ଲେଖା: ଓମ୍ ପ୍ରକାଶ ବିଶ୍ୱାଳ
~ ବିରଞ୍ଚିନାରାୟଣ ମନ୍ଦିର ~
କୂଅର ପାଣି ବଢ଼ିଚାଲିଥିଲା। ପାଣି ଉଛୁଳି ମନ୍ଦିର ବେଢା ଜଳମଗ୍ନ ହେଲାଣି। ମନ୍ଦିର, ଗଛ ,ପତ୍ର ସବୁ ଯେମିତି ପାଣି ଭିତରେ ମିଳେଇଯାଉଥିଲେ। ମୋ ଚାରିପଟରେ କଣ ଘଟିଯାଉଥିଲା ମୁଁ କିଛି ବୁଝିପାରୁନଥିଲି।
ବିରଞ୍ଚିନାରାୟଣ ମନ୍ଦିର ବେଢାରେ ଥିବା କୁଅର ଚାନ୍ଦିନୀ ଉପରେ ବସିଥିଲି ଏକାଗ୍ର ହେଇ, କୂଅ ଭିତରକୁ ଅନେଇ ଖୋଜୁଥିଲି ଆଇମା କାହାଣୀ ରେ ଶୁଣିଥିବା ସେ କୁଅ ଭିତରର ସୁନା ଶିଳ ଶିଳପୁଆକୁ। ପିଲାଦିନୁ ଶୁଣିଆସିଥିଲି ସେ ମନ୍ଦିର ଓ ସେ ଅଞ୍ଚଳକୁ ନେଇ ଅନେକ ରହସ୍ୟମୟ କଥା, କାହାଣୀ ଯାହାକୁ ସଭ୍ୟ ଭାଷାରେ କିମ୍ବଦନ୍ତୀ ବୋଲି କୁହନ୍ତି। ଶୁଣିଥିଲି ଏହା କୁଆଡେ ଭାରତର ଏକମାତ୍ର ବ୍ରହ୍ମା ମନ୍ଦିର । ଶୁଣିଥିଲି ଅତୀତର ସମୃଦ୍ଧଶାଳୀ କୁଣ୍ଡିକଟକ କଥା। ପରେ ବଡ଼ ହେଲା ପରେ ଜାଣିଲି ଯାହାକୁ ସଭିଏଁ ବ୍ରହ୍ମା ମନ୍ଦିର କୁହନ୍ତି ସେଇଟା କୁଆଡେ ପ୍ରକୃତରେ ସୂର୍ଯ୍ୟମନ୍ଦିର। ଜିଜ୍ଞାସୁର ଆଖି ନେଇ ଦେଖିଛି ମନ୍ଦିରର ମୂର୍ତ୍ତିକୁ, ମୂର୍ତ୍ତି ହାତର ସୂର୍ଯ୍ୟମୁଖୀ ଫୁଲକୁ ଆଉ ମୂର୍ତ୍ତିର ଅଣ୍ଟା ତଳକୁ ଖୋଦେଇ ହୋଇଥିବା ସପ୍ତାଶ୍ୱକୁ। ସେଦିନ ବି ସେମିତି କିଛି ଗୋଟେ ନୂଆ ଆବିଷ୍କାର କରିପକେଇବାର ଅଭିସନ୍ଧି ନେଇ ମନ୍ଦିରକୁ ଯାଇଥିଲି . .
ଧୀରେ ଧୀରେ ସବୁକିଛି ଅନ୍ଧାର ହୋଇଗଲା। ଭୟରେ ମୋ ଦେହ କମ୍ପୁଛି। ହଠାତ ସେ ଅନ୍ଧାରକୁ ଭେଦି ଦେଖାଦେଲା କ୍ଷୀଣ ଆଲୋକ ରେଖାଟେ, ଆଲୋକ ରେଖା କ୍ରମଶଃ ନିକଟତର ହେବାକୁ ଲାଗିଲା ତା ସହ ସ୍ପଷ୍ଟ ହେବାକୁ ଲାଗିଲା ସେ ଆଲୋକ ରେଖାର ଉତ୍ସ ଛୋଟ ଦୀପଟି ଓ ଦୀପ ଧରିଥିବା ସୁନ୍ଦରୀ ତରୁଣୀ। ଓଢଣା ଭିତରୁ ବାରିହେଇ ପଡୁଥିଲା ତରୁଣୀର କମନୀୟ ରୂପକାନ୍ତି ଓ ଦୀପର କ୍ଷୀଣ ଆଲୋକରେ ସେ ରୂପ ଦିଶୁଥିଲା ଆହୁରି ଚମତ୍କାର ।
ମୁଁ ବିସ୍ମିତ ଓ ପୁଲକିତ ହୋଇଥିଲି . .
ପଚାରିଲି,‛ କିଏ ତମେ, ଏସବୁ କଣ ହେଉଛି ମୋ ସହ।’
ତରୁଣୀଟି କହିଲା, ‛ବାଃ ବହୁତ ପ୍ରଶ୍ନ ତ ତମ ମନରେ। ତମକୁ ଏକ ରୋମାଞ୍ଚକର ଯାତ୍ରାରେ ନେଇଯିବାକୁ ଆସିଛି ମୁଁ ! ଚାଲ ସମୟର ସଵାରୀ କରିବ ଆଉ ଭେଟିବ ତମ ପ୍ରଶ୍ନର ଉତ୍ତରମାନଙ୍କୁ।’ ଏତିକି କହି ସେ ଫିକ୍ କିନା ହସିଦେଲା। ସେ ହସ ରେ କି କୁହୁକ ଥିଲା କେଜାଣି ମୁଁ ଆତ୍ମବିସ୍ମୃତ ହେଉଥିଲି ଆଉ ମୋ ଆଖିଆଗରେ ଆଭାସୀ ବାସ୍ତବତା ର ଦୃଶ୍ୟ ପରି ଦେଖାଯାଉଥିଲା ଆଉ ଗୋଟେ ଦୁନିଆ।ଆଜିର ଦୁନିଆ ଠୁ ଖୁବ ଅଲଗା ହୁଏତ ଖୁବ୍ ପୁରୁଣା। ଆଗରେ ମୋର ବିଶାଳ ସମୁଦ୍ର। ସମୁଦ୍ର କୂଳରେ ଖୁ’ ବଡ଼ ନହେଲେ ବି ବଡ ବନ୍ଦରଟିଏ ! ଆଉ ବନ୍ଦରରେ ଲାଗିଥାଏ ୫୦ସରିକି ମୟୁରମୁଖୀ ବୋଇତ ଆଉ କିଛି ଛୋଟ ଛୋଟ କାତମରା ଡଙ୍ଗା। ଶହ ଶହ ଖଲାସୀ ଓ ତଣ୍ଡେଇ ମାନେ ବୋଇତରେ ଜିନିଷ ପତ୍ର ଲଦିବା ଓଲ୍ହେଇବା କାମ କରୁଥାନ୍ତି।
ତରୁଣୀଟି କହିଲା,‛ଦେଖୁଛ ଇଏ ହେଉଛି ଗୁଣ୍ଡୁଣି ବନ୍ଦର । ଅତୀତ ଓଡ଼ିଶାର ସମୃଦ୍ଧଶାଳୀ ବନ୍ଦରରୁ ଗୋଟାଏ । ଏଇ ଦେଖ ସେ ଯୋଉ ବିରାଟ ବୋଇତ ଆସୁଛି ସେଇଠୁ ଆରମ୍ଭ ହେଉଛି ତମ ଉତ୍ତର। ତମେ ତମ ଉତ୍ତର ସହ ପରିଚିତ ହୁଅ . .’
ସେ ବିଶାଳ ବୋଇତ ଆସି କୂଳରେ ଲଙ୍ଗର ପକେଇଲା। ସେଥିରୁ ସାଧବ ବଣିକମାନଙ୍କ ସହ ଓଲ୍ହେଇଲେ ଆଉ କିଛି ଲୋକ ଯୋଉମାନେ ବେଶ ପୋଷାକ ରୁ ପୂଜକ ପରି ଲାଗୁଥିଲେ ମାତ୍ର ଦିଶୁଥିଲେ ଅସମ୍ଭବ ଭାବେ ମ୍ଳାନ ଓ ବିବ୍ରତ।
ତରୁଣୀଟି ମୋତେ କହିଲା କି, ‛ସେମାନେ ଆରବୀ ପୂଜକ, ଆରବରେ ମହମ୍ମଦଙ୍କ ଆବିର୍ଭାବ ଓ ତାଙ୍କ ଅନୁଗାମୀଙ୍କ କ୍ରମବୃଦ୍ଧି ହେତୁ ଦେବପୂଜାରେ ବ୍ୟାଘାତ ସୃଷ୍ଟି ହେଲା ଓ ସଂଖ୍ୟାଲଘୁ ପୂଜକ ଗୋଷ୍ଠୀ ଲୋକସମର୍ଥନ ହରାଇ ଆରବରେ ବାଣିଜ୍ୟ କରୁଥିବା ଏହି ସାଧବ ମାନଙ୍କ ସହ ଆସିଛନ୍ତି ଆଶ୍ରୟ ନେବାକୁ। ଏବଂ ଶରଣ ବତ୍ସଳ ସାଧବମାନେ ସେମାନଙ୍କୁ ଶରଣ ଦେଇ ଅଭୟ କରିଥିଲେ। ବନ୍ଦର ନିକଟରେ ସେମାନଙ୍କ ରହିବାର ବ୍ୟବସ୍ଥା କରିଦେଲେ।
ପୂଜକମାନଙ୍କର ବୃତ୍ତି ଥିଲା ଦେବପୂଜନ। ଆଉ ରକ୍ଷଣଶୀଳ ବ୍ରାହ୍ମଣମାନେ ଏହି ବିଦେଶାଗତ ପୂଜକଙ୍କୁ ପୁରୋହିତ ବୋଲି ମାନିବାକୁ ନାରାଜ। ଆଉ ସେ ପୂଜକମାନଙ୍କୁ ଦେବପୂଜା ଛଡା ଆଉ କିଛି ଆସେନି। ଏଥର ସେମାନେ କରିବେ କଣ ? ସୌଦାଗର ମାନେ ପଣ୍ଡିତ ସଭା ଡାକିଲେ । ବିରାଟ ସଭା, ଉତ୍କଳ ର ଚାରିଆଡୁ ଆସିଥାନ୍ତି ବଡ଼ ବଡ଼ ପଣ୍ଡିତ।’
ମୋ ଆଖି ଆଗରେ ସବୁକିଛି ନାଚିଯାଉଥାଏ ଚଳଚ୍ଚିତ୍ରର ଦୃଶ୍ୟ ଭଳି ମୁଁ ଆଶ୍ଚର୍ଯ୍ୟ ଚକିତ ହୋଇ ଦେଖିଚାଲିଥାଏ ମାତ୍ର। ନିଜ ଉପରେ ମୋର ଯେମିତି ନିୟନ୍ତ୍ରଣ ନଥାଏ। ମୁଁ ପୁଣି ଦେଖିଲି ପଣ୍ଡିତମଣ୍ଡଳୀର ଯୁକ୍ତିତର୍କ, ଆଲୋଚନା ପର୍ଯ୍ୟାଲୋଚନା ପରେ ନିଷ୍ପତ୍ତି ହେଲାକି; ସେମାନଙ୍କୁ ଗାୟତ୍ରୀ ମନ୍ତ୍ର ପ୍ରଦାନ କରି ସଂସ୍କାର କରାଇ ଉପବିତ ଦେଇ ବ୍ରାହ୍ମଣ କରାଯିବ ଓ ଭାରତୀୟ ସନାତନି ପୂଜାପଦ୍ଧତି ଶିଖାଇଦିଆଯିବ। ସେମାନଙ୍କ ପୂଜାପଦ୍ଧତି ପାଇଁ ବନ୍ଦର ପାଖରେ ସାଧବମାନଙ୍କ ଦ୍ୱାରା ସୂର୍ଯ୍ୟଙ୍କର ଏକ ମନ୍ଦିର ନିର୍ମାଣ କରାଇ ମୂର୍ତ୍ତି ପ୍ରତିଷ୍ଠା କରାଯିବ। ଏହା ସହ ବ୍ରାହ୍ମଣ ମାନଙ୍କ ପାଇଁ ଜମିବାଡ଼ି ଓ ଭତ୍ତା ଖଞ୍ଜିଦିଆଜିବ। ସର୍ବ ସମ୍ମତି କ୍ରମେ ଏ ପ୍ରସ୍ତାବ ଗୃହୀତ ହେଲା।
ତାପରେ ଚାଲିଲା ମନ୍ଦିର ତିଆରି । ବୋଇତରେ ବୁହାହେଇ ଆସିଲା କୁଢ଼ କୁଢ଼ ପଥର। ଆରମ୍ଭ ହେଲା ମନ୍ଦିର ତିଆରି, ଶହ ଶହ ଶିଳ୍ପୀ ଦିନରାତି ଲାଗିଥିଲେ ମନ୍ଦିର ତିଆରିରେ । ପ୍ରାଚୀନ ଉତ୍କଳିୟ ଶିଳ୍ପକଳାରେ ତିଆରି ଚାଲିଥିଲା ସୁଦୃଶ ମନ୍ଦିର। ରଥ ଆକାରରେ ମନ୍ଦିର ତିଆରି ହେଲା । ବଡ଼ ବଡ଼ ମୂର୍ତ୍ତି, ହାତୀ, ଘୋଡା, ଦୁଆର ବନ୍ଧ ତିଆରି ହେଲା।
ଦୁଆର ବନ୍ଧ କୁ ଦେଖି ମୋ ଆଖି ଖୋସି ହେଇଗଲା; ଇଏ ତ ଅବିକଳ ସେଇ ବନ୍ଧ ଯାହାକୁ ସେଦିନ ଷ୍ଟେଟ ମ୍ୟୁଜିଅମରେ ସାଙ୍ଗ ମାନଙ୍କୁ ଦେଖେଇ କହୁଥିଲି, ‛ଦେଖ! ଏ ବନ୍ଧ ମୋ ଗାଁ ରୁ ମିଳିଥିଲା।’
ମନ୍ଦିର ତିଆରି ସରିଲା । ପ୍ରତିଷ୍ଠା ଦିନ ଶହ ଶହ ଶ୍ରୋତ୍ରିୟ ବ୍ରାହ୍ମଣ ବେଦ ପଢ଼ିଲେ, ଯାଗଯଜ୍ଞ, ଦାନ ଖଇରାତ ହେଲା, ମୂର୍ତ୍ତି ପ୍ରତିଷ୍ଠା ହେଲା। ନୀତି କାନ୍ତି ଚାଲିଲା।
ସବୁ କିଛି ଯେମିତି ମୋ ଆଖି ଆଗରେ ଘଟିଯାଉଥିଲା।‛
ପୁଣି ଥରେ ମୋତେ ଚମତ୍କୃତ କରି ସେ ତରୁଣୀ କହିଲା ଚାଲ ତମକୁ ଆଗରେ ଅପେକ୍ଷା କରିଛି ଆହୁରି ଅନେକ ରୋମାଞ୍ଚ।’ ଏତିକି କହି ମୋ ମୁଣ୍ଡରେ ହାତ ଥୋଇଲା ସେ, ମୋତେ ଗୋଟେ ଝଟକା ଲାଗିଲା, ମୁଁ ଯେମିତି ଛିଟିକି ପଡିଲି।
ପୁଣି ଦେଖା ଦେଲା ମୋ ଆଗରେ ସେ ମନ୍ଦିର। ମନ୍ଦିରର ଅବସ୍ଥା ସେତେବେଳକୁ ଆହୁରି ସମୃଦ୍ଧ। ମନ୍ଦିର ଓ ବନ୍ଦରକୁ କେନ୍ଦ୍ର କରି ଗଢ଼ି ଉଠିଛି ଅନେକ ଘରଦ୍ୱାର, ଦୋକାନ ବଜାର। ସେତେବେଳକୁ ସେ ଅଞ୍ଚଳ ଏକ ସମୃଦ୍ଧଶାଳୀ ନଗରୀରେ ପରିଣତ ହେଲାଣି। ସେଦିନ ଚଳଚଞ୍ଚଳ ହୋଇଉଠିଥିଲା ମନ୍ଦିର, ଜୋରସୋରରେ ଚାଲିଥିଲା ପୂଜାପାଠ ।
ତରୁଣୀକୁ ଚାହିଁଲି ଆଖିରେ ଆଖିଏ ପ୍ରଶ୍ନ ନେଇ ! ତା ମୁହଁରେ ପୁଣି ସେଇ ସ୍ମିତହସ ! ସେ କହିଲା, ‛ଆମେ ସମୟଚକ୍ରରେ ଏବେ ଟିକେ ଆଗକୁ ଆସିଗଲେଣି। ତମେ ଦେଖିଥିବା ସେତେବେଳର ବନ୍ଦର ଏବେ ସମୃଦ୍ଧଶାଳି କୁଣ୍ଡିକଟକ, ଦେଶର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଓ ବନ୍ଦର। ଆଜି ମନ୍ଦିରରେ ଏତେ କୋଳାହଳ କାହିଁକି ଜାଣିଛ ?’ ମୁଁ ସେମିତି ଏକ ପ୍ରଶ୍ନବାଚୀ ନେଇ ଚାହିଁରହିଥିଲି ତା ମୁହଁକୁ। ସେ ପୁଣି କହିବାକୁ ଲାଗିଲା,‛ ତମେ ଇତିହାସରେ ପଢ଼ିଥିବ ପ୍ରଖ୍ୟାତ କବି ତଥା ବେଦବିତ ମୟୁରଭଟ୍ଟଙ୍କ କଥା। ମୟୁରଭଟ୍ଟ ସୂର୍ଯ୍ୟ ଉପାସକ, ସେ ଏଇ ମନ୍ଦିରରେ ସୂର୍ଯ୍ୟପୂଜା କରି ରୋଗମୁକ୍ତ ହୋଇଛନ୍ତି ଓ ମାନସିକ ପୂରଣ କରିବାକୁ ଯାଇ ଆଜି ଏ ମହାପୂଜା ର ଆୟୋଜନ କରାଇଛନ୍ତି । ସେ ସୂର୍ଯ୍ୟଶତକ ଲେଖି ହର୍ଷବର୍ଦ୍ଧନଙ୍କ ରାଜସଭାରୁ ଯୋଉ ସ୍ଵର୍ଣଛତ୍ର ଉପହାର ପାଇଥିଲେ ତାହାକୁ ଆଜି ଅର୍ପଣ କରିବେ ବିରଞ୍ଚିନାରାୟଣ ଦେବଙ୍କୁ।’
ମୁଁ ଅପଲକ ନୟନରେ ଦେଖୁଥିଲି ସେ ଗୌରବମୟ ଇତିହାସକୁ, ସେ ସ୍ଵର୍ଣଛତ୍ରକୁ ଆଉ ମୟୁରଭଟ୍ଟଙ୍କୁ। ତରୁଣୀକୁ ପଚାରିଲି, ‛ଏତେ ସମୃଦ୍ଧି, ଏତେ ଗୌରବ କୁଆଡେ ଗଲା, କୁଆଡେ ଗଲା ଏ ସୁଦୃଶ ମନ୍ଦିର କୁଆଡେ ଗଲା ଏ ସ୍ଵର୍ଣଛତ୍ର ।’ ସେ କହିଲା, ‛ଚାଲ ତମକୁ ଦେଖେଇବି ମନ୍ଦିର ର ବିଲୁପ୍ତି ଓ ଏକ ମହନୀୟ ଇତିହାସର ଇତିକଥା।’
ପୁଣି ମୋ ଆଗରେ ଛାଇଗଲା ଅନ୍ଧାର ଓ କିଛି ସମୟ ପରେ ଦେଖାଗଲା ଆଉ ଏକ ଦୃଶ୍ୟ। ମନ୍ଦିର ଜାଗାରେ ଅଛି ଗଦାଏ ଭଙ୍ଗା ପଥର। ବୋଇତ ତ ବୋଇତ ବନ୍ଦର ର ବି ନାମ ଗନ୍ଧ ନାହିଁ। ମନ୍ଦିର ଚାରିପଟରେ ବଣ ଜଙ୍ଗଲରେ ପରିପୂର୍ଣ୍ଣ। ଆଉ ତା ଭିତରେ ଛୋଟ ଛୋଟ ଜନବସତି। ମୁଁ କିଛି ବୁଝିପାରିଲିନି। ତରୁଣି କୁ ପଚାରିଲି ‛ଏସବୁ କଣ ?’
ସେ କହିଲା ‛ମନ୍ଦିର ଓ ବନ୍ଦରକୁ ନେଇ ଗର୍ବ କରୁଥିଲା ନଗରି। ନଗରୀ ଧୀରେ ଧୀରେ ବଢି ଚାଲିଥିଲା। ସମୁଦ୍ର ବେଳା ହେତୁ ନଗରୀର ନାମ ବେଳା ବା ବେଢା ବୋଲି ଲୋକମୁଖରେ ପ୍ରଚଳିତ ହେଲା । ଧୀରେ ଧୀରେ ସମୁଦ୍ର ପୋତିବାରେ ଲାଗିଲା ଓ ବନ୍ୟା ପ୍ରବାହ ଆଖ ପାଖର ଅଂଚଳକୁ ଧୋଇନେଲା । ସମୁଦ୍ର ପୋତିହେଇ ଯେଉଁ ନୂତନ ଭୁଖଣ୍ଡ ସୃଷ୍ଟି ହେଲା ସେଇଠି ବାଲିଖଣ୍ଡ ଓ ସେନାଓତରୁ ଲୋକମାନେ ଯାଇ ସେଇଠି ବାସ କରିବାରେ ଲାଗିଲେ। ପୂର୍ବ ଦିଗରେ ଯେଉଁ ନୂଆ ବସତି ହେଲା ତାର ନାମ ସୂର୍ଯ୍ୟଙ୍କ ବାହନର ନାମ ଅନୁସାରେ ହେଲା ବାହାବଳପୁର। ବନ୍ଦର ଓ ପାଖ ଜନବସତିର ଲୋକେ ପାଲ ତିଆରୁଥିଲେ ଧୀରେ ଧୀରେ ସେ ଜାଗାର ନାମ ପାଲିଆ ହେଲା। ବସତି ପରେ ବସତି ବଢି ଚାଲିଲା ତା ସହ କମି ଚାଲିଲା ନଗରୀର ପ୍ରସିଦ୍ଧି। ପାଲିଆ ପାଖରେ ପ୍ରଥମେ ଯେଉଁ ବସତି ସ୍ଥାପନ ହେଲା ତାର ନାମ ଜଳଦେବତା ବରୁଣଙ୍କ ନାମ ଅନୁସାରେ ବରୁଣାଇ ହେଲା। ବୋଇତ ଯୋଉଠି ଆନନ୍ଦରେ ଆଶ୍ରା ନେଉଥିଲେ ତାର ନାମ ସଦାନନ୍ଦପୁର, ବୋଇତ ଯୋଉଠି ପହଞ୍ଚିଲେ ସାଧବ ଓ ବଣିକମାନେ ଚିନ୍ତା ଶୂନ୍ୟ ହେଉଥିଲେ ତାର ନାମ ହେଲା ନିଶ୍ଚନ୍ତପୁର। ବନ୍ଦର ତ ନିଜର ଅସ୍ତିତ୍ବ ହରାଇଲା ହେଲେ ମନ୍ଦିର ସେମିତି ଛିଡା ହେଇଥିଲା ମୁଣ୍ଡ ଟେକି।’
ଏତିକି କହି ସେ ଦୀର୍ଘଶ୍ୱାସ ଛାଡିଲା। ମୁଁ ପୁଣି ପଚାରିଲି ତାହେଲେ ଏ ମନ୍ଦିରର ଏ ଅବସ୍ଥା କେମିତି ହେଲା। ମୂର୍ତ୍ତି, ସ୍ଵର୍ଣଛତ୍ର ମନ୍ଦିରର ବୈଭବ ସବୁ ଭୁଲୁଣ୍ଠିତ ହେଇଗଲା କେମିତି।’
ସେ କହିଲା, ’ଶୁଣ, ତମେ ଜାଣିଥିବ କଳାପାହାଡ଼ କଥା। ବ୍ରାହ୍ମଣ ଯୁବକ କଳାପାହାଡ଼ ନିଜ ସମାଜରୁ ବିତାଡିତ ହୋଇ କେମିତି ପ୍ରତିକ୍ରିୟାଶୀଳ ହୋଇପଡିଥିଲା ଓ ଧ୍ବଂସ କରିଚାଲିଥିଲା ମନ୍ଦିର । ତାର ଉପଦ୍ରବରୁ ବିରଞ୍ଚିନାରାୟଣ ଦେବଙ୍କୁ ବଞ୍ଚାଇବାକୁ ଯାଇ ପୂଜକମାନେ ମୂର୍ତ୍ତିକୁ ନେଇ ପୂର୍ବଦିଗର ବେଢା ଜଙ୍ଗଲ ଭିତରେ ଥିବା ଗଣ୍ଡରେ ଲୁଚାଇଦେଲେ। କଳାପାହାଡ଼ର ସୈନ୍ୟ ମାନେ ପାଳିଆ ଦଖଲ କଲେ, ମନ୍ଦିରରେ ମୂର୍ତ୍ତି ଓ ସ୍ଵର୍ଣଛତ୍ର ନପାଇ ମନ୍ଦିରକୁ ଭାଙ୍ଗିଦେଲେ, ପୂଜକମାନଙ୍କୁ ଜୋର କରି ଧର୍ମାନ୍ତରୀତ କରାଇଲେ ଓ ନିଜ ବିଜୟ ସ୍ମାରକ ତଥା ନିଜ ଧର୍ମାବଲମ୍ବୀଙ୍କ ଉପାସନା ପାଇଁ ଛୋଟ ମସଜିଦଟିଏ ତୋଳାଇଲେ।’
ମୁଁ ପଚାରିଲି, ‛ଆଉ ଏବର ମନ୍ଦିର ?’
‛ଚାଲ ଦେଖିବ ! କେମିତି କଡ଼ ଲେଉଟାଇଲା ଇତିହାସ ! ପୁଣି କେମିତି ଫେରିଲା ପୂର୍ବ ବିଭବ।’ ଏତିକି କହି ସେ ହସିଦେଲା ଆଉ ମୁଁ ପୁଣି ଥରେ ଆତ୍ମ ବିସ୍ମୃତ ହେଲି !
ଦେଖିଲି ଦଳେ ଘୋଡ଼ ସବାର ଘୋଡ଼ା ଝପଟାଇଛନ୍ତି ବେଢା ଗାଁ ଭିତରକୁ । ଭଙ୍ଗା ଦେଉଳ ପାଖରେ ଘୋଡ଼ା ଅଟକିଲା। ଲୋକବାକ ରୁଣ୍ଡ ହେଲେ, ମନ୍ଦିର ବେଢା ସଫା କରାଗଲା।
ତରୁଣୀଟି ମୋତେ କହିଲା, ‛ଦେଖୁଛ ସେ ହଉଛନ୍ତି ମରହଟ୍ଟା ସେନାପତି। କଳାପାହାଡ଼ ମନ୍ଦିର ଭାଙ୍ଗିବାର କିଛି କାଳ ପରେ ମରହଟ୍ଟାମାନେ ଓଡିଶା ଦଖଲ କଲେ। ମରହଟ୍ଟା ସେନାପତି ଜାତିରେ ବ୍ରାହ୍ମଣ। ସେନାଓତର ଜମିଦାରଙ୍କ ଘରେ ଅତିଥି ହୋଇଥିବା ବେଳେ ମନ୍ଦିରର ପୁର୍ବ ପ୍ରତିଷ୍ଠା ଓ ଗୌରବ ବିଷୟରେ ଶୁଣି ମନ୍ଦିରକୁ ପୁଣି ନୂଆକରି ତୋଳେଇବାର ନିଷ୍ପତ୍ତି ନେଇଛନ୍ତି। ଆଉ ଗୋଟେ କଥା ଜାଣିଛ ! ବେଢା ଆଉ ବେଢା ହେଇ ନାହିଁ ! ମୋଗଲଙ୍କ ଉଚ୍ଚାରଣ ଦୋଷରୁ ବେଢା ର ନାଁ ଏବେ ଭେଡା ହେଇଛି।’
ବିରଞ୍ଚିନାରାୟଣ ମନ୍ଦିର କାମ ଜୋରସୋରରେ ଚାଲିଥାଏ। ପୁଣି ଶହଶହ ଶିଳ୍ପୀ ମନ୍ଦିର ତିଆରିରେ ଲାଗିପଡିଲେ। ବିନା ଜଗମୋହନ ଓ ନାଟ ମଣ୍ଡପର ମନ୍ଦିର। ମୂଳ ଆଧାର ଉପରେ ତିଆରିହେଲା କେବଳ ଗର୍ଭଗୃହ।
ତରୁଣୀ କହିଲା, ‛ଦେଖୁଛ ଏ ପୂଜକମାନେ ଆସିଛନ୍ତି ଯାଜପୁରରୁ। ଠାକୁରଙ୍କ ନୀତିକାନ୍ତି ଏବେ ଏମାନେ କରିବେ। ମୂଳ ପୂଜକ ଗୋଷ୍ଠୀ ତ ଧର୍ମାନ୍ତରୀତ ହୋଇଥିଲେ ଆଉ ସେନାଓତର ରକ୍ଷଣଶୀଳ ବ୍ରାହ୍ମଣ ବିରଞ୍ଚିନାରାୟଣ ଦେବଙ୍କ ପୂଜା କରିବାକୁ ରାଜି ହେଲେ ନାହିଁ।’
‛ସେପଟେ ଦେଖ। ବିରଞ୍ଚିନାରାୟଣ ଦେବଙ୍କର ନୂଆ ମୂର୍ତ୍ତି ତିଆରି ଚାଲିଛି। ଗଣ୍ଡରେ ଲୁଚାଯାଇଥିବା ମୂର୍ତ୍ତି ନ ମିଳିବାରୁ ନୂଆମୂର୍ତ୍ତି ତିଆରି ହେଉଛି। ଆଉ ଲୋକମାନେ ବିଶ୍ୱାସ କରୁଛନ୍ତି ଯେ ଗଣ୍ଡରେ ଠାକୁର ଗୋପ୍ୟ ହୋଇଛନ୍ତି ଓ ଗଣ୍ଡକୁ ଗୁପ୍ତଗଙ୍ଗା ବୋଲି ନାମ ଦେଇଛନ୍ତି।’
ମୁଁ ସେମିତି ବିଭୋର ହୋଇ ଦେଖୁଥାଏ ଏକ ବିରାଟ ଇତିହାସକୁ।
ସେ ମୂର୍ତ୍ତି ଅବିକଳ ଏବେର ମୂର୍ତ୍ତି ପରି। ଗୋଟିଏ ପଥରସ୍ତମ୍ଭ ଉପରେ ଚାରିଦିଗକୁ ମୁହଁ କରି ଚାରିଟି ମୂର୍ତ୍ତି। ସବୁ ମୂର୍ତ୍ତି ର ହାତରେ ଦୁଇଟି କରି ସୂର୍ଯ୍ୟମୁଖୀ ଫୁଲ ଓ ମୂର୍ତ୍ତି ର ଠିକ ତଳକୁ ସାତୋଟି କରି ଘୋଡାର ଚିତ୍ର । ମରହଟ୍ଟା ସେନାପତିଙ୍କ ଦ୍ଵାରା ବିରଞ୍ଚିନାରାୟଣ ପୁନଃପ୍ରତିଷ୍ଠା ହେଲେ । ପୁଣି ଚାଲିଲା ପୂର୍ବ ପରି ପୂଜାପାଠ ନୀତିକାନ୍ତି। ମନ୍ଦିର ଫେରିପାଇଲା ନିଜ ହୃତଗୌରବ।
ତରୁଣୀ ମୋତେ କହିଲା, ‛ଦେଖିଲ ତ ମନ୍ଦିରର ଇତିହାସ ? ପାଇଲ ତମ ଅସରନ୍ତି ପ୍ରଶ୍ନର ଉତ୍ତର ? ମୋ କାମ ସରିଲା ମୁଁ ଆସୁଛି ଏଥର ।’ ଏତିକି କହି କୁଆଡେ ଉଭେଇଗଲା ସେ ତରୁଣୀ। ମୁଁ ବିଭୋର ହୋଇ ଦେଖୁଥିଲି ମନ୍ଦିର ଆଉ ତାର ଗୌରବ ମୟ ଇତିହାସକୁ . .
‛ହଇରେ ! ଘଣ୍ଟାଟେ ହେଲା ସେ କୂଅ ଭିତରକୁ ଚାହିଁ କଣ ଭାବୁଛୁ ? ସନ୍ଧ୍ୟା ହେଲାଣି। ଚାଲ ଘରକୁ ଯିବା।’ ଭାଇ ମୋତେ ହଲେଇ ଦେଲା । ଚମକି ପଡି ମୁଁ ଉଠିପଡିଲି କୂଅ ଉପରୁ। ପ୍ରକୃତିସ୍ଥ ହେଲାବେଳକୁ ପାଖରେ ସେ ସୁନ୍ଦରୀ ତରୁଣୀ ନାହିଁ କି ଆଗରେ ସେତେବେଳର ଦୃଶ୍ୟ ନାହିଁ। ଦେଖା ଯାଉଛି ବର୍ତ୍ତମାନର ଦୁନିଆ। ମୁଁ ମନେ ପକାଉଥିଲି କିଛି ସମୟ ଆଗରୁ ମୋ ଆଖି ଆଗରେ ନାଚିଯାଉଥିବା ଏକ ମହନୀୟ ଇତିହାସକୁ . .
©ଓମ୍ ପ୍ରକାଶ ବିଶ୍ୱାଳ
Spread the love
admin

View Comments

Recent Posts

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

3 weeks ago

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 months ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

5 months ago