ଲେଖା: ଅମ୍ବିକା ପଟ୍ଟନାୟକ
~ ଶ୍ରୀ ବ୍ରହ୍ମାନନ୍ଦ ପଣ୍ଡା :ଅନାଲୋଚିତ ଗାଳ୍ପିକ/ରାଜନୀତିଜ୍ଞ ~
ଜ୍ୟୋତ୍ସ୍ନା ବିଧୌତ ଗଭୀର ଶାରଦୀୟ ରଜନୀ l ଅଭେଦ୍ୟ ଗୁରୁ ନିସ୍ତବ୍ଧତା l ସବିରାମ ମନ୍ଦ ସମୀରଣରେ ନିଶି ପୁଷ୍ପର ଆକୁଳ ପରିମଳ l ରାଜ ପ୍ରାସାଦ ସଂଲଗ୍ନ ପ୍ରମୋଦ ଉଦ୍ୟାନ l ପାରିଧିକ୍ଲାନ୍ତ ମହାରାଜା ଆରାମଦାୟକ ଏକ ବେତ୍ରାସନରେ ବିଜେ କରିଚନ୍ତି l ଜଣେ ପରିଚାରିକା ସୁରା ପରିବେଷଣ କରୁଚି l ଅନ୍ୟ ଜଣେ ଧୀର ହସ୍ତେ ବ୍ୟଜନ ସଂଚାଳନ କରୁଚି ଏବଂ ମଧ୍ୟେ ମଧ୍ୟେ ଏକ ସୁଗନ୍ଧିତ ଅଙ୍ଗବସ୍ତ୍ରରେ ମହାରାଜାଙ୍କ ସ୍ବେଦ ବିମୋଚନ କରୁଚି l ଉଭୟର ପରିଧାନ ସ୍ୱଳ୍ପ, ବିସ୍ତାରବିମୁଖ, ରାଜ ରୋଚକ l
“ପ୍ରତିହାରିଣୀ “! ମହାରାଜ ଆଜ୍ଞା କଲେ l
ଯୁବତୀ ଏକ ପ୍ରବେଶ କରି ଅଭିବାଦନ କଲା l
“ବିପଞ୍ଚିନୀ ” l
ପ୍ରତିହାରିଣୀ ନିଷକ୍ରାନ୍ତ l
ଦୂରରେ, ବହୁ ଦୂରରେ କେଉଁ ଦିଶାହରାର ବାଉଳାବଂଶୀ ଏକ କରୁଣ ରାଗରେ ବିଳପି ଉଠିଚି l
ଅନତିବିଲମ୍ବେ, ପୁଷ୍ପମାଲ୍ୟ ବିଭୂଷିତା, ସାବଲୀଳ ଅଙ୍ଗ ସଂସ୍କାରସମନ୍ବିତା ଏକ ଅନିନ୍ଦ୍ୟ ସୁନ୍ଦରୀ ନାରୀମୂର୍ତ୍ତି ରାଜହଂସ ଗତିରେ ଲତାନ୍ତରାଳରୁ ଆସି ରାଜସମ୍ମୁଖରେ ଉଭା ହେଲା l ପାଦରେ ନୂପୁର, ହସ୍ତରେ ବୀଣା, କେଶବିନ୍ୟାସ ଋଷିକନ୍ୟା ରୀତିର l ତାର ନୂପୁର ସିଞ୍ଜିନୀରେ ଆଗାମୀ ଯୁଗର ପଦଧ୍ଵନି ଶୁଣା ଯାଉଥିଲା l
“ବସ୍ତ୍ରାଭରଣ ବିମୁକ୍ତ ହୁଅ, ବିପଞ୍ଚିନୀ !”
କାମୁକତାରେ ରାଜକଣ୍ଠ ଜଡିତ l
ବିପଞ୍ଚିନୀ ପ୍ରସ୍ତର ମୂର୍ତ୍ତିବତ ଦଣ୍ଡାୟମାନ; ନୀରବ, ନିଷ୍କମ୍ପ l
ପରିଚାରିକାଦ୍ବୟ ବିପଞ୍ଚିନୀର ବସ୍ତ୍ରାଭରଣ ଅପସାରଣ କରନ୍ତି l
ବନ୍ୟ ରାଜଦୃଷ୍ଟି ହିଂସ୍ର ହୋଇ ଉଠିଛି l ତାଙ୍କର ସମଗ୍ର ଶରୀରର ରକ୍ତ ମୁଖମଣ୍ଡଳକୁ ଯେପରି ବହି ଆସିଚି l ବିପଞ୍ଚିନୀର ଗଜଦନ୍ତ ତନୁରେ ଜ୍ୟୋସ୍ନା ଅପୂର୍ବ ଲାବଣ୍ୟ ରଂଜିତ କରିଚି l ତାର ପ୍ରଶାନ୍ତ ବଦନର ମନ୍ଦହାସ ନିସ୍ପୃହ, ନିସ୍ତରଙ୍ଗ l ସେଇ ଅଲୌକିକ ମନ୍ଦାହାସ ଯେପରି କହୁଚି; “ମହାରାଜ, ତୁମେ ଯାହା ପ୍ରତ୍ୟକ୍ଷ କରୁଚ ତାହା ମୋର ମାଂସ ନୁହେଁ, ତୁମ ମନର ବିକାର “l
ଏ ଦୃଶ୍ୟ ମୋର ଅସହ୍ୟ ହୋଇ ଉଠିଥିଲା l ବୋଧିଦ୍ରୁମ ତଳୁ ତୀରବେଗରେ ଛୁଟି ଯାଇ ମହାରାଜଙ୍କ ଗଳା ଚିପି ଧରିଲି l ତାଙ୍କ ଆରକ୍ତ, ଶାର୍ଦୂଳ ନେତ୍ର ଫାଟି ପଡ଼ିବାର ଉପକ୍ରମ କରିଚି l
କିନ୍ତୁ, ଏ କଣ ଦେଖୁଚି !
ଏ ତ ମହାରାଜାଙ୍କ ମୁଖ ନୁହେଁ !
ଏ ଯେ ମୋର ନିଜର ଆକାଂକ୍ଷା –
ଲୁବ୍ଧ, ଲେଲିହାନ, ବିକଟାଳ !
୨
ଚମକିତେ ନିଦ ଭାଙ୍ଗିଗଲା l ଲମ୍ଫ ଦେଇ ଖଟ ଉପରୁ ଉଠି ଆସିଲି ଅସୂୟାରେ l ମୋର ସମଗ୍ର ଶରୀର ସ୍ଵିନ୍ନ ହେଇ ଯାଇଚି l ମନେ ହେଲା, ମୋର ଆତ୍ମା ଯେପରି ମୋର ଦେହ ଛାଡ଼ି ପଳାୟନ କରିଚି l ଶୂନ୍ୟ ଶଯ୍ୟା ଉପରେ ଏକ ଅସ୍ପଷ୍ଟ ଛାୟା ସଞ୍ଚରୁଥିଲା – ବିଲୁପ୍ତ ସାମନ୍ତବାଦର ଵୀଭତ୍ସ ସଂସ୍କାର l
ଏଇ ଗଳ୍ପଟିର ନାମ “ଆକାଂକ୍ଷାର ସଂସ୍କାର”, ଗାଳ୍ପିକ ଶ୍ରୀ ବ୍ରହ୍ମାନନ୍ଦ ପଣ୍ଡା l ଯେଉଁ ସମୟରେ ଗଳ୍ପ ସବୁ ଆଠ ଦଶ ପୃଷ୍ଠାରୁ କମ ହେଉ ନଥିଲା, ୧୯୪୦ ଦଶକରେ ଏପରି ଗଳ୍ପର କ୍ଷୁଦ୍ରତା ଏକ ନୂତନ ପରୀକ୍ଷା କହିଲେ ଅତ୍ୟୁକ୍ତି ହେବ ନାହିଁ l ଆଜି ଯେଉଁ ମିନି ଗଳ୍ପ, ଅଣୁ ଗଳ୍ପ ପ୍ରସାର ଲାଭ କରିଛି ଏହା ତାର ଆଦ୍ୟ ଉପୋଦଘାତ l
ଗଞ୍ଜାମର ଶେରଗଡ଼ ନିକଟ ଚିକିଲି ଗ୍ରାମରେ ଶ୍ରୀଯୁକ୍ତ କୃପାସିନ୍ଧୁ ପଣ୍ଡା ଓ ଶ୍ରୀମତୀ ରାଧାଦେବୀଙ୍କ ପୁତ୍ର ଶ୍ରୀ ବ୍ରହ୍ମାନନ୍ଦ ପଣ୍ଡା ୧୯୨୨ ମସିହା ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ l ଆସ୍କା ହରିହର ହାଇସ୍କୁଲରେ ଛାତ୍ର ଜୀବନ ଏବଂ ରେଭେନ୍ସାରେ କଲେଜ ଜୀବନ l ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ କ୍ରମେ ୧୯୪୨ରେ “ଭାରତଛାଡ଼ ଆନ୍ଦୋଳନ”ରେ ଯୋଗ ଦେଇ ଛାତ୍ର ଜୀବନର ସମାପ୍ତି l ରାଜନୀତି, ସାହିତ୍ୟ ଓ ସମାଜସେବା ଆରମ୍ଭ l ତରୁଣ ବୟସରେ ପତ୍ନୀ ପାର୍ବତୀ ଦେବୀଙ୍କ ବିୟୋଗ ଓ ପରେ ଶିଶୁ କନ୍ୟା ବିୟୋଗ ପରେ ସଂସାର ଅର୍ଥ ଏକମାତ୍ର ପୁତ୍ର l ୧୯୪୨ରୁ ୧୯୫୬ କମ୍ୟୁନିଷ୍ଟ ଦଳ ସହ ସଂଯୁକ୍ତ l ୧୯୫୮ରେ କଂଗ୍ରେସରେ ଯୋଗଦାନ l ୧୯୬୭ରୁ ୧୯୭୮ କ୍ରମାଗତ ଦୁଇଥର ରାଜ୍ୟସଭା ସଭ୍ୟ l ରାଜନୀତିରେ ଥିବା ସମୟରେ ତତ୍କାଳୀନ ରାଷ୍ଟ୍ରପତି ଶ୍ରୀଯୁକ୍ତ ଭି. ଭି. ଗିରି ଓ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ସହ ନିବିଡ଼ ସମ୍ପର୍କ ଥିଲା l କିନ୍ତୁ ସେ ସମ୍ପର୍କର କୌଣସି ଅନୁଚିତ ଲାଭ ଉଠାଇ ନାହାନ୍ତି କି ରାଜନୀତିରେ ରହି ନିଜ ପାଇଁ ଏବଂ ନିଜ ପରିବାର ପାଇଁ କିଛି ସୁବିଧା କରି ନାହାନ୍ତି l ଯୋଉ ସମୟରେ ମନ୍ତ୍ରୀ ବିଧାୟକଙ୍କ କୃପାରୁ ସାଧାରଣ ସଭ୍ୟ ଜଣେ ନିଜର ଖୁଵ ଉନ୍ନତି କରି ପାରୁଥିଲା ସେ ସମୟରେ ତାଙ୍କ ନିଜ ଭାଷାରେ ବକ୍ତବ୍ୟ -ରାଜ୍ୟସଭା ସଭ୍ୟ ହେବା ପୂର୍ବରୁ ମୋର ନିଜସ୍ୱ ସ୍ଥାୟୀ ରୋଜଗାର କିଛି ନ ଥିଲା l ଅର୍ଥାଭାବ ପ୍ରାୟ ଲାଗିରହିଥିଲା l
ବେଳେ ବେଳେ ଓଳିଏ ଖାଇ କିମ୍ବା ଚା ସିଗାରେଟରେ ମୁଁ ଦିନ କାଟିଚି କିନ୍ତୁ ମୋ ଭିତର ବିଦ୍ରୋହୀ ସତ୍ତାକୁ ଅବଦମିତ ହେବାକୁ ଦେଇ ନାହିଁ କିମ୍ବା କୌଣସି ଅନ୍ୟାୟ ଅନୀତି କରି ନାହିଁ l ରାଜନୀତି ଭିତରେ ମୁଁ ଅଛି କିନ୍ତୁ ମୋ ଭିତରେ ରାଜନୀତି ନାହିଁ l ୧୯୭୬ରେ ନବ୍ୟ ସ୍ୱାଧୀନ ବାଂଲାଦେଶ କିଛି ରାଷ୍ଟ୍ରଙ୍କ ପ୍ରରୋଚନା ଫଳରେ ନଦୀ ଜଳ ବଣ୍ଟନ ନେଇ ଜାତିସଙ୍ଘରେ ଭାରତ ବିରୁଦ୍ଧରେ ଅଭିଯୋଗ କରିଥିଲା l ଶ୍ରୀ ବ୍ରହ୍ମାନନ୍ଦ ପଣ୍ଡା ଜାତିସଙ୍ଘରେ ଭାରତ ତରଫରୁ ଏହାର ସଫଳ ପ୍ରତିରୋଧ କରିଥିଲେ ଯା ଦ୍ଵାରା ଜାତିସଙ୍ଘ ଦୁଇ ଦେଶ ପରସ୍ପର ମଧ୍ୟରେ ଆପୋଷ ଆଲୋଚନା କରନ୍ତୁ ବୋଲି ନିର୍ଦେଶ ଦେଇଥିଲା l
ରାଜନୀତି ସହ ଗଭୀର ସମ୍ପୃକ୍ତି ଥିଲେ ମଧ୍ୟ ସାହିତ୍ୟ ପ୍ରତି ଶ୍ରୀଯୁକ୍ତ ପଣ୍ଡାଙ୍କ ଥିଲା ନିବିଡ଼ ଅନୁରକ୍ତି l ପଣ୍ଡିତ ନେହେରୁଙ୍କ “Discovery of India”ର ସଫଳ ଓଡ଼ିଆ ଅନୁବାଦ, ମାସିକ ପତ୍ରିକା “ପ୍ରଭାତୀ”, “ସ୍ୱରୂପ”, “ଜନସାହିତ୍ୟ”ର ସମ୍ପାଦନା, କେନ୍ଦ୍ର ସାହିତ୍ୟ ଏକାଡେମୀର ସଭ୍ୟ ପଦ ଏହାର ପରିଣାମ l
ତେବେ ସାହିତ୍ୟର ଗଳ୍ପ ବିଭାଗ ତାଙ୍କୁ ବେଶୀ ଆକର୍ଷିତ କରିଥିଲା ଏଣୁ ସେ ଏଥିରେ ବିଶେଷ ମନଯୋଗୀ ହୋଇ ସଫଳକାମ ହୋଇଥିଲେ l ତାଙ୍କ ଗଳ୍ପ ସମୂହ ସାମାଜିକ ପୃଷ୍ଠଭୂମିରେ ରଚିତ, ମନସ୍ତାତ୍ତ୍ଵିକ ଓ ସମ୍ବେଦନଶୀଳ l ପଟ୍ଟଭୂମି ଗ୍ରାମ୍ୟ ଜୀବନର ସରଳତା, ପଲ୍ଲୀ ମଣିଷର ଜୀବନ ଚର୍ଯ୍ୟା, ସାମାଜିକ ମୂଲ୍ୟବୋଧ ଓ ମୂଲ୍ୟବୋଧ ଭିତ୍ତିକ ରାଜନୀତି l ଏକ ଅନବଦ୍ୟ ଗଳ୍ପ “ଭୋଳିକକା”ର ଶେଷ ଧାଡି “ଆଜି ଭୋଳିକକା ନାହାନ୍ତି କିନ୍ତୁ ଗାଁ ଲୋକଙ୍କ ହୃଦୟରେ ବଞ୍ଚି ରହିଛନ୍ତି, ସାହୁକାର ବଞ୍ଚିଚି କିନ୍ତୁ ମଲା ପରି” l ସେମିତି “ପ୍ରାନ୍ତଯମକ”, “ସୂର୍ଯ୍ୟଶିଶୁ” ଅନ୍ୟ ଦୁଇ ସୁନ୍ଦର ଗଳ୍ପ l ତେବେ ସାହିତ୍ୟିକ ଜୀବନ ତାଙ୍କର ଦୀର୍ଘସ୍ଥାୟୀ ନୁହେଁ l
ଗଳ୍ପ ସଂକଳନ – ମରୁଛାୟା, ମହକ, ସାଧାରଣ ସତ୍ୟ, କଳା ଓ କଳ୍ପନା, ଫଲଗୁର ତରଙ୍ଗ, ପ୍ରାନ୍ତ ଯମକ,
ନାଟକ – କେନ୍ଦ୍ର ଓ ପରିଧି, ଚାନ୍ଦା, ପଣ ଓ ପଣ୍ୟ, ସିନ୍ଦୁର
କବିତା – ସ୍ବପ୍ନ ଓ ସିନ୍ଦୁର
୧୯୫୬ ମସିହାରେ ଆକସ୍ମିକ ଭାବେ ଠାକୁର ଅଭିରାମ ପରମହଂସଙ୍କ ସଂସ୍ପର୍ଶରେ ଆସି ତାଙ୍କ ଜୀବନ ଦର୍ଶନ ବଦଳି ଯାଇଥିଲା l ଆଧ୍ୟାତ୍ମିକ ଅନ୍ୱେଷଣ କ୍ରମଶଃ ସାହିତ୍ୟ ସୃଷ୍ଟି ଉପରେ ପ୍ରଭାବ ପକାଇ ଥିଲା l ପରବର୍ତ୍ତୀ ସମୟରେ ସେ ସତ୍ୟସାଇ ବାବାଙ୍କ ଅନୁଗାମୀ ହୋଇଥିଲେ l