ଲେଖା: ଦେଵ ତ୍ରିପାଠୀ
~ ଭଟ୍ଟସାହି ମଠ ~
ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବାପାଇଁ ମଠଗୁଡ଼ିକ ସର୍ବଦା ତତ୍ପର ରହିଆସିଛନ୍ତି । ଆଦି ଶଙ୍କରାଚାର୍ଯ୍ୟ ପ୍ରଥମେ ମଠ ସଂସ୍କୃତିର ପରିକଳ୍ପନା ଓ ପ୍ରତିଷ୍ଠା କରିଥିଲେ ବୋଲି ଐତିହାସିକ ପ୍ରମାଣ ମିଳେ। ସନାତନ ଧର୍ମର ଭିନ୍ନ ଭିନ୍ନ ସିଦ୍ଧାନ୍ତ, ସାଧନା ଓ ସଂପ୍ରଦାୟ ସେ ଜାତୀୟ ମଠଗୁଡ଼ିକରେ ପରମ୍ପରାକ୍ରମେ ସୁରକ୍ଷିତ ହୋଇ ରହିଛି । ପ୍ରାୟତଃ ଶାସ୍ତ୍ରବିଚାର, ସେବାପୂଜା, ନାମ ସଂକୀର୍ତ୍ତନ ଓ ଧ୍ୟାନଧାରଣା ପ୍ରଭୃତି ଶିକ୍ଷା ଦେବା ତଥା ଅଖଣ୍ଡିତ ଭାବେ ଆଚରଣ କରିବା ମଠର ମୂଳକାର୍ଯ୍ୟ। ଏଣୁ ଆଧ୍ୟାତ୍ମିକ ଓ ପାରମାର୍ଥିକ ଦୃଷ୍ଟିକୋଣରୁ ବିଚାର କଲେ ସମାଜରେ ମଠମାନଙ୍କର ସ୍ଥାନ ଅତୁଳନୀୟ। ପରମ ପବିତ୍ର ଐତିହାସିକ ସହର କଟକରେ ମଧ୍ୟ ଦୃଶ୍ୟମାନ ହୁଅନ୍ତି ଅଗଣିତ ମଠ ! ଶତାବ୍ଦୀ ଶତାବ୍ଦୀ ଧରି ଆଧ୍ୟାତ୍ମିକତାର ବାସ ଚହଟାଇବା ସହ କଳାସାହିତ୍ୟ, ସଂସ୍କୃତିର ପରିସ୍ଫୁଟନ ଘଟାଇ ଜନଜୀବନରେ ସୁପ୍ରଭାବ ବିସ୍ତାର କରିଥିବା ସତ୍ତ୍ୱେ ଐତିହାସିକ ଅବା ଗବେଷକମାନଙ୍କ ସଦୟ ଦୃଷ୍ଟିରୁ ବଞ୍ଚିତ ରହିଛନ୍ତି ଏଇ ମଠମାନ !
#କଟକ ମହାନଗରର ମହାନଦୀ ବନ୍ଧ ପାର୍ଶ୍ଵରେ ପଡ଼େ ଅନାଲୋଚିତ ଭଟ୍ଟସାହି ମଠ ! ଘନ ଜନବସତି ଭିତରେ ସୁନ୍ଦର ଶାନ୍ତ ପରିବେଶରେ ଅବସ୍ଥିତ ଏଇ ପ୍ରାଚୀନ ମଠ ! ଗତ ୨୫ ତାରିଖ ରବିବାରର ବର୍ଷାକ୍ଳିଷ୍ଟ ସକାଳରେ ଅଧିକାଂଶ ବନ୍ଧୁଙ୍କ ଅନୁପସ୍ଥିତି ସତ୍ତ୍ୱେ ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରାର ଏକ ପର୍ବ ଭାବେ ଆମେ କେଇଜଣ ପହଞ୍ଚିଥିଲୁ ଏପରି ଏକ ଧାର୍ମିକ ତଥା ଆଧ୍ୟାତ୍ମିକ ଅନୁଷ୍ଠାନରେ । ମଠରେ ପହଡ଼ ଥିବାରୁ କାହାରି ସାକ୍ଷାତ ପାଇ ନ ଥିଲେ ମଧ୍ୟ କେଇଜଣ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ମନ୍ଦିରଟି ବାବଦରେ ତଥ୍ୟ ସଂଗ୍ରହ ପାଇଁ ଚେଷ୍ଟା କରିଥିଲୁ । ସାମାନ୍ୟ ବିଳମ୍ବରେ ହେଲେ ମଧ୍ୟ ମଠର ଇତିହାସ ତଥା ଅଞ୍ଚଳବାସୀଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନରେ ଏହାର ଅହେତୁକ ପ୍ରଭାବ ବାବଦରେ ଯଥାସମ୍ଭବ ତଥ୍ୟ ଆହରଣ କରିଥିଲୁ !
ମଠର ପ୍ରାଚୀନତା ବାବଦରେ ସ୍ପଷ୍ଟ ଚିତ୍ର ମିଳି ପାରି ନ ଥିଲେ ମଧ୍ୟ କଳାମୁଗୁନି ପଥର ନିର୍ମିତ ଅନନ୍ତ ବାସୁଦେବ ମହାପ୍ରଭୁଙ୍କ ଅତ୍ୟନ୍ତ କମନୀୟ ମୂର୍ତ୍ତି ହିଁ ସୂଚାଇଦିଏ ଯେ ଦୀର୍ଘ କେତେ ଶତାବ୍ଦୀ ଧରି ସ୍ଥିତପ୍ରଜ୍ଞ ଦେଉଳଟି ଦଣ୍ଡାୟମାନ ! ସ୍ଥାନୀୟ ବାସିନ୍ଦାଙ୍କ ମତାନୁଯାୟୀ ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିର ବ୍ୟତୀତ ଏଇ ଭଟ୍ଟସାହି ମଠରେ ପୂଜିତ ଦିଅଁ ସମଗ୍ର ରାଜ୍ୟରେ ଏକମାତ୍ର !
ସ୍ବଳ୍ପ ଉଚ୍ଚ, କାରୁକାର୍ଯ୍ୟବିହୀନ ଅଥଚ ସୁନ୍ଦର ମନ୍ଦିରର ପାର୍ଶ୍ଵ ଦେବାଦେବୀ ଭାବେ ନୃସିଂହ, ବରାହ ଓ ତ୍ରିବିକ୍ରମ ବାମନ ଭଗବାନଙ୍କ ପ୍ରାଚୀନ ପ୍ରତିମା ଦୃଶ୍ୟମାନ ! ମହାଦେବଙ୍କ ସମେତ କେଇ ବର୍ଷ ପୂର୍ବେ ଅନ୍ୟ ସ୍ଥାନରୁ ଆଣି ପୁନଃ ପ୍ରତିଷ୍ଠିତ ଭାବେ ପୂଜା ପାଉଛନ୍ତି ଶନିଦେବ !
ଅଥଚ ଦୁର୍ଭାଗ୍ୟକୁ ଏଇ ଅବହେଳିତଭଟ୍ଟସାହି ମଠ ପ୍ରଶାସନିକ ଦୃଷ୍ଟି ଆଢ଼ୁଆଳରେ ! ତେବେ କିମ୍ବଦନ୍ତୀ ଅନୁଯାୟୀ ମଠର ସଂସ୍ଥାପକ ସେ ସମୟରେ କିଛି ସେବାୟତଙ୍କୁ ଖଞ୍ଜା ଦେଇଥିଲେ । ସେମାନଙ୍କ ବଂଶଧର ନିଷ୍ଠାପର ଭାବେ ଦାୟିତ୍ଵ ବହନ କରିଆସୁଛନ୍ତି ଉକ୍ତ ମଠର ! ପରବର୍ତ୍ତୀ ସମୟରେ ମଠର ଜାଗାରେ କିଛି ବାସଗୃହ ନିର୍ମାଣ କରି ସେଥିରୁ ଆଦାୟ ଅର୍ଥରେ ନୀତିକାନ୍ତି ସମାପନ ହେଇପାରୁଛି !
ବିଭିନ୍ନ ପର୍ବପର୍ବାଣୀ ପାଳନ ହେଉଥିଲେ ମଧ୍ୟ #ଅନନ୍ତବ୍ରତର ପାଳନ ମଠର ସ୍ବାତନ୍ତ୍ର୍ୟ ପ୍ରତିପାଦନ କରେ ! କହିବା ବାହୁଲ୍ୟ, ଅଞ୍ଚଳବାସୀଙ୍କ ସୁଖଦୁଃଖର ସାଥୀ ସାଜିଥିବା ଏ ଭଟ୍ଟସାହି ମଠ ସହରର ପୂଜାପାର୍ବଣ, ଅନ୍ୟାନ୍ୟ ଦେବ ଅବା ସାଂସ୍କୃତିକ ପୀଠ ଭଟ୍ଟସାହି ମଠର ଉନ୍ନତି ସହିତ କଳାସଂସ୍କୃତିର ପରିବ୍ୟାପ୍ତି ପାଇଁ ସତତ ଚେଷ୍ଟିତ ରହିଆସିଛି !
ଭଟ୍ଟସାହି ମଠର ଅନତି ଦୂରରେ ଅବସ୍ଥିତ #କରମଙ୍ଗା_ମଠ ! ମଠର ଟୋକା ପୂଜକ ଠାରୁ କିଛି ତଥ୍ୟ ହସ୍ତଗତ ହୋଇପାରି ନ ଥିଲେ ମଧ୍ୟ ମଠଟିର ପ୍ରାଚୀନତା ସୁସ୍ପଷ୍ଟ ! ତେବେ ପ୍ରାଚୀନତାକୁ ବଳି ଦେଇ ନିର୍ମାଣ ଚାଲିଛି ଆଧୁନିକ ପୂଜାଘର ! ପହଡ଼ ଯୋଗୁଁ ମଠର ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ହୋଇ ପାରି ନ ଥିଲା ସତ ! ତେବେ ମଠ ପରିସରରେ ଜଙ୍ଗଲପ୍ରାୟ ଅନାବନା ବୃକ୍ଷରାଜି ଓ ପରିତ୍ୟକ୍ତ ସ୍ନାନବେଦୀ ଆମ ପାରିଲାପଣକୁ ଧିକ୍କାରୁଥିଲା ନିଶ୍ଚୟ ! ଅଗତ୍ୟା ଆମେ ଅନ୍ୟତ୍ର ମୁହାଁଇଥିଲୁ !
(କରମଙ୍ଗା ମଠର ରିକ୍ତ ଭଗ୍ନ ସ୍ନାନବେଦୀ)
ସହରର ସମ୍ଭ୍ରାନ୍ତ ବ୍ୟବସାୟିକ ଅଞ୍ଚଳ #ମାତାମଠରେ ମହାନଦୀ ବନ୍ଧ ସମୀପରେ ରହିଛି ଅନ୍ୟ ଏକ ରଘୁନାଥ ମଠ ! ମଠର ପୂଜକ ରମେଶ ଚନ୍ଦ୍ର ପଣ୍ଡା ମହାଶୟଙ୍କ ମତାନୁସାରେ ପ୍ରାୟ ୮୦୦ ବର୍ଷର ପୁରୁଣା ଏ ମଠକୁ କାଶୀରୁ ଆଗତ ଜନୈକ ସାଧୁ ହିଁ ତୋଳିଥିଲେ ! ମଠରେ ପୂଜିତ ମହାବୀର ହନୁମାନଙ୍କ ସୁନ୍ଦର ବିରଳ ପ୍ରତିମା ହିଁ ସାଧୁଙ୍କ ସହ ପଦାର୍ପଣ କରିଥିଲେ କଟକ ମାଟିରେ ! ବିଶ୍ୱାସ କରାଯାଏ, ହନୁମାନଙ୍କ ସ୍ବପ୍ନାଦେଶ କ୍ରମେ ସାଧୁ ହିଁ ମଠ ସ୍ଥାପନା କରି ଲକ୍ଷ୍ମଣ, ସୀତା, ମହାଦେବଙ୍କ ସମେତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ସଂସ୍ଥାପନା କରିଥିଲେ !
(ରଘୁନାଥ ମଠ)
ଦେଉଳର ବେଦୀ ଉପରେ ଦୃଶ୍ୟମାନ ହୁଅନ୍ତି କମନୀୟ ରାମ, ଲକ୍ଷ୍ମଣ ଓ ସୀତାଙ୍କ ମୂର୍ତ୍ତି ଏବଂ କେତେକ ବିରଳ #ଶାଳଗ୍ରାମ ! ସହରର ବ୍ୟସ୍ତବହୁଳ ଅଞ୍ଚଳରେ ଅବସ୍ଥିତ କାରଣରୁ ମଠରେ ଭକ୍ତଙ୍କ ସମାଗମ ଏବଂ ଅନୁଦାନ ଯୋଗେ ମଠର ପରିଚାଳନା ସୁଚାରୁରୂପେ ସମ୍ପାଦନା ହୋଇଥାଏ ।
ଅସୁମାରୀ କୋଠାବାଡ଼ିର ଘେର ଭିତରେ ଆଧୁନିକତାର ଖୋଳପା ଭିତରେ ହଜିଯାଆନ୍ତି ଭଟ୍ଟସାହି ଆଉ କରମଙ୍ଗା ମଠ ପରି ଅସୁମାରୀ ଆଧ୍ୟାତ୍ମିକ ପୀଠ ! ତଥାପି ଐତିହ୍ୟପ୍ରେମୀ କଟକିଆର ପାଦ ଅଟକିଯାଏ ସେଠି ଯିବାଆସିବା ସମୟରେ, ମୁଣ୍ଡ ଆପେ ନଇଁଯାଏ ତା’ର ! କ୍ଷଣକ ପାଇଁ ହେଲେ ବି ସେ ପ୍ରାଣଭରି ଧନ୍ୟବାଦ ଦିଏ ସେଇ ଦେଉଳ ଅବା ମଠକୁ . . “ମୁ ତୁମକୁ ଭୁଲିନାହିଁ ! ଭୁଲିପାରିବି ନାହିଁ ! ତୁମେ ତ ମୋ ସହର ଇତିହାସର ପରିଚୟ ଜଣେ ! ତୁମକୁ କୋଟି ନମସ୍କାର !”