହ୍ମ ନିରୁପଣ ଗୀତା ତଥା ନିର୍ବେଦ ସାଧ ଭଳିଆ ପୁସ୍ତକ ଏଠାରେ ଦେଖିବାକୁ ମିଳେ । ଏହା ବ୍ୟତୀତ କବିଙ୍କ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଯଥା କଲମ, ଦୁଆତ, ଛତା, କଠାଉ ମଧ୍ୟ ଏଠାରେ ରଖାଯାଇଛି । ଏଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଏସବୁ ନଷ୍ଟ ହେବାକୁ ବସିଲାଣି ।
ଏହି ମନ୍ଦିର ପରିସରରେ ଥିବା ରୋଷେଇ ଘରେ ଭୋଗ ତଥା ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ସବୁ ପ୍ରସ୍ତୁତ କରାଯାଏ । ଏଠାରେ ଥିବା ଆଶ୍ରମରେ ପ୍ରାୟ ୨୫ ଜଣ ମହିମା ସନ୍ୟାସୀ ମାନେ ରହୁଛନ୍ତି । ସକାଳୁ ପ୍ରଭୁଙ୍କ ଆଳତି ପରେ କେତେଜଣ ଚାଷ ପାଇଁ ଯାଆନ୍ତି ଓ ଆଉ କେତେକ ମନ୍ଦିର କାମରେ ନିଜକୁ ନିୟୋଜିତ କରିଥାନ୍ତି । ସଂଧ୍ୟା ସମୟରେ ସମସ୍ତେ ଏକତ୍ରିତ ହୋଇ ଭଜନ କୀର୍ତ୍ତନ କରିଥାନ୍ତି ।ଏହି ରୋଷେଇ ଘରେ ସମସ୍ତେ ମିଳିମିଶି ରୋଷେଇ କରିଥାନ୍ତି ।
ଏହି ସ୍ଥାନରେ କବି ଭୀମଭୋଇଙ୍କ ସମାଧୀ ବ୍ୟତୀତ ତାଙ୍କର ପୁଅ ଶ୍ରୀ କପିଳେଶ୍ୱର ତଥା ଝିଅ ଲାବଣ୍ୟବତୀଙ୍କ ମଧ୍ୟ ସମାଧୀ ରହିଛି । ଏହା ବ୍ୟତୀତ ଏଠାରେ ଅନ୍ୟ କେତେକ ମହିମା ଧର୍ମର ବିଶିଷ୍ଠ ବ୍ୟକ୍ତିବିଶେଷଙ୍କ ସମାଧୀ ରହିଛି । ଏଠାକୁ ବୁଲିବାକୁ ବହୁତ ଲୋକ ବହୁ ଦୂରଦୂରାନ୍ତରୁ ଆସିଥାନ୍ତି । ଏଠାରେ ଲୋକଙ୍କ ରହିବା ପାଇଁ ଯାତ୍ରୀ ନିବାସ ତଥା ପାନୀୟ ଜଳର ବ୍ୟାପକ ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ସମୟରେ ଏହି ଅଞ୍ଚଳ ବିଜୁଳି ଆଲୁଅରେ ନିଜ ନିଜର ଉପସ୍ଥିତି ମାନ ଜାହିର କରୁଥାନ୍ତି ।
କବିଙ୍କ ଜୀବନୀ ତଥା କୃତି ଉପରେ ଅଧିକ ଗବେଷଣା ଆବଶ୍ୟକ ମନେକରି ଏବେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଭୀମ ଭୋଇ ଚେୟାର ଖୋଲାଯାଇଛି । କବିଙ୍କ ଉପରେ ଅଧିକ ଗବେଷଣା କଲେ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସ୍ଥାନୀୟ ବାସିନ୍ଦା କହନ୍ତି । କବିଙ୍କ ଆଦର୍ଶ ତଥା କବିତାରେ ଅନୁପ୍ରାଣିତ ହୋଇ ବଲାଙ୍ଗୀର ସ୍ଥିତ ଭେଷଜ ମହାବିଦ୍ୟାଳୟର ନାମ ତାଙ୍କ ନାମ ଅନୁସାରେ ଭୀମଭୋଇ ଭେଷଜ ମହାବିଦ୍ୟାଳୟ ରଖାଯାଇଛି । ଜାତିସଂଘ ଦ୍ବାରା ମଧ୍ୟ ହୋଇଛନ୍ତି ସମ୍ମାନିତ କିନ୍ତୁ ଏ ମାଟି ପାଇଁ ଚୀର ଅବହେଳିତ । ଏଇ ହେଉଛି ପରିତାପର ବିଷୟ ।
ଗଲାବେଳେ ଆମ ଆଖି ଆଉ ଏକ ଲେଖା ଉପରେ ରହିଗଲା । ସେଥିରେ କିଛି  ଲେଖା ହୋଇଥିଲା ଏପରି –
“ସତ୍ୟରେ ମରିବି ସତ୍ୟରେ ତରିବି
ଏହି ଆଜ୍ଞା ମୋତେ ହେଉ,
କହେ ଭୀମ ଭୋଇ ଏ ମର୍ତ୍ତ୍ୟମଣ୍ଡଳେ
ଯଶ ଅପଯଶ ଥାଉ ।”
Spread the love
admin

Recent Posts

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

2 weeks ago

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 months ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

4 months ago