ଲେଖା: ଶ୍ରୀକାନ୍ତ ସିଂହ

ପାହାଡ଼ ପର୍ବତର ସବୁଜିମା, ଘଞ୍ଚ ଅରଣ୍ୟ, ମହାନଦୀ ବକ୍ଷର ସୁବିସ୍ତାର ଜଳରାଶି ତଥା ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ପାଇଁ ପ୍ରସିଦ୍ଧ ବୌଦ୍ଧ ସହର ଓ ଜିଲ୍ଲା l

କେବଳ ବୌଦ୍ଧ କୀର୍ତ୍ତିରାଜି ନୁହେଁ, ବିଭିନ୍ନ ଧର୍ମଧାରାର ପ୍ରବାହ ଏଠାରେ ଦେଖିବାକୁ ମିଳେ l ବୌଦ୍ଧ, ଶୈବ, ଶାକ୍ତ, ବୈଷ୍ଣବ ମତର ପ୍ରାଚୀନ ଧର୍ମସ୍ଥଳୀମାନ ଏଠାରେ ରହିଛି l ସେଥିମଧ୍ୟରୁ ବୌଦ୍ଧ ସହରରେ ଥିବା ଗୌତମ ବୁଦ୍ଧଙ୍କ ବୁଦ୍ଧନାଥ ପ୍ରତିମା, ରାମେଶ୍ୱର ବା ରାମନାଥ ଶିବ ମନ୍ଦିର ଓ ଭୈରବୀ ମନ୍ଦିର ଅନ୍ୟତମ l

ବୁଦ୍ଧନାଥ: ବୌଦ୍ଧ ରାଜବାଟୀ ନିକଟରେ ଥିବା ବୁଦ୍ଧନାଥ ହେଉଛନ୍ତି ଗୌତମ ବୁଦ୍ଧଙ୍କ ଏକ ବିଶାଳ ପ୍ରତିମା l ଏହି ମୂର୍ତ୍ତି ଟି ଛ’ଫୁଟ ଉଚ୍ଚ ଓ ଚାରି ଫୁଟ ଚଉଡ଼ା ହେବ l ପଦ୍ମାସନରେ ଉପବିଷ୍ଟ ଭୂମିସ୍ପର୍ଶ ଏହି ବୁଦ୍ଧଙ୍କ ପ୍ରତିମାଟି ଖୁଵ ସୁନ୍ଦର ଓ ମୁଖ ମଣ୍ଡଳରେ ଲାବଣ୍ୟର ପରିପ୍ରକାଶ ସୁସ୍ପଷ୍ଟ l ବୁଦ୍ଧଙ୍କ ମୂର୍ତ୍ତିର ଉଭୟପାର୍ଶ୍ଵ କାନ୍ଧର ଉପରି ଭାଗରେ ଦୁଇଟି ଉଡ୍ଡୀୟମାନ ଗନ୍ଧର୍ବର ମୂର୍ତ୍ତି ରହିଛି ଯାହାକି ଏହି ପ୍ରତିମାର ବିଶିଷ୍ଟତା ଦର୍ଶାଉଛି l ମୂର୍ତ୍ତିଟି ଦ୍ଵିତୀୟ ଶତାବ୍ଦୀର ହୋଇଥିବା ଅନୁମାନ କରାଯାଏ l ବୁଦ୍ଧଙ୍କ ଏହି ପ୍ରତିମାର ଉପସ୍ଥିତିକୁ ନେଇ ଆଧୁନିକ ବୌଦ୍ଧ ଜିଲ୍ଲାର ନାମକରଣ ହୋଇଥିବା ଜଣାଯାଏ l

ରାମନାଥ: ଭଗବାନ ଶିବଙ୍କୁ ସମର୍ପିତ ଚାରିଗୋଟି ମନ୍ଦିର ସମୂହ ହେଉଛି ରାମନାଥ ବା ରାମେଶ୍ୱର ଯାହାକି ଅଷ୍ଟମ ଶତାବ୍ଦୀରେ ସୋମବଂଶୀ ଶାସକଙ୍କ ଦ୍ୱାରା ନିର୍ମିତ ମଧ୍ୟଯୁଗୀୟ ଏକ ପ୍ରାଚୀନ କୀର୍ତ୍ତି l ଅନ୍ୟ ପ୍ରାଚୀନ ମନ୍ଦିର ତୁଳନାରେ ଏହାର ନିର୍ମାଣ ଶୈଳୀ ଅନନ୍ୟ ଓ ସ୍ୱତନ୍ତ୍ର l ତାରାକାକୃତି ସ୍ୱତନ୍ତ୍ର ପିଣ୍ଡି ଉପରେ ଏହି ତିନୋଟିଯାକ ମନ୍ଦିର ନିର୍ମିତ ହୋଇଛି l ଗର୍ଭ ଗୃହସ୍ଥ ଶିବଲିଙ୍ଗ ମଧ୍ୟ ତାରକାକୃତି ଅଷ୍ଟକୋଣୀ ଯୋନିପୀଠ ଉପରେ ପ୍ରତିଷ୍ଠିତ l ଯାହାକି ଅନ୍ୟତ୍ର ପ୍ରାୟ ଦୃଷ୍ଟିଗୋଚର ହୁଏ ନାହିଁ l



ତିନୋଟିଯାକ ମନ୍ଦିରର ଉଚତା ପ୍ରାୟ ତିରିଶ ଫୁଟ ହେବ ଏବଂ ଅଁଳାବେଢ଼ା ଉପରେ ଥିବା ଦଧିନଉତିର ଆକାର ଖୁଵ ଛୋଟ l ତିନୋଟି ଯାକ ମନ୍ଦିର ଲୋହିତ ବାଲୁପଥରରେ ନିର୍ମିତ l ରେଖ ଶୈଳୀରେ ନିର୍ମିତ ମନ୍ଦିରର ବିମାନକୁ ଛାଡ଼ିଦେଲେ ଜଗମୋହନ, ନାଟମନ୍ଦିର ଓ ମୁଖଶାଳା ଆଦି ନାହିଁ l ଭୂମି ପତ୍ତନରୁ ପାଞ୍ଚଗୋଟି ପାହାଚ ପରେ ମନ୍ଦିରର ପ୍ରବେଶ ଦ୍ୱାର ରହିଛି; ମାତ୍ର ପ୍ରବେଶ ପଥ ଅତି ସଂକୀର୍ଣ୍ଣ l ପ୍ରବେଶ ପଥ ଉପରିଭାଗରେ ନବଗ୍ରହଙ୍କ ପ୍ରତିମା ଦୃଷ୍ଟିଗୋଚର ହୁଏ l କାଳର କରାଳ ସ୍ରୋତରେ କିନ୍ତୁ ମନ୍ଦିର ଗୁଡ଼ିକ କ୍ଷୟପ୍ରାପ୍ତ ଏବଂ କେତେକ ସ୍ଥାନରେ ସୁକ୍ଷ୍ମ କାରୁକାର୍ଯ୍ୟ ଗୁଡ଼ିକ ମଧ୍ୟ ଅସ୍ପଷ୍ଟ l

(ଭୁବନେଶ୍ୱର ମନ୍ଦିର)

ଏହି ପରିସରରେ ଅର୍ଦ୍ଧ ନିର୍ମିତ ପ୍ରାଚୀନ ମନ୍ଦିର ସଂଲଗ୍ନ ଏକ ଛୋଟିଆ ମନ୍ଦିରରେ ରାମନାଥ ବା ରାମେଶ୍ୱର ପୂଜା ପାଉଥିବାବେଳେ, ପରିସରସ୍ଥ ଏହି ତିନୋଟି ମନ୍ଦିରରେ ସୋମନାଥ, କପିଳେଶ୍ଵରଭୁବନେଶ୍ୱର ନାମରେ ତିନୋଟି ପ୍ରାଣବନ୍ତ ଶିବ ଲିଙ୍ଗ ପ୍ରତିଷ୍ଠିତ ଓ ପୂଜିତ l

(ଅର୍ଦ୍ଧ ନିର୍ମିତ ଶୁନ୍ୟ ମନ୍ଦିର ଓ ତାର କଳାକୃତି)

ବୌଦ୍ଧ ସହରକୁ ପ୍ରବେଶ କଲାବେଳେ ଜାତୀୟ ରାଜରାସ୍ତାର ଦକ୍ଷିଣ ଦିଗରେ ଏହି ରାମେଶ୍ୱର ମନ୍ଦିର ସମୂହଟି ପରିଷ୍କାର ପରିଛନ୍ନ ଏକ ସୁନ୍ଦର ପରିବେଶରେ ଦଣ୍ଡାୟମାନ l ଏହି ମଧ୍ୟ ଯୁଗୀୟ ଐତିହାସିକ କୀର୍ତ୍ତିରାଜିକୁ ବର୍ଷର ଯେ କୌଣସି ସମୟରେ ଚାହିଁଲେ ବୁଲିଆସିହେବ l

(ପାଷାଣରେ ନିହାଣ ମୁନର ଅପୂର୍ବ ସୃଜନ)

ଭୈରବୀ ମନ୍ଦିର: ଯୋଗୀନ୍ଦ୍ର ଭିଲ୍ଲା ପ୍ୟାଲେସ ବା ବୌଦ୍ଧ ରାଜବାଟୀ ନିକଟରେ ରହିଛି ଭୈରବୀ ମନ୍ଦିର l ବର୍ତ୍ତମାନର ଏହି ଦେଵୀ ମନ୍ଦିରଟି ଏକ ଆଧୁନିକ ନିର୍ମାଣ ହୋଇ ଥିଲେ ବି ଭୈରବୀଙ୍କ ପ୍ରତିମାଟି ବହୁ ପ୍ରାଚୀନ l କେହି କେହି ଏହି ମୂର୍ତ୍ତିଟି କୌଣସି ହିନ୍ଦୁ ଦେବଦେବୀଙ୍କର ନୁହେଁ ବରଂ ବୌଦ୍ଧତନ୍ତ୍ରର କୌଣସି ଦେବୀଙ୍କର ପ୍ରତିମା ବୋଲି କୁହନ୍ତି l ସେ ଯାହାବି ହେଉ ମାଆଙ୍କର ଏହି ପ୍ରତିମାଟି ବହୁ ପ୍ରାଚୀନ ଓ ମା’ ଜଣେ ପ୍ରତାକ୍ଷ ଠାକୁରାଣୀ ବୋଲି ଲୋକଙ୍କ ବିଶ୍ୱାସ ରହିଛି l

admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

2 weeks ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

2 weeks ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

2 weeks ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago