ଲେଖା: ଶ୍ରୀକାନ୍ତ ସିଂ

ପ୍ରାଚୀ, କେବଳ ଓଡ଼ିଶା ନୁହେଁ ଭାରତର ଦୃଶ୍ୟମାନ ସରସ୍ବତୀ କହିଲେ ଅତ୍ୟୁକ୍ତି ହେବନାହିଁ l ଏହାର ଉତ୍ପତ୍ତିସ୍ଥଳ ଯେଉଁଠାରୁ ହେଉ ନା କାହିଁକି, ନିଆଳିବଜାର ଠାରୁ ଅଳ୍ପ ଦୂରରେ ଥିବା କପିଳେଶ୍ଵର ମହାଦେବ ନିକଟରୁ ପ୍ରାଚୀନଦୀ ନାମ ବହନ କରିଥିବା କଥା ପ୍ରାଚୀନ ବ୍ରହ୍ମପୁରାଣରେ ଉଲ୍ଲେଖ ରହିଛି l

ଏହି ପ୍ରାଚୀନ ନଦୀତଟରେ ଦିନେ ଅନେକ ପ୍ରାଚୀନ କୀର୍ତ୍ତିରାଜି ଗଢ଼ି ଉଠିଥିଲା l ସମୟ କ୍ରମେ ବିଭିନ୍ନ ଶାସକଙ୍କ ଦ୍ୱାରା ଭିନ୍ନ ଭିନ୍ନ ସମୟରେ ଶୈବ, ଶାକ୍ତ, ବୈଷ୍ଣବ, ବୌଦ୍ଧ, ଜୈନ କୀର୍ତ୍ତିମାନ ନିର୍ମାଣ କରାଯାଇଥିଲା l ତନ୍ମଧ୍ୟରୁ ଏକ ପ୍ରାଚୀନ ମନ୍ଦିର ହେଉଛି ଅନ୍ଧ କପିଳେଶ୍ଵର ମହାଦେବ ମନ୍ଦିର ଯାହାକି ବ୍ରହ୍ମlଙ୍କ ମାନସପୁତ୍ର କପିଳ ମୁନିଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ବିଶ୍ୱାସ କରାଯାଏ l


ପରବର୍ତ୍ତୀ ସମୟରେ ଏହାର ଅନେକବାର ଜୀର୍ଣ୍ଣୋଦ୍ଧlର ହୋଇଛି l ବର୍ତ୍ତମାନ ଦଣ୍ଡାୟମାନ ଦେଉଳଟି ମଧ୍ୟ ବହୁ ପୁରୁଣା l ଶାନ୍ତ ଶୀତଳ ଓ ଏକ ସୁନ୍ଦର ପୁଷ୍କରିଣୀ ନିକଟରେ ମନ୍ଦିରଟି ରହିଛି l ଗର୍ଭଗୃହସ୍ଥ ଶିବଲିଙ୍ଗଟି ବର୍ଷସାରା ଜଳରେ ବୁଡ଼ି ରହିଥାନ୍ତି l କୁହାଯାଏ ଏହି ମୁକ୍ତିତୀର୍ଥ ଶିବଲିଙ୍ଗଟି ଏକ ପାତାଳଫୁଟା ଶିବଲିଙ୍ଗ l ପୂର୍ବ କାଳରେ ଲୋକମାନେ ଏଠାରେ ମହାଦେବଙ୍କ ଆରାଧନା କରି ନିଜର ଚକ୍ଷୁଜନିତ ରୋଗରୁ ଅର୍ଥାତ ଅନ୍ଧତ୍ୱରୁ ମୁକ୍ତି ପାଉଥିଲେ ଏଣୁ ମହାଦେବଙ୍କୁ ଅନ୍ଧ କପିଳେଶ୍ଵର ବୋଲି କୁହନ୍ତି l


ଅନ୍ଧ କପିଳେଶ୍ଵର ମନ୍ଦିରରୁ ଫେରି ମୁଖ୍ୟ ରାସ୍ତାରେ ଅଗ୍ରସର ହେଲେ, ନିଆଳି ମହାବିଦ୍ୟାଳୟ ପାର୍ଶ୍ୱରେ ଗୋଟିଏ ରାସ୍ତା ପଡ଼ିଛି l ଏହି ରାସ୍ତାରେ ଛଅ ସାତ କିଲୋମିଟର ପଥ ଅତିକ୍ରାନ୍ତ କଲାପରେ ଆଉ ଦୁଇଟି ବହୁ ପ୍ରାଚୀନ ମନ୍ଦିର ଦୃଷ୍ଟିଗୋଚର ହୁଏ l ବୁଧକେଶ୍ୱର ଓ ମଧୁକେଶ୍ୱର ନାମରେ ଏହି ଦୁଇ ମନ୍ଦିର ମହାନଦୀର ଶାଖାନଦୀ କୁଶଭଦ୍ରା ତଟରେ ପଡ଼ିବ l ନଦୀର ଉଭୟପାର୍ଶ୍ୱରେ ମନ୍ଦିରଦ୍ଵୟ ସଗର୍ବେ ଦଣ୍ଡାୟମାନ ଏବଂ ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ l

ଏଠାକୁ ଗମନାଗମନ ରାସ୍ତାଟି ଟିକେ କଦର୍ଯ୍ୟ, ମାତ୍ର ଯାଇହେବ l ସଠିକ ଠିକଣା କହିବାକୁ ଗଲେ, ଏହା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିପାଟଣା ବ୍ଲକର ଦେଉଳିଧରପୁର ପଞ୍ଚାୟତର ଭଅଁରା ନିଜଗଡ଼ ଗ୍ରାମ l


ଏହି ବୁଧକେଶ୍ୱର ମଧୁକେଶ୍ୱର ମନ୍ଦିର (Budhakeswar & Madhukeswar Temple) ଦୁଇଟି କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମାଣ କରାଯାଇଛି l ମଧୁକେଶ୍ୱର ମନ୍ଦିର ପ୍ରବେଶ ପଥରେ ଏକ ସୁନ୍ଦର ତୋରଣ ରହିଛି l ବୁଧକେଶ୍ୱର ଓ ମଧୁକେଶ୍ୱର ଦୁଇଟି ଯାକ ମନ୍ଦିରର ବିମାନ ରେଖଶୈଳୀରେ ନିର୍ମିତ ହୋଇଥିବାବେଳେ ଜଗମୋହନ ପୀଢ଼ଶୈଳୀରେ ନିର୍ମିତ l ତୋରଣଟି କିନ୍ତୁ କେବଳ ମଧୁକେଶ୍ୱର ମନ୍ଦିରରେ ରହିଛି l ବୁଧକେଶ୍ୱର ମନ୍ଦିରରେ ଏହିପରି ତୋରଣ ନାହିଁ କେବଳ ବିମାନ ଓ ଜଗମୋହନ ରହିଛି l

ମଧୁକେଶ୍ୱର ମନ୍ଦିର ଭିତର ପାର୍ଶ୍ୱରେ ଏକ ଶିଳାଲେଖ ରହିଛି ଯେଉଁଥିରେ ଗଜପତି ଶାସକଙ୍କ ଦ୍ୱାରା ମନ୍ଦିର ନିର୍ମାଣ ହେବାର କଥା ଲେଖା ହୋଇଛି ମାତ୍ର ମନ୍ଦିର ଦ୍ଵୟର ପ୍ରାଚୀନତା ଓ ଗଠନ ଶୈଳୀରୁ ଏହା ଆହୁରି ପ୍ରାଚୀନ ଏବଂ ସୋମବଂଶୀ ଶାସକଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଅନୁମେୟ l ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତିକୁ ଛାଡ଼ିଦେଲେ ଉଭୟ ବୁଧକେଶ୍ୱର ଓ ମଧୁକେଶ୍ୱର ମନ୍ଦିର ଦ୍ୱୟରେ ବିଶେଷ କାରୁକାର୍ଯ୍ୟ ଦେଖିବାକୁ ମିଳେନାହିଁ l


ମଧୁକେଶ୍ୱର ମନ୍ଦିର କୁଶଭଦ୍ରା ନଦୀ କୂଳକୁ ଲାଗିକରି ରହିଛି ଏଣୁ ବର୍ଷା ଦିନେ ମନ୍ଦିର ପରିସରଟି ଜଳାର୍ଣ୍ଣବ ରହେ ବୋଲି ସ୍ଥାନୀୟ ନିବାସୀ ଟୁକୁସେନ ପାତ୍ର ଓ ଉଦୟନାଥ ଜେନା ମହୋଦୟ କୁହନ୍ତି l ଏହି ଅଞ୍ଚଳର ଆଉ ଏକ ପରିଚୟ ହେଲା ଏହି ଗ୍ରାମଟି ଭାରତର ପୂର୍ବତନ ବାଚସ୍ପତି ସ୍ବର୍ଗୀୟ ରବି ରାୟଙ୍କ ଜନ୍ମସ୍ଥାନ l ଏହା ବ୍ୟତୀତ ବୁଧକେଶ୍ୱର ମହାଦେବଙ୍କୁ ମଧୁକେଶ୍ୱର ମହାଦେବଙ୍କ ଜ୍ୟେଷ୍ଠ ଭ୍ରାତା ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି l

ଏହି ସ୍ଥାନକୁ ଭୁବନେଶ୍ୱର ପଟରୁ ଆସିବାକୁ ହେଲେ ଉତ୍ତରା ଛକରୁ ବାଲିପାଟଣା, ବନମାଳୀପୁର ବଜାର ଦେଇ ଦେଉଳିଧରପୁର ଗ୍ରାମକୁ ଯାଇହେବ ଏବଂ କଟକ ପଟରୁ ଯିବାକୁ ହେଲେ ନିଆଳି ବଜାର ପୂର୍ବରୁ ନିଆଳି ମହାବିଦ୍ୟାଳୟ ପାର୍ଶ୍ୱରେ ଗୋଟେ ରାସ୍ତା ଗୋପ କେନାଲ କଡ଼େ କଡ଼େ ଦେଉଳଧରିପୁର ଗାଁକୁ ପଡ଼ିଛି l ସେଠାରେ ପହଞ୍ଚି ଏହି ବୁଧକେଶ୍ୱର ଓ ମଧୁକେଶ୍ୱର ମନ୍ଦିରଦ୍ଵୟକୁ ଦେଖିହେବ l 

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago