ସୌରଭିତ ସୃଷ୍ଟି: ଅଭିମନ୍ୟୁ ସାମନ୍ତସିଂହାର
~ ବିଦଗ୍ଧ ଚିନ୍ତାମଣି ~
ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ଉତ୍କଳୀୟ ରୀତିଯୁଗୀୟ ସାହିତ୍ୟଜଗତର ଜଣେ ଅନ୍ୟତମ କାବ୍ୟସ୍ରଷ୍ଟା। ଅଷ୍ଟାଦଶ ଶତାବ୍ଦୀରେ ଉତ୍କଳୀୟ କାବ୍ୟାକାଶରେ ଅସାଧାରଣ ମାର୍ତ୍ତଣ୍ଡ ତୁଲ୍ୟ ଏହି ଅନନ୍ୟ ପ୍ରତିଭାଙ୍କ ବର୍ଣ୍ଣିଳ ଶୈଳୀ, ଆବେଗସ୍ନାତ ଭାଷା, ଗମ୍ଭୀର ଭାବନା, ଆଳଙ୍କାରିକ ଛଟା, ମନୋଜ୍ଞ ଚେତନା ସୃଷ୍ଟ କାବ୍ୟ-କବିତାନିଚୟ ଉତ୍କଳର ସାରସ୍ବତ ନନ୍ଦନକାନନରେ ଯେଉଁ ପ୍ରଜ୍ଞା – ପ୍ରସୂନକୁ ସୃଷ୍ଟିକଲା ତା’ର ସୁଗନ୍ଧିତ ମଳୟର ମୁଦୁମନ୍ଦ ହିଲ୍ଲୋଳ ଜନଜୀବନକୁ କାବ୍ୟିକ ସୃଜନଶୀଳତାରେ ଉତ୍କୂଳ କରିଦେଲା।
ବିଦଗ୍ଧ ଚିନ୍ତାମଣି କାବ୍ୟର ନାୟକ ଶ୍ରୀକୃଷ୍ଣ, ନାୟିକା ଶ୍ରୀରାଧା, ବିଷୟ ବୃନ୍ଦାବନ ଲୀଳା। ଏଠାରେ କୃଷ୍ଣ କିଶୋର, ରାଧା କିଶୋରୀ, ରସ ଶୃଙ୍ଗାର, ଉଜ୍ଜ୍ୱଳ, ମଧୁର। କୃଷ୍ଣ ମାଧୁର୍ଯ୍ୟମୟ, ରାଧା ମାଧୁର୍ଯ୍ୟମୟୀ।
କବି ଅଭିମନ୍ୟୁ ବିପ୍ରଳମ୍ଭ ଶୃଙ୍ଗାରର ବର୍ଣ୍ଣନାରେ ଅଦ୍ଭୁତ ଶକ୍ତିଶାଳୀ ଥିଲେ। ଏହି ବର୍ଣ୍ଣନା ପ୍ରକିୟାରେ ସେ ବାହ୍ୟ ପ୍ରକୃତି ଓ ଚିତ୍‌ ପ୍ରକୃତିର ସାଧାରଣ ଓ ସୂକ୍ଷ୍ମ ବିଷୟମାନ ଏପରି ସରସ, ସୁନ୍ଦର ଓ ସୁଲଳିତ ଭାବରେ ସମନ୍ବୟ କରି ନିଜର କାରୁଣ୍ୟମୟ ଭାବୋଚ୍ଛ୍ବାସର ପ୍ରକାଶିକା ଭାଷାରେ ଅଭିବ୍ୟକ୍ତ କରିଅଛନ୍ତି, ଯେ ପାଠକ ମାତ୍ରେ ପଠନ ବା ଶ୍ରବଣ କାଳରେ ସେହି ବାହ୍ୟ ଓ ଚିତ୍ ପ୍ରକୃତିରେ ବିଳାସୀ ହୋଇପଡିବ।
କବିଙ୍କ ଉକ୍ତ ବିଦଗ୍ଧ ଚିନ୍ତାମଣି ମହାକାବ୍ୟରୁ ଉଦ୍ଧୃତ ହୋଇଥିବା କିଛି ପଦାବଳୀ:
ରମ୍ଭା ଉରୁବଶୀ ବାର ଆଣି କି ଲୋକରେ।
ରମ୍ଭା ଉରୁ ବସିବାର ଆଣି କି ଲୋକରେ।
ଖରେ ହଂସ ଗତି ରହେ କାନ୍ତ ଆଲୋକରେ।
ଖରେ ହଂସଗତି ରହେ କାନ୍ତ ଆଲୋକରେ।।
ବିଭାବରେ ହରିବର ସୁମନର ଶରେ।
ବିଭାବରେ ହରିବର ସୁମନରସରେ।
ଭୂରେ ପ୍ରଭୂରେ କି ଯଶ ଦାସର କ୍ଳେଶରେ।
ରସିକିନୀ ହସିବେଟି ଆଶ ବିନାଶରେ।
ଜୀବଧନ କରିବାର ପାଇଁକି ବାଞ୍ଛିତ।
ଜୀବଧନ କରିନେବ କୁଇଚ୍ଛା ଅଛି ତ।।
ବର୍ଣ୍ଣ ସ୍ବର୍ଣ୍ଣ ମୂର୍ତ୍ତି ବୃତ୍ତ ଅଛ‌ଇ ଯୁଗତେ।
ବ୍ୟର୍ଥ ଅର୍ଥ ପୃଥ୍ବୀ ଅର୍ଥୀ ହୁଅନ୍ତି ଜଗତେ।
ବିଷ୍ଣୁ ଜିଷ୍ଣୁ ଭର୍ଗ ସର୍ଗ ତୁଚ୍ଛ ବନ୍ଧୁ ଭୋଗେ।
ଭକ୍ତି ମୁକ୍ତି ଅଳ୍ପ କଳ୍ପଲତା କୃପାସଙ୍ଗେ।।
ଅକ୍ଷ ଆକ୍ଷେପରେ ଈଶ ଇତସ୍ତତ ହର।
ଉରୁ ଉଜ୍ଜ୍ୱଳକୁ ରୁଚିରୂପା ଦାନକର।
ଲୁଟି ଲବ୍‌ଧି ଏକା ଐକ୍ୟ ଭାବନାକୁ ମନ।
ଓଜ ଔଷଧି ଅଙ୍ଗରେ ଅଛି କର ଦାନ।।
କାନ୍ତି ଗୁଣରେ ଗ‌ଉରୀ ହେବ କି ଯତନ।
ମଧୁରକୁ ଘେନି ସୀତା ନୋହିବ ସମାନ।
କାମ ବିନୋଦରେ ରତ ହେବ କି ରଞ୍ଜନ।
ଲାଳିତ୍ୟରେ ବାଣୀ ଆଣି କେତେକ ଶୋଭନ।।
ଉପସ୍ଥାପନା: ରୁଦ୍ର ନାରାୟଣ ସାହୁ
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago