ଉପସ୍ଥାପନା: ଦେଵ ତ୍ରିପାଠୀ  

ଓଡ଼ିଆ ସଂସ୍କୃତି ତଥା ଧାର୍ମିକ ଚେତନାର ପ୍ରାଣକେନ୍ଦ୍ର ଭାଗବତ ଟୁଙ୍ଗୀ

ସଞ୍ଜ ନଇଁ ଆସିଲାଣି । ତୁଳସୀ ଚଉରା ମୂଳେ ସଳିତା ଜାଳିସାରିଲାଣି ବୋହୂ । ଗୋଟି ଗୋଟି ହୋଇ ତାରା ଫୁଟି ଉଠିଲେଣି ଆକାଶରେ । ଗଛ ମଥାନ ବି ଟିକେ ଚହଲିବାକୁ ନାହିଁ, ଦିନସାରା ଡହ ଡହ ଖରା, ସଞ୍ଜରେ ବାମ୍ଫ ଉଠୁଛି ବସୁଧାରୁ । ଆକାଶରେ ଧଳା ବଉଦଟିଏ ନାହିଁ । ଶଂଖ ଧ୍ୱନି ଶୁଭିଲାଣି । ନନା ଆସିଯିବେଣି ପରା । ଭାଗବତପଢ଼ା ଶୁଣିବା ପାଇଁ ବୁଢ଼ୀ ମାଉସୀର ମନ ଅଝଟ ହୋଇଉଠିଲା । କୋଳରେ ଶୋଇପଡିଥିବା ଛୁଆ ଦୁଇଟିଙ୍କୁ ବୋହୂ ହାତରେ ସଅଁପିଦେଇ ଗୁନ୍ଥା ହୋଇଥିବା ସେରିଏ ମଲ୍ଲୀମାଳ ଧରି ମାଉସୀ ଚାଲିଲା ଭାଗବତ ଟୁଙ୍ଗୀ ।

ଗ୍ରୀଷ୍ମର ଅସହ୍ୟ ଉତ୍ତାପ ହେଉ କି ତୁହାକୁ ତୁହା ବର୍ଷା ଝଡିର ଘନଘୋର ପାଗ ହେଉ, ହାଡଭଙ୍ଗା ଶୀତର କୁହୁଡି ଘେରା ରାତି ହେଉ କି ଜହ୍ନପକ୍ଷ କି ଉଆଁସ, ସଞ୍ଜ ନଇଁଲେ ଭାଗବତ ଟୁଙ୍ଗୀର ଆକର୍ଷଣ ପ୍ରତି ଓଡ଼ିଆ ବୃଦ୍ଧବୃଦ୍ଧାଙ୍କ ପାଇଁ ଅନତିକ୍ରମଣୀୟ । ସେ ହୋଇଥାଉ ନଈକୂଳିଆ ତୋଟାମାଳ ଘେରା ପରିମଳ ଶାସନୀ ବ୍ରାହ୍ମଣିଆ ଗାଁ କି ପଚାଦଳ ପୋଖରୀ, ବାଉଁଶ ବଣର ଅପନ୍ତରା ଅନ୍ଧାରିଆ ମୁଲକ କିମ୍ବା ପାହାଡ ତଳି ଘଞ୍ଚବନସ୍ତର ଅଜଣା ରାଇଜ ଅବା ସମୁଦ୍ରକୂଳିଆ ବାଲୁକାବନ୍ତ ତାଳନଡିଆ ଘେରା ଭୂଇଁ – ଗାଁ ଟିଏ ଅଛି ତ ଭାଗବତ ଟୁଙ୍ଗିଟିଏ ବି ଅଛି । ସେ ନିବୁଜ କାନ୍ଥି ଛଣଛପରର ଗୋବରଲିପା ଚିତା ପଡିଥିବା ଚଟାଣ ଉପରେ ବିଛାହୋଇଥିବା ଖଜୁରୀ, ସନ୍ତରାପଟି ଘର ହେଉଛି ଓଡ଼ିଆ ସଂସ୍କୃତି ତଥା ଧାର୍ମିକ ଚେତନାର ପ୍ରାଣକେନ୍ଦ୍ର । ଅଭାବନୀୟ ଜୀବନ-ଦର୍ଶନର ଆଦ୍ୟ ଓ ଶେଷ ଚାଟଶାଳୀ, ଜୀବନଚର୍ଯ୍ୟାର ଉଦ୍ଘୋଷକ ଓ ଶେଷ ଜୀବନର ଅମୃତମୟ ପ୍ରଶାନ୍ତି

ଜଳୁଥିବ ପୋଲାଙ୍ଗ ତେଲର ମାଟିଦୀପ । ନିଷ୍ପ୍ରଭ ଆଲୁଅରେ ଅସ୍ପଷ୍ଟ ଦିଶୁଥିବେ ଖଟୁଲି ଉପରେ ବିରାଜିତ ମହାପ୍ରଭୁ ଜଗନ୍ନାଥ। ପ୍ରତି ଘରୁ ଆସିଥିବା ଟଗର, ମଲ୍ଲୀ କି ଗେଣ୍ଡୁମାଳରେ ସେ ହୋଇଥିବେ ଶୋଭିତ । ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଠାକୁରଙ୍କ ଭୋଗନୀତି ବଢିବ, ଶଂଖଘଣ୍ଟ ବାଜିଉଠିବ, ଝୁଣାଅଗୁରୁ ଧୂଆଁର ସୁଗନ୍ଧିରେ ମହକି ଉଠୁଥିବ ଚଉଦିଗ । ଭାଗବତ ଗାଦିକୁ ଛୁଇଁଲା ବେଳକୁ ପୁରାଣପଣ୍ଡାଙ୍କ ଦେହରେ ଜାଗୁଥିବ ଶିହରଣ, କଣ୍ଠରେ ଏକ ଘନୀଭୂତ ଆବେଗ। ଦିଶନ୍ତି ତେଜସ୍ଵୀ, ଶୁଚିବନ୍ତ ।

ଭାଗବତର ମନ୍ତ୍ରପୂତ ଧ୍ୱନି ହିଁ ପ୍ରତି ମଣିଷକୁ ସେ ପରିବେଶରେ କରିଦିଏ ନିଆରା — ରାଜହଂସ ଯେପରି ଉଡିଯିବାକୁ ଚାହେଁ ଗ୍ରୀବାସଳଖି ଦଳୁଆ ପୋଖରୀରୁ ଅନନ୍ତ ଆକାଶର ସୁନୀଳ ବିସ୍ତାର ଭିତରକୁ । ତାଳପତ୍ରର ଜୀର୍ଣ୍ଣ ଖୋଦେଇ ଭିତରର ମିଞ୍ଜି ମିଞ୍ଜି ଅକ୍ଷର ଭିତରେ ସେ କ’ଣ ଖୋଜେ, କ’ଣ ପାଏ ଯେ ଅଫିମଖିଆ ନେଉଳ ପରି ସେ ପ୍ରତିଦିନ ସେ ଟୁଙ୍ଗିକି ଧାଇଁବା ପାଲଟିଯାଏ ଏକ ଅଦମନୀୟ ଅଭ୍ୟାସ । କେତେବେଳେ ଓଠରେ ତୃପ୍ତିଭାବ କଅଁଳେ ତ କେତେବେଳେ ଆଖିରେ ଝଲସେ ଅଶ୍ରୁ । ବାରମ୍ବାର ଯୋଡହସ୍ତ ଛୁଉଁଥାଏ କପାଳ, ଚଉକାନ୍ଥି କମ୍ପିଉଠୁଥାଏ ହରିବୋଲ, ହୁଳହୁଳି ନାଦରେ । ମଲାବେଳକୁ ଗଙ୍ଗାଜଳ, ନିର୍ମାଲ୍ୟ ସହ ସେ ଖୋଜେ ଭାଗବତର ସେଇ ଲଳିତ, ଶାଶ୍ବତ ବାଣୀକୁ, ଯିଏ ତାକୁ ଦିଏ ପରମାନନ୍ଦର ପୁଲକ, ପ୍ରତିଶ୍ରୁତି ଓ ପ୍ରଶାନ୍ତି


ଦିନ ଥିଲା, ଗାଁ ସଂଗଠିତ ଆଉ ଏକତ୍ର ରହୁଥିଲା ଏଇ ଭାଗବତ ଟୁଙ୍ଗୀରେ, ‘ଭାଗବତ ଜନ୍ମ’ ପାଳନ ହେଉଥିଲା, ‘ଭାଗବତ ସପ୍ତାହ’ ପାଳନ ହେଉଥିଲା । ଭାବ ଆଦାନପ୍ରଦାନ, ପଙ୍କ୍ତିଭୋଜନ, ସହଯୋଗ ସହାବସ୍ଥାନସମାନତାର ବାର୍ତ୍ତା ପ୍ରଚାର କରୁଥିଲା ଏଇ ଭାଗବତ ଟୁଙ୍ଗୀ । ଦିନେ ବଙ୍ଗଳା, ବିହାର ଓ ଆସାମ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିଲା ଓଡ଼ିଆ ଭାଗବତଟୁଙ୍ଗିର ସଂସ୍କୃତି । ଉତ୍କଳୀୟ ପରମ୍ପରାର ପ୍ରଭାବରେ ଶଙ୍କର ଦେବ ପ୍ରଚଳନ କରିଥିଲେ ‘ନାମଘର’ ସଂସ୍କୃତି, ଏହା ଏବେ ମଧ୍ୟ ପ୍ରଚଳିତ ।

ବଶିଷ୍ଠ-ଶକ୍ତି-ପରାଶର-ବ୍ୟାସଙ୍କ ମଧ୍ୟ ଦେଇ ଏକ ପବିତ୍ର ଶୂଚିସ୍ନିଗ୍ଧ ତପସ୍ୟାର ଧାରା ଅବଲୀଳାକ୍ରମେ ଆସିଥିଲା ଶୁକଦେବଙ୍କ ଯାଏଁ ଏବଂ ଯିଏ ଶୁଣାଇଥିଲେ ଜୀବନର ନିଷ୍ଠୁର ସାୟଂକାଳରେ ରାଜା ପରୀକ୍ଷିତଙ୍କୁ ଏହି ଅମୃତମୟ ମହାକାବ୍ୟର ବାଣୀ, ତାହା ପୁଣି ବିବର୍ତ୍ତିତ ହୋଇଥିଲା ଏ ମାଟିର ମହାସନ୍ଥ ଦେବୋପମ ବୈଷ୍ଣବୀୟ ପରମସାଧକ ଉତ୍କଳ ମାଟିରେ ସୁଧାଭକ୍ତିର ଉଦ୍ଗାତା ପଣ୍ଡିତ ଜଗନ୍ନାଥ ଦାସଙ୍କ ଲେଖନୀ ମୂନରେ – ସେ ଧାରା ଆଜି ବିକଳ ଭାବରେ ଭାଙ୍ଗିପଡିଛି ବହୁବିଧ ଖଳନାୟକମାନଙ୍କ ଦ୍ଵାରା ।

“ସେ ଗୋପନାରୀଙ୍କ ପୟର
ମନ ମୋ ନିରନ୍ତର ରହୁ ।
ମନ ମୋ ନିରନ୍ତରେ ରହୁ
ହା କୃଷ୍ଣ ବୋଲି ଜୀବ ଯାଉ II”

ଆଜି ଭିନ୍ନ ଚେତନାର ଗୋପନାରୀ ଓ ରସିକ କୃଷ୍ଣରେ ରସୋତ୍ତୀର୍ଣ୍ଣ ହେଉଛି ଜୀବନ । ଆଜି କେବଳ ସମାଜ ନୁହେଁ ସଂସାର ଭାଙ୍ଗିପଡୁଛି, ମଣିଷ ମଣିଷ ଭିତରେ ଦ୍ଵନ୍ଦର ପାଚେରୀ ଉଠୁଛି । ବସ୍ତୁବାଦ ହୋଇଛି ଜୀବନର ସର୍ବୋତ୍ତମ ଅନ୍ୱେଷଣ, ଜୀବନ ହୋଇପଡିଛି ଅସହାୟତାର ଅଗ୍ନିବେଦୀ

#ଭାଗବତ_ଟୁଙ୍ଗୀ

ମୂଳ ଲେଖା: ସଚିତ୍ର ବିଜୟା

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago