ସୌରଭିତ ସୃଷ୍ଟି: ସ୍ଵଭାବକବି ଗଙ୍ଗାଧର ମେହେର

ଖ୍ରୀ.ଅ. ୧୮୯୬ ସାଲ ଜାନୁଆରୀ ପହିଲାରୁ ସମ୍ବଲପୁର ଅଞ୍ଚଳର କଚେରୀ ମାନଙ୍କରୁ ଓଡ଼ିଆ ଭାଷାର ଉଛେଦ କରାଯାଇ ହିନ୍ଦୀ ଭାଷା ପ୍ରଚଳନ କରାଯାଇଥିଲେ ମଧ୍ୟ ଏହି ସମ୍ବାଦ ତା’ର ବହୁପୂର୍ବରୁ ସାଧାରଣରେ ପ୍ରଚାରିତ ହୋଇ ଘୋର ଅସନ୍ତୋଷ ସଷ୍ଟି କରିଥିଲେ।

ଉତ୍କଳ ଦୀପିକାସମ୍ବଲପୁର ହିତୈଷିଣୀ‘ ପତ୍ରିକାଦ୍ଵୟ ଏହି ଅନ୍ୟାୟ ଆଦେଶ ବିରୁଦ୍ଧରେ ପ୍ରତିବାଦ କରି ସାଧାରଣ ଲୋକଚିତ୍ତର ପ୍ରତିକ୍ରିୟା ପ୍ରକାଶନରେ ନେତୃତ୍ଵ ନେଇଥିଲେ। ଭାଷା ରକ୍ଷା ସମସ୍ୟା ସମ୍ପର୍କରେ ପୂର୍ଣ୍ଣ ସଚେତନ ଥିବା ଗଙ୍ଗାଧର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ, ଯାହା ଏହି ‘ଭାରତୀ ରୋଦନ’ (Bharati Rodana) କବିତାରେ ରୂପାନ୍ତରିତ ହୋଇଥିଲା । ଏହି କବିତା ସମ୍ବଲପୁର ହିତୈଷଣୀରେ ଅକ୍ଟୋବର ତିରିଶି ତାରିଖ ୧୮୯୪ରେ ପ୍ରକାଶିତ ହୋଇ ତତ୍କାଳୀନ ଲୋକମତକୁ ଯଥେଷ୍ଟ ଭାବେ ପ୍ରଭାବିତ କରିବାରେ ସଫଳ ହୋଇଥିଲା ।


~ ଭାରତୀ ରୋଦନ ~

ଉତ୍କଳ ଭାରତୀ               ରୋଦନ କରୁଛି
            କାତରେ ସମ୍ବଲପୁରରେ
ସେ ବିକଳ ଧ୍ଵନି               କର୍ଣ୍ଣରେ ପଡ଼ିଲେ
             ନୟନେ ଲୋତକ ପୂରେ ।।

ବୋଲଇ ଦୁଃଖିନୀ         କେତେ କେତେ କଷ୍ଟ
             ସହି ମୋ କୋଳରେ ଧରି
କୁମାରଙ୍କୁ ମୋର            ପାଳନ କରୁଛି
               ପ୍ରାଣାଧିକ ସ୍ନେହ କରି ।।

ପୁତ୍ର ମାନେ ମୋର          ବଢ଼ି ଆସୁଛନ୍ତି
              ଶୁକ୍ଳପକ୍ଷେ ଯଥା ଶଶୀ
ଶ୍ରବଣକୁ ମୋର             ତୋଷୁଥାନ୍ତି କହି
             ମୃଦ୍ୟୁ ବାକ୍ୟେ ହସି ହସି ।।

ନାନା ଉପହାରେ           ପୂଜିବେ ମୋ ପାଦେ
            ଏହି ଆଶା ଥିଲା ମନେ
ଦାବାନଳ ଆସି                 ଲାଗି ଯାଉଅଛି
            ସେ ଆଶା କୁସୁମବନେ ।।

ଫୁଟି ଆସୁଅଛି             ଆହା କି ! ସୁନ୍ଦର
             ସୁନ୍ଦର କୁସୁମ ମାନ
କେତେ ବୃକ୍ଷେ ଅବା           ଫଳମାନ ଫଳି
              ହୋଇଅଛି ସାନ ସାନ ।।

ଏହି ସୁଖମୟ                ସମୟେ ଦଗଧ
              ହେଉଅଛି ଏହି ବନ
ଦେଖି ବିସ୍ମୟରେ            ହାହାକାର କରୁ –
              ଛନ୍ତି ମୋ କୁସୁମଗଣ ।।

ହିନ୍ଦି ସରସ୍ଵତୀ              ମୋ ଛାତିରେ ବସି
              କରିବ ପରା ରାଜତ୍ଵ
ମୋ ଆଶା କାନନ           ଭସ୍ମ ରାଶି ହେବ
             ତା ନବ ଉଦ୍ୟାନେ ଖତ ।।

(Image: odiapost.com)

ଉପମାତା ଆସି                ଗର୍ଭଧାରିଣୀର
             ମସ୍ତକେ ଚରଣ ଦେବ
ଏ ଦଶା ଦେଖିଲେ           କେଉଁ ସନ୍ତାନର
             ମନରେ ଦୁଃଖ ନ ହେବ ? 

ତା’ କୁନ୍ତ ପ୍ରହାରେ          ଜୀଵନ ନ ଯିଵ

              ହେଉଥିବି କଲବଲ

ମୋହ ରକ୍ଷା ପାଇଁ         ଵିକଳ ମୋ ପୁଏ
         ମୁଖେ ଦେଉଥିବେ ଜଳ ।।
ଏ କଥା ସୁମରୀ           ସୁମରୀ ମୋ’ ତନୁ
         ହୋଇ ଆସିଲାଣି କ୍ଷୀଣ,
ଚିନ୍ତା-ଜ୍ଵର ମୋତେ        ଘୋଟି ଆସିଲାଣି
         ରହିଵ କି ଚିର ଦିନ ?
ଆହା ରେ ଦଇଵ          ଏହି କଷ୍ଟ ଦଶା
        ଲେଖିଅଛୁ କି ମୋ ଭାଲେ,
ପଥର ଵର୍ଷଣ             ହେଵ କି ଅକାଳେ
         ମଲ୍ଲିକା କୁସୁମମାଳେ ।।
କର ଯୋଡ଼ି ଏହି          ପ୍ରାଥନା କରୁଛି
         କୃପାମୟ ରାଜରାଜ,
କାହିଁକି ମୋଠାରେ        କୃପା ଊଣା ହେଲା 
         ଏତେ ଦିନ ପରେ ଆଜ ।।
ମୋହ ଜାଣିଵାରେ         ଶ୍ରୀଛାମୁରେ ମୁହିଁ
          କରିନାହିଁ କିଛି ଦୋଷ,
ନୀତି-ପରାୟଣ           କେଉଁ କାରଣରେ
           ଅଭାଗିନୀ ପ୍ରତି ରୋଷ ?
ମହା କାକୁସ୍ଥରେ          ଉଚ୍ଚୈସ୍ଵରେ ଦେଖ
           କାନ୍ଦୁଛନ୍ତି ମୋର ପୁଏ,
ଅରକ୍ଷ ରକ୍ଷକ             ଏମାନଙ୍କ ପ୍ରତି
           କାହିଁକି କୃପା ନହୁଏ ?
ଜ୍ଞାନ କଳାକର             ଶୀତଳ ଧଵଳ
          ଵିଶୁଦ୍ଧ ଜ୍ଞାନ କିରଣ
ଜଗଜ୍ଜନ ହିତ              କାରଣ ସତତ
           କରୁଛି ଵିତରଣ ।।
ସେ କିରଣମାଳେ           ହେଉଅଛି ଆଜ
           ଜଗତ ଆଲୋକମୟ,
ମୋହ ଭାଗ୍ୟେ କିମ୍ପା        ଘୋଟି ଆସୁଅଛି
           ନିଵିଡ଼ ତିମିରଚୟ ।।
ଆସ ବାପଧନ              ନୃପରାଜ ସିଂହ
           ବରପଲ୍ଲୀ ଅଧୀଶ୍ଵର,
ତୁମ୍ଭ ପରା ଲୋକ           ସହାୟ ନ ହେଲେ
            ହେଲି ସିନା ହତାଦର ।।
କାହାକୁ କହିବି             ଆଉ କେ ମୋ ଅଛି ?
           ଜାଣିଵାକୁ ମନକଥା,
ତୁମ୍ଭମାନେ ଯେବେ          ମନ ଲଗାଇଵ
         ଘୁଞ୍ଚିପାରେ ମୋର ଵ୍ୟଥା ।।
ଆସ ଆସ ମୋର          ପ୍ରିୟ ହରିହର
           ସିଂହ ରାୟ ବାହାଦୂର,
ଵଚନରେ ମୋର          କାଳି ଲାଗୁଅଛି
          ଯତ୍ନେ ବେଗେ କର ଦୂର ।।
ବେଳ ଥାଉଁ ଥାଉଁ         ଯତ୍ନ କର ବେଗେ
           ଆସ ମୋ କୁମାରଗଣ,
ପାଣି ବୋହିଗଲେ           ବନ୍ଧ ବାନ୍ଧିଵାର
          ହେଵ ସିନା ଅକାରଣ ।।
(Image: gmuniversity.ac.in)
ଵିନୟ ଭାଵରେ             ନିଵେଦନ କର
          ସର୍ଵେ ହୋଇ ଏକମୁଖ,
ଧର୍ମ ଅଵତାର              ରାଜ ରାଜେଶ୍ଵର
          ଅଵଶ୍ୟ ଶୁଣିବେ ଦୁଃଖ ।।
ମହତ ଛାମୁରେ            ପ୍ରାଥନା କରିଵା
           ପ୍ରଶଂସ୍ୟ ଅଟଇ ସଦା,
ଫଳ ଲାଭ ପଛେ          ନ ହେଲେ ନ ହେଵ
          ନୀଚେ ନ ଯାଚିଵ କଦା ‌ ।।
ମୋହ ଲାଗି କେତେ         ଯତନ କରୁଛି
          ଆହା ମୋ ଧରଣୀଧର,
ତତେ ଘେନି ମୁହିଁ          ପୁତ୍ରଵତୀ ଏକା
         ତୁ ମୋର ଯୋଗ୍ୟ କୁମର ।।
ଆଉ କେତେଜଣ           ଅଛନ୍ତି ଵତ୍ସରେ
          ତୋହ ଗୁଣ ଅନୁସରି,
ଚୀରଜୀଵୀ ହୁଅ             ସୁଖୀ ହୋଇଥିବି
         ତୁମ୍ଭଙ୍କୁ କୋଳରେ ଧରି ।।
ଆଉ କେତେଗୋଟି         ମହାତ୍ମା ଅଛନ୍ତି
         ସ୍ଵାର୍ଥପର ସିନା ସର୍ଵେ,
ଆଜି ଯାଏଁ ମୋତେ         ଚିହ୍ନିନାହାନ୍ତି ସେ
         ପଦ ମଦ ଧନ ଗର୍ଵେ ।।
ଧନ ଯଉଵନ             ନିତ୍ୟ ନୁହେଁ ବାବୁ
         ପଦ୍ମଦଳେ ଜଳ ଯଥା,
ଯେ ଯାହା କରିଵ          ଚିରଦିନ ପାଇଁ
         ରହି ଯିଵ ସିନା କଥା ।।

ଉପସ୍ଥାପନା: ଶିଶିର ସାହୁ ମନୋଜ

#ଧ୍ୱନିପ୍ରତିଧ୍ଵନି

admin

Recent Posts

ବୃନ୍ଦାବତୀ

~ ବୃନ୍ଦାବତୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ ହିନ୍ଦୁ ପୁରାଣରେ ବୃନ୍ଦାବତୀ ବା ତୁଳସୀଙ୍କୁ ଦେବୀ ମାନ୍ୟତା ଦିଆଯାଇଛି।…

2 weeks ago

ପଖାଳ

~ ପଖାଳ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆଙ୍କ ଆରାଧ୍ୟ ବଡ଼ଠାକୁର ବି ଭାରି ଭଲ ପାଆନ୍ତି ପଖାଳକୁ।…

2 weeks ago

ହଳଦୀ

~ ହଳଦୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ କାମଚୋର ହୋଇ ଆମେ ଭୁଲିଗଲେଣି ଏହାର ସୁଗନ୍ଧ। ହଳଦୀ ଗୁରୁଗୁରୁ…

2 weeks ago

ମାତୃଭାଷା

~ ମାତୃଭାଷା ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେ ମାଆକୁ ଚିହ୍ନି ନାହିଁ ଯେ ଗାଁ କୁ ଚିହ୍ନି…

3 weeks ago

ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର

~ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ~ ଲେଖା: ତ୍ରିଲୋଚନ ସ୍ୱାଇଁ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ…

3 weeks ago

ରଘୁନାଥ ମଠ

~ ରଘୁନାଥ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ମହା ଐତିହ୍ୟକ୍ଷେତ୍ର କଟକ ସହରରେ ଯେଉଁ କେତୋଟି ପ୍ରାଚୀନ ମଠ…

3 weeks ago